spot_img
Home Blog Page 4798

ମୋଦିଙ୍କୁ ଅଖିଳେଶଙ୍କ କଟାକ୍ଷ: ‘ଶେଷ ସମୟ ପାଇଁ କାଶୀଠାରୁ ଭଲ ସ୍ଥାନ ନାହିଁ’

ଲକ୍ଷ୍ନୌ: ସୋମବାର ଉତ୍ତରପ୍ରଦେଶର ବାରଣାସୀରେ ଉଦଘାଟନ ହୋଇଛି ଐତିହାସକ କାଶୀ ବିଶ୍ୱନାଥ କରିଡର । ଏହି ଐତିହାସିକ କାଶୀ ବିଶ୍ୱନାଥ ଐତିହ କରିଡରକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତକୁ ନେଇ କଟାକ୍ଷ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ । ଅଖିଳେଶ କହିଛନ୍ତି କି ଶେଷ ସମୟରେ କାଶୀଠାରୁ ଭଲ ସ୍ଥାନ ଆଉ କିଛି ନାହିଁ । ସେଥିପାଇଁ ପ୍ରଧାନମନ୍ତ୍ରୀ ଗୋଟିଏ ମାସ ପରିବର୍ତ୍ତେ ୩ ମାସ ବନାରସରେ ରୁହନ୍ତୁ ବୋଲି କହିଛନ୍ତି ଅଖିଳେଶ ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି କି ମୋଦି ସରକାର ଚାଷୀ ଓ ଶିଖମାନଙ୍କ ଭୟରେ ଏବଂ ଆଗାମୀ ଦିନରେ ହେବାକୁ ଥିବା ୟୁପି ଓ ପଞ୍ଜାବ ନିର୍ବାଚନକୁ ଦୃଷ୍ଟିରେ ରଖି କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି । ଯଦି ଏହି ଆଇନକୁ ପୂର୍ବରୁ ପ୍ରତ୍ୟାହାର କରିନେଇଥାନ୍ତେ ତେବେ ୭୦୦ ଚାଷୀ ମୃତ୍ୟୁ ବରଣ କରିନଥାନ୍ତେ । ଯଦି ୟୁପିରେ ସମାଜବାଦୀ ପାର୍ଟିର ସରକାର ଆସିବ ତେବେ ଏହି ଆନ୍ଦୋଳନରେ ସହିଦ ହୋଇଥିବା ଚାଷୀଙ୍କୁ ୨୫ ଲକ୍ଷ ସାହାଯ୍ୟ ମିଳିବ । ବିଜେପି ପାଇଁ କୃଷକମାନେ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି ତାଙ୍କ ପାଇଁ ଭୋଟ ହିଁ ସବୁଠାରୁ ମହତ୍ୱପୂର୍ଣ୍ଣ ବୋଲି କହିଥିଲେ ଅଖିଳେଶ ଯାଦବ ।

ଅଖିଳେଶ ଆହୁରି କହିଛନ୍ତି କି ବିଗତ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇଟଓ୍ୱାରେ ଯେଉଁ କାର୍ଯ୍ୟର ଉଦଘାଟନ କରିଥିଲେ ସେ ସବୁ ସପା ସରକାର ସମୟରେ ହୋଇଥିଲା । ସେହିପରି ଯେଉଁସବୁ ଏକ୍ସପ୍ରେସଓ୍ୱ ମଧ୍ୟ ନିର୍ମାଣ କରାଯାଉଛି ତାହା ମଧ୍ୟ ସପା କାର୍ଯ୍ୟକାଳ ମଧ୍ୟରେ ହୋଇଥିଲା । ବିଜେପି ଆସିବା ପରଠାରୁ ବିକାଶ ବନ୍ଦ ହୋଇଯାଇଛି ବୋଲି କହିଛନ୍ତି ଅଖିଳେଶ ଯାଦବ । ସେ ଆହୁରି କହିଛନ୍ତି କି ବର୍ତ୍ତମାନ ବିଦ୍ୟୁତ୍ ବିଲ୍ ମହଙ୍ଗା ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏଟାଠାରେ ଥିବା ବିଦ୍ୟୁତ କେନ୍ଦ୍ରର କାର୍ଯ୍ୟ ସମାପ୍ତି ହୋଇ ନଥିବାରୁ ମୁଖ୍ୟମନ୍ତ୍ରୀ ଏହି ବିଜୁଳି କାରଖାନାର ନାଁ ନେଉ ନାହାନ୍ତି । ସରକାର ଏଟାୱାରେ ଭେଦଭାବ କରିଛନ୍ତି। ଏଠାରେ ସମସ୍ତ ବିକାଶମୂଳକ କାର୍ଯ୍ୟ ବନ୍ଦ ହୋଇଯାଇଛି । ଚାଷୀ ସାର ପାଇଁ ଧାଡିରେ ଛିଡା ହୋଇଛି | ସରକାର ଏହାର ଉତ୍ତର ଦେବାକୁ ସକ୍ଷମ ନୁହଁନ୍ତି, ଚାଷୀଙ୍କୁ ସାର ଏବଂ ବିଦ୍ୟୁତ୍ ଶସ୍ତା ଦରକାର କିନ୍ତୁ ସରକାର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ନୁହଁନ୍ତି ବୋଲି କହିଛନ୍ତି ଅଖିଳେଶ ଯାଦବ ।

 

ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ିଲେ ରୋହିତ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ସିରିଜ ପାଇଁ ଡିସେମ୍ବର ୧୭ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ତେବେ ଏହି ଗସ୍ତ ପୂର୍ବରୁ ଭାରତକୁ ଲାଗିଛି ଏକ ବଡ଼ ଝଟକା । ମୁମ୍ବାଇରେ ଅଭ୍ୟାସ କରିବା ସମୟରେ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ରୋହିତ ଶର୍ମା ଆଘାତର ଶିକାର ହୋଇଥିଲେ । ବ୍ୟାଟିଂ କରୁଥିବା ସମୟରେ ରୋହିତଙ୍କ ହାତରେ ଆଘାତ ଲାଗିଛି । ଯାହା ଫଳରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ତିନି ଟିକିଆ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି ରୋହିତ ।

ଏକ ରିପୋର୍ଟ ଅନୁସାରେ ରବିବାର ମୁମ୍ବାଇରେ ଟିମର କିଛି ଖେଳାଳି ଅଭ୍ୟାସ କରୁଥିଲେ । ଏହି ସମୟରେ ନେଟ୍ସରେ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ ଶର୍ମା । ବ୍ୟାଟିଂ କରୁଥିବା ସମୟରେ ଭାରତୀୟ ଦଳର ଥ୍ରୋ-ଡାଉନ ଏକ୍ସପୋର୍ଟ ରଘୁଙ୍କ ଏକ ବଲ ରୋହିତଙ୍କ ହାତରେ ଲାଗିଥିଲା । ଆଘାତ ଫଳରେ କିଛି ସମୟ ବ୍ୟାଟିଂ କରିଥିଲେ ରୋହିତ, କିନ୍ତୁ ପରବର୍ତ୍ତୀ ସମୟରେ ଆଉ ବ୍ୟାଟିଂ କରିବାକୁ ନେଟ୍ସକୁ ଆସିଲେ ନାହିଁ । ହାତରେ ଆଘାତ ଲାଗିବାରୁ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ତିନିଟିକିଆ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ଏନେଇ ବିସିସିଆଇ ଟ୍ୱିଟ କରି ସୂଚନା ଦେଇଛି । ଏହି ଟେଷ୍ଟ ସିରିଜରେ ରୋହିତଙ୍କ ସ୍ଥାନରେ ପ୍ରିୟଙ୍କ ପଞ୍ଛଲଙ୍କୁ ସୁଯୋଗ ମିଳିଛି ।

 

View this post on Instagram

 

A post shared by Rohit Sharma (@rohitsharma45)


ସୂଚନା ଅନୁସାରେ ଆସନ୍ତା ଡିସେମ୍ବର ୨୬ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା ସରିଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ଆଜିଙ୍କେ ରାହାଣେଙ୍କ ସ୍ଥାନରେ ରୋହିତ ଶର୍ମା ଉପ-ଅଧିନାୟକ ଭାବରେ ନିଯୁକ୍ତି ହୋଇଥିଲେ । ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଡିସେମ୍ବର ୧୬ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ସିରିଜରେ ତିନୋଟି ଟେଷ୍ଟ ଓ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ ।

 

 

ଚାରି ମହଲାରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ଦିଲ୍ଲୀ : ଦିଲ୍ଲୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାରି ମହଲା ଛାତରୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏହି ମହିଳା ଜଣକ ଏକ ବିୟର ବାରରେ କାମ କରୁଥିବା ବେଳେ ବାରର ମାଲିକ ମହିଳା ଜଣଙ୍କୁ ଏଠାରେ ଡ୍ୟାନ୍ସ କରିବାକୁ ବାଧ୍ୟ କରୁଥିଲେ । ଏହି କାରଣରୁ ମହିଳା ଜଣକ ବିୟର ବାରର ୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ମୃତ ମହିଳା ଜଣକଙ୍କ ନାଁ ରାକ୍ଷୀ ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ୨୧ ବର୍ଷ ବୟସ ।

ସୂଚନାକ୍ରମେ ବୁଧବିହାରରେ ବାସ କରୁଥିବା ରାକ୍ଷୀ ଏବଂ ତାଙ୍କ ଭଉଣୀ ଉଭୟେ ନର୍ଥ ଏକ୍ସ ମଲର ଏକ ବିୟର ବାରରେ କାମ କରୁଥିଲେ । ବାରର ପାର୍ଟି ଆୟୋଜକ ସହ ରାକ୍ଷୀଙ୍କର ଝଗଡ଼ା ହୋଇଥିବା କଥା ମଧ୍ୟ କୁହାଯାଉଛି । ଅଚାନକ ଗତକାଲି ରାକ୍ଷୀ ବାରର ୪ର୍ଥ ମହଲାରୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ କହିଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ପାଖ ଡାକ୍ତରଖାନାକୁ ନିଆଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାକ୍ଷୀଙ୍କ ଭଉଣୀଙ୍କୁ ଏ ବାବଦରେ ପଚରାଉଚରା କରିଥିବା ବେଳେ ସେଠାରେ ଲାଗିଥିବା ସମସ୍ତ ସିସିଟିଭିକୁ ମଧ୍ୟ ଯାଞ୍ଚ କରିଛି । ବାର ମାଲିକ ରାକ୍ଷୀଙ୍କୁ ବାରରେ ଡ୍ୟାନ୍ସ କରିବାକୁ ବାଧ୍ୟ କରୁଥିଲେ । ଏଥିପାଇଁ ରାକ୍ଷୀ ସବୁବେଳେ ମାନସିକ ଚାପରେ ରହୁଥିଲେ । ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି । ବାରରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ସହ ମାମଲାର ତଦନ୍ତ ଚଳାଇଛି ।

ସଞ୍ଜୟ ରାଉତଙ୍କ ନାଁରେ ମାମଲା ରୁଜୁ; ବିଜେପି ନେତ୍ରୀ ଦିପ୍ତି ଭରଦ୍ୱାଜ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଏକ ବିବାଦରେ ପଡ଼ିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଏକ ଟେଲିଭିଜନ ସାକ୍ଷାତକାରରେ ବିଜେପି ନେତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଫସିଛନ୍ତି ସଞ୍ଜୟ । ଏହି ଘଟଣାରେ ଭାରତୀୟ ଜନତା ପାର୍ଟିର ମହାସଚିବ ଦିପ୍ତି ରାଓ୍ୱତ ଭରଦ୍ୱାଜ ଦିଲ୍ଲୀର ମଣ୍ଡାଓ୍ୱାଲି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ସଞ୍ଜୟ ରାଉତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ଅଭିଯୋଗ ଅନୁସାରେ ଡିସେମ୍ବର ୯ରେ ସଞ୍ଜୟ ରାଉତଙ୍କ ସାକ୍ଷାତକାର ଦୁଇଟି ଟେଲିଭିଜନରେ ପ୍ରସାରିତ ହୋଇଥିଲା । ସେ ଏହି ସାକ୍ଷାତକାରରେ ଭାରତୀୟ ଜନତା ପାର୍ଟିଙ୍କ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଖରାପ ଶବ୍ଦ ବ୍ୟବହାର କରିଥିଲେ । ମହିଳା କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମଧ୍ୟ ଅଶାଳୀନ ମନ୍ତବ୍ୟ ବ୍ୟବହାର କରିଛନ୍ତି ସଞ୍ଜୟ ।  ଏହି ଘଟଣା ଫଳରେ ୯ ଡିସେମ୍ବରରେ ଦିପ୍ତି ଭରଦ୍ୱାଜ ଦିଲ୍ଲୀର ମଣ୍ଡାଓ୍ୱାଲି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଏବେ ପୋଲିସ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ଏହି ମାମଲାରେ ପୋଲିସ ଧାରା ୫୦୦ ଏବଂ ଧାରା ୫୦୯ ଅନୁସାରେ FIR ରୁଜୁ କରିଛି । ସଞ୍ଜୟ ରାଉତଙ୍କ ବିରୋଧରେ ମହିଳା ସମାଜକୁ ଅପମାନିତ ଓ ମହିଳାଙ୍କ ପ୍ରତି ଖରାପ ଶବ୍ଦ ବ୍ୟବହାର କରିବା ଅଭିଯୋଗରେ ମାମଲା ରୁଜୁ କରିଛି । ଦିପ୍ତି ରାଓ୍ୱତ ଭରଦ୍ୱାଜ ଅଭିଯୋଗ କରିବା ସମୟରେ ପୋଲିସକୁ ଟେଲିଭିଜନରେ ପ୍ରସାରିତ ହୋଇଥିବା ଭିଡିଓ କ୍ଲିପ୍ ମଧ୍ୟ ଦେଇଥିଲେ । ଯେଉଁଥିରେ ସେ ଖରାପ ଶବ୍ଦ ବ୍ୟବହାର କରୁଛନ୍ତି ।

ସନ୍ଧ୍ୟା ହେଲେ ଗାଁ ଛାଡ଼ନ୍ତି, ଗଛ ଉପରେ ଆଶ୍ରୟ ନେଉଛନ୍ତି ଲୋକେ

ଢେଙ୍କାନାଳ: ସଦର ରେଞ୍ଜ ଗୋବିନ୍ଦପୁର ଗ୍ରାମରେ ବଢୁଛି ହାତୀ ଭୟ । ରାତି ହେଲେ ଜଙ୍ଗଲରୁ ହାତୀ ପଲ୍ଲ ଗାଁ ମୁହାଁ ହେଉଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ଜମିରେ ପଶି ନଷ୍ଟ କରୁଛନ୍ତି ଫସଲ । ସଂଧ୍ୟାହେଲେ ଭୟରେ ଗାଁର ତାଟିକବାଟ ପଡ଼ି ଯାଉଥିବାବେଳେ ଅନେକ ଘର ଛାଡି ବିଲରେ ଥିବା ଗଛ ଉପରେ ମଞ୍ଚା କରି ରାତି ବିତାଉଛନ୍ତି ।

ରାତି ବଢ଼ିଲେ ବଢୁଛି ଆତଙ୍କ । ଘନ ଅନ୍ଧକାରରେ ଶୁଭୁଛି ହାତୀର ଗର୍ଜନ । ସଂଧ୍ୟା ନଇଁଲେ ଶୂନସାନ୍ ଗାଁ ଦାଣ୍ଡ । ମଞ୍ଚାରେ ବିତୁଛି ଜୀବନ । ଏମିତି ଦୃଶ୍ୟ ଦେଖିବାକୁ ଗୋବିନ୍ଦପୁର ଗ୍ରାମରେ । ଢେଙ୍କାନାଳ ଠାରୁ ୭ କିଲୋମିଟର ଦୂରରେ ଥିବା ଏହି ଗାଁରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ସୂର୍ଯ୍ୟ ବୁଡିବା ପରେ ଗାଁ ମୁହାଁ ହେଉଛନ୍ତି ହାତୀ ପଲ । ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଯାଉଛନ୍ତି । ଏହି ହାତୀଙ୍କ ଉପଦ୍ରବ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ଚାଷୀକୂଳ ।

ବିଲରେ ପଶି ଫସଲ ଖାଇବା ସହ ଏହାକୁ ପାଦରେ ଦଳି ନଷ୍ଟ କରୁଛନ୍ତି ହାତୀପଲ । ଘରୁ ଲୋକଙ୍କୁ ଟାଣି ଆଣି କଚାଡି ମାରୁଛି । ତେଣୁ ଭୟରେ ଲୋକେ ଗଛ ଉପରେ ମଞ୍ଚା ବାନ୍ଧି ରାତି ବିତାଉଛନ୍ତି । କିଛି ଯୁବକ ୟୁଟ୍ୟୁବ ଦେଖି ତିଆରି କରିଥିବା ବିଶାଳ ଶବ୍ଦ କରୁଥିବା ପ୍ଲାଷ୍ଟିକ୍ ଗନରେ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ସେପଟେ ହାତୀ ଉପଦ୍ରବ ଘଟଣାକୁ ସ୍ୱୀକାର କରିଛି ବନ ବିଭାଗ । ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା କରାଯାଉଥିବା ଡିଏଫଓ ସୂଚନା ଦେଇଛନ୍ତି ।

‘ଜଓ୍ୱାଦ’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍: ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ

0

ଭୁବନେଶ୍ୱର: କେତେ କ୍ଷୟକ୍ଷତି କରିଛି ଜଓ୍ୱାଦ? ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲା କେନ୍ଦ୍ରୀୟ ଟିମ୍‌ । କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ, ଏସଆରସି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଦିଲ୍ଲୀ ଫେରିଛି କେନ୍ଦ୍ରୀୟ ଟିମ । ବାତ୍ୟା ଜନିତ ଲଗାଣ ବର୍ଷାରେ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଥିବା କେନ୍ଦ୍ରୀୟ ଟିମ୍‌ ସଦସ୍ୟ ଡକ୍ଟର ମାନସ କୁମାର ସିହ୍ନା କହିଛନ୍ତି । ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଚିନାବାଦାମ ପରି ଅର୍ଥକରୀ ଫସଲ, ପନିପରିବା ବିଲରେ ପଚିଯାଇଛି । ଚାଷୀଙ୍କୁ କିପରି ଉଚିତ୍‌ ସହାୟତା ମିଳିବ, କେନ୍ଦ୍ରୀୟ ଟିମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ ।

ଏହାସହ ଦୁର୍ବିପାକ ସମୟରେ ଫସଲ ନଷ୍ଟ ରୋକିବାକୁ ଦୀର୍ଘ ମିଆଦୀ ପଦକ୍ଷେପ ନେବାକୁ କୁହାଯାଇଛି । ଜମିରୁ ଜଳ ନିଷ୍କାସନ ଯେପରି ସୁବିଧାରେ ହୋଇପାରିବ, ସେଥିଲାଗି କ୍ଷେତ୍ରସ୍ତରରେ ପଦକ୍ଷେପ ନିଆଯିବ। ଆବଶ୍ୟକସ୍ଥଳେ ରିଲିଫ କୋଡ୍‌ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇପାରେ । କେନ୍ଦ୍ରୀୟ ଟିମ କ୍ଷୟକ୍ଷତି ଆକଳନ କରି ସପ୍ତାହକ ମଧ୍ୟରେ ସ୍ୱରାଷ୍ଟ୍ର ବିଭାଗକୁ ରିପୋର୍ଟ ପ୍ରଦାନ କରିବ । ଲଗାଣ ବର୍ଷା ଯୋଗୁଁ ୬ଟି ଜିଲ୍ଲା, ପୁରୀ, ଗଞ୍ଜାମ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଚିତ୍ତ ରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ: କହିଲେ, ଧାର ଟଙ୍କାକୁ ନେଇ ହତ୍ୟାକାଣ୍ଡ

ଅଧିନାୟକ ହେବା ପରେ ପ୍ରଥମ ଥର ମୁହଁ ଖୋଲିଲେ ରୋହିତ, ବିରାଟଙ୍କୁ ନେଇ କହିଲେ ଏମିତି କିଛି…

ନୂଆଦିଲ୍ଲୀ: ଗତ ବୁଧବାର ବିସିସିଆଇ ଏକ ବଡ଼ ନିଷ୍ପତି ନେଇଛି । ଭାରତୀୟ କ୍ରିକେଟ ଦଳର ଦିନିକିଆ ଅଧିନାୟକ ପଦରୁ ବିରାଟ କୋହଲିଙ୍କୁ ବାହାର କରି ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବରେ ନିଯୁକ୍ତି କରିଛି । ଚଳିତ ବର୍ଷ ଦୁବାଇରେ ହୋଇଥିବା ଟି-୨୦ ବିଶ୍ୱକପ ପୂର୍ବରୁ ବିରାଟ କୋହଲି ଘୋଷଣା କରିଥିଲେ କି ସେ ଟି-୨୦ ବିଶ୍ୱକପ ପରେ ଟି-୨୦ରେ ଆଉ ଅଧିନାୟକତ୍ୱ କରିବେ ନାହିଁ। ଟି-୨୦ରୁ ଅଧିନାୟକ ପଦ ଛାଡିବା ପରେ ଏବେ ଦିନିକିଆରୁ ମଧ୍ୟ ଯାଇଛି ବିରାଟଙ୍କ ଅଧିନାୟକ ପଦ । ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତଠାରୁ ଦିନିକିଆରେ ଅଧିନାୟକତ୍ୱ ଭାର ତୁଲାଇବେ ରୋହିତ ଶର୍ମା ।

ରୋହିତ ଶର୍ମା ଅଧିନାୟକ ହେବା ପରେ ପ୍ରଥମ ଥର ପାଇଁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ମୁହଁ ଖୋଲିଛନ୍ତି । ରୋହିତ ଶର୍ମା ବିଶ୍ୱକପ, ରାହୁଲ ଦ୍ରାବିଡ ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ନୂଆ କରି ଅଧିନାୟକ ହୋଇଥିବା ରୋହିତ ବିରାଟଙ୍କୁ ପ୍ରଶଂସା କରିବା ସହ ବ୍ୟାଟ୍ସମ୍ୟାନ ଭାବରେ ଦଳରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କହିଛନ୍ତି । BCCIକୁ ଦେଇଥିବା ସାକ୍ଷାତକାରରେ ରୋହିତ କହିଥିଲେ କି ବିରାଟ ଚତ୍ମକାର ଭାବରେ ୫ ବର୍ଷ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ବିରାଟ ଭାରତୀୟ ଦଳକୁ ଯେଉଁଠାରେ ପହଞ୍ଚାଇଛନ୍ତି ସେଠାରୁ ଆଉ ଦଳ ପଛକୁ ଫେରିବ ନାହିଁ । କୋହଲିଙ୍କ ନେତୃତ୍ୱରେ ଦଳରେ ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା ତାହା ହେଉଛି କିପରି ବିଜୟ ଲାଭ କରାଯିବ ।

ଅଧିନାୟକ ରୋହିତ ଶର୍ମା କହିଛନ୍ତି କି ମୁଁ ବିରାଟ କୋହଲିଙ୍କ ସହ ବହୁତ କ୍ରିକେଟ ଖେଳିଛି । ଆମକୁ ଏକ ଦଳ ଭାବରେ ଆଗକୁ ବଢ଼ିବାକୁ ହେବ ଏବଂ ଉନ୍ନତି ମଧ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି ରୋହିତ ଶର୍ମା । ଟି-୨୦ରେ ଅଧିନାୟକ ପଦ ପାଇବା ପରେ ମଧ୍ୟ ରୋହିତ ଶର୍ମା ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ କି ବିରାଟ କୋହଲି ବିଶ୍ୱର ସବୁଠାରୁ ଭଲ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ । କେବଳ ଜଣେ ଭଲ ବ୍ୟାଟ୍ସମ୍ୟାନ ନୁହଁ ଜଣେ ଭଲ ଲିଡର ମଧ୍ୟ । ବ୍ୟାଟ୍ସମ୍ୟାନ ଭାବରେ ଭାରତୀୟ ଦଳ ପାଇଁ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ରୋହିତ ଶର୍ମା ।

କରିନା କପୁରଙ୍କୁ କରୋନା, ସୁପରସ୍ପେଡର ଆଶଙ୍କା

ମୁମ୍ବାଇ: ସାରା ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ଏବେ କରୋନାରେ ସଂକ୍ରମିତ ହେଲେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଗତ କିଛି ଦିନ ତଳେ ସାଉଥ୍ ଆକ୍ଟର କମଲ ହାସନ୍ କରୋନା ପଜିଟିଭ୍ ହୋଇଥିବା ବେଳେ ଏବେ ବଲିଉଡ ବେବୋ କରିନା କରୋନା ପଜିଟିଭ୍ । କରୋନାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ତାଙ୍କ ବ୍ୟତୀତ ଅଭିନେତ୍ରୀ ଅମୃତା ଅରୋରା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି

ଦୁଇ ଦିନ ତଳେ କରିନା ଭଉଣୀ କରିସ୍ମା କପୁରଙ୍କ ସହ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ ଫିଲ୍ମକଭି ଖୁସି କଭି ଗମ୍‌’ ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ଆୟୋଜନ କରାଯାଇଥିଲା କରିନା ଏବଂ କରିସ୍ମାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଆରଟିପିସି ପରୀକ୍ଷା କରିବା ପାଇଁ ବିଏମସି ଆଦେଶ ଦେଇଛି । କରିନା କରୋନା ପଜିଟିଭ୍ ହୋଇଥିବା ନେଇ ଏଏନଆଇ ସୂଚନା ଦେଇଛି ।

କରିନା କପୁର ଏବଂ ଅମୃତା ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବା ସମସ୍ତେ ଜାଣନ୍ତି । ନିକଟରେ ଉଭୟେ କରଣ ଜୋହରଙ୍କ ଏହି ପାର୍ଟିର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ବେଳେ ଉଭୟେ ଆୟୋଜିତ ପାର୍ଟିରେ କରୋନା ନିୟମ ଉଲଙ୍ଘନ କରିଥିବା କଥା ସୂଚନା ମିଳିଛି । କେବଳ ଏତିକି ନୁହେଁ ଉଭୟ ସୁପରସ୍ପେଡର ହେବାର ଆଶଙ୍କା ରହିଥିବା କୁହାଯାଉଛି ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

0

ଭୁବନେଶ୍ୱର: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ । ହାଇକୋର୍ଟ ଏହି ସ୍ଥଗିତାଦେଶ ଜାରି କରିଛନ୍ତି । ଆସନ୍ତାକାଲି ଏହି ପୁରସ୍କାର ପ୍ରଦାନ କରାଯିବାର ଥିଲା । ପୁରସ୍କାର ଚୟନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ପୁରସ୍କାର ପ୍ରଦାନ ପାଇଁ ପୁନର୍ବିଚାର ଓ ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୨୭ଟି ଯାକ ବର୍ଗରେ ପୁରସ୍କାର ଚୟନର ପୁନର୍ବିଚାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ପୁରସ୍କାର ଚୟନ ଉପରେ ଅସନ୍ତୋଷ ପ୍ରକାଶ କରି ଛବିରାଣୀ ଫିଲ୍ମର ନିର୍ଦ୍ଦେଶକ ବବି ଇସଲାମ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଆସନ୍ତା ଜାନୁଆରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଚଳିତ ବର୍ଷ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାରକୁ ନେଇ କଳାକାର ସଂଘ ଓ ନିର୍ଦ୍ଦେଶକ, ପ୍ରଯୋଜକମାନଙ୍କ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଚଳଚ୍ଚିତ୍ର ‘ଛବିରାଣୀ’ଟିମ୍‌ କଟକ ଠାରେ ପୁରସ୍କାରକୁ ନେଇ ବର୍ଷିଥିଲାବେଳେ ପୁଣି ଭୁବନେଶ୍ୱର ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପୁରସ୍କାର ମନୋନୟନରେ ଜୁରୀମାନେ ପାତରଅନ୍ତର ଓ ପକ୍ଷପାତିତା କରିଥିବା ଅଭିଯୋଗ କରିଥିଲେ ।

ସିଧାସଳଖ ଜଣେ ଜୁରୀଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିଥିଲେ । ଚଳଚ୍ଚିତ୍ର ନିର୍ମାଣରେ ତାଙ୍କ ୟୁନିଟ୍‌ର ସହାୟତା ନନେବାରୁ ସେ ରାଗ ରଖି ଏଭଳି କରିଛନ୍ତି ବୋଲି କହିଥିଲେ । ତେଣୁ ଏହାର ଏକ ନିରପେକ୍ଷ ତଦନ୍ତ ହେବା ଦରକାର । ପୂରା ପ୍ରକିୟାକୁ ବାତିଲ କରାଯାଇ ଆଉଥରେ ପୁରସ୍କାର ଚୟନ କରାଯାଉ ବୋଲି ଅଭିଯୋଗ ହୋଇଥିଲା ।

ଚିତ୍ତ ରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ: କହିଲେ, ଧାର ଟଙ୍କାକୁ ନେଇ ହତ୍ୟାକାଣ୍ଡ

ପୁରୀ: ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ତା’ର ବନ୍ଧୁ ଜଗାକୁ ଦାୟୀ କରାଯାଇଛି  । ୫ ମାସ ତଳେ ଚିତ୍ତଙ୍କ ବାହାଘର ହୋଇଥିଲା । ପରିବାରର ଅଭିଯୋଗ ଅନୁଯାୟୀ, ଚିତ୍ତଙ୍କଠାରୁ ଜଗା କିଛି ଅର୍ଥ ଧାର୍‌ ନେଇଥିଲା । ଧାର୍‌ ଅର୍ଥ ଫେରାଇବା ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳରୁ ଚିତ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି  । ଗତ ଶନିବାର ଚିତ୍ତ ତାଙ୍କ ଘରୁ ଆଉ ଜଣେ ବନ୍ଧୁ ଦିଲ୍ଲୀପ ଜରିଆରେ ପ୍ୟାଣ୍ଟସାର୍ଟ ମଗାଇଥିଲେ । ସେମାନେ ଜଗା ଘରକୁ ଭୋଜି ପାଇଁ ଯାଇଥିଲେ । ଭୋଜିରେ ଚିତ୍ତଙ୍କୁ ଅତ୍ୟଧିକ ମଦ ପିଆଇ ଦିଆଯାଇଥିଲା । ପରେ ଧାର ଅର୍ଥକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଚିତ୍ତଙ୍କୁ ଜଗା ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ପରିବାର ଲେକ ଅଭିଯୋଗ କରିଛନ୍ତି  । ଚିତ୍ତଙ୍କ ମୃତ୍ୟୁ ନେଇ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଚି ହୋଇଛି । ପରିବାର ପକ୍ଷରୁ ଚିତ୍ତଙ୍କ  ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ  ପୁରୀ ଏସପିଙ୍କ ପାଖରେ ଦାବି କରାଯାଇଛି ।

ଅନ୍ୟପକ୍ଷରେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା । ଚିତ୍ତରଞ୍ଜନଙ୍କ ଅକାଳ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ହୋଇଥିବା କହିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତଦନ୍ତ ହେଲେ ସତ୍ୟ ଉନ୍ମୋଚିତ ହେବ ବୋଲି କହିଛନ୍ତି ଶ୍ରୀ ଦାସବର୍ମା ।

ସୂଚନା ଯୋଗ୍ୟ, ସଦର ଥାନା ଗଡ଼ ମୃଗଶିରା ବ୍ରିଜ୍‌ ନିକଟ ନୂଆ ନଈପଠାରୁ ବ୍ରହ୍ମଗିରି ସାନ ବନ୍ଧକେରା ଗାଁର ୨୮ବର୍ଷୀୟ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ପୁରୀ ସଦର ଥାନାରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ । ଚିତ୍ତରଞ୍ଜନ ଗତକାଲି ତାଙ୍କର କିଛି ବନ୍ଧୁଙ୍କ ସହ ଭୋଜି କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଗଡ଼ ମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ପଡ଼ିଥିବା ବେଳେ ତାଙ୍କ ଜୋତା ଓ ମୋବାଇଲ ଇତ୍ୟାଦି ପୋଲିସ ଜଵତ କରିଛି । ପାରିପାର୍ଶ୍ୱିକ ସ୍ଥିତି ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତ କିଛି ମାସ ତଳେ ବିବାହ କରିଥିଲେ ଚିତ୍ତରଂଜନ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିବ ।

ଏଥିସହିତ ପଢ଼ନ୍ତୁ: ୪ ଦିନ ହେଲା ସୁମିତଙ୍କୁ ଖୋଜି ଖୋଜି ତପସ୍ୱିନୀ ନୟାନ୍ତ