spot_img
Home Blog Page 499

ଆପଣଙ୍କ ଶରୀରରେ ଦେଖାଯାଉଛି କି ଏହିସବୁ ଲକ୍ଷଣ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ …

ନନ୍ଦିଘୋଷ ବ୍ୟୁରୋ: ପ୍ରାୟତଃ ଲୋକମାନେ ଗଣ୍ଠିର ଯନ୍ତ୍ରଣା କିମ୍ବା ଫୁଲାକୁ ସାଧାରଣ ଭାବି ଅଣଦେଖା କରନ୍ତି, କିନ୍ତୁ ଏହା ଆପଣଙ୍କ ଶରୀରରେ ଅଧିକ ୟୁରିକ୍ ଏସିଡର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଏହାକୁ ସମୟ ମଧ୍ୟରେ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ ନଚେତ୍ ଏହା ଗଣ୍ଠି ଯନ୍ତ୍ରଣା ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ଡାକ୍ତରଙ୍କ ଅନୁଯାୟୀ ଯେତେବେଳେ ଶରୀରରେ ୟୁରିକ୍ ଏସିଡର ସ୍ତର ବୃଦ୍ଧି ପାଏ ଏହା ଗଣ୍ଠିରେ ସ୍ଫଟିକ ଆକାରରେ ଜମା ହେବା ଆରମ୍ଭ କରେ ଯାହା ଫୁଲିବା, ଲାଲ ହେବା ଏବଂ ପ୍ରବଳ ଯନ୍ତ୍ରଣା ହୋଇଥାଏ ।

ୟୁରିକ୍ ଏସିଡ୍ ବୃଦ୍ଧି ପାଇଲେ କେଉଁ ସ୍ଥାନରେ ଯନ୍ତ୍ରଣା ହୁଏ ?

ଆଙ୍ଗୁଠିରେ ତୀବ୍ର ଯନ୍ତ୍ରଣା – ଏହା ସବୁଠାରୁ ସାଧାରଣ ଲକ୍ଷଣ । ଯନ୍ତ୍ରଣା ହଠାତ୍ ଆରମ୍ଭ ହୁଏ ଏବଂ ରାତିରେ ଅଧିକ ଅନୁଭୂତ ହୁଏ ।

ଆଣ୍ଠୁ ଏବଂ ଗୋଇଠି ଫୁଲିବା – ଫୁଲିବା ସହିତ ଯନ୍ତ୍ରଣା ବଢ଼ିପାରେ ।

ଆଙ୍ଗୁଠିରେ କଠିନତା – ହାତ ବଙ୍କା ହେବା କିମ୍ବା କାମ କରିବାରେ କଷ୍ଟ ଏବଂ ବିଶେଷକରି ଏହା ସକାଳେ ବେଶୀ ଅନୁଭୂତ ହୁଏ ।

ଗୋଇଠି ଯନ୍ତ୍ରଣା – ଚାଲିବା କିମ୍ବା ଠିଆ ହେବା ସମୟରେ ଅସୁବିଧା ହୁଏ ଲବଂ ଯନ୍ତ୍ରଣା ଅନୁଭୂତ ହୁଏ ।

ୟୁରିକ ଏସିଡ୍ ବୃଦ୍ଧିର କାରଣ

-ଅଧିକ ପରିମାଣରେ ରେଡ୍ ମିଟ୍ ଏବଂ ସାମୁଦ୍ରିକ ଖାଦ୍ୟ ଖାଇବା

-ଚିନି ଏବଂ ମିଠା ପାନୀୟ ଅଧିକ ଖାଇବା

-ଅତ୍ୟାଧିକ ମଦ୍ୟପାନ, ବିଶେଷକରି ବିୟର ସେବନ

-ଶାରୀରିକ କାର୍ଯ୍ୟକଳାପ ହ୍ରାସ

-କିଡ଼ନୀ ସମସ୍ୟା ଯୋଗୁଁ ୟୁରିକ ଏସିଡ୍ ଠିକ୍ ଭାବରେ ବାହାରିନପାରିବା

ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ

ଯଦି ଆପଣ ଏହି ସବୁ ସ୍ଥାନରେ ବାରମ୍ବାର ଯନ୍ତ୍ରଣା, ଫୁଲା ଅନୁଭବ କରୁଛନ୍ତି ତେବେ ତୁରନ୍ତ ରକ୍ତ ପରୀକ୍ଷା କରନ୍ତୁ। ଯଦି ଦୀର୍ଘ ସମୟ ଧରି ଚିକିତ୍ସା ନକରାଯାଏ ତାହେଲେ ଏହା କ୍ରନିକ ଗାଉଟ୍, ଷ୍ଟୋନ ନଚେତ୍ କିଡ଼ନୀ ନଷ୍ଟର କାରଣ ହୋଇପାରେ ।

ୟୁରିକ ଏସିଡ୍ କେମିତି ରୋକିବେ ?

-ପ୍ରତିଦିନ ଅତି କମରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ

-ମାଂସ, ମଦ୍ୟପାନ ଏବଂ ମିଠା ପାନୀୟଠାରୁ ଦୂରରେ ରୁହନ୍ତୁ

-ଖାଦ୍ୟରେ ତାଜା ଫଳ ଏବଂ ସବୁଜ ପନିପରିବା ସାମିଲ କରନ୍ତୁ

-ନିୟମିତ ବ୍ୟାୟାମ କରନ୍ତୁ ଏବଂ ଓଜନ ନିୟନ୍ତ୍ରଣରେ ରଖନ୍ତୁ

-କମ୍ ଚର୍ବିଯୁକ୍ତ ଦ୍ରବ୍ୟ ଖାଆନ୍ତୁ

ଶରୀରର କୌଣସି ଅଂଶରେ ଲଗାତାର ଯନ୍ତ୍ରଣାକୁ କେବେବି ଅଣଦେଖା କରନ୍ତୁ ନାହିଁ, ବିଶେଷକରି ଯଦି ଏହା ଗଣ୍ଠି ସହିତ ଜଡିତ। ସମୟସୀମା ମଧ୍ୟରେ ଅଧିକ ୟୁରିକ ଏସିଡର ଚିହ୍ନଟ ଏବଂ ଚିକିତ୍ସା ଆପଣଙ୍କ ଗଣ୍ଠି ଗୁଡିକୁ ଦୀର୍ଘ ସମୟ ପାଇଁ ସୁସ୍ଥ ରଖିପାରିବ।

 

ଜମ୍ମୁ-କଶ୍ମୀର କୁଲଗାମରେ ଆତଙ୍କବାଦୀ-ଯବାନ ଗୁଳିବିନିମୟ, ୨ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରର କୁଲଗାମରେ ଆତଙ୍କବାଦୀ-ଯବାନ ଗୁଳିବିନିମୟ । ଗୁଳିବିନିମୟରେ ସହିଦ ହୋଇଛନ୍ତି ୨ ଯବାନ । ଆହତ ହୋଇଛନ୍ତି ୧୦ରୁ ଅଧିକ ଯବାନ । ଲଗାତାର ୯ଦିନ ଧରି କୁଲଗାମରେ ଜାରି ରହିଛି ଅପରେସନ । ବର୍ତ୍ତମାନ ସୁଦ୍ଧା ୩ଜଣ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି । କୁଲଗାମରେ ଆତଙ୍କୀ ଲୁଚିଥିବା ସୂଚନା ମିଳିବା ପରେ ସେଠାରେ ଚାଲିଛି ଅପରେସନ। ଆତଙ୍କୀଙ୍କୁ ଠାବ କରିବା ଲାଗି ଡ୍ରୋନ ଓ ହେଲିକପ୍ଟର ନିୟୋଜିତ କରାଯାଇଛି ।

ଗତକାଲି ରାତିରୁ କୁଲଗାମରେ ହୋଇଥିବା ଏନକାଉଣ୍ଟରେ ୪ଜଣ ଯବାନ ଆହତ ହୋଇଥିଲେ। ଆତଙ୍କବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ସୂଚନା ମିଳିଛି। ଗତ ଅଗଷ୍ଟ ୧ରୁ କୁଲଗାମରେ ଜାରି ରହିଛି ଆର୍ମି ଅପରେସନ।

‘‘ନିଜକୁ ବରବାଦ୍ କରୁଛନ୍ତି ଟ୍ରମ୍ପ’’ : ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ବୟାନ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କକୁ ନେଇ ସାରା ବିଶ୍ୱରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅନେକ ଦେଶ ତାଙ୍କ ଶୁଳ୍କକୁ ସମାଲୋଚନା କରୁଥିବାବେଳେ ଅନେକ ଅର୍ଥନୀତିଜ୍ଞ ଏହାକୁ ଏକ ବଡ଼ ବିପଦ ବୋଲି କହୁଛନ୍ତି  । ଏହା ପରେ ମଧ୍ୟ ଟ୍ରମ୍ପ ଶୁଳ୍କକୁ ନେଇ ତାଙ୍କର ମନୋଭାବ ପରିବର୍ତ୍ତନ କରୁଥିବା ପରି ମନେ ହେଉନାହିଁ। ସମ୍ପ୍ରତି ସେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଷ୍ଟିଭ୍ ହାଙ୍କେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଅନ୍ୟ ଦେଶମାନଙ୍କ ବିରୁଦ୍ଧରେ ବାଣିଜ୍ୟ ଯୁଦ୍ଧ କରି ନିଜକୁ ନିଜେ ବର୍ବାଦ କରୁଛନ୍ତି । ସେ ଭାରତ ଉପରେ ଟ୍ରମ୍ପଙ୍କ ୫୦% ଶୁଳ୍କକୁ “ସମ୍ପୂର୍ଣ୍ଣ ଅବମାନନା” ବୋଲି କହିଥିଲେ । ଟ୍ରମ୍ପଙ୍କ ଅର୍ଥନୈତିକ ମଡେଲ ଖୁବଶୀଘ୍ର ଭୁଶୁଡ଼ି ପଡ଼ିବ ବୋଲି ହକ୍ ଭାରତକୁ ଧର୍ଯ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ଚୀନ୍ ଏବଂ ରୁଷ ମଧ୍ୟ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି।

ଟ୍ରମ୍ପ ନିଜକୁ ବରବାଦ୍ କରୁଛନ୍ତି

ଆମେରିକାର ଅର୍ଥନୀତିଜ୍ଞ ଏବଂ ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଷ୍ଟିଭ୍ ହାଙ୍କେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଅନ୍ୟ ଦେଶମାନଙ୍କ ବିରୁଦ୍ଧରେ ବାଣିଜ୍ୟ ଯୁଦ୍ଧ କରି “ନିଜକୁ ବରବାଦ କରୁଛନ୍ତି”। ଭାରତ ଉପରେ ଆମେରିକା ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବା ନେଇ ଆମେରିକା ଏବଂ ଭାରତ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ତାଙ୍କର ଏହି ମନ୍ତବ୍ୟ ଆସିଛି । ପ୍ରଫେସର ହାଙ୍କେ କହିଛନ୍ତି ଯେ, “ନାପୋଲିୟନଙ୍କ ପରାମର୍ଶ ପାଳନ କରିବା ହେଉଛି ମୁଖ୍ୟ କଥା। ମୁଁ ଭାବୁଛି ଟ୍ରମ୍ପ ନିଜକୁ ବରବାଦ୍ କରୁଛନ୍ତି।”

ଭାରତ ଧୈର୍ଯ୍ୟ ଧରିବା ଉଚିତ

ଷ୍ଟିଭ୍ ହାଙ୍କେ କହିଛନ୍ତି, “ମୁଁ ଭାବୁଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଟିକିଏ ଅପେକ୍ଷା କରିବା ଉଚିତ। ମୁଁ ଭାବୁଛି ଖୁବଶୀଘ୍ର  ଟ୍ରମ୍ପଙ୍କ ଦୁର୍ଗ ଭୁଶୁଡ଼ି ପଡ଼ିବ”  । ପ୍ରଫେସର ହାଙ୍କେ ଦାବି କରିଛନ୍ତି ଯେ ଆମେରିକାରେ ବାଣିଜ୍ୟରେ ଏକ ବଡ଼ ହ୍ରାସ ଘଟିଛି କାରଣ ଆମେରିକୀୟମାନଙ୍କ ଖର୍ଚ୍ଚ ମୋଟ ଜାତୀୟ ଉତ୍ପାଦ ଅପେକ୍ଷା ଅଧିକ। ଟ୍ରମ୍ପଙ୍କ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଲ।

ଟ୍ରମ୍ପଙ୍କୁ ଚୀନର ଟାର୍ଗେଟ 

ଚୀନ୍ ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଅନ୍ୟ ଦେଶଗୁଡ଼ିକୁ ଦମନ କରିବା ପାଇଁ ଶୁଳ୍କକୁ ଅସ୍ତ୍ର ଭାବରେ ବ୍ୟବହାର କରିବା ଜାତିସଂଘ ଚାର୍ଟରର ଉଲ୍ଲଂଘନ। ଏହା ବିଶ୍ୱ ବାଣିଜ୍ୟ ସଂଗଠନର ନିୟମକୁ ଦୁର୍ବଳ କରୁଛି ଏବଂ ଏହା  ଅସ୍ଥିର ।

 

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ; ଏଣିକି ରିଟର୍ଣ୍ଣ ଟିକେଟ ବୁକ୍ କଲେ ମିଳିବ ୨୦% ରିହାତି

ନନ୍ଦିଘୋଷ ବ୍ୟୁରୋ: ଆପଣ କେବେ ନା କେବେ ଟ୍ରେନରେ ଯାତ୍ରା କରିଥିବେ । ପ୍ରତିଦିନ ଭାରତୀୟ ରେଳର ବ୍ୟବହାର କରି ଲକ୍ଷଲକ୍ଷ ଲୋକ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତି । ଏହାକୁ ନଜରରେ ରଖି ରେଳ ବିଭାଗ ସାରା ଦେଶରେ ହଜାର ହଜାର ଟ୍ରେନ ଚଲାଇଥାଏ । ତେବେ ଭାରତରେ ଯାତ୍ରୀମାନଙ୍କ ସଂଖ୍ୟା ବହୁତ ଅଧିକ ହୋଇଥିବାରୁ ଟ୍ରେନରେ ସାଧାରଣତଃ ଭିଡ ଅଧିକ ହୁଏ । ଆମ ଦେଶରେ ଯାତ୍ରୀ ଅନୁପାତରେ ଟ୍ରେନ ସଂଖ୍ୟା କମ ରହିଥିବାରୁ ପାର୍ବଣ ଋତୁରେ ଟ୍ରେନରେ ସିଟ ମିଳିବା ତ ଦୂରର କଥା ଟ୍ରେନ୍ ଭତରକୁ ପଶିବା ବି କଷ୍ଟ ।  ସାଧାରଣ ଶ୍ରେଣୀରେ ପ୍ରଥମରୁ ଭିଡ ହେଉଥିବାରୁ କୈଣସିମତେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଲୋକମାନେ ଟ୍ରେନର ଶୌଚାଳୟରେ ମଧ୍ୟ ଯାତ୍ରା କରିଥାନ୍ତି । ଏସବୁକୁ ନଜରରେ ରଖି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଉପହାର ଦେଇଛନ୍ତି । ଯଦି ଆପଣ ଟିକେଟ୍ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ୨୦ ପ୍ରତିଶତ ରିହାତି ଦିଆଯିବ। ଏନେଇ ରେଳ ମନ୍ତ୍ରଣାଳୟ ଏକ “ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍” ଆରମ୍ଭ କରିଛି।

ପାର୍ବଣ ଋତୁରେ ଟ୍ରେନରେ ପ୍ରବଳ ଭିଡ଼ ଏବଂ ଟିକେଟ୍ ପାଇଁ ଭିଡ଼କୁ ଏଡାଇବା ପାଇଁ ଭାରତୀୟ ରେଳବାଇ ଏକ ନୂତନ ଯୋଜନା ଆରମ୍ଭ କରିଛି। ଏହାର ନାମ ହେଉଛି “ରାଉଣ୍ଡ ଟ୍ରିପ୍ ପ୍ୟାକେଜ ଫର୍ ଫେଷ୍ଟିଭାଲ୍ ରଶ୍” । ଏହି ଯୋଜନାର ଲକ୍ଷ୍ୟ ହେଉଛି ଭିନ୍ନ ଭିନ୍ନ ଦିନରେ ଭିଡ଼କୁ ବାଣ୍ଟିବା ଏବଂ ଯାତ୍ରୀମାନଙ୍କୁ ଶସ୍ତା ମୂଲ୍ୟରେ ଉଭୟ ଯାତ୍ରା ପାଇଁ ଟିକେଟ୍ ପ୍ରଦାନ କରିବା ଯାହା ଦ୍ଵାରା ଯାତ୍ରା ଆରାମଦାୟକ ଏବଂ ସୁବିଧାଜନକ ହୋଇପାରିବ।

ଏହି ଯୋଜନାର ଲାଭ କାହାକୁ ମିଳିବ?

ରେଳବାଇର ଏହି ଯୋଜନା ଅନୁଯାୟୀ ଯଦି ଜଣେ ଯାତ୍ରୀ ଫେରିବା ପାଇଁ ଦୁଇଟି ଟିକେଟ ଏକାଠି ବୁକ୍ କରନ୍ତି, ତେବେ ଟିକେଟର ମୂଳ ଭଡ଼ାରେ୨୦% ରିହାତି ଦିଆଯିବ । ଏହି ରିହାତି କେବଳ ସେହି ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମାନ ନାମ ଏବଂ ବିବରଣୀ ସହିତ ଏକକାଳୀନ ଫେରିବା ଟିକେଟ୍ ବୁକ୍ କରିବେ। ଉଭୟ ଟିକେଟ୍ ସମାନ ଶ୍ରେଣୀ ଏବଂ ସମାନ ଷ୍ଟେସନ୍ ଯୋଡ଼ା (OD ପେୟାର) ହେବା ଉଚିତ । ତେବେ ଏଥିପାଇଁ ଯାତ୍ରୀଙ୍କୁ ଅକ୍ଟୋବର ୧୩ ଓ ୨୬ ତାରିଖ ମଧ୍ୟରେ ଟିକେଟ୍ ବୁକ୍ କରିବାକୁ ପଡ଼ିବ । ଏହାପରେ ରିଟର୍ଣ୍ଣ ଜର୍ଣ୍ଣି ପାଇଁ ନଭେମ୍ବର ୧୭ ଓ ଡିସେମ୍ବର ୧ ତାରିଖ ମଧ୍ୟରେ ’କନେକ୍ଟିଙ୍ଗ ଜର୍ଣ୍ଣି ଫିଚର’ ବୁକ୍ କରିବାକୁ ପଡ଼ିବ । ତେବେ ଏହି ସ୍କିମର ରିହାତି ଯାତ୍ରୀମାନେ ସେତେବେଳେ ପାଇ ପାରିବେ, ଯେତେବେଳେ ଉଭୟ ପଟର ଟିକେଟ ଜଣେ ଯାତ୍ରୀଙ୍କ ନାମରେ କନଫର୍ମ ହେବ ।

ଏସବୁ ଉପରେ ଧ୍ୟାନ ଦେବା ଆବଶ୍ୟକ

ଏହି ନୂତନ ଯୋଜନା ଅନୁଯାୟୀ ପ୍ରଥମେ ରିଟର୍ଣ୍ଣ ଟିକେଟ ବୁକ୍ କରିବାକୁ ପଡିବ । ରିଟର୍ଣ୍ଣ ଟିକେଟ୍ ବୁକ୍ କରିବା ସମୟରେ ଆଗୁଆ ସଂରକ୍ଷଣ ଅବଧି (ARP) ନିୟମ ପ୍ରଯୁଜ୍ୟ ହେବ ନାହିଁ। ସର୍ତ୍ତ ହେଉଛି ଉଭୟ ପାର୍ଶ୍ୱର ଟିକେଟ୍ କେବଳ ନିଶ୍ଚିତ ହେବା ଉଚିତ। ଟିକେଟରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। କୌଣସି ଫେରସ୍ତ ସୁବିଧା ରହିବ ନାହିଁ। ରିଟର୍ଣ୍ଣ ଟିକେଟ୍ ବୁକ୍ କରିବା ସମୟରେ ଅନ୍ୟ କୌଣସି ରିହାତି, ଭାଉଚର, ପାସ୍, PTO କିମ୍ବା ରେଳ ଯାତ୍ରା କୁପନ୍ ପ୍ରଯୁଜ୍ୟ ହେବ ନାହିଁ। ରିଟର୍ଣ୍ଣ ଟିକେଟର ବୁକିଂ ପାଇଁ ଆଡଭାନ୍ସ ରିଜର୍ଭେସନ ପିରିୟଡ ଲାଗୁ ହେବ ନାହିଁ । ରିଟର୍ଣ୍ଣ ଜର୍ଣିଂ ବେସ ଭଡ଼ା ଉପରେ କେବଳ ରିହାତି ଦିଆଯିବ । ଏହି ଯୋଜନା ସମସ୍ତ ଶ୍ରେଣୀ ଏବଂ ସମସ୍ତ ଟ୍ରେନରେ ପ୍ରଯୁଜ୍ୟ । କିନ୍ତୁ ଟ୍ରେନ ଅନ୍ ଡିମାଣ୍ଡ ସମେତ ଫ୍ଲେକ୍ସି ଭଡା ଥିବା ଟ୍ରେନଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ ନାହିଁ। ଉଭୟ ଟିକେଟକୁ ସମାନ ମାଧ୍ୟମରେ ବୁକ୍ କରିବାକୁ ପଡିବ – ଅନଲାଇନ (ଇଣ୍ଟରନେଟ) କିମ୍ବା ରିଜର୍ଭେସନ କାଉଣ୍ଟରରୁ। ଚାର୍ଟ ପ୍ରସ୍ତୁତି ସମୟରେ ଭଡାରେ କୌଣସି ପାର୍ଥକ୍ୟ ଥିଲେ ଯାତ୍ରୀମାନଙ୍କଠାରୁ କୌଣସି ଅତିରିକ୍ତ ଟଙ୍କା ନିଆଯିବ ନାହିଁ ।

ଏହି ଯୋଜନାର ଉଦ୍ଦେଶ୍ୟ କ’ଣ ?

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁଯାୟୀ ଏହି ଅଫର ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼କୁ ବିଭିନ୍ନ ତାରିଖରେ ବିଭକ୍ତ କରିବ। ଉଭୟ ପାର୍ଶ୍ୱରେ ସ୍ୱତନ୍ତ୍ର ଟ୍ରେନ୍ ସଠିକ୍ ଭାବରେ ବ୍ୟବହାର କରାଯିବ ଏବଂ ଯାତ୍ରୀମାନେ ସହଜରେ ଟିକେଟ୍ ପାଇପାରିବେ। ଏଥିପାଇଁ ଗଣମାଧ୍ୟମ ଏବଂ ଷ୍ଟେସନଗୁଡ଼ିକରେ ଘୋଷଣା ମାଧ୍ୟମରେ ବ୍ୟାପକ ପ୍ରଚାର କରିବାକୁ ରେଳବାଇ ନିର୍ଦ୍ଦେଶ ଦେଇଛି।

 

ଉଦୟପୁର ଫାଇଲ୍ସକୁ ଦେଖି ଲୁହ ସମ୍ଭାଳିପାରିଲେନି କହ୍ନେୟାଲାଲଙ୍କ ପରିବାର ..

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର କହ୍ନେୟାଲାଲଙ୍କ ହତ୍ୟା ମାମଲା ଉପରେ ଆଧାରିତ ‘ଉଦୟପୁର ଫାଇଲ୍ସ’ ଫିଲ୍ମଟି ସାରା ଦେଶରେ ମୁକ୍ତିଲାଭ କରିଛି । ଏହି ଫିଲ୍ମର ମୁକ୍ତିଲାଭକୁ ରୋକିବା ପାଇଁ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କେସ୍ ଦାୟର କରାଯାଇଥିଲା । ଅନେକ ଦୃଶ୍ୟ କଟ୍ ପରେ ଶେଷରେ ଫିଲ୍ମଟି ମୁକ୍ତିଲାଭ କରିଛି। ଏହାସହିତ କହ୍ନେୟାଲାଲ ସାହୁଙ୍କ ପୁଅ ୟଶ ଏବଂ ତରୁଣ ମଧ୍ୟ ଉଦୟପୁରର ଅର୍ବାନ୍ ସ୍କୋୟାର ମଲରେ ଏହି ସିନେମା ଦେଖିବାକୁ ଆସିଥିଲେ। ଯେତେବେଳେ ଫିଲ୍ମରେ କହ୍ନେୟାଲାଲଙ୍କ ବେକ କାଟିବାର ଦୃଶ୍ୟ ଆସିଥିଲା ସେତେବେେଳେ ଉଭୟ ପୁଅ ନିଜ ଲୁହକୁ ରୋକିପାରି ନଥିଲେ । ଏହାକୁ ଦେଖି ଫିଲ୍ମର ପ୍ରଯୋଜକ ଏକ ବଡ଼ ଘୋଷଣା କରିଛନ୍ତି।

ସବୁ ଲାଭ କହ୍ନେୟାଲାଲଙ୍କ ପରିବାରର

ପ୍ରଯୋଜକ ଅମିତ ଜାନି ସୋସିଆଲ ମିଡିଆରେ କହ୍ନେୟାଲାଲଙ୍କ ପୁଅମାନଙ୍କ କାନ୍ଦର ଏକ ଭିଡିଓ ସେୟାର କରିଛନ୍ତି । ଏହାସହିତ ସେ ଫିଲ୍ମକୁ ହିଟ୍ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି । ପ୍ରଯୋଜକ ଘୋଷଣା କରିଛନ୍ତି ଯେ ଉଦୟପୁର ଫାଇଲ୍ସର ଟଙ୍କା କହ୍ନେୟାଲାଲଙ୍କ ପରିବାରକୁ ଯିବ। ପ୍ରଯୋଜକ ପୋଷ୍ଟ କରି ଲେଖିଛନ୍ତି ଯେ ଏହା କହ୍ନେୟାଲାଲ ଜୀଙ୍କ ପୁଅ, ଭାଇମାନଙ୍କର ଲୁହର ମୂଲ୍ୟ ବୁଝନ୍ତୁ । ମୋତେ ଗୋଟିଏ ସପ୍ତାହରେ ଏତେ ପଇସା ଆବଶ୍ୟକ ଯେ ମୁଁ ତାଙ୍କ ପରିବାରକୁ ୫୦ କୋଟିର ଚେକ୍ ଦେଇପାରିବି…  ଉଦୟପୁର ଫାଇଲ୍ସର ସବୁ ଟଙ୍କା କହ୍ନେୟାଲାଲଙ୍କ ପରିବାରକୁ ଯିବ।

ମୁକ୍ତିଲାଭ ପାଇଁ ସୁପ୍ରିମକୋର୍ଟରେ ଲଢେଇ

ଉଦୟପୁର କହ୍ନେୟାଲାଲଙ୍କ ହତ୍ୟା ମାମଲା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ଶୁଣାଣିର ସମ୍ମୁଖୀନ ହୋଇଥିଲା। ସୁପ୍ରିମକୋର୍ଟ ଚଳଚ୍ଚିତ୍ରରୁ ଅନେକ ଦୃଶ୍ୟ ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ରୋକ ଲଗାଇଥିଲେ। ତଥାପି ସୁପ୍ରିମକୋର୍ଟ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ କି ନାହିଁ ତାହାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ଛାଡି ଦେଇଥିଲେ ଯାହା ପରେ ଚଳଚ୍ଚିତ୍ରଟି ଅଗଷ୍ଟ ୮ ତାରିଖରେ ମୁକ୍ତିଲାଭ କରିଛି ।

ଉଦୟପୁର ଫାଇଲ୍ସ କାହା ଉପରେ ତିଆରି ହୋଇଛି ?

ଦର୍ଜୀ ଭାବରେ କାମ କରୁଥିବା କହ୍ନେୟାଲାଲଙ୍କୁ ଜୁନ ୨୦୨୨ରେ ରାଜସ୍ଥାନର ଉଦୟପୁରରେ ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ସେହି ସମୟରେ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ଦ୍ୱାରା ପୟଗମ୍ବର ମହମ୍ମଦଙ୍କ ବିଷୟରେ ଏକ ବୟାନକୁ ନେଇ ବହୁତ ବିବାଦ ହୋଇଥିଲା। କହ୍ନେୟାଲାଲ ସୋସିଆଲ ମିଡିଆରେ ନୁପୁରଙ୍କୁ ସମର୍ଥନ କରି ଏକ ପୋଷ୍ଟ ସେୟାର କରିଥିଲେ, ଯାହା ପରେ ମହମ୍ମଦ ରିଆଜ ଏବଂ ମହମ୍ମଦ ଗୌସ ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ।

 

ଉତ୍ତରକାଶୀ ପ୍ରଳୟ ; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ !

ନନ୍ଦିଘୋଷ ବ୍ୟୁରୋ: ମାଟିତଳୁ ଜୀବନଖୋଜା। ଉତ୍ତରାଖଣ୍ଡ ଉତ୍ତରକାଶୀରେ ଜାରି ରହିଛି ପ୍ରଶାସନର ଉଦ୍ଧାରକାର୍ଯ୍ୟ। ବର୍ତ୍ତମାନ ସୁଦ୍ଧା ୬୫୦ ଜଣ ଲୋକଙ୍କୁ ସୁରକ୍ଷିତ ଭାବ; ସ୍ଥାନାନ୍ତର କରାଯାଇଛି। ଆଉ ୩ଶହ ଲୋକଙ୍କୁ ସ୍ଥାନାନ୍ତର ଲାଗି ଉଦ୍ୟମ ଜାରି ରହିଛି। ୮୦ ଏକର ଅଂଚଳରୁ ମାଟି ଅତଡ଼ା ବାହାର କରିବା କାର୍ଯ୍ୟ ଜାରି ରହିଛି। ୨୦ରୁ ୫୦ ଫୁଟ ଉଚ୍ଚରେ ଜମି ରହିଛି ମାଟିର ପାହାଡ। ଖନନରେ ଲାଗିଛି ୩ଟି ଜେସିବି। ମାଟିତଳେ ୩୦୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ସମ୍ପୂର୍ଣ୍ଣ ଉଦ୍ଧାରକାର୍ଯ୍ୟ ଆରମ୍ଭ ପାଇଁ ଲାଗିପାରେ ଆହୁରି ୪ ଦିନ। ଗମନାଗମନ ବାଧାପ୍ରାପ୍ତ ହୋଇଥିବାରୁ ଥର୍ମାଲ ସେନ୍ସିଂ ମେସିନ ଆସିବାରେ ବିଳମ୍ବ ହେଉଛି। ଏହି ମେସିନ ଆସିଲେ ମାଟିତଳେ ଲୋକ ଦବି ରହିଥିଲେ ଠାବ କରିବାରେ ସହଜ ହେବ। ଉଦ୍ଧାରକାର୍ଯ୍ୟ ପାଇଁ ଭାରତୀୟ ସେନା ଡଗ୍ ସ୍କ୍ୱାଡ୍, ଡ୍ରୋନ୍ ଏବଂ ରାଡାରର ବ୍ୟବହାର କରୁଛି। ଘଟଣାସ୍ଥଳ ପରିଦର୍ଶନ କରିବା ଏବଂ ଉଦ୍ଧାରକାର୍ଯ୍ୟର ସମୀକ୍ଷା କରିବା ପାଇଁ ଡିଜିପି ଉତ୍ତରକାଶୀରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ହେଲିକପ୍ଟର।

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ !

ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଏବଂ ହର୍ଷୀଲ ଗାଁରେ ପ୍ରକୃତିର ତାଣ୍ଡବ ପରେ, ସେନା, ଆଇଟିବିପି, ଏନଡିଆରଏଫ ଏବଂ ଜିଲ୍ଲା ପ୍ରଶାସନର ଦଳ ଉଭୟ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଧରାଲି ଏବଂ ହର୍ଷୀଲରେ ଜୀବନ ଖୋଜା ଚାଲିଛି। ଉଦ୍ଧାରକାରୀ ଦଳ ଦୁଇ ଦିନରେ ଆହୁରି ୬୫୦ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିଛନ୍ତି। ପ୍ରାୟ ୩୦୦ ଜଣ ଲୋକ ଏବେବି ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଡଗ୍ ସ୍କ୍ୱାଡ୍, ଡ୍ରୋନ୍ ଏବଂ ଭୂତଳ ରାଡାର ବ୍ୟବହାର କରାଯାଉଛି। ହର୍ଷିଲ୍ ଉପତ୍ୟକାରେ ମୋବାଇଲ୍ ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପିତ ହୋଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଗତ ତିନି ଦିନ ଧରି ଉତ୍ତରକାଶୀରେ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଧାମି କ’ଣ କହିଲେ ?

ମୁଖ୍ୟମନ୍ତ୍ରୀ ଧାମି ଧରାଳିରେ କରାଯାଉଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ ଫସି ରହିଥିବା ଅନ୍ୟ ଲୋକଙ୍କୁ ଶୀଘ୍ର ସୁରକ୍ଷିତ ଭାବରେ ବାହାର କରାଯିବ । ଏସଡିଆରଏଫ କହିଛି ଯେ ନଅ ଜଣ ସୈନିକ ଏବଂ ଅନ୍ୟ ସାତ ଜଣ ଲୋକ ଏବେବି ନିଖୋଜ ଅଛନ୍ତି। ସେହିପରି ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ନିଖୋଜ ଲୋକଙ୍କ ସଂଖ୍ୟା ଅଧିକ ହୋଇପାରେ ।

ରିଲିଫ୍ ଏବଂ ଉଦ୍ଧାରକାର୍ଯ୍ୟରେ ଉପୁଜୁଛି ସମସ୍ୟା 

ଧରାଲିରେ ଅନେକ ହୋଟେଲ ନିର୍ମାଣ ହେଉଥିଲା। ହୋଟେଲଗୁଡ଼ିକର ନିର୍ମାଣ କାର୍ଯ୍ୟରେ ବିହାର ଏବଂ ନେପାଳର ଶ୍ରମିକମାନେ ନିୟୋଜିତ ଥିଲେ। ହୋଟେଲଗୁଡ଼ିକରେ ଦୁଇ ଡଜନରୁ ଅଧିକ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଏବେବି ନିଖୋଜ ଅଛନ୍ତି। କୌଣସି ସୁରାକ ମିଳିନାହିଁ। ଧରାଲି, ହର୍ଷିଲ ଏବଂ ଉତ୍ତରକାଶୀ ମଧ୍ୟରେ ଅନେକ ସ୍ଥାନରେ ରାସ୍ତା ଭାଙ୍ଗିଯାଇଛି । ଏହା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରିବାରେ ସମସ୍ୟା ସୃଷ୍ଟି କରୁଛି। ତଥାପି ଆଶା କରାଯାଉଛି ଯେ ଏବେ ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ପୁନଃସ୍ଥାପିତ ହେବା ପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବ। ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ କରିବା ପାଇଁ ଜେନେରେଟର ବ୍ୟବସ୍ଥା କରାଯାଉଛି।

 

ଆଜି ରାଖି ପିନ୍ଧିବେ ଚତୁଦ୍ଧାମୂର୍ତ୍ତି ; ରାଖି ବାନ୍ଧି ନିଜ ପାଇଁ ସୁରକ୍ଷା ଲୋଡ଼ିବେ ଦେବୀ ସୁଭଦ୍ରା

ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ରାଖି ପିନ୍ଧିବେ ଚତୁଦ୍ଧାମୂର୍ତ୍ତି।  ଗହ୍ମା ଗହ୍ମାପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧିବେ ଭଉଣୀ ସୁଭଦ୍ରା । ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧି ନିଜ ପାଇଁ ସୁରକ୍ଷା ଲୋଡ଼ିବେ ଦେବୀ ସୁଭଦ୍ରା। ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରି ନିଦର୍ଶନକୁ ଗହ୍ମାପୂର୍ଣ୍ଣମୀରେ ଦର୍ଶନ କରି ନିଜକୁ ଧନ୍ୟ ମଣିବେ ଭକ୍ତ ।

ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ । ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ନୀତି ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ ।

ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।

ଆମେରିକା ସହ ତିକ୍ତତା ଭିତରେ ଭାରତ ଆସିବେ ପୁଟିନ୍‌ ! ଚିନ୍ତାରେ ଟ୍ରମ୍ପ ..

ନନ୍ଦିଘୋଷ ବ୍ୟୁରୋ: ଟ୍ରମ୍ପଙ୍କ ଟାରିଫ୍ ୱାର ମଧ୍ୟରେ ମୋଦି ଓ ପୁଟିନଙ୍କ ଆଲୋଚନା। ଫୋନରେ ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ କଥା ହୋଇଛନ୍ତି। ଦ୍ଵିପାକ୍ଷିକ ସଂପର୍କ ସହିତ ବିଶ୍ଵର ଅନେକ ପ୍ରସଙ୍ଗ ସେମାନଙ୍କର ଆଲୋଚନାରେ ସ୍ଥାନ ପାଇଥିଲା। ଏପରିକି ୟୁକ୍ରେନ ଯୁଦ୍ଧ ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି। ଦୁଇ ଦେଶ ହେଉଛନ୍ତି ପାରମ୍ପରିକ ବନ୍ଧୁ। ଉଭୟଙ୍କ ସଂପର୍କ ବହୁତ ପୁରୁଣା। ତେଣୁ ଷ୍ଟ୍ରାଟେଜିକ୍ ପାର୍ଟନରସିପକୁ ଆହୁରି ଦୃଢ଼ କରିବାକୁ ଦୁଇ ନେତା ସହମତି ହୋଇଥିବା ମୋଦି ତାଙ୍କ ଟ୍ଵିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି। ଭାରତ ଗସ୍ତରେ ଆସିବାରୁ ପୁଟିନକୁ ନିମନ୍ତ୍ରଣ କରିଛନ୍ତି ମୋଦି। ଯାହା ଜଣାପଡୁଛି ଏହି ବର୍ଷ ଶେଷ ଆଡ଼କୁ ପୁଟିନ ଭାରତ ଆସିପାରନ୍ତି। ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ଵାନ ଦେଇଛନ୍ତି ମୋଦି। ଏହା ଆଗରୁ କ୍ରେମଲିନରେ ଜାତୀୟ ସୁରକ୍ଷା ପରାମର୍ଶଦାଦା ଅଜିତ ଡୋଭାଲ ରୁଷ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ରଷରୁ ତେଲ ଆମଦାନୀ କରୁଥିବାରୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି। ଏହି ପରିସ୍ଥିତିରେ ମୋଦି ଓ ପୁଟିନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ବେଶ ଗୁରୁତ୍ଵ ରହିଛି।

ମୋଦିଙ୍କ ଟୁଇଟ୍

ପ୍ରଧାନମନ୍ତ୍ରୀ ମୋଦି ଏହି ଆଲୋଚନା ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି, ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ ମୋର ଦୀର୍ଘସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ୟୁକ୍ରେନକୁ ନେଇ ତାଙ୍କ ନିଷ୍ପତ୍ତି ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଆମେ ଆମର ଦ୍ୱିପାକ୍ଷିକ ସମ୍ପର୍କ ନେଇ ମଧ୍ୟ ସମୀକ୍ଷା କରିଛୁ ଏବଂ ଭାରତ-ରୁଷ ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ। ମୁଁ ଚଳିତ ବର୍ଷ ଶେଷରେ ଭାରତରେ ରାଷ୍ଟ୍ରପତି ପୁଟିନଙ୍କୁ ଆତିଥ୍ୟ ଦେବା ପାଇଁ ଅପେକ୍ଷା କରିଛି।

https://x.com/narendramodi/status/1953804374158840158?

ଅଜିତ ଡୋଭାଲ ଏବଂ ପୁଟିନଙ୍କ ସାକ୍ଷାତ

ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏହି ଆଲୋଚନା ପୂର୍ବରୁ, NSA ଅଜିତ ଡୋଭାଲ ଗୁରୁବାର କ୍ରେମଲିନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋଚନା ହୋଇଥିଲା। ଡୋଭାଲ ସମସ୍ତ କ୍ଷେତ୍ରରେ ସହଯୋଗ ଜାରି ରଖିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। କ୍ରେମଲିନରେ ଅନୁଷ୍ଠିତ ବୈଠକରେ ଡୋଭାଲଙ୍କ ସହିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ, ରୁଷ ସୁରକ୍ଷା ପରିଷଦର ସଚିବ ସେରଗେ ମଧ୍ୟ ଯୋଗ ଦେଇଥିଲେ।

ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା

ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ବ୍ରାଜିଲର ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ। ରାଷ୍ଟ୍ରପତି ଲୁଲା ତାଙ୍କୁ ଫୋନ୍ କରିଥିଲେ। ଏହି କଥାବାର୍ତ୍ତା ପରେ, ପ୍ରଧାନମନ୍ତ୍ରୀ ମୋଦି ଏକ ପୋଷ୍ଟରେ ଲେଖିଛନ୍ତି, “ରାଷ୍ଟ୍ରପତି ଲୁଲାଙ୍କ ସହ ଭଲ ଆଲୋଚନା ହେଲା। ମୋର ବ୍ରାଜିଲ ଗସ୍ତକୁ ସ୍ମରଣୀୟ କରିବା ପାଇଁ ଧନ୍ୟବାଦ। ଆମେ ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଇତ୍ୟାଦି କ୍ଷେତ୍ରରେ ଆମର ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବାକୁ ପ୍ରତିବଦ୍ଧ।

 

ଅଗଷ୍ଟ ୧୫ରେ ଟ୍ରମ୍ପ-ପୁଟିନ ଆଲୋଚନା; ଖୁବଶୀଘ୍ର ରୁଷ-ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ

ନନ୍ଦିଘୋଷ ବ୍ୟୁରୋ: ଦୁଇ ସୁପରପାୱାରେ ହେବେ ଏକାଠି । ଆସନ୍ତା ଅଗଷ୍ଟ ୧୫ରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କଥାବାର୍ତ୍ତା। ୟୁକ୍ରେନ ଯୁଦ୍ଧର ଅବସାନ ପ୍ରସଙ୍ଗରେ ଦୁଇ ନେତା କରିବେ ଆଲୋଚନା। ଆସନ୍ତା ଶୁକ୍ରବାର ହେବାକୁ ଯାଉଥିବା କଥାବାର୍ତ୍ତା ଉପରେ ସାରା ବିଶ୍ବର ରହିଛି ନଜର। ଏହି କଥାବାର୍ତ୍ତା ନେଇ ନିଜର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଟ୍ରମ୍ପ। ଏହି କଥାବାର୍ତ୍ତା ସମ୍ପର୍କରେ ବି ସୂଚନା ଦେଇଛି କ୍ରେମଲିନ। ଏକ ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତ ହେଉଛନ୍ତି ବୋଲି କହିଛନ୍ତି ଟ୍ରମ୍ପ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବି ଅସ୍ତ୍ରବିରତି ପ୍ରସଙ୍ଗରେ ରାଜି ଥିବା କୁହାଯାଉଛି। ଏହି କଥାବାର୍ତ୍ତା ଉଭୟ ରୁଷ ଓ ୟୁକ୍ରେନ ମଧ୍ୟରେ କିଛି ଅଞ୍ଚଳକୁ ଦିଆନିଆ କରାଯାଇପାରେ ବୋଲି ଜଣାଯାଇଛି। ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ପରେ ପରେ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ।

ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ସୂଚନା

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଆସନ୍ତା ଶୁକ୍ରବାର ଦିନ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା ବିଷୟରେ ଆଲୋଚନା କରିବେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକିଙ୍କ ସମେତ ସମସ୍ତ ପକ୍ଷ ତିନି ବର୍ଷ ଧରି ଚାଲିଥିବା ଏହି ସଂଘର୍ଷର ସମାଧାନ ପାଇଁ ଏକ ଅସ୍ତ୍ରବିରତି ଚୁକ୍ତିର ନିକଟତର ହୋଇଛନ୍ତି ।

ଉଭୟ ଦେଶଙ୍କ ଶାନ୍ତିର ସର୍ତ୍ତାବଳୀ ଭିନ୍ନ

ଯଦିଓ କ୍ରେମଲିନ୍ ଏପର୍ଯ୍ୟନ୍ତ ଟ୍ରମ୍ପଙ୍କ ଦ୍ୱାରା ସୋସିଆଲ ମିଡିଆରେ ଘୋଷଣା କରାଯାଇଥିବା ଭେଟଘାଟ ବିଷୟରେ କୌଣସି ବିବରଣୀ ଦେଇନାହିଁ, ଉଭୟ ଦେଶ କହିଛନ୍ତି ଯେ ସେମାନେ ଆସନ୍ତା ସପ୍ତାହରେ ଯଥାଶୀଘ୍ର ସାକ୍ଷାତ କରିବାକୁ ଯାଉଛନ୍ତି । ଏହି ଭେଟଘାଟ ତିନି ବର୍ଷରୁ ଅଧିକ ସମୟ ପୂର୍ବେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ଏକ ମୋଡ଼ ସାବ୍ୟସ୍ତ ହୋଇପାରେ । ତଥାପି, ମସ୍କୋ ଏବଂ କିଭ ଶାନ୍ତି ପାଇଁ ସେମାନଙ୍କର ସର୍ତ୍ତାବଳୀରେ ବ୍ୟାପକ ଭିନ୍ନ ହୋଇଥିବାରୁ ଏହା ଯୁଦ୍ଧ ବନ୍ଦ କରିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ।

ନିୟନ୍ତ୍ରିତ ଅଞ୍ଚଳ ଛାଡିବାକୁ ପ୍ରସ୍ତାବ 

ଶୁକ୍ରବାର ଦିନ ଟ୍ରମ୍ପ ପୂର୍ବରୁ ଇଙ୍ଗିତ ଦେଇଥିଲେ ଯେ ଯେକୌଣସି ଚୁକ୍ତିରେ କିଛି ଅଞ୍ଚଳ ଅଦଳବଦଳ ସାମିଲ ହୋଇପାରେ, କିନ୍ତୁ କୌଣସି ବିବରଣୀ ଦେଇନଥିଲେ। କ୍ରେମଲିନଙ୍କ କିଛି ପରାମର୍ଶ ଦାତା ସୂଚନା ଦେଇଛନ୍ତି ଯେ ରୁଷ ଯେଉଁ ଚାରୋଟି ଅଞ୍ଚଳ ଦଖଲ କରିବାକୁ ଦାବି କରୁଛି ତାହା ବାହାରେ ଏହାର ନିୟନ୍ତ୍ରଣରେ ଥିବା ଅଞ୍ଚଳ ଛାଡିବାକୁ ପ୍ରସ୍ତାବ ଦେଇପାରେ।

ୟୁକ୍ରେନକୁ ବାଇପାସ କରିବାକୁ ଚେଷ୍ଟା

ପୂର୍ବରୁ ଟ୍ରମ୍ପ୍ ସୂଚାଇ ଦେଇଥିଲେ ଯେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ କୌଣସି ଆଲୋଚନା ପୂର୍ବରୁ ପୁଟିନଙ୍କ ସହ ତାଙ୍କର ସାକ୍ଷାତ ହେବ। ରୁଷ ନେତା ଜେଲେନ୍ସକିଙ୍କୁ ନଭେଟିଲେ ମଧ୍ୟ ପୁଟିନଙ୍କୁ ଭେଟିବାକୁ ଟ୍ରମ୍ପ୍ ପୂର୍ବରୁ ରାଜି ହୋଇଥିଲେ। ଏହା ୟୁରୋପରେ ଭୟ ସୃଷ୍ଟି କରିଥିଲା ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମହାଦେଶର ସବୁଠାରୁ ବଡ଼ ସଂଘର୍ଷକୁ ବନ୍ଦ କରିବା ପ୍ରୟାସ କରଯାଉଛି ।

ପୁଟିନଙ୍କ ଶେଷ ଆମେରିକା ଗସ୍ତ ୨୦୧୫ ମସିହାରେ ହୋଇଥିଲା, ଯେତେବେଳେ ସେ ନ୍ୟୁୟର୍କରେ ଆମେରିକାର ସାଧାରଣ ପରିଷଦ ବୈଠକରେ ଯୋଗ ଦେଇଥିଲେ। ଆଲାସ୍କାରେ ହେବାକୁ ଥିବା ଏହି ବୈଠକ ୨୦୨୧ ମସିହା ପରେ ପ୍ରଥମ ଆମେରିକା-ରୁଷ ଶିଖର ସମ୍ମିଳନୀ ହେବ, ଯେତେବେଳେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଜେନେଭାରେ ପୁଟିନଙ୍କୁ ଭେଟିଥିଲେ।

 

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା; ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ । ଏହି ରାକ୍ଷୀ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ସ୍ନେହ ଓ ଭଲ ପାଇବାର ସାକ୍ଷୀ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ । ତେବେ ଏହି ଦିନଟି ପାଇଁ ଭଉଣୀ ଟିଏ ତା ଭାଇକୁ ରାକ୍ଷୀ ବାନ୍ଧିବ ବୋଲି ଚାତକ ଭଳି ଅନେଇ ବସିଥାଏ ।

ରାକ୍ଷୀର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ବଜାରରେ ବିଭିନ୍ନ ପ୍ରକାର ରାକ୍ଷୀର ସମ୍ଭାର ନେଇ ଖୋଲେ ଦୋକାନ ମାନ । ଆଉ ଭଳିକି ଭଳି ରାକ୍ଷୀ ହୁଏ ବିକ୍ରି । ଆଉ ଆଜି ଏନେଇ ଉତ୍ସବ ମୁଖର ହୋଇଉଠିଛି ଗାଁରୁ ସହର । ଘରେ ଘରେ ପିଠା ପଣାର ଆସର । ପରିବାର ଭିତରେ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ଦିନଟି ବିତିଥାଏ । ଆଉ ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଆଉ ଭାଇ ତାର ସର୍ବଦା ରକ୍ଷା କବଚ ହେଇ ତା ସହିତ ଜୀବନ ଯୁଦ୍ଧରେ ରହିଥାଉ ବୋଲି ଭଉଣୀ କାମନା କରିଥାଏ । ଏହି ପର୍ବଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ଜଡିତ ରକ୍ଷା ବନ୍ଧନ ପର୍ବ ।

ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜି ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ । ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ । ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ନୀତି ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ ।

ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।