spot_img
Home Blog Page 4797

ରାଜ୍ୟରେ କମିଲା ତାପମାତ୍ରା ବଢ଼ିଲା ଶୀତ: ୧୫ରୁ ଆହୁରି କମିବ

ଭୁବନେଶ୍ୱର: ରାଜ୍ୟରେ କମିଲା ତାପମାତ୍ରା ବଢ଼ିଲା ଶୀତ । ଘନ କୁହୁଡ଼ି ସାଙ୍ଗକୁ ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ଦରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବାବେଳେ ପ୍ରାୟ ସବୁ ଜିଲ୍ଲାରେ ତାପମାତ୍ରା କମିଛି । ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ପାରା ହ୍ରାସ ହୋଇଛି । କୁହୁଡ଼ି ଦୃଶ୍ୟମାନ କ୍ଷମତା ମଧ୍ୟ ହ୍ରାସ ଘଟିଛି  । ଫଳରେ ଯାତାୟାତ ପ୍ରଭାବିତ ହେଉଛି  । କୋହଲା ସାଙ୍ଗକୁ ପାଗ ଶୁଖିଲା ରହୁଥିବାରୁ ବାୟୁମଣ୍ଡଳରୁ ଜଳୀୟବାଷ୍ପ ପରିମାଣ କମୁଛି  । ଫଳରେ ଓଡ଼ିଶା ମଧ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ ମାଡ଼ି ଆସୁଛି  । ଆସନ୍ତା ୧୫ରୁ ଉପାନ୍ତରୁ ଉପକୂଳ ସବୁଠି ଆହୁରି କମିବ ତାପମାତ୍ରା । ବିଶେଷ କରି ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପାମାତ୍ରା କମିବ  ।

ସୋମବାର ରାଜ୍ୟର ୮ଟି ସହରରେ ପାରଦ ୧୫ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ହୋଇଛି । ବଲାଙ୍ଗୀରରେ ୧୨.୮ଂ, ଫୁଲବାଣୀରେ ୧୩ଂ, ଟିଟିଲାଗଡ଼ରେ ୧୩.୩ଂ, କୋରାପୁଟରେ ୧୪ଂ, ଝାରସୁଗୁଡ଼ାରେ ୧୪.୪ଂ, କେନ୍ଦୁଝରରେ ୧୪.୮ଂ ଓ ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୧୪.୮ଂ ସେଲସିୟସ୍‌ ରହିଛି । ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭ଂ ରହିଛି । ଆସନ୍ତା ୧୫ତାରିଖରୁ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ତାପମାତ୍ରା କମିବ । ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ କମିପାରେ ।

ମଙ୍ଗଳବାର ସକାଳୁ ଆଭ୍ୟନ୍ତରୀଣ ଉତ୍ତର ଓଡିଶାରେ ତାପମାତ୍ରା କମିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଓ କେନ୍ଦ୍ରୀୟ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୪ରୁ ଶୀତ ବଢ଼ିବ । ଏବେ ରାଜ୍ୟରେ ଆକାଶ ନିର୍ମଳ ହେବା ସହ ପାଗ ଖରାଟିଆ ରହିବ । ସେହିଭଳି ରାତିବେଳା ଅଧିକ କାକର ପଡ଼ିବ । କୁହୁଡ଼ି ସମ୍ଭାବନା କମ୍‌ । ଉତ୍ତରା ପବନ ବହିପାରେ ।

ଏଥିସହିତ ପଢ଼ନ୍ତୁ: ଆନ୍ଧ୍ରରେ ଆତଙ୍କ ଓଡ଼ିଶାରେ ସତର୍କତା: ଡିସେମ୍ୱର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ

ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ କଏଦୀ ଫେରାର

ବାଲିଗୁଡ଼ା: କନ୍ଧମାଳ ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ କଏଦୀ ଫେରାର । ଫେରାର କଏଦୀ ହେଲେ ବ୍ରାହ୍ମଣୀଗାଁ ଅଞ୍ଚଳର ଟୁକୁନା ମଳି । ଏକ ହତ୍ୟା ମାମଲାରେ ଗତ ଦେଢବର୍ଷ ହେଲା ,ସେ ଜେଲରେ ଥିଲା । ତେବେ ଘଟଣା ନେଇ କାରାଗାର ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ବେଳେ, ବାଲିଗୁଡ଼ା ଥାନାରେ ଏତଲା ହୋଇଛି । କଏଦୀ କାରାଗାରରୁ ଫେରାର ହେବା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନବାଚୀ ।

ଏଥିସହିତ ପଢ଼ନ୍ତୁ: ଟ୍ରାଫିକ୍ ପୋଷ୍ଟରେ ଅଟକାଇବାରୁ ହୋମଗାର୍ଡଙ୍କୁ ଛୁରାମାଡ଼

ଟ୍ରାଫିକ୍ ପୋଷ୍ଟରେ ଅଟକାଇବାରୁ ହୋମଗାର୍ଡଙ୍କୁ ଛୁରାମାଡ଼

ରାୟଗଡା: ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରରେ ମହିଳା ହୋମଗାର୍ଡଙ୍କୁ ଛୁରାମାଡ଼ । ଆହତ ହୋମଗାର୍ଡ ହେଲେ ରୀନା ବିଡ଼ିକା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଜେକେପୁର ଗୋପବନ୍ଧୁ ଛକରେ ରୀନା କାର୍ଯ୍ୟରତ ଥିବା ବେଳେ, ଟ୍ରାଫିକ ନିୟମ ଉଲଂଘନ କରୁଥିବା ଜଣେ ଯୁବକଙ୍କୁ ଅଟକାଇଥିଲେ । ଏହି ସମୟରେ ଯୁବକ ଜଣକ ରୀନାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିଲା । ସେପଟେ ଫେରାର ଯୁବକଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କୀ ହାମଲା; ୨ ଯବାନ ସହିଦ, ୧୪ ଯବାନ ଆହତ

 

୭ହଜାର ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି: ୧୬ ତାରିଖରେ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ପଦବୀ ଅଶାୟୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ୧୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ମଧ୍ୟରେ ୭ ହଜାର ହାଇସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ୧୬ ତାରିଖରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ଏହା ବାଦ୍‌ ସପ୍ତାହକ ମଧ୍ୟରେ ଆଉ ୪ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ୫-ଟି ଉପକ୍ରମରେ ସ୍କୁଲ ଭିତ୍ତିଭୂମି ରୁପାନ୍ତର ସହ ଶିକ୍ଷକ ନିଯୁକ୍ତି ଉପରେ ବି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଶିକ୍ଷାକ୍ଷେତ୍ରରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ କରିବା ଲାଗି ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଶିକ୍ଷାବିତ୍ ଓ ଶିକ୍ଷକ ସଂଘ ସ୍ୱାଗତ କରିଛନ୍ତି ।

ଯାହା କେବେ ହୋଇନଥିଲା, ତାହା ଏବେ ହେଲା । ଏକାଥରେ ନିଯୁକ୍ତି ପାଇଲେ ୭ ହଜାର ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ । ଆସନ୍ତା ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଏହି ନବନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାଥରେ ୧୧ ହଜାର ୪ ଶହ ଶିକ୍ଷକ ନିଯୁକ୍ତି ଯୋଜନା ଥିଲା । କିନ୍ତୁ ସଂରକ୍ଷିତ ବର୍ଗରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ବଳକା ୪ହଜାର ୪ଶହ ପଦବୀ ସପ୍ତାହକ ମଧ୍ୟରେ ପୂରଣ ହେବ । ଏବର୍ଷ ୧୬ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଭାଗ ଲକ୍ଷ୍ୟ ରଖିଛି । 5-T ଉପକ୍ରମରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ, ଡିଜିଟାଲ ଟେକ୍ନୋଲୋଜିରେ ପାଠପଢ଼ା ବ୍ୟବସ୍ଥା କରାଯାଉଛି । ଏହା ସହ ଶିକ୍ଷକ ପଦବି ପୂରଣ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଏବେ ସୁଦ୍ଧା ରାଜ୍ୟର ୧୦୭୫ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ୩୩୭୫ ହାଇସ୍କୁଲ ଓ ବାକି ସମସ୍ତ ହାଇସ୍କୁଲ ଆସନ୍ତା ଶିକ୍ଷାବର୍ଷରେ ରୂପାନ୍ତର ପାଇଁ ଯୋଜନା ରହିଛି । ଉନ୍ନତ ଭିତ୍ତିଭୂମି ସହ ଉନ୍ନତ ମାନର ଶିକ୍ଷାଦାନ ପାଇଁ ନୂଆ ଶିକ୍ଷକ ନିଯୁକ୍ତି କରାଯାଉଛି । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଦେଶରେ ସର୍ବୋତ୍କୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କାମ କରୁଛି ବିଭାଗ । ଏହି ପ୍ରୟାସକୁ ଶିକ୍ଷାବିତ୍ ଓ ରାଜ୍ୟର ବୃହତ୍ତମ ଶିକ୍ଷକ ସଂଘ ଓଷ୍ଟା ସ୍ୱାଗତ କରିଛି ।

ସ୍କୁଲ ରୂପାନ୍ତର ପରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖିବାକୁ ମିଳୁଛି । ଖାଲିଥିବା ଶିକ୍ଷକ ପଦବୀ ପୂରଣ ପରେ ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବଢିବା ସହ ନୂଆସ୍ତରକୁ ଯାଉଛି ସରକାରୀ ଶିକ୍ଷା ବ୍ୟବସ୍ଥା ।

ଆନ୍ଧ୍ରରେ ଆତଙ୍କ ଓଡ଼ିଶାରେ ସତର୍କତା: ଡିସେମ୍ୱର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଅମାନିଆ ଓମିକ୍ରନ୍ । ବିଦେଶରେ କାୟା ବିସ୍ତାର ପରେ ଦେଶରେ ବଢ଼ାଇଛି ଚିନ୍ତା । ପଡ଼ୋଶୀ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ଆଲର୍ଟରେ ଓଡ଼ିଶା। ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଜାଗ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଆଶ୍ୱସ୍ତିର କଥା, ଏଯାଏଁ ଓଡିଶାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ସେପଟେ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବା ପାଇଁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ ।

ଆନ୍ଧ୍ରରେ ଓମିକ୍ରନ୍‌ ଆତଙ୍କ, ଓଡ଼ିଶା ସତର୍କ । ସୀମା ଉପରେ ରହିବ କଡା ନଜର । ଫୋକସ୍‌ରେ ଟେଷ୍ଟିଂ, ଟ୍ରାକିଂ । ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ। ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ଗୁଜରାଟ, ଦିଲ୍ଲୀ, ଚଣ୍ଡୀଗଡ ପରେ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛି ଓମିକ୍ରନ । ପଡୋଶୀ ରାଜ୍ୟରେ ଓମିକ୍ରନ ଚିହ୍ନଟ ପରେ, ସୀମାବର୍ତ୍ତି ଜିଲ୍ଲାଗୁଡିକୁ ଆଲର୍ଟ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ ବିଦେଶ ଫେରନ୍ତାଙ୍କର ବିମାନବନ୍ଦରରେ ଟେଷ୍ଟିଂ କରାଯାଉଛି । କ୍ଲଷ୍ଟରରୁ ପଜିଟିଭ ହେଉଥିବା କିମ୍ବା ବିଦେଶ ଫେରନ୍ତା ସଂକ୍ରମିତଙ୍କର ଜେନମ ସିକ୍ବେନ୍‌ସିଂ କରାଯାଉଛି । ତେବେ ଆଶ୍ୱସ୍ତିର କଥା, ଏଯାଏଁ ଓଡିଶାରେ କେହି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।

ସେପଟେ ଓମିକ୍ରନ ବିରୋଧରେ ଟିକା କାମ ଦେଉଥିବାରୁ, ସମସ୍ତଙ୍କୁ ଟିକାକରଣରେ ସାମିଲ ହେବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ଏଯାଏଁ ରାଜ୍ୟରେ ୧୩ପ୍ରତିଶତ ବା ୪୧ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଇନାହାଁନ୍ତି । ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ୫୪ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଛନ୍ତି । ଡିସେମ୍ବର ୩୧ ସୁଦ୍ଧା ଘରେ ଘରେ ଟିକାକରଣ ପ୍ରକ୍ରିୟା ଜାରି ରହିବ ।

ମୟୁରଭଞ୍ଜ, କନ୍ଧମାଳ ଓ କଟକ ଜିଲ୍ଲାରେ ପ୍ରଥମ ଡୋଜ୍ ଟିକା ନେଉଥିବା ଲୋକଙ୍କ ସଂଖ୍ୟା ସବୁଠାରୁ କମ୍ । ଏସବୁ ଜିଲ୍ଲାମାନଙ୍କରେ ଟିକାକରଣ ଜୋରଦାର କରିବା ପାଇଁ ଅଣ୍ଟାଭିଡିଛି ସ୍ୱାସ୍ଥ୍ୟ ବିଭାଗ ।

କଂଗ୍ରେସର ଘରସଜଡ଼ା ଚିନ୍ତା: ତୃଣମୂଳସ୍ତରରୁ ଦଳକୁ ସୁଦୃଢ଼ କରିବାକୁ ବିଧାୟକଙ୍କ ଚିଠି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଲା ଘରସଜଡ଼ା ଚିନ୍ତା । ତୃଣମୂଳସ୍ତରରୁ ପିସିସି ଯାଏ ଦଳକୁ ସୁଦୃଢ କରିବା ପାଇଁ ହାଇକମାଣ୍ଡଙ୍କୁ ଚିଠି ଲେଖି ଦାବି ରଖିଛନ୍ତି କଂଗ୍ରେସ ବିଧାୟକ ଦଳ । ଏଥିରୁ ଜଳଜଳ ଦିଶୁଛି ଦଳୀୟ କନ୍ଦଳର ପୁରୁଣା ରୋଗ । ରାଜ୍ୟ କଂଗ୍ରେସରେ ଅଲ୍‌ ଇଜ୍ ନଟ୍ ଓ୍ୱେଲ୍ । ହାଇକମାଣ୍ଡ ସମୟ ଦେଲେ ଅଭିଯୋଗ ଶୁଣାଇବେ ବିଧାୟକ । ଏହାକୁ ନେଇ ହାତ ଶିବିରରେ ସୃଷ୍ଟି ହୋଇଛି କମ୍ପନ ।

କୁହୁଳୁଛି କଂଗ୍ରେସ ନିଆଁ । ପିସିସି ବିରୋଧରେ ଏକାଠି ବିଧାୟକ । ହାଇକମାଣ୍ଡଙ୍କ ଡାକରାକୁ ଅପେକ୍ଷା । ତାରା-ସୁର କହିଲେ ସଜଡ଼ାଯିବ ସଂଗଠନ । କଂଗ୍ରେସ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ୧୪୦ ବର୍ଷର ଦଳ ରାଜ୍ୟରେ ଦୁର୍ବଳ ହେବାରେ ଲାଗିଛି । ଦକ୍ଷିଣରୁ ପଶ୍ଚିମ, ଉତ୍ତରରୁ ଉପକୂଳ ହାତ ଛାଡୁଛନ୍ତି ଦଳର ହେଭିଓ୍ୱେଟ୍ । ଏଥିସହ ଦଳରେ ଗୋଷ୍ଠୀ ବିବାଦର ପୁରୁଣା ରୋଗ ବି ଉଗ୍ର ହୋଇଛି। ଏହା ବିରୋଧରେ ସ୍ୱର ଉଠାଇଛନ୍ତି ବିଧାୟକ ଦଳ । ରାଜ୍ୟରେ କଂଗ୍ରେସର ନେତୃତ୍ୱ ନେଉଥିବା ମଙ୍ଗୁଆଳ ଠିକ ବାଟରେ ଦଳକୁ ନେଉନଥିବା ବିଧାୟକଙ୍କ ଚିଠିରୁ ସ୍ପଷ୍ଟ ସଙ୍କେତ ଦେଇଛି । ତେବେ ପିସିସି ସଭାପତିଙ୍କୁ ହଟାଇବାକୁ ନୁହେଁ, ବରଂ ଦଳକୁ ସଂଗଠିତ କରିବା ପାଇଁ ହାଇକମାଣ୍ଡଙ୍କୁ ଚିଠି ଲେଖାଯାଇଛି । ଖୁବଶୀଘ୍ର ବିଧାୟକ ଦଳ ଦିଲ୍ଲୀ ଯାଇ ଆଲୋଚନା କରିବେ।

ଅନେକ ଦିନ ହେଲା କଂଗ୍ରେସରେ ଗୋଷ୍ଠୀ ବିବାଦ ଲାଗିରହିଛି । ପିସିସି ସଭାପତିଙ୍କୁ ହଟାଇବା ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏ ମେଳି ହେଉଛି । ପିସିସି ସଭାପତି ମଧ୍ୟ ଦୁଇଥର ଇସ୍ତଫା ଦେଇଥିବା କଥା କହିଛନ୍ତି । ତେବେ ତୃଣମୂଳସ୍ତରରୁ ପିସିସି ଯାଏ ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ହାଇକମାଣ୍ଡଙ୍କ ସହ ପୁଣି ଆଲୋଚନା କରିବେ ବିଧାୟକ ।

ଦରଦାମ୍‌ ବୃଦ୍ଧିଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଘେରୁଛି କଂଗ୍ରେସ । ରାହୁଲ ଗାନ୍ଧୀ ବିଜେପିକୁ ସିଧାସଳଖ ଟାର୍ଗେଟ କରୁଛନ୍ତି । ହେଲେ ରାଜ୍ୟରେ ବିଜେପି ସହ ଭିତିରିଆ ସମ୍ପର୍କ ରଖି କଂଗ୍ରେସ କାମ କରୁଥିବା ଅଭିଯୋଗକୁ ନେଇ ଦଳରେ ଗୋଷ୍ଠୀ ବିବାଦ ଉଗ୍ର ରୂପ ନେଇଛି ବୋଲି ଚର୍ଚ୍ଚା ହେଉଛି ।

ଭୁଲିଲା କେନ୍ଦ୍ର, ଲଢିବ ଓଡ଼ିଶା: ପାଇକ ବିଦ୍ରୋହ ପାଇଁ ଆନ୍ଦୋଳନ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଖୋର୍ଦ୍ଧା: ଅଧିକାର ପାଇଁ ଜାରି ରହିବ ଆନ୍ଦୋଳନ । ପରିଚୟ ପାଇଁ ପାଇକ ମାଟିରୁ ବଜ୍ରଶପଥ । ପାଇକ ସଂଗ୍ରାମକୁ ମାନ୍ୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ବୀର ମାଟିରୁ ଆନ୍ଦୋଳନ ଜାରି ରଖିବାକୁ ଦେଇଛନ୍ତି ଆହ୍ୱାନ । ନିଜେ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପରେ ଏହାକୁ ଟାଳି ଦେଇ ଓଡ଼ିଆ ଅସ୍ମିତା ପ୍ରତି କେନ୍ଦ୍ର ସରକାର କୁଠାରାଘାତ କରିଛନ୍ତି । ଯାହା ରାଜ୍ୟବାସୀଙ୍କୁ ଦୁଃଖ ଦେଇଛି ବୋଲି କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏପରି ଆହ୍ୱାନ କୋଟି କୋଟି ଓଡ଼ିଆଙ୍କୁ କେନ୍ଦ୍ର ଅବିଚାର ବିରୋଧରେ ଲଢିବାକୁ ଦେଇଛି ପ୍ରେରଣା ।

ପାଇକଙ୍କୁ ଭୁଲିଲା କେନ୍ଦ୍ର, ଲଢିବ ଓଡ଼ିଶା । ନବୀନଙ୍କ ଯୁଦ୍ଧଂଦେହୀ ଡାକରା । ଓଡ଼ିଶାର ଅଧିକାର ପାଇଁ ତୀବ୍ର ହେବ ଆନ୍ଦୋଳନ । ଖୋର୍ଦ୍ଧାରେ ବିଏସ୍‌କେଓ୍ୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଆରମ୍ଭରୁ ପାଇକ ଆନ୍ଦୋଳନର ମହାସଂଗ୍ରାମକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମାଟିକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାଟି କହି ପ୍ରଣିପାତ କରିଥିଲେ ନବୀନ । ବୀର ପାଇକଙ୍କୁ ବି ମନେ ପକାଇ ପ୍ରଣାମ ଜଣାଇଥିଲେ । କେନ୍ଦ୍ର ସରକାର ପାଇକ ଆନ୍ଦୋଳନକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କହି ଠକିଛନ୍ତି । ଓଡ଼ିଶାବାସୀଙ୍କ ପ୍ରତି ଏହା ଅବିଚାର । ରାଜ୍ୟର ହକ୍ ପାଇଁ ଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି ନବୀନ ।

୨୦୧୭ରେ ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୂରିଥିଲା । ସେବେଠାରୁ ଏହାକୁ ପ୍ରଥମ ସ୍ୱାଧୀନତା ଆନ୍ଦୋଳନର ମାନ୍ୟତା ଦେବା କଥା ଉଠିଥିଲା । ଖୋଦ୍ ତତ୍କାଳୀନ ବରିଷ୍ଠ ବିଜେପି ନେତା ତଥା ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହାକୁ ସମର୍ଥନ ଦେଇଥିଲେ । ରାଷ୍ଟ୍ରପତି ବରୁଣେଇ ଆସି ପାଇକ ସ୍ମାରକୀ ସ୍ତମ୍ଭର ଶୁଭ ଦେଇଥିଲେ । ଏ ନେଇ ଓଡ଼ିଶା ସରକାର ଜମି ବି ପ୍ରଦାନ କରିଛନ୍ତି । ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଇତିହାସ ପୁସ୍ତକରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ଭାବେ ସିଲାବସ କରିବାର ଘୋଷଣା ମଧ୍ୟ କରିଥିଲେ । ହେଲେ କିଛି ଦିନ ତଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପାଇକ ଆନ୍ଦୋଳନକୁ ମାନ୍ୟତା ଦେବାକୁ ମନା କରିଛନ୍ତି । ଯାହା ବିରୋଧରେ ସାରା ରାଜ୍ୟରେ ନିଆଁ ଲାଗିଛି । ବିଧାନସଭାରୁ ବରୁଣେଇ ଯାଏ ଚାଲିଛି କେନ୍ଦ୍ର ବିରୋଧୀ ଆନ୍ଦୋଳନ ।

ଯେବେ ଯେବେ ଓଡ଼ିଆ ଅସ୍ମିତାର କଥା ଉଠିଛି, ଆଗରେ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକ ଆନ୍ଦୋଳନ ଯେ ପ୍ରଥମ ସ୍ୱାଧୀନତା ସଂଗ୍ରାମ, ଏହା ଇତିହାସର ସତ୍ୟତା । ଯାହାକୁ ଜାଣିଶୁଣି କେନ୍ଦ୍ର ରାଜନୈତିକ ମୁଦ୍ଦା କରୁଥିବା ନେଇ ଚର୍ଚ୍ଚା ହେଉଛି । ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଇପାରିବ ନାହିଁ ବୋଲି କହିଛନ୍ତି । ସାଂସଦ ପ୍ରଶାନ୍ତ ପଚାରିଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ପାଇକ ବିଦ୍ରୋହକୁ ସମ୍ପର୍କରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟ୍ରୋରିକାଲ ରିସର୍ଚ୍ଚ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା । ସେମାନଙ୍କ ରିପୋର୍ଟ ଆଧାରରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଇପାରିବ ନାହିଁ ବୋଲି ସଂସଦରେ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ।

‘ମିଶନ ଶକ୍ତି-ଲିଭିଂ ଲ୍ୟାବ୍’ ପ୍ରକଳ୍ପର ଶୁଭାରମ୍ଭ: ଆର୍ଥିକ ସଶକ୍ତି କରଣ ସହ ଲିଙ୍ଗଗତ ସମାନତାକୁ ଦୃଢ଼ୀଭୂତ କରିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ୟୁନାଇଟେଡ ନେସନ୍ସ କ୍ୟାପିଟାଲ୍ ଡେଭଲପମେଣ୍ଟ ଫଣ୍ଡ (ୟୁଏନ୍‌ସିଡିଏଫ୍) ଜାତିସଂଘ ପୁଞ୍ଜିବିକାଶ ପାଣ୍ଠି ମଧ୍ୟରେ ଆଜି ଅପରାହ୍ଣରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବା ସହ ‘ମିଶନ ଶକ୍ତି-ଲିଭିଂ ଲ୍ୟାବ୍’ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ଏବଂ ଲିଙ୍ଗଗତ ସମାନତାକୁ ଦୃଢ଼ୀଭୂତ କରିବା ଦିଗରେ ଓଡ଼ିଶା ରାଜ୍ୟ ସରକାର ଏବଂ ୟୁଏନ୍‌ସିଡିଏଫ୍‌ର ଏହା ଏକ ସମ୍ମିଳିତ ପ୍ରୟାସ । ସୂଚନା ଯୋଗ୍ୟ ଯେ, ରାଜ୍ୟର ସହର ଏବଂ ଗ୍ରାମାଞ୍ଚଳଗୁଡ଼ିକରେ ମିଶନ ଶକ୍ତି ଅଧୀନ ୬.୦୨ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛନ୍ତି ।

ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିବା ଅବସରରେ ମିଶନ ଶକ୍ତିର କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ୍ କହିଛନ୍ତି ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଏକାନ୍ତ ଆବଶ୍ୟକ ଏବଂ ଏହି ଚୁକ୍ତିନାମା ଫଳରେ ମହିଳାମାନେ ନୂତନ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ଓ ସେମାନେ ଅଧିକ ଉପାର୍ଜନକ୍ଷମ ହୋଇପାରିବେ ବୋଲି ଆମେ ଆଶାବାଦୀ । ମହିଳାମାନଙ୍କ ସହଭାଗିତା ସମୟୋଚିତ ଏବଂ ଅତି ମହତ୍ତ୍ୱପୂର୍ଣ୍ଣ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୟୁଏନସିଡିଏଫ୍‌ର ଇନ୍‌କ୍ଳୁସିଭ୍ ଡିଜିଟାଲ ଇକୋନୋମି ପ୍ରାକ୍ଟିସେସ୍‌ର ନିର୍ଦ୍ଦେଶକ ହେନେରୀ ଡୋମେଲ କହିଥିଲେ, ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ମହିଳାମାନଙ୍କ ଆର୍ଥିକ ନିରାପତ୍ତା ଏବଂ ଆର୍ଥିକ ସ୍ୱାଧୀନତା ବୃଦ୍ଧି ପାଇଁ ନୂତନ ଜ୍ଞାନକୌଶଳ ଏବଂ ଭିତ୍ତିଭୂମିର ବ୍ୟବହାରରେ ଏହା ସହାୟକ ହେବ ।

ମହିଳାମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଗଲେ ହିଁ ମହିଳାମାନଙ୍କ ଉପରେ କୋଭିଡ-୧୯ର ସାମାଜିକ ଏବଂ ଆର୍ଥିକ ପ୍ରଭାବକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ । ନିଜର ଆର୍ଥିକ କେନ୍ଦ୍ର ଜରିଆରେ ୟୁଏନ୍‌ସିଡିଏଫ୍ ମିଶନ ଶକ୍ତି ସହ ଯୋଡ଼ି ହେବାରେ ଗର୍ବ ଅନୁଭବ କରୁଛି । ଏହି ସହଭାଗିତା ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଂସ୍ଥାଗୁଡ଼ିକ ଆର୍ଥିକ କ୍ଷମତାକୁ ଦୃଢ଼ୀଭୂତ କରିବ । ‘ମିଶନ ଶକ୍ତି ଲିଭିଂ ଲ୍ୟାବ୍’ ଅଭିନବ ଡିଜିଟାଲ ମାଧ୍ୟମଗୁଡ଼ିକକୁ ସମ୍ପ୍ରସାରିତ କରିବା ସହ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପାଇଁ ଏକ ନିରନ୍ତର ବଜାର ସୃଷ୍ଟି କରିବାରେ ସହାୟକ ହେବ ।

ଆର୍ତିକ ନିରାପତ୍ତା ହାସଲ ଦିଗରେ ମହିଳାମାନଙ୍କ ନିମନ୍ତେ ଥିବା ପ୍ରତିବନ୍ଧକକୁ ଦୂରୀଭୂତ କରିବା, ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ଡିଜିଟାଲ ଜ୍ଞାନକୌଶଳ ପ୍ରୟୋଗରେ ଇ-ବ୍ୟବସାୟ କାରବାରକୁ ଆହୁରି ବ୍ୟାପକ କରିବା ଦିଗରେ ଏହି ସହଭାଗିତା ଯଥେଷ୍ଟ ସହାୟକ ହେବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଡିଜିଟାଲ ଆର୍ଥିକ ସେବା ପ୍ରଦାନ ଏବଂ ସେମାନଙ୍କ ଉନ୍ନତ ଆର୍ଥିକ ଅବସ୍ଥା ସୃଷ୍ଟି କରିବା ଦିଗରେ ଯଥେଷ୍ଟ ଫଳପ୍ରଦ ହେବ । ମହିଳାମାନଙ୍କ ପରିଚାଳିତ ପ୍ରାୟ ୧୦ହଜାର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ନିଜ ସାମର୍ଥ୍ୟ ଅନୁସାରେ ବଜାର ସୁଯୋଗ, ବ୍ୟବସାୟ ସମ୍ପ୍ରସାରଣ ନିମନ୍ତେ ପୁଞ୍ଜି ପାଇବା ଏବଂ ଅଧିକ ବଜାର ସଂଯୋଗୀକରଣ ସୁବିଧା ପାଇପାରିବ । ଏହା ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କ ଆର୍ଥିକ ପୁଞ୍ଜିକୁ ଉଚିତ୍ ମାର୍ଗରେ ସଞ୍ଚୟ କରିବା ସହ ସୁବିନିଯୋଗ କରି ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ଼ କରିପାରିବ ।

ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କୀ ହାମଲା; ୨ ଯବାନ ସହିଦ, ୧୪ ଯବାନ ଆହତ

କାଶ୍ମୀର: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ପୁଣି ଆତଙ୍କୀ ହାମଲା । ଶ୍ରୀନଗର ନିକଟସ୍ଥ ଜେଓ୍ବାନସ୍ଥିତ ପୋଲିସ କ୍ୟାମ୍ପ ନିକଟରେ ଏକ ବସ୍ ଉପରକୁ ହାମଲା କରିଛନ୍ତି ଆତଙ୍କବାଦୀ । ଯବାନମାନେ ଏକ ବସରେ ଯାଉଥିବାବେଳେ ପାନ୍ଥ ଛକରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଆକ୍ରମଣରେ ୨ ଜଣ ସହିଦ ହୋଇଥିବାବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାମଲା ପରେ ସ୍ଥାନୀୟ ଅଞ୍ଚଳରେ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସର୍ଚ୍ଚ ଅପରସେନ ଜୋରଦାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

ସବୁଠାରୁ ବଡ଼ କଥା ହେଉଛି ଯବାନ ଯାଉଥିବା ବସଟି ବୁଲେଟ ପ୍ରୁଫ ନଥିଲା ଓ ପୋଲିସମାନଙ୍କ ପାଖରେ ରାଇଫଲ ବଦଳରେ ଥିଲା ଲାଠି ଓ ସିଲଡ୍ । ସେମାନେ ଡ୍ୟୁଟି ସାରି ବାରାକକୁ ଫେରୁଥିଲେ । ସାଧାରଣତଃ ଏପରି ବସ୍ ସହିତ ଏକ ସଶସ୍ତ୍ର ପୋଲିସ ଗାଡ଼ି ଯାଇଥାଏ । କିନ୍ତୁ ଆଜି ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଯାହା ଫଳରେ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି ।

 

ବିଶ୍ୱରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ

ବିଟ୍ରେନ : ସୁପର ମ୍ୟୁଟାଣ୍ଟ ଓମିକ୍ରନରେ ବ୍ରିଟେନରେ ପ୍ରଥମ ମୃତ୍ୟୁ । ଓମିକ୍ରନ ଷ୍ଟ୍ରେନରେ ପ୍ରଥମ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଓମିକ୍ରନ ମାମଲା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗୁଛି । କରୋନାର ନୂଆ ଭାରିଆଣ୍ଟକୁ ନେଇ ବ୍ରିଟେନରେ ବୁଷ୍ଟର ଡୋଜ୍ ପ୍ରୋଗ୍ରାମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ମୃତ୍ୟୁ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇ ଦେଇଛି ।

ସର୍ବାଧିକ ଥର ମ୍ୟୁଟେସନ ହୋଇଥିବା ଏହି ଷ୍ଟ୍ରେନରେ ପ୍ରଥମ ମୃତ୍ୟୁ ହେବା ପରେ ସମସ୍ତେ ଏହାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବୋରିସ୍ । ଓମିକ୍ରନ ଆକ୍ରାନ୍ତଙ୍କ କ୍ଷେତ୍ରରେ ଅତ୍ୟଧିକ ଲକ୍ଷଣ ଦେଖାଯାଉ ନଥିବାରୁ ଏହାକୁ କମ୍ ମାରାତ୍ମକ ବୋଲି ଭାବିବା ଠିକ୍ ନୁହେଁ । ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତି ବୁଷ୍ଟର ଡୋଜ୍ ନେବା ସହ କରୋନା କଟକଣା ପାଳନ କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେପଟେ ବ୍ରିଟେନରେ ନୂଆ ଭାରିଆଣ୍ଟ ଅତି ଭୟଙ୍କର ସ୍ଥିତି ଆଣିପାରେ ବୋଲି ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଆଗାମୀ କିଛି ମାସ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ହସ୍ପିଟାଲରେ ଭର୍ତ୍ତି ହେବା ଆକ୍ରାନ୍ତଙ୍କ ସଂଖ୍ୟା ବି ବୃଦ୍ଧି ପାଇବ ବୋଲି ନିକଟରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡ଼ିଛି । ସ୍ଥିତି ବିଗିଡ଼ିବା ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆସନ୍ତା ଏପ୍ରିଲ ସୁଦ୍ଧା ଓମିକ୍ରନ ଭାରିଆଣ୍ଟ ମୃତକଙ୍କ ସଂଖ୍ୟା ୨୫ରୁ ୭୫ହଜାର ଛୁଇଁପାରେ ବୋଲି କହିଛି ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡିସିନ । ଅନ୍ୟଦେଶ ତୁଳନାରେ ବ୍ରିଟେନରେ ଓମିକ୍ରନ ଭରିଆଣ୍ଟ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି ।  ପ୍ରତିଦିନ ୬ଶହରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି