spot_img
Home Blog Page 4907

ଆଜି ସକାଳ ୯’ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ: ଆଜି ସକାଳ ୯ରେ ଦେଶବାସୀଙ୍କ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ କରୋନା ମହାମାରୀ ସମୟରେ ଅନେକ ଥର ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ମୋଦି । ତେବେ ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍ଦେଶ୍ୟରେ କ’ଣ କହିବେ ତାହା ଉପରେ ପୂରା ଦେଶବାସୀଙ୍କ ନଜର ରହିବ ।

ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ୯ରେ ଦେଶବାସୀଙ୍କୁ ସମ୍ବାଧିତ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟୁଇଟ କରି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା  ଟୁଇଟ୍‌ରେ ଉଲ୍ଲେଖ ଅଛି, ଆଜି ଶ୍ରୀଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପୂରବ। ଉତ୍ତର ପ୍ରଦେଶର ମହୋବାରେ ଆଜି ପ୍ରଧାନମନ୍ତ୍ରୀ ଜଳସେଚନ ସଂକ୍ରାନ୍ତ କେତେକ ପ୍ରମୁଖ ଯୋଜନାର ଉଦ୍‌ଘାଟନ କରିବେ। ତା’ପରେ ‘ରାଷ୍ଟ୍ରରକ୍ଷା ସମର୍ପଣ ପର୍ବ’ରେ ଯୋଗଦେବାକୁ ସେ ଝାନ୍‌ସୀ ଯିବେ। ଏହି ସବୁ କାର୍ଯ୍ୟକ୍ରମ ପୂର୍ବରୁ, ସକାଳ ୯ଟା ବେଳେ ସେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ।

ସୁନା ବେଶରେ ଦର୍ଶନ ଦେବେ ତିନି ଠାକୁର, କାର୍ତ୍ତିକ ପୂର୍ଣ୍ଣିମାରେ ଧାରଣ କରନ୍ତି ରାଜରାଜେଶ୍ୱର ବେଶ

ପୁରୀ: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ବିବିଧ ସ୍ୱର୍ଣ୍ଣ ଅଳଙ୍କାର ଯଥା କବଜ, କୁଣ୍ଡଳ, କିରିଟ, ଶ୍ରୀଭୁଜ, ଶ୍ରୀପୟର, ହରିଡ଼ା ମାଳା, ବାହାଡା ମାଳା, ଶଙ୍ଖ, ଚକ୍ର, ହଳ ମୁଷଳ ଆଦି ନାନାଦି ରତ୍ନ ଅଳଙ୍କାରରେ ବିଭୂଷିତ ହେବେ ମହାବାହୁ । ତେବେ କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ । ପୋଲିସ ପ୍ରଶାସନ ପକ୍ଷରୁ ମହାକାର୍ତ୍ତିକ ପୂର୍ଣମୀ ଅବସରରେ 20ପ୍ଲାଟୁନ ପୋଲିସ ଫୋର୍ସ ସହ ବହୁ ଅଧିକାରୀ ମୁତୟନ ହୋଇଛନ୍ତି ।

ହରି ଉତ୍ଥାପନ ଏକାଦଶୀରୁ ଆରମ୍ଭ ହୋଇଥିଲା ଧର୍ମମାସ ପଞ୍ଚୁକ । ପାଞ୍ଚ ଦିନରେ ୫ଟି ବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିଉ । ପ୍ରଥମ ଦିନରେ ରତ୍ନ ସିଂହାସନରେ ଲକ୍ଷ୍ମୀ ନାରାୟଣ ବା ଠିଆକିଆ ବେଶରେ ଦର୍ଶନ ଦେଇଥିଲେ ଠାକୁର । ତେବେ କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଭକ୍ତଙ୍କୁ ଦର୍ଶନ ମିଳି ନଥିଲା । ଦ୍ବିତୀୟ ଦିନରେ ମହାପ୍ରଭୁ ବାଙ୍କଚୁଡା ବେଶରେ ଦର୍ଶନ ଦେଇଥିଲେ । ଦୁଇଦିନ ପରେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଭାବ ବିହ୍ବଳ ହୋଇଥିଲେ ଭକ୍ତ । ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥିଲା ।

ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।

ଆ କା ମା ବୈ.. ଉତ୍କଳର ଅନନ୍ୟ ପରମ୍ପରା କାର୍ତ୍ତିକ ପୂର୍ଣ୍ଣିମା

ନନ୍ଦିଘୋଷ ବ୍ୟୁରୋ: ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ।’ ଓଡିଶା ସଂସ୍କୃତି ଓ ପରମ୍ପରାର ଭିନ୍ନ ଏକ ଦିଗଦର୍ଶନ  । ଏହି ଦିନଟି ମନେ ପକାଏ ଉତ୍କଳର ଐତିହ୍ୟ, ସାଧବପୁଅଙ୍କ ଲେଉଟାଣୀର କାହାଣୀ  । ଦୂର ଦୂରକୁ ବାଣିଜ୍ୟ ପାଇଁ ଯାଇଥିବା ଓଡ଼ିଆପୁଅ ମାନେ ସେହିଦିନ ହିଁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।  ଏ ପରମ୍ପରା ହିଁ ବଖାଣେ ଯେ ଓଡ଼ିଶାର ବୋଇତ ବନ୍ଦାଣର ଐତିହ୍ୟ  ।

ମହାରାଜା ଉଦ୍ୟୋତକେଶରୀ ଉତ୍କଳ ଦେଶର ରାଜା ଥିଲେ । ଶିଳଲେଖ ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ ୧୮ ବର୍ଷ ରାଜତ୍ୱ କରିଥିଲେ । ମହାରାଜା ଉଦ୍ୟୋତକେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ । ସିଂହଳରେ ସେତେବେଳେ ରାଜାଥିଲେ ଚିତ୍ରକେୟୁର । ସିଂହଳ ବିଜୟ ପରେ ମଣିମୁକ୍ତା ପ୍ରଭୃତି ଧନରତ୍ନ ସେ ସଙ୍ଗରେ ଆଣିଥିଲେ । ସେ ଜଳପଥରେ ଆସି ମହାନଡି ମୂହାଣ ଦେଇ ନିରାପଦ ସ୍ଥାନ କଟକଦ୍ୱୀପରେ ପହଞ୍ଚି ବିଶ୍ରାମ ନେଇଥିଲେ ।

ସେତିକି ବେଳେ ଏହି ଯାତ୍ରା ଆରମ୍ଭ ହୋଇଥିବା ସମ୍ଭବ । ଲୋକ ମୁଖରେ ପ୍ରସିଦ୍ଧିଥିଲା ସାଧବ ପୁଅ ବାଲି-ସୁମାତ୍ରା-ବର୍ଣ୍ଣିଓ ଯାଉଥିଲେ ବୋଲି, ସିଂହଳବିଜୟ କରି ଫେରିଲେ ବି ବାଲିରୁ ଫେରିଲେ ବୋଲି ତୁଣ୍ଡରେ ତୁଣ୍ଡକୁ ଯାଇ ବାଲିଯାତ୍ରା ହୋଇଥିବା ସମ୍ଭବ । ଏହି ଦିନଟି ପ୍ରତିଟି ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର  । ଆବାହନ କାଳରୁ ଚାଲି ଆସୁଥିବା ଏ ପରମ୍ପରା ଆଜି ମଧ୍ୟ ଜୀବିତ  ।  କଟକଣା ଭିତରେ ବି କିଏ ଘରେ, କିଏ ମନ୍ଦିରରେ ଓ କେହିକେହି ନିକଟସ୍ଥ ଜଳାଶୟରେ ପରମ୍ପରା ପାଳନ କରିଛନ୍ତି । ତେବେ ଅନେକ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବାତିଲ ହୋଇଛି ।

ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିର ରଖି କଟକ, ଭୁବନେଶ୍ବରରେ ବାଲିଯାତ୍ରାକୁ ବାତିଲ କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ପୁରୀ ମହୋଦଧୀ, ତୀର୍ଥ ପୁଷ୍କରିଣୀ, ଭୁବନେଶ୍ବର ବିନ୍ଦୁସାଗର, କଟକ ନଈପଠା ଓ ଯାଜପୁର ଦଶ୍ବାସମେଧ ଘାଟ ପରି ଅନେକ ତୀର୍ଥ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ସେପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଡଙ୍ଗା ଭସାଇବା କଟକଣା କୋହଳ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଦ୍ବିତୀୟ ଟି-୨୦ରେ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ; ମ୍ୟାଚ ଜିତି ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ

ରାଞ୍ଚି: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ ମ୍ୟାଚ । ଝାଡଖଣ୍ଡ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଜୟପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ୫ ଓ୍ବିକେଟରେ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ନୂଆ କୋଚ୍ ରାହୁଲ ଦ୍ରାବିଡ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବିଜୟର ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ବିଜୟ ଲାଭ ପରେ ଦ୍ବିତୀୟ ମ୍ୟାଚରେ ବିଜୟ ଲାଭ କରି ଏହି ସିରିଜକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅନ୍ୟପଟେ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଯଦି ଆଜିର ମ୍ୟାଚରେ ପରାଜୟ ଲାଭ କରେ ତେବେ ଏହି ସିରିଜରେ ମଧ୍ୟ ପରାଜୟ ବରଣ କରିବ ନ୍ୟୁଜିଲାଣ୍ଡ ।

ଅନ୍ୟପଟେ ପ୍ରଥମ ମ୍ୟାଚରେ ଉଭୟ ବ୍ୟାଟିଂ, ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲେ ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ଦମଦାର ବିଜୟଲାଭ କରିଥିଲେ । ତେବେ ଦ୍ବିତୀୟ ମ୍ୟାଚରେ ଓପନର ରୋହିତ ଶର୍ମା, ଲୋକେଶ ରାହୁଲ, ସୂର୍ଯ୍ୟ କୁମାର ଯାଦବ ଓ ରିସଭ୍ ପନ୍ଥଙ୍କ ଉପରେ ଦଳ ନିର୍ଭର କରିବ । ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ଭାରତୀୟ ଟିମ୍ । ସେପଟେ ଉଭୟ ବ୍ୟାଟିଂ  ଓ ବୋଲିଂରେ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଜିତିବା ପାଇଁ ଉଦ୍ୟମ କରିବ ବ୍ଲାକ କ୍ୟାପ  । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି  ।

ଭାରତୀୟଙ୍କୁ କରୋନା ଟିକାର ତୃତୀୟ ଡୋଜ୍ ନେଇ ଆସନ୍ତା ସପ୍ତାହରେ ବୈଠକ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର କରୋନାର ତୃତୀୟ ଡୋଜ ନେବେ ଭାରତୀୟ । ଆସନ୍ତା ସପ୍ତାହରେ ଏନେଇ କେନ୍ଦ୍ରର ବରିଷ୍ଠ ଅଧିକାରୀ ମାନେ ଆଲୋଚନା କରିବେ । ଏହାକୁ ବୁଷ୍ଟର ଡୋଜ୍ ବୋଲି କୁହାଯିବ ନାହିଁ ବରଂ ଏହାକୁ ଆଡିସନାଲ୍ ବା ଅତିରିକ୍ତ ଡୋଜ୍ ବୋଲି କୁହାଯିବ । ଏଥିପାଇଁ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ ହେବ । କରୋନାର ଦୁଇଟି ଯାକ ଡୋଜ ନେବାର କିଛି ମାସ ପରେ ତୃତୀୟ ଡୋଜ ଦିଆଯିବ । ସମ୍ପୂର୍ଣ୍ଣ ସୁସ୍ଥ ଲୋକ ମଧ୍ୟ ଏହି ଟିକା ନେବେ ।

 India May Form Policy on Rolling Out Third Vaccine Dose

ଅକ୍ଟୋବର ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତୃତୀୟ ଡୋଜ୍ ଦେବାକୁ ବିଭିନ୍ନ ଦେଶକୁ ଅପିଲ୍ କରାଯାଇଥିଲା । ସରକାର ଚାହିଁଲେ ତୃତୀୟ ଡୋଜ୍ ଦେଇ ଲୋକଙ୍କୁ ସୁରକ୍ଷିତ କରିପାରିବେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା । ଭାରତରେ ୧୧୫ କୋଟିରୁ ଅଧିକ ଲୋକ ଟିକା ନେଇଥିବା ବେଳେ ୭୫ ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ୍ ଏବଂ ୩୮ ଲକ୍ଷରୁ ଅଧିକ ଲୋକ ଦୁଇଟି ଯାକ ଡୋଜ୍ ନେଇ ସାରିଛନ୍ତି ।

କୋର୍ଟ ରୁମରେ ବିଚାରପତିଙ୍କୁ ପିଟିଲେ ୨ ପୋଲିସ ଅଧିକାରୀ

ପାଟଣା: କୋର୍ଟ ରୁମରେ ପୋଲିସ ବାବୁଙ୍କ ହଙ୍ଗାମା । ବିଚାରପତିଙ୍କ ବନ୍ଧୁକ ଦେଖାଇଲେ, ମାଡ଼ ମାରିଲେ । ବିହାର ମଧୁବନ ଜିଲ୍ଲାରେ ଘଟିଛି ଏହି ଘଟଣା । ଦୁଇ ଅଭିଯୁକ୍ତ କୋର୍ଟ ପରିସରରେ ବିଚାରପତି ଅବିନାଶ କୁମାରଙ୍କୁ ଆକ୍ରମଣ କରିଥିଲେ । ଉଭୟଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି ।

ଆକ୍ରମଣ ପରେ ସୁରକ୍ଷିତ ଅଛନ୍ତି ବିଚାରପତି ଅବିନାଶ କୁମାର । ପୋଲିସ କର୍ମଚାରୀଙ୍କ ଆକ୍ରମଣ ବେଳେ ବିଚାରପତିଙ୍କୁ ରକ୍ଷା କରିବାକୁ ଯାଇ କେତେକ ଓକିଲ ଆହାତ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ପୋଲିସ କର୍ମଚାରୀମାନେ ହେଲେ ଘୋଘଡିହା ଥାନା ଅଧିକାରୀ ଗୋପାଳ ପ୍ରସାଦ ଏବଂ ଅନ୍ଘୋୟ ଜଣେ ସେହି ଥାନାର ଏସ୍ଆଇ ।

କୌଣସି ଏକ ମାମଲାରେ ଦୁଇ ପୋଲିସ ଅଧିକାରୀ କୋର୍ଟରେ ହାଜର ହୋଇଥିବା ବେଳେ ବିଚାରପତିଙ୍କୁ ଏମିତି ଆକ୍ରମଣ କରିଥିବା ଜଣାପଡ଼ିଛି ।

ବିଜେଡିର ମିଡିଆ ପ୍ୟାନେଲିଷ୍ଟ ଭାବେ ଆଉ ୩ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳର ମିଡିଆ ପ୍ୟାନେଲିଷ୍ଟ ଭାବେ ଆଉ ୩ ଜଣଙ୍କୁ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୩ ଜଣଙ୍କୁ ସାମିଲ୍ କରାଯାଇଛି । ଗୌତମବୁଦ୍ଧ ଦାସ, ଲୋରା ମହାପାତ୍ର ଓ ସ୍ୱାଗତିକା ମହାନ୍ତି ମିଡିଆ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି । ଏନେଇ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ପ୍ରେସ୍ ଇସ୍ତାହାର ଜାରି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ରୂପାନ୍ତର ପର୍ବ ଜାରି ରହିଛି । 5T ସ୍କୁଲ୍ ଟ୍ରାନ୍ସଫରମେସନ୍ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମାଲକାନଗିରିର ୬ଟି ସ୍କୁଲ, ଝାରସୁଗୁଡାର ୨୫ଟି, କଳାହାଣ୍ଡିର ୨୯ଟି, ମୟୁରଭଞ୍ଜର ୬୦ଟି ଓ ଖୋର୍ଦ୍ଧାର ୩୮ଟି ସ୍କୁଲ ରହିଛି ।

ଆଜି ସୁଦ୍ଧା ୬୮୯ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ, ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏବେ ରାଜ୍ୟର ୧୦୭୫ଟି ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଜାରି ରହିଛି । ଆସନ୍ତା ୨୪ ତାରିଖ ଦିନ ଏହା ସମ୍ପୂର୍ଣ୍ଣ ହେବ ।

CM Naveen Patnaik Inaugurates 158 Transformed High School Under 5T

ଏହି ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପିଲାମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା  ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୂରା ଭବିଷ୍ୟତ । ସ୍କୁଲ୍ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ମତ ଦେଇ ସେ କହିଛନ୍ତି, ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡ଼ା, ସଂଗୀତ ସବୁ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢ଼ାନ୍ତୁ । ନୂଆ ନୂଆ କୌଶଳ ବିଷୟରେ ଜାଣନ୍ତୁ । ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।’

ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ୱତନ୍ତ୍ର ହୋଇରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ 5T ନୀତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ରୂପାନ୍ତର ହେଉଛି ଆମର 5T କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ । 5T ହେଉଛି- ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍ । ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ । ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ । ନଭେମ୍ବର ୧୪ ସୁଦ୍ଧା ୧୦୭୫ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି । ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ୱାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି ।

CM Naveen Patnaik Inaugurates 158 Transformed High School Under 5T

ଚତୁର୍ଥ ନୀତି  ହେଉଛି ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ୱଚ୍ଛତା ହେଉଛି 5Tର ସବୁଠାରୁ ବଡ଼ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ । ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ଼ ପରିଚୟ । ମୋର ପୂରା ବିଶ୍ୱାସ, ତୁମେ ମାନେ ଭଲ ପାଠ ପଢ଼ି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ ।

ଏହି କାର୍ଯ୍ୟକ୍ରମରେ 5T ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ । ମାଲକାନଗିରିର ପାପୁନି ମାଣ୍ଡି, ଝାରସୁଗୁଡାର ଶାଳିନୀ ତ୍ରିପାଠୀ, କଳାହାଣ୍ଡିର କୁମୁଦିନୀ ବନ୍ଦିଛୋଡ, ମୟୁରଭଞ୍ଜର ମଧୁସ୍ମିତା ସାହୁ ଏବଂ ଖୋର୍ଦ୍ଧା ଜିଲ୍ଲାର ଉଦୟ ପ୍ରକାଶ ବେହେରା ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ  ଗାଁ ଭିତରେ ସ୍କୁଲ ହିଁ ବର୍ତ୍ତମାନ ଆମର ସବୁଠାରୁ ବଡ଼ ଆକର୍ଷଣ। ଏହି ରୂପାନ୍ତରିତ ସ୍କୁଲରେ ଉପଲବ୍‌ଧ ଥିବା ସ୍ମାର୍ଟ ସୁବିଧା ଆମକୁ ଉତ୍ସାହିତ କରିଛି। ଏହା ଆମର ଲକ୍ଷ୍ୟ ପୂରଣ ପାଇଁ ଆମର ମନୋବଳକୁ ଦୃଢ କରିଛି । ମୁଖ୍ୟମନ୍ତ୍ରୀ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍‌ ଅଫିସର, ଶିକ୍ଷକ, ଡାକ୍ତର ଇଞ୍ଜିନିୟର, ସମାଜସେବୀ, ସାମ୍ବାଦିକ ହେବେ ବୋଲି  କହିଥିଲେ ।

କାର୍ଯ୍ୟକ୍ରମରେ ମାଲକାନଗିରିରେ ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝାରସୁଗୁଡାରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, କଳାହାଣ୍ଡିରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୟୂରଭଂଜରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ଖୋର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମାନସିକତାରେ ଏହା ଏକ ମୌଳିକ ପରିବର୍ତ୍ତନ ଆଣିଛି ବୋଲି ସେମାନେ ଅନୁଭବ କରୁଛନ୍ତି ବୋଲି କହିଥିଲେ । ଶିକ୍ଷା କ୍ଷେତ୍ରରେ ଏହି ପରିବର୍ତ୍ତନ ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିବ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ ।

CM Naveen Patnaik Inaugurates 158 Transformed High School Under 5T

ଏହି ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓ କଟକ-ଭୁବନେଶ୍ୱରର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜର ସଫଳତାରେ ସ୍କୁଲର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରି ପିଲାମାନଙ୍କୁ ଲକ୍ଷ୍ୟ ପୂରଣ ପାଇଁ ଦୃଢ ମନୋବଳ ସହିତ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ରୂପାନ୍ତରିତ ସ୍କୁଲର ମିଳୁଥିବା ଆଧୁନିକ ସୁବିଧାର ସଂପୂର୍ଣ୍ଣ ଉପଯୋଗ କରିବା ପାଇଁ ସେ ଶିକ୍ଷକ ଓ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ସାହୁ କଳାହାଣ୍ଡିର ମାଣିକେଶ୍ୱରୀ ହାଇସ୍କୁଲ ଛାତ୍ର ଥିଲା ବେଳେ ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲର ଛାତ୍ର ଥିଲେ ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଉପରୋକ୍ତ ଦୁଇ ପଦସ୍ଥ ଅଧିକାରୀଙ୍କ ଅଭିଜ୍ଞତା ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ସହାୟକ ହେବ ବୋଲି ଶ୍ରୀ ପାଣ୍ଡିଆନ ଆଶାବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପି.କେ. ଜେନା ଓ କୃଷି ଉତ୍ପାଦନ କମିଶନର ଆର୍‌.କେ ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ଦର ବୃଦ୍ଧି ଯୋଗୁଁ ପୁଣି ଚୂଲି ମୁଣ୍ଡକୁ ଫେରିଲେଣି ଗୃହିଣୀ

ଭୁବନେଶ୍ୱର: ବିଫଳତାର ଉଦାହରଣ କେନ୍ଦ୍ରର ଉଜ୍ଜ୍ୱଳା ଯୋଜନା । ଆକାଶଛୁଆଁ ଗ୍ୟାସ୍‌ ଦର ଯୋଗୁଁ ଏବେ ଗରିବ ମହିଳା ଗ୍ୟାସ୍‌ ଜାଳିବାକୁ ନାପସନ୍ଦ କଲେଣି । ପୁଣି ସେହି ଚୂଲି ଉପରେ ଭରସା କରୁଛନ୍ତି । ଦୁଃସ୍ୱପ୍ନ ପାଲଟିଛି କେନ୍ଦ୍ରର ଅଚ୍ଛେଦିନ୍‌ ପ୍ରତିଶ୍ରୁତି । ମଧ୍ୟବିତ୍ତଙ୍କ ବଜେଟ୍‌ ବିଗାଡ଼ିଲାଣି ଗ୍ୟାସ ଦର ବୃଦ୍ଧି । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାକୁ ନେଇ ସମାଲୋଚନାର ଶିକାର ହେଉଛନ୍ତି କେନ୍ଦ୍ର ସରକାର ।

Centre's Ujjwala Scheme Failed In Odisha

ତେଜ ହରାଇଲାଣି ଉଜ୍ଜ୍ୱଳା ଯୋଜନା । ଘରେ ପଡ଼ି ପଡ଼ି ଗ୍ୟାସ୍ ଟାଙ୍କିରେ ଲାଗିଲାଣି କଳଙ୍କି । ବର୍ଦ୍ଧିତ ଗ୍ୟାସ୍‌ ଦର ଦେଖି ପୁଣି ଚୂଲି ଜାଳିଲେଣି ମହିଳା । ଚୂଲି ଧୂଆଁରୁ ମୁକ୍ତି ପାଇଁ ଆରମ୍ଭ ହୋଇଥିବା ଉଜ୍ଜ୍ୱଳା ଯୋଜନା ଆଜି ସଙ୍କଟ ପାଲଟିଗଲାଣି । ଗତ ସାଢ଼େ ୩ ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବଢ଼ିଛି । ଥରେ ଗ୍ୟାସ ସରିଲେ, ରିଫିଲିଂ ପାଇଁ ମଧ୍ୟବିତ୍ତ ପରିବାରରେ ବଜେଟ୍‌ ନାହିଁ ।

Centre's Ujjwala Scheme Failed In Odisha

ବାଲେଶ୍ୱର ଜିଲ୍ଲା ଅଙ୍ଗାଗଡ଼ିଆ ଗାଁ ବାସିନ୍ଦା ପାର୍ବତୀ ସୋରେନ । ଛୋଟ ବଡ଼ ହୋଇ ୧୫ ଜଣିଆ ପରିବାର । ୨ ବର୍ଷ ପୂର୍ବରୁ ତାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ଟାଙ୍କି ଓ ଷ୍ଟୋଭ୍‌ ମିଳିଥିଲା । ସେତେବେଳେ ୬୫୦ ଟଙ୍କାରେ ଗ୍ୟାସ୍‌ ପୂରାଇ ୧୫ ଦିନ ରୋଷେଇ କରୁଥିଲେ । ହେଲେ ଏବେ ହଜାରେ ଟଙ୍କା ଦେଇ ଗ୍ୟାସ୍‌ ପୂରାଇବାକୁ ସକ୍ଷମ ନୁହଁନ୍ତି । ଦୁଇ ତିନି ମାସ ହେଲାଣି ଗ୍ୟାସ୍‌ ଟାଙ୍କିକୁ ବସ୍ତାରେ ପୂରାଇ ରଖି ଦେଇଛନ୍ତି ।

Centre's Ujjwala Scheme Failed In Odisha

ସୋନପୁରରେ ମଧ୍ୟ ଘରେ ଘରେ ସମାନ ସ୍ଥିତି । କେନ୍ଦ୍ର ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ଯୋଜନା ଲୋକଙ୍କ କାମରେ ଆସୁନି । କାହାର ଗ୍ୟାସ୍ ଟାଙ୍କି ଖତ ଗଦାରେ ପଡ଼ିଥିବା ବେଳେ କାହାର ଘରେ ନାମକୁ ମାତ୍ର ଶୋଭାବର୍ଦ୍ଧନ କରୁଛି ସଲିଣ୍ଡର । କେନ୍ଦ୍ର ସରକାରଙ୍କର ଏହି ଖାଉଟି ମାରଣ ନୀତିକୁ ତୀବ୍ର ବିରୋଧ କରିଛନ୍ତି ଉପଭୋକ୍ତା । ଯାଜପୁର ଜିଲ୍ଲାରେ ବି ଉଜ୍ଜ୍ୱଳା ଯୋଜନାର ବିଫଳତା କିଛି କମ୍‌ ନୁହେଁ । ଗ୍ୟାସ୍‌ ଛାଡ଼ି କେବେଠୁ ମହିଳା ମାନେ ଚୂଲିକୁ ଆଦରି ସାରିଲେଣି । ଗରିବ ମହିଳାଙ୍କ ମୁହଁରେ ଖୁସି ଆଣିବାକୁ ୨୦୧୬ ମେ ପହିଲାରେ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।

‘ଚିଲମଜୀବୀ’ କହିଲେ ଅଖିଳେଶ, ସନ୍ଥ ସମାଜ ଆଣିଲା ବଡ଼ ଅଭିଯୋଗ

ଚିଲମଜୀବୀ କହି ଫସିଲେ ଅଖିଳେଶ ଯାଦବ  । ସାଧୁ ସମାଜଙ୍କୁ ଚିଲବଜୀବୀ ବୋଲି କହିଛନ୍ତି ସମାଜବାଜୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ । ଯାହା ତାଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ଏମିତିକି ବିଜେପିକୁ ନିଶାନା କରିବାକୁ ଯାଇ ବିବାଦରେ ଏବେ ଅଖିଳେଶ ଯାଦବ  । ଉତ୍ତରପ୍ରଦେଶର ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ  ।

ଅଖିଳଙ୍କ ଏପରି ବୟାନରେ ଖପ୍ପା ଅଖିଳ ଭାରତୀୟ ସନ୍ଥ ସମିତି  । ରାଜନୀତି ପାଇଁ ସାଧୁ ସମାଜଙ୍କୁ ଅପବାଦ କରୁଛନ୍ତି  । ତେଣୁ ତାଙ୍କୁ ସନ୍ଥ ସମାଜ ଆଗରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିବ ବୋଲି କହିଛି ଅଖିଳ ଭାରତୀୟ ସନ୍ଥ ସମିତି  । ସେପଟେ ଅଖିଳେଶଙ୍କ ନାଁରେ ମାମଲା ମଧ୍ଯ ଦାୟର କରାଯାଇଛି  ।

ଅଖିଳ ଭାରତୀୟ ସଂନ୍ଥ ସମିତିର ରାଷ୍ଟ୍ରୀୟ ମହାମନ୍ତ୍ରୀ ସ୍ୱାମୀ ଜିତେନ୍ଦ୍ରନନ୍ଦ ସରସ୍ୱତୀ କହିଛନ୍ତି, ଅଖିଳେଶ ଯାଦବ ସର୍ବଦା ଉତକ୍ଷୀପ୍ତ ବୟାନବାଜି କରୁଛନ୍ତି  । ସନ୍ଥ ସମାଜ ଏବଂ ଭଗୱାଧାରୀ ବ୍ୟକ୍ତିଙ୍କୁ ହିଁ ସେ ରାଜନୀତି ପାଇଁ ନିନ୍ଦିତ କରୁଛନ୍ତି  । ତେଣୁ ଅଖିଳେଶଙ୍କୁ ସତର୍କ କରାଇଦେବାକୁ ଚାହୁଁକି, ଏପରି ବାର୍ତ୍ତାରୁ ନିର୍ବୃତ୍ତ ରୁହନ୍ତୁ ଅଖିଳେଶ  । ନଚେତ ଆଗାମୀ ଦିନରେ ଜନ ଆକ୍ରୋଶର ଶିକାର ହେବାକୁ ପଡ଼ିବ ବୋଲି କହିଛନ୍ତି ଜିତେନ୍ଦ୍ରନନ୍ଦ ସରସ୍ୱତୀ  ।