spot_img
Home Blog Page 483

୨୦ ଲକ୍ଷ ଟଙ୍କା ଯାଏ ପ୍ରକଳ୍ପ ବିଲ୍ ପାଇଁ ଆଉ ଖୋଜାପଡ଼ିବେନି ଅଧ୍ୟକ୍ଷ

ଭୁବନେଶ୍ବର : ନିର୍ବାଚିତ ପ୍ରତିନିଧି ନୁହେଁ, ପଞ୍ଚାୟତରେ ସର୍ବେସର୍ବା ହେବେ ସରକାରୀ ବାବୁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଜେପି ସରକାରଙ୍କ ଏପରି ନୂଆ ବ୍ୟବସ୍ଥାକୁ ନେଇ ଓଡିଶା ରାଜନୀତି ହଲଚଲ । ବ୍ଲକ ଓ ପଞ୍ଚାୟତ ସମିତି ଅଧ୍ଯକ୍ଷଙ୍କ କ୍ଷମତା ସଙ୍କୁଚିତ କରିଛନ୍ତି ରାଜ୍ୟ ସରକାର ।ଏଣିକି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପର ବିଲ୍ ପାସ୍ ପାଇଁ ଆଉ ଖୋଜାପଡ଼ିବେନି ବ୍ଲକ ଅଧ୍ୟକ୍ଷ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ ଅଭିଯୋଗ କରିଛନ୍ତି- ଭୋଟ ଚୋରିରୁ ବ୍ଲକ ଚୋରି ଯାଏ ମାତିଛି ବିଜେପି । ରାଜ୍ୟରେ ବିଜେପି ସରକାର ବର୍ତ୍ତମାନ ଗଣତାନ୍ତ୍ରିକ ପଦ୍ଧତିକୁ ମାରି ଦେବାକୁ ଯାଉଛନ୍ତି।ବ୍ଲକ୍ ପ୍ରତିନିଧିଙ୍କ କ୍ଷମତା କମାଇ ସମ୍ବିଧାନକୁ ହତ୍ୟା କରୁଛନ୍ତି। ଜନ ପ୍ରତିନିଧିଙ୍କୁ କ୍ଷମତା ଦେବାକୁ କହି ବାବୁଙ୍କ ହାତରେ କ୍ଷମତା ଟେକି ଦେଉଛନ୍ତି। ବର୍ତ୍ତମାନ ବିଜେଡିର ୯୦ ଭାଗ ବ୍ଲକ ଅଧ୍ୟକ୍ଷ ଅଛନ୍ତି। ଏପରି କ୍ଷମତା ହ୍ରାସ ହତ୍ୟା ସହ ସମାନ । ଏ ନିଷ୍ପତ୍ତି ପରିବର୍ତ୍ତନ ନ ହେଲେ ବ୍ଳକର ଅଧ୍ୟକ୍ଷ କୋର୍ଟର ଆଶ୍ରୟ ନେବା ସହ  ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଦଳ। ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି- ବିଭିନ୍ନ ସମୟରେ ବିଭିନ୍ନ ସଂଶୋଧନ କରାଯାଇଥାଏ । ଏହା ଲୋକଙ୍କ ହିତ ଦୃଷ୍ଟିରୁ ଏବଂ ଓଡିଶାର ବିକାଶ କିଭଳି ଅଧିକରୁ ଅଧିକ ହୋଇପାରିବ ସେଥିପାଇଁ ହେଉଛି । ଏହା କାହା ପ୍ରତି କୁଠାରାଘାତ ନୁହେଁ । ଯେତେବେଳେ ଲୋକଙ୍କର କିମ୍ବା ଅଞ୍ଚଳର କାମ ନ ହେବ, ଉନ୍ନତି ନ ହେବ, ସେତେବେଳେ ସ୍ୱର ଉଠିବ ।

ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ହ୍ରାସ କରିବା ପ୍ରସଙ୍ଗ ନେଇ ତେଜିଛି ରାଜନୀତି । ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ପଂଚାୟତରେ ୧୩ ମାସ ହେବ ମାଟିଟିଏ ପଡିନାହିଁ । ୯୦ ପ୍ରତିଶତ  ବ୍ଲକରେ ବିଜେଡି ଅଧ୍ୟକ୍ଷ ଥିବାରୁ ସରକାର ଏପରି ରାଜନୈତିକ ନିଷ୍ପତ୍ତି ନେଇଛନ୍ତି ଯାହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି-  ରାଜ୍ୟରେ  ୯୦ ଭାଗ ବ୍ଳକ ଅଧ୍ଯକ୍ଷ ଏବେ ବିଜେଡି ସମର୍ଥିତ । ଏହି କ୍ଷମତା ଯୋଗୁ ସେମାନେ ବିଜେପି ବିଧାୟକଙ୍କୁ ବି ଖାତିର କରୁନଥିଲେ ।  ବିଜେପିର ବ୍ଲକ ଅଧକ୍ଷ କେହି ନାହାନ୍ତି।  ସେଥିପାଇଁ ଆଗାମୀ ନିର୍ବାଚନକୁ ନଜରରେ ରଖି ଉଦ୍ଦେଶ୍ୟମୂଳକ ଭାବେ ବ୍ଲକ ଅଧ୍ଯକ୍ଷଙ୍କ କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ କରିଛନ୍ତି। ବିଜେପି କିନ୍ତୁ ବିକଶିତ ଓଡିଶା ସ୍ବପ୍ନର ଆଳ ଦେଖାଇ ଏ ଅଭିଯୋଗକୁ ଖଣ୍ଡନ କରିଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପରିବର୍ତ୍ତେ ରାଜ୍ୟ ସରକାର  ରାଜନୈତିକ ସ୍ବାର୍ଥ ପାଇଁ ଦୁର୍ବଳ କରୁଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

‘ଓଡ଼ିଆ ଅସ୍ମିତା କହି ଶାସନକୁ ଆସିଲେ, ୧୪ ମାସର ସରକାରରେ ସବୁ ଭୁଲିଗଲେ’

ଭୁବନେଶ୍ବର : ରାଜନୀତିରେ ପୁଣି ଅସ୍ମିତା ଝଡ଼। ବିଜେପିକୁ ବିତର୍କର ଆହ୍ବାନ ଦେଲେ ଅରୁଣ । ଜୟଦେବ କହିଲେ ବିଜେପି ଅସ୍ମିତାକୁ ଦେଉଛି କୁଠାରଘାତ। ୨୦୨୪ ନିର୍ବାଚନରେ ଓଡ଼ିଆ ଅସ୍ମିତା ନାରା ଦେଇ ବିଜେପି ସରକାରକୁ ଆସିଲା। ସରକାର ଗଠନର ୧୪ ମାସ ପରେ ଅସ୍ମିତାକୁ ପ୍ରତିଦିନ କୁଠାରଘାତ କରୁଛି ବିଜେପି। ସରକାରକୁ ଆସୁଆସୁ ଅଣଓଡିଆଙ୍କ ଦ୍ବାରା ଓଡିଆ ସରକାରୀ ଅଧିକାରୀ ମାଡ ଖାଇଲେ। ରାଜ୍ୟ ସରକାର ଚୁପ ରହିଲେ। ଓଡ଼ିଆ ଭାଷାରେ ଶାସନ ବ୍ୟବସ୍ଥା କେବଳ କଥା ଓ କାଗଜପତ୍ରରେ ଚାଲିଛି। ପ୍ରତି ଦିନ ମହିଳାଙ୍କ ଉପରେ ଅତ୍ୟାଚାର, ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ଘଟୁଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି।ଏସବୁ କଣ ଓଡିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ବିଜେଡି।ଓଡ଼ିଆ ଅସ୍ମିତା କଣ ବୁଝି ନଥିବା ସରକାରୀ ଦଳ ମିଥ୍ୟା ଅପପ୍ରଚାରରେ ମାତିଛି। ତେଣୁ ଖୋଲାମଂଚରେ ଅସ୍ମିତା ଉପରେ ବିତର୍କରେ ଭାଗ ନେବାକୁ ଶାସକ ଦଳକୁ ଆହ୍ବାନ କରିଛି ବିରୋଧୀ ବିଜେଡି। କଂଗ୍ରେସ ମଧ୍ୟ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ମିଥ୍ୟା ଓଡିଆ ଅସ୍ମିତାର ନାରା ଦେଇ ଓଡିଶାବାସୀଙ୍କୁ ବୋକା ବନାଇଲେ। ମହାନଦୀ, ପୋଲାଭରମ, କୋଟିଆ, ପୂର୍ବତନ ରାଜ୍ୟପାଳଙ୍କ ପୁଅ  ଏଏସଓଙ୍କୁ ମାଡ ମାରିବା ଘଟଣାରେ ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି।..

ଦୁଇ ବିରୋଧୀ ଦଳର ବରିଷ୍ଠ ନେତା ଓଡିଆ ଅସ୍ମିତାକୁ ନେଇ ଶାସକ ଦଳକୁ ଘେରିବା ପରେ ଏହାର ଜବାବ ରଖିଛି ବିଜେପି। ଓଡିଆ ଅସ୍ମିତାକୁ ନେଇ ବିରୋଧୀଙ୍କ ବିତର୍କ ଆହ୍ଵାନ ଆଗରୁ କେଉଁଠି ଥିବା ବୋଲି କହିଛନ୍ତି ବିଜେପି ବିଧାୟକ। ଓଡିଆ ଅସ୍ମିତାକୁ ନେଇ ବିତର୍କ ବହୁ ସମୟରେ କରାଯାଇପାରିବ ବୋଲି କହିଛନ୍ତି। ଆଗକୁ ବିଧାନସଭା ମୌସୁମୀ ଅଧିବେଶନ। ଯେଉଁ ଓଡ଼ିଆ ଅସ୍ମିତା କଥା କହି ଶାସକ ଦଳ କ୍ଷମତାକୁ ଆସିଥିଲା ସେହି ଅସ୍ମିତାକୁ ନେଇ ଏବେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବଡ ଅସ୍ତ୍ର କରି ଜବାବ ମାଗିଛନ୍ତି।

ବିବାଦୀୟ ବୟାନ ଯୋଗୁଁ ବିଦ୍ରୋହର ସମ୍ମୁଖୀନ ହେଲେଣି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ଭୁବନେଶ୍ବର : ଗଣଶିକ୍ଷା ମନ୍ତ୍ରୀ ବନାମ ଶିକ୍ଷକ । ମାନସିକତାକୁ ନେଇ ମୁହାଁମୁହିଁ । ସରକାର ନା ଶିକ୍ଷକ କାହା ମାନସିକତାରେ ଆସିବ ପରିବର୍ତ୍ତନ ? ଦୋଷ ଲଦି ଖସିବାକୁ ଉଦ୍ୟମ କରୁଛନ୍ତି କି ସରକାର ? ଅଭିଭାବକ ବି ସରକାରଙ୍କ ଉପରେ ଖପ୍ପା । ରାଜ୍ୟସ୍ତରୀୟ ନବ ଭାରତ ସାକ୍ଷାତକାର କାର୍ଯ୍ୟକ୍ରମ ଅବସରରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ କର୍ମଶାଳାରେ ଶିକ୍ଷକଙ୍କୁ ନାଲି ଆଖି ଦେଖାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନିଜ ଅଭିଜ୍ଞତାକୁ ବଖାଣି ଶିକ୍ଷକଙ୍କୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାରଣ ସ୍କୁଲ ଆଉ ସ୍କୁଲ ପରି ରହୁନି । ଅପ୍ରୀତିକର ପରିବେଶରେ ପାଠ ପଢୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ସ୍କୁଲ ପରିସରକୁ ଶିକ୍ଷା ଉପଯୋଗୀ ରଖିବାକୁ ଶିକ୍ଷକର ମାନସିକତାରେ ପରିବର୍ତ୍ତନ ଆସିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ । ହେଲେ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ଦିଗରେ କିଛି ବି କହି ନଥିଲେ । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଗଣଶିକ୍ଷା ମନ୍ତ୍ରୀ କେଉଁ ମାନସିକତା କଥା କହୁଛନ୍ତି ବୋଲି ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି । ନୂଆ ଅନୁଦାପ୍ରାପ୍ତ ୨୫୫୧ ସ୍କୁଲରେ ପେନସନ କି ଅବସରକାଳୀନ ସୁବିଧା ନାହିଁ । ୩୯ ସଂସ୍କୃତ ଟୋଲ, ୧୯୪ ହାଇସ୍କୁଲ ଅନୁଦାନ ପାଉ ନାହାନ୍ତି । ୧୫ଟି ମଦ୍ରାସାକୁ ବି ମିଳୁନି ଅନୁଦାନ । ୨୪ଶହ ପ୍ରଧାନ ଶିକ୍ଷକ ଓ ୫ହଜାରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଛି । ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟରେ ୧୭ଶହରୁ ଅଧିକ ଶିକ୍ଷକ ନାହାନ୍ତି । ସ୍କୁଲର କମ୍ପ୍ଯୁଟର କି ଭିତ୍ତିଭୂମି ନାହିଁ । ଅଭାବ ଓ ଦୁଶ୍ଚିନ୍ତାରେ ଥିବା ସତ୍ତ୍ବେ ଶିକ୍ଷକମାନେ ଶିକ୍ଷାଦାନରେ କେବେ ବି ଅବହେଳା କରି ନାହାନ୍ତି । ସରକାରଙ୍କୁ ଏକ ବର୍ଷ ବିତିଲାଣି । ସୁସ୍ଥ ବାତାବରଣ କଥା ଚିନ୍ତା କରି ପଦକ୍ଷେପ ନେବାକୁ ସରକାରଙ୍କୁ ପାଲଟା ଜବାବ ଦେଇଛି ଓଷ୍ଟା ।

ଶିକ୍ଷକମାନଙ୍କ ଉପରେ ଦୋଷ ଦେଇ ସରକାର ଖସିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । କେନ୍ଦ୍ରୀୟ ହାରରେ ଦରମା, ସ୍କିମାଟିକ ଉଚ୍ଛେଦ ପରି ଦାବି ପୂରଣ ହେଉନି । ସ୍କୁଲ ପରିବେଶ ସଫା କରିବାକୁ ପିଅନ ଓ ଅନ୍ୟ କର୍ମଚାରୀ ଅଛନ୍ତି କି ? ଯେତିକି ଆବଶ୍ୟକ, ସେତିକି ଶିକ୍ଷକ ବିଦ୍ୟାଳୟରେ ନାହାନ୍ତି । ଶିଶୁ ବାଟିକା ଖୋଲିଲେ ସରକାର । ହେଲେ ସେବିକା ନାହାନ୍ତି । ଗୋଟେ ପଟେ ଶ୍ରେଣୀ ବଢାଇଲେ ସରକାର, ହେଲେ ଶିକ୍ଷକ ସଂଖ୍ୟାରେ ବୃଦ୍ଧି ଘଟିଲା ନାହିଁ । ଯାହା ଶିକ୍ଷକମାନଙ୍କୁ ଚାପଗ୍ରସ୍ତ କରୁଛି । ବିଦ୍ୟାଳୟକୁ ଶିକ୍ଷା ଉପଯୋଗୀ କରିବା ସରକାର ଚାହୁଁ ନଥିବା ନେଇ ଅଭିଯୋଗକୁ ପ୍ରାଥମିକ ଶିକ୍ଷକମାନେ ଶାଣିତ କରିଛନ୍ତି । ସେହିପରି ଓଡ଼ିଶା ଅଭିଭାବକ ମହାସଂଘ ବି ରାଜ୍ୟ ସରକାର ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି । ସରକାର ଶିକ୍ଷାକୁ ଗୁରୁତ୍ବ ଦେଇପିଲା କେମିତି ପଢି ପାରିବେ, ସେ କଥା ଚିନ୍ତା କରନ୍ତୁ । ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ, ଶିକ୍ଷକ ଅଭାବ ରଖି କମ ଶିକ୍ଷକରେ ଅଧିକ ଶିକ୍ଷାଦାନର ଚାପ ପକାଇଲେ, ଶିକ୍ଷକମାନଙ୍କ ମାନସିକତାରେ ପରିବର୍ତ୍ତନ କେମିତି ଆସିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । କେତେବେଳେ ଦାବି ପାଇଁ ଆନ୍ଦୋଳନରେ ଶିକ୍ଷକ ମାତୁଛନ୍ତି ତ ଆଉ କେତେବେଳେ ଦାବି ପୂରଣ ନେଇ ଦିନ ଗଡ଼ାଇ ଚାଲିଛନ୍ତି ସରକାର । ହେଲେ ସକରାର ଓ ଶିକ୍ଷକଙ୍କ ବିବାଦରେ ବଳି ପଡ଼ୁଛି ଶିକ୍ଷାଦାନ ।

ଦୀପାବଳିରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ଲଢେଇ’

ଭୁବନେଶ୍ୱର : ବଡ ପରାଦାରେ ଦର୍ଶକ ଦେଖିବେ `ଲଢେଇ’ । ଗ୍ରାଣ୍ଡ ଅଡିଓ ରିଲିଜ । ଦୀପାବଳିରେ ମୁକ୍ତିଲାଭ କରିବ ଏହି ଦମଦାର ଓଡ଼ିଆ ଫିଲ୍ମ ।   ବଳିଷ୍ଠ, ମୌଳିକ ଓ ଭିନ୍ନ ଧରଣର କଥାବସ୍ତୁ ଉପରେ ପର୍ଯ୍ୟବସିତ ଏହି ଫିଲ୍ମର କାହାଣୀ । ଜୀବନ ଏକ ଯୁଦ୍ଧ ସଦୃଶ। ଏଠି ମଣିଷକୁ ପ୍ରତି ମୁହୁର୍ତ୍ତରେ ଲଢେଇ କରିବାକୁ ପଡ଼ିଥାଏ  । ଏହି ଯୁଦ୍ଧରେ କିଏ ସାଥ ଦିଏ ତ ଆଉ କିଏ ସାଥ ଦେଇ ନଥାଏ ।ପ୍ରତ୍ୟେକ ମଣିଷର ଜୀବନରେ ଘଟୁଥିବା କାହାଣୀ ଟିଏ ହେଉଛି ଫିଲ୍ମ ଲଢେଇ । ଯାହାର କାହାଣୀ , ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା। ସଙ୍ଗୀତ ଦେଇଛନ୍ତି ଗୌରବ ଆନନ୍ଦ ଓ ସୋମେଶ ଶତପଥୀ । ନାୟିକା ଭୂମିକାରେ ଅଛନ୍ତି ଅଭିଲିପ୍ସା ଓ ଅଭିନେତା ରହିଛନ୍ତି ଲୋହିତାକ୍ଷ। ଫିଲ୍ମରସମସ୍ତ ଗୀତ ସହ ଅଭିନୟ ଓ କହାଣୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଆଶା ରଖିଛି ପଯୋଜନା ସଂସ୍ଥା ।

ଡିଆରଏସ ଏଣ୍ଟରପ୍ରାଇଜେସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ଲଢେଇ’। ‘ଆମର ମ୍ୟୁଜିକ’ରେ ମୁକ୍ତିଲାଭ କରିଥିବା ଏହାର ଅଡିଓକୁ ଏକ ଘରୋଇ ହୋଟେଲରେ ବର୍ଣ୍ଣାଢ୍ୟ ଉତ୍ସବରେ ଲୋକାର୍ପିତ କରାଯାଇଛି। ଏଥିରେ ଅତିଥି ଭାବେ ଯୋଗ ଦେଇ  ପ୍ରଦୀପ ପ୍ରଜ୍ବଳନ କରିଥିଲେ  ସ୍ବନାମଧନ୍ୟ ଉଦ୍ୟୋଗୀ ପୀୟୂଷ ମହାନ୍ତି, ପ୍ରଯୋଜକ ଟୁଟୁ ନାୟକ, ବିତରକ ପ୍ରଶାନ୍ତ ବେହେରା । ଏହି ଚଳଚ୍ଚିତ୍ର ଜରିଆରେ ନବାଗତ ନାୟକ ଲୋହିତାକ୍ଷ ଫିଲ୍ମ ଜଗତରେ ପଦାର୍ପଣ କରୁଛନ୍ତି। ରାପର ଆଡିକ୍ସନଙ୍କ ଦ୍ୱାରା ଶୀର୍ଷକ ଗୀତରେ ଏକ ରାପ ମଧ୍ୟ ସଂଯୋଜିତ ହୋଇଛି । ଏକ ବଳିଷ୍ଠ , ମୌଳିକ ଓ ଭିନ୍ନ ଧାରଣର କଥାବସ୍ତୁ ଉପରେ ଆଧାରିତ ଏହି ଆକସନ ଓ ରୋମାଣ୍ଟିକ ସିନେମା ସିନେ ଦର୍ଶକଙ୍କୁ ବେସ ପସନ୍ଦ ଆସିବ ବୋଲି ଆଶା ରଖିଛି ପଯୋଜନା ସଂସ୍ଥା ।

ନୂଆ ଯାତ୍ରା ପାର୍ଟି କରି ଯାତ୍ରା ମଇଦାନରେ ଏଣ୍ଟ୍ରି କରିଛନ୍ତି ରାଣୀ ପଣ୍ଡା

ଭୁବନେଶ୍ବର : ନର୍ତ୍ତକୀରୁ ନାଟ୍ଯମଣ୍ଡପ । ୫୦ ଟଙ୍କା ଆଇଟମ ଡ୍ୟାନ୍ସରୁ ୫ କୋଟିର ମାଲିକ ।  ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ଥିଲା । ରାଜନୀଗନ୍ଧା ହୋଇ ରାଜଧାନୀଙ୍କୁ ଏଣ୍ଟ୍ରି କଲେ ରାଣୀ । ଏବେ ଦେବଦାସୀ ହୋଇ ନାଚିବେ , ଆଉ ଲେଡି ଗ୍ୟାଙ୍ଗ ଷ୍ଟାର ହୋଇ ଡରାଇବେ।…ଜଲିଉଡ଼ର କଣ୍ଟ୍ରଭର୍ସି କୁଇନରୁ ଏବେ ବନିଛନ୍ତି ଯାତ୍ରା ମାଲିକ ରାଣୀ ପଣ୍ଡା। ବାଲିଅନ୍ତା ମେଳନ ପଡିଆରେ ତାଙ୍କର ଯାତ୍ରା ପାର୍ଟି ନାଟ୍ଯମଣ୍ଡପର ଚାଲିଛି ଆଖଡା କ୍ଯାମ୍ପ। ଦେବଦାସୀ ଯିବ ନାଟ୍ଯ ମଣ୍ଡପ ନାଟକର ଚାଲିଛି ଜୋରଦାର ରିହର୍ସଲ। ଦେବଦାସୀ ଭୂମିକାରେ ରାଣୀ ଥିବା ବେଳେ ରାଜା ଭୂମିକାରେ ଅଛନ୍ତି ଖଳନାୟକ ଚଗୁଲୁ । ଦେବଦାସୀ ପରମ୍ପରାକୁ ନେଇ ନାଟକର କାହଣୀ ଗତିଶୀଳ। ଏହି ନାଟକରେ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ବରିଷ୍ଠ ନାଟ୍ଯକାର ହରବାରିକ।

ସେପଟେ ନାଟ୍ଯ ମଣ୍ଡପର ଆଉ ଦୁଇଟି ନାଟକ ଲେଡି ଗ୍ଯାଙ୍ଗ ଷ୍ଟର ଓ ବାର ଗାର୍ଲର ଫାଇନାଲ ବିଜିଏମ ଶେଷ ହୋଇଛି। ଚଳିତ ବର୍ଷ ଯାତ୍ରା ଋତୁରେ ଲେଡି ଗ୍ଯାଙ୍ଗଷ୍ଟର ଚର୍ଚ୍ଚାରେ ରହିଛି। ଆଜିର ସମାଜାରେ ଜଣେ ମହିଳା କିଭଳି  ଗ୍ଯାଙ୍ଗଷ୍ଟାର ସାଜୁଛି ତାହା ନାଟକ ମାଧ୍ଯମରେ ଦେଖିବାକୁ ମିଳିବ। ଏହି ନାଟକକୁ ଡାକ୍ତର ଦୀପକ ଜେନା ରଚନା କରିଥିବା ବେଳେ ନିର୍ଦ୍ଦେଶକ ଅଛନ୍ତି ଲିଟିଲ ମାଷ୍ଟର ବିନୋଦ ରାଉତ। ଏହି ନାଟକରେ ଗୋଟିଏ ଲଭ୍ ସଙ୍ଗକୁ ବଲିଉଡ କଣ୍ଠଶିଳ୍ପୀ ସୋନୁନିଗମ କଣ୍ଠଦାନ କରିଛନ୍ତି। ସେହିଭଳି ଆଉ ଗୋଟିଏ ନାଟକ ବାରଗାର୍ଲ ମଧ୍ଯରେ ଚର୍ଚ୍ଚାରେ ରହିଛି। ଯାତ୍ରା ମଞ୍ଚରେ ପ୍ରଥମ କରି ଜଣେ କିନ୍ନର ସ୍ନେହାକୁ  ସୁଯୋଗ ଦେଇଛନ୍ତି ରାଣୀ ପଣ୍ଡା। ଏହି ନାଟକକୁ ରଚନା କରିଛନ୍ତି ଜଗନ୍ନାଥ ରାଉତ ଓ ନିର୍ଦ୍ଦେଶନା ଦେଇଛନ୍ତି ସୁବୋଧ ମିଶ୍ର। ରାଣୀ ପଣ୍ଡା ବ୍ଯତିତ ଅମର, ଚଗୁଲୁ, ବୁଲବୁଲ,  ସିନେ ଦୁନିଆର ହାସ୍ଯ ଅଭିନେତା ଗୁଡୁଙ୍କୁ ନାଟ୍ଯମଣ୍ଡପରେ ଦେଖିବାକୁ ମିଳିବ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭୁବନେଶ୍ବର ହାତୀଆଶୁଣୀରେ ନାଟ୍ଯମଣ୍ଡପ ତାର ପ୍ରଥମ କ୍ଯାମ୍ପରେ ଜଲୱା ଦେଖାଇବ। ଏବେ ଶୁଦ୍ଧା ୫୦ରୁ ଅଧିକ କମିଟି ବୁକ ସାରିଛନ୍ତି ।ପ୍ରଥମ କ୍ଯାମ୍ପକୁ ବଲିଉଡ ଅଭିନେତା ରାହୁଲ ରାୟ ଉଦଘାଟନ କରିବେ ବୋଲି ନାଟ୍ଯ ମଣ୍ଡପ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭିତରେ ଧମକପୁର୍ଣ୍ଣ ଲେଖା, ପୁରୀରେ ହଇଚଇ

ପୁରୀ : ଶ୍ରୀମନ୍ଦିର ଉପରେ ହେବ ଆତଙ୍କୀ ହମଲା । କାକୁଡି ଖାଇ ମନ୍ଦିର ନିକଟ ବୁଢ଼ୀ ମାଆ ମନ୍ଦିରର କାନ୍ଥରେ ଧମକପୁର୍ଣ୍ଣ ଲେଖା । ଅନେକ ଗୁଡିଏ ଫୋନ୍ ନମ୍ବର ବି ଉଲ୍ଲେଖ ରହିଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ପରିକ୍ରମା ମାର୍ଗ କାନ୍ଥରେ  ଏପରି ସ୍ପର୍ଶକାତର ସମ୍ବେଦନଶୀଳ ଲେଖାକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଥିଲା । ମାଳ ମାଳ ପୋଲିସ ସହ ସିସିଟିଭି କ୍ୟାମେରା ସତ୍ୱେ କିଏ ଏପରି ଲେଖିବାର ସାହସ କଲା ସେନେଇ ଚର୍ଚ୍ଚା ଜୋର ଧରିଥିଲା ।  ପୋଲିସର ପେଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ବୁଦ୍ଧିଜିବି ମହଲରେ ମଧ୍ୟ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିବାବେଳେ ଘଟଣାର ଅନୁସନ୍ଧାନ କରି ପଦକ୍ଷେପ ନେବାପାଇଁ ଦାବି କରାଯାଇଥିଲା । ଘଟଣା ପୋଲିସ କାନରେ ପଡିବା ପରେ ଆରମ୍ଭ ହୋଇଥିଲା ଅନୁସଂଧାନ ।

ପୁରୀ ଏସ୍ପି  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସିସିଟିଭି ଯାଞ୍ଚ ପରେ ଜଣେ ବ୍ୟକ୍ତିଙ୍କୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରାଯାଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ଗଡିଶାଗଦା ଅଞ୍ଚଳର ରଘୁନାଥ ସାହୁ ବୋଲି ଜଣାପଡିଛି । ସେ ଏପରି କାର୍ଯ୍ୟ କରିଥିବା ସ୍ପଷ୍ଟ ହୋଇଥିଲା । ତାଙ୍କର ମାନସିକ ସ୍ଥିତି ଠିକ ନାହିଁ । ତଦନ୍ତ ପରେ ପୋଲିସ ଏହା ସ୍ପଷ୍ଟ କରିଥିବାବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସ୍ୱତ୍ରନ୍ତ୍ର ଧ୍ୟାନ ଦିଆଯାଉଥିବା ପୁରୀ ଏସପି ମତ ରଖିଛନ୍ତି । ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ପୁରୀ ହୋଇଥିବା ବେଳେ ଏଠାରେ ଆତଙ୍କବାଦୀ ହମଲା ନେଇ ପୂର୍ବରୁ ଗୁଇନ୍ଦା ସୂଚନା ଥିବାରୁ କାନ୍ଥରେ ଏପରି ଲେଖାକୁ ନେଇ ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠିଛି  l

ପରିତ୍ୟକ୍ତ ପାଲଟିଲାଣି ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଛାତ୍ରାବାସ

ଜୟପୁର : ମୁଣ୍ଡ ଉପରେ ଝୁଲୁଛି ବିପଦ । ପରିତ୍ୟକ୍ତ ପାଲଟିଲାଣି ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଛାତ୍ରାବାସ । ପ୍ରତି ମୁହୁର୍ତରେ ମୃତ୍ୟୁକୁ ସାମ୍ନା କରୁଛନ୍ତି ୪୮ ଅନ୍ତେବାସୀ । ଶହେ ବର୍ଷର ଏହି ଛାତ୍ରାବାସ ଅବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡିଛି । ହେଲେ ପୁନରୁଦ୍ଧାର ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ କେହି ତତ୍ପରତା ପ୍ରକାଶ କରୁନାହାନ୍ତି । ପୂରା ଛାତ ଅନାବନା ଘାସରେ ପରିପୂର୍ଣ୍ଣ । ମରାମତି ଅଭାବରୁ ସବୁ ପ୍ରକୋଷ୍ଠରୁ ଗଳୁଛି ପାଣି । ଅଧା ପ୍ରକୋଷ୍ଠରେ ଲାଗିଛି ଭଙ୍ଗା କବାଟ । ଭଙ୍ଗା ଦଦରା ଖଟରେ ଶୋଉଛନ୍ତି ଅନ୍ତେବାସୀ  ଅସ୍ବାସ୍ଥ୍ୟକର ପରିବେଶରେ ରହି ଅନ୍ତେବାସୀ ଅଣନିଶ୍ବାସୀ ହୋଇ ପଡୁଥିବା ବେଳେ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବା ଆଶଙ୍କାକୁ ଏଡ଼ାଇ ହେଉନି । କମ୍ ସଂଖ୍ୟକ ପ୍ରକୋଷ୍ଠ, ବେଡ୍ କାରଣରୁ ସମସ୍ତ ଆବେଦନକାରୀଙ୍କୁ ହଷ୍ଟେଲ୍ ସୁବିଧା ମିଳିପାରୁନାହିଁ । ଛାତ୍ରାବାସରେ ୨୭ଟି ପ୍ରକୋଷ୍ଠ ଥିବା ବେଳେ ୪ଟି ପ୍ରକୋଷ୍ଠ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।  ବଳକା ୨୦ଟି ରୁମରେ ରହୁଛନ୍ତି ଅନ୍ତେବାସୀ । ଛାତ୍ରାବାସ ଉପର ଛାତ ଟିଣରେ ତିଆରି ହୋଇଥିବାରୁ ସବୁ ନଷ୍ଟ ହୋଇଗଲାଣି ।

ବାର୍ଷିକ ଛାତ୍ରାବାସ ପାଇଁ ଟଙ୍କା ଆଦାୟ କରୁଛନ୍ତି ବିଶ୍ବ ବିଦ୍ୟାଳୟ କତ୍ତୃପକ୍ଷ । ଅଥଚ ଜରାଜୀର୍ଣ୍ଣ ଛାତ୍ରାବାସର ଚିତ୍ର ବଦଳି ପାରୁନି ବୋଲି ଅଭିଯୋଗ କରିଛନ୍ତି ପୁର୍ବତନ ଛାତ୍ର ସଭାପତି ।  ଛାତ୍ରାବାସ ୧୯୦୮ ମସିହାରେ ରାଜା ରାମଚନ୍ଦ୍ର ଦେବ କୁମାର ମହାରାଜାଙ୍କ ସମୟରେ ତତ୍କାଳୀନ ବିଶାଖାପାଟଣା ଗଭର୍ଣ୍ଣରଙ୍କ ଏଜେଣ୍ଟ୍ ଆର୍. ଏଚ୍. କ୍ୟାମ୍ପେବଲ୍ ଏହି ଛାତ୍ରାବାସର ଶିଳାନ୍ୟାସ କରିଥିଲେ । ୧୯୪୭ରେ ବିକ୍ରମଦେବ ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଏହି କୋଠାରେ ଛାତ୍ରାବାସ କରାଯାଇଥିଲା । ହଷ୍ଟେଲର ପୁନଃଉଧାର ପାଇଁ ଶିକ୍ଷାବିଭାଗ ତଥା ପୁର୍ତ୍ଵ ବିଭାଗ କୁ ଅବଗତ କରାଯାଇଛି । ଯଥା ଶୀଘ୍ର ଏହାକୁ ମରାମତି ମଧ୍ୟ କରାଯିବା ପାଇଁ ଚିଠି ଲେଖାଯାଇଥିବା କହିଛନ୍ତି କର୍ତ୍ତୃପକ୍ଷ । ଅନେକ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଏବଂ ବହୁ କୃତି ଛାତ୍ରଙ୍କ ସ୍ମୃତିର ମୂକସାକ୍ଷୀ ଛାତ୍ରାବାସର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

ରାଉରକେଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିଚ ବଜାରରେ ବ୍ୟବସାୟୀଙ୍କୁ ହତ୍ୟା

ରାଉରକେଲା : ରାଉରକେଲାରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା । ଆଇନକୁ ଭୟ ନକରି ମାତିଛନ୍ତି ଅପରାଧୀ । ଗତକାଲି ରାତିରେ ବିଚ ବଜାରରେ ସ୍କ୍ରାପ ବ୍ୟବସାୟୀଙ୍କୁ ପିଟିପଟି ମାରିଦେଲେ ଅଭିଯୁକ୍ତ । ଘଟଣାରେ ଜଣକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଆମ୍ଵାଗାନ ମାର୍କେଟ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ ।  ବିବେକାନନ୍ଦ ପାଲ୍ଲି ବସ୍ତିରେ ରହୁଥିବା ସ୍କ୍ରାପ ବ୍ୟବସାୟୀ ଏସ କେ ଲାଲଟୁଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଛି । ମଦ ଓ ଗଞ୍ଜେଇ ନିଶାରେ ଥିବା କିଛି ଯୁବକଙ୍କ ମଧ୍ୟରେ ବଚଷା ଓ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଏସ କେ ଲାଲଟୁ ଗଣ୍ଡଗୋଳ ଛଡ଼ାଇବାକୁ ଆସିଥିବା ବେଳେ ତାଙ୍କୁ ଲାଠିରେ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି।

ହତ୍ୟାକାଣ୍ଡକୁ ନେଇ ସେକ୍ଟର ୧୯ ଥାନାରେ ଅଭିଯୋଗ ହେବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା  ମୁଖ୍ୟ ଅଭିଯୁକ୍ତକୁ ସେକ୍ଟର ୧୯ ଥାନା ପୋଲିସ ଗିରଫ କରିଛି । ଏହାସହ ଆଉ ଏକ ମାମଲାରେ ଗଣ୍ଡଗୋଳ କରିଥିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି। ଆକ୍ରମଣ ଓ ଗଣ୍ଡଗୋଳ ସମୟରେ ତିନୋଟି ଅଟୋ ଭଙ୍ଗାରୁଜା ହୋଇଥିବା ମଧ୍ୟ ଜଣାପଡିଛି । ହତ୍ୟା ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଚାଷ ଭଲ ସହ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ଆଦିବାସୀଙ୍କ ଡଙ୍ଗର ଯାତ୍ରା

ଧର୍ମଗଡ : ଆଦିବାସୀଙ୍କ ଡଙ୍ଗର ଯାତ୍ରା । କାହିଁ କେଉଁ କାଳରୁ ପାଳନ ହୋଇ ଆସୁଛି । ଦୈବୀ ଶକ୍ତି ଉପରେ ଅଗାଢ ବିଶ୍ୱାସ କରୁଥିବା ଆଦିମ ଆଦିବାସୀ ମାଟି ମାଆ ଓ ଜଙ୍ଗଲ ଜମି ଓ ଚାଷ ବାସକୁ ନେଇ କୃଷି ଭିତ୍ତିକ ପର୍ବ ଡଙ୍ଗର ଯାତ୍ରା ପାଳନ କରନ୍ତି  l ଯେକୌଣସି ରୋଗ ବ୍ୟାଧି ଦୂର କରିବା ପାଇଁ ହେଉ ଅବା ଭଲ ଚାଷ ପାଇଁ ଏମାନେ ଡଙ୍ଗର ଯାତ୍ରା ମାଧ୍ୟମରେ ଠାକୁରାଣୀଙ୍କର ପୂଜା କରନ୍ତି । ବିଶେଷ କରି ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଏସବୁ ପର୍ବ ପାଳିତ ହେଉଥିଲେ ବି କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳ ଗୋତୋମୁଣ୍ଡାର ଏହି ଯାତ୍ରା ନିଆରା  l ଗାଁ ରୁ ତିନି କିମି ଦୂରରେ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହି ଯାତ୍ରା ହୋଇଥାଏ ।

ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ବାର ମାସରେ ତେର ପର୍ବ ପାଳିତ ହୁଏ । ଅଖି ତୃତୀୟାରେ ବିହନ ଯାତ୍ରା ହେଉଥିବା ବେଳେ ରୁଆ ବେଉଷଣ ଶେଷରେ ଚାଷ ବାସ ଭଲ ଓ ଗାଁରୁ ରୋଗ ବ୍ୟାଧି ଦୂର ପାଇଁ ଆଷାଢ଼ ମାସରେ ବୋହୋଲେନ୍ ଯାତ୍ରା । ପରେ ଭଲ ଫସଲ ସାଙ୍ଗକୁ ବର୍ଷା ଓ ଚାଷ ବାସରେ ଯେମିତି ରୋଗପୋକ ନହେବ ଶ୍ରାବଣ ପୂର୍ଣ୍ଣିମା ପରେ ପାଳନ ହୁଏ ଡଙ୍ଗର ଯାତ୍ରା  l କାହିଁ ଆବାହମାନ କାଳରୁ ଚାଲି ଆସୁଥିବା ଏହି ପର୍ବରେ ଗ୍ରାମ୍ୟ ଦେବା ଦେବୀ ପୂଜା ପାଉଛନ୍ତି । ମାନସିକ ଧାରୀ କୁକୁଡ଼ା ପାରା ଓ ବୋଦା ବଳି ଦେଇ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପ୍ରସ୍ତୁତ ହୋଇ ଥାଆନ୍ତି  l ଡଙ୍ଗର ଯାତ୍ରା ଚାଷ ବାସର ପର୍ବ ତାହା ନୁହେଁ ଏହି ପର୍ବ ଭାଇଚାରା ଆଣିଦିଏ ।

ଆସୁଛି ଗଣେଶ ପୂଜା, କଣ୍ଟାମାଳରେ ଭଳିକି ଭଳି ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର

କଣ୍ଟାମାଳ : ଆସୁଛି ଗଣେଶ ପୂଜା । ଆଦ୍ଯପୂଜ୍ଯଙ୍କ ଆରାଧନାରୁ ଆରମ୍ଭ ହେବ ପାର୍ବଣ ଋତୁ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନ । ଭଳିକି ଭଳି ମୂର୍ତ୍ତି ତିଆରିରେ ଲାଗିପଡିଛନ୍ତି କାରିଗର । ମାଟି, ପାଣି, କୁଣ୍ଡା, କପଡା, ପାଳ ଆଦି ଜିନିଷର ମିଶ୍ରଣରେ କାରିଗର ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି । ମୂଷା ପିଠିରେ ବସିବା, ମୁଣ୍ଡରେ ପଗଡି ଭିଡିଥିବା ଗଣେଶ ସାଙ୍ଗକୁ ଶିବଲିଙ୍ଗକୁ ଧରିଥିବା ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି କାରିଗର । ଆକର୍ଷଣୀୟ ମୂର୍ତ୍ତି ପାଇଁ କାରିଗରଙ୍କ ପାଖକୁ ବଇନା ମଧ୍ୟ ଆସିଲାଣି l…

ସେପଟେ ବିଘ୍ନବିନାଶକଙ୍କ ପୂଜା ପାଇଁ ଚଳଚଞ୍ଚଳ କଟକ ଜିଲ୍ଲା ବାରଙ୍ଗ ବ୍ଲକ ରାମଦାସପୁର ବାର୍ଷିଙ୍ଗା କୁମ୍ଭାର ସାହି । କିଏ ମୂର୍ତ୍ତି ଗଢୁଛନ୍ତି ତ କିଏ ମାଟି ଚକଟିବାରେ ଲାଗିପଡିଛନ୍ତି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ଭଳିକି ଭଳି ମୂର୍ତ୍ତି ତିଆରି କରୁଛନ୍ତି କାରିଗର । ବାର୍ଷିଙ୍ଗା କୁମ୍ଭାର ସାହିରେ ନିର୍ମାଣ ହେଉଛି ୨୦ ଫୁଟ ଉଚ୍ଚତାର ଗଜାନନଙ୍କ ମୃଣ୍ମୟ ମୂର୍ତ୍ତି । ଏଠାରେ ନିର୍ମାଣ ହେଉଥିବା ମୂର୍ତ୍ତିର ଚାହିଦା ବହୁତ ଅଧିକ ରହିଥାଏ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳର ଅନେକ ଲୋକ ଏଠାକୁ ଆସିଛି ମୂର୍ତ୍ତି କିଣିନେଇଥାନ୍ତି । ଚଳିତ ବର୍ଷ ପୂଜାରେ କାରିଗରଙ୍କ ହାତ ତିଆରି ସୁନ୍ଦର ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ନିଶ୍ଚୟ ।