spot_img
Home Blog Page 4793

ଓଡ଼ିଶାରେ ନୀତି ଆୟୋଗ ଉପାଧ୍ୟକ୍ଷ, ଫୋକସ ଷ୍ଟେଟ୍‌ ମାନ୍ୟତା ଦାବି କରିବ ରାଜ୍ୟ

ଭୁବନେଶ୍ବର: ଓଡିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । 3 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଦିନ ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ରାଜୀବ । ଏହି ସମୟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର । ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ୍‌ ମାନ୍ୟତା ଦେବା ପାଇଁ ଜୋରଦାର ଦାବି କରାଯିବ ।

ଗତ ୧୧ ବର୍ଷରେ ରାଜ୍ୟ ଦେଖିଛି ୧୦ଟି ବାତ୍ୟା, ୩ଟି ମରୁଡ଼ି, ଗୋଟିଏ ଅଦିନିଆ ବାତ୍ୟା ଜନିତ ବୃଷ୍ଟିପାତ, ୨ଟି ପ୍ରଳୟଙ୍କରୀ ବନ୍ୟା । ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ନିଜ ଦମରେ ମୁକାବିଲା କରିଛି ରାଜ୍ୟ । ରାଜ୍ୟର ମୁକାବିଲା ପ୍ଲାନକୁ ସାରା ବିଶ୍ବ ମଧ୍ୟ ପ୍ରଶଂସା କରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମାଡରେ ରାଜ୍ୟ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ତେଣୁ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପାଖରେ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି  । ସଂସଦର ଉଭୟ ଗୃହରେ ବିଜେଡି ସାଂସଦ ମାନେ ମଧ୍ୟ ଦାବି କରିଛନ୍ତି  । ତଥାପି ରାଜ୍ୟ ପ୍ରତି ଅବହେଲା ଜାରି ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ତୁରନ୍ତ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେଇ ସ୍ବତନ୍ତ୍ର ଅର୍ଥ ଯୋଗାଇ ଦେବାକୁ ଦାବି କରିବେ ସରକାର  । ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ବାଦ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ନୀତି ଆୟୋଗ ଉପାଧ୍ୟକ୍ଷ । ଆଜି ସନ୍ଧ୍ୟାରେ ପୁରୀ ଯିବେ ରାଜୀବ କୁମାର । ଏହା ସହିତ ରହଣୀ ସମୟରେ ସେ ଲିଙ୍ଗରାଜ, କୋଣାର୍କ, ଚିଲିକା ବୁଲିବାର କାର୍ଯ୍ୟକ୍ରମ ରହିଛି ।

ଦୁର୍ଘଟଣାରେ ଗଲା ୪ ଜୀବନ

ଭଦ୍ରକ/ଦେବଗଡ଼: ଦୁଇଟି ଦୁର୍ଘଟଣାରେ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଯୋଗୁଁ କୁହୁଡ଼ି ନେଇଛି ଜଣେ ବାଇକ ଆରୋହୀଙ୍କ ଜୀବନ ।

ଭଦ୍ରକ ବାସୁଦେବପୁର ସାବରଙ୍ଗ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ବାସୁଦେବପୁର ଥାନା ଏଡ଼ତାଲ ଅଞ୍ଚଳର ଦୈତାରି ବେହେରା , ପ୍ରକାଶ ଦଳେଇ ଓ ଚଣ୍ଡୀଗାଁ ଅଞ୍ଚଳର ଦୁଃଶାସନ ମହାପାତ୍ର । ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଧାମରା ଅଞ୍ଚଳରେ ରୋଷେୟା ଓ ଅନ୍ୟ ଜଣେ ବନ୍ଦର ନିକଟରେ କାର୍ଯ୍ୟ କରୁଥିଲେ । ଗତକାଲି ଧାମରାରୁ ଫେରିବା ବେଳେ ଦୁଃଶାସନଙ୍କୁ ଚଣ୍ଡୀଗାଁରେ ଛାଡି ଅନ୍ୟ ଦୁଇ ଜଣ ବାସୁଦେବପୁର ଥାନା ଏଡ଼ତାଲ ଫେରିଥାନ୍ତେ । କିନ୍ତୁ ସାବରଙ୍ଗ ହାଇସ୍କୁଲ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ମୃତ୍ୟୁ ହୋଇଛି ।

ସେହିପରି କୁହୁଡି ଯୋଗୁଁ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛରୁ ପିଟିବା ଫଳରେ ଦେବଗଡ଼ ଜିଲ୍ଲା ରିଆମାଳ ଅଂଚଳର ସୁବ୍ରତ ରାଉତଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଆକଟା ବ୍ରିଜ ଛକ ନିକଟରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ବାଇକ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ବାଇକ ଆରୋହିଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅତ୍ୟଧିକ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କିଆକଟା ପୋଲିସ ଶବ ଜବତ କରିବା ସହ ମୃତକଙ୍କ ପରିବାରକୁ ଖବର ଦେଇଛି।

ରାଜଧାନୀ ଜାମ, ଫସିଲା ଆମ୍ବୁଲାନ୍ସ

ଭୁବନେଶ୍ବର: ଖଣ୍ଡଗିରିରୁ ବରମୁଣ୍ଡା । ରାଜଧାନୀ ରାଜରାସ୍ତା ଜାମ୍ । ଲାଗିଲା ଗାଡିଙ୍କ ଲମ୍ବା ଲାଇନ, ଫସିଲା ଆମ୍ବୁଲାନ୍ସ ।

ଏମିତି କିଛି ଦୃଶ୍ୟ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ରାଜଧାନୀରେ । ଖୋର୍ଦ୍ଧା-ଭୁବନେଶ୍ବର ଦେଇ ଯାଉଥିବା ଜାତୀୟ ରାଜପଥରେ ଚାଲିଛି ରାସ୍ତା କାମ । ଯାହା ଯାତାୟାତରେ ସମସ୍ୟା ସୃଷ୍ଟଇ କରୁଛି । ଆଜି ଏହି କାମ ଯୋଗୁଁ ରାସ୍ତା ଜାମ ହୋଇ ଯାଇଥିଲା । ଖୋର୍ଦ୍ଧା-ଭୁବନେଶ୍ବର ରାସ୍ତାରେ ହଜାର ହଜାର ଗାଡ଼ିଙ୍କ ଲମ୍ବା ଲାଇନ ଲାଗିଥିଲା । ସେତିକି ନୁହେଁ, ରୋଗୀଙ୍କୁ ମଧ୍ୟ ହଇରାଣ ହେବାକୁ ପଡ଼ିଥିଲା । ଗୁରୁତର ରୋଗୀଙ୍କୁ ନେି ଯାଉଥିବା ଆମ୍ବୁଲାନ୍ସ ରାସ୍ତା ମଝିରେ ଜାମ ଭିତରେ ଫସି ଯାଇଥିଲା ।

ଖବର ପାଇ ପୋଲିସ ପହଞ୍ଚି ରାସ୍ତାକାମ ବନ୍ଦ କରିବା ସହ ଟ୍ରାଫିକ୍ କ୍ଲିୟର କରିବାକୁ ଚେଷ୍ଟା କରୁଛି ।

ସାବଧାନ ! ଟିକା ନନେଲେ ଚାକିରି ଯିବ

ନୂଆଦିଲ୍ଲୀ: କରୋନା ମହାମାରୀ ପୂରା ବିଶ୍ବକୁ କବଳିତ କରିଥିବା ବେଳେ ସବୁ ଦେଶ ଟିକା ଉପରେ ଗୁରୁତ୍ବ ଦେଉଛନ୍ତି । ଟିକା କରୋନାକୁ ହରାଇ ପାରୁନଥିଲେ ବି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଏହି ମହାମାରୀ ବିରୋଧରେ ଲଢିବାକୁ ଆମକୁ ସକ୍ଷମ କରୁଛି । ଏଣୁ ଟିକା ନେଇ କରୋନା ଜନିତ ମୃତ୍ୟୁମୁଖରୁ ବର୍ତ୍ତିବା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଆମ ଦେଶରେ ଟିକାକରଣ ଜୋରସୋରରେ ଚାଲିଛି । ହେଲେ ଏମିତି ବି କିଛି ସ୍ଥାନ ଓ ସଂସ୍ଥା ଅଛନ୍ତି ଯେଉଁଠି ଲୋକେ ଟିକା ନେବାକୁ ଆଗ୍ରହ ଦେଖାଉନାହାନ୍ତି । ବିଶ୍ବର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲକୁ ଦେଖନ୍ତୁ । ନିଜ କର୍ମଚାରୀଙ୍କୁ ତୁରନ୍ତ ଟିକା ନେବାକୁ ଡେଡଲାଇନ ଜଣାଇ ଦେଇଛି ସଂସ୍ଥା । ଧାର୍ଯ୍ୟ ସମୟ ମଧ୍ୟରେ ଟିକା ନନେଲେ ଚାକିରି ହରାଇବାକୁ ପଡ଼ିବ ବୋଲି ଗୁଗୁଲ ପକ୍ଷରୁ ଚେତାବାନୀ ଦିଆଯାଇଛି ।

ଗୁଗୁଲ ପକ୍ଷରୁ ନିଜ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ଯଦି ଟିକା ନେଇନାହଁ ଶୀଘ୍ର ନେଇଯାଆ । ଟିକା ନିୟମ ଉଲ୍ଲଂଘନ କଲେ ହେବ ଦରମା ବନ୍ଦ । କେବଳ ଏତିକି ନୁହେଁ, ପରବର୍ତ୍ତୀ ଅବସ୍ଥାରେ ଚାକିରି ବି ହରାଇବାକୁ ପଡ଼ିପାରେ ।

ସୂଚନାଯୋଗ୍ୟ, ସବୁ କର୍ମାଚାରୀଙ୍କୁ କମ୍ପାନୀ ପକ୍ଷରୁ ଡିସେମ୍ବର 3 ଡେଡଲାଇନ ଦିଆଯାଇଥିଲା । ଏହି ସମୟ ଭିତରେ ସମସ୍ତଙ୍କୁ ନିଜ ନିଜର ଟିକା ସାର୍ଟିଫିକେଟ ବା ଟିକା ନେବା ଲାଗି ଆବେଦନ ପତ୍ର, ଟିକା ନନେବାର କାରଣ ଆଦି ଅପଲୋଡ କରିବାକୁ କୁହାଯାଇଥିଲା । ପରେ ଯେଉଁମାନେ ଏହି ପ୍ରକ୍ରିୟା ଶେଷ କରିନାହାନ୍ତି ସେମାନଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେମାନଙ୍କୁ ଜାନୁଆରୀ 18 ସୁଦ୍ଧା ଟିକାଦାନ ନିୟମ ଅନୁସାରେ ଅପଡେଟ କରିବାକୁ କୁହାଯାଇଛି । ଏପରି ନକଲେ ସେମାନଙ୍କୁ 30 ଦିନ ଛୁଟିରେ ରହିବାକୁ ପଡିବ । ଏହାପରେ ବି ନିୟମ ନମାନିଲେ 6 ମାସ ଯାଏଁ ବିନା ଦରମାରେ ବ୍ୟକ୍ତିଗତ ଛୁଟି ନେଇ ରହିବେ । ପରେ ସେମାନଙ୍କୁ ବାହାର କରିଦିଆଯିବା ପରି ପଦକ୍ଷେପ ନିଆଯିବ ।

ଓମିକ୍ରନ ଘନୀଭୂତ ହେଉଥିବାରୁ ଚଳିତ ମାସରେ ଅଫିସ ଆସିବା ନିୟମକୁ ଘୁଞ୍ଚାଇ ଦିଆଯାଇଥିଲା । ସେପଟେ ଆମେରିକାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 8 ଲକ୍ଷ ପାର୍ ହୋଇଛି । ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ପ୍ରତିନିଧି ସବା ଓ ସିନେଟରେ ନୀରବ ପ୍ରାର୍ଥନା କରାଯାଇଛି ।

ବରୀର ବିକାଶ ପାଇଁ ଏକାଠି କାମ କରିବା

0

ଯାଜପୁର: ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ସୁଜନପୁରଠାରେ ବିଜେଡି ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରୀର ବିଜେଡି ନେତା ବିଶ୍ଵ ରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଏକ ବିଶାଳ ବାଇକ୍ ରାଲି କରାଯାଇଥିଲା । କାର୍ଯ୍ୟକ୍ରମରେ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ଯୋଗ ଦେଇ ଦଳୀୟ କର୍ମାଙ୍କୁ ଉତ୍ସାହିତ କରିଥିଲେ ।

ଆଗକୁ ଦଳ କିଭଳି ଆହୁରି ମଜବୁତ ହେବ ସେ ନେଇ ଗୁରୁମନ୍ତ୍ର ଦେଇଥିଲେ ନେତାଏ । ବରୀର ବିକାଶ ପାଇଁ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦେଖିଥିବା ସ୍ବପ୍ନ ପୂରଣ ହେବ ବୋଲି କହିଥିଲେ ଭବପ୍ରସାଦ ଦାସ ।

ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ବର: ସାରା ରାଜ୍ୟରେ ଶୀତର ଲହରୀ । ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । କନ୍ଧମାଳ ଜିଲ୍ଲାରେ ପାରଦ ତଳମୁହାଁ ହେବାସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଆଗକୁ ଆହୁରି ଥରିବ ଓଡ଼ିଶା । ରାଜ୍ୟରେ ତାପମାତ୍ରା କମିବା ଫଳରେ ଶୀତ ବଢିବାରେ ଲାଗିଛି । ଅନେକ ଅଞ୍ଚଳରେ ଭୋରରୁ ଘନ କୁହୁଡି ଦେଖିବାକୁ ମିଳୁଛି ।

ଆଜିଠୁ ଉପାନ୍ତରୁ ଉପକୂଳ ଆହୁରି କମିବ ତାପମାତ୍ରା । ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପାମାତ୍ରା କମିବା ନେଇ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ବାଲିଗୁଡ଼ା, କ. ନୁଆଗାଁ, ତୁମୁଡ଼ିବନ୍ଧ, ବେଲଘର, କୋଟଗଡ଼ ଅଞ୍ଚଳରେ ତାପମାତ୍ରା କମିବାରେ ଲାଗିଛି । ସହରବାସୀ ଶୀତର ମଜା ନେବା ସହ ନିଜକୁ ଫିଟ୍ ରଖିବା ପାଇଁ ସକାଳୁ ସକାଳୁ ଖେଳ ପଡ଼ିଆ ଓ ଜିମରେ ଭିଡ଼ ଜମାଉଛନ୍ତି । ଅନ୍ୟପଟେ ପ୍ରବଳ ଜାଡ଼ରୁ ଟିକେ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକେ ନିଆଁ ପୁଇଁବାର ଦେଖିବାକୁ ମିଳିଛି ।

ଆଜିଠୁ ପ୍ରକୃତି କୋଳରେ ଖେଲିବେ ପର୍ଯ୍ୟଟକ

ଭୁବନେଶ୍ବର: ଆଜିଠାରୁ ପ୍ରକୃତି ସହ ମିଶିଯିବେ ଲୋକେ । ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ଏକାକର କରିବାର ସୁଯୋଗ ପାଇବେ ପର୍ଯ୍ୟଟକ । କୋଣାର୍କ ବଖାଣିବ କାରୁକାର୍ଯ୍ୟର ଗଥା । ଓଡ଼ିଶାର କାଶ୍ମୀରରେ ଲାଗିବ ପର୍ଯ୍ୟଟକଙ୍କ ଭିଡ଼ । ପ୍ରକୃତିର ମଧୁରତା ସହ ସମୁଦ୍ରର ଲହରୀ ଆଉ  ନଦୀର କୁଳୁକୁଳୁ ଶବ୍ଦ ସାଙ୍ଗକୁ ଶୀତଳ ପବନର ମଜା ନେବେ ପର୍ଯ୍ୟଟକ । ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ବହୁ ପ୍ରତିକ୍ଷିତ ଇକୋ ରିଟ୍ରିଟ୍ ।

ଦିନ ୧୧ଟାରେ ଭର୍ଚୁଆଲରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଇକୋ ରିଟ୍ରିଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଣାର୍କ, ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଆୟୋଜିତ ହେବ ଏହି ନିଆରା ଉତ୍ସବ । ପର୍ଯ୍ୟକଙ୍କ ପାଇଁ କଟେଜ୍‌ ସହିତ ବିଳାସପୂର୍ଣ୍ଣ ଟେଣ୍ଟ, ଖେଳ, ଭଳିକିଭଳି ଦେଶୀ, ବିଦେଶୀ ଖାଦ୍ୟ ଏବଂ ମନୋରଞ୍ଜନ ପାଇଁ ଭରପୂର କାର୍ଯ୍ୟକ୍ରମ ଆୟୋଜିତ କରାଯିବ ।

କୋଣାର୍କର ରାମଚଣ୍ଡୀ ନିକଟ କୁଶଭଦ୍ରା ନଦୀ ମୁହାଣରେ ଏଥର ଇକୋ ରିଟ୍ରିଟ ଆୟୋଜିତ ହେଉଛି । ଏଠାରେ ୭୦ଟି ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ ହୋଇଛି । ସେହିପରି ଭିତରକନିକା, ଦାରିଙ୍ଗବାଡ଼ି, ସମ୍ବଲପୁର ଆଦି ସ୍ଥାନରେ ମଧ୍ୟ ଜୋରଦାର ପ୍ରସ୍ତୁତି ହୋଇଛି ।

ମାଲକାନଗିରିରୁ ଆରମ୍ଭ ଯାଜପୁରରେ ଶେଷ

ଯାଜପୁର: ସ୍ବାସ୍ଥ୍ୟ ସେବାରେ ଓଡ଼ିଶାର ସ୍ବର୍ଣ୍ଣିମ ଅଧ୍ୟାୟ । ଆଜି ସବୁ ଜିଲ୍ଲାକୁ ଛୁଇଁବ ସ୍ବାସ୍ଥ୍ୟ ବିପ୍ଳବ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଛୁଇଁବ ମାଇଲଖୁଣ୍ଟ । ବିଏସକେଓ୍ବାଇ ଯୋଜନାରେ ମାଲକାନଗିରିରୁ ଆରମ୍ଭ ହୋଇଥିବା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ଯାଜପୁର ଜିଲ୍ଲାରେ ଶେଷ ହେବ । ଆଜି ଦୁଇ ଜିଲ୍ଲା କେନ୍ଦ୍ରାପଡ଼ା ଓ ଯାଜପୁରବାସୀ ପାଇବେ ସ୍ମାର୍ଟ ହେଲଥ୍ କାର୍ଡ ।

ସକାଳ ୧୧ଟା ୩୦ରେ ପ୍ରଥମେ କେନ୍ଦ୍ରାପଡାବାସୀଙ୍କୁ ବିଏସକେଓ୍ବାଇ ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଜିଲ୍ଲାରେ ୩ ଲକ୍ଷ ୮ ହଜାର ପରିବାର ଉପକୃତ ହେବେ । ଏହାସହିତ କେନ୍ଦ୍ରାପଡ଼ା ଦେଖିବ ବିକାଶର ନୂଆ ସୂର୍ଯ୍ୟ । ଜିଲ୍ଲାବାସୀଙ୍କୁ ୧୫ ଶହ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଶତାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସହିତ ଉଦଘାଟନ କରାଯିବ । ସେବା ଆଉ ବିକାଶର ଉତ୍ସବ ପାଇଁ କେନ୍ଦ୍ରାପଡା ମ୍ୟୁନିସିପାଲିଟି ଟାଉନ ହଲ୍‌ରେ ବ୍ୟାପକ ପ୍ରସ୍ତୁତି ହୋଇଛି ।

ସେହିପରି ସ୍ବାସ୍ଥ୍ୟ ବିପ୍ଲବର ମହାଅଧ୍ୟାୟରେ ଆଜି ସାମିଲ ହେବ ଯାଜପୁର ଜିଲ୍ଲା । ବିରଜା କ୍ଷେତ୍ରରେ ଲେଖା ହେବ ସେବା ଆଉ ବିକାଶର ନୂଆ କାହାଣୀ । ଅପରାହ୍ନରେ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଜିଲ୍ଲାରେ ୪ ଲକ୍ଷ ପରିବାର ଉପକୃତ ହୋଇପାରିବେ । ଏହାସହ ଯାଜପୁରରେ ଉଇଁବ ବିକାଶର ନବୀନ ସୂର୍ଯ୍ୟ । ବିକାଶ ପାଇଁ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରାଯିବ । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଓ ବିକାଶର ନୂଆ ବ୍ଲୁପ୍ରିଣ୍ଟ ପାଇଁ ପ୍ରସ୍ତୁତ ହୋଇଛି ଯାଜପୁର । ଏଥିପାଇଁ ନରସିଂହ ଚୌଧୁରୀ କଲେଜ ପଡିଆରେ ହୋଇଛି ପ୍ରସ୍ତୁତି । ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ବାବଧାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ,  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବେ ।

ମହାରାଷ୍ଟ୍ରରେ ମାଡୁଛି ଓମିକ୍ରନ: ରାହୁଲଙ୍କ ରାଲି ବାତିଲି

ମୁମ୍ବାଇ: ମହାରାଷ୍ଟ୍ରରେ ବଢ଼ି ଚାଲିଥିବା ଓମିକ୍ରନ ଆକ୍ରାନ୍ତ ଦେଶର ଚିନ୍ତା ବଢ଼ାଇବାରେ ଲାଗିଛି । ରାଜ୍ୟରେ ଆଜି ୮ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାୟାନଗରି ମୁମ୍ବାଇରୁ କେବଳ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣେରୁ ଜଣଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।

ବଢ଼ି ଚାଲିଥିବା ଓମିକ୍ରନ ସଂକ୍ରମଣକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିମାନବନ୍ଦରରେ କଟକଣା କଡା କରିଦିଆଯାଇଛି । ସଂକ୍ରମିତ ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ପାଇଁ କ୍ବାରେଣ୍ଟିନ ବ୍ୟବସ୍ଥା କରାଯାଇଛି । ତଥାପି ରାଜ୍ୟର ଅନ୍ୟ ସ୍ଥାନ ତୁଳନାରେ ଏଠାରେ ଅଧିକରୁ ଅଧିକ ସଂଖ୍ୟାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ସ୍ଥିତିକୁ ଦେଖି ରାହୁଲ ଗାନ୍ଧିଙ୍କ ରାଲିକୁ ରଦ୍ଦ କରିଦିଆଯାଇଛି । କଂଗ୍ରେସ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

କେବଳ ମହାରାଷ୍ଟ୍ର ନୁହେଁ, ଦେଶର ଦିଲ୍ଲୀ, ରାଜସ୍ଥାନରେ ମଧ୍ୟ ଓମିକ୍ରନ ସଂକ୍ରମଣ ବଢ଼ିବାରେ ଲାଗିଛି । ଉଭୟ ଦିଲ୍ଲୀ ଓ ରାଜସ୍ଥାନରେ ଆଜି ୪ ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ସଂଖ୍ୟା ୬ରେ ପହଞ୍ଚିଛି । ପୂରା ଦେଶକୁ ଦେଖିଲେ ବର୍ତ୍ତମାନ ସୁଦ୍ଧା ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।

‘ରଙ୍ଗବତୀ’ ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆ ଗୁରୁତର

ସମ୍ବଲପୁର: ସୁପରହିଟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ରଚୟନା ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଗୁରୁତ । ତାଙ୍କୁ ସମ୍ବଲପୁର ସଦର ମେଡିକାଲ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ହୃହଘାତ ପରେ ସେ ଗୁରୁତର ହୋଇଯାଇଛନ୍ତି । ୨୦୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।