spot_img
Home Blog Page 4783

ଦରକାର ହେଲେ ଭାରତକୁ ଅଧିକ ରାଫେଲ ଦେବୁ: ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଅଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ । ଭାରତ ଗସ୍ତରେ ଆସିଥିବା ପାର୍ଲେ କହିଛନ୍ତି କି ଦରକାର ହେଲେ ଫ୍ରାନ୍ସ ଭାରତକୁ ଆହୁରି ଅଧିକ ରାଫେଲ ଯୁଦ୍ଧ ବିମାନ ଯୋଗାଇବାକୁ ପ୍ରସ୍ତୁତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରଣନୈତିକ ଦୃଷ୍ଟିରୁ ସମାନ ପ୍ରକାରର ବିମାନ ବ୍ୟବହାର ଦ୍ୱାରା ଭାରତ-ଫ୍ରାନ୍ସ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ ।

ଭାରତ ଗସ୍ତରେ ଆସିଥିବା ପାର୍ଲେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା ପୂର୍ବରୁ ଥିଙ୍କଟ୍ୟାଙ୍କରେ ଏହି ମନ୍ତବ୍ୟ ଦେଇଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ ଫ୍ରାନ୍ସ ଦୂତାବାସ ସୂଚନା ଦେଇଥିଲା କି କୋଭିଡ-୧୯ ମହାମାରୀ ସତ୍ତ୍ୱେ ଭାରତକୁ ନିର୍ଦ୍ଧାରିତ ସମୟରେ ୩୩ଟି ରାଫେଲ ଯୁଦ୍ଧ ବିମାନ ଯୋଗାଇ ଦିଆଯାଇଛି । ଭାରତ ଫ୍ରାନ୍ସ ସହ ସେପ୍ଟେମ୍ବର ୨୦୧୬ ପ୍ରାୟ ୫୯ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲା।

ଏକ ପ୍ରଶ୍ନର ଉତ୍ତରରେ ପାର୍ଲେ କହିଛନ୍ତି, ‘ମୁଁ ଖୁସି ଯେ ଭାରତୀୟ ବାୟୁସେନା ରାଫେଲ ବିମାନରେ ସନ୍ତୁଷ୍ଟ ଏବଂ ଆମେ ଗର୍ବିତ ଯେ କୋଭିଡ -୧୯ ମହାମାରୀ ସତ୍ତ୍ୱେ ଆମେ ଚୁକ୍ତିନାମା ଅନୁଯାୟୀ ୩୬ଟି ବିମାନ ଯୋଗାଇ ଦେଇଛୁ। ଆମ ପାଇଁ ଏହା ଏକ ସଫଳତା । ଯଦି ଭାରତକୁ ଆଉ ଅତିରିକ୍ତ ରାଫେଲ ଦରକାର ତେବେ ଆମେ ଦେବା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ।

ଭାରତୀୟ ନୌସେନାରେ ଦ୍ୱିତୀୟ ବିମାନ ପରିବହନକାରୀ ଜାହାଜ ପାଇଁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଜାହାଜ ଭିତ୍ତିକ ଯୁଦ୍ଧ ବିମାନ ଯୋଗାଇବାକୁ ଫ୍ରାନ୍ସ ଆଗ୍ରହୀ । ସେ କହିଛନ୍ତି, ‘ଆମେ ଜାଣୁ ଯେ ବିମାନ ପରିବହନକାରୀ ଶୀଘ୍ର ସେବାରେ ଆସିବ। ଏଥିପାଇଁ ଯୁଦ୍ଧ ବିମାନ ଆବଶ୍ୟକ ହେବ | ଯଦି ଭାରତ ନିଷ୍ପତ୍ତି ନିଏ, ତେବେ ଆମେ ଆହୁରି ରାଫେଲ ଦେବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ ଜାହାଜ ବିକ୍ରାନ୍ତ ଆସନ୍ତା ବର୍ଷ ଅଗଷ୍ଟରେ ଭାରତୀୟ ନୌସେନାରେ ଭର୍ତ୍ତି ହେବାର ଯୋଜନା ରହିଛି ।

 

ଧର୍ମଶାଳାରୁ ଆରମ୍ଭ ହେଲା ମୋ କଲେଜ ରୂପାନ୍ତରଣ

ଯାଜପୁର: ସରକାରୀ ବିଦ୍ୟାଳୟ ଗୁଡିକର ରୂପାନ୍ତରଣ ପରେ ଏବେ କଲେଜର ମଧ୍ୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି  । ମୋ କଲେଜ ଅଭିଯାନରେ ଯୋଡି ହେବା ପରେ ଯାଜପୁର ଜିଲ୍ଲାର ପ୍ରଥମ କରି ଧର୍ମଶାଳା ମହାବିଦ୍ୟାଳୟର ଶ୍ରେଣୀ ଗୃହକୁ ରୂପାନ୍ତରିତ କରାଯାଇଛି  । କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ କରାଯାଇଛି  । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚକା ଚକ ସ୍ମାର୍ଟ କ୍ଲାସ ରୁମ ହୋଇଛି  । ଛାତ୍ର ଛାତ୍ରୀଙ୍କ ପାଇଁ ଡିଜିଟାଲ ବ୍ଲାକ ବୋର୍ଡ, ଅନଲାଇନ ରେ ପାଠ ପଢିବା ପାଇଁ ଏଲିଡି ବ୍ୟବସ୍ଥା ମଧ୍ୟ କରାଯାଇଛି  ।

ଏହି ସ୍ମାର୍ଟ କ୍ଲାସ ରୁମକୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଉଦଘାଟନ କରିଥିଲେ  । ଏହି ଉଦଘାଟନୀ ଉତ୍ସବରେ ବ୍ଲକ ଅଧକ୍ଷ, କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ସବୁବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଆସୁଥିବା ଛାତ୍ର ଛାତ୍ରୀ ମାନେ ଅତ୍ୟାଧୁନିକ ଶିକ୍ଷା ଓ ସୁନ୍ଦର ପରିବେଶ ମଧ୍ୟ ରେ ପାଠ ପଢିବେ ସେଥିପାଇଁ କଲେଜ ଗୁଡିକ ରୂପାନ୍ତରିତ କରାଯାଉଛି  । ଆଗାମୀ ଦିନରେ ଅନ୍ୟ କଲେଜ ଗୁଡିକୁ ମଧ୍ୟ ରୂପାନ୍ତରିତ କରାଯିବ ବୋଲି ବିଧାୟକ କହିଛନ୍ତି  ।

ସୁନ୍ଦରୀ ପ୍ରତିଯୋଗିତାରେ କରୋନା, ୧୭ ସଂକ୍ରମିତ

ନୂଆଦିଲ୍ଲୀ:  ମିସ୍ ଓ୍ୱାର୍ଲଡ ଗ୍ରାଣ୍ଡ ଫିନାଲେ ଇଭେଣ୍ଟ ଉପରେ କରୋନା ପ୍ରକୋପ । ଇଭେଣ୍ଟରେ ଭାଗ ନେଇଥିବା ଭାରତୀୟ ମଡେଲ ମନସା ବାରଣାସୀଙ୍କ ସମେତ ୧୭ଜଣ ପ୍ରତିଯୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରତିଯୋଗୀ କୋଭିଡରେ ଆକ୍ରାନ୍ତ ହେବା ପରେ ସୁରକ୍ଷା ଦୃଷ୍ଟିରୁ ପିଓର୍ଟୋ ରିକୋରେ ହେବାକୁ ଥିବା ଏହି ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି । ମିସ୍ ଇଣ୍ଡିଆର ଅଫିସିଆଲ ପେଜରେ ଏ ନେଇ ସୂଚନା ଦିଆଯାଇଛି ।

 

 

View this post on Instagram

 

A post shared by Femina Miss India (@missindiaorg)

ଗୁରୁବାର ଏହି ଇଭେଣ୍ଟ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଘୋଷଣା କରାଯାଇଥିଲା କି କରୋନା କାରଣରୁ ଏହି ପ୍ରତିଯୋଗିତା ସ୍ଥଗିତ ରଖାଯାଇଛି । ମନସାଙ୍କ ସହ କରୋନାରେ ଆକ୍ରାନ୍ତ ହୋଇଥିବା ୧୭ ଜଣ ପ୍ରତିଯୋଗୀଙ୍କୁ ପିଓର୍ଟୋ ରିକୋରେ ଆଇସୋଲୋସନରେ ରଖାଯାଇଛି । ମିସ୍ ଓ୍ୱାର୍ଲଡ ପ୍ରତିଯୋଗିତାରେ ୨୩ ବର୍ଷୀୟ ମନସା ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ମନସା ମିସ୍ ଇଣ୍ଡିଆ  ଓ୍ୱାର୍ଲଡ-୨୦୨୦ ଟାଇଟଲ ଜିତିଛନ୍ତି ।

ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ନାଗରିକ ସମ୍ମାନ

0

ଭୁଟାନ : ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ନାଗରିକ ପୁରସ୍କାର । ଭୁଟାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ମୋଦିଙ୍କୁ ‘ନାଗାଦାଗ ପେଲ ଗି ଖୋରଲୋ’ ଅର୍ଥାତ୍ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିଥିବା ଭୁଟାନ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭୁଟାନ ସହ ଭଲ ବନ୍ଧୁତା ଏବଂ କରୋନା ମହାମାରୀରେ ଭୁଟାନକୁ ମୋଦିଙ୍କ ସାହାଯ୍ୟ ସହଯୋଗ ନିମନ୍ତେ ଏହି ପୁରସ୍କାର ଦିଆଯାଇଥିବା କଥା ଭୁଟାନ କହିଛି । ଏଥିସହ ଭୁଟାନ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦିଙ୍କୁ ଜଣେ ମହାନ ଏବଂ ଆଧ୍ୟାତ୍ମିକ ରୂପରେ ସମ୍ମାନ ଦିଅନ୍ତି ଏବଂ ଭୁଟାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନଗସ୍ତ କରିବାକୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି ।

ଏହି ସବୁ ସମ୍ମାନର ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି :

ମୋଦିଙ୍କୁ ମିଳିଥିବା ଏହି ସମ୍ମାନ ପ୍ରଥମ ଥର ନୁହେଁ ବୋଲି ସମସ୍ତେ ଜାଣନ୍ତି ଏହା ପୂର୍ବରୁ ମଧ୍ୟ ୟୁଏଇ, ଋଷ ଏବଂ ମାଳଦ୍ୱୀପ ମୋଦିଙ୍କୁ ସମ୍ମାନିତ କରିଛି ।

  • ୨୦୧୬ରେ ସାଉଦି ଆରବ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ କିଙ୍ଗ୍ ଅବଦୁଲାଜିଜ ଶାହ ସମ୍ମାନରେ ସମ୍ମାନିତ କରିସାରିଛି । ଏଥିସହ ଆଫଗାନିସ୍ତାନ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ ଗାଜି ଅମିର ଅମାନୁଲ୍ଲା ଖାନ୍ ସମ୍ମାନରେ ସମ୍ମାନିତ କରିଛି ।
  • ୨୦୧୮ ଫେବୃଆରୀରେ ଫିଲିସ୍ତାନ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କୋଲାରରେ ମୋଦିଙ୍କୁ ସମ୍ମାନିତ କରିଥିବା ବେଳେ ଏହି ବର୍ଷ ଦକ୍ଷିଣ କୋରିଆରେ ସେଓଲ ପିସ୍ ପ୍ରାଇଜ୍ ପାଇଥିଲେ । ପର୍ଯ୍ୟାବରଣ କ୍ଷେତ୍ରରେ ଏୈାତିହାସିକ କାର୍ଯ୍ୟ କରିଥିବାରୁ ସଂଯୁକ୍ତ ରାଷ୍ଟ୍ର ପ୍ରଧାନମନ୍ତ୍ରୀଙ୍କୁ ଚାମ୍ପିଅନ୍ସ ଅଫ୍ ଆର୍ଥ ସମ୍ମାନରେ ସମ୍ମାନିତ କରିଛି ।
  • ୨୦୧୯ରେ ଋଷ ରାଷ୍ଟ୍ରପତି ବ୍ଲାଦମିଦିର ପୁତିନ୍ ନିଜ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଅର୍ଡର ଅଫ୍ ଆଣ୍ଡ୍ରିଉ ଦ ଆପୋଷ୍ଟେଲ ସମ୍ମାନରେ ସମ୍ମାନିତ କରିଥିଲେ ।
  • ୨୦୧୯ରେ ୟୁଏଇ ନିଜର ସର୍ବୋଚ୍ଚ ସମ୍ମାନ ଜାୟେଦ ମେଡାଲ ଦେଇ ମୋଦିଙ୍କୁ ପୁରସ୍କୃତ କରିଥିଲା । ଏହି ବର୍ଷ ମାଳଦ୍ୱୀପ ମଧ୍ୟ ନିଜର ସର୍ବୋଚ୍ଚ ସମ୍ମାନ ରୁଲ୍ ଅଫ୍ ଇଜୁଦିନ୍ ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରିଥିଲା ।

 

ଉତ୍ତର କୋରିଆରେ ଅଜବ ନିୟମ; ହସିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଉତ୍ତର କୋରିଆରେ ହସିବା ଉପରେ କଟକଣା । ୧୦ ଦିନ ପାଇଁ ଦେଶରେ ହସିବା ଉପରେ ନିଷେଧାଦେଶ ଜାରି କରିଛନ୍ତି ସୁପ୍ରିମ ଲିଡର କିମ୍ ଜଙ୍ଗ ଉନ୍ । ପୂର୍ବତନ ଶାସକ କିମ ଜଙ୍ଗ ଇଲଙ୍କ ଦଶମ ମୃତ୍ୟୁବାର୍ଷିକୀ ପାଳନ ଲାଗି ଦେଶରେ ଏହି କଟକଣା ଜାରି କରାଯାଇଛି । କେବଳ ହସିବା ଉପରେ ନୁହେଁ ବରଂ ମଦ୍ୟପାନ କରିବା, ଗ୍ରୋସରୀ ସାମଗ୍ରୀ କ୍ରୟ, ଅବସରକାଳୀନ କାର୍ଯ୍ୟକଳାପ ଆଦି ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ଯଦି କେହି ଏହି ନିୟମକୁ ଭାଙ୍ଗିବେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ୧୦ଦିନ ସମୟ ମଧ୍ୟରେ କୌଣସି ଲୋକ ଜନ୍ମଦିନ ପାଳନ କରିପାରିବେ ନାହିଁ କି ଶେଷକୃତ୍ୟ ସଂକ୍ରାନ୍ତ ରୀତିନୀତି ପାଳନ କରିବେ ନାହିଁ । କିମ ଜଙ୍ଗ ଇଲଙ୍କ ସ୍ମୃତିରେ ଦେଶରେ ବିଭିନ୍ନ ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଏକ ଫୁଲର ନାମକୁ କିମଜୋଙ୍ଗିଲିଆ ନାମରେ ନାମିତ କରାଯାଇଛି ।

କର୍ଣ୍ଣାଟକ ବିଧାନସଭାରେ ମାନନୀୟଙ୍କ ଲଜ୍ଜାଜନକ ବକ୍ତବ୍ୟ,‘ଦୁଷ୍କର୍ମ ରୋକି ପାରିବନି ତ’ %&$ ମଜା ନିଅ’

ମହୀଶୁର/ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭାର ପୂର୍ବତନ ବାଚସ୍ପତି ଆର ରମେଶ କୁମାର ଦୁଷ୍କର୍ମକୁ ନେଇ ତାଙ୍କ ବୟାନ ପାଇଁ କ୍ଷମା ମାଗିବା ପରେ ମଧ୍ୟ ବିବାଦ ଥମି ନାହିଁ । ସୋସିଆଲ ମିଡିଆରେ ରମେଶଙ୍କ ସହିତ ପୁରା ବିଧାନସଭାର ସଦସ୍ୟଙ୍କୁ ସେମାନଙ୍କ ଅସମ୍ବେଦନଶୀଳତା ପାଇଁ ସମାଲୋଚନାର ଶିକାର ହେବାକୁ ପଡୁଛି । ରମେଶ ଯେତେବେଳେ ଗୃହ ମଧ୍ୟରେ ଦୁଷ୍କର୍ମକୁ ନେଇ ଅଶୋଭନୀୟ କଥା କହୁଥିଲେ ବାକି ସଦସ୍ୟ ତାଙ୍କ କଥା ଶୁଣି ହସୁଥିଲେ । ସୋସିଆଲ ମିଡିଆରେ ପ୍ରଶ୍ନ ଉଠୁଛି ଯେ, ଏଭଳି ଆପତ୍ତିଜନକ ବକ୍ତବ୍ୟ ଶୁଣି ମାନନୀୟ ମାନେ କେମିତି ହସି ପାରୁଥିଲେ ।

ରମେଶ କ’ଣ କହିଥିଲେ ?

ରମେଶ କୁମାର କର୍ଣ୍ଣାଟକ ବିଧାନସଭା ମଧ୍ୟରେ କହିଥିଲେ ଯେ, ‘‘ଦେଖନ୍ତୁ କଥାରେ ଅଛି-ଯେତେବେଳେ ଦୁଷ୍କର୍ମ ହେବାର ହିଁ ଅଛି ସେତେବେଳେ ଶୋଇଯାଅ ଓ ମଜା ନିଅ’’ । ଯେତେବେଳେ ପୂର୍ବତନ ବାଚସ୍ପତି ଏମିତି କହୁଥିଲେ ସେତେବେଳେ ବାକି ସଦସ୍ୟ ତାଙ୍କ କଥା ଶୁଣି ହସୁଥିଲେ । କେବଳ ସଦସ୍ୟ ନୁହନ୍ତି ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗରି ମଧ୍ୟ ତାଙ୍କ କଥା ଶୁଣି ହସୁଥିବା ଦେଖିବାକୁ ମିଳିଥିଲା । ଏପରିକି ରମେଶଙ୍କ ବିରୋଧରେ ଏଭଳି ଆପତ୍ତିଜନକ ବକ୍ତବ୍ୟ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରା ଯାଇନଥିଲା । ପରେ ସୋସିଆଲ ମିଡିଆରେ ବିରୋଧ କାରଣରୁ ରମେଶ ଗୃହରେ କ୍ଷମା ମାଗିଥିଲେ । ତେବେ କ୍ଷମା ମାଗିବା ବେଳେ ସେ ଯେଉଁ ସବୁ ଶବ୍ଦ ବ୍ୟବହାର କରିଛନ୍ତି ସେଥିରୁ ଜଣା ପଡୁଛି ଯେ, ମାନ୍ୟବରଙ୍କ ମନରେ ନିଜ ବକ୍ତବ୍ୟ ପାଇଁ କେତେ କ୍ଷୋଭ ଅଛି । ସେ କହିଥିଲେ ଯେ, ଯଦି ମୋ କଥା ଦ୍ୱାରା ମହିଳାଙ୍କ ସମ୍ମାନହାନୀ ହୋଇଛି ତେବେ ମୁଁ ଆନ୍ତରିକତା ସହିତ କ୍ଷମା ମାଗୁଛି । ରମେଶ କୁମାର କ୍ଷମା ମାଗି ଯାହା କହିଛନ୍ତି ସେଥିରୁ ଜଣା ପଡୁଛି ଯେ, ସେ ଏବେ ମଧ୍ୟ ଭାବୁ ନାହାନ୍ତି ଯେ, ତାଙ୍କ ବକ୍ତବ୍ୟ ଭୁଲ ଥିଲା । ଯଦି ସେ ଭୁଲ କରିଛନ୍ତି ବୋଲି ଭାବୁଥାନ୍ତେ ତେବେ ନିଶ୍ଚିତ ଭାବେ ‘‘ଯଦି’’ ଶବ୍ଦର ବ୍ୟବହାର କରିନଥାନ୍ତେ ।
ରମେଶଙ୍କର ବିବାଦ ସହିତ ସମ୍ପର୍କ ଢେର ପୁରୁଣା । ଦୁଇ ବର୍ଷ ତଳେ ସେ ଗୋଟିଏ ବୟାନ ଦେଇ ନିଜକୁ ଦୁଷ୍କର୍ମ ପୀଡିତାଙ୍କ ସହିତ ତୁଳନା କରିଥିଲେ । ସେ କହିଥିଲେ ଯେ, ଦୁଷ୍କର୍ମ ଥରୁଟିଏ ହୁଏ କିନ୍ତୁ ଯଦି ଆପଣ ସେହି ଘଟଣାକୁ ସେଇଠି ଛାଡି ଦେଇଥାନ୍ତ ତେବେ ତାହା ବିତି ଯାଇଥାନ୍ତା । କିନ୍ତୁ ଯେତେବେଳେ ଆପଣ ଥାନାକୁ ଯାନ୍ତି, କୋର୍ଟକୁ ଯାନ୍ତି ସେତେବେଳେ ବାରମ୍ବାର ଆପଣଙ୍କୁ ଦୁଷ୍କର୍ମ କେମିତି ହେଲା, କେଉଁଠି ହେଲା ଓ କେବେ ହେଲା ଭଳି ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ ।

ବିଜେପିର ରମେଶଙ୍କୁ ଆଳ କରି ପ୍ରିୟଙ୍କାଙ୍କୁ ଟାର୍ଗେଟ୍

ଏଣେ ରମେଶଙ୍କ ବୟାନକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ରମେଶଙ୍କୁ ପ୍ରିୟଙ୍କା ଦଳରୁ ବାହାର କରନ୍ତୁ ବୋଲି ଦାବି କରିଛନ୍ତି । କିନ୍ତୁ ଜାଣିଶୁଣି ସେ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ଆଚରଣକୁ ଭୁଲ ଯାଇଛନ୍ତି । ରମେଶ ଯେତେବେଳେ ଏଭଳି ଘୃଣ୍ୟ ବୟାନ ଦେଉଥିଲେ ସେତେବେଳେ ବାଚସ୍ପତି ବିଶ୍ୱେଶ୍ୱର, ଯିଏକି ବିଜେପିରୁ ଆସନ୍ତି ହସୁଥିଲେ ।

ଖୁସି ଖବର: ଟ୍ବିନସିଟିରେ ସୁଲଭ ମୂଲ୍ୟରେ ମିଳିବ ଘର

ଭୁବନେଶ୍ବର: ସ୍ବଳ୍ପ ଆୟକାରୀଙ୍କ ପାଇଁ ଖୁସି ଖବର । ସୁଲଭ ମୂଲ୍ୟରେ ଭୁବନେଶ୍ବର ଓ କଟକରେ ମିଳିବ ବାସଗୃହ । ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ଶୁଭାରମ୍ଭ ହୋଇଛି ୧୬୦ଟି ଫ୍ଲାଟ ବିକ୍ରି ପ୍ରକ୍ରିୟା । ଆର୍ଥିକ ଦୁର୍ବଳ ଶ୍ରେଣୀର ୪୦ଟି, LIG-୨୦ଟି, MIG-୧୦୦ଟି ଫ୍ଲାଟ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ବର ଡୁମୁଡୁମାରେ ୨ ଏକର ୧୦ ଡେସିମିଲ ପରିମିତ ସରକାରୀ ଜମିରେ ସୁଭଦ୍ରା ଏନକ୍ଲେଭରେ ଆରମ୍ଭ ହେବ ଏହି ସବୁ ଫ୍ଲାଟ ନିର୍ମାଣ କାର୍ଯ୍ୟ । ମୋଟ୍ ୧୯୮ଟି ଫ୍ଲାଟ ଏଠାରେ ନିର୍ମାଣ କରାଯିବ ।

ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଅନୁମୋଦିତ ଏସବୁ ଫ୍ଲାଟ ସ୍ବଚ୍ଛ ପ୍ରକିୟାରେ ବିକ୍ରୟ କରାଯିବ । ନିର୍ଦ୍ଧାରିତ ମୂଲରେ ୪୨ ମାସ ମଧ୍ୟରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ଫ୍ଲାଟ । କଟକ ବିଦ୍ୟାଧରପୁରରେ ମଧ୍ୟ ମୋଟ ୮ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ହାଉସିଂ ପ୍ରକଳ୍ପରେ ୧୯୬ଟି ଫ୍ଲାଟ ହିତାଧିକାରୀଙ୍କୁ ହସ୍ତାନ୍ତର ପ୍ରକ୍ରିୟାର ଆଜି ଶୁଭାରମ୍ଭ ହୋଇଛି । ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ କଟକରେ ଫ୍ଲାଟ ପିଛା ମାତ୍ର ୪ ଲକ୍ଷ ୧୬ ହଜାର ଟଙ୍କାରେ ଯୋଗାଇ ଦିଆଯିବ ।

ପେଗାସସ୍ ମାମଲାରେ ମମତା ସରକାରଙ୍କୁ ଝଟକା; ବେଙ୍ଗଲ ଯାଞ୍ଚ କମିଟି ଉପରେ ରୋକ ଲଗାଇଲା ସୁପ୍ରିମକୋର୍ଟ

କୋଲକାତା: ପେଗାସସ୍ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ବି. ଲୋକୁରଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୋଗସସ୍ ମାମଲାରେ ତଦନ୍ତ କରିବା ଲାଗି ପଶ୍ଚିମବଙ୍ଗ ସରକାର ଜଷ୍ଟିସ୍ ଏମ.ବି. ଲୋକୁରଙ୍କ ଅଧ୍ୟକ୍ଷତାରେ ଦୁଇ ଜଣିଆ ସଦସ୍ୟ ବିଶିଷ୍ଠ ଏକ କମିଶନ ଗଠନ କରିଥିଲା । ଏହି କମିଟି ଆଉ ଏହି ମାମଲାରେ ଅଧିକ ତଦନ୍ତ କରିପାରିବ ନାହିଁ ବୋଲି କହିଛି ସୁପ୍ରିମକୋର୍ଟ ।

ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଉପରେ ରୋକ୍ ଲଗାଇଛି । ଜଷ୍ଟିସ ଲୋକୁରଙ୍କ ନେତୃତ୍ୱରେ ଗଠିତ କମିଶନ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ଆଉ ଆଗେଇବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାରଙ୍କୁ କହିବା ସତ୍ତ୍ୱେ ଏହି କମିଶନ ନିଜ ପ୍ରକ୍ରିୟା ଆରମ୍ଭ କରିଥିଲା । ଇସ୍ରାଏଲ ସ୍ପାଏ ଓ୍ବେର ପେଗାସସ ଜରିଆରେ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ ଲାଗି ସୁପ୍ରିମକୋର୍ଟ ଗତ ଅକ୍ଟୋବର ୨୭ ତାରିଖରେ ଏକ ତିନି ଜଣିଆ କମିଟି ଗଠନ କରିଥିଲେ । ଏଥିରେ ରହିଥିଲେ ସାଇବର ଏକ୍ସପର୍ଟଙ୍କ ସମେତ ଅନ୍ୟ ବ୍ୟକ୍ତି । ଜଷ୍ଟିସ ଲୋକୁରଙ୍କ ପ୍ୟାନେଲରେ ସଦସ୍ୟ ରହିଥିଲେ କଲିକତା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ।

 

ବଦଳିବ ରାଉରକେଲା ସହରର ରୂପ

ରାଉରକେଲା: ବଦଳିବ ରାଉରକେଲା ସହରର ରୂପରେଖ । ଫାଇଭ୍‌ ଟି ଅନ୍ତର୍ଗତ ମୁକ୍ତା ଯୋଜନାରେ ରାଉରକେଲା ସହର ରୂପାନ୍ତର କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ । ଭର୍ଚୁଆଲରେ ହୋଇଥିବା ସମୀକ୍ଷାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ, ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ସହରବାସୀ ମଧ୍ୟ ଯୋଗଦେଇଥିଲେ ।

ରାଉରକେଲା ସହରର ଉନ୍ନତି ପାଇଁ ୫୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦେବାକୁ ୫ଟି ସଚିବ ଭି.କେ. ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି ।

ୟୁପି ନିର୍ବାଚନରେ ବ୍ରାହ୍ମଣ ଭୋଟ ହାତଛଡା ଭୟରେ ଅଜୟ ମିଶ୍ରାଙ୍କୁ ଘଣ୍ଟ ଘୋଡାଉଛି ବିଜେପି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଜିଦ୍‌ରେ ବିରୋଧୀ ଅଟଳ । ଅଜୟ ମିଶ୍ରାଙ୍କ ଇସ୍ତଫା ଦାବିରେ ଆଜି ସଂସଦରେ ବିରୋଧୀ ଜବରଦସ୍ତ ହଙ୍ଗାମା କରିଛନ୍ତି । ୟୁପି ନିର୍ବାଚନରେ ବ୍ରାହ୍ମଣ ଭୋଟ ହାତଛଡ଼ା କରିବା ଡରରେ ବିଜେପି ଅଜୟ ମିଶ୍ରାଙ୍କୁ ଘଣ୍ଟ ଘୋଡାଉ ଥିବା ବେଳେ ବିରୋଧୀ କିନ୍ତୁ ନଛୋଡବନ୍ଧା । ଲଖିମପୁରରେ ଚାଷୀଙ୍କୁ ଯୋଜନାବଦ୍ଧ ହତ୍ୟା ଘଟଣାକୁ ନେଇ ବିରୋଧୀ ଖପ୍ପା । SIT ରିପୋର୍ଟ ଆସିବା ପରେ କ୍ରିମିନାଲ କେନ୍ଦ୍ରମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଦାବି କରି ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି ।

ଏହା ବ୍ୟତୀତ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରଙ୍କ ନିକଟକୁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠିକୁ କେନ୍ଦ୍ର କରି ଗୃହରେ ମୁଲତବି ପ୍ରସ୍ତାବ ଆଗତ କରିଥିଲେ କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀ । ଲଖିମପୁର ହିଂସା ପ୍ରସଙ୍ଗରେ ହୋ ହଲ୍ଲା ଯୋଗୁ ଲୋକସଭା କାର୍ଯ୍ୟକାଳ ଦିନ ୨ଟା ଯାଏଁ ସ୍ଥଗିତ ରଖାଯାଇଛି । ସେପଟେ ରାଜ୍ୟସଭାରେ ବି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ  ଇସ୍ତଫା ଦାବିରେ ଜୋରଦାର ହଙ୍ଗାମା । ଗୃହକୁ ସୋମବାର ଯାଏ ମୁଲତବୀ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ।