spot_img
Home Blog Page 5048

ଚୀନ୍‌ରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ, ଯାତ୍ରୀଙ୍କୁ ଦାୟୀ କଲା ଚୀନ୍‌ ସରକାର

ନୂଆଦିଲ୍ଲୀ: ଚୀନରେ କରୋନା ରିଟର୍ଣ୍ଣସ୍। ପୁଣିଥରେ ଦେଶରେ କରୋନା କାୟା ମେଲାଇବାରେ ଲାଗିଛି। ଲଗାତାର ସଂକ୍ରମଣ ମାମଲା ବଢୁଥିବା ବେଳେ ଚୀନ ସରକାରଙ୍କ ଚିନ୍ତା ବଢ଼ିଛି। କରୋନାକୁ କଣ୍ଟ୍ରୋଲକୁ ଆଣିବା ପାଇଁ କଟକଣା କଡ଼ାକଡ଼ି କରାଯାଇଛି। କେତେକ ସ୍ଥାନରେ ସ୍କୁଲ ବନ୍ଦ କରାଯାଇଥିବା ବେଳେ ବିମାନ ଚଳାଚଳ ବନ୍ଦ କରାଯାଇଛି। ଏହାସହ କେତେକ ସ୍ଥାନରେ ଲକଡାଉନ ଜାରି କରାଯାଇଛି। ଚୀନର ଉତ୍ତର ଓ ଉତ୍ତର-ପଶ୍ଚିମ ଅଞ୍ଚଳରେ ସଂକ୍ରମଣ ମାମଲା ବଢ଼ୁଥିବା ରେକର୍ଡ ହୋଇଛି।

ଦେଶରେ ପୁଣିଥରେ କରୋନା କହର ବଢୁବା ପାଇଁ ବାହାରୁ ଆସୁଥିବା ଯାତ୍ରୀଙ୍କୁ ଦାୟୀ କରାଯାଉଛି। ପର୍ଯ୍ୟଟନ କ୍ଷେତ୍ର ବନ୍ଦ କରାଯାଇଥିବା ବେଳେ ସମୂହ କରୋନା ପରୀକ୍ଷା କରାଯାଉଛି। କିଛି ଅଞ୍ଚଳରେ କଟକଣାକୁ କଡ଼ାକଡ଼ି ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ କଟକଣା ଜାରି କରାଯାଇଛି। ସଂକ୍ରମଣ ବଢୁଥିବାରୁ ଜି ଓ ଲାନଜୁ ଅଞ୍ଚଳରେ ପ୍ରାୟ ୬୦ପ୍ରତିଶତ ବିମାନ ଚଳାଚଳକୁ ବାତିଲ କରିଦିଆଯାଇଛି। କିଛି ଦିନର ବ୍ରେକ୍ ପରେ ପୁଣି ଥରେ ସଂକ୍ରମଣ ଉପରମୁହାଁ ହୋଇଥିବାରୁ ଏହା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି।

ଚୀନ୍‌କୁ ଆମେରିକାର କଡ଼ା ଟକ୍କର, ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ କଲା ଆମେରିକା

ନୂଆଦିଲ୍ଲୀ: ସୁପରପାଓ୍ୱାରଙ୍କ ସୁପରସୋନିକ ରେସ୍। ଚୀନକୁ ଆମେରିକାର ଟକ୍କର। ହାଇପରସୋନିକ ମିସାଇଲକୁ ସଫଳତାର ସହ ପରୀକ୍ଷା କରିଛି ଆମେରିକା। ଏହି ଟେକ୍ନୋଲୋଜି ବର୍ତ୍ତମାନ ସୁଦ୍ଧା କେବଳ ଚୀନ ଓ ଋଷ ନିକଟରେ ରହିଛି। ମିସାଇଲ ପରୀକ୍ଷା ନେଇ ସୂଚନା ଦେଇଛି ଆମେରିକା ନୌସେନା ବିଭାଗ। ଏହି ହାଇପରସୋନିକ ମିସାଇଲକୁ ଭିର୍ଜିନିଆର ଓ୍ୱାଲପ୍ସ ସ୍ଥିତ ନାସା ଫାସିଲିଟି ସେଣ୍ଟରରେ ପରୀକ୍ଷା କରାଯାଇଛି। ଏହି ସ୍ୱତନ୍ତ୍ର ଧରଣର କ୍ଷେପଣାସ୍ତ୍ର ଶବ୍ଦର ୫ ଗୁଣଠାରୁ ଅଧିକ ବେଗରେ ଗତି କରିପାରୁଛି। କ୍ଷେପଣାସ୍ତ୍ରକୁ ରାଡାର ପରଦାରେ ଠାବ କରିବା ସମ୍ଭବ ହୋଇପାରୁ ନଥିବାରୁ, ବର୍ତ୍ତମାନ ହାଇପରସୋନିକ ମିସାଇଲ ଏକ ନୂଆ ବିପଦ ଭାବେ ଉଭା ହୋଇଛି।

କିଛିଦିନ ତଳେ ଚୀନ ଆଣବିକ ସାମର୍ଥ୍ୟ ସମ୍ପନ୍ନ ସୁପରସୋନିକ ମିସାଇଲ ପରୀକ୍ଷା କରିଥିବା ବେଳେ, ଏହାକୁ ଟକ୍କର ଦେବା ଲାଗି ଆମେରିକା ଏହି ହାଇପରସୋନିକ ମିସାଇଲ ପରୀକ୍ଷା କରିଛି। ଚୀନର ପରୀକ୍ଷଣ ନେଇ ନିରସ୍ତ୍ରୀକରଣ ସଂକ୍ରାନ୍ତ ସମ୍ମିଳନୀର ଆମେରିକା ପ୍ରତିନିଧି ରବର୍ଟ ଉଡ ଚିନ୍ତା ବ୍ୟକ୍ତ କରିଥିଲେ। ରିପୋର୍ଟ ଅନୁସାରେ, ଚୀନ ପରୀକ୍ଷା କରିଥିବା କ୍ଷେପଣାସ୍ତ୍ର ଯଦିଓ ଏକ ସର୍କିଟ ଶେଷ କରିଥିଲା, ତଥାପି ଏହା ଟାର୍ଗେଟରେ ଲକ୍ଷ୍ୟଭେଦ କରିପାରି ନଥିଲା। ଯଦି ଗୋଟିଏ ରାଷ୍ଟ୍ର ନିଜ ରାଷ୍ଟ୍ରକୁ ଟାର୍ଗେଟ କରିବାକୁ ଉଦ୍ୟମ କରୁଛି, ତେବେ ଏହାର ପ୍ରତିରୋଧ କରିବା ଆବଶ୍ୟକ ବୋଲି କହିଛନ୍ତି ରବର୍ଟ।

୨୦୧୯ରେ ଚୀନ ଆଣବିକ ଶକ୍ତି ସମ୍ପନ୍ନ ଡିଏଫ୧୭ ମଧ୍ୟମ ଦୂରଗାମୀ ହାଇପରସୋନିକ ମିସାଇଲର ପରୀକ୍ଷା କରିଥିଲା। ଏହା ସର୍ବାଧିକ ୨୦୦୦ କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରୁଥିଲା। ପରେ ଏହାର ଅଧିକ ଗବେଷଣା କରାଯାଇ ଅତ୍ୟାଧୁନିକ ମିସାଇଲ ନିର୍ମାଣ କରାଯାଇଛି। ଋଷ ମଧ୍ୟ ଜିର୍କନ ନାମକ ଏକ ହାଇପରସୋନିକ ମିସାଇଲ କିଛି ଦିନ ତଳେ ପରୀକ୍ଷଣ କରିଥିଲା। ଆସନ୍ତା ୨୦୨୫ ସୁଦ୍ଧା ଆମେରିକା ବିଭିନ୍ନ ସ୍ଥାନରେ ହାଇପରସୋନିକ ମିସାଇଲ ମୁତୟନ କରିବ ବୋଲି ପେଣ୍ଟାଗନ ପ୍ରକାଶ କରିଛି।

ମୟୂରଭଞ୍ଜରେ ଲେଖାହେବ ନୂଆ ଇତିହାସ, ହିତାଧିକାରୀଙ୍କୁ BSKY ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ: ମୟୂରଭଞ୍ଜରେ ଆଜିଠୁ ଆରମ୍ଭ ହେବ ସ୍ମାର୍ଟ ସ୍ୱାସ୍ଥ୍ୟସେବା। ଆଜି ମୟୂରଭଞ୍ଜ ଗସ୍ତ କରି ବିଏସକେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଯାଇ ବାରିପଦାର କଲେଜ ପଡିଆରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରେ ପହଞ୍ଚିବା ପରେ ଶହୀଦ ସ୍ମୃତିଭବନ ପରିସରରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବେ।

ମୟୂରଭଞ୍ଜ ଜିଲ୍ଲାରେ ୬ଲକ୍ଷ ହିତାଧିକାରୀ ବିଏସକେୱାଇ ସ୍ମାର୍ଟକାର୍ଡର ଲାଭ ପାଇବେ। ସେହିପରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୨ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ। ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସେପଟେ ବିଜେଡି ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାରିପଦା ପୌରାଞ୍ଚଳର ୪ ପ୍ରମୁଖ ସ୍ଥାନରେ ବଣ୍ଟନ ଓ ଲୋକାର୍ପଣ ଉତ୍ସବ ଦେଖିବା ବ୍ୟବସ୍ଥା କରାଯାଇଛି। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶାର ଲକ୍ଷ୍ୟ ରଖି ଅଗଷ୍ଟ ୧୫ ତାରିଖରୁ ଏହି ଡିଜିଟାଲ କାର୍ଡର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମହିଳାମାନେ ୧୦ଲକ୍ଷ ଓ ପୁରୁଷମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପାଇବେ। ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ।

କେମିତି ରଚିଥିଲା ମମିତାଙ୍କ ହତ୍ୟାର ଷଡ଼ଯନ୍ତ୍ର, ଘଟଣାସ୍ଥଳରେ ଡେମୋ ଦେଖାଇଲା ଗୋବିନ୍ଦ

ବଲାଙ୍ଗୀର: ମମିତା ମର୍ଡର ଓ ମିଷ୍ଟ୍ରିରେ ଦିନ ବଢୁଛି, ସତ ଖୋଲୁଛି। ମମିତା ମେହେର ହତ୍ୟା ମାମଲା। କ୍ରାଇମ୍ ସ୍ପଟରେ ଡେମୋ ଦେଖାଇଲା ଗୋବିନ୍ଦ ସାହୁ। ଉତ୍ତରାଞ୍ଚଳ ଡିଆଜି ଓ ବଲାଙ୍ଗୀର ଏସପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ ଟିମ ଓ ସାଇଣ୍ଟିଫିକ ଟିମ, ଟେକ୍ନିକାଲ ଟିମ୍‌ ସହ ମମିତା ମର୍ଡର ମିଷ୍ଟ୍ରିର ସିନ ରିକ୍ରିଏସନ ପାଇଁ ଘଟଣାସ୍ଥଳକୁ ଗଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ତିନିଦିନ ରିମାଣ୍ଡ ପରେ ଆଜି କ୍ରାଇମ୍‌ ସ୍ପଟ ବୁଲି କ୍ରାଇମ୍‌ ରିକ୍ରିଏସ୍‌ କରିଛି ଗୋବିନ୍ଦ। କିପରି ଭାବେ ମମିତାକୁ ହତ୍ୟା କରିଥିଲା ତାହାର ଡେମୋ ଦେଖାଇଲା ଗୋବିନ୍ଦ ସାହୁ। ଗୋବିନ୍ଦ ରଚିଥିବା ଷଡଯନ୍ତ୍ରକୁ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ ଟିମ ଆଗରେ ଦେଖାଇଥିଲା।

କେମିତି ମମିତାଙ୍କୁ ମାରିଥିଲା ? କେମିତି ମାରିବା ପରେ ଆଣି କଲେଜ୍‌ କ୍ୟାମ୍ପସ୍‌ ମିଝି ପୋତିଥିଲା ? ମାରିବା ପୂର୍ବରୁ ମିମିତାଙ୍କ ସହ କଣ କରିଥିଲା ? ସବୁକିଛି କ୍ରାଇମ୍‌ର ରିକ୍ରିଏସନ୍‌ କରି ଦେଖାଇଛି ଗୋବିନ୍ଦ। ତେବେ ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ରାଜ୍‌ ଧିରେ ଧିରେ ଖୋଲୁଛି। ଜେରା ବେଳେ କେମିତି ମାରିଲା, କେମିତି ପୋତିଲା ଟିକିନିକି ସତ ଉଗାରିଥିଲା ଗୋବିନ୍ଦ। ମମିତାଙ୍କୁ ହତ୍ୟା କରାଯାଇଥିବା ଗାତରୁ ପୋଡ଼ା ଯାଇଥିବା ମୋବାଇଲ ମିଳିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ  କାର୍ଯ୍ୟରେ ଅବହେଳା ପାଇଁ କେ. ଗାଁ ଆଇଆଇସି ଡମୁ ପରଜାଙ୍କୁ ନିଲମ୍ବନ କରିଛନ୍ତି କଳାହାଣ୍ଡି ଏସପି  ଶ୍ରବଣା ବିବେକ। ମମିତା ନିଖୋଜ ନେଇ ପରିବାର ଲୋକ ପ୍ରଥମେ, କେଗାଁ ଥାନାକୁ ଯାଇଥିବା ବେଳେ ଥାନା ଅଧିକାରୀ ଏତଲା ରଖିନଥିବା ଅଭିଯୋଗ କରିଥିଲେ ପରିବାର ଲୋକ।

ବିଜୁ ଛାତ୍ର ଜନତା ଦଳର ଭର୍ଚୁଆଲ ବୈଠକ

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ୨୭ରେ ହେବାକୁ ଥିବା, ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ନିମନ୍ତେ ଆୟୋଜିତ ହୋଇଛି ଭର୍ଚୁଆଲ ପ୍ରସ୍ତୁତି ବୈଠକ ।  ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରର ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ କିପରି ସୂଚାରୁ ରୂପେ ସମ୍ପାଦନା କରାଯାଇପାରିବ, ସେନେଇ ଆଲୋଚନା କରାଯାଇଛି ।

ଏହାସହ ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ଆଲୋଚନା କରାଯାଇଛି । ପ୍ରତ୍ୟେକ କର୍ମକର୍ତ୍ତା କିପରି ସକ୍ରିୟ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ, ଏହା ପ୍ରଶିକ୍ଷଣ ଶିବିରର ମୂଳ ଉଦ୍ଦେଶ୍ୟ ରହିବ । ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ  ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସଭାପତିତ୍ବ କରିଥିଲେ ।

ପୁଣି ଗ୍ରେ ଲିଷ୍ଟରେ ପାକିସ୍ତାନ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଳିପୋସି ବଡ କରିବା ଓ ପ୍ରୋତ୍ସାହିତ ଦେବା ପାକିସ୍ତାନ ପାଇଁ ପୁଣି ଥରେ ପଡ଼ିଛି ମହଙ୍ଗା । ଏଥର ବି ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଛି FATF । ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଓ ୩୪-ସୂତ୍ରୀ କାର୍ଯ୍ୟ ଯୋଜନାକୁ ଲାଗୁ କରିବାରେ ଫେଲ୍ ମାରିଥିବାରୁ ଏଭଳି ନିଷ୍ପତ୍ତି ନେଇଛି ଫାଇନ୍ସସିଆଲ ଆକସନ୍ ଟାସ୍କ ଫୋର୍ସ ।

ବିଭିନ୍ନ ଦେଶର ଆର୍ଥିକ କାର୍ଯ୍ୟକଳାପ ଉପରେ ନଜର ରଖିଥାଏ FATF । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ସାହାଯ୍ୟ କରିବା ଓ ସେମାନଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ପୁଣି ଥରେ ପାକିସ୍ତାନକୁ ଗ୍ରେ ଲିଷ୍ଟର ସାମ୍ନା କରିବାକୁ ପଡିଛି । ଏହାଫଳରେ ବିଶ୍ବ ବ୍ୟାଙ୍କ ଓ ବଡ ବଡ ଦେଶରୁ ପାକିସ୍ତାନକୁ ପାଣ୍ଠି ମିଳିବ ନାହିଁ । ଯାହାକୁ ନେଇ ସମସ୍ୟାରେ ପଡିବ ପାକିସ୍ତାନ । ପାକିସ୍ତାନ ସହ ତୁର୍କୀ ମଧ୍ୟ ଗ୍ରେ ଲିଷ୍ଟରେ ପଡିଛି । ଯାହାଫଳରେ ପୁଣି ଥରେ ପଦାରେ ପଡିଛି ପାକିସ୍ତାନର ଆତଙ୍କବାଦୀ ପ୍ରେମ ।

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫେରେନ୍ସିଂରେ ଆଲୋଚନା କଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଓ୍ୱାର୍ଡ ସୀମା ନିର୍ଦ୍ଧାରଣ, ସଂରକ୍ଷଣ ତାଲିକା, ନିର୍ବାଚନ ପାଇଁ ବ୍ୟବହାର ହେବାକୁ ଥିବା ବାଲଟ ବକ୍ସର ସ୍ଥିତି, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ନିଯୁକ୍ତି ବାବଦରେ ଆଲୋଚନା ହୋଇଛି ।

୨୬ ତାରିଖ ସୁଦ୍ଧା ଓ୍ୱାର୍ଡ ସୀମା ନିର୍ଦ୍ଧାରଣ, ସଂରକ୍ଷଣ ତାଲିକା ଆୟୋଗକୁ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ଅକ୍ଟୋବର ୨୫ ସୁଦ୍ଧା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ନଭେମ୍ବର ୧୫ ସୁଦ୍ଧା ସବୁ ବାଲାଟ ବକ୍ସର ସ୍ଥିତି ପରଖି ଓ ଏହାକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ବ୍ଲକ କାର୍ଯ୍ୟାଳୟରେ ହେବାକୁ ଥିବାରୁ ଏଥିପାଇଁ ସ୍ବତନ୍ତ୍ର ଗାଇଡ଼ଲାଇନ  ଜାରି ହୋଇଛି । ନଭେମ୍ବର ୫ ସୁଦ୍ଧା ଯେଉଁ ଜାଗାରେ ଭୋଟ ଗ୍ରହଣ ହେବ ସେହି ସ୍ଥାନ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ସ୍ପେନରେ ଆଲିବାବା ପ୍ରତିଷ୍ଠାତା ଜ୍ୟାକମା

ସ୍ପେନ: ଆଲିବାବା ପ୍ରତିଷ୍ଠାତା ଜ୍ୟାକମା ହେଲେ ଦୃଶ୍ୟମାନ । ଦୀର୍ଘ ଦିନ ପରେ ବିଭିନ୍ନ ଲୋକଙ୍କ ସହ ସେ ସ୍ପେନରେ ଆଳାପ କରିଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ସେ ହଂକଂରେ ଅଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ସେ ହଂକଂରେ ନିଜ  ବ୍ୟବସାୟ ସମ୍ଭାଳିବା ସହ କିଛି ଏକଜିକ୍ୟୁଟିଭଙ୍କୁ ଭେଟିଥିବା ଖବର ପ୍ରକାଶ ପାଇଥିଲା । ମାତ୍ର ଏବେ ସେ ବ୍ୟକ୍ତିଗତ କାମରେ ସ୍ପେନ ଯାଇଥିବା ଜଣାଯାଇଛି । ସେଠାରେ ତାଙ୍କୁ ଠାବ କରାଯାଇଛି ।

ଚୀନ ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନ କରିବା ପରେ ଅକସ୍ମାତ ଗାଏବ ହୋଇଯାଇଥିବା ଜ୍ୟାକମାଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ତେବେ ଗତ ସେପ୍ଟେମ୍ବରରେ ସେ ହଂକଂରେ ଥିଲେ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ସେ ସ୍ପେନ ଗସ୍ତରେ ଯାଇଥିବା ବିଭିନ୍ନ ମହଲରୁ କୁହାଯାଇଛି । ଏକ ଘରୋଇ ଜେଟରେ ଜ୍ୟାକମା ସ୍ପେନ ଯାଇଛନ୍ତି । ସ୍ପେନରେ ସେ ଗଲଫ ଖେଳିବା ସହ ସପିଂ କରୁଥିବା କୁହାଯାଉଛି ।

ଡ୍ରଗ୍ସ ମାମଲା: ହରଡ଼ଘଣାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଜେଲରେ ବାପ-ପୁଅ ମିଳନ

ମୁମ୍ବାଇ: ବଢିଲା ହାଇପ୍ରୋଫାଇଲ ଡ୍ରଗ୍ସ ରାକେଟ ଅଡୁଆ । ହରଡଘଣାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଆର୍ଯ୍ୟନ ଖାନଙ୍କ ହ୍ବାଟସଆପ୍ ଚାଟ ଲିଙ୍କରେ ତାଙ୍କ ବାସଭବନରେ ଏନସିବିର ଚଢାଉ । ଜବତ କରିଛି ଫୋନ ଓ ଲାପଟପ । ଏହା ସହ ଏନସିବି ଅଫିସରେ ହୋଇଛି ଜେରା । ସେପଟେ ଆସନ୍ତା ୨୬ ତାରିଖରେ ହାଇକୋର୍ଟ କରିବେ ଜୁନିଅର କିଙ୍ଗ ଖାନଙ୍କ ଶୁଣାଣି । ଆଜି ପୁଅଙ୍କୁ ଆର୍ଥର ରୋଡ ଜେଲରେ ଭେଟିଥିଲେ ବାପା ଶାହାରୁଖ । ଆର୍ଯ୍ୟନଙ୍କ ନିକଟରେ ଥିବା ଇଲେକ୍ଟ୍ରୋନିକ ଡିଭାଇସ ହସ୍ତାନ୍ତର କରିବା ଲାଗି ମନ୍ନତରେ ପହଞ୍ଚି ନୋଟିସ ଦେଇଛି ଏନସିବି । ତେଣେ ଆର୍ଯ୍ୟନଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ୩୦ ତାରିଖ ଯାଏଁ ବୃଦ୍ଧି ପାଇଛି ।

ଆର୍ଯ୍ୟନ ଖାନ ଲିଙ୍କରେ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ମୁମ୍ବାଇର ଖର ଓ୍ବେଷ୍ଟସ୍ଥିତ ଅନନ୍ୟାଙ୍କ ଘରେ ଏନସିବି ରେଡ କରିଥିବା ବେଳେ ଜବତ କରିଛି ଫୋନ ଓ ଲାପଟପ । ଆର୍ଯ୍ୟନଙ୍କ ସହ ଅନନ୍ୟାଙ୍କ ହ୍ବାଟସଆପ୍ ଚାଟ ନେଇ ଖୁଲାସା ହେବା ପରେ ଏନସିବି ଆରମ୍ଭ କରିଛି ତଦନ୍ତ । ଜେରା ଲାଗି ବାପା ଚଙ୍କି ପାଣ୍ଡେଙ୍କ ସହ ଏନସିବି ଅଫିସ ଯାଇଥିଲେ ଅନନ୍ୟା । ସେଠାରେ ତାଙ୍କୁ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ ଜେରା କରିଥିଲେ ।

ସେପଟେ ଆର୍ଯ୍ୟନଙ୍କୁ ଆଜି ବି ମିଳିପାରିଲାନି ଆଶ୍ବସ୍ତି । ଆସନ୍ତା ୨୬ରେ ତାଙ୍କ ଜାମିନ ଆବେଦନର ଶୁଣାଣି କରିବେ ହାଇକୋର୍ଟ । ଆଜି ଶାହାରୁଖଙ୍କ ବାସଭବନ ମନ୍ନତ ଯାଇଥିଲା ଏନସିବିର ଏକ ଟିମ । ଆର୍ଯ୍ୟନଙ୍କ ନିକଟରେ ଯଦି କୌଣସି ଇଲେକ୍ଟ୍ରୋନିକ ଡିଭାଇସ ଥିବ ତେବେ ତାହାକୁ ଏନସିବିକୁ ହସ୍ତାନ୍ତର କରିବା ଲାଗି ନୋଟିସ ଦେଇଥିଲା ଟିମ ।

ଆଜି ଆର୍ଥର ରୋଡ ଜେଲରେ ହୋଇଥିଲା ବାପପୁଅ ଭେଟ । ପୁଅ ସହ ପ୍ରାୟ ୨୦ ମିନିଟ ଧରି କଥାବାର୍ତ୍ତା ହୋଇଥିଲେ ଶାହରୁଖ। ବାପାଙ୍କୁ ଦେଖିବା ପରେ ଆର୍ଯ୍ୟନ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ତେଣେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ସୁରକ୍ଷା ନେଇ ତାଙ୍କ ବାପା ସନ୍ଦେହ ବ୍ୟକ୍ତ କରିବା ସହ ନିରାପତ୍ତା ନେଇ ପ୍ରଶ୍ନ ଉଠାଇଛନ୍ତି । ଗତକାଲି ମୁମ୍ବାଇର ସେସନ୍ସ କୋର୍ଟ ଆର୍ଯ୍ୟନଙ୍କ ସହ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କ ଜାମିନ୍ ଖାରଜ କରିଥିଲେ । ଏହା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆର୍ଯ୍ୟନଙ୍କ ଓକିଲ । ତାଙ୍କର ବିଦେଶ ଲିଙ୍କ ରହିଛି ବୋଲି ଯୁକ୍ତି ବାଢିଥିଲା ଏନସିବି । ପୂର୍ବରୁ ସ୍ବତନ୍ତ୍ର କୋର୍ଟ କହିଥିଲେ- ଆର୍ଯ୍ୟନ ନିୟମିତ ଭାବେ ନିଶାଦ୍ରବ୍ୟ ନେଉଥିବା ସହ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି । ଏହା ସହ ଡ୍ରଗସ ଯୋଗାଣକାରୀ ଓ ଚାଲାଣକାରୀଙ୍କ ସହ ତାଙ୍କର ସମ୍ପର୍କ ରହିଛି । ଆଜିକୁ ମିଶାଇ ୧୮ ଦିନ ଧରି ଜେଲରେ ରହିଲେଣି ଆର୍ଯ୍ୟନ । ଦୁଇ ଦୁଇ ଥର ଖାରଜ ହେଲାଣି ଜାମିନ ଆବେଦନ । କ୍ରୁଜ ରେଭ ପାର୍ଟିରେ ଡ୍ରଗସ ମାମଲାରେ ଆର୍ଯ୍ୟନଙ୍କୁ ଗତ ଅକ୍ଟୋବର ୨ରୁ ଗିରଫ କରିଛି ଆଣ୍ଟି ଡ୍ରଗ୍ସ ସ୍କ୍ବାଡ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଅଭିଯୁକ୍ତ ଗିରଫ ହେଲେଣି ।

ଇଞ୍ଜିନିୟରିଂ ପରୀକ୍ଷାରେ ଆସିବ ସଂସ୍କାର

ଭୁବନେଶ୍ବର: ଦୀର୍ଘଦେଢ଼ ବର୍ଷରୁ ଅଧିକ ସମୟ ହେଲା କରୋନା ଯୋଗୁ ପରୀକ୍ଷା ବିଳମ୍ବ ହେବାରୁ ପାସ୍ ଆଉଟ୍ ସମୟରେ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି । ତେବେ ଠିକ୍ ସମୟରେ ପରୀକ୍ଷା କରି ଫଳ ପ୍ରକାଶ ପାଇଁ ବୈଷୟିକ ଶିକ୍ଷା ବିଭାଗ ଖସଡ଼ା ପ୍ରସ୍ତୁତ କରିଛି । ଯାହା ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ ।

ଆଗ ହେବ ଅଯୁଗ୍ମ ସେମିଷ୍ଟର ପରୀକ୍ଷା । ତା’ ପରେ ଯୁଗ୍ମ ସେମିଷ୍ଟର ପରୀକ୍ଷା । କରୋନା ପାଇଁ ସାମାଜିକ ଦୂରତା ରଖି ଶିକ୍ଷା ବ୍ୟବସ୍ଥା ଜାରି ରଖିବାକୁ ଏପରି ପ୍ଲାନ କରିଛି ବୈଷୟିକ ଶିକ୍ଷା ବିଭାଗ । ସବୁ ସେମିଷ୍ଟର ପରୀକ୍ଷା ଏପ୍ରିଲ ସୁଦ୍ଧା ସାରି ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବ । କରୋନା ପାଇଁ ବ୍ୟାପକ ପେପର ପରୀକ୍ଷା ବିଳମ୍ବ ହେଉଛି । ଯାହା ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ କ୍ୟାମ୍ପସ ପ୍ଲେସମେଣ୍ଟକୁ ପ୍ରଭାବିତ କରୁଛି । କିନ୍ତୁ ପରୀକ୍ଷାରେ ସଂସ୍କାର ଆଣିବାକୁ ନିଆଯାଉଥିବା ପଦକ୍ଷେପ ଯୋଗୁଁ ଏସବୁ ସମସ୍ୟା ରହିବ ନାହିଁ ବୋଲି ଆଶା କରାଯାଉଛି ।

ପ୍ରାୟ ୧୮ ମାସ ହେଲା କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି । କେତେବେଳେ ଅନଲାଇନ କ୍ଲାସ ହେଉଛି ତ କେତେବେଳେ ଅଫଲାଇନ । ଅନଲାଇନ୍ ପାଠପଢା ବି ଠିକ୍ ଭାବେ ହୋଇପାରୁନାହିଁ । ଆଉ କେବେ ସମ୍ପୂର୍ଣ୍ଣ ବନ୍ଦ ରହୁଛି ପାଠପଢ଼ା । ସେମିଷ୍ଟର ପରୀକ୍ଷାରେ ଅନିଶ୍ଚିତତା ଯୋଗୁଁ ଛାତ୍ରଛାତ୍ରୀଙ୍କ ବ୍ୟାକ୍ ପରୀକ୍ଷାର ସମୟ ବି ଗଡୁଛି । ଏପରି ସ୍ଥିତିରେ ବୈଷୟିକ ଶିକ୍ଷା ବିଭାଗର ସଂସ୍କାରମୂଳକ ପଦକ୍ଷେପକୁ ଛାତ୍ରଛାତ୍ରୀ ସ୍ବାଗତ କରିଛନ୍ତି ।

କୋଭିଡ୍‌ ସଂକ୍ରମଣ ହାର କମୁଥିବାରୁ ଆସନ୍ତା ନଭେମ୍ବରରୁ ସମ୍ପୂର୍ଣ୍ଣ ଭାବେ ଅଫଲାଇନ୍ ସେମିଷ୍ଟର କ୍ଲାସ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ।