spot_img
Home Blog Page 4813

ଏକାଧିକ ସିମ୍ କାର୍ଡ ରଖିଛନ୍ତି କି? ସାବଧାନ…

ନୂଆଦିଲ୍ଲୀ: ଦେଶର ଏବେ ଯେଉଁ ସବୁ ନୂଆ ସ୍ମାର୍ଟଫୋନ ଆସୁଛି ତାହା ସବୁ ଡୁଆଲ୍ ସିମ୍ । ଯାହା ଫଳରେ ଲୋକମାନେ ଏକାଧିକ ସିମ୍ କାର୍ଡ ବ୍ୟବହାର କରୁଛନ୍ତି । ଏମିତି କି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଅନେକ ସିମ୍ କାର୍ଡ ରହିଛି । ତେବେ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ନାମରେ ୯ରୁ ଅଧିକ ସିମ୍ କାର୍ଡ ରହିଥିବା ତେବେ ଏହି ସିମକୁ ନିଷ୍କ୍ରିୟ କରାଯିବ । ଟେଲିକମ୍ ବିଭାଗ ଏହି ସବୁ ସିମକୁ ପୁଣି ଥରେ ଯାଞ୍ଚ କରିବ । ଯେଉଁ ବ୍ୟକ୍ତିଙ୍କ ପାଖରେ ୯ରୁ ଅଧିକ ସିମ୍ କାର୍ଡ ଥିବ ସେ ସବୁ ସିମକୁ ଟେଲିକମ୍ ବିଭାଗ ନିଷ୍କ୍ରିୟ କରିବ ।  ତେବେ ନିଷ୍କ୍ରୟ କରିବା ପୂର୍ବରୁ ଉପଭୋକ୍ତାଙ୍କୁ ଏକ ବିକଳ୍ପ ପ୍ରଦାନ କରିବ ଟେଲିକମ୍ ବିଭାଗ ।

ଜାମ୍ମୁ କାଶ୍ମୀର ଓ ନର୍ଥଇଷ୍ଟ ରାଜ୍ୟ ଗୁଡିକରେ ଜଣେ ବ୍ୟକ୍ତି ୬ଟି ସିମ୍ କାର୍ଡ ବ୍ୟବହାର କରିପାରିବ । ଯେଉଁବ୍ୟକ୍ତିଙ୍କ ପାଖରେ ୬ରୁ ଅଧିକ ସିମ୍ ଥିବା ସେମାନଙ୍କ କାର୍ଡ ଯାଞ୍ଚ କରାଯିବ । ଜାମ୍ମୁ କାଶ୍ମୀର ଓ ନର୍ଥଇଷ୍ଟ ରାଜ୍ୟ ବ୍ୟତୀତ ଭାରତରେ ଅନ୍ୟ ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ନାମରେ ୯ଟି ସିମ୍ କାର୍ଡ ରଖିପାରିବେ । ଟେଲିକମ୍ ବିଭାଗ ୯ରୁ ଅଧିକ ସିମ୍ ଥିବା ବ୍ୟକ୍ତିଙ୍କୁ ସେମାନଙ୍କ ସିମ୍ ଯାଞ୍ଚ କରିବା ପାଇଁ କୁହାଯିବ । ଯେଉଁ ଉପଭୋକ୍ତା ଯାଞ୍ଚ କରିବେ ନାହିଁ ସେମାନଙ୍କ ସବୁ ନମ୍ବର ନିଷ୍କ୍ରିୟ କରାଯିବ । ଅନ୍ୟପକ୍ଷରେ ଯେଉଁ ସିମ୍ ଯାଞ୍ଚ କରିବାକୁ ଚାହିଁବେ ତାହାଲେ ସେମାନେ ତାଙ୍କ ପସନ୍ଦର ୯ଟି ନମ୍ବର ରଖିପାରିବେ ।

ଦେଶରେ ଆର୍ଥିକ ଅପରାଧ, ସ୍ୱଂୟକ୍ରୟ କଲ ଏବଂ ଠକେଇ ମାମଲା ବୃଦ୍ଧି ପାଉଥିବାରୁ ମୋବାଇଲ ନମ୍ବର ଯାଞ୍ଚ କରିବାକୁ ନିଷ୍ପତି ନେଇଛି ଟେଲିକମ୍ ବିଭାଗ । ଟେଲିକମ୍ ବିଭାଗ କହିଛି କି ଯେଉଁ ବ୍ୟକ୍ତିଙ୍କ ପାଖରେ ୯ରୁ ଅଧିକ ସିମ୍ ରହିଛି ଯଦି ସେମାନେ ତାଙ୍କ ସିମ୍ ଯାଞ୍ଚ କରିବେ ନାହିଁ ତେବେ ସବୁ ସିମ୍ ଡିସେମ୍ବର ୭ ପରେ ୬୦ ଦିନ ଭିତରେ ନିଷ୍କ୍ରିୟ କରାଯିବ ।

 

୫ ହରିଣ ଛାଲ ଜବତ, ବନ୍ଧା ହେଲେ ଦୁଇ

ପିପିଲି: କଠୋର ଆଇନ, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପରେ ବି ବନ୍ୟଜନ୍ତୁ ବିପଦରେ । ଅପରାଧୀଙ୍କ ଲୋଭର ଶିକାର ହେଉଛନ୍ତି ବନ୍ୟଜନ୍ତୁ । ମୋଟା ଅର୍ଥରେ କାରବାର ହେଉଛି ଅଙ୍ଗପ୍ରତ୍ୟଙ୍ଗ । ଏମିତି ହରିଣ ଚୋରା ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ଏସଟିଏଫ । ଜବତ ହେଲା ୫ ହରିଣ ଛାଲ ।

ବାଲିପାଟଣା ଓ ଖୋର୍ଦ୍ଧା ବନ ବିଭାଗ ସହାୟତାରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ୨ ଅଭିଯୁକ୍ତ ହେଲେ ପୁରୀ ବଳଙ୍ଗାର କୃଷ୍ଣଚନ୍ଦ୍ର ସ୍ବାଇଁ ଓ ଗୋପର ସୁନୀଲ କୁମାର ପଲେଇ ।

୨୦୨୦ରୁ ଏବେ ସୁଦ୍ଧା ୨୧ଟି ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କଲାଣି ଏସଟିଏଫ୍ । ୫୦ ବନ୍ୟପ୍ରାଣୀ ଅପରାଧୀଙ୍କୁ ଗିରଫ ହେଲେଣି ।

ଭାଇକୁ କଟୁରୀରେ ହାଣିଲା ଭାଇ

ଯାଜପୁର: ମତାନ୍ତରରୁ ଶତ୍ରୁତା । ଭାଇ ହେଲା ବଇରୀ । ପୂର୍ବ ଶତ୍ରୁତାରୁ ସମ୍ପର୍କିୟ ଭାଇକୁ କଟୁରୀରେ ହାଣି ହତ୍ୟା କଲା ଭାଇ । ଏମିତି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟାଉନ ଥାନା ଅଞ୍ଚଳରେ । ମୃତକ ହେଲେ ପ୍ରକାଶ ଦାସ ।

ସୂଚନା ଅନୁସାରେ ମୃତକ ସକାଳୁ ସମିତିସଭ୍ୟଙ୍କ ସହ କଥା ହେଉଥିବା ବେଳେ ଅଭିଯୁକ୍ତ ଦେବ ପ୍ରସାଦ ମଲ୍ଲିକ ପହଞ୍ଚି ପୁରୁଣା କଥାକୁ ନେଇ ପ୍ରକାଶଙ୍କ ସହ ଯୁକ୍ତିତର୍କ କରିଥିଲେ । ପରେ ବସଚା ଏବଂ କ୍ଷମା ପ୍ରାର୍ଥନା ଆଳରେ ଲୁଚାଇ ରଖିଥିବା କଟୁରୀରେ ବେକକୁ ଚୋଟ ପକାଇଥିଲେ । ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

ଗୃହ ଚଲାଇ ଦେଉ ନାହାନ୍ତି ବିରୋଧୀ

ଭୁବନେଶ୍ବର: ଲଗାତର ୮ ଦିନ ଧରି ଚାଲିପାରୁନି ବିଧାନସଭା ଶୀତ ଅଧିବେଶନ । ଆଉ ଆଜି ନବମ ଦିନରେ ବି ସାମନ ଅବସ୍ଥା । ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ଘଣ୍ଟ ବଜାଇବା ସହ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । ବିରୋଧୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବାଚସ୍ପତି, ହେଲେ ବିରୋଧୀ ଶୁଣିନଥିଲେ । ତେଣୁ ବାଚସ୍ପତି ଗୃହକୁ ସାଢେ ୧୧ ଯାଏଁ ମୁଲତବି ଘୋଷଣା କରିଛନ୍ତି ।

୩ ଥର ସର୍ବଦଳୀୟ ବୈଠକ ପରେ ବି ସହଯୋଗ କରୁନାହାନ୍ତି ବିରୋଧୀ । ବିରୋଧୀଙ୍କ ଏପରି ବିଶୃଙ୍ଖଳା ପାଇଁ ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନି । ଉଠିପାରୁନି ଲୋକଙ୍କ ସ୍ବାର୍ଥ କଥା ।

ସେପଟେ ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ୨୦୨୧-୨୨ ଆର୍ଥିକବର୍ଷ ନିମନ୍ତେ ରାଜ୍ୟ ସରକାର ଅତିରିକ୍ତ ୧୯ ହଜାର ୮୩୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଯାହା ଉପରେ ଆଜି ମୋହର ବାଜିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସାଧାରଣ, ସାମାଜିକ ଓ ରାଜସ୍ବ କ୍ଷେତ୍ରର ସିଏଜି ରିପୋର୍ଟ ଉପସ୍ଥାପନ କରିବେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ରିପୋର୍ଟ, ରାଜ୍ୟ ପରିବହନ ନିଗମର ବାର୍ଷିକ ରିପୋର୍ଟ, ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ରିପୋର୍ଟ ବିଭାଗୀୟ ମନ୍ତ୍ରୀ ଉପସ୍ଥାପନ କରିପାରନ୍ତି । ଗୁରୁବାର ସବୁ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ମାଧ୍ୟମରେ ପାରିତ ହୋଇଥିବା ବେଳେ କେବଳ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା ।

ଓମିକ୍ରନ୍ ଆତଙ୍କ: ଧନୀ ରାଷ୍ଟ୍ରଙ୍କୁ ସତର୍କ କରାଇଲା WHO

ନୂଆଦିଲ୍ଲୀ: ବିଶ୍ୱରେ ଓମିକ୍ରନ କାୟା ବଢୁଥିବା ବେଳେ ଧନୀ ରାଷ୍ଟ୍ରଙ୍କୁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ନିଜ ଦେଶର ନାଗରିକଙ୍କ ସୁରକ୍ଷା ପ୍ରଦାନ କରିବା ଲାଗି ଯେଉଁ ବୁଷ୍ଟର ଡୋଜ ପ୍ରଦାନ କରାଯାଉଛି ତାହାକୁ ସମାଲୋଚନା କରିଛି ସଂଗଠନ । ଏହି ଅସମାନୁପାତିକ ପ୍ରକ୍ରିୟା ପୁଣି ଥରେ ବିପଦକୁ ଡାକି ଆଣିବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଟିକାକରଣ ନେଇ ବସିଥିବା ବିଶେଷଜ୍ଞ କମିଟି ବୈଠକରେ ବୁଷ୍ଟର ଡୋଜ ନେଇ ଚିନ୍ତାପ୍ରକଟ କରାଯିବା ସହ ବିଭିନ୍ନ ଧନୀ ରାଷ୍ଟ୍ରକୁ ଏନେଇ ଚେତାବନୀ ଦିଆଯାଇଛି ।

ଟିକା ଅଭାବରୁ ଅନେକ କମ୍ ଆୟକରୀ ଓ ଗରିବ ରାଷ୍ଟ୍ର ସମସ୍ୟାରେ ରହିଥିବା ବେଳେ ସେହି ସବୁ ରାଷ୍ଟ୍ରକୁ ଟିକା ରପ୍ତାନି ଲାଗି ପରାମର୍ଶ ଦିଆଯାଇଛି । ଯେଉଁମାନେ ଟିକା ଅଭାବରୁ ଜୀବନ ବିପଦରେ ରହିଛନ୍ତି ସେମାନଙ୍କ ଟିକାକରଣକୁ ପ୍ରଥମେ ପ୍ରାଧାନ୍ୟ ଦେବାକୁ ଆହ୍ୱାନ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିକାକରଣ ବିଭାଗ ମୁଖ୍ୟ ଡାକ୍ତର କେଟ୍ ଓବ୍ରିଏନ । ଆଫ୍ରିକା ସମେତ ଅନ୍ୟାନ୍ୟ ରାଷ୍ଟ୍ରରେ ଟିକାକରଣ ଅଭାବରୁ କରୋନା ତାଣ୍ଡବ ଜାରି ରହିଛି । ସେପଟେ ବ୍ରିଟେନରେ ଗୋଟିଏ ଦିନରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ବଢିଛି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ରୁ ଅଧିକ ହୋଇଛି ।

ଜୋର ଧରିଲା ‘ଆଫସ୍ପା’ ହଟାଇବା ଦାବି

କୋହିମା: ନାଗାଲାଣ୍ଡରେ ଜୋର ଧରିଲା ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ (ଆଫସ୍ପା) ହଟାଇବା ପ୍ରସଙ୍ଗ । ଏନେଇ ନାଗାଲାଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି । ମନ୍ ଜିଲ୍ଲା ଓଟିଂରେ ଭୁଲ୍ ସୂଚନାରୁ ସେନାର ନରସଂହାର ଘଟଣାରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ଏହି ଦାବି ଉଠାଇଛନ୍ତି ।

ଗତ ଡିସେମ୍ବର ୪ ତାରିଖରେ ନିରୀହ ଶ୍ରମିକମାନେ ଏକ ମିନିଟ୍ରକରେ ଘରକୁ ଫେରୁଥିବା ବେଳେ, ସେମାନଙ୍କ ଉପରେ ଯବାନମାନେ ଆଖିବୁଜା ଗୁଳିମାଡ କରିଥିଲେ । ଏହି ଘଟଣାରେ ୧୪ ଜଣଙ୍କ ଜୀବନ ଯାଇଥିଲା । ଆସନ୍ତା ୨୦ ତାରିଖରେ ଏହି ଅଧିବେଶନ ବସିବ ଏବଂ ରାଜ୍ୟପାଳ ଜଗଦୀଶ ମୁଖି ଖୁବଶୀଘ୍ର ସମନ କରିବେ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନେଇବା କ୍ରୋନୁ ।

୧୯୫୮ର ଏହି କଡା ଆଇନରେ ଉଗ୍ରବାଦ ଦମନ ଲାଗି ସେନାକୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନେଇଫୁ ରିଓଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରାଯାଇଛି ଏବଂ ଏଥିରେ କିଛି କ୍ୟାବିନେଟ ମନ୍ତ୍ରୀ, ସମସ୍ତ ରାଜନୈତିକ ଦଳର ପ୍ରତିନିଧି ସାମିଲ ଅଛନ୍ତି । ସ୍ବତନ୍ତ୍ର ଅଧିବେଶନ ଡାକି ଆଫସ୍ପା ହଟାଇବା ନିମନ୍ତେ ପଦକ୍ଷେପ ନିଆଯାଉ ବୋଲି ନାଗା ଛାତ୍ର ସଂଘ ଓ ବିଭିନ୍ନ ମହିଳା ସଂଗଠନ ଦାବି କରୁଥିଲେ । ସେପଟେ ଆଫସ୍ପା ନେଇ ଏକ ଦ୍ବନ୍ଦ୍ବାତ୍ମକ ମତ ରଖିଛନ୍ତି ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ସେ କହିଛନ୍ତି, କେତେକ ପରିସ୍ଥିତିରେ କଠୋର ଆଇନର ଆବଶ୍ୟକତା ରହିଛି । ଏକ୍ଷେତ୍ରରେ ସରକାର ଭାରସାମ୍ୟ ରକ୍ଷା କରିବା ଦରକାର । ସେ କହିଛନ୍ତି ନାଗାଲାଣ୍ଡରେ ଯାହା ଘଟିଲା ତାହା ଏକ ଦୁର୍ଘଟଣା ଓ ଏକ ଭୁଲ୍ ଥିଲା । ସମସ୍ତ ଦୁର୍ଘଟଣା ଦୁର୍ଭାଗ୍ୟଜନକ । ମାତ୍ର କଡା ଆଇନର ବି ଆବଶ୍ୟକତା ରହିଛି । ବିଭିନ୍ନ କ୍ଷେତ୍ରରେ ଆବଶ୍ୟକତାକୁ ଅନୁଭବ କରିବାକୁ ପଡିବ । ସମୟ ଥିଲା ଏହି ଆଇନର ଆବଶ୍ୟକତା ଜରୁରୀ ବୋଲି ଲୋକେ ଉପଲବ୍ଧି କରୁଥିଲେ । ମାତ୍ର କେତେକ ଦୁର୍ଘଟଣା ଓ ମାତ୍ରାଧିକ କାର୍ଯ୍ୟ ପରେ ଏହି ଆଇନକୁ ହଟାଇବା ଲାଗି ଦାବି ଉଠୁଛି । ଉଭୟ ଦିଗରୁ ଏହାକୁ ବିଚାର କରିବାକୁ ହେବ ବୋଲି କହିଛନ୍ତି ଗୋଗୋଇ ।

ବିପିନ ରାଓ୍ୱତଙ୍କ ମୃତ୍ୟ ପଛରେ ଚୀନର ହାତ!

ନୂଆଦିଲ୍ଲୀ: ସିଡିଏସ ବିପିନ ରାଓ୍ୱତଙ୍କ ଚପର ଦୁର୍ଘଟଣା ପୂରା ଦେଶରେ ଶୋକ ଖେଳାଇ ଦେଇଛି । ବୀରପୁତ୍ରଙ୍କ ଅକାଳ ବିୟୋଗରେ ଲୁହରେ ଭିଜୁଛି ଦେଶ । ନେତାଙ୍କଠାରୁ ଜନତା ସବୁଠି ବିଶାଦର ଛାଇ । ସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶ ହରାଇଛି ସିଡିଏସ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ଏବଂ ୧୧ ବୀର ସନ୍ତାନଙ୍କୁ । ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି । ଏମିତି ସ୍ଥିତିରେ ଦୁର୍ଘଟଣାର କାରଣକୁ ନେଇ ଉଠୁଛି ଅନେକ ପ୍ରଶ୍ନ ଓ ସନ୍ଦେହ । ଏହି ସନ୍ଦେହର ନିଆଁରେ ଘିଅ ଢାଳିଛି ଚୀନ ।

ଆମେରିକା ଉପରେ ଦୋଷ ଲଦି ଚୀନ ଏମିତି ଏକ ମନ୍ତବ୍ୟ ଦେଇଛି ଯାହା ସନ୍ଦେହକୁ ଆହୁରି ଘନିଭୂତ କରୁଛି । ହେଲେ ସନ୍ଦେହ ଆମେରିକା ଉପରେ ନୁହେଁ ଚୀନ ଉପରକୁ ଆସୁଛି । ଦୁର୍ଘଟଣା ପଛରେ ଚୀନର ହାତ ଥିବା ସନ୍ଦେହ ଘନେଇବାରେ ଲାଗିଛି । ସତରେ କ’ଣ ସିଡିଏସ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଷଡଯନ୍ତ୍ର ରଚିଥିଲା ଚୀନ ?
ପୂରା ବିଶ୍ୱ ରାଓ୍ୱତଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିବା ବେଳେ ଚୀନର ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି ଏକ ସମ୍ବେଦୀନହୀନ ଖବର । ଯେଉଁଥିରେ ଭାରତୀୟ ସେନାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଯାଇଛି ।

ଏଥିରେ ଋଷ ଓ ଭାରତ ମଧ୍ୟରେ ନିକଟରେ ହୋଇଥିବା ସାମରିକ ଚୁକ୍ତିକୁ ଇଙ୍ଗିତ କରାଯିବା ସହ ଆମେରିକା ଏଭଳି କାଣ୍ଡ ଘଟାଇଥାଏ ବୋଲି ଚୀନ କହିଛି । ଋଷ ଠାରୁ ଭାରତ S-400 ମିଶାଇଲ କିଣିବାକୁ ଆମେରିକା ବିରୋଧ କରୁଥିଲା । ହେଲେ ଭାରତ ଆମେରିକାକୁ ଉପେକ୍ଷା କରି ଋଷ ସହ ଚୁକ୍ତି କରିଥିଲା ଓ S-400 ମଧ୍ୟ ଭାରତକୁ ଆସିବା ଆରମ୍ଭ ହୋଇଯାଇଛି । ଏହି ଦୁର୍ଘଟଣା ଋଷ ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତିର ପ୍ରତିଫଳ ହୋଇଥାଇପାରେ ବୋଲି ଚୀନ ସରକାରୀ ଗଣମାଧ୍ୟମ ଉଲ୍ଲେଖ କରିଛି ।

ଚୀନର ଏପରି ମନ୍ତବ୍ୟ ତା’ ଉପରେ ସନ୍ଦେହ କରିବାକୁ ବାଧ୍ୟ କରୁଛି । କାରଣ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞ ବ୍ରହ୍ମା ଚେଲାନୀ ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ସେ ଦୁର୍ଘଟଣା ପଛରେ ଚୀନର ହାତ ଥିବା ଓ ଚୀନର ଏକଛତ୍ରବାଦ କମ୍ୟୁନିଷ୍ଟ ପାର୍ଟି ଏହି ଦୁର୍ଘଟଣାର ଷଡଯନ୍ତ୍ର ରଚିଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି । ସେ ତାଙ୍କ ଟ୍ୱିଟରେ କହିଛନ୍ତି, ତାଇଓ୍ବାନ ସେନାମୁଖ୍ୟ ଜେନେରାଲ ମିଙ୍ଗ ଓ ବିପିନ ରାଓ୍ୱତଙ୍କର ଚୀନ ବିରୋଧୀ ଆଭିମଖ୍ୟ ରହିଥିଲା । ଗତବର୍ଷ ଜେନେରାଲ ମିଙ୍ଗଙ୍କ ହେଲିକପ୍ଟର କ୍ରାସ୍ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା । ଉଭୟ ମିଙ୍ଗ ଏବଂ ରାଓ୍ୱତଙ୍କ ହେଲିକପ୍ଟର କ୍ରାସରେ ସାମଞ୍ଜସ୍ୟ ରହିଛି ।

ଚେଲାନୀଙ୍କ ଏହି ଟ୍ୱିଟକୁ ନେଇ ଚୀନ୍ ଆମେରିକା ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛି । ଏହାସହ ଭାରତର ପ୍ରତିରକ୍ଷା ମୁଖ୍ୟଙ୍କ ମୃତ୍ୟୁ କେବଳ ଭାରତୀୟ ସେନାର ଶୃଙ୍ଖଳାର ଅଭାବ ନୁହେଁ ଯୁଦ୍ଧ ପ୍ରସ୍ତୁତିର ଅଭାବକୁ ମଧ୍ୟ ଦର୍ଶାଉଛି ବୋଲି ଗ୍ଲୋବାଲ ଟାଇମ୍ସରେ ଆର୍ଟିକିଲ ଲେଖିଛି । ଏହାଛଡ଼ା ଦେଶର ସାମରିକ ଆଧୁନିକୀକରଣ ପାଇଁ ମଧ୍ୟ ଏକ ବଡ ଝଟକା ବୋଲି ଚୀନ୍ ବିଶେଷଜ୍ଞମାନେ କହିଛନ୍ତି ।


ସେ ଯାହା ବି ହୋଇଥାଉ ଯଦି ସନ୍ଦେହରେ ଟିକିଏ ବି ସତ୍ୟତା ଥିବ ତେବେ ଏହା ଦେଶ ପାଇଁ କେତେ ବିପଦ ଜାଣିପାରୁଥିବେ । ଯଦି ଚୀନ ଏହି ଷଡଯନ୍ତ୍ର ରଚିଥିବ ତେବେ କେମିତି ରଚିଲା ? ଏହା ଚୀନର କୌଣସି ସାଇବର ଆଟାକ ନୁହେଁ ତ ? ସନ୍ଦେହ ଉପୁଜିଥିବା ବେଳେ ଏ ଦିଗରେ ତଦନ୍ତ ହେବା ନିହାତି ଆବଶ୍ୟକ । ଆଶା ଭାରତ ସରକାର ବି ଏହା ଉପରେ ନଜର ରଖିଥିବେ ଓ ନିଶ୍ଚିତ ଏ ଦିଗରେ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବେ ?

ବିପିନ ରାଓ୍ୱତଙ୍କ ପରେ କିଏ ହେବ ପରର୍ବତ୍ତୀ CDS; ରେସରେ ଆଗରେ ଅଛନ୍ତି ସ୍ଥଳ ସେନା ମୁଖ୍ୟ

ନୂଆଦିଲ୍ଲୀ: କିଏ ହେବେ ନୂଆ ସିଡିଏସ୍? ଜେନେରାଲ ବିପିନ ରାଓ୍ୱତଙ୍କ ପରେ କାହାକୁ ମିଳିବ ତିନି ସେନାର କମାଣ୍ଡ ? ବିପିନ ରାଓ୍ୱତଙ୍କ ନିଧନ ପରେ ପରବର୍ତ୍ତୀ ସିଡିଏସ୍‌ଙ୍କୁ ନେଇ ସସପେନ୍ସ ଜାରି ରହିଛି । କିଛି ସପ୍ତାହ ମଧ୍ୟରେ ସରକାର ପରବର୍ତ୍ତୀ ସିଡିଏସଙ୍କୁ ନିଯୁକ୍ତ କରିପାରନ୍ତି । ସିଡିଏସ୍ ବା ଚିଫ୍ ଡିଫେନ୍ସ ଷ୍ଟାଫ୍ ଚୟନ ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ । ସୀମା ସୁରକ୍ଷା ଚ୍ୟାଲେଞ୍ଜକୁ ନଜରରେ ରଖି ବରିଷ୍ଠ ବା ଅନୁଭବୀ ସେନା ଅଧିକାରୀଙ୍କୁ ସରକାର ଏହି ପଦରେ ଅବସ୍ଥାପିତ କରିବେ ।

ସରକାର ନୂଆ ସିଡିଏସ ପଦର ନିଯୁକ୍ତି ପାଇଁ ଏକ ପ୍ୟାନେଲ ଗଠନ କରିଛନ୍ତି । ଯେଉଁଥିରେ ସ୍ଥଳ ସେନା, ନୌସେନା ଓ ବାୟୁ ସେନାର ବରିଷ୍ଠ କମାଣ୍ଡର ସାମିଲ ଅଛନ୍ତି । ଆଗାମୀ ଦୁଇ ତିନି ଦିନ ମଧ୍ୟରେ ପ୍ୟାନେଲର ନିଷ୍ପତି ଅନୁସାରେ କିଏ ହେବ ନୂଆ ସିଡିଏସ ତାହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଜଣାଇବେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁମୋଦନ ପରେ ସେହି ନାଁ କ୍ୟାବିନେଟରେ ମଞ୍ଜୁର ହେବା ପାଇଁ ଯିବ । କ୍ୟାବିନେଟରେ ମଞ୍ଜୁର ହେବା ପରେ ପରର୍ବତ୍ତୀ ସିଡିଏସଙ୍କ ନାମ ଘୋଷଣା କରାଯିବ ।

ବିପିନ ରାଓ୍ୱତଙ୍କ ପରେ ସିନିୟର ସେନା ଅଧିକାରୀ ହେଉଛନ୍ତି ଏବେର ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱାଣେ । କାଶ୍ମୀର ଓ ପୂର୍ବୋତ୍ତର ଭାରତରେ କାଉଣ୍ଟର ଏମର୍ଜେନ୍ସି ଅପରେସନରେ ଜଣେ ପରାକ୍ରମି ଯୋଦ୍ଧା ହେଉଛନ୍ତି ଏମ ଏମ ନରଓ୍ୱାଣେ । ସ୍ଥଳ ସେନା ମୁଖ୍ୟ ନାରଓ୍ୱାଣେ ଆଗାମୀ ବର୍ଷ ଏପ୍ରିଲ ମାସରେ ଅବସର ନେବେ । ପରବର୍ତ୍ତୀ ସିଡିଏସ୍ ପାଇଁ ନରଓ୍ୱାଣେ ନାଁକୁ ନେଇ ଚର୍ଚ୍ଚା ହେଉଛି । ୪ ଦଶନ୍ଧୀ ଧରି ଭାରତୀୟ ସେନାରେ ପରାକ୍ରମ ଦେଖାଇଥିବା ନରଓ୍ୱାଣେ ଅନେକ ଗୁରୁଦାୟିତ୍ୱ ତୁଲାଇଛନ୍ତି । କାଶ୍ମୀରଠାରୁ ଆରମ୍ଭ କରି ନର୍ଥ-ଇଷ୍ଟରେ ଆତଙ୍କୀ ଅପରେସନରେ ତାଙ୍କର ସ୍ୱତନ୍ତ୍ର ରଣନୀତି ଯୋଗୁ ସେନାକୁ ଉଲ୍ଲେଖନୀୟ ସଫଳତା ମଧ୍ୟ ମିଳିଛି । ତେଣୁ ଭାରତର ଦ୍ୱିତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବରେ ନରଓ୍ୱାଣେଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଆଶା କରାଯାଉଛି ।

ସ୍ବାଭିମାନ ଅଞ୍ଚଳରେ ବିଏସଏଫ କ୍ୟାମ୍ପ

ମାଲକାନଗିରି: ମାଲକାନଗିରିର ଘନବେଡ଼ାରେ ଓଡ଼ିଶା ପୋଲିସ ଓ ବିଏସଏଫ୍ ପକ୍ଷରୁ ପ୍ରତିଷ୍ଠା ହେଲା ଆଉ ଏକ କ୍ୟାମ୍ପ । କ୍ୟାମ୍ପ ପ୍ରତିଷ୍ଠା ପାଇଁ ବିଏସଏଫକୁ ସମସ୍ତ ସହଯୋଗ ଯୋଗାଇଛନ୍ତି ସ୍ବାଭିମାନ ଅଞ୍ଚଳବାସୀ । କ୍ୟାମ୍ପ ପାଇଁ ଓଡ଼ିଶା ପୋଲିସ ଓ ବିଏସଏଫକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ବିକାଶ ସହିତ ନକ୍ସଲଙ୍କ ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ଗୋରସେତୁଠାରେ ବିଏସଏଫର ଶେଷ କ୍ୟାମ୍ପ ରହିଥିଲା । ଏବେ ଘନବେଡାଠାରେ କ୍ୟାମ୍ପ ହେବା ପରେ ମାଓବାଦୀଙ୍କୁ ଆଉ ଏକ ବଡ ଝଟକା ଲାଗିଛି । କ୍ୟାମ୍ପକୁ ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଂ ଉଦଘାଟନ କରିଥିବାବେଳେ କାର୍ଯ୍ୟକ୍ରମରେ ମାଲକାନଗିରି ଏସପି ଉପସ୍ଥିତ ଥିଲେ । ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି ।

ବିରାଟଙ୍କୁ ଅଧିନାୟକ ପଦରୁ ହଟାଇବାର କାରଣ କହିଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବୁଧବାର ସନ୍ଧ୍ୟାରେ ଦିନିକିଆରେ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି । ଦିନିକିଆରେ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରେ ନିଯୁକ୍ତି ଦେଇଛି ବିସିସିଆଇ । ଟି-୨୦ ଅନ୍ତର୍ଜାତୀୟରେ ଅଧିନାୟକ ପଦ ଛାଡିବା ପରେ ଦିନିକିଆରେ ମଧ୍ୟ ବିରାଟଙ୍କ ଅଧିନାୟକ ପଦ ଯାଇଛି । ଅନ୍ୟପକ୍ଷରେ ବୁଧବାର ରୋହିତଙ୍କୁ ଦିନିକିଆରେ ଅଧିନାୟକ ଭାବରେ ନିଯୁକ୍ତି କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ବିରାଟଙ୍କୁ କାହିଁକି ଦିନିକିଆରେ ଅଧିନାୟକ ପଦରୁ ହଟାଇଲେ ତାହାକୁ ନେଇ ଗୁରୁବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ଗାଙ୍ଗୁଲି କହିଥିଲେ କି ବିରାଟ କୋହଲି ଟି-୨୦ରେ ଅଧିନାୟକ ପଦରେ ରହିବାକୁ ମନା କରିଥିଲେ । ଯାହା ଫଳରେ ଚୟନ କମିଟି ଦିନିକିଆରେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦ ଦେବାକୁ ସ୍ଥିର କରିଥିଲା । ରୋହିତ ଶର୍ମାଙ୍କୁ ୨୦୨୩ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଅଧିନାୟକ ପଦରେ ନିଯୁକ୍ତି ଦେଇଛନ୍ତି ।

ବିସିସିଆଇ ଅଧ୍ୟକ୍ଷ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି କି ଆମେ ବିରାଟ କୋହଲିଙ୍କୁ ଅନୁରୋଧ କରିଥିଲୁ କି ସେ ଟି-୨୦ରେ ଅଧିନାୟକ ପଦ ନ ଛାଡନ୍ତୁ । କିନ୍ତୁ ବିରାଟ ଟି-୨୦ରେ ଅଧିନାୟକ ପଦ ଛାଡିଥିଲେ । ଏହା ପରେ ଚୟନ କର୍ତ୍ତା ସୀମିତ ଓଭର କ୍ରିକେଟରେ ଦୁଇ ଜଣ ଅଲଗା ଅଲଗା ଅଧିନାୟକ ରଖିବା ପାଇଁ ଉଚିତ ମନେ କରିନଥିଲେ । ଯାହା ଫଳରେ ରୋହିତ ଶର୍ମାଙ୍କୁ ଦିନିକିଆରେ ଅଧିନାୟକ ଭାବରେ ନିଯୁକ୍ତି ଦିଆଗଲା ।

ରୋହିତ ଶର୍ମା ସୀମିତ ଓଭରରେ ଅଧିନାୟକ ଭାବରେ ନିଯୁକ୍ତି ହେଲା ପରେ ଗାଙ୍ଗୁଲି କହିଛନ୍ତି କି ଆମର ରୋହିତଙ୍କ କ୍ୟାପଟେନ୍ସି ଉପରେ ପୂରା ଭରସା ଅଛି । ବିରାଟ କୋହଲି ଏବେ ବି ଟେଷ୍ଟ ଦଳର ନେତୃତ୍ୱ ନେଉଛନ୍ତି । ତେବେ ବିସିସିଆଇ ନିଶ୍ଚିତ ଅଛି ଯେ ଭାରତୀୟ କ୍ରିକେଟ ସଠିକ୍ ଦିଗରେ ଯାଉଛି । ସୀମିତ ଓଭର କ୍ରିକେଟରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।