spot_img
Home Blog Page 481

ଜମୁଛି କଟକ ଐତିହାସିକ ବାଲିଯାତ୍ରା, ଆଜି ତୃତୀୟ ଦିନରେ ଖଚାଖଚ ଭିଡ଼

କଟକ : ମନ ଟାଣୁଛି କଟକ ବାଲିଯାତ୍ରା । ମହାନଦୀ ତଟରେ ପଡ଼ିଛି ରାଜ୍ଯର ସର୍ବବୃହତ୍ତ ମୁକ୍ତାକାଶ ବ୍ଯବସାୟ । ସଂଧ୍ଯା ନଇଁଲେ ଜମୁଛି ଖଚାଖଚ ଭିଡ଼ । ଘର କରଣା ସାମଗ୍ରୀ ଠାରୁ ଆରମ୍ଭକରି ବିଭିନ୍ନ ସାମଗ୍ରୀ ଗୋଟିଏ ସ୍ଥାନରେ ମିଳୁଥିବାରୁ ଲୋକେ ଏହାକୁ ହାତଛଡ଼ା କରୁ ନାହାନ୍ତି । ଚଟପଟି ଖାଦ୍ଯ ସାଙ୍ଗକୁ ଦେଶ ବିଦେଶର ସାମଗ୍ରୀ ଏଠାରେ ଉପଲବ୍ଧ ହେଉଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଖୋଲିଛି ଦହିବରା ହାଟ । କଟର ପ୍ରଶିଦ୍ଧ ରଘୁ, ବାବୁଲା, ପ୍ରତାପ, ତ୍ରିନାଥଙ୍କ ଭଳି ବଛା ବଛା ବ୍ୟବସାୟଙ୍କୁ ଗୋଟିଏ ସ୍ଥାନରେ ଦେଖି ଗ୍ରାହକ ବି ଖୁସ୍ । ତେବେ ପ୍ରତିବର୍ଷ ଉପର ପଡ଼ିଆରେ ତାଙ୍କୁ ସୁଯୋଗ ମିଳୁଥିବାବେଳେ ଏଥର ପ୍ରଶାସନ କଟକଣା ଯୋଗୁଁ ଟିକିଏ ଅଶନ୍ତୋଷ ପ୍ରକାଶ କରିଛନ୍ତି ବ୍ଯବସାୟୀ ।
ମନକୁ ଟିକିଏ ହାଲୁକା କରିବା ଓ ଯାତ୍ରାରେ ବୁଲିବା ମଜା ଲୁଟିବାକୁ ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଲୋକେ । କିଏ ଦୋଳିରେ ବୁଲି ମଜା ନେଉଛି ତ କିଏ ପରିବାର ସହ ମିଶି ଚଟପଟି ଖାଦ୍ଯର ମଜା ଲୁଟୁଛନ୍ତି । ଏହାରି ଭିତରେ ଦୁଇପଇସା ରୋଜଗାର ପାଇଁ ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଭିକାରୀ । ଦିବ୍ଯାଙ୍ଗ ଭିକାରୀମାନେ ଭିଡ଼ ଭିତରେ ଲୋକଙ୍କ ହାତକୁ ଅନାଇ ବସିଛନ୍ତି । ଲୋକେ ବି ବୁଲାବୁଲି ସାରି ତାଙ୍କ ହାତରେ କିଛି ପଇସା ଧରାଇ ଦେଉଛନ୍ତି । ତେବେ ଯାତ୍ରାରେ ଅଧିକ ଭିଡ଼ ଥିବାରୁ ସେମାନଙ୍କ ସୁରକ୍ଷା ନେଇ ସୃଷ୍ଟି ହୋଇଛି ପ୍ରଶ୍ନ  ।କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆସନ୍ତା ୧୨ ଯାଏଁ ଚାଲିବ । ଏଥର ଯାତ୍ରାରେ ଅଧିକ ବ୍ଯବସାୟ ପାଇଁ ଆଶା ରଖିଛି ଓରମାସ ।

ଦୁଇଦିନ ଧରି OSSC ଅଫିସ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଆଶାୟୀ

ଭୁବନେଶ୍ବର : ଦ୍ବିତୀୟ ଦିନ ଆନ୍ଦୋଳନ । ରାସ୍ତାରେ ଶୋଇ ପ୍ରତିବାଦ ଜଣାଇଲେ LTR ସଂସ୍କୃତ ଶିକ୍ଷକ ଆଶାୟୀ । ପିଲାଙ୍କ ଗର୍ଜନରେ କମ୍ପୁଛି OSSC ଅଫିସ । ମେରିଟ ଲିଷ୍ଟ ପାଇଁ ପରୀକ୍ଷାର୍ଥୀଙ୍କ ରଣ ହୁଙ୍କାର । ଦୁଇଦିନ ଧରି ଚାଲିଛି ଅହୋରାତ୍ର ଧାରଣା । ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ଅଫିସ ସମ୍ମୁଖରେ ଗର୍ଜିଛନ୍ତି ପରୀକ୍ଷାର୍ଥୀ । ରାସ୍ତା ଉପରେ ଶୋଇ ଦେଇଛନ୍ତି ଧାରଣା । LTR ସଂସ୍କୃତ ପରୀକ୍ଷାର ମେରିଟ ଲିଷ୍ଟ ବାହାରିବା ପରେ ଧାରଣାରୁ ଓହରିବାକୁ ଚେତାବନୀ ଦେଇଛନ୍ତି । ପ୍ରଥମ ଦିନରେ ରାସ୍ତାରେ ଆଣ୍ଠେଇ କାନ ମୋଡି ଚାପୁଡ଼ା ଖାଇଥିଲେ । ଦ୍ବିତୀୟ ଦିନରେ ବି ରାସ୍ତାରେ ଶୋଇ ପତିବାଦ କରିଛନ୍ତି । ମେ ମାସ ୧୭ ତାରିଖରେ ୭୨୯ ସଂସ୍କୃତ ପୋଷ୍ଟ ପାଇଁ ହୋଇଥିଲା ପରୀକ୍ଷା । ଅକ୍ଟୋବର ୨୨ରେ ହୋଇଥିଲା ଡକ୍ୟୁମେଣ୍ଟ ଭେରିଫିକେସନ । ସପ୍ତାହ ଭିତରେ PCM, CBZ, PET, URDU, TELUGUର ମେରିଟ ଲିଷ୍ଟ ବାହାରି ନଭେମ୍ବର ୧୫ରେ ମିଳିଥାନ୍ତା ନିଯୁକ୍ତି । ହେଲେ ଏଯାଏଁ ବାହାରିଲାନି ଫାଇନାଲ ମେରିଟ୍ ଲିଷ୍ଟ । ଆସନ୍ତା ୧୫ରେ ଅନ୍ୟ ବିଷୟର ନିଯୁକ୍ତିପତ୍ର ବଣ୍ଟନ ନେଇ ଗଣଶିକ୍ଷା ବିଭାଗ ନୋଟିସ ଜାରି କରିବା ପରେ ଧାରଣାରେ ଶହଶହ ପରୀକ୍ଷାର୍ଥୀ ।
ଧାରଣା ସହ OSSC ଅଫିସ ଗେଟ ବନ୍ଦ କରି ନାରାବାଜି କରିଛନ୍ତି ଆଶାୟୀ । ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ରାସ୍ତାରେ ଯାତାୟତ ବନ୍ଦ କରାଯାଇଥିବା ବେଳେ ଜଗି ରହିଛନ୍ତି ପୋଲିସ । ଆନ୍ଦୋଳନକାରୀଙ୍କୁ ପୋଲିସ ବୁଝାଇ ବା ପରେ OSSC ଅଧିକାରୀଙ୍କ ସହ ଦୁଇଥର ଆଲୋଚନା ବି ଫେଲ ମାରିଛି । ତେଣୁ ମେରିଟ ଲିଷ୍ଟ ବାହାରିଲେ ଧାରଣାରୁ ହଟିବେ ବୋଲି ଚେତାବନୀ ଦେଇଛନ୍ତି ପରୀକ୍ଷାର୍ଥୀ ।

ଜାରିଙ୍ଗ ଗାଁରେ ଜମୁଛି ରାସଯାତ୍ରା ଓ ବାଲିଯାତ୍ରା

ବରଗଡ : ଢୋଲ ନିଶାନରେ କମ୍ପୁଛି ପରିବେଶ । ସନ୍ଧ୍ୟାରେ ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଜଳନ୍ଧର ଦରବାର ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ଼ । ବରଗଡ ଜିଲ୍ଲା ବିଜେପୁର ଥାନା ଜାରିଙ୍ଗ ଗାଁରେ ଜମୁଛି ଐତିହାସିକ ରାସଯାତ୍ରା ଓ ବାଲିଯାତ୍ରା । ରାଞ୍ଜ ନଦୀ କୂଳରେ କାର୍ତ୍ତିକ ମାସ ଶୁକ୍ଲପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମାର୍ଗଶିର ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ପର୍ଯ୍ୟନ୍ତ ଚାଲିବ । ଯାତ୍ରାରେ ବାବା ବାଲୁଙ୍କେଶ୍ଵରଙ୍କ ଦର୍ଶନ କରିବା ସହ ମୀନାବଜାର ଓ ଚଟପଟା ଖାଦ୍ୟର ମଜା ନେଉଛନ୍ତି ହଜାର ହଜାର ଲୋକେ ।

ଜାରିଙ୍ଗ ଗାଁରେ ଅଢେଇ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଛି ରାସଯାତ୍ରା ଓ ବାଲିଯାତ୍ରା । କୁହାଯାଏ ଏହି ଗାଁର ପୂର୍ବଜ ମାନେ ସେ ସମୟରେ ଅନ୍ୟ ଏକ ଗାଁକୁ ପ୍ରସିଦ୍ଧ ଲୋକକଳା “ ସଂଚାର କଳା “ ଦେଖିବାକୁ ଯାଉଥିଲେ । ଦିନେ କିଛି ଗ୍ରାମବାସୀ ଅନ୍ୟ ଗାଁକୁ ସଂଚାର କଳା ଦେଖିବାକୁ ଯାଇଥିବା ବେଳେ ବାଘ ହାବୁଡରେ ପଡିଯାଇଥିଲେ । ବହୁ କଷ୍ଟରେ ଜୀବନ ବଞ୍ଚାଇ ଘରକୁ ଫେରିଥିଲେ । ସେହି ଦିନର ଘଟଣା ଗ୍ରାମର ଐତିହ୍ୟର ଅଂଶ ହୋଇ ରହିଗଲା । ସେହିଦିନ ମନ୍ଦିରରେ ଗ୍ରାମବାସୀ ଶପଥ ନେଇଥିଲେ ଜାରିଙ୍ଗ ଗାଁରେ ନିଜେ କଳା ପ୍ରଦର୍ଶନ କରିବେ ଓ ଯାତ୍ରା କରାଯିବ । ସେବେଠାରୁ ପାଳନ ହୋଇ ଆସୁଛି ବାଲିଯାତ୍ରା ।  ଜାରିଙ୍ଗ ଗାଁର ଏହି ବାଲିଯାତ୍ରା କେବଳ ଏକ ଯାତ୍ରା ନୁହେଁ , ଏହା ଗ୍ରାମର ଆସ୍ଥା, ସଂସ୍କୃତିର ପ୍ରତୀକ ।

ବାପା ମାଆ ଚାଲିଯିବା ପରେ ବେସାହାରା ଦୁଇ ଛୁଆ

ଆନନ୍ଦପୁର : ବାପା ମାଆ ଚାଲିଗଲା ପରେ ବେସାହାରା ଦୁଇ ଛୁଆ । ପର ଘରେ ମୂଲ ଲାଗି ନାତି ନାତୁଣୀଙ୍କ ମୁହଁରେ ଦାନା ଗଣ୍ଡେ ଦେଉଛନ୍ତି ଜେଜେ ମାଆ । ମୂଲ ଲାଗିବାକୁ ତାଙ୍କୁ ବୟସ ଆଉ ସାଥ ଦେଉନି । ହେଲେ ଦୁଇ ନିଷ୍ପାପ ପିଲାଙ୍କ ମୁହଁକୁ ଦେଖି ଖଟିଚାଲିଛନ୍ତି ସେ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ପୌରପରିଷଦ ୧୨ ନମ୍ବର ୱାର୍ଡ ଶାଳପଡା ଗାଁର ସାଉଁନ୍ତି ସାହିରେ । ଦିନ ଥିଲା ୨ ପୁଅ ଝିଅ ପତ୍ନୀ ଓ ମାଙ୍କୁ ନେଇ ହସଖୁସିରେ ଚାଲିଥିଲା ପ୍ରଦୀପ ନାୟକଙ୍କ ପରିବାର । ହଠାତ କାହାର ନଜର ଲାଗିଗଲା ପରିବାର ଉପରେ । ପ୍ରଦୀପଙ୍କ ପତ୍ନୀ କାହା ସାଙ୍ଗରେ ଅନ୍ୟତ୍ର ଚାଲିଗଲେ । ତାର କିଛି ବର୍ଷ ପରେ ଗାଁ ପୋଖରୀରେ ବୁଡି ପ୍ରଦୀପଙ୍କ ପ୍ରାଣ ଚାଲିଗଲା। ଏବେ ଚାଳ ଛପର ଘରେ ଜରିପାଲ ତଳେ ଦୁର୍ବିସହ ଜୀବନ ବିତାଉଛନ୍ତି ୨ ଭାଇ, ଭଉଣୀ ।

ରାହୁଲ ଏବେ ଅଷ୍ଟମରେ ଆଉ ତାଙ୍କ ଭଉଣୀ ଲକ୍ଷ୍ମୀ ଚତୁର୍ଥ ଶ୍ରେଣୀରେ ଗାଁ ସ୍କୁଲରେ ପାଠ ପଢୁଛନ୍ତି । ନାହିଁ ନାହିଁ ପରିସ୍ଥିତିରେ ପିଲା ଦୁଇଟିଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଜେଜେ ମା । ଅନ୍ୟପଟେ ତଦନ୍ତ ପରେ ସାହାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ । ଅନାଥ ଭାଇ ଭଉଣୀଙ୍କ ଭବିଷ୍ୟତ ନିମନ୍ତେ ସରକାର ଶୀଘ୍ର ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

ଖତଖାଉଛି କୋଟିକୋଟି ଟଙ୍କାରେ ନିର୍ମିତ ଶିକ୍ଷାନୁଷ୍ଠାନ କମ୍ପ୍ଲେକ୍ସ

ଗୁଣୁପୁର : ଖତଖାଉଛି ଶିକ୍ଷାନୁଷ୍ଠାନ କମ୍ପ୍ଲେକ୍ସ । ଉଦଘାଟନର ଦୀର୍ଘ ବର୍ଷ ପରେ ବି ହୋଇପାରୁନି କାର୍ଯ୍ୟକ୍ଷମ । ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଉଛି କୋଟିକୋଟି ଟଙ୍କାର ଭିତ୍ତିଭୂମି । ଜଙ୍ଗଲ ପାଲଟିଗଲାଣି ବିଲ୍ଡିଂ ପରିସର । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଲାଞ୍ଜିଆସୌରା ଅଞ୍ଚଳ ଆବାଡାରେ ଆଦିବାସୀ ପିଲାଙ୍କ ରହିବା ପଢିବା ସହ କର୍ମଚାରୀଙ୍କ ରହଣି ପାଇଁ ନିର୍ମାଣ ହୋଇଥିଲା ଏହି ଏଜୁକେସନ କମ୍ପ୍ଲେକ୍ସ । ୫ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ ହୋଇଥିଲା । ୨୦୧୯ ଜୁଲାଇ ୮ ତାରିଖରେ କୋଠାଟିକୁ ଉଦଘାଟନ ମଧ୍ୟ କରାଯାଇଥିଲା । ହେଲେ ଆଜି ଯାଏଁ କୋଠାଟି କାର୍ଯ୍ୟକ୍ଷମ ହୋଇପାରିନି ।

ଶିକ୍ଷାନୁଷ୍ଠାନ କୋଠାଟି ଖୋଲା ମେଲା ହୋଇ ପଡିଥିବାରୁ କୋଠରୀ ମାନଙ୍କରୁ ବିଦ୍ୟୁତ ସରଞ୍ଜାମ ଓ ସୋଲାର ବ୍ୟାଟେରୀ ମଧ୍ୟ ଚୋରି ହୋଇଗଲାଣି । ସ୍କୁଲ କୋଠା ଭିତରକୁ ଲତା ବୁଦା ମାଡିଗଲାଣି । ପକ୍ଷୀ ମାନଙ୍କ ଆଶ୍ରୟ ସ୍ଥଳ ପାଲଟିଗଲାଣି । ଖାଲି ଏତିକି ନୁହେଁ ସ୍କୁଲ ପରିସରରେ କିଛି ଲୋକ କପା ଚାଷ ବି କଲେଣି । ଏନେଇ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେଣି ହେଲେ ଫଳ ଶୂନ । ଏପଟେ ଖୁବଶୀଘ୍ର ବିଲ୍ଡିଂଟିକୁ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ଭୂତକୋଠି ପାଲଟିଥିବା ଏହି କୋଠାର ଭବିଷ୍ୟତ କେବେ ଖୋଲିବ ? କେବେ ବିଦ୍ୟାର୍ଥୀ ସେଠାରେ ପାଠ ପଢିବେ ? ତାହା ଦେଖିବାକୁ ବାକି ରହିଲା ।

୫୦୦ ଦିନର ସରକାର ଲୋକଙ୍କୁ କେବଳ ଧୋକ୍କା ଦେଇଛି : ନବୀନ

ନୂଆପଡ଼ା  : ନୂଆପଡା ପରକୋଡ଼ରେ ଆୟୋଜିତ ସାଧାରଣ ସଭାରୁ ଶାସକ ଦଳକୁ ନବୀନଙ୍କ କଡ଼ା ସମାଲୋଚନା । କହିଲେ ମିଛ ପ୍ରତିଶ୍ରୁତିର ଏ ସରକାର। ୫ଶହ ଦିନର ସରକାରରେ କେବଳ ମିଳିଛି ପ୍ରତାରଣା ଓ ମିଛ ପ୍ରତିଶ୍ରୁତି। ସରକାର ଦେଇଥିବା ପ୍ରତିଶ୍ରୁତ ପୂରଣ କରିନାହାନ୍ତି। କୁଆଡ଼େ ଗଲା ସରକାରଙ୍କ ପ୍ରତିଶ୍ରୁତି ବୋଲି ପଚାରିଛନ୍ତି ନବୀନ। ଏବେ ରାଜ୍ୟରେ ବିକାଶ ପୂରା ବନ୍ଦ ହୋଇଯାଇଛି। ମିଛ ପ୍ରଚାରରେ ବିକାଶ ହୁଏ ନାହିଁ। ଖାଲି ରଙ୍ଗ ମାରିଲେ ବିକାଶ ହୁଏ ନାହିଁ। ୫୦୦ ଦିନରେ ଏ ସରକାର ଆପଣଙ୍କ ପାଇଁ କଣ କରିଛନ୍ତି ବୋଲି ପଚାରିଛନ୍ତି ନବୀନ। ୩୦୦ ୟୁନିଟ ମାଗଣା ବିଜୁଳି ମିଳିଛି କି ବୋଲି ପଚାରିଲେ ନବୀନ। କେବେ ମିଳିବ ସମସ୍ତଙ୍କୁ ୩ ହଜାର ୫୦୦ ଟଙ୍କା ପେନସନ ? ଯୁବକଙ୍କୁ ଚାକିରି ଓ ମିଶନ ଶକ୍ତି ମାଙ୍କୁ ଋଣ ମିଳିଲା କି ? କଟନି ଛଟନି ବନ୍ଦ ହେଲା କି ? ମିଳିଛି ତେ କେବଳ ଧୋକା ଧୋକା ଆଉ ଡବଲ ଧୋକା। ବିଏସକେଓ୍ବାଇରେ ସମସ୍ତଙ୍କୁ ସୁବିଧା ମିଳୁଥିଲା କିନ୍ତୁ ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି। ସରକାର ଭୋଟ ଚୋରି କରିକି ସରକାର କରିପାରିବେ, ପ୍ରାର୍ଥୀ ବି ଚୋରି କରିପାରିବେ କିନ୍ତୁ ଭୋଟ ପାଇବେ ନାହିଁ। ଆପଣ ଓ ମୋ ସହ ବିଜେପି କେମିତି ବେଇମାନି କରିଛି ଆପଣ ଜାଣିଛନ୍ତି। ଏଥିପାଇଁ ବିଜୁ ମହିଳା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରାଯାଇଛି। ୧୧ ତାରିଖରେ ଭୋଟରେ ଆପଣ ଏହାର ଜବାବ ଦେବେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ।

ଜିହାଦୀ ଯୁଦ୍ଧରେ ପାକିସ୍ତାନ ବିରୁଦ୍ଧରେ TTPକୁ ବାଂଲାଦେଶୀ ଯୁବକଙ୍କ ଖୋଲାଖୋଲି ସମର୍ଥନ?

ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶୀ ଯୁବକମାନେ ପାକିସ୍ତାନ ବିରୁଦ୍ଧରେ ତେହେରିକ୍-ଏ-ତାଲିବାନର ଜିହାଦୀ ଯୁଦ୍ଧରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି । ପାକିସ୍ତାନୀ ସେନାର ଏକ ଅପରେସନରେ ପ୍ରକାଶ ପାଇଛି। ପାକିସ୍ତାନୀ ସେନା ଗତ ବର୍ଷ ମଧ୍ୟରେ ଟିଟିପିରେ ସାମିଲ ଥିବା ଆଠ ଜଣ ବାଂଲାଦେଶୀଙ୍କୁ ହତ୍ୟା କରିଛି। ସମସ୍ତେ ଅପରେସନରେ ନିହତ ହୋଇଥିଲେ।

ସ୍ଥାନୀୟ ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୁରୁବାର ଖାଇବର ପ୍ରଦେଶରେ ଟିଟିପି ଏବଂ ପାକିସ୍ତାନ ସେନା ମଧ୍ୟରେ ଏକ ଅପରେସନ ହୋଇଥିଲା। ଏହି ଅପରେସନରେ ଦୁଇ ବାଂଲାଦେଶୀ ଯୁବକ, ରତନ ଧଳ (୨୯) ଏବଂ ଫୈସଲ ହୁସେନ (୨୨)ଙ୍କ ମୃତ୍ୟୁ ହୋଇଥିଲା। ପୋଲିସ କହିଛି ଯେ ଉଭୟ ବ୍ୟକ୍ତି ୨୦୨୪ ମସିହାରେ ଟିଟିପିରେ ଯୋଗ ଦେଇଥିଲେ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପ୍ରାୟ ୩୦ ବର୍ଷରୁ କମ୍ ବୟସର ୧୦୦ ଜଣ ବାଂଲାଦେଶୀ ଯୁବକ TTP ପକ୍ଷରୁ ପାକିସ୍ତାନ ବିରୁଦ୍ଧରେ ଲଢ଼ୁଛନ୍ତି। ଏହି ଯୁବକମାନଙ୍କୁ ପ୍ରଥମେ ଚାକିରି ବାହାନାରେ ପାକିସ୍ତାନକୁ ନିଆଯାଇଥିଲା ଏବଂ ପରେ ସେମାନେ TTPରେ ଯୋଗ ଦେଇଥିଲେ। ସମ୍ପ୍ରତି, ବାଂଲାଦେଶ ସରକାର କହିଛନ୍ତି ଯେ ସେମାନେ ଏହି ଯୁବକମାନଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଢାକା ଭଳି ପ୍ରମୁଖ ସହରରେ ଅନେକ ଇସଲାମିକ ଏଜେଣ୍ଟ ସକ୍ରିୟ ଅଛନ୍ତି ଯାହା ଦ୍ୱାରା ବାଂଲାଦେଶୀ ଯୁବକମାନଙ୍କୁ ତେହେରିକ-ଏ-ତାଲିବାନରେ ନିଯୁକ୍ତି ଦିଆଯାଇପାରିବ। ଏହି ଯୁବକମାନଙ୍କୁ ପାକିସ୍ତାନରେ ଟିଟିପିରେ ଯୋଗଦେବା ପାଇଁ ପଠାଯିବା ପୂର୍ବରୁ ଢାକାରେ ତାଲିମ ଦିଆଯାଏ।

ଜାତିସଂଘ ସୁରକ୍ଷା ପରିଷଦର ଏକ ରିପୋର୍ଟରେ କୁହାଯାଇଛି ଯେ ତେହେରିକ-ଏ-ତାଲିବାନ ବିଶ୍ୱର ତୃତୀୟ ସବୁଠାରୁ ବିପଦପୂର୍ଣ୍ଣ ଆତଙ୍କବାଦୀ ସଂଗଠନ। ଟିଟିପିରେ ବର୍ତ୍ତମାନ ୮୦୦୦ ପ୍ରଶିକ୍ଷିତ ଯୋଦ୍ଧା ଅଛନ୍ତି। ଟିଟିପିର ନେତା ହେଉଛନ୍ତି ନୁର ମେହସୁଦ ୱାଲି, ଯିଏ ଆଫଗାନିସ୍ତାନରେ ଅଛନ୍ତି। ଟିଟିପିର ଲକ୍ଷ୍ୟ ହେଉଛି ପାକିସ୍ତାନକୁ ଏକ ମୌଳବାଦୀ ଇସଲାମିକ ରାଷ୍ଟ୍ରରେ ପରିଣତ କରିବା।

ରାସ୍ତା ମଝିରେ ସାପ-ନେଉଳ ଲଢେଇ, ଯାତାୟତ ଠପ୍…

ନନ୍ଦିଘୋଷ ବ୍ୟୁରୋ : ରାସ୍ତା ମଝିରେ ସାପ-ନେଉଳ ଲଢେଇ । ଅଟକି ରହିଲା ଶହ ଶହ ଗାଡି ମଟର । ଉତ୍ତର ପ୍ରଦେଶର ସହାରନପୁର-ମୁଜାଫରନଗର ରାଜ୍ୟ ରାଜପଥ ସଂଲଗ୍ନ ସର୍ଭିସ ରୋଡରେ ଆତଙ୍କ ଖେଳିଗଲା । ସାପକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ରାଜପଥର ଉଭୟ ପାର୍ଶ୍ୱରେ କିଛି ସମୟ ପାଇଁ ଯାତାୟାତ ବନ୍ଦ ହୋଇଗଲା।

କିଛି ସମୟ ପରେ ହଠାତ୍ ଏକ ନେଉଳ ସେଠାରେ ପହଞ୍ଚିଲା। ସାପଟିକୁ ଦେଖି ସେ ତା’ ଉପରେ ଆକ୍ରମଣ କଲା। କିଛି ମୁହୂର୍ତ୍ତ ପାଇଁ ଏକ ଭୟଙ୍କର ସଂଘର୍ଷ ଚାଲିଲା, କିନ୍ତୁ ଏଥର ନେଉଳଟି ପଛକୁ ହଟିଗଲା ଏବଂ ନିକଟସ୍ଥ ଏକ ନାଳ ଆଡକୁ ପଳାଇଗଲା। କିଛି ସମୟ ପରେ, ସାପଟି ମଧ୍ୟ ନେଉଳ ପରି ସମାନ ଦିଗରେ ଚାଲିଗଲା।

ରାସ୍ତାରେ ସାପ ଏବଂ ନେଉଳ ଲଢ଼େଇ ଦେଖିବା ପାଇଁ ଲୋକଙ୍କ ଏକ ଧାଡ଼ି ଲାଗିଥିଲା। ଅନେକ ପଥଚାରୀ ସେମାନଙ୍କ ମୋବାଇଲ୍ ଫୋନ୍ ବାହାର କରି ଭିଡିଓ ଉଠାଇବା ଆରମ୍ଭ କରିଥିଲେ। ଲୋକମାନେ ସାପ-ମାଙ୍ଗୁସ୍ ଲଢ଼େଇ ଦେଖୁଥିବା ବେଳେ ଉଭୟ ପାର୍ଶ୍ୱରେ ଯାତାୟାତ ପ୍ରାୟ ୧୦ରୁ ୧୫ ମିନିଟ୍ ପାଇଁ ବନ୍ଦ ହୋଇଯାଇଥିଲା। ଯେତେବେଳେ ସାପ ଏବଂ ନେଉଳ ଉଭୟ ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲେ । ସେତେବେଳେ ଯାତାୟାତ ସ୍ୱାଭାବିକ ହୋଇଥିଲା।

ମାଆ ହେଲେ କ୍ୟାଟ୍ରିନା କୈଫ

ନନ୍ଦିଘୋଷ ବ୍ୟୁରୋ : ବଲିଉଡର ପାୱାର କପଲ୍ ଭିକି କୌଶଳ ଓ କ୍ୟାଟ୍ରିନା କୈଫ୍ ପିତାମାତା ହୋଇଛନ୍ତି । ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଦମ୍ପତି ନିଜେ ଏହି ସୂଚନା ସମସ୍ତଙ୍କୁ ଦେଇଛନ୍ତି। ଏହି ଖବର ମିଳିବା ପରେ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି।

ଭିକି ଏବଂ କ୍ୟାଟ୍ରିନା ସେମାନଙ୍କ ପୁଅକୁ ଦୁନିଆରେ ସ୍ୱାଗତ କରି ଏକ ମିଳିତ ପୋଷ୍ଟ ସେୟାର କରିଛନ୍ତି। ଦମ୍ପତିଙ୍କ ପୋଷ୍ଟରେ ଲେଖାଯାଇଛି, ଆମର ଖୁସି ଆସିଗଲା। ଆମେ ଅତ୍ୟନ୍ତ ଆନନ୍ଦ ଏବଂ ଉତ୍ସାହର ସହିତ ଆମ ପୁଅକୁ ସ୍ୱାଗତ କରୁଛୁ।

ଭିକି ଏବଂ କ୍ୟାଟ୍ରିନାଙ୍କ ପୋଷ୍ଟ ଅନୁଯାୟୀ, ଅଭିନେତ୍ରୀ ଆଜି, ନଭେମ୍ବର ୭ ତାରିଖରେ ମା’ ହୋଇଛନ୍ତି। ଆଜି ସେମାନଙ୍କ ପୁଅ ଜନ୍ମ ହୋଇଛି। କୌଣସି ପୂର୍ବ ସୂଚନା ବିନା ଏହି ଦମ୍ପତି ସେମାନଙ୍କ ପ୍ରଶଂସକଙ୍କ ସହ ଏହି ବଡ଼ ଖବର ସେୟାର କରିଛନ୍ତି। ଦମ୍ପତିଙ୍କ ପରିବାର ବର୍ତ୍ତମାନ ଖୁସିରେ ଭରି ରହିଛି। ଦମ୍ପତି ସେମାନଙ୍କ ପୋଷ୍ଟର କ୍ୟାପସନ ଦେଇଛନ୍ତି, Blessed  । ଦମ୍ପତିଙ୍କ ପୋଷ୍ଟରେ ଅଭିନନ୍ଦନର କମେଣ୍ଟ ଭରିଯାଇଛି ।

ନବୀନଙ୍କ ରୋଡ ଶୋ’ରେ ପ୍ରବଳ ଜନସମାଗମ

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ଲାଗି ଜୋସ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ବିରାଟ ରୋଡ ସୋରେ ହେଲେ ସାମିଲ। ନବୀନଙ୍କ ରୋଡ ଶୋ’ରେ ଅସମ୍ଭାଳ ଭିଡ । ପ୍ରିୟ ନେତାଙ୍କୁ ଦେଖି ଖୁସିରେ ଆତ୍ମହରା ନୂଆପଡ଼ା ନିର୍ବାଚନ ମଣ୍ଡଳୀବାସୀ। ରୋଡ ସୋରେ ସାମିଲ ହୋଇଛନ୍ତି ଶହ ଶହ କର୍ମୀ ଓ ନେତା।  ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିବା ସହ କର୍ମୀଙ୍କ ନିକଟରେ ଉତ୍ସାହ ଭରିଥିଲେ ବିଜେଡି ସୁପ୍ରିମୋ। ନୂଆପଡ଼ାରେ ପ୍ରଚାର ଜୋର ଧରିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଲାଗି ବଢ଼ିବାରେ ଲାଗିଛି ସମର୍ଥନର ବର୍ଷା। ବିକାଶ ହୋଇଛି ପ୍ରମୁଖ ପ୍ରସଙ୍ଗ। ନବୀନ ସରକାର ସମୟରେ ହୋଇଥିବା ନୂଆପଡ଼ାର ବିକାଶକୁ ଆୟୁଧ କରିଛନ୍ତି ସ୍ନେହାଙ୍ଗିନୀ।