spot_img
Home Blog Page 4877

ଶୀତ ଅଧିବେଶନ ପୂର୍ବରୁ କରୋନା ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: ଡିସେମ୍ବର ୧ରୁ ଆରମ୍ଭ ହେଉଥିବା ବିଧାନସଭା ଶୀତ ଅଧିବେଶନ ପାଇଁ ବାଧ୍ୟତାମୂଳକ କରାଯାଇଛି କରୋନା ଟେଷ୍ଟ । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ,ସାମ୍ବାଦିକ ଓ ସୁରକ୍ଷା କର୍ମୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ୩ ଦିନ ଧରି କରାଯିବ ଟେଷ୍ଟ ।

୨୮ରୁ ୩୦ ତାରିଖ ଯାଏଁ ଟେଷ୍ଟ କରାଯିବ । ସକାଳ ୮ରୁ ସନ୍ଧ୍ୟା ସାଢ଼େ ୫ଟା ଯାଏଁ ଟେଷ୍ଟିଂ ହେବ । ରିପୋର୍ଟ ନେଗେଟିଭ୍ ଆସିଲେ ଅଧିବେଶନରେ ସାମିଲ ହେବାକୁ ଅନୁମତି ମିଳିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ସ୍ମାର୍ଟ ହେଲଥ୍ କାର୍ଡ ସେବା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ସ୍ବାସ୍ଥ୍ୟସେବାର ସୁବର୍ଣ୍ଣ ଯୁଗ । ଲେଖାହେଲା ସ୍ବାସ୍ଥ୍ୟସେବାର ସ୍ମାର୍ଟ କାହାଣୀ । ଜିଲ୍ଲାରେ ବିଏସକେଓ୍ବାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସୋନପୁରରେ ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାରର ପ୍ରାୟ ଦେଢ଼ ଲକ୍ଷ ଲୋକ ଏଥିରେ ଉପକୃତ ହେବେ । ଗୋଟିଏ ପରିବାରର ସଦସ୍ୟଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ । ଦେଶରେ ଏପରି ସେବା ଯୋଗାଇବାରେ ରାଜ୍ୟ ପ୍ରଥମ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଏଥିରୁ ଉପକୃତ ହେବେ। କେବଳ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସପିଟାଲରେ ଉନ୍ନତ ଚିକିତ୍ସା ପାଇପାରିବେ ।

ଦେଶ ବିଦେଶରେ ଓଡ଼ିଶାର ଗୌରବ ବଢାଇଛନ୍ତି ସୁବର୍ଣ୍ଣପୁରର ବୁଣାକାର ଭାଇ ଓ ଭଉଣୀମାନେ । ଏମଏସଏମଇ ଦ୍ବାରା ସୋନପୁରରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ଜଳସେଚନ ପାଇଁ ପଦକ୍ଷେପ ନିଆଯାଇଛି । ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ସୋନପୁରରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି । ଏବେ ସ୍ମାର୍ଟ ହେଲଥ କାର୍ଡ ସେବା ଆରମ୍ଭ ହେବା ପରେ ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ ।

ସାମାନ୍ୟ ଥଣ୍ଡା ଜ୍ବର ହେଲେ କରନ୍ତୁ କରୋନା ଟେଷ୍ଟ

ଭୁବନେଶ୍ବର: ଲକ୍ଷଣ ବଦଳାଉଛି କରୋନା । ରାଜ୍ୟରେ କରୋନା ସ୍ଥିତି ଉପରେ ରହିଛି କଡା ନଜର । ଟେଷ୍ଟିଂ ଓ ସର୍ଭେଲାନ୍ସକୁ ଦିଆଯାଉଛି ଗୁରୁତ୍ବ । ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଟେଷ୍ଟ କଲେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନେ ସୁରକ୍ଷିତ ହୋଇପାରିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସୁନ୍ଦରଗଡ ଓ ବୁର୍ଲାର ଭୀମସାରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ମଧ୍ୟ ମତ ରଖିଛନ୍ତି । ସେ କହିଛନ୍ତି, ‘ସଂକ୍ରମଣକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଭୀମସାର ଓ ସୁନ୍ଦରଗଡରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି । ବାହାର ପିଲା ଭିତରକୁ ପ୍ରବେଶ କରିବେ ନାହିଁ, କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ଏଥିପାଇଁ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ଚିହ୍ନଟ ବ୍ୟକ୍ତିଙ୍କଠାରେ ସିଭିୟରିଟି କମ୍‌ ରହିଛି । ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ।’

ସେ ଆହୁରି କହିଛନ୍ତି, ‘ଯେହେତୁ ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଛନ୍ତି ତେଣୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଏଥିପାଇଁ ହଷ୍ଟେଲରେ ସ୍ବତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି । ୪ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିଯିବ ।’

ବର୍ତ୍ତମାନ ଲୋକେ କରୋନ ନିୟମକୁ ବହୁଳ ଭାବେ ଉଲ୍ଲଂଘନ କରୁଛନ୍ତି । ନା ସାମାଜିକ ଦୂରତା ରଖୁଛନ୍ତି, ନା ମାସ୍କ ପିନ୍ଧୁଛନ୍ତି । ଯାହା ଆଗାମୀ ଦିନରେ ବଡ଼ ବିପଦକୁ ଡାକି ଆଣିପାରେ । ସଚେତନ ହେବା ସହ ଆବଶ୍ୟକତା ନଥିଲେ ଘରୁ ନବହାରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ।

ମେଘାଳୟ କଂଗ୍ରେସରେ ବିଦ୍ରୋହ, ଦଳ ଛାଡ଼ି ଟିଏମସିରେ ମିଶିଲେ ୧୨ ବିଧାୟକ

ସିଲଙ୍ଗ: ମେଘାଳୟ କଂଗ୍ରେସରେ ବଡ଼ ଧରଣର ବିଦ୍ରୋହ । ବିଳମ୍ବିତ ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମାଙ୍କ ନେତୃତ୍ବରେ ୧୨ ବିଧାୟକ କଂଗ୍ରେସ ଛାଡ଼ି ଟିଏମସିରେ ଯୋଗଦେଲେ । ଦଳ ବଦଳ ନେଇ ବିଧାୟକମାନେ ଲିଖିତ ଭାବେ ବାଚସ୍ପତି ମେତବା ଲିଙ୍ଗଡୋଙ୍କୁ ଲିଖିତ ଅବଗତ କରାଇଛନ୍ତି । ଆଜି ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ ।

ଦଳବଦଳ ଯୋଗୁ ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ ଟିଏମସି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି ।  ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଦିଲ୍ଲୀରେ ଥିବା ବେଳେ ଏହି ମିଶ୍ରଣ ପର୍ବ ଘଟିଛି । ଗତ କିଛିମାସ ଧରି ରାଜ୍ୟରେ କଂଗ୍ରେସର ଅସନ୍ତୋଷ ଜାରି ରହିବା ସହ ଏକ ବଡ ପରିବର୍ତ୍ତନ ହେବା ଆଶଙ୍କା ସୃଷ୍ଟି ହେଉଥିଲା । କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ସହ ମମତାଙ୍କ ଭଲ ସମ୍ପର୍କ ଥିବା ବେଳେ ଦୁଇ ନେତ୍ରୀଙ୍କ ମଧ୍ୟରେ ଏକ ବୈଠକ ହେବ ବୋଲି ଚର୍ଚ୍ଚା ଚାଲିଥିଲେ ବି ଏହା ଘଟିନାହିଁ । ଯେଉଁ ପ୍ରମୁଖ ବିଧାୟକ ଦଳ ଛାଡିଛନ୍ତି, ସେମାନେ ଗାରୋ ପାର୍ବତ୍ୟାଞ୍ଚଳ ଓ ଖାସି ଜୈନତାଲା ପାର୍ବତ୍ୟାଞ୍ଚଳର ପ୍ରତିନିଧି । କିଛି ଦିନ ଧରି କଂଗ୍ରେସ ହାଇକମାଣ୍ଡଙ୍କ ସହ ସାଙ୍ଗମାଙ୍କ ଭଲ ସମ୍ପର୍କ ନଥିଲା ଏବଂ ରାଜ୍ୟରେ ତାଙ୍କୁ ଦଳ ପକ୍ଷରୁ ଗୁରୁତ୍ବ ଦିଆଯାଉ ନଥିଲା । କିଛିଦିନ ତଳେ କୋଲକାତା ଗସ୍ତରେ ଯାଇ ସାଙ୍ଗମା ଟିଏମସି ନେତାଙ୍କ ସହ ଆଲୋଚନା କରିଥିଲେ । ଦଳ ପରିବର୍ତ୍ତନ ପରେ ଟିଏମସିର ବିଧାୟକ ସଂଖ୍ୟା ୧୨ ହୋଇଥିବା ବେଳେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୮ରୁ ଖସି ୬କୁ ପଳାଇ ଆସିଛି।

ନାବାଳକ, ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ?

ବାରିପଦା: ପୁଆକୁ ୧୬ ବର୍ଷ, ଝିଆକୁ ୧୪ । ଉଭୟଙ୍କ ଝୁଲନ୍ତା ମୃତଦେହ ମିଳିଲା ଆମ୍ବ ଗଛରୁ । ଉଭୟ ସମ୍ପର୍କୀୟ ଭାଇଭଉଣୀ । ପୋଲିସ ଉଦ୍ଧାର କରି ଆରମ୍ଭ କରିଛି ତଦନ୍ତ । ଦୁଇ ନାବାଳକ ଓ ନାବାଳିକାଙ୍କ ମୃତ୍ୟୁକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ଉଭୟଙ୍କ ମଧ୍ୟରେ କି ସମ୍ପର୍କ ଥିଲା ? ଏହା ଆତ୍ମହତ୍ୟା ନା ହତ୍ୟା ? ଅନର କିଲିଂ ନୁହେଁ ତ?

ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଗାଁ ପାଖ କେନାଲରେ ଥିବା ଆମ୍ବଗଛରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ମୃତ ନାବାଳକ ଓ ନାବାଳିକା ସମ୍ପର୍କୀୟ ମାଉସୀ ପୁଆ ଝିଆ ଭାଇ ଭଉଣୀ ବୋଲି ଜଣାପଡିଛି । ଉଭୟଙ୍କ ପରିବାର ଲୋକ ଧାନ କାଟିବାକୁ ନାମାଳ ଯାଇଥିବା ବେଳେ ଏହି ଘଟଣା ଘଟିଛି ।

ମାର୍ଗଶିର ପ୍ରଥମ ଗୁରୁବାର: ଆସିଛନ୍ତି ମାଆ ଲକ୍ଷ୍ମୀ, ପିଠାପଣା ବାସ୍ନାରେ ମହକୁଛି ଗାଁ ଦାଣ୍ଡ

ଭୁବନେଶ୍ବର: ଆଜି ମାର୍ଗଶିର ପ୍ରଥମ ଗୁରୁବାର । ଓଡ଼ିଆ ଘରର ବଡ଼ ପୂଜା । ଘରେ ଘରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ ।  ନାରୀ ଶକ୍ତିର ପ୍ରତୀକ ମାଣବସା ଗୁରୁବାରକୁ ନେଇ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ ।

ଓଡ଼ିଆ ଘରେ ମାଣବସା ଗୁରୁବାରର ବିଶେଷ ମହତ୍ବ ରହିଛି । ଆମ ସମାଜ ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଏହି ମାଣବସା ପୂଜା । ବଡଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀ ପାରିବାରିକ ସମ୍ପର୍କକୁ ନେଇ ମାଣବସା ଗୁରୁବାର ପୂଜା କରାଯାଇଥାଏ ।

ଧନ ଓ ସମୃଦ୍ଧିର ପ୍ରତୀକ ମାଆ ଲକ୍ଷ୍ମୀଙ୍କ ପୂଜାରେ ବ୍ୟସ୍ତ ଓଡ଼ିଆ ଘରର ବୋହୂ । ସିନ୍ଦୁରା ଫାଟିବା ପୂର୍ବରୁ ଘରର ମହିଳାମାନେ ଉଠି ନିତ୍ୟକର୍ମ ସାରିବା ପରେ ଗୋବର ପବିତ୍ର ଜଳରେ ଘର ଦାଣ୍ଡ ପରିଷ୍କାର କରିବା ପରେ ଗାଧୋଇ ମାଆଙ୍କ ପୂଜା ଆରମ୍ଭ କରିଛନ୍ତି । ନୂଆ ଧାନରେ କେନ୍ଦା କରି, ମାଣରେ ସିନ୍ଦୁର ଓ କଉଡିରେ ମାଆଙ୍କ ପ୍ରତୀମା ପ୍ରସ୍ତୁତ କରି କାଠ ଖଠୁଲିରେ ମାଆଙ୍କ ପୂଜା କରାଯାଉଛି । ପିଠାପଣା, ସହ ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନରେ ମହକୁଛି ଗାଁ ଦାଣ୍ଡ ।

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବାରିପଦା:  ବାରିପଦା ସ୍ଥିତ ଆଇଟିଡିଏ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକା ସାଙ୍ଗରେ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ବାରିପଦାସ୍ଥିତ କାର୍ଯ୍ୟାଳୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଭଞ୍ଜପୁର ସ୍ଥିତ ବାସସ୍ଥାନ, ବାଲିଆପାଳର ଭୋଗରାଇ ସ୍ଥିତ ପୈତୃକ ଘର, ଶ୍ବଶୁର ଘର ଓ ଭୁବନେଶ୍ବର ସମେତ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ କରୁଛନ୍ତି ତଲାସୀ ।

ଦୀର୍ଘ ୮ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରି କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା । ଠିକାଦାରଙ୍କ ଜାଲି ଦସ୍ତଖତକୁ ନେଇ ଅନେକ ସମୟରେ ଟଙ୍କା ଉଠାଇ ନେଇଥିବାର ଠିକାଦାର ଅଭିଯୋଗ ଆଣିଥିଲେ । ଏହାସହ ଜିଏସଟି ଠକେଇ ମାମଲାରେ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି ।

ସ୍ବାମୀ ଘର ଆଗରେ ମାଣ ବସେଇ ସ୍ତ୍ରୀ ମାଗୁଛନ୍ତି ନ୍ୟାୟ

ବ୍ରହ୍ମପୁର: ଲକ୍ଷ୍ମୀ ପୁରାଣ ଧ୍ବନୀରେ ପାଟି ପଡୁଛି ଦାଣ୍ଡ । ଲାଗିଛି ଫଳମୂଳର ଭୋଗ । ସ୍ବାମୀଙ୍କ ଘର ଆଗରେ ମାଣ ବସାଇଲେ ସ୍ତ୍ରୀ । ୪ଦିନ ହେବ ନ୍ୟାୟ ଭିକ୍ଷା କରି ଶ୍ବଶୁର ଘର ସାମ୍ନାରେ ଧାରଣାରେ ବସିଥିବା ଏବେ ଆଜି ମାଣ ବସାଇ ଏମିତି ପ୍ରତିବାଦ କରିଛନ୍ତି ପତ୍ନୀ ।

ଘଟଣାଟି ବ୍ରହ୍ମପୁର ବ୍ରହ୍ମାନଗର ଦ୍ବିତୀୟ ଲେନ ଅଞ୍ଚଳର । ୪ ଦିନ ହେବ ବଧୂ ବେଶରେ ସ୍ବାମୀ ସୁମିତଙ୍କ ଘର ଆଗରେ ନ୍ୟାୟ ଦାବିରେ ବସିଛନ୍ତି ତପସ୍ବିନୀ ଓରଫ ଡିମ୍ପଲ୍ । ଆଜି ମାର୍ଗଶୀର ପ୍ରଥମ ଗୁରୁବାର ଥିବାରୁ ଶାଶୁ ଘର ଆଗରେ ଲକ୍ଷ୍ମୀ ପୂଜା କରିଛନ୍ତି ଡିମ୍ପଲ । ଅନ୍ୟପଟେ ପୀଡିତାଙ୍କ ସପକ୍ଷରେ ଗତକାଲି ରାତିରେ ସାହି ବାସିନ୍ଦା ମେଳି ହୋଇଥିଲେ । ସୁମିତ ସେମାନଙ୍କୁ ଆାଇନର ପାଠ ପାଠ ପଢ଼ାଇବା ପରେ ସେମାନେ ନିଜ ନିଜ ଘରକୁ ପଳାଇଥିବା ଅଭିଯୋଗ ହୋଇଛି ।

ଏପଟେ ତପସ୍ବିନୀଙ୍କ ସହ ବାହାଘର ହୋଇଥିବା କଥାକୁ ସୁମିତ ଏବଂ ତାଙ୍କ ବାପା ସ୍ବୀକାର କରିଛନ୍ତି । ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ୍ । ଅନ୍ୟପଟେ ସୁମିତଙ୍କ ମାଆ ଓ ଜେଜେମାଆ ବନ୍ଦ ଘରେ ରହୁଛନ୍ତି । ସେମାନଙ୍କ ଦେହ ଖରାପ ହୋଇଥିବାରୁ ସେମାନେ ବାହାରକୁ ଆସି ପାରୁନାହାନ୍ତି । ଘଟଣାକୁ ନେଇ ନିଜ ଓକିଲଙ୍କ ସହ ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ସୁମିତ୍ ।

ଚୂନ ମରା ଠକ କମ୍ପାନୀ ଉପରେ ସିବିଆଇ ଚଢ଼ାଉ, ଦୁଇଟି ବ୍ୟାଙ୍କକୁ ଲୁଟିଛି

କଟକ: ଦୁଇ ଦୁଇଟି ବ୍ୟାଙ୍କକୁ ଚୂନ ମାରି ୧୪୦.୪୮ କୋଟି ଟଙ୍କା ଚଳୁ କରିଥିବା ଠକ କମ୍ପାନୀ ଉପରେ ସିବିଆଇ ଚଢ଼ାଉ । କଟକ ସ୍ଥିତ ଏସଆର ଆଲକୋଭେଦ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଉପରେ ଚାଲିଛି ଚଢ଼ାଉ ।

ଅଭିଯୋଗ ଅନୁସାରେକଟକ ଜଗତପୁରରେ ରହିଛି ଏହି ସଂସ୍ଥା । ସଂସ୍ଥା ଏମ୍‌ଡି ରଞ୍ଜନ କୁମାର ପାଢୀ ରହିଥିବା ବେଳେ ତାଙ୍କ ପତ୍ନୀ ସାଇନା କର ନିର୍ଦ୍ଦେଶକ ଅଛନ୍ତି । ବ୍ୟବସାୟ ବଢାଇବା ଆଳରେ କଟକ ବକ୍ସିବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଆହ୍ଲାବାଦ ବ୍ୟାଙ୍କରେ କମ୍ପାନୀ ଲୋନ୍ ପାଇଁ ଆବେଦନ କରିଥିଲା । ନୈନାଦେବୀ ସପ୍ଲାର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଚନ୍ଦ୍ରଘଣ୍ଟା ଆଇରନ୍ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ୍ ଗ୍ୟାରେଣ୍ଟର ପକାଇଥିଲା । ବ୍ୟାଙ୍କର କେତେକ କର୍ମଚାରୀଙ୍କୁ ଧରାଧରି କରି କମ୍ପାନୀ ଲୋନ୍‌ ମଞ୍ଜୁରୀ କରି ନେଇଥିଲେ । ୨୦୧୩ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଓ  ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ଆକାରରେ ଉଠାଇଥିଲା ।

ଲୋନ୍ ନେବା ପରେ ଆରମ୍ଭ ହୋଇଥିଲା ଠକ ସଂସ୍ଥାର ଠମାକୀ । ଋଣ ନେବା ପରଠାରୁ ସଂସ୍ଥାର ଅଭିଯୁକ୍ତ ଅଧିକାରୀ ମାସକୁ ମାସ ଟଙ୍କା ପୈଠ କରିନଥିଲା । ଏପରିକି ବ୍ୟାଙ୍କ ପକ୍ଷରୁ ନୋଟିସ୍ କରାଯାଇଥିଲେ ମଧ୍ୟ ଶୁଣିନଥିଲେ । ଋଣ ଟଙ୍କା ବଢ଼ି ବଢ଼ି ଏବେ ୧୪୦.୪୮ କୋଟିରେ ପହଞ୍ଚିଛି । ଲୋନ୍‌ ପରିଶୋଧ ନକରିବାରୁ ଶେଷରେ ବ୍ୟାଙ୍କର ମ୍ୟାନେଜର ଏନେଇ ସିବିଆଇରେ ଅଭିଯୋଗ କରିଥିଲେ । ଆଜି ସିବିଆଇ ଟିମ୍ କମ୍ପାନୀର ଅଫିସରେ ଚଢ଼ାଉ କରି କାଗଜପତ୍ର ଜବତ କରିଛି ।

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ

କାନପୁର: ଆଜିଠୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ । କାନପୁରରେ ମୁହାଁମୁହଁ ହେବେ ଉଭୟ ଟିମ୍ । ଯୁବ ଟିମକୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ବିରାଟ କୋହଲି, ରୋହିତ ଶର୍ମା ଓ ରିସଭ ପନ୍ଥଙ୍କୁ ବିଶ୍ରାମ ଦିଆଯାଇଛି । ଟିମ ଇଣ୍ଡିଆର ନେତୃତ୍ବ ନେବେ ଆଜିଙ୍କ୍ୟ ରାହାଣେ ।

ଆଜି ଟେଷ୍ଟରେ ଡେବ୍ୟୁ କରିବେ ଯୁବ କ୍ରିକେଟର ଶ୍ରେୟସ ଆୟର । ମାୟଙ୍କ ଅଗ୍ରଓ୍ବାଲ, ଶୁଭମନ ଗିଲ୍, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ରିଦ୍ଧିମାନ ଶାହାଙ୍କ ଭଳି ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ସେପଟେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ କିଓ୍ବି ଟିମ୍ । ରସ୍ ଟେଲର, ଓ୍ବିଲ୍ ୟଙ୍ଗ, ମିଚେଲ, ଟିମ ସାଉଥୀଙ୍କ ଭରସାରେ ପଡ଼ିଆକୁ ଓହ୍ଲାଇବ କିଓ୍ବି ଟିମ୍ । ଏହା ପୂର୍ବରୁ ଟି-୨୦ରେ ଭାରତ ୩-୦ରେ କ୍ଲିନ ସ୍ବିପ୍ କରିଥିଲା ।