spot_img
Home Blog Page 4789

ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ କମୁଛି ତାପମାତ୍ରା । ଅସହ୍ୟ ହେଉଛି ଶୀତ । ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ଘଟିଛି । ଏହା ସହିତ ଉତ୍ତର ଦିଗରୁ ଶୁଖିଲା ପବନ ବହୁଛି । ଯାହା ରାଜ୍ୟରେ ତାପମାତ୍ରା କମିବାରେ ସହାୟକ ହେଉଛି । ଅଧିକାଂଶ ଜିଲ୍ଲାରେ ପାଗ କୋହଲା ରହିବା ସହିତ ସକାଳୁ ସକାଳୁ ଘନ କୁହୁଡ଼ି ମାଡ଼ି ଆସୁଛି ।

ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ରେକର୍ଡ ତାପମାତ୍ରା ହ୍ରାସ ପାଇଛି । ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । କେବଳ ପାହାଡିଆ ଅଞ୍ଚଳ ନୁହେଁ ସମତଳ ଅଞ୍ଚଳରେ ମଧ୍ୟ ପାରା କମିବାରେ ଲାଗିଛି । ସ୍ବାଭାବିକଠାରୁ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି ପାରା । ଅନ୍ୟପଟେ ଦାରିଙ୍ଗବାଡି ତାପମାତ୍ରା ସର୍ବନିମ୍ନ ରହିଛି । ବାଲିଗୁଡ଼ା, କ.ନୁଆଗାଁ, ତୁମୁଡ଼ିବନ୍ଧ, ବେଲଘର, କୋଟଗଡ଼ ଆଦି ଅଞ୍ଚଳରେ ତାପମାତ୍ରା କମିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଆଗକୁ ଆହୁରି ତାପମାତ୍ରା କମିବା ସହିତ ଶୀତର ପ୍ରକୋପ ବଢିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜିଠାରୁ ଦୁଇଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: ଆଜିଠୁ ଦୁଇଦିନ ପାଇଁ ବ୍ୟାଙ୍କ ବନ୍ଦ । ୟୁନାଇଟେଡ ଫୋରମ ବ୍ୟାଙ୍କ୍ ସଂଗଠନ ପକ୍ଷରୁ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରାଯାଇ ଆଜି ଓ କାଲି ବନ୍ଦ ଡାକରା ଦେଇଛି ସଂଘ ।

ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକୁ ଘରୋଇ କମ୍ପାନୀ ହାତରେ ଟେକି ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଏହି ଗଣବ୍ୟାଙ୍କ ବିରୋଧୀ ନୀତି ବିରୁଦ୍ଧରେ ବ୍ୟାଙ୍କ କର୍ମଚାରୀମାନେ ବାରମ୍ବାର ଆନ୍ଦୋଳନ ଓ ଧର୍ମଘଟ କରିଆସୁଥିଲେ ବି କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରୁ ଓହରି ନାହାନ୍ତି । ପ୍ରତିବାଦ, ଆନ୍ଦୋଳନ ଓ ଧର୍ମଘଟ ସତ୍ତ୍ବେ କେନ୍ଦ୍ର ଅର୍ଥମନ୍ତ୍ରୀ ଆଇ.ଡି.ବି.ଆଇ ବ୍ୟାଙ୍କ ଏବଂ ଆଉ ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ ଏ ବର୍ଷ କରିବେ ବୋଲି ବଜେଟ ଭାଷଣରେ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରତିବାଦ କରି କରି ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସଂଘ ।

ଗୋଟିଏ ଗୋଇଠାରେ ଲୁଟେରା ଚିତକାତ

ଭୁବନେଶ୍ବର: ମହଙ୍ଗା ପଡ଼ିଲା ମୋବାଇଲ ଲୁଟ ଉଦ୍ୟମ । ଯୁବକଙ୍କ ଗୋଇଠାରେ ବାଇକ୍ ସହ ତଳେ ପଡ଼ିଲେ ଦୁଇ ଲୁଟେରା । ଜଣେ ମାରିଲା ଚମ୍ବଟ । ଅନ୍ୟ ଜଣଙ୍କୁ ଧରି ପୋଲିସ ଜିମା ଦେଲେ ଲୋକେ । ଘଟଣା ଭୁବନେଶ୍ବର କ୍ୟାପିଟାଲ ଥାନା ଯଜ୍ଞେଶ୍ବର ମନ୍ଦିର ନିକଟରେ ।

ଗତକାଲି ମନ୍ଦିର ସମ୍ମୁଖରେ ଜଣେ ଯୁବକ ତାଙ୍କ ମୋବାଇଲରେ ସେଲଫି ନେଉଥିବା ବେଳେ ଏକ ବାଇକରେ ଦୁଇ ଲୁଟେରା ଆସି ଝାମ୍ପ ମାରିଥିଲେ । ଏହି ସମୟରେ ଯୁବକ ଜଣଙ୍କ ଲୁଟେରାଙ୍କ ବାଇକକୁ ଏକ ଗୋଇଠା ମାରିଥିଲେ । ଫଳରେ ଦୁଇ ଲୁଟେରା ବାଇକ୍ ସହ ତଳେ ପଡ଼ି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଉଠି ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ମନ୍ଦିର ପାଖରେ ଉପସ୍ଥିତ ଲୋକେ କାବୁ କରି ନେଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟେରାକୁ ଗିରଫ କରିବା ସହ ବାଇକ୍ ଜବତ କରିଛି । ଲୁଟ ବେଳେ ଧରା ପଡ଼ିବା ଭୟରେ ଲୁଟେରା ଦ୍ବୟ ବାଇକ ନମ୍ବର ପ୍ଲେଟରେ ଗାମୁଛା ଗୁଡ଼ାଇ ଥିବା ଦେଖିବାକୁ ମିଳିଥିଲା ।

ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ କରିବେ ମାନସମନ୍ଥନ

ଭୁବନେଶ୍ବର: ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ଅଧିକାରୀ କରିବେ ମାନସମନ୍ଥନ । ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ସହ ସାମାଜିକ ସୁରକ୍ଷା ପ୍ରତିଷ୍ଠା ନେଇ ତିଆରି ହେବ ବ୍ଲୁପ୍ରିଣ୍ଟ । ଆଜିଠାରୁ ଆରମ୍ଭ ହୋଇ ୩ ଦିନ ପର୍ଯ୍ୟନ୍ତ ଚାଲିବ ଓଡ଼ିଶା ପୋଲିସର ୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ । ପୋଲିସ ଡିଜି ଅଭୟ କରିବେ ସମ୍ମିଳନୀର ଉଦଘାଟନ । ଅପରାଧୀଙ୍କୁ ଚେକ୍ ଦେବାକୁ ତିଆରି ହେବ ରୋଡ ମ୍ୟାପ୍ ।

କୋଭିଡ କଟକଣା ପାଇଁ ଭର୍ଚୁଆଲ ପ୍ଳାଟଫର୍ମରେ ନିଜ ମୁଖ୍ୟାଳୟରେ କମିଶନରେଟ ପୋଲିସ, ସବୁ ଜିଲ୍ଲାର ଏସ୍‌ପି, ସଶସ୍ତ୍ର ବାଟାଲିଅନ କମାଣ୍ଡାଣ୍ଟ, ରେଞ୍ଜ୍‌ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଇଥିବା ଆଇପିଏସ ଅଧିକାରୀ, ହୋମଗାର୍ଡ, ଭିଜିଲାନ୍ସ, ଜେଲ୍ ବିଭାଗ ଅଧିକାରୀ ଯୋଗଦେବେ। ସମ୍ମିଳନୀରେ ପୋଲିସ ଡିଜି ଓ ଏକ୍ସପର୍ଟ ଦେବେ ଗୁରୁମନ୍ତ୍ର ।

ଆସନ୍ତା ବର୍ଷ କ’ଣ ରହିବ ଓଡିଶା ପୋଲିସ ପାଇଁ ଚାଲେଞ୍ଜ ? କିଭଳି ପୋଲିସ କରିବ ମୁକାବିଲା ହେବ ଆଲୋଚନା । ଫୋକସରେ ରହିବ ମାଓ ମୁକାବିଲା, ଆଇନଶୃଙ୍ଖଳା ପରିସ୍ଥିତି, ସଂଗଠିତ ଅପରାଧ ଓ ତଦନ୍ତର ସମୀକ୍ଷା, ନିଶା କାରବାର, ଗୁଣାତ୍ମକ ତଦନ୍ତ, 5T ପୋଲିସିଂ, ପଞ୍ଚାୟତ ନିର୍ବାଚନ, ସାଇବର ଅପରାଧ, ଦଣ୍ଡବିଧାନ ହାର, ମହିଳା ଓ ଶିଶୁ ସୁରକ୍ଷା ଏବଂ ସଡକ ସୁରକ୍ଷା ।

ଓଡିଶାରେ ମାଓ ଦୁର୍ଗ ଭାଙ୍ଗିବାରେ ଲାଗିଛି । ସ୍ବାଭିମାନ ଅଞ୍ଚଳରେ ପୋଲିସ ସ୍ଥିତି ଜାହିର ହେବା ପରେ ବିକାଶ ଛୁଟିବାରେ ଲାଗିଛି । ମାଓବାଦୀଙ୍କ ଗଡରେ ଗୋଟିଏ ପରେ ଗୋଟିଏ ଥାନା ପ୍ରତିଷ୍ଠା ହେବାରେ ଲାଗିଛି । ଗଞ୍ଜେଇ ଚୋରା ଚାଲାଣ ଓ ଡ୍ରଗ୍ସ କାରବାର ଉପରେ ରୋକ ଲାଗିବା ସହ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯାଉଛି । ଆଗାମୀ ଦିନରେ ନିଶାମୁକ୍ତ ଓଡିଶା ପାଇଁ ସମ୍ମିଳନୀରେ ଖସଡା ପ୍ରସ୍ତୁତ ହେବ । ସେପଟେ ପୋଲିସ ଫାଇଭ-ଟି ଅଧୀନକୁ ଆସିବା ପରେ ପୋଲିସ୍ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ବଦଳଛି । ସମ୍ମଳନୀର ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ।

ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ତନାଘନା, ପୁରୀରେ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍

ପୁରୀ: କେମିତି ହେଲା ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ? ସସପେନ୍ସର ସତ ଖୋଜିବ କ୍ରାଇମବ୍ରାଞ୍ଚ । ଏନେଇ ପୁରୀ ପହଞ୍ଚିଛି ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି ଶିଶିର କୁମାର ମିଶ୍ରଙ୍କ ନେତୃତ୍ୱରେ ଟିମ୍ ପୁରୀରେ ପହଞ୍ଚିଛି । ଆସନ୍ତାକାଲି ଘଟଣାସ୍ଥଳରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍ । ପୁରୀ ଗଡମୃଗଶିରା ବ୍ରିଜ୍ ନିକଟ ନୂଆନଈ ପଠାରୁ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଘଟଣାକୁ ୨ ଦିନ ବିତିଥିଲେ ବି ପୋଲିସର ହାତ ଖାଲି । ଘଟଣାରେ ସହଯୋଗୀ ଜଗନ୍ନାଥ ଷଡ଼ଙ୍ଗୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

4 Members Team Of Crime Branch In Puri To Probe Chittaranjan Death Case

ମାତ୍ର ଏବେବି ସନ୍ଦେହ ଘେରରେ ରହିଛି ମୃତ୍ୟୁ ମାମଲା । ଶନିବାର ରାତିରେ ସାଙ୍ଗ ଜଗନ୍ନାଥଙ୍କ ସହ ଭୋଜି କରିବାକୁ ଯାଇ ଆଉ ଫେରିନଥିଲେ ଚିତ୍ତରଞ୍ଜନ । ରବିବାର ଗଡମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ଓ ତାଙ୍କ ଜୋତା, ମୋବାଇଲ ପଡ଼ିଥିବା ଦେଖି ବଢ଼ିଥିଲା ପୋଲିସର ସନ୍ଦେହ । ପରେ ସୋମବାର ସକାଳୁ ନୂଆନଈରୁ ଉଦ୍ଧାର ହୋଇଥିଲା ଚିତ୍ତରଞ୍ଜନଙ୍କ ମୃତଦେହ । ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି ଅଭୟ ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି, କେରଳରୁ ୪ ଓ ତାମିଲନାଡ଼ୁରୁ ଜଣେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ମହାରାଷ୍ଟ୍ର ଓ କେରଳରୁ ବୁଧବାର ଆଉ ୪ ଜଣ ଲେଖାଏ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ତାମିଲନାଡ଼ୁରୁ ଆସିଛି ଓମିକ୍ରନର ପ୍ରଥମ ମାମଲା । ଏଥିସହ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୩୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜିର ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରୁ ଚିହ୍ନଟ ନୂଆ ୪ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ଉସ୍ମାନାବାଦ, ଜଣେ ମୁମ୍ବାଇ ଓ ଅନ୍ୟ ଜଣେ ବୁଲଢାଣାର । ଆକ୍ରାନ୍ତଙ୍କ ମଧ୍ୟରୁ ୩ଙ୍କୁ କୋଭିଡ୍ ଟିକା ଦିଆଯାଇଛି । ସଂକ୍ରମିତଙ୍କ ମଧ୍ୟରେ ଜଣେ ମହିଳାଙ୍କ ସହ ୧୬ ଓ ୬୭ ମଧ୍ୟରେ ତିନି ଜଣ ପୁରୁଷ ଅଛନ୍ତି । କାହାରି ଠାରେ ମଧ୍ୟ କରୋନାର ଲକ୍ଷଣ ନାହିଁ ।

ସର୍ବ ପ୍ରଥମେ ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ମିଳିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଏଯାବତ୍ ଦୁନିଆର ୭୭ଟି ଦେଶର ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାର ଏହି ଭାରିଆଣ୍ଟ ଆଲ୍ଫା, ବିଟା, ଗାମା, ଡେଲଟା ଓ ଡେଲଟା ପ୍ଲସ ଠାରୁ ଅଧିକ ଶୀଘ୍ର ବ୍ୟାପୁଛି । ଏଥିପାଇଁ ଓମିକ୍ରନକୁ ନେଇ ଦୁନିଆର ଚିନ୍ତା ବଢ଼ି ଯାଇଛି ।

ସିଦ୍ଧୁଙ୍କ ସହ ଭାଇରାଲ ହେଲା ହରଭଜନଙ୍କ ଫଟୋ; କଂଗ୍ରେସରେ ହୋଇପାରନ୍ତି ସାମିଲ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ପାଣିପାଗ ଉଷ୍ମତା ହେବାରେ ଲାଗିଛି । ଏସବୁ ଭିତରେ ଆଜି ଗୋଟିଏ ଫଟୋ ପଞ୍ଜାବ ରାଜନୀତିରେ ଆହୁରି ଚର୍ଚ୍ଚା ହେବାରେ ଲାଗିଛି । କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ଭାରତୀୟ କ୍ରିକେଟ ଦଳର ସ୍ପିନ୍ନର ହରଭଜନ ସିଂଙ୍କ ସହ ସିଦ୍ଧୁ ଏକ ଫଟୋ ସେୟାର କରିଥିଲେ । ସେ ଏହି ଫଟୋ ସେୟାର କରି ଲେଖିଛନ୍ତି କି ‘ଏହି ଫଟୋ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ’ । କିଛି ଦିନ ପୂର୍ବେ ହରଭଜନ ସିଂ ବିଜେପିରେ ସାମିଲ ହେବେ ବୋଲି ଏକ ଖବର ସାମ୍ନାକୁ ଆସିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଏହାକୁ ‘ଫେକ୍ ନ୍ୟୁଜ’ ବୋଲି ଟ୍ୱିଟ କରି କହିଥିଲେ ହରଭଜନ।

ସୂଚନା ଅନୁସାରେ ଆଗାମୀ ଦିନରେ ଜଲନ୍ଧର ବିଧାନସଭା କ୍ଷେତ୍ରରେ ହରଭଜନ ସିଂ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି କୁହାଯାଉଛି । କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୨୨ ପଞ୍ଜାବ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହରଭଜନ ସିଂ ଓ ଯୁବରାଜ ସିଂଙ୍କୁ ନିଜ ଦଳକୁ ନେଇପାରେ । ଏହି ଦୁଇ ଜଣ ଷ୍ଟାର ଖେଳାଳି ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଟ୍ୱିଟ କରିଥିଲେ । ତେବେ ଏହି ଖବରକୁ ଫେକ୍ ବୋଲି କହିଥିଲେ ହରଭଜନ ସିଂ ।

ଡ୍ରଗ୍ସ କେସ୍ ମାମଲାରେ ଆର୍ଯ୍ୟନଙ୍କୁ ଆଶ୍ୱସ୍ତି; ପ୍ରତି ଶୁକ୍ରବାର ଆଉ ଏନସିବିରେ ହାଜର ହେବେନି ଜୁନିଅର ଖାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଛି ଆଶ୍ବସ୍ତି । ପ୍ରତି ଶୁକ୍ରବାର ଏନସିବି ଅଫିସରେ ହାଜର ହେବା ପାଇଁ କୁହାଯାଇଥିଲା । ତେବେ ମୁମ୍ବାଇ ଏନସିବି ଅଫିସରେ ଏଣିକି ପ୍ରତି ଶୁକ୍ରବାର ହାଜର ହେବେ ନାହିଁ ଜୁନିଅର ଖାନ । କ୍ରୁଜ ଜାହାଜ ରେଭପାର୍ଟି ରେଡ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନଙ୍କୁ ନେଇ ଏହି ନିଷ୍ପତ୍ତି ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ତାଙ୍କ ଆବେଦନର ଶୁଣାଣି କରି ଜାମିନ ସର୍ତ୍ତାବଳୀରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ । ତେବେ ସ୍ବତନ୍ତ୍ର ତଦନ୍ତକାରୀ ଟିମର ଆବଶ୍ୟକତା ଅନୁସାରେ ସେ ଦିଲ୍ଲୀ ଯାଇ ତଦନ୍ତର ସମ୍ମୁଖୀନ ହେବାକୁ ପଡିବ ବୋଲି କୋର୍ଟ କହିଛନ୍ତି ।

ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ସଂଶୋଧନ କରିବା ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ଆର୍ଯ୍ୟନ ଖାନଙ୍କ ଆବେଦନକୁ ସ୍ୱୀକାର କରି ବମ୍ବେ ହାଇକୋର୍ଟ ତାଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଏନ୍‌ସିବି ଯେତେବେଳେ ଡାକିବ ସେ ତାଙ୍କ ଆଗରେ ହାଜର ହେବେ। କିନ୍ତୁ ଆର୍ଯ୍ୟନ୍‌ଙ୍କୁ ସମନ ପଠାଇବାର ୭୨ ଘଣ୍ଟା ପୂର୍ବରୁ ଏନ୍‌ସିବି ତାଙ୍କୁ ନୋଟିସ୍‌ ଦେବାକୁ ପଡିବ। ଅନ୍ୟପଟେ, ଆର୍ଯ୍ୟନ ଖାନଙ୍କୁ ସହର ବାହାରେ ଅନ୍ୟ କୌଣସି ସ୍ଥାନକୁ ଯିବା ପୂର୍ବରୁ ଏନସିବିକୁ ଜଣାଇବାକୁ ପଡିବ ବୋଲି କହିଛନ୍ତି କୋର୍ଟ। ବମ୍ବେ ହାଇକୋର୍ଟର ଏହି ନିଷ୍ପତ୍ତି ପରେ ଏବେ ଆର୍ଯ୍ୟନଙ୍କୁ ବଡ ଆଶ୍ୱସ୍ତି ମିଳିଛି ।

 

୫୧୧.୧୯ କୋଟି ଟଙ୍କାର ୭ଟି ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋରେ ଅନୁମୋଦନ, ନିଯୁକ୍ତି ପାଇବେ ୬ ହଜାର ୪୦୨ ଜଣ

ଭୁବନେଶ୍ୱର: ଓଡ଼ିଶାରେ ସୃଷ୍ଟି ହେଉଛି ନିଯୁକ୍ତି ସୁଯୋଗ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୭ଟି ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୫୧୧.୧୯ କୋଟି ମୂଲ୍ୟର ୭ଟି ପ୍ରକଳ୍ପରେ ୬ ହଜାର ୪୦୨ ଜଣଙ୍କୁ କର୍ମ ନିଯୁକ୍ତି ମିଳିବ । ଗତ ୨୩ ଦିନ ମଧ୍ୟରେ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୨,୩୮୩.୩୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ୯ ହଜାର ୮୬୩ ଜଣ ନିଯୁକ୍ତି ପାଇବେ ।

ଖୋର୍ଦ୍ଧାର ଚନ୍ଦକାରେ ଆମ୍ବାଟୁର୍ ଫାସନ ମ୍ୟାନୁଫାକଚରିଂ ୟୁନିଟ୍ ୫୧ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରିବ । ଏଥିରେ ୪ ହଜାର ୭୦୦ ଜଣଙ୍କୁ କର୍ମ ନିଯୁକ୍ତି ମିଳିବ । ସେହିଭଳି ଖୋର୍ଦ୍ଧାର ଛତାବରରେ ୱାଇଲ୍ଡ ଲୋଟସ୍ ଫାସନ ଗାର୍ମେଣ୍ଟ ମାନୁଫ୍ୟାକଚରିଂ ୟୁନିଟ୍ ୫୨, ୬୨ କୋଟି ଟଙ୍କା ବ୍ୟରରେ ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପରେ ନିଯୁକ୍ତି ପାଇବେ ୫୬୦ ଜଣ । ବାଲେଶ୍ୱରରେ ଶ୍ରୀ ବଂଶୀ ଲକ୍ଷ୍ମୀ ପ୍ରା.ଲି. ନୂଆ କ୍ରାଫ୍ଟ ପେପର ୟୁନିଟ୍ ସ୍ଥାପନ କରିବ । ଦୈନିକ ୩୦୦ ଟନ୍ ପେପର କ୍ଷମତା ବିଶିଷ୍ଟ ପେପର ୟୁନିଟ୍ ପାଇଁ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ୭୫୦ ଜଣଙ୍କୁ ନିଯୁକ୍ତି ମିଳିବ ।

ବୌଦ୍ଧରେ ଆଇଓସିଏଲ୍ ପକ୍ଷରୁ ୧୦ ଏମଡବ୍ଲୁ ୱାଟର ସୋଲାର ପାୱାର ପ୍ଲାଣ୍ଟ ୫୨.୨୮ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ । ଏହି ପ୍ରକଳ୍ପରେ ୬୫ ଜଣଙ୍କୁ ନିଯୁକ୍ତି ମିଳିବ । ସେହିଭଳି ଖୋର୍ଦ୍ଧାରେ ପ୍ରାଚୀ ରିସର୍ଟ ୪ ତାରକା ହୋଟେଲ ୬୩.୩୦ କୋଟି ଟଙ୍କାରେ ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପରେ ୮୫ ଜଣଙ୍କୁ ନିଯୁକ୍ତି ମିଳିବ । ସମ୍ବଲପୁରରେ ସିଗମା ଟ୍ୟୁବ୍ସ ଆଣ୍ଡ ପାଇପ୍ସ ପକ୍ଷରୁ ୫୧.୯୯ କୋଟି ଟଙ୍କାରେ ଟ୍ୟୁବ୍ ଆଣ୍ଡ ପାଇପ୍ସ କାରଖାନା ହେବ । ଏଥିରେ ୬୦ ଜଣଙ୍କୁ ନିଯୁକ୍ତି ମିଳିବ । କେନ୍ଦୁଝରର ବଡ଼ବିଲରେ ପିଟିସଏଲ୍ ଇନଫ୍ରାଷ୍ଟକଚର ଲିମିଟେଡ୍ ଆଇରନ୍ ଓର୍ ବେନିଫିକେସନ୍ ପ୍ଲାଣ୍ଟର ସମ୍ପ୍ରସାରଣ ୧୨୦ କୋଟି ଟଙ୍କା ବିନିଯୋଗରେ କରିବ । ଏଥିରେ ୧୮୨ ଜଣ ନିଯୁକ୍ତି ପାଇବେ ।

ପାକିସ୍ତାନ ଭଳି ତୁର୍କୀ ଅବସ୍ଥା ଗମ୍ଭୀର

ତୁର୍କୀ : ପାକିସ୍ତାନରେ ଆକାଶଛୁଆଁ ଦର ବୃଦ୍ଧି ବେଳେ ଏହାର ପଡ଼ୋଶୀ ଦେଶ ତୁର୍କୀର ଏବେ ସମାନ ଅବସ୍ଥା । ସାମାନ୍ୟ ପାଉଁରୁଟି କିଣିବା ପାଇଁ ଦୋକାନ ବାହାରେ ଲାଗିଛି ଲୋକଙ୍କ ଲମ୍ୱା ଲାଇନ୍ । ଏମିତିକି କ୍ଷୀର, ଓୈାଷଧ ଏବଂ ଦୈନିକ ବ୍ୟବହାର୍ଯ୍ୟ ଜିନିଷ ଦାମରେ ନିଆଁ ଲାଗିଛି । ଦରବୃଦ୍ଧିକୁ ନେଇ ଜନତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଦେଖାଦେଇଛି । ଏହି ଦରବୃଦ୍ଧିର କାରଣ ରାଷ୍ଟ୍ରପତି ରେଚେପ ତେୟେପ ଅର୍ଦୋଆନଙ୍କ ଆର୍ଥିକ ନୀତିକୁ ଦାୟୀ କରିଛନ୍ତି ସାଧାରଣ ଲୋକେ ।

ଭାରତର ଅଧିକାଂଶ ଲୋକ ଭାତ ଖାଉଥିବା ବେଳେ ତୁର୍କୀର ପ୍ରମୁଖ ଖାଦ୍ୟ ପାଉଁରୁଟି । ଏଠାକାର ଅଧିକାଂଶ ଲୋକେ ପାଉଁରୁଟି ଖାଇଥାନ୍ତି । ଗୋଟିଏ ବର୍ଷରେ ଜଣେ ବ୍ୟକ୍ତି ମୋଟାମୋଟି ୨୦ ରୁ ୩୦୦ କିଲୋ ପାଉଁରୁଟି ଖାଉଥିବାର ରିପୋର୍ଟରୁ ଜଣାପଡ଼ିଛି । ତୁର୍କୀର କେତେକ ସ୍ଥାନରେ ୨୫୦ ଗ୍ରାମ ବ୍ରେଡ ୬.୮୭ ଟଙ୍କାରେ ମିଳୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ ୧୪ ଟଙ୍କାରେ ବିକ୍ରି ହେଉଛି । ତେଣୁ ଶସ୍ତା ଦାମରେ ମିଳୁଥିବା ବ୍ରେଡ ନେବା ପାଇଁ ଲୋକ ଲମ୍ବା ଲାଇନ ଲଗାଉଥିବା ଦେଖିବାକୁ ମିଳିଛି ।

ଅର୍ଥଶାସ୍ତ୍ରଙ୍କ କହିବାନୁସାରେ ତୁର୍କୀରେ ଶୋଚନୀୟ ଆର୍ଥିକ ପରିସ୍ଥିତିର ଏକମାତ୍ର କାରଣ ରାଷ୍ଟ୍ରପତିଙ୍କ ଆର୍ଥିକ ବ୍ୟବସ୍ଥା । ରାଷ୍ଟ୍ରପତିଙ୍କ ବିଚାରଧାରାକୁ ସହମତ ନଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରାଷ୍ଟ୍ରପତି ବହିଷ୍କାର କରିବା ସହ ବାଧ୍ୟତାମୂଳକ ଦରବୃଦ୍ଧି କରାଇଥିଲେ । ରାଷ୍ଟ୍ରପତିଙ୍କ କହିବାନୁସାରେ ଏଭଳି ଆର୍ଥିକ ବ୍ୟବସ୍ଥା ଲାଗୁ କରିବା ଦ୍ୱାରା ତୁର୍କୀରେ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସିବା ସହ ବିଦେଶୀ ପୁଞ୍ଜିରେ ବୃଦ୍ଧି ହେବ । ମାତ୍ର ଏଠାକାର ବାସିନ୍ଦା ଏହି ନୀତିକୁ ବିରୋଧ କରିବା ସହ ରାଷ୍ଟ୍ରପତିଙ୍କୁ ବିରୋଧ କରୁଛନ୍ତି ।