ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ କର୍ଣ୍ଣାଟକର ଦୁଇ ହେଭିୱେଟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାର। ଉଭୟଙ୍କୁ ଡାକିଛନ୍ତି ହାଇକମାଣ୍ଡ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନଙ୍କ ବାସଭବନରେ ହେବ ବୈଠକ। ନିଜେ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ରହିବେ। ନିଜ ନିଜର ସମର୍ଥକଙ୍କ ସହିତ ଶିବ କୁମାର ଓ ସିଦ୍ଦରମୈୟା ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଦୁଇ ନେତାଙ୍କ ସହିତି ଆଲୋଚନା କରିବେ ହାଇକମାଣ୍ଡ। କର୍ନାଟକରେ ନେତୃତ୍ଵ ପରିବର୍ତ୍ତନ ନେଇ ଚର୍ଚ୍ଚା ଲାଗି ରହିଛି। ବଦଳିବେ କି ମୁଖ୍ୟମନ୍ତ୍ରୀ, ଏହି ପ୍ରଶ୍ନ ବେଶ୍ କିଛି ଦିନ ହେଲା ଉଠୁଛି। ସିଦ୍ଦରମୈୟାଙ୍କୁ ହଟାଇ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଦୁଇ ଜଣଙ୍କୁ ଦିଲ୍ଲୀ ଡକା ଯାଇଛି। ସିଏମ୍ ଚୌକିକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବହୁ ଦିନରୁ ଚାଲିଛି ଛକାପଞ୍ଝା। ଦେଖିବାକୁ ଗଲେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ଦିନରୁ ହିଁ ଉଭୟଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ପରିସ୍ଥିତିରେ ପଡ଼ି ସ୍ଵଚ୍ଛ ଭାବମୂର୍ତ୍ତି ପାଇଁ କଂଗ୍ରେସ ସିଦ୍ଦରମୈୟାଙ୍କୁ ସିଏମ୍ କରିଥିଲା। କିନ୍ତୁ ଶିବ କୁମାରଙ୍କ ନେତୃତ୍ଵରେ ହିଁ ଦଳ ସେଠାରେ ନିର୍ବାଚନ ଲଢିଥିଲା। ଦଳକୁ ଜିତାଇବାରେ ତାଙ୍କର ବଡ଼ ଭୂମିକା ଥିଲା। କିନ୍ତୁ ତାଙ୍କ ବିରୋଧରେ ଇଡି ଲାଗିଥିବାରୁ ଓ ନାନା ଆଇନଗତ ମାମଲା ଥିବାରୁ ତାଙ୍କୁ କଂଗ୍ରେସ ସେତେବେଳେ ସିଏମ୍ କରିନଥିଲା। କିନ୍ତୁ ସେ ମାନୁ ନାହାନ୍ତି। ସିଏମ୍ ହେବା ନିଶା ତାଙ୍କୁ ଏତେ ଘାରିଛି ଯେ, ଏହାକୁ ନେଇ ଦଳରେ ଲାଗି ରହିଛି କନ୍ଦଳ। ତାର ସମାଧାନ ପାଇଁ ସିଦ୍ଦରମୈୟା ଓ ଶିବକୁମାରଙ୍କୁ ଦିଲ୍ଲୀ ଡାକିଛନ୍ତି ହାଇକମାଣ୍ଡ।
ଦେବାଶିଷଙ୍କ ଇସ୍ତଫା ପରେ ,ବିଜେଡିର ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ବର : ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ପରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଦେବାଶିଷ ସାମନ୍ତରାୟ ଦଳ ଛାଡିବା ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେ ଦଳରୁ ୫ ଥର ଟିକେଟ ନେଇଛନ୍ତି । ନିଜ ଭୁଲ ପାଇଁ ଦୁଇ ଥର ହାରିଛନ୍ତି । ଏବେ ରାଜ୍ୟସଭା ଯାଇଛନ୍ତି । ସେ ନିଜ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି । ସେ ଦଳରୁ ଆଉ କେତେ ନେଇଥାନ୍ତେ । ଗତ ୪ ବର୍ଷରେ ଦଳ ପାଇଁ ତାଙ୍କର କୌଣସି ଅବଦାନ ନାହିଁ । ଦଳର ପ୍ରତିକୂଳ ପରିସ୍ଥିତିରେ ସେ ଦଳ ସହ ନାହାନ୍ତି । ସେ ବ୍ୟକ୍ତିଗତ ସ୍ୱାର୍ଥ ଦଳ ଛାଡିଛନ୍ତି । କଟକରେ ତାଙ୍କର ସଂଗଠନ ନାହିଁ । ଦିଲ୍ଲୀରେ କେବେ ତାଙ୍କ ସ୍ୱର ନଥିଲା । ଅନେକ ଲୋକ ଅଛନ୍ତି ଦିଲ୍ଲୀରେ ଦଳର ସ୍ୱର ଉଠାଇବା ପାଇଁ । ଦଳରେ ବର୍ତ୍ତମାନ କର୍ମୀ ସଂଖ୍ୟା ବଢ଼ୁଛନ୍ତି । ତାଙ୍କ ପ୍ରାପ୍ୟ ଠାରୁ ଅଧିକ ବିଜେଡି ଦେଇଛି ବୋଲି ପ୍ରତିକ୍ରିୟା ରଖିଛି ବିଜେଡି ।…
ଆସନ୍ତାକାଲି IPL ପ୍ରଥମ କ୍ବାଲିଫାୟାର ମ୍ୟାଚ
ନନ୍ଦିଘୋଷ ବ୍ୟୁରୋ: IPL ୨୦୨୬ରେ ପ୍ଲେଅଫ୍ ଚୂଡ଼ାନ୍ତ । ଆସନ୍ତାକାଲି ଖେଳାଯିବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପ୍ରଥମ କ୍ବାଲିଫାୟାର ମ୍ୟାଚ । ପ୍ରଥମ କ୍ବାଲିଫାୟାରରେ ବିଗତ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରକୁ ଭେଟିବ ଗୁଜରାଟ ଟାଇଟାନ୍ସ । ଧର୍ମଶାଳାରେ ସଂଧ୍ୟା ୭ଟା ୩୦ ମିନିଟରେ ଖେଳାଯିବ ମ୍ୟାଚ । ବିଜେତା ଦଳ ସିଧା ଫାଇନାଲରେ ପହଞ୍ଚିବ । ୨୭ ତାରିଖରେ ଚଣ୍ଡିଗଡ଼ରେ ଖେଳାଯିବ ପ୍ରଥମ ଏଲିମିନେଟର । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଗତକାଲି ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଚତୁର୍ଥ ଟିମ ଭାବେ ରାଜସ୍ଥାନ ପ୍ଲେଅଫରେ ପ୍ରବେଶ କରିଥିଲା । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ମୁମ୍ବାଇ ସାମ୍ନାରେ ରାଜସ୍ଥାନ ରୟାଲ୍ସ ୨୦୬ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା। ଏଲିମିନେଟରରେ ବିଜୟୀ ଟିମ ଓ କ୍ବାଲିଫାୟାରରେ ପରାସ୍ତ ହୋଇଥିବା ଟିମ ସହ ୨୯ ତାରିଖରେ ଅନୁଷ୍ଠିତ ହେବ ଦ୍ବିତୀୟ କ୍ଵାଲିଫାୟାର ମ୍ୟାଚ । ଏଥିରେ ବିଜୟୀ ଦଳ ପ୍ରଥମ କ୍ଵାଲିଫାୟାର ବିଜୟୀ ଟିମ ସହ ୩୧ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ । ମାର୍ଚ୍ଚ ୨୮ ତାରିଖରେ ୧୦ଟି ଟିମକୁ ନେଇ ଆରମ୍ଭ ହୋଇଥିଲା ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ ର ୧୯ ତମ ସଂସ୍କରଣ ।….
ସେୟାର ମାର୍କେଟରେ ଖୁସିର ଲହରୀ ,ଊର୍ଦ୍ଧ୍ବମୁଖୀ ଗ୍ରାଫ
ନନ୍ଦିଘୋଷ ବ୍ୟୁରୋ: ସେୟାର ମାର୍କେଟରେ ଖୁସିର ଲହରୀ। ବିଏସଇ ପ୍ରାୟ ୯୦୦ ପଏଣ୍ଟ ବୃଦ୍ଧି ପାଇ ହୋଇଛି ୭୬, ୩୦୭। ସେହିପରି ଏନଏସଇ ୨୬୦ ପଏଣ୍ଟ ବୃଦ୍ଧି ପାଇ ପହଞ୍ଚିଛି ୨୩, ୯୮୦ରେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ତଳକୁ ଖସିବା ପରେ ଷ୍ଟକ ମାର୍କେଟରେ ଉତ୍ସାହ ଦେଖାଦେଇଛି। ଦୁଇ ସପ୍ତାହରୁ ଅଧିକ ଦିନ ଧରି ସେୟାର ମାର୍କେଟରେ ଉତ୍ସାହ ପରିଲକ୍ଷିତ ହୋଇ ନଥିବାବେଳେ ଆଜି ଗ୍ରାଫ ଊର୍ଦ୍ଧ୍ବମୁଖୀ ହୋଇଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ୫.୫୮ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ଦର ହୋଇଛି ୯୭ ଟଙ୍କା ୭୬ ପଇସା। ସେହିପରି WTI ଅଶୋଧିତ ତୈଳ ଦର ୫.୮୫ ପ୍ରତିଶତ ହ୍ରାସ ପାଇ ହୋଇଛି ୯୮ ଟଙ୍କା। ପଶ୍ଚିମ ଏସିଆରେ ଖୁବ୍ ଶୀଘ୍ର ଶାନ୍ତିର ବାତାବରଣ ଫେରି ଆସିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ଷ୍ଟକ ମାର୍କେଟରେ ଏହାର ପ୍ରଭାବ ପଡ଼ିଛି। ଗତ ଫେବ୍ରୁଆରୀରୁ ହର୍ମୁଜ ପ୍ରଣାଳୀକୁ ନେଇ ବିବାଦ ଲାଗି ରହିଥିବାରୁ ଏହାର ପ୍ରଭାବ ବିଶ୍ବ ତୈଳ ଓ ଗ୍ୟାସ କ୍ଷେତ୍ର ଉପରେ ପଡିଆସୁଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏଚଡିଏଫସି, ବଜାର ଫାଇନାନ୍ସ, ଲାର୍ସନ ଆଣ୍ଡ ଟ୍ୟୁବ୍ରୋ, ମାରୁତି ସୁଜୁକି, ଏସବିଆଇ, ଆଇସିଆଇସିଆଇ, ବଜାଜ ଫିନସର୍ଭ ପ୍ରମୁଖ କମ୍ପାନୀର ସେୟାର ମୂଲ୍ୟ ବୃଦ୍ଧି ପାଇଛି।..
ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର : ଅପରାଧି ଜଗା ଆହତ
ବ୍ରହ୍ମପୁରରେ ଆଉ ଏକ ଏନକାଉଣ୍ଟର୍ । ପୋଲିସ ଏନକାଉଣ୍ଟରରେ ଜଗା ଆହତ । ଲଗାତାର ତୃତୀୟ ଥର ପାଇଁ ଏନକାଉଣ୍ଟର୍ କରିଛି ପୋଲିସ । ପୋଲିସ ଗୁଳିରେ ଆହତ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଓରଫ ଜଗନ୍ନାଥ ଆହତ ହୋଇଛି। ଅଭିଯୁକ୍ତ ଜଗା ବାଉରୀ ସୁକୁଣ୍ଡାରେ ଥିବା ସୁରାକ ପାଇ ପୋଲିସ ଟିମ ଚଢ଼ାଉ କରିବା ବେଳେ ଜଗା ପୋଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି । ତାର ଦୁଇଟି ଗୋଡରେ ଗୁଳି ବାଜିଛି । ଆହତ ଜଗାଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ମଙ୍ଗଳାଙ୍କୁ ବଡ଼ ବଜାର ଅମ୍ବିକା ନଗର ଅଞ୍ଚଳରେ ଖଣ୍ଡାରେ ହାଣିଥିଲେ ଜଗା ଓ ବଳିଆ । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଥିଲା । ଆକ୍ରମଣର ୫ ଘଣ୍ଟା ଭିତରେ ପୋଲିସ ଏନକାଉଣ୍ଟର କରିଛି । ପୂର୍ବରୁ ଦୁଇଟି ଏନକାଉଣ୍ଟର୍ ହୋଇଥିବା ବେଳେ ଆଉ ଏକ ଏନକାଉଣ୍ଟର ହୋଇଛି । ତଥାପି ବ୍ରହ୍ମପୁର ଅଶାନ୍ତ ରହିଛି । ଅପରାଧୀଙ୍କୁ ସୁଧୁରିଯିବାକୁ ଚେତାବନୀ ଦେଇଥିଲେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର। ତଥାପି ଆତଙ୍କ ଖେଳାଇଲେ ଅପରାଧୀ । ଗତକାଲିର ଘଟଣା ପରେ ପୋଲିସ ଅପରାଧୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ପୋଲିସର ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି । ସହରରେ ଭାଇଚାରା ଓ ଶାନ୍ତି ଫେରାଇବା ପାଇଁ ପୋଲିସ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛି ।…
ମହଙ୍ଗା ମାଡ: ଚତୁର୍ଥ ଥର ବଢିଲା ପେଟ୍ରୋଲ ଓ ଡିଜେଲ ଦର
ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ । ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର । ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୭୯ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୮୮ ପଇସା ବୃଦ୍ଧି କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ପ୍ରିମିୟମ ପେଟ୍ରୋଲ ଲିଟର ପିଛା ଦର ବୃଦ୍ଧି ଘଟିଛି ୨ ଟଙ୍କା ୭୯ ପଇସା । ୧୧ ଦିନ ଭିତରେ ଲଗାତାର ଚତୁର୍ଥ ଥର ବଢିଲାପେଟ୍ରୋଲ ଓ ଡିଜେଲ ଦର । ବର୍ଦ୍ଧିତ ଦର ଅନୁଯାୟୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ବଢ଼ି ହେଲା ୧୦୯ ଟଙ୍କା ୧୫ ପଇସା । ଭୁବନେଶ୍ବରରେ ୧୦୦ ଟଙ୍କା ଟପିଲା ଡିଜେଲ ଦର । ଡିଜେଲ ଲିଟର ପିଛା ହେଲା ୧୦୦ ଟଙ୍କା ୮୦ ପଇସା । ପଶ୍ଚିମ ଏସିଆରେ ସଙ୍କଟ କାରଣରୁ ବାରମ୍ବାର ବଢ଼ିବାରେ ଲାଗିଛି ତେଲ ଦର । ନୂଆ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ହୋଇଛି ୧୦୨ ଟଙ୍କା ୧୨ ପଇସା । ଡିଜେଲ ଦର ହୋଇଛି ୯୫ ଟଙ୍କା ୨୦ ପଇସା । ଦେଶରେ ପର୍ଯ୍ୟାପ୍ତ ତୈଳ ଗଚ୍ଛିତ ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ କହିବା ପରେ ମଧ୍ୟ ଲଗାତାର ଦର ବୃଦ୍ଧି ଘଟିଛି । ଗତ ୧୫ ତାରିଖରେ ପେଟ୍ରୋଲ, ଡିଜେଲ ୩ ଟଙ୍କା ଲେଖାଏ ଓ ସିଏନଜି ୨ ଟଙ୍କା ବୃଦ୍ଧି ପାଇଥିଲା । ଗତ ୧୯ରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ଓ ଡିଜେଲ ଲିଟର ପିଛା ୯୪ ପଇସା ବୃଦ୍ଧି ପାଇଥିଲା ।….

