spot_img
Home Blog Page 4794

ରାଜ୍ୟ ପାଇଁ ଚିନ୍ତା ପାଲଟିଛି କନ୍ୟା ଜନ୍ମହାର: ଝିଅ ନୁହେଁ, ପୁଅ ଚାହୁଁଛନ୍ତି ଶିକ୍ଷିତ ଦମ୍ପତି

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବରେ କମୁଛି କନ୍ୟା ଜନ୍ମହାର । ପୂର୍ବବର୍ଷ ତୁଳନାରେ ଯଦିଓ ଡାକ୍ତରଖାନାରେ ପ୍ରସବ ସଂଖ୍ୟା ବଢ଼ିଛି ହେଲେ କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହାର କମିଥିବା ଦେଖିବାକୁ ମିଳିଛି । ସଦ୍ୟ ପ୍ରକାଶିତ ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟର ତଥ୍ୟ ଅନୁସାରେ ଗତ ୫ ବର୍ଷରେ ରାଜ୍ୟରେ କନ୍ୟା ଜନ୍ମହାର ୪ ପ୍ରତିଶତ ହ୍ରାସ ପାଇଛି । ଏହା ଭବିଷ୍ୟତ ପାଇଁ ଏକ ବଡ ଆହ୍ବାନ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ବେଚ୍ଛାସେବୀ ।

କନ୍ୟା ସନ୍ତାନ ପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି ଶିକ୍ଷିତ ଦମ୍ପତି । ପ୍ରତି ୧ ହଜାର ବାଳକରେ ଜନ୍ମ ହେଉଛନ୍ତି ୮୯୪ କନ୍ୟା । ଗ୍ରାମାଞ୍ଚଳରେ ପ୍ରତି ୧ ହଜାର ବାଳକରେ ୮୮୫ କନ୍ୟା ସନ୍ତାନ ଜନ୍ମ ହେଉଥିବା ବେଳେ ସହରାଞ୍ଚଳରେ ୯୫୦ । ସଦ୍ୟ ପ୍ରକାଶିତ ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ପ୍ରତି ୧ ହଜାର ବାଳକ ସନ୍ତାନରେ ୭୪୫ ଶୁଶୁ କନ୍ୟା ଜନ୍ମ ହେଉଥିବା ବେଳେ ଝାରସୁଗୁଡାରେ ତାହା ୭୯୩, ପୁରୀରେ ୭୮୨, ସୁନ୍ଦରଗଡ଼ରେ ୮୦୯ ଓ ଖୋର୍ଦ୍ଧାରେ ୮୧୦ ରହିଛି । ତେବେ ସହରାଞ୍ଚଳରେ ସମସ୍ତ ଦମ୍ପତି ଗୋଟିଏ ସନ୍ତାନ, ତାହା ପୁଣି ପୁଅ ହେବାର ମାନସିକତା ରଖୁଥିବା ସ୍ବେଚ୍ଛାସେବୀ କହିଛନ୍ତି ।

ରିପୋର୍ଟ ଅନୁସାରେ ଅଧିକ ବିକଶିତ, ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା, ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିପାରୁଥିବା ଜିଲ୍ଲାଗୁଡ଼ିକରେ ଶିଶୁକନ୍ୟା ଜନ୍ମହାର ଅନ୍ୟ ଜିଲ୍ଲାଠାରୁ କମ୍ ରହୁଛି । କିନ୍ତୁ ଯେଉଁଠି ଲୋକମାନେ ଅଧିକ ଶିକ୍ଷିତ ନୁହଁନ୍ତି ସେଠାରେ ଝିଅ ଓ ପୁଅ ଭିତରେ କୌଣସି ଭେଦଭାବ ନାହିଁ । ସେଥିପାଇଁ ରାଜ୍ୟର ଆଦିବାସୀ ଅନ୍ୟୁଷିତ ଜିଲ୍ଲାଗୁଡିକରେ କନ୍ୟା ଶିଶୁ ଜନ୍ମହାର ରାଜ୍ୟହାର ଠାରୁ ଯଥେଷ୍ଟ ଆଗରେ ରହିଛି । ରାଜ୍ୟର ସମ୍ବଲପୁର ଜିଲ୍ଲାରେ ପ୍ରତି ହଜାରେ ପୁତ୍ର ସନ୍ତାନରେ ୧୦୬୧ କନ୍ୟା ଜନ୍ମ ହେଉଥିବାବେଳେ ନୂଆପଡ଼ାରେ ୧୦୨୫, ନବରଙ୍ଗପୁରରେ ୧୦୪୫, କୋରାପୁଟରେ ୧୦୧୪, କେନ୍ଦୁଝରରେ ୯୮୪, ମାଲକାନଗିରିରେ ୯୮୧ ଗଜପତିରେ ୯୯୯ ଶିଶୁ କନ୍ୟା ଜନ୍ମ ହେଉଛନ୍ତି । ଏଭଳି ସ୍ଥିତିରେ ସଚେତନତା ହିଁ ଏକମାତ୍ର ବାଟ ବୋଲି କହିଛନ୍ତି ଶିଶୁ ସୁରକ୍ଷା ବିଶେଷଜ୍ଞ ।

ଜାତୀୟ ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ୪ରେ ଏହି ସଂଖ୍ୟା ୯୩୨ ଥିବା ବେଳେ ସଦ୍ୟ ପ୍ରକାଶିତ ରିପୋର୍ଟରେ ତାହା ୮୯୪ ରହିଛି । ଏହି ତାଲିକାରେ କଟକ, ଝାରସୁଗୁଡା ଓ ପୁରୀ ଜିଲ୍ଲାର ସ୍ଥିତି ସବୁଠାରୁ ଅଧିକ ସଙ୍ଗିନ ରହିଛି ।

ପ୍ରତିଷ୍ଠା ଦିବସଠାରୁ ଗାଁକୁ ଯିବ ବିଜେଡି

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଦଳକୁ ୨୪ ପୂରି ୨୫ ଚାଲିବ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ବିଜେଡି ଏହା ମଧ୍ୟରେ ସାରା ଦେଶରେ ଗ୍ରହଣୀୟ ହୋଇସାରିଛି । ଏବର୍ଷ ଦଳର ପ୍ରତିଷ୍ଠା ଦିବସରେ ଫୋକସ୍‌ରେ ରହିବ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା । ଏଥିପାଇଁ ପଞ୍ଚାୟତ ସ୍ତରରେ ଲୋକଙ୍କ ସହ ପ୍ରତିଷ୍ଠା ଦିବସ ପାଳନ କରାଯିବ ।

ପୁଣି ପ୍ଲାନିଂ ହେବ ଭବିଷ୍ୟତ କାର୍ଯ୍ୟପନ୍ଥା । ସରକାରୀ ଯୋଜନା କାର୍ଯ୍ୟକାରିତାର କରାଯିବ ସମୀକ୍ଷା । ନୂଆ ବୈଷୟିକ ଜ୍ଞାନକୌଶଳରେ ଲୋକଙ୍କ ପାଖରେ ପହଞ୍ଚିବ ସେବା । ଜନ୍ମରୁ ମୃତ୍ୟୁ ଯାଏଁ ଜନକଲ୍ୟାଣକାରୀ ଯୋଜନା । ଏ ହେଉଛି ନବୀନ ପଟ୍ଟନାୟକଙ୍କ ଶାସନର ମୂଳମନ୍ତ୍ର । ଯାହାର ସଫଳ କାର୍ଯ୍ୟକାରିତା ପାଇଁ 5T ଓ ମୋ ସରକାର ପରି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଯାହାକୁ ପ୍ରଶଂସା କରୁଛି ସାରା ଭାରତବର୍ଷ ।

ଜନସେବାର ଜୟଯାତ୍ରାରେ ଆଉ ଏକବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେଡି । ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛି ଏହି ଆଞ୍ଚଳିକ ଦଳ । କେବଳ ନିଜ ସହ ହିଁ ଚାଲିଛି ପ୍ରତିଦ୍ବନ୍ଦ୍ବିତା । ଏଥର ଜନ୍ମଦିନରେ ଗାଁକୁ ଯିବେ ଦଳର କର୍ମୀ ଓ ନେତା । ସୁଶାସନ ଓ ଜନକଲ୍ୟାକାରୀ ଯୋଜନାର ଯେଉଁ ମାଇଲଖୁଣ୍ଟ ରାଜ୍ୟ ସରକାର ସ୍ଥାପନ କରିଛନ୍ତି , ତା’ର ସମୀକ୍ଷା ସହ ନୂଆ ବୈଷୟିକ ଜ୍ଞାନକୌଶଳରେ ସେବା ପ୍ରଦାନ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହେବ ।

ଗାଁରୁ ବ୍ଲକ ଯାଏଁ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ବଖାଣିବ ଦଳ । କେନ୍ଦ୍ରର ଅବହେଳା ଓ ଦରଦାମ ବୃଦ୍ଧି ସମସ୍ୟାକୁ ଘରେ ଘରେ ପହଞ୍ଚାଇବେ ମହିଳା ବ୍ରଗେଡ୍ । ବେକାରୀ ଓ ନିଯୁକ୍ତି ନାଁରେ କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ଟାର୍ଗେଟ କରିବେ ଯୁବ ଓ ଛାତ୍ର ବିଜେଡି ବାହିନୀ । ଗାଁ ଗାଁରେ ବାଜିବ ବିଜୁ ଆଦର୍ଶର ବାର୍ତ୍ତା ।

ଆପଣମାନେ ପଞ୍ଚାୟତ ସମ୍ଭାଳନ୍ତୁ, ମୁଁ ସଚିବାଳୟ ସମ୍ଭାଳୁଛି । ପ୍ରଥମ ଥର କ୍ଷମତାକୁ ଆସିବା ସମୟରେ ତୃଣମୂଳ ସ୍ତରରୁ ରାଜ୍ୟର ବିକାଶ ପାଇଁ ଏହି ଆହ୍ବାନ ଦେଇଥିଲେ ନବୀନ ପଟ୍ଟନାୟକ । ଗାଁ ଗାଁରେ ବିକାଶର ଧ୍ବଜା ନବୀନ ସରକାରଙ୍କ ସଫଳତାର ମୂକସାକ୍ଷୀ । ଆଗକୁ ପଞ୍ଚାୟତ ନିର୍ବାଚନ । ପ୍ରତିଷ୍ଠା ଦିବସରୁ ହିଁ ଦଳ ଆରମ୍ଭ କରିବ ପଞ୍ଚାୟତ ଦଖଲ ଅଭିଯାନ ।

ରାଜ୍ୟ ସରକାରଙ୍କ ସହ ସ୍ବର ମିଶାଇଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ନଷ୍ଟ ପାଇଁ ପ୍ରଚଳିତ ବ୍ୟବସ୍ଥାରେ ସରକାରୀ ସହାୟତା ଯଥେଷ୍ଟ ହେଉନାହିଁ । ଏଥିପାଇଁ ଏସ୍‌ଡିଆର୍‌ଏଫ୍‌ ନିୟମ ରିଲିଫ୍‌ କୋଡ୍‌ ସଂଶୋଧନ ଲାଗି କେନ୍ଦ୍ରକୁ ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ ସ୍ବର ମିଳାଇଛି । ଏସ୍‌ଡିଆର୍‌ଏଫ୍‌ ନିୟମାନୁଯାୟୀ ଜଓ୍ବାଦ ବର୍ଷା ଜନିତ ଫସଲ କ୍ଷତି ସହାୟତା ରାଶି ଯଥେଷ୍ଟ ହେବନାହଁ ।

ଏସ୍‌ଡିଆର୍‌ଏଫ୍‌ ନିୟମ ସଂଶୋଧନ ପାଇଁ କେନ୍ଦ୍ରୀୟ ଟିମ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ । ଯାହା ଓଡ଼ିଶା ସରକାର ବହୁ ପୂର୍ବରୁ କହୁଥିଲେ ଏବେ କେନ୍ଦ୍ରୀୟ ଟିମ୍‌ ତାହା ଦୋହରାଇଛି । ପ୍ରାକୃତିକ ଦୁର୍ବିପାକରେ ଫସଲ ନଷ୍ଟ ହେଲେ ଏବେ ଇନ୍‌ପୁଟ ସହାୟତା ବାବଦରେ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଓ ଅଣଜଳସେଚିତ ଜମି ପାଇଁ ୬ ହଜାର ୮୦୦ ଟଙ୍କା ମିଳୁଛି । ଏବେ କେନ୍ଦ୍ରୀୟ ଟିମ୍‌ କ’ଣ ସୁପାରିସ କରୁଛି ତାକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି

ବିହନ, ସାର ଓ ମଜୁରୀ ବୃଦ୍ଧି ପାଇଥିବାରୁ ଫସଲ ଉତ୍ପାଦନ ଖର୍ଚ୍ଚ ବଢ଼ି ଚାଲିଛି । ଏହାସହ ବାରମ୍ବାର ବାତ୍ୟା ଓ ବନ୍ୟା ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିପଡୁଛି । ଏପରି ସ୍ଥଳେ ଏସ୍‌ଡିଆରଏଫ୍‌ ନିୟମ ସଂଶୋଧନ ପାଇଁ ବହୁ ଦିନରୁ ରାଜ୍ୟ ସରକାର ଦାବି କରିଆସୁଛନ୍ତି । ଏହାସହ ଦୁର୍ବିପାକର ମୁକାବିଲା ପାଇଁ ଭିତ୍ତିଭୂମି ସୁଦୃଢ କରିବାକୁ ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ ବି କେନ୍ଦ୍ର କୌଣସି ପଦକ୍ଷେପ ନେଇନଥିବା ବିଶେଷଜ୍ଞ କହିଛନ୍ତି ।

ଚିତ୍ତରଞ୍ଜନଙ୍କ ମୃତ୍ୟୁରୁ ପରଦା ହଟିବ କେବେ ?

ପୁରୀ: ସନ୍ଦେହ ଘେରରେ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ । ତଦନ୍ତ ଜୋରଦାର କରି ବିଭିନ୍ନ ଦିଗକୁ ନେଇ ଖିଅ ଖୋଜୁଛି ପୋଲିସ । ପୁରୀ ଗଡମୃଗଶିରା ବ୍ରିଜ୍ ନିକଟ ନୂଆନଈ ପଠାରୁ ମୃତଦେହ ମିଳିବାକୁ ବିତି ଗଲାଣି ୨୪ ଘଣ୍ଟା ହେଲେ ଏବେ ବି ପୋଲିସ ହାତ ଖାଲି । ଜଗନ୍ନାଥ ଷଡ଼ଙ୍ଗୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମାତ୍ର ଏବେ ବି ସସପେନ୍ସରେ ରହିଛି ମୃତ୍ୟୁ ମାମଲା । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତନଘନା କରୁଛି ।

ନୂଆନଈ ପଠାରୁ ଚିତ୍ତରଞ୍ଜନଙ୍କ ମୃତଦେହ ମିଳିବା ପରେ, ମାମଲାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସଂପୃକ୍ତି ନେଇ ଜୋର ଧରିଥିଲା ଚର୍ଚ୍ଚା । ହେଲେ ଆଜି ଚର୍ଚ୍ଚାକୁ ବିରାମ ଦୋଇଛନ୍ତି ମୃତକଙ୍କ ପରିବାର । ସଞ୍ଜୟଙ୍କ ମୁଣ୍ଡରୁ କଳଙ୍କ ପୋଛିବା ସହ ନୀରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ସେପଟେ ମୃତକଙ୍କ ପରିବାରଙ୍କ ସହ ଆଲୋଚନା କରିବା ସହ ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ।

ସୂଚନାଯୋଗ୍ୟ, ଶନିବାର ରାତିରେ ସାଙ୍ଗ ଜଗନ୍ନାଥଙ୍କ ସହ ଭୋଜି କରିବାକୁ ଯାଇ ଆଉ ଫେରିନଥିଲେ ଚିତ୍ତରଞ୍ଜନ । ରବିବାର ଗଡମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ଓ ତାଙ୍କ ଜୋତା, ମୋବାଇଲ ପଡିଥିବା ଦେଖି ବଢିଥିଲା ପୋଲିସ ସନ୍ଦେହ । ପରେ ସୋମବାର ସକାଳୁ ନୂଆନଈରୁ ଉଦ୍ଧାର ହୋଇଥିଲା ଚିତ୍ତରଞ୍ଜନଙ୍କ ମୃତଦେହ ।

ଗ୍ରାମାଞ୍ଚଳରେ ବ୍ୟାଙ୍କ ଓ ଏଟିଏମ ଖୋଲିବା ଦାବି ଉଠାଇଲା ବିଜେଡି

ଭୁବନେଶ୍ବର: ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧାରୁ ଲୋକଙ୍କୁ ବଂଚିତ କରାଯାଉଛି । ତୁରନ୍ତ ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଓ ଏଟିଏମ ଖୋଲିବାକୁ ଦାବି କରିଛି ବିଜେଡି । ସଂସଦରେ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ ଏହି ଦାବି କରିବା ପରେ ଜୋର ଧରିଛି ରାଜନୀତି । କଂଗ୍ରେସ ଓ ବିଜେପି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନେଇ ବିଜେଡ଼ି ସ୍ବର ସହ ସ୍ବର ମିଳାଇଥିଲେ ମଧ୍ୟ କିଛି ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ନେଇ ସରଗମର ହୋଇଛି ରାଜ୍ୟ ରାଜନୀତି  ।

ଅପହଞ୍ଚ ଗାଁରେ ବ୍ୟାଙ୍କିଙ୍ଗ ସେବା ନଗନ୍ୟ । ଯେଉଁଠି ଏଟିଏମ ଅଛି, ସେଠାରେ ଇଣ୍ଟରନେଟର ସୁବିଧା ନାହିଁ । ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ବ୍ୟାଙ୍କ ଶାଖା ସହ ଏଟିଏମ ଖୋଲିବାକୁ ବିଜେଡ଼ି ସାଂସଦ ଦାବି କରିଛନ୍ତି । ଏହାସହ ଗ୍ରାମ୍ୟବ୍ୟାଙ୍କଗୁଡିକ ମିଶନ୍ ଶକ୍ତି ଗ୍ରୁପକୁ ବ୍ୟବସାୟିକ ପ୍ରତିନିଧି ଭାବେ ସାମିଲ କରିବା ପାଇଁ ଦାବି ଦୋହରାଇଛି ବିଜେଡ଼ି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କି ସେବାରୁ ଗ୍ରାମାଞ୍ଚ ଲୋକଙ୍କୁ ବଞଚିତ ନକରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ରାଜ୍ୟରେ ମୋଟ୍ ୬ ହଜାର ୭୯୮ ପଞ୍ଚାୟତ ମଧ୍ୟରୁ ୪ ହଜାର ୬୪୯ଟି ପଞ୍ଚାୟତରେ ବ୍ୟାଙ୍କ ନାହିଁ ।

ଘରୋଇ ବ୍ୟାଙ୍କମାନେ ଚାଷୀଙ୍କୁ ଋଣ ଦେବାକୁ ମଧ୍ୟ ସଂସଦରେ ଦାବି କରିଛି ବିଜେଡି । ୭୦ ପ୍ରତିଶତ ଘରୋଇ ବ୍ୟାଙ୍କ ଚାଷୀଙ୍କୁ ଋଣ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଚାଷୀମାନେ ହଇରାଣ ହେଉଥିବା ସାଂସଦ ସେଠୀ କହିଥିଲେ । ସଂସଦରେ ବିଜେଡି ଯେଉଁ ଦାବି ରଖିଛି ତାହାକୁ ସମର୍ଥନ କରିଛନ୍ତି ଦୁଇ ବିରୋଧି କଂଗ୍ରେସ ଓ ବିଜେପି ।

ସଂସଦ ଅଧିବେଶନରେ ରାଜ୍ୟର ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗକୁ ନେଇ ଗୃହରେ ଶାଣିତ ସ୍ବର ଉଠାଉଛନ୍ତି ବିଜେଡି ସାଂସଦ । ତେବେ କେନ୍ଦ୍ର ସରକାର, ଏସବୁ ସମସ୍ୟାର ସମାଧାନ କେବେ କରୁଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।

ଓମିକ୍ରନ ସଂକ୍ରମଣରୁ ସୁରକ୍ଷା ଦେବ ଟିକା

ଭୁବନେଶ୍ବର: ଦେଶରେ କରୋନା ଭୂତାଣୁ ଓମିକ୍ରନ ଚିନ୍ତା ବଢ଼ାଇଥିବା ବେଳେ ସମସ୍ତଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପ୍ରଥମ ଡୋଜ୍‌ ନେଇନଥିବା ୪୧ଲକ୍ଷ ଲୋକଙ୍କୁ ତୁରନ୍ତ ଟିକା ନେବାକୁ ବିଭାଗ ତରଫଣୁ କୁହାଯାଇଛି । ଏପରିକି ଏମାନଙ୍କୁ ଉତ୍ସାହିତ କରିବା ପାଇଁ ଜନପ୍ରତିନିଧି ଓ ସାମାଜିକ କର୍ମୀଙ୍କ ସହଯୋଗ ଲୋଡ଼ିଛନ୍ତି ରାଜ୍ୟ ସରକାର । ଟିକା ନନେଲେ ସଂକ୍ରମଣ ବଢିବା ଆଶଙ୍କା ରହିଛି । ତେଣୁ ଗାଁ ଗାଁରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଟିକାକୁ ସଂକ୍ରମଣର ସୁରକ୍ଷା କବଚ କୁହାଯାଉଛି । ଟିକା ନେଇ ସଂକ୍ରମିତ ହେଲେ ଗୁରୁତର କି ମୃତ୍ୟୁ ହେବା ଆଶଙ୍କା କମ୍‌ । ଓମିକ୍ରମଠାରୁ ଟିକା ଶତ ପ୍ରତିଶତ ସୁରକ୍ଷା ନଦେଲେ ମଧ୍ୟ କ୍ରସ ପ୍ରୋଟେକ୍ସନ ଦେବ । ତେଣୁ ସମସ୍ତେ କରୋନା ଟିକା ନେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଅନ୍ୟ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ଶୀଘ୍ର ଟିକା ନେଇ ନେବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ୍‌ କରାଯାଇଛି ।

ରାଜ୍ୟରେ ଟିକା ନେଇ ନଥିବା ୪୧ ଲକ୍ଷ ଲୋକଙ୍କୁ ଚିହ୍ନଟ କରି ତୁରନ୍ତ ଟିକାକେନ୍ଦ୍ରକୁ ଆଣିବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । କେଉଁ ବ୍ଲକରେ କେତେ ଲୋକ ଟିକା ନେଇନାହାନ୍ତି ସେନେଇ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪ କୋଟି ୬୨ ଲକ୍ଷ ଡୋଜ୍ ଟିକା ଦିଆଯାଇଛି। ପ୍ରଥମ ଡୋଜ୍‌ ୮୭.୪ ପ୍ରତିଶତ ଲୋକ ନେଇଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ।

ପଲଟିଲା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡ଼ି

0

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂ ରାୱତଙ୍କ ଗାଡ଼ି ପଲଟିଯିବା ସୂଚନା ମିଳିଛି । ସେ ଫୋଡ଼ିର ଥେଲିସେଣ୍ଡରୁ ଡେରାଡୁନକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଗାଡ଼ିରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେତେକ ସଦସ୍ୟ ଥିବା ମଧ୍ୟ ଜଣାପଡ଼ିଛି । ମାତ୍ର ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି । କୈାଣସି କାର୍ଯ୍ୟରେ ଧନ ସିଂ ଥେଲିସେଣ୍ଡ ଗସ୍ତ କରିଥିବା ବେଳେ ରାତି ସମୟରେ ଡେରାଡୁନ ଫେରୁଥିଲେ । ଏହି ସମୟରେ ହଠାତ୍ ତାଙ୍କ କାର ଅନ୍ୟ ଏକ କାର ସହ ଧକ୍କା ହୋଇଥିବା କଥା ଜଣାପଡ଼ିଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।

କହିରଖୁ କି, ଧନ ସିଂ ରାୱତ ଉତ୍ତରାଖଣ୍ଡରେ ନିଜ କାମ ପାଇଁ ବେଶ୍ ଚର୍ଚ୍ଚାରେ ଥିବାବେଳେ ୧୯୮୯ ମସିହାରେ ସେ ଆରଏସଏସ ଯବାନରେ ସ୍ୱୟଂସେବକ ଭାବେ କାର୍ଯ୍ୟରତ ଥିଲେ । ଏଥିସହ ସମାଜରେ ଥିବା ଅସ୍ପୃଶ୍ୟତା, ବାଲ୍ୟବିବାହ ଏବଂ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ସେ ରାମ ଜନ୍ମଭୂମି ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ । ଏହି ଆନ୍ଦୋଳନ ପାଇଁ ତାଙ୍କୁ ଜେଲ ଦଣ୍ଡ ମଧ୍ୟ ମିଳିଥିଲା ।

 

୩ ବର୍ଷରୁ ଅଧିକ ପିଲାଙ୍କୁ ଶୀଘ୍ର ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଶୀଘ୍ର ପିଲାଙ୍କୁ ନେଇ ଥିବା ଚିନ୍ତା ଦୂର ହେବାକୁ ଯାଉଛି । 3 ବର୍ଷ ଓ ତାଠାରୁ ଅଧିକ ବୟସ୍କ ପିଲାଙ୍କୁ ମିଳିବ କରୋନା ଟିକା । 6 ମାସ ମଧ୍ୟରେ ଆସିବ ପିଲାଙ୍କ ପାଇଁ ସଞ୍ଜୀବନୀ । ଏନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମୁଖ୍ୟ ତଥା ସିଇଓ ଅଦର ପୁନାଓ୍ବାଲା ।

ସେ କହିଛନ୍ତି, ‘୬ ମାସ ଭିତରେ ସେରମ ଇନଷ୍ଟିଚ୍ୟୁଟର କୋଭାଭାକ୍ସ ପିଲାଙ୍କ ଲାଗି ଆସିବ । କରୋନା ଟିକା ବାହାର କରିବା ଲାଗି ୧୦୦ କୋଟି ଡଲାର ନିବେଶ କରାଯାଇଛି ଏବଂ ଟିକା ଆସିବା ଯୋଗୁଁ ମହାମାରୀର ମୁକାବିଲା କରାଯାଇପାରିଛି । ନୂଆ ଭାରିଆଣ୍ଟ ଓମିକ୍ରନର ମୁକାବିଲା ଲାଗି ଟିକା ପ୍ରସ୍ତୁତ କରିବା ପ୍ରକ୍ରିୟା ଜାରି ରହିଛି । ଏକ ବୁଷ୍ଟର ଡୋଜ ଯେପରି ପ୍ରସ୍ତୁତ କରାଯାଇପାରିବ ସେଥିଲାଗି ଗବେଷଣା ଜାରି ରହିଛି । ଟିକା ଆବଶ୍ୟକତା ପୂରଣ ଲାଗି ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଅଧିକ ବର୍ଗର ଟିକା ଲାଗି କ୍ଲିନିକାଲ ଟ୍ରାଏଲ ଲାଗି ବିଭିନ୍ନ ରାଜିନାମା କରାଯିବା ଆବଶ୍ୟକ ।’

ବର୍ତ୍ତମାନ ସୁଦ୍ଧା ଯେଉଁ ଟିକା ବାହାରିଛି ସେସବୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଉଛି । ଟିକା ଉତ୍ପାଦନ ଲାଗି ଭାରତର ଦୁଇଟି କମ୍ପାନୀଙ୍କୁ ଲାଇସେନ୍ସ ମିଳିଥିବା ସେ କହିଛନ୍ତି । ବର୍ତ୍ତମାନ ମାସକରେ ସେରମ ଇନଷ୍ଟିଚ୍ୟୁଟ ୨୫ରୁ ୨୭ କୋଟି ଡୋଜ ଉତ୍ପାଦନ କରୁଛି । ସେପଟେ ଓମିକ୍ରନର ମୁକାବିଲା ଲାଗି ବଟିକା ପ୍ରସ୍ତୁତ ହେଉଛି ବୋଲି କହିଛି ଫାଇଜର । କମ୍ପାନୀ ପକ୍ଷରୁ କୁହାଯାଇଛି ୨ ହଜାର ୨୫୦ ଲୋକଙ୍କ ନିକଟରେ ଏହି ବଟିକା ବ୍ୟବହାର କରାଯାଇଛି ଏବଂ ଏହା ସଫଳ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ବଟିକା ବ୍ୟବହାର କଲେ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁ ୮୯ ପ୍ରତିଶତ ହ୍ରାସ ହୋଇଥାଏ ।

ପୁଣି ଅଜଣା ବ୍ୟାଗ ଛନକା

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପୁଣି ଅଜଣଶ ବ୍ୟାଗ ଛନକା । ବ୍ୟାଗେଜ କ୍ୟାରିଅରରେ ଅଜଣା ପଲିଥିନ ବ୍ୟାଗ ଦେଖି ଲୋକଙ୍କ ମଧ୍ୟରେ କୋକୁଆ ଭୟ । ଖବର ପାଇଁ ସନ୍ଧାନୀ କୁକୁର ସହ ପହଞ୍ଚିଗଲେ ସୁରକ୍ଷା କର୍ମୀ । ଆରମ୍ଭ ହୋଇଗଲା ଯାଞ୍ଚ ।

ବ୍ୟାଗଟି କିଏ କେଉଁ ଉଦ୍ଦେଶ୍ୟରେ ସେଠାରେ ରଖିଥିଲେ ଜଣଶ ପଡିନଥିଲା । ହେଲେ ବ୍ୟାଗ ଭିତରୁ ଯାଞ୍ଚ ବେଳେ ବାହାରି ଥିଲା ରସଗୋଲା ।

ସେ ଯାହା ବି ହେଉ ବିମାନବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ସବୁ ସ୍ଥାନ ଉପରେ ସିସିଟିଭି କ୍ୟାମେରା ରଖିଛି ନଜର । ଏମିତି ସ୍ଥିତିରେ କେହି ବ୍ୟାଗ ଛାଡ଼ି ଚାଲିଯିବାକୁ ନେଇ ପ୍ରଶ୍ନବାଚୀ ଛିଡା କରୁଛି । ଦୁଇଦିନ ପୂର୍ବରୁ ବିମାନ ବନ୍ଦରରେ ଏମିତି ଏକ ଅଜଣଶ ବ୍ୟାଗକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ନାବାଳକଙ୍କ ସହ ଯୌନ ସମ୍ପର୍କ ରଖି ଯୁବକ ଗିରଫ

ରାଉରକେଲା: ନାବାଳକଙ୍କୁ ପ୍ରଲୋଭନ ଦେଖାଇ ଅପ୍ରାକୃତିକ ଯୌନ ସମ୍ପର୍କ । ଅଭିଯୋଗ ପରେ ବନ୍ଧା ହେଲା ଯୁବକ । ଘଟଣା ଘଟିଛି ରାଉରକେଲାର ଉଦିତନଗର ଥାନା ଅଞ୍ଚଳରେ ।

ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ବିଭିନ୍ନ ପ୍ରଲୋଭନ ଦେଖାଇ ଜଣେ ୫ ବର୍ଷ ଓ ଜଣେ ୭ ବର୍ଷ ବାଳକଙ୍କ ସହ ଯୌନ ସମ୍ପର୍କ ରଖିଥିଲା । ଏପରିକି ଗତ ୩ ମାସ ହେଲା ଯୁବକ ଜଣଙ୍କ ନାବାଳକ ଦ୍ବୟଙ୍କ ସହ ସମ୍ପର୍କ ରଖିଆସିଥିଲା । କୌଣସି ସୂତ୍ରରୁ ଖବର ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଦୁଇ ନାବାଳକଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି । ଘଟଣାର ତଦନ୍ତ କରିବା ସହ ଉଭୟ ନାବାଳକଙ୍କ ଯତ୍ନ ନେବାକୁ ଚାଇଲ୍ଡ ଲାଇନକୁ ଦାୟିତ୍ବ ଦେଇଛନ୍ତି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ।