spot_img
Home Blog Page 5049

କାଲି ମୟୂରଭଞ୍ଜରେ BSKY ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ

ଭୁବନେଶ୍ବର: ଆସନ୍ତାକାଲିଠାରୁ ମୟୂରଭଞ୍ଜରେ ଆରମ୍ଭ ହେବ ସ୍ମାର୍ଟ ସ୍ବାସ୍ଥ୍ୟସେବା। ଜିଲ୍ଲା ଗସ୍ତରେ ଯାଇ BSKY ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କାର୍ଡ଼ ବାଣ୍ଟିବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଯାଇ ବାରିପଦାର କଲେଜ ପଡିଆରେ ପହଞ୍ଚିବା ପରେ ଶହୀଦ ସ୍ମୃତିଭବନ ପରିସରରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ମୟୂରଭଞ୍ଜ ଜିଲ୍ଲାରେ ୬ ଲକ୍ଷ ହିତାଧିକାରୀ ବିଏସକେୱାଇ ସ୍ମାର୍ଟକାର୍ଡର ଲାଭ ପାଇବେ। ସେହିପରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ।  ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେପଟେ ବିଜେଡି ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାରିପଦା ପୌରାଞ୍ଚଳର ୪ ପ୍ରମୁଖ ସ୍ଥାନରେ ବଣ୍ଟନ ଓ ଲୋକାର୍ପଣ ଉତ୍ସବ ଦେଖିବା ବ୍ୟବସ୍ଥା କରାଯାଇଛି। ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ଜାରି ରହିଛି। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶାର ଲକ୍ଷ୍ୟ ରଖି ଅଗଷ୍ଟ ୧୫ ତାରିଖରୁ ଏହି ଡିଜିଟାଲ କାର୍ଡର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜୁ ସ୍ବାସ୍ଥ୍ୟ କାର୍ଡରେ ମହିଳାମାନେ ୧୦ ଲକ୍ଷ ଓ ପୁରୁଷମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପାଇବେ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ ।

ମମିତା ହତ୍ୟା ମାମଲାକୁ ନେଇ ବିଜେପିର ବନ୍ଦ ପଲିଟିକ୍ସ

ଭୁବନେଶ୍ବର: ମମିତା ହତ୍ୟା ମାମଲାରୁ ମାଇଲେଜ୍‌ ପଲିଟିକ୍ସ । ସମ୍ବେଦନଶୀଳ ଘଟଣା ଆଞ୍ଚରେ ରାଜନୀତିର ରୁଟି ସେକୁଛି ବିଜେପି । ନୟାଗଡ଼ ପରୀ ହେଉ କି ଧର୍ମଶାଳା ସ୍ମିତାରାଣୀ ମୃତ୍ୟୁ ମାମଲା । ଅପରାଧକୁ ଅସ୍ତ୍ର କରି ରାଜନୈତିକ ମାଇଲେଜ୍‌ ପାଇଁ ରଣନୀତି ବିଜେପିର ପୁରୁଣା ଅଭ୍ୟାସ । ଏଥର ବି ମମିତା ମାମଲାରେ କରୁଛି ପଲିଟିକାଲ୍‌ ଷ୍ଟଣ୍ଟ । ଦୁଇ ଦିନରେ ଦୁଇଟି ଜିଲ୍ଲାରେ ଚକ, ଅଖ ଜାମ୍‌ କରିଛି ବିଜେପି। ଫଳରେ କରୋନା କମିବା ପରେ ଟ୍ରାକ୍‌କୁ ଫେରୁଥିବା ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି । ଗେରୁଆ ଦଳର ଏଭଳି ହୀନ ରାଜନୀତିକୁ ନାପସନ୍ଦ କରିଛନ୍ତି ସାଧାରଣ ଲୋକେ ।

ବିଜେପିର ବନ୍ଦ ପଲିଟିକ୍ସ । କାଲି କଳାହାଣ୍ଡି, ଆଜି ବଲାଙ୍ଗିର । କଥା କଥାରେ ବନ୍ଦ, ଚକାଜାମ୍‌ । ବଡ଼ ଅପରାଧକୁ ନେଇ ହୀନ ରାଜନୀତି । ଧର୍ମଶାଳା ସ୍ମିତାରାଣୀ, ନୟାଗଡ଼ ପରୀ ଆଉ ଏବେ ମମିତା ମେହେର । ସମ୍ବେଦନଶୀଳ ଘଟଣାକୁ ରାଜନୈତିକ ରଙ୍ଗ ଦେଉଛି ବିଜେପି । ନା ତଥ୍ୟ ନା ପ୍ରମାଣ, ନା ଅଭିଯୋଗ ନା ଲିଙ୍କ, ନିଜେ ଅନୁସନ୍ଧାନକାରୀ ନିଜେ ବିଚାରପତି ସାଜୁଛନ୍ତି ଗେରୁଆ ନେତା । ପାର୍ଟି ଅଫିସ୍‌ରେ କୋର୍ଟ ବସାଇ ରାଜନୈତିକ ସ୍ବାର୍ଥ ପାଇଁ ମନ୍ତ୍ରୀ, ବିଧାୟକଙ୍କୁ କାଠଗଡ଼ାକୁ ଟାଣୁଛନ୍ତି । ପ୍ରଶ୍ନ ଉଠୁଛି, ପୋଲିସ ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟାରେ ଭରସା ନରଖି କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି ? ଲଖିମପୁର ଖେରି ହିଂସା ମାମଲାରେ ଦଳ କାହିଁକି ଚୁପ୍ ଥିଲା ବୋଲି ପ୍ରଶ୍ନ କରିଛି ବିଜେଡି ।

ମମିତା ହତ୍ୟା ମାମଲା ତଦନ୍ତରେ ଅଭିଯୋଗକାରୀ ସନ୍ତୁଷ୍ଟ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ଓ ପୋଲିସର କାର୍ଯ୍ୟାନୁଷ୍ଠାନରେ ମମିତାଙ୍କ ପରିବାର ସନ୍ତୋଷ ପ୍ରକାଶ କରିଛନ୍ତି। ମାମଲାରେ ଅଧିକ ପ୍ରମାଣ ଯୋଗାଡ଼ କରୁଛି ପୋଲିସ । ହେଲେ ପ୍ରଶ୍ନ ଉଠୁଛି, କାହିଁକି ବନ୍ଦ ନାଁରେ ମିଛ ପ୍ରହସନ କରୁଛି ବିଜେପି ।

ବନ୍ଦ ଡାକରା ନାଁରେ ବିଜେପିର ହୀନ ରାଜନୀତିକୁ ସମାଲୋଚନା କରିଥିବା କହିଛନ୍ତି କଂଗ୍ରେସ ନେତା ଦିଲ୍ଲୀପ ବେହେରା । ସେପଟେ କରୋନା କମିବା ପରେ ଟ୍ରାକ୍‌କୁ ଫେରୁଛି ଜୀବନ ଜୀବିକା । ଲକ୍‌ଡାଉନ୍, ସଟ୍‌ଡାଉନ୍‌ରେ ପ୍ରବଳ କ୍ଷତି ସହିଥିଲେ । ମହାମାରୀ ମାଡ଼ ପରେ ଅଣ୍ଟା ସଳଖୁଛନ୍ତି ବ୍ୟବସାୟୀ । ହେଲେ ଏମିତି ସମୟରେ ବିଜେପିର ବନ୍ଦ ଡାକରା ଦାଉ ସାଧୁଛି । ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ ।

ଫାଷ୍ଟଟ୍ରାକ୍ କୋର୍ଟରେ ହେବ ମମିତା ହତ୍ୟା ମାମଲାର ବିଚାର

ଭୁବନେଶ୍ବର: ମମିତା ମର୍ଡର ଓ ମିଷ୍ଟ୍ରି । ଦିନ ବଢୁଛି, ସତ ଖୋଲୁଛି । ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗୁମର ଖୋଲୁଥିବା ବେଳେ, ଏବେ ଗୋବିନ୍ଦର ଡ୍ରାଇଭର ରାଧେ ମୁହଁରେ ମହାଖୁଲାସା । ମୁହାଁମୁହିଁ ଜେରା ବେଳେ ମିଳିମିଶି ମମିତାଙ୍କୁ ହତ୍ୟା ସହ ମୃତଦେହ ପୋତିଥିବା ମାନିଛି ରାଧେ । ଗିରଫ ପରେ ରାଧେକୁ କୋର୍ଟଚାଲାଣ କରାଯାଇଥିବା ବେଳେ, ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପଟେ ମମିତା ହତ୍ୟା ମାମଲାର  ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ ବୋଲି ବଲାଙ୍ଗିର ପୋଲିସ ମୁଖ୍ୟଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଡ଼ା ଦୀପକ କୁମାର ।

ଅଟକ ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେଶ୍ବର ତାଣ୍ଡିକୁ ପଚରାଉଚୁରା ପରେ ଛାଡିଛି ପୋଲିସ । ଉଭୟଙ୍କୁ ମାମଲାରେ ରାଜସାକ୍ଷୀ କରିଛି ପୋଲିସ । ଅନ୍ୟପଟେ ଦାୟିତ୍ବରେ ଅବହେଳା ପାଇଁ କେ. ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ନିଲମ୍ବନ କରିଛନ୍ତି କଳାହାଣ୍ଡି ଏସପି ।

ରାଧେ ଖୋଲିଲା ଗୋବିନ୍ଦର ଗୁମର । ସାମନାକୁ ଆସିବ କାଳ ରାତିର ସତ । କେମିତି ମମିତାଙ୍କୁ ହତ୍ୟା କରାଯାଇଥିଲା  ? କେମିତି ପୋତାଗଲା ? ଆଉ କିଏ କିଏ ସହଯୋଗୀ ଥିଲେ କି ?  ଖୁବଶୀଘ୍ର ପୂରା ଘଟଣାର ହେବ ଖୁଲାସା । ୫ ଦିନିଆ ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ସତ ଉଗାରୁଥିବା ବେଳେ, ଏବେ ଗିରଫ ହୋଇଛି ଗୋବିନ୍ଦର ଖାସମଖାସ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ । ରାଧେକୁ ଗିରଫ ପରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟକୁ ଚାଲାଣ କରିଛି ବଲାଙ୍ଗିର ପୋଲିସ । ଗତ ୮ ତାରିଖ ରାତିରେ ଗୋବିନ୍ଦ ସହ ରାଧେ ଥିବା ବେଳେ ମାଲିକ-ଡ୍ରାଇଭର ମିଳିମିଶି ହତ୍ୟା ସହ ପୋତିଥିଲେ ମୃତଦେହ । ଉଭୟଙ୍କୁ ମୁହାଁମୁହିଁ ଜେରା ବେଳେ ଘଟଣାକୁ ସ୍ବୀକାର କରିଛି ରାଧେ ।

କାରରେ ମର୍ଡର ପ୍ଲଟ ତିଆରି କରିଥିଲା ଗୋବିନ୍ଦ । ଡ୍ରାଇଭର ସହାୟତାରେ ମାଟିତଳେ ରହସ୍ୟକୁ ସମାଧି ଦେବାକୁ ଫୁଲ ପ୍ରୁଫ ପ୍ଲାନ କରିଥିଲା ।ଦୁଇ ପ୍ରମୁଖ ଅଭିଯୁକ୍ତ ଗିରଫ ପରେ ଏବେ ଗ୍ରାଉଣ୍ଡ ଜିରୋରେ ତନଘନା କରିଛନ୍ତି ଡିଆଇଜି ଓ ଏସପି । କଲେଜର ଲେଡିଜ ହଷ୍ଟେଲରୁ ମହାଲିଙ୍ଗ ମିନି ଷ୍ଟାଡିୟମ ଯାଏଁ ସବୁର ସତ ଖୋଜିଛନ୍ତି ଦୁଇ ଟପ୍ ଅଫିସର । ମମିତାଙ୍କୁ ପୋତା ଯାଇଥିବା ମହାଲିଙ୍ଗ ମିନି ଷ୍ଟାଡିୟମ ବୁଲି ସରଜମିନ ତଦନ୍ତ  ବେଳେ ପୋଲିସ ହାତରେ ଲାଗିଛି ଦୁଇଟି ପୋଡ଼ା ସମଗ୍ରୀ । ମମିତାଙ୍କୁ ହତ୍ୟା କରାଯାଇଥିବା ଗାତରୁ ପୋଡ଼ା ଯାଇଥିବା ମୋବାଇଲ ମିଳିଥିବା ଚର୍ଚ୍ଚା ହେଉଛି ।

ପରକୀୟା ପ୍ରୀତି ସଂପର୍କରେ ଜାଣି ଦେଇଥିବାରୁ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ସାହୁ । ମମିତାଙ୍କୁ ହତ୍ୟା କରି ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଗୋବିନ୍ଦ କରିଥିଲା ସାଂଘାତିକ ପ୍ଲାନ୍ । ୮ ତାରିଖରେ ଭବାନୀପାଟଣାରୁ କେ. ଗାଁ ଫେରୁଥିବା ବେଳେ, କାରରେ ହିଁ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ।

ଭୁଶୁଡୁଛି ବିରୋଧୀଙ୍କ ଶିବିର

ଭୁବନେଶ୍ବର: ଚାଲିଛି ଦଳ ଡିଆଁ ପର୍ବ । ଦୁଇ ଜାତୀୟ ଦଳର ହେଭିଓ୍ବେଟ୍‌ ନେତାଙ୍କଠାରୁ ଆରମ୍ଭ କରି ଯୁବ ଚେହେରା ବିଜେଡିରେ ମିଶୁଛନ୍ତି । ଭୁଶୁଡୁଛି ବିରୋଧୀ ଶିବିର। ଆଗକୁ ଏହି ଧାରା ଜାରି ରହିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ ହୋଇ ଦଳକୁ ଅଧିକ ଶକ୍ତିଶାଳୀ କରୁଛନ୍ତି । ବିରୋଧୀ ଶିବିରକୁ ଚିନ୍ତା ଘାରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ।

ଦଳ ଛାଡୁଛନ୍ତି ହେଭିୱେଟ୍‌ ଓ ଯୁବ  ଚେହେରା । ଶଙ୍ଖ ଫୁଙ୍କୁଛନ୍ତି ପଦ୍ମ ଓ ହାତ ନେତା । ଅଧିକ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଓ କଂଗ୍ରେସ ନେତା ଏବଂ କର୍ମୀ ବିଜେଡିରେ ମିଶୁଛନ୍ତି । ନିର୍ବାଚନମଣ୍ଡଳୀରୁ ଆରମ୍ଭ କରି ରାଜ୍ୟ ସ୍ତର ଯାଏଁ ପ୍ରତିଦିନ ବିଜେଡିର ମିଶ୍ରଣ ପର୍ବ ଚାଲିଛି । ପ୍ରମାଣିତ ହେଉଛି ବିଜେଡିର ଲୋକପ୍ରିୟତା । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିରୋଧୀ ନେତାଙ୍କୁ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା କିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ସେଦିଗରେ କାମ କରିବାକୁ ପରାମର୍ଶ ଦେଉଛନ୍ତି । ଅନ୍ୟପଟେ ଦୁଇ ଜାତୀୟ ଦଳଙ୍କୁ ଘାରିଛି ଚିନ୍ତା । ତେବେ ବିରୋଧୀ ନେତା ଏନେଇ ଭିନ୍ନ ମତ ରଖିଛନ୍ତି ।

୨୧ ବର୍ଷ ଧରି ନିରବଛିନ୍ନ ଭାବେ ଶାସନ କରୁଛି ବିଜେଡି । ନବୀନଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସହ ସୁଶାସନ ଆଜି ବିଭିନ୍ନ କ୍ଷେତ୍ରରେ ସାରା ଦେଶ ପାଇଁ ରୋଲ୍‌ ମଡେଲ ସାଜିଛି । ସବୁ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ହେଉଥିବାରୁ ଅନ୍ୟଦଳର ନେତା ନିଜ ଭବିଷ୍ୟତ ଦେଖି ନପାରି ବିଜେଡିରେ ମିଶୁଥିବା ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି ।

ଗୋଟିଏ ପଟେ ବିଜେଡି ସୁସଂଗଠିତ ହୋଇ ଏକ ମହାଦ୍ରୁମ ଭାବେ ଉଭା ହୋଇଛି । ଅନ୍ୟପଟେ ଦୁଇ ଜାତୀୟ ଦଳ ଭୁଶୁଡୁଥିବା ବେଳେ ବିରୋଧୀ ନିଜ ଘର ସଜାଡ଼ିବା ଛାଡ଼ି ଛୋଟ ଛୋଟ ପ୍ରସଙ୍ଗରେ ରାଜନୀତିରେ ମାତିଛନ୍ତି ।

ନନ୍ଦନକାନନରେ ଖୁସି: ମାଆ ହେବ ବାଘୁଣୀ ମୌସୁମୀ

ଭୁବନେଶ୍ବର: ନନ୍ଦନକାନନରୁ ଆସିଲା ଖୁସି ଖବର । ଖୁବଶୀଘ୍ର ପ୍ରାଣୀ ଉଦ୍ୟାନକୁ ଆସିବାକୁ ଯାଉଛି ନୂଆ ଅତିଥି । ମାଆ ହେବାକୁ ଯାଉଛି ଧଳା ଭାଘୁଣୀ ମୌସୁମୀ । ପ୍ରଥମ ଥର ପାଇଁ ଧଳା ମହାବଳ ସାହିଲ ସହିତ ବାଘୁଣୀ ମୌସୁମୀର ମିଳନ ହୋଇଥିଲା । ଏହାର ୧୦୦ ଦିନ ପରେ ଏବେ ଖୁସି ଖବର ସାମନାକୁ ଆସିଛି । ସାଧାରଣତଃ ବାଘମାନେ ମିଳନ ହେବାର ଦିନଠାରୁ ୧୦୪ରୁ ୧୦୬ଦିନ ମଧ୍ୟରେ ଶାବକ ଜନ୍ମ ଦେଇଥାନ୍ତି । ସେହି ଅନୁସାରେ ଆସନ୍ତା ସପ୍ତାହକ ଭିତରେ ବାଘୁଣୀ ମୌସୁମୀ ମାଆ ହେବ ବୋଲି ସ୍ପଷ୍ଟ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ ।

ବାଘୁଣୀର ଅବସ୍ଥା ଏବେ ଠିକ୍ ଥିବାବେଳେ ତାକୁ ଫିଡିଙ୍ଗ ଚାମ୍ବରରେ ରଖାଯାଇଛି । ସିସିଟିଭିରେ ତା’ ଉପରେ ନଜର ରଖାଯାଇଛି । ୨୦୧୬ ଅଗଷ୍ଟରେ ସାଧାରଣ ନାଲି ମହାବଳ ବାଘ ମନୀଷ ଓ ଧଳା ମହାବଳ ବାଘୁଣୀ ସ୍ନେହା ଔରସରୁ ମୌସୁମୀ ଜନ୍ମଗ୍ରହଣ କରିଥିଲା ।

ଗରିବ ରୋଗୀଙ୍କ ସାହା ସ୍ମାର୍ଟ ହେଲଥ କାର୍ଡ

ରାଉରକେଲା: ଗରିବ ରୋଗୀଙ୍କ ପାଇଁ ରାହା ପାଲଟିଛି BSKY ସ୍ମାର୍ଟ ହେଲଥ କାର୍ଡ । ଏହା ଜରିଆରେ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଗରିବ ରୋଗୀ ଘରୋଇ ହସ୍ପିଟାଲରେ ମାଗଣାରେ ହୋଇ ପାରିଛନ୍ତି ଚିକିତ୍ସିତ । ହୃଦ ରୋଗରେ ଆକ୍ରାନ୍ତ ଦୁଇ ଗରିବ ରୋଗୀ ଘରୋଇ ହସ୍ପିଟାଲରେ ମାଗଣାରେ ଅପରେସନ ପରେ ସୁସ୍ଥ ହୋଇଛନ୍ତି । ସେହିଭଳି ଅନ୍ୟ ଜଣେ ରୋଗୀ ନିଜ ଅଚଳ ଗୋଡର ଅସ୍ତ୍ରୋପ୍ରଚାର କରି ଆରୋଗ୍ୟଲାଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଜନହିତକର ଯୋଗନାକୁ ସବୁ ମହଲରେ ପ୍ରଶାଂସା କରାଯାଇଛି ।

କଷ୍ଟ ଲାଘବ କରୁଛି BSKY କାର୍ଡ । ଚିକିତ୍ସା ପାଇଁ ଗରିବ ରୋଗୀଙ୍କୁ ଖର୍ଚ୍ଚ କରିବାକୁ ପଡୁନି ଟଙ୍କା । ମାଗଣା ଚିକିତ୍ସା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଯୋଜନାକୁ ଭୁରି ଭୁରି ପ୍ରଶଂସା । ଏବେ ପୁଣି ସ୍ମାର୍ଟ କାର୍ଡ ମାଧ୍ୟମରେ ସୁନ୍ଦରଗଡର ଦୁଇ ହୃଦରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ରାଉରକେଲା ପୁରୁଣା ବସଷ୍ଟାଣ୍ଡରେ ପାନ ଦୋକାନ କରିଥିବା ୫୫ ବର୍ଷୀୟ ଶଙ୍କର ଵିରା ହୃଦ ରୋଗରେ ଆକ୍ରାନ୍ତ ହୋଇ ଜୟପ୍ରକାଶ ହସ୍ପିଟାଲରେ ଗତ ୧୭ ତାରିଖ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଜରିଆରେ ତାଙ୍କର ମାଗଣାରେ ଅପରେସନ ଓ ଚିକିତ୍ସା ହୋଇଛି । ସେ ଏବେ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ସେହିଭଳି ବିଶ୍ରା ବ୍ଲକ ଜରେଇକେଲା ଗାଁର ଚାଷୀ ରୋହିତ କୁମାର ମାହାନ୍ତଙ୍କ ମୁହଁରେ BSKY ଫୁଟାଇଛି ହସ । ତାଙ୍କର ମଧ୍ୟ ଜୟ ପ୍ରକାଶ ହସ୍ପିଟାଲରେ ମାଗଣାରେ ହୃଦରୋଗ ଚିକିତ୍ସା ହୋଇଛି । ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଥିବାରୁ ଦୁହେଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଉରକେଲା ମଧୁସୂଦନପାଲ୍ଲୀ ବସ୍ତିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜୟରାମ ଦାସ ମଧ୍ୟ BSKY କାର୍ଡ ଦ୍ବାରା ଉପକୃତ ହୋଇଛନ୍ତି । ତାଙ୍କ ବାମ ଗୋଡ ଅଚଳ ହୋଇଯିବାରୁ ଗତ ୧୯ ତାରିଖରେ ଜୟ ପ୍ରକାଶ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥକୁ ନେଇ ସେ ଚିନ୍ତିତ ଥିଲେ । ହେଲେ BSKY ସ୍ମାର୍ଟ କାର୍ଡ ତାଙ୍କ ଚିନ୍ତା ଦୂର କରି ମାଗଣା ଚିକିତ୍ସା ସେବା ଯୋଗାଇଛି । ସେ ମୁଖ୍ୟମନ୍ତ୍ରୀଙ୍କ ଏହି ଜନହିତକର ଯୋଜନାକୁ ପ୍ରଶାଂସା କରିଛନ୍ତି ।

ଏହି ତିନି ଜଣ ନୁହେଁ BSKY ସ୍ମାର୍ଟ କାର୍ଡ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ମୁହଁରେ ହସ ଫୁଟିଛି ।

Oscars 2022: ଓସ୍କାର ପାଇଁ ମନୋନିତ ହେଲା ଭିକ୍କି କୌଶଲଙ୍କ ‘ସରଦାର ଉଧମ’ ଏବଂ ବିଦ୍ୟା ବାଲନଙ୍କ ‘ଶେରନୀ’

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଭିକି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଦାମ’ ଏବଂ ବିଦ୍ୟା ବାଲାନଙ୍କ ଫିଲ୍ମ ‘ଶେରନୀ’ ୯୪ ଏକାଡେମୀ ପୁରସ୍କାରର ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ସ୍ଥାନ ପାଇଛି । ଭାରତର ସରକାରୀ ତାଲିକାରେ ଭିକି ଏବଂ ବିଦ୍ୟାଙ୍କ ଫିଲ୍ମ ସମେତ ୧୪ ଟି ଚଳଚ୍ଚିତ୍ର ରହିଛି । ବିଦ୍ୟା ବାଲାନ୍ ଫିଲ୍ମ ‘ଶେରନୀ’ରେ ବନ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ । ବିବାହ ଏବଂ ଏକ ଅଜବ ଚାକିରି ମଧ୍ୟରେ ଫସି ରହିଥିବା ବିଦ୍ୟାଙ୍କ ଚରିତ୍ର ବହୁତ ଶକ୍ତିଶାଳୀ ବୋଲି ଦର୍ଶାଯାଇଛି । ବିଦ୍ୟା ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଶତ୍ରୁତାକୁ ସମାପ୍ତ କରୁଥିବା ଦେଖିବାକୁ ମିଳିଛି ।

ଓସ୍କାର ଦୌଡ଼ରେ ଅନ୍ତର୍ଭୁକ୍ତ ‘ଶେରନୀ’ରେ ମୁଖ୍ୟ ଭୂମିକାରେ ଶରଦ ସକ୍ସେନା, ମୁକୁଲ ଚଢା, ବିଜୟ ରାଜ, ଇଲା ଅରୁଣ, ବ୍ରିଜେନ୍ଦ୍ର କାଲା ଏବଂ ନୀରଜ କବି ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ନିର୍ଦ୍ଦେଶକ ଅମିତ ମାସୁକର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିଲା । ଏଥି ସହିତ ଭିକି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଧମ’ ଯୋଦ୍ଧା ସର୍ଦ୍ଦାର ଉଧମ ସିଂଙ୍କ ଜୀବନୀ ଉପରେ ଆଧାରିତ ଏକ ବାୟୋପିକ ଫିଲ୍ମ ଅଟେ ।

ଭିକି କୌଶଲ ଏକ ସାକ୍ଷାତକାରରେ କହିଥିଲେ ଯେ, ଜାଲିୟାନାୱାଲାବାଗ ସୀନ କରିବା ତାଙ୍କ ପାଇଁ ଖୁବ କଷ୍ଟଦାୟକ ଥିବା । ଏହାର ସୁଟିଂ ବେଳେ ତାଙ୍କୁ ବେଳେବେଳେ ନିଦ ବି ହେଉନଥିଲା ।

ମହିଳା ହକି ଟିମର କମାଲ: ହିମାଚଳକୁ ୧୨-୦ରେ ହରାଇଲା

ରାଞ୍ଚି: ଝାରଖଣ୍ଡରେ ଚାଲିଥିବେ ଜୁନିୟର ନ୍ୟାସନାଲ ହକି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ମହିଳା ହକି ଟିମର କମାଲ । ୧୨-୦ ଗୋଲରେ ହରାଇଲା ହିମାଚଳ ପ୍ରଦେଶକୁ ।

୧୮ ଜଣିଆ ହକି ଟିମର ନେତୃତ୍ବ ନେଉଛନ୍ତି ଜ୍ୟୋତି ଛେତ୍ରୀ । କାଳୁ ଚୌଧୁରୀ ଓଡ଼ିଶା ଟିମର କୋଚ ଅଛନ୍ତି । ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଆଜି ଥିଲା ପ୍ରଥମ ମ୍ୟାଚ୍ । ୨୦ ତାରିଖରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟ ୨୯ ତାରିଖରେ ଶେଷ ହେବ ।

ଏସଟିଏଫର ‘ଅପରେସନ ପାଉ’

ଭୁବନେଶ୍ବର: ବ୍ରାଉନସୁଗର ବେପାରୀଙ୍କୁ ସାବାଡ଼ କରିବା ପାଇଁ ଆକ୍ସନ ମୋଡ଼ରେ ଏସଟିଏଫ । ଟାଙ୍ଗୀ ନିକଟରୁ ଏକ କେଜିରୁ ଅଧିକ ପାଉଡର ଜବତ କରିବା ସହ ଜଣଙ୍କୁ ବାନ୍ଧିଲା । ଅନ୍ୟପଟେ ଏହି ‘ଅପରେସନ ପାଉ’ ର ଚେର ଖୋଜିବା ପାଇଁ ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି ଚଢ଼ାଉ ।

ଧଳା ଜହରର କଳା ଧନ୍ଦାରେ ଲଗାମ ଲଗାଇବାକୁ ଏସଟିଏଫର ‘ଅପରେସନ ପାଉ’ । ଗରାଖ ବେଶରେ ଚଢାଉ । ଆର୍ଯ୍ୟନ ଖାନଙ୍କ ଓଡିଶା ଲିଙ୍କ ପରେ ତତ୍ପର ପୋଲିସ ।

ସାଫିକୁଲ ଏସ୍. କେ ଓରଫ ଖୋକନ । ଘର, ପଶ୍ଚିମବଙ୍ଗର ମୁର୍ଷିଦାବାଦ । ଧନ୍ଦା ପାଉଡର ସପ୍ଲାଏ ।  ୧୬ ନମ୍ବର ଜାତୀୟ ରାଜପଥ ନିକଟ ଟାଙ୍ଗୀ ଛକଠାରେ ବ୍ରାଉନସୁଗର ନେଇ ଯାଉଥିବା ବେଳେ ମାଡି ବସିଲା ଏସଟିଏଫ । ତା ଠାରୁ ୧ କେଜି ୪୩ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ୩ଟି ସ୍ଥାନରେ ଚଢ଼ାଉ ମଧ୍ୟ ହୋଇଛି । ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ଅନୁଯାୟୀ ୨୦୨୦ ମସିହାଠାରୁ ଆଜି ଯାଏଁ  ୪୧ କେଜି ବ୍ରାଉନସୁଗର ଓ ୮୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଆଗକୁ ଏହି ଅପରେସନ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ଏସଟିଏଫ ଏସପି ତେଜରାଜ ପାଟିଲ ।

କମିଶନରେଟ ପୋଲିସ ମଧ୍ୟ ଏବର୍ଷ ୯୭ ଜଣ ନିଶା ବେପାରୀଙ୍କୁ କାବୁ କରିଛି । ଏହାସହ ହ୍ଵାଇଟ ସ୍ପାଇଡ଼ର ଅପରେସନକୁ ବ୍ୟାପକ କରାଯାଇଛି । ଓଡିଶା ପଶ୍ଚିମବଙ୍ଗ ସୀମାରେ ଅନେକ ଗଳାବାଟ ଥିବାରୁ ସଂଖ୍ୟାଲଘୁ ଯୁବକଙ୍କ ଜରିଆରେ ଡ୍ରଗ୍ସ ଡିଲ ହେଉଛି । କିନ୍ତୁ ଅଭୟ ଡିଜିପି ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ଏହି କାରବାର ବହୁ କମିଥିବା କହିଛନ୍ତି ବିଶେଷଜ୍ଞ ।

ଏସଇଏମଙ୍କୁ ମାସିକ ୨୫ ହଜାର ଟଙ୍କା ଭତ୍ତା ଦାବି କଲା ଗ୍ରାମୀଣ ଜଳ ଯୋଗାଣ ମହାସଂଘ

ଭୁବନେଶ୍ବର: ରାଜ୍ୟରେ ଜଳ ଯୋଗାଣ କ୍ଷେତ୍ରରେ ଏସ.ଇ.ଏମ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ୪୦ ଲକ୍ଷରୁ ଅଧିକ ନଳକୂପ ଓ ୯ ଲକ୍ଷରୁ ଅଧିକ ପମ୍ପ ହାଉସ ରହିଛି । ଏହାର ପରିଚାଳନା ପାଇଁ ୧୯୯୫ ମସିହାରେ ସରକାର ଏସ.ଇ.ଏମ୍ କର୍ମଚାରୀଙ୍କୁ ନିଯୁକ୍ତ କରିଥିଲେ । ବର୍ତ୍ତମାନ ଏସ.ଇ.ଏମ୍ କର୍ମଚାରୀଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତା ମିଳୁଛି । ଏହି ଭତ୍ତାକୁ ୨୫ ହଜାର କରିବାକୁ ଦାବି କରୁଛି ଅଲ ଓଡ଼ିଶା ଏସ୍. ଇ.ଏମ୍ ଓ ପମ୍ପ ଅପରେଟର ଗ୍ରାମୀଣ ଜଳ ଯୋଗାଣ ଏସ୍.ଇ.ଏମ୍. ମହା ସଂଘ ।

୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ କାର୍ଯ୍ୟ କରୁଥିବାରୁ ଏସ.ଇ.ଏମଙ୍କ ଦରମା ୨୫୦୦୦ କରିବାକୁ ସଂଘ ଦାବି କରିଛି । ଏହାସହ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ସେମାନଙ୍କ ଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରିବା ସହିତ ସେମାନଙ୍କୁ ଜଳ ଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି । ଦାବି ପୁରଣ ନହେଲେ ଧାରଣାରେ ବସିବାକୁ ସଂଘ କହିଛି । ସରକାର ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ସଂଘ ଅନୁରୋଧ କରିଛି ।