spot_img
Home Blog Page 4968

ଥରାଉଛି ଜାଡ଼: ୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ

ଭୁବନେଶ୍ବର: ରାଜ୍ୟରେ କମୁଛି ତାପମାତ୍ରା, ବଢୁଛି ଶୀତ। ୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ । ଆଗକୁ ଆହୁରି କମିବ ତାପମାତ୍ରା ଓ ମାଡ଼ି ଆସିବ ହାଡଭଙ୍ଗା ଶୀତ।

୧୦ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି । ଫୁଲବାଣୀ ତାପମାତ୍ରା ୧୧.୫ ଡିଗ୍ରୀ ଥିବା ବେଳେ କୋରାପୁଟ ୧୨, କେନ୍ଦୁଝର ୧୩, ଭବାନୀପାଟଣା ଏବଂ ଝାରସୁଗୁଡା ୧୪.୨, ଟିଟଲାଗଡ ଏବଂ ସୋନପୁର ତାପମାତ୍ରା ୧୪.୮ ଡିଗ୍ରୀ ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କଟକରେ ୧୭ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।

ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପବନ ତାପମାତ୍ରା କମାଇବାରେ ସହାୟକ ହେଉଛି । ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ରାତିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ କମ ରହୁଛି । ଏହାସହିତ ଉପକୂଳ ଜିଲ୍ଲାଗୁଡିକରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ଘଟିଛି ।

ଅନ୍ୟପକ୍ଷରେ ଓଡ଼ିଶାକୁ ରହିଛି ଦୁଇ ଦୁଇଟି ଲଘୁଚାପ ଭୟ । ଚଳିତ ମାସ ଦ୍ବିତୀୟ ଓ ତୃତୀୟ ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବ । ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଘନିଭୂତ ହୋଇ ୧୨ କିମ୍ବା ୧୩ ତାରିଖରେ ତାମିଲନାଡୁ ଏବଂ ତତ୍ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ଆଜି ଶ୍ରୀମନ୍ଦିରରେ ହେବ ହରିହର ବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କ ହରିହର ବେଶ । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ  ହରିହର ବେଶରେ ସଜ୍ଜିତ କରାଯିବ । କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥିଏ ।

ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ପଡ଼ିଛି | ତେଣୁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହେବ । କିନ୍ତୁ ମହାପ୍ରଭୁ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିବେ । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ୍ରରେ ଦର୍ଶନ ଦେବା ସହ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ ।

ବିଦେଶୀ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଉପରୁ କଟକଣା ହଟାଇଲା ଆମେରିକା

ଓ୍ବାସିଂଟନ: ବାଇଡେନ୍ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଦୀର୍ଘ ୨୦ ମାସ ପରେ ଆମେରିକା ବିଦେଶୀ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଲାଗି କଟକଣା ପ୍ରତ୍ୟାହାର କରିଛି । ଏଣିକି ସମ୍ପୂର୍ଣ୍ଣ କୋଭିଡ ଡୋଜ ନେଇଥିବା ଲୋକ ଆମେରିକା ଯାଇପାରିବେ । ଫଳରେ ଦୀର୍ଘ ଦିନ ଧରି ପରିବାର, ଜ୍ଞାତି ପରିଜନଙ୍କ ସହ ଏକାଠି ହୋଇପାରୁ ନଥିବା ଲୋକେ ଉପକୃତ ହେବେ । ଏହା ସହ କୂଟନୈତିକ, ବାଣିଜ୍ୟିକ, ପର୍ଯ୍ୟଟନଗତ ସମ୍ପର୍କ ମଧ୍ୟ ସାରା ବିଶ୍ବ ସହ ଯୋଡି ହେବ ।

କୋଭିଡର ଭୟାବହତା ଯୋଗୁଁ ଗତବର୍ଷ ପ୍ରଥମ ଭାଗରେ ତତକାଳୀନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି କଟକଣା ଜାରି କରିଥିଲେ । ତାଙ୍କ ପରେ ରାଷ୍ଟ୍ରପତି ଜୋ ବାଇଡେନ ଏହି କଟକଣା ପ୍ରତ୍ୟାହାର କରିଛନ୍ତି । ଆମେରିକାର ଏହି କଟକଣା ଯୋଗୁଁ ସାରା ବିଶ୍ବର ଲକ୍ଷ ଲକ୍ଷ ଲୋକ ସମସ୍ୟାରେ ପଡିଥିଲେ । ବିଶେଷ କରି ୟୁରୋପ, ବ୍ରିଟେନ, ଚୀନ, ଭାରତ, ମେକ୍ସିକୋ ଓ କାନାଡା ପକ୍ଷରୁ ତୀବ୍ର ବିରୋଧ ହୋଇ ଆସୁଥିଲା ।

ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ କୋଟି ୬ ଲକ୍ଷରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ହେଲାଣି ୫୦ ଲକ୍ଷ ୬୪ ହଜାର । ଏକ ନମ୍ବରରେ ଥିବା ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୭୩ ଲକ୍ଷ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେ ୭ ଲକ୍ଷ ୭୫ ହଜାରରୁ ଅଧିକ ଲୋକ ।

କରୋନା ମାରିଛି ପେଟରେ ଲାତ: ମୃତ୍ୟୁର ରାସ୍ତା ବାଛି ନେଉଛନ୍ତି ଚାଷୀ ଓ ବ୍ୟବସାୟୀ

ନୂଆଦିଲ୍ଲୀ: କରୋନାକୁ ନେଇ ଚିନ୍ତାଜନକ ତଥ୍ୟ । ମହାମାରୀରେ ଛଟପଟ ଚାଷୀ ଓ ବ୍ୟବସାୟୀ କରୁଛନ୍ତି ଆତ୍ମହତ୍ୟା । ବ୍ୟବସାୟିକ ଘାଟା ଯୋଗୁଁ ଆପଣାଇ ନେଇଛନ୍ତି ମୃତ୍ୟୁର ରାସ୍ତା । ଏହି ସମୟ ମଧ୍ୟରେ ୧୧ ହଜାରରୁ ଅଧିକ ବ୍ୟବସାୟୀ ଓ ୧୦ ହଜାରରୁ ଅଧିକ ଚାଷୀ ମୃତ୍ୟୁକୁ ଆପଣାଇ ନେଇଛନ୍ତି ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ତଥ୍ୟ ଅନୁସାରେ ଗତବର୍ଷ କୋଭିଡ ଯୋଗୁଁ ବ୍ୟବସାୟରେ ବ୍ୟାପକ କ୍ଷତି କାରଣରୁ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି କୃଷି ସଂକଟ, ଫସଲହାନି, କ୍ଷତି, ଋଣଭାର ଆଦି କାରଣରୁ ଚାଷୀ ଆତ୍ମହତ୍ୟା ସଂଖ୍ୟା ବି ବଢିଥିଲା ।୨୦୨୦ରେ ୧୧ ହଜାର ୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ବେଳେ, ୧୦ ହଜାର ୬୭୭ ଜଣ ଚାଷୀ ମୃତ୍ୟୁର ପଥ ବାଛି ନେଇଥିଲେ ।

ଆତ୍ମହତ୍ୟା କରିଥିବା ବ୍ୟବସାୟୀଙ୍କ ମଧ୍ୟରୁ ୪ ହଜାର ୩୫୬ ଜଣ ଛୋଟ, ମଧ୍ୟମ ଓ ବଡ ବ୍ୟବସାୟୀ ଥିବାବେଳେ, ୪ ହଜାର ୨୨୬ ଜଣ ଭେଣ୍ଡର ଥିଲେ । ସେପଟେ ଦେଶରେ ମୋଟ ଆତ୍ମହତ୍ୟା ହାର ୧୦ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଦେଶରେ ୧ ଲକ୍ଷ ୫୩ ହଜାର ୫୨ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ସାଧାରଣତଃ ବ୍ୟବସାୟୀଙ୍କ ତୁଳନାରେ ଚାଷୀମାନେ ଅଧିକ ଆତ୍ମହତ୍ୟା କରିଥାନ୍ତି । ମାତ୍ର ଗତବର୍ଷ ଏହି ଘଟଣା ଓଲଟା ହୋଇଛି । ବାରମ୍ବାର ଲକଡାଉନ, ସଟଡାଉନ, ମାନ୍ଦା ବ୍ୟବସାୟ କାରଣରୁ ବ୍ୟବସାୟୀମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଥିଲେ ଓ ଋଣ ପରିଶୋଧ କରିପାରି ନଥିଲେ । ଏହି କାରଣରୁ ବହୁ ଚାଷୀ ମୃତ୍ୟୁକୁ ଆପଣାଇ ନେଇଥିଲେ । ସେହିପରି ଶସ୍ୟହାନୀ, ଋଣଜନିତ ସମସ୍ୟା ଯୋଗୁଁ ଚାଷୀମାନେ ବି ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରିଛନ୍ତି । ଭାରତୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମହାସଙ୍ଘ ସାଧାରଣ ସମ୍ପାଦକ ଅନୀଲ ଭରଦ୍ବାଜ କହିଛନ୍ତି, ‘କୋଭିଡ ସମୟରେ ବ୍ୟବସାୟୀଙ୍କ ମଧ୍ୟରେ ସଙ୍କଟ ଅତି ଘନୀଭୂତ ହୋଇଥିଲା ଏବଂ କୌଣସି ସୂତ୍ରରୁ ସହାୟତା ନ ପାଇ ଶେଷରେ ଆତ୍ମହତ୍ୟା କରିଥିଲେ ।’

ଯବାନଙ୍କୁ ଗୁଳି ମାରିଲେ ଯବାନ: ୪ ମୃତ, ୩ ଗୁରୁତର

ସୁକମା: ଛତିଶଗଡ଼ ସୁକମା ଜିଲ୍ଲା ମାରାଇଗୁଡ଼ା ସିଆରପିଏଫ କ୍ୟାମ୍ପରେ ଗୁଳିକାଣ୍ଡ । ସାଥୀ ଯବାନଙ୍କ ଗୁଳିରେ ଚାଲିଗଲା ୪ ଯବାନଙ୍କ ଜୀବନ । ୩ ଜଣ ଗୁରୁତର । ମୃତ ଯବାନମାନେ ହେଲେ ଧାନଜୀ, ରାଜୀବ ମଣ୍ଡଳ, ରାଜମଣି କୁମାର ଯାଦବ ଓ ଧର୍ମେନ୍ଦ୍ର କୁମାର । ସେହିପରି ଗୁରୁତରମାନେ ହେଲେ ଧନଞ୍ଜୟ କୁମାର ସିଂ, ଧର୍ମାତ୍ମା କୁମାର ଓ ମଳୟ ରଞ୍ଜନ ମହାରଣା ।

ଗୁରୁତର ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ସିଆରପିଏଫ ୫୦ ବାଟାଲିୟନର ଯବାନ ।  ପରସ୍ପର ମଧ୍ୟରେ ଝଗଡ଼ା ପରେ ଯବାନ ଜଣକ ନିଜ ସର୍ଭିସ ବନ୍ଧୁକରୁ ଗୁଳିମାଡ଼ କରିଥିବା ଜଣାପଡିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁକମା ଏସପି ।

T20 World Cup: ଆଜି ଭାରତ- ନାମିବ୍ୟା ମୁକାବିଲା

ନୂଆଦିଲ୍ଲୀ: ଅଧାରେ ରହିଗଲା ଟି-୨୦ ବିଶ୍ବକପ୍ ଜିତିବା ସ୍ବପ୍ନ । ଆଫଗାନିସ୍ତାନର ପରାଜୟ ଭାରତର ସବୁ ଆଶକୁ କରିଦେଲା ଧୂଳିସାତ । ଏବେ ଖାଲି ହାତରେ ସ୍ବଦେଶ ଫେରିବ ଭାରତୀୟ କ୍ରିକେଟ୍ ଟିମ୍ ।

ଗତକାଲି ଆଫଗାନିସ୍ତାନଠାରୁ ନ୍ୟୁଜିଲ୍ୟାଣ୍ଡ ଜିତିବା ପରେ ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ଆଜି ନାମିବ୍ୟା ସହ ମ୍ୟାଚ୍ ଖେଳିବ ଭାରତ । ଅପରାହ୍ନରେ ଦୁବାଇରେ ହେବ ଏହି ମ୍ୟାଚ୍ । ପ୍ରଥମ ଦୁଇଟି ମ୍ୟାଚ୍ ହାରି ବ୍ୟାକଫୁଟରେ ଥିଲା ଭାରତ । ତେବେ ସ୍କଟଲ୍ୟାଣ୍ଡ ଓ ଆଫଗାନିସ୍ତାନଠାରୁ ଜିତିବା ପରେ ଭାରତର ସେମି ଆଶା ଉଜ୍ଜିବୀତ ହୋଇଥିଲା । ହେଲେ ଆଫଗାନିସ୍ତାନଠାରୁ ନ୍ୟୁଜିଲ୍ୟାଣ୍ଡ ଜିତିବା ପରେ ଭାରତର ସମସ୍ତ ଆଶା ଧୂଳିସାତ ହୋଇଯାଇଛି । ଗ୍ରୁପ୍ Bରୁ ସେମିଫାଇନାଲରେ ପହଞ୍ଚିଛନ୍ତି ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ । ୨୦୦୭ରେ ଭାରତ ପ୍ରଥମ ଟି-୨୦ ବିଶ୍ବକପ ହାତେଇବାରେ ସକ୍ଷମ ହୋଇଥିଲା । ଏହା ପରଠୁ ଟିମ ଇଣ୍ଡିଆ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଥିଲେ ମଧ୍ୟ ସଫଳ ହୋଇପାରି ନାହିଁ  ।

କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଟାକ୍ଷ କିଶୋର ଭାବେ ପରିଚିତ ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ । ହୃଦଘାତରେ ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୈନିକ ଖବରକାଗଜ ସମ୍ବାଦରେ କାର୍ଯ୍ୟରତ ଥିଲେ । ସମ୍ବାଦରେ ପ୍ରକାଶିତ ‘କଟାକ୍ଷ’ ପାଇଁ ବେଶ୍ ଘରେ ଘରେ ପରିଚିତ ଥିଲେ କିଶୋର । ସମାଜିକ ପ୍ରସଙ୍ଗକୁ ଭିନ୍ନ ଅନ୍ଦାଜରେ ‘କଟାକ୍ଷ’ ମାଧ୍ୟମରେ ପ୍ରକାଶ କରୁଥିଲେ କିଶୋର । ସୋମବାର ଭୋରରେ ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି ।

କିଶୋରଙ୍କ ପରଲୋକକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛି, ‘ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

ସେହିପରି କିଶୋରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ମାନସ ମଙ୍ଗରାଜ ।

୨୫ କୋଟି ଟପିଲା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା କବଳରେ ପୂରା ବିଶ୍ବ । ହନ୍ତସନ୍ତ କରୁଛି, ଜୀବନ ନେଉଛି । ବର୍ତ୍ତମାନ ସୁଦ୍ଧା ପୂରା ଦୁନିଆରେ ୨୫ କୋଟି ଲୋକଙ୍କ ଗ୍ରାସି ସାରିଲାଣି କାଳ ରୂପୀ କରୋନା ମହାମାରୀ । ଗଲାଣି ୫୦ ଲକ୍ଷ ଲୋକଙ୍କ ଜୀବନ ।

ସଂକ୍ରମଣରେ ଶୀର୍ଷରେ ରହିଛି ଆମେରିକା । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫ କୋଟି ଛୁଇଁଛି । ସେହିଭଳି ସାଢେ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ । ଦ୍ବିତୀୟ ସ୍ଥାନରେ ଅଛି ଭାରତ । ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷରୁ ଅଧିକ ଥିବାବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୦ ହଜାରରେ ଛୁଇଁଛି । ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୮ ଲକ୍ଷରୁ ଅଧିକ ଥିବା ବେଳେ ମୃତ୍ୟୁ ସଂଖ୍ୟା ହେଇଛି ୬ ଲକ୍ଷ ୯ ହଜାର ।

ବିଜେପିର କ୍ଷମତା ଅପବ୍ୟବହାର ପ୍ରତିବାଦରେ ରାଷ୍ଟ୍ରୀୟ ବିରୋଧ ଦିବସ

ନୂଆଦିଲ୍ଲୀ: ଗାଦି ମୋହରେ କ୍ଷମତାର ଅପବ୍ୟବହାର କରୁଛି ବିଜେପି । ବିଶେଷ କରି ବିଜେପି ଶାସିତ ରାଜ୍ୟରେ ଅସୁରକ୍ଷିତ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ । ଏମାନଙ୍କ ଉପରେ ବଢୁଛି ଅତ୍ୟାଚାର । ପୂରା ଦେଶରେ ଉଠିବାରେ ଲାଗିଛି ବିରୋଧର ସ୍ବର । ପ୍ରତିବାଦରେ ଆଜି ଦେଶବ୍ୟାପୀ ରାଷ୍ଟ୍ରୀୟ ବିରୋଧ ଦିବସ ପାଳନ କରୁଛି ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ୍ କାଉନସିଲ୍ ଅଫ୍ ଟ୍ରେଡ ୟୁନିୟନ୍ (AICCTU)। ସିପିଆଇଏମଏଲର ଏହି ଶାଖା ସାରା ଦେଶରେ ବିଜେପିକୁ ବିରୋଧ କରିବ ।

ସାରା ଦେଶରେ ବୋହୁଛି ବିଜେପି ବିରୋଧୀ ହାଓ୍ବା । ତ୍ରିପୁରାରେ ଆଇନ ଓ କ୍ଷମତାର ଅପବ୍ୟବହାର କରୁଛି ବିଜେପି ସରକାର । ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ଆକ୍ରମଣ, ସୋସିଆଲ ମିଡିଆରେ ନିନ୍ଦା କରୁଥିବା ଲୋକଙ୍କ ବିରୋଧରେ ନିଆଯାଇଛି ବେଆଇନ୍ କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ରାଜ୍ୟରେ ସାଂପ୍ରଦାୟିକ ହିଂସା ପାଇଁ ବିଜେପିକୁ ଦାୟୀ କରିଛି AICCTU । ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ସ୍ବରକୁ ଦବାଇବାକୁ ବିଜେପି ଅପଚେଷ୍ଟା କରୁଥିବା ଅଭିଯୋଗ କରିଛି ଟ୍ରେଡ ୟୁନିୟନ । ଏହାକୁ ବିରୋଧ କରି ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ଏଆଇସିସିଟିୟୁ । ସମସ୍ତ ରାଜ୍ୟର ରାଜଧାନୀରେ ବିଜେପିକୁ ବିରୋଧ କରାଯିବ । ୟୁଏପିଏ ବଳରେ ବିଜେପି ଦମନଲୀଳା କରୁଥିବାରୁ, ଆଇନକୁ ଉଚ୍ଛେଦ କରିବାକୁ ସଂଗଠନ ଦାବି କରିଛି ।

କଳାହାଣ୍ଡିବାସୀଙ୍କୁ ନବୀନ ଦେବେ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି, ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

କଳାହାଣ୍ଡି: ଚିକିତ୍ସା ଖର୍ଚ୍ଚ ପାଇଁ କଳାହାଣ୍ଡିବାସୀଙ୍କୁ ହେବାକୁ ପଡ଼ିବନି ଆଉ ହନ୍ତସନ୍ତ । ନିଜର ହେଉ କି ପରିବାରର, ଚିକିତ୍ସା ଖର୍ଚ୍ଚ ପାଇଁ ଆଉ ଏଠି ସେଠି ହାତ ପତାଇବାକୁ ପଡ଼ିବନି । କାରଣ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ପାଇଁ ଆଣୁଛନ୍ତି ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଆଜି ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ ।

ସ୍ମାର୍ଟ ହେବ କଳାହାଣ୍ଡି । ବିଏସକେଓ୍ବାଇରେ ଯୋଡ଼ି ହେବ ଆଉ ଏକ ସଫଳତାର ଫର୍ଦ୍ଦ । ଆଜି କଳାହାଣ୍ଡିରେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ଼ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲା ଗସ୍ତରେ ଯାଇ ସାଢେ ୪ ଲକ୍ଷ ହିତାଧିକାରୀଙ୍କୁ ବିଏସକେଓ୍ବାଇ କାର୍ଡ଼ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏଥିସହିତ ଜିଲ୍ଲାବାସୀଙ୍କୁ ଭେଟି ଦେବେ ଅନେକ ପ୍ରକଳ୍ପ ।

ସବୁ ରୋଗର ମାଷ୍ଟର କାର୍ଡ ହେଉଛି ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ । ଗରିବଙ୍କ ଆଶା ବାଡ଼ି ସାଜିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ହିତାଧିକାରୀ ଏହି କାର୍ଡ଼ ଜରିଆରେ ପାଉଛନ୍ତି ଉନ୍ନତମାନର ଚିକିତ୍ସା ସୁବିଧା । ରାଜ୍ୟର କୋଣ, ଅନୁକୋଣରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନେକ ଗରିବ ଲୋକ ଉପକୃତ ହେଉଛନ୍ତି । ରାଜ୍ୟରେ ସାଢେ ୩ କୋଟି ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି । ପୁରୁଷମାନେ ୫ଲକ୍ଷ ଓ ମହିଳାମାନେ ୧୦ ଲକ୍ଷ ଯାଏଁ ଚିକିତ୍ସା ସୁବିଧା ପାଇବେ । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଏହି ସୁବିଧା ମିଳିବ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷାରେ ରହିଛନ୍ତି ଜିଲ୍ଲାବାସୀ ।

ସେହିପରି ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ମାର୍ଟ କାର୍ଟ ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏଥିପାଇଁ ନୂଆପଡ଼ା ଜିଲ୍ଲା ସଦର ମହକୁମା ସମେତ ୫ଟି ବ୍ଲକ ଓ ୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରସ୍ତୁତି ସରିଛି । ଜିଲ୍ଲାରେ ୧ ଲକ୍ଷ ୭୨ ହଜାର ୬୪୩ କାର୍ଡ ବଣ୍ଟନ ଶହ ୪ ଶହ ୭୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲାରେ ୫ଜଣ ମନ୍ତ୍ରୀ ଆସୁଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ସମୀର ରଞ୍ଜନ ଦାସ ପହଞ୍ଚିଛନ୍ତି ।