ଜୟପୁର: ସୀମାରେ ସୁଧୁରନି ଆନ୍ଧ୍ର । ଏଲଏସିରେ ଚୀନ ଭଳି, କୋଟିଆରେ ଅନୁପ୍ରବେଶ କରିବାର ହୀନ ଉଦ୍ୟମ ଜାରି ରଖିଛି ଆନ୍ଧ୍ର । ବିଭିନ୍ନ ଆଳରେ ବିବାଦୀୟ ଅଞ୍ଚଳରେ ଅସ୍ତିତ୍ବ ଜାହିର କରିବାକୁ କରୁଛି ହୀନ ଚକ୍ରାନ୍ତ । ଆଜି କୋଟିଆର ଫାଟୁସେନେରୀରେ ମହିଳା ସମାବେଶ ଆୟୋଜନ କରିଛି ଆନ୍ଧ୍ର ପ୍ରଶାସନ । ଆନ୍ଧ୍ର ଜୀବିକା ମିଶନର ଅଧିକାରୀ ସତ୍ୟମ୍ ନାଇଡୁ, ସଲପଗୁଡ଼ା, କୋନାଦୋରା, ଫଗୁଣସେନେରୀ, ବର୍ଣ୍ଣାପାଡୁ, ଡୋଲିଆମ୍ବା ଓ ମାଡକା ଗାଁର ମହିଳାଙ୍କୁ ନେଇ କରିଛନ୍ତି ସମାବେଶ । ଏଥିସହ ମହିଳା ମାନଙ୍କୁ ବିଭିନ୍ନ ଯୋଜନାର ଲୋଭ ଦେଖାଇଛନ୍ତି । ବିବାଦୀୟ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହେଲେ ବାରମ୍ବାର ଅପପ୍ରୟାସ କରିଆସୁଛି ଆନ୍ଧ୍ର । କେତେ ପଞ୍ଚାୟତ ନିର୍ବାଚନ କରୁଛି, ତ ଆଉ କେତେ ବେଳେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରୁଛି । ପୁଣି କେତେ ବେଳେ ନାମଫଳକ ବଦଳାଇବାକୁ ଅପଚେଷ୍ଟା ବି କରୁଛି । ଏପରିକି ଆନ୍ଧ୍ର ପକ୍ଷରୁ ନିର୍ବାଚିତ ସମିତି ସଭ୍ୟଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବରେ ଭୋଜିଭାତର ଆୟୋଜନ କରି ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ବି କରିଥିଲା । ନିକଟରେ ଆନ୍ଧ୍ରର ହୀନ ଉଦ୍ୟମକୁ ଜୋରଦାର ବିରୋଧ କରିଥିଲେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନେତୃତ୍ୱ । ସମସ୍ତ ଦଳ ଏକଜୁଟ ହୋଇ ଆନ୍ଧ୍ରକୁ ଦେଖାଇଥିଲେ ନାଲି ଆଖି । ତଥାପି ଆନ୍ଧ୍ର ନିଜର ହୀନ ପ୍ରୟାସ ଜାରି ରଖିଛି
ମୃତ ଘୋଷଣା ପରେ ବି ଗ୍ରହଣ କରିପାରିଲେନି ପରିବାର ଲୋକେ: ବର୍ହିବିଭାଗ ସମ୍ମୁଖରେ ଆରମ୍ଭ କରିଦେଲେ ଚିକିତ୍ସା
ଅନୁଗୁଳ: ଡାକ୍ତରଙ୍କ ମୃତ ଘୋଷଣା ପରେ ଯମ ମୁହଁରୁ ଫେରାଇ ଆଣିବାକୁ ପରିବାର ଲୋକଙ୍କ ପ୍ରୟାସ । ପୋଲିସ ବୁଝାଇଲା ହେଲେ ଶୁଣିବାକୁ ନାରାଜ ପରିବାର । ଆଜି ଅପରାହ୍ନରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଢେଙ୍କାନାଳ ବାଲିମି ଥାନା ବଙ୍ଗିଡ଼ି ଗାଁ ପୋଖରୀକୁ ପଦ୍ମ ତୋଳିବାକୁ ଯାଇ ବୁଡି ଯାଇଥିଲେ ଗାଁର ଆଲୋକ ନାଏକ ।
ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ପୁଅର ଅକାଳ ବିୟୋଗ ଗ୍ରହଣ କରିପାରିନଥିଲେ ପରିବାର ଲୋକେ । ପୁଅ ଜୀବିତ ଥିବା ବିଶ୍ୱାସ କରି ବର୍ହିବିଭାଗ ସାମନାରେ ହିଁ ଆରମ୍ଭ କରିଦେଇଥିଲେ ଚିକିତ୍ସା । ପୋଲିସ ପହଞ୍ଚି ବୁଝାଇବାକୁ ଉଦ୍ୟମ କରିଥିବା ବେଳେ, ଶୁଣିନଥିଲେ ପରିବାର ଲୋକ । ହାତ ପାଦରେ ତେଲ ଲଗାଇ ଅଳିଅଳର ଜୀବନ ଫେରାଇଆଣିବାକୁ କରିଥିଲେ ଉଦ୍ୟମ । ଏପରକି ମୃତଦେହ ନେଇ ପଳାଇଯିବାକୁ ବାହରିଥିଲେ । ବହୁ ବୁଝାସୁଝା ପରେ ପୁଣି ଥରେ ଡାକ୍ତରୀ ପରୀକ୍ଷା ପରେ ପରିବାର ଲୋକ ଏଥିରୁ କ୍ଷ୍ୟାନ୍ତ ହୋଇଥିଲେ । ଶେଷରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏଥିସହିତ ପଢ଼ନ୍ତୁ: ନୌସେନାରୁ ପ୍ରଶାସନିକ ଅଧିକାରୀ: ଏବେ କଲମ ମୁନରେ କରିବେ ଲୋକଙ୍କ ସେବା
IASସ୍ତରରେ ଅଦଳବଦଳ: ଖୋର୍ଦ୍ଧା ଜିଲ୍ଲାପାଳ ହେଲେ ସଂଗ୍ରାମ କେଶରୀ ମହାପାତ୍ର
ଭୁବନେଶ୍ୱର: ବରିଷ୍ଠ IAS ସ୍ତରରେ ଅଦଳବଦଳ । ଆଇଏଏସ୍ ଗଙ୍ଗାଧର ସାହୁ ହେଲେ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ । ଏହାସହ ତାଙ୍କୁ ମଳିଛି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ । ସେହିଭଳି ପରୁଲ ପଟୁଓ୍ୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଜଗତସିଂହପୁରରେ ଜିଲ୍ଲାପାଳ ଅଛନ୍ତି । ସନତ କୁମାର ମହାନ୍ତିଙ୍କୁ ବୈଷୟିକ ଶିକ୍ଷା ଓ SCERT ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏଥିସହ ତାଙ୍କୁ ମିଡ୍ ଡେ ମିଲ୍ର ପରିଚାଳନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଏଥିସହିତ ପଢ଼ନ୍ତୁ: ଆଇଏଏସ୍ ସ୍ତରରେ ଅଦଳବଦଳ: ବିଜୟ ଅରୋରାଙ୍କୁ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଦାୟିତ୍ୱ
କରୋନାରେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ କଲିନ ପାଓ୍ୱେଲଙ୍କ ମୃତ୍ୟୁ
ନୂଆଦିଲ୍ଲୀ: କୋଭିଡରେ ଚାଲିଗଲେ ଆମେରିକାର ପ୍ରଭାବଶାଳୀ କୂଚନୀତିଜ୍ଞ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ କଲିନ ପାଓ୍ୱେଲ। ପ୍ରଥମ କୃଷ୍ଣକାୟ ବୈଦେଶିକ ମନ୍ତ୍ରୀ ତଥା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାଓ୍ୱେଲଙ୍କୁ ମୃତ୍ୟୁବେଳକୁ ହୋଇଥିଲା ୮୪ ବର୍ଷ। ସେ ନିଜର ବ୍ୟକ୍ତିତ୍ୱ ବଳରେ ଆମେରିକାର ବୈଦେଶିକ ନୀତିର ଏକ ରୂପରେଖ ତିଆରି କରିପାରିଥିଲେ।
ଜେନରାଲ କଲିନ ମଧ୍ୟ ଥିଲେ ତିନି ବାହିନୀର ପୂର୍ବତନ ଯୁଗ୍ମମୁଖ୍ୟ। ଆମେରିକା- ଭିଏତନାମ ଯୁଦ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଚର୍ଚ୍ଚାରେ ଥିଲେ। ଏଥିଲାଗି ତାଙ୍କୁ ପ୍ରଥମ କୃଷ୍ଣକାୟ ଜାତୀୟ ନିରାପତ୍ତା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ରୋନାଲଡ ରେଗାନଙ୍କ ସମୟରେ ବି ସେ ସର୍ବକନିଷ୍ଠ ଓ ପ୍ରଥମ ଆଫ୍ରିକୀୟ ଆମେରିକୀୟ ଯୁଗ୍ମ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ।






