spot_img
Home Blog Page 5063

ରହସ୍ୟ ଘେରରେ ୨୦ ବର୍ଷର ହତ୍ୟା: ପ୍ରମାଣ ଦେଲେ ୧୮ କୋଟି ପୁରସ୍କାର

ଓ୍ବାଶିଂଟନ୍: ୨୦ ବର୍ଷ ତଳର ହତ୍ୟା । ଏବେ ବି ଉଠି ପାରୁନି ପରଦା । ଦୁଇ ଦଶନ୍ଧି ଧରି ରହସ୍ୟ ଘେରରେ । ନ୍ୟାୟିକ ବ୍ୟବସ୍ଥା ଉପରେ ହୋଇଥିବା ଏହି ଆକ୍ରମଣ ଆଜି ବି ଆମେରିକା ତଦନ୍ତ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରୁଛି । ହତ୍ୟା ସମ୍ପର୍କୀତ ପ୍ରମାଣ ଦେଲେ ମିଳିବ ୨.୫ ମିଳିୟନ ଅର୍ଥାତ ଭାରତୀୟ ମୁଦ୍ରାରେ ୧୮ କୋଟି ଟଙ୍କା ପୁରସ୍କାର ।

ଆମେ କହୁଛୁ ଆମେରିକୀୟ ଓକିଲ ଥୋମାସ ଓ୍ବେଲସଙ୍କ କଥା । ୨୦୦୧ରେ ଅଜ୍ଞାତ ବ୍ୟକ୍ତି ଘରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲା । ଅପରାଧୀ ଏତେ ଚାଲଖ ଯେ, ନା ଛାଡି ଥିଲା କୌଣସି ପ୍ରମାଣ, ନା ଥିଲେ କେହି ପ୍ରତକ୍ଷ୍ୟଦର୍ଶୀ ।

ଥୋମାସଙ୍କୁ କିଏ ମାରିଲା ? କାହିଁକି ମାରିଲା ? ତା’ର ଟେର ପାଉନି ଆମେରିକା ପୋଲିସ ।

ହତ୍ୟାର କାରଣ କ’ଣ ହୋଇପାରେ ?

ଏତେଦିନ ହେବ ରହସ୍ୟ ଭିତରେ ଥିବା ଏହି ହତ୍ୟାକାଣ୍ଡକୁ ନେଇ ଭିନ୍ନ ଭିନ୍ନ କାରଣ କୁହାଯାଉଛି । ସିଆଟଲ୍ ଟାଇମ୍ସ ଅନୁସାରେ ଏଫବିଆଇ ଲମ୍ବା ସମୟ ଧରି ବିଶ୍ବାସ କରି ଆସୁଛି, ଜଣେ ପାଇଲଟ୍ ଥୋମାସଙ୍କୁ ହତ୍ୟା କରିଥାଇ ପାରେ । କାରଣ ତାଙ୍କ ଉପରେ ଥୋମାସ ଠକେଇ ମାମଲା ଚଲାଇଥିଲେ । ତାଙ୍କୁ ମାରିବାକୁ ସମ୍ପୃକ୍ତ ପାଇଲଟ୍ ହତ୍ୟାକାରୀଙ୍କୁ ହାୟର କରିଥାଇପାରନ୍ତି । ସେହିପରି ଡ୍ରଗ୍ସ ଚୋରାଚାଲାଣ ମାମଲାର ମଧ୍ୟ ଥୋମାସ୍ ଓକିଲ ଥିଲେ । ଏହା ମଧ୍ୟ ତାଙ୍କ ମୃତ୍ୟୁର କାରଣ ହୋଇପାରେ । ହେଲେ ପ୍ରକୃତ ସତ କ’ଣ ଆଜି ବି ରହସ୍ୟ ଭିତରେ ରହିଛି ।

ଥୋମାସଙ୍କ ହତ୍ୟା ନ୍ୟାୟ ବ୍ୟବସ୍ଥା ଉପରେ ଆକ୍ରମଣ

ସିଆଟଲ୍ ଫେଡେରାଲର ଓକିଲ ଥୋମାସଙ୍କ ମର୍ଡର ମିଷ୍ଟ୍ରି ପ୍ରମାଣ ଦେବାକୁ ଫେଡେରାଲ ତଦନ୍ତକାରୀ ଦଳ ୧୮ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ପୂର୍ବରୁ ଏହି ପୁରସ୍କାର ରାଶି ୧୧ କୋଟି ଟଙ୍କା ଥିଲା ।

ଡେଲି ମେଲ୍ ରିର୍ପୋଟ ଅନୁସାରେ ୪୯ ବର୍ଷୀୟ ଥୋମାସଙ୍କୁ ୨୦୦୧ ଅକ୍ଟୋବର ୧୧ ତାରିଖରେ ହତ୍ୟା କରାଯାଇଥିଲା । ଓ୍ବେଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ୍ ଓ୍ବାଶିଂଟନର ୟୁଏସ ଆଟର୍ଣ୍ଣି ନିକୋଲସ ବ୍ରାଉନ ପୁରସ୍କାର ରାଶି ବଢ଼ାଯିବା ଘୋଷଣା କରିଛନ୍ତି ।

ନିକୋଲସ କହିଛନ୍ତି, ‘‘ଏହି ଅପରାଧ ପାଇଁ ୨୦ ବର୍ଷ ବହୁତ ଅଧିକା । ଆମେରିକା ନ୍ୟାୟ ବ୍ୟବସ୍ଥା ଉପରେ ହୋଇଥିବା ଏହି ଆକ୍ରମଣ ଏବେ ବି ରହସ୍ୟ ଭିତରେ ରହିଛି । ଦୁଇ ଦଶନ୍ଧି ବିତି ଯାଇଥିଲେ ବି ନ୍ୟାୟ ବିଭାଗ ଏହି ରହସ୍ୟମୟ ହତ୍ୟାର ତଦନ୍ତ କରିବାକୁ ପ୍ରତିବଦ୍ଧ ।

ସୂଚନାଯୋଗ୍ୟ, ନିକୋଲସ ହେଉଛନ୍ତି ଏହି ହତ୍ୟା ମାମଲାର ଷଷ୍ଠ ଓକିଲ । ତାଙ୍କ ମତରେ ତଦନ୍ତର ଅଗ୍ରଗତିକୁ ପୁରସ୍କାର ରାଶି ନୂଆ ଦିଗ ଦେଇପାରେ ।

ବାଂଲାଦେଶରେ ଥମୁନି ହିନ୍ଦୁଙ୍କ ଉପରେ ଆକ୍ରମଣ, ଦୁର୍ବୃତ୍ତ ଜାଳିଦେଲେ ୨୦ଟି ଘର, ପୋଲିସ ସହ ସଂଘର୍ଷ

ଢାକା: ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଅକ୍ଟୋବର ୧୩ ତାରିଖରେ ହିନ୍ଦୁ ଧର୍ମର ମୁଖ୍ୟ ପର୍ବ ଦୁର୍ଗା ପୂଜାରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ଧରୁନି । ବାଂଲାଦେଶର କୋମିଲ୍ଲା ଠାରେ ଦୁର୍ଗା ପୂଜା ପେଣ୍ଡାଲ ଉପରେ ଆକ୍ରମଣ ପରେ ରବିବାର ଦିନ ରଙ୍ଗପୁରର ଉପଜିଲ୍ଲାରେ ଥିବା ହିନ୍ଦୁମାନଙ୍କ ଘରେ ନିଆଁ ଲଗାଇବା ମାମଲା ସାମ୍ନାକୁ ଆସିଛି । ବାଂଲାଦେଶର ମିଡିଆ ହାଉସ୍ ଢ଼ାକା ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ଏହି ଘଟଣା ପୀରଗଞ୍ଜର ରାମନାଥପୁର ୟୁନିଅନର ମାଝିପାରା ଜେଲପୋଲିରେ ଘଟିଛି । ଖବର ଅନୁଯାୟୀ, କେତେକ ଉଗ୍ରବାଦୀ ହିନ୍ଦୁଙ୍କ ୨୦ଟି ଘର ପୋଡି ଦେଇଥିଲେ, କିନ୍ତୁ ସ୍ଥାନୀୟ ସଂଗଠନର ସଭାପତିଙ୍କ ଅନୁଯାୟୀ ଦୁର୍ବୃତ୍ତମାନେ ୬୫ଟି ଘରେ ନିଆଁ ଲଗାଇ ଦେଇଛନ୍ତି ।

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପୁଣି ହିଂସା ହୋଇଥିବା ସୂଚନା

ପୋଲିସର ସୂଚନାନୁସାରେ, ଏହି ମାମଲା ସୋସିଆଲ ମିଡିଆ ପୋଷ୍ଟ ସହିତ ମଧ୍ୟ ଜଡିତ ଏବଂ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଫେସବୁକରେ ଆପତ୍ତିଜନକ ପୋଷ୍ଟ ପରେ ହିଁ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଯୁବକଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲା ଏବଂ ତାଙ୍କ ଘରକୁ ସୁରକ୍ଷିତ ରଖିଥିଲା, କିନ୍ତୁ ଦୁର୍ବୃତ୍ତ ମାନେ ଉକ୍ତ ସ୍ଥାନରେ ନିକଟସ୍ଥ ଘରେ ନିଆଁ ଲଗାଇ ଦେଇଥିଲେ। ଢାକା ଟ୍ରିବ୍ୟୁନର ସଭାପତି ମହମ୍ମଦ ସାଡକୁଲ ଇସଲାମଙ୍କ ଅନୁଯାୟୀ ଏହି ଦୁର୍ବୃତ୍ତମାନେ ଜମାତ-ଇ-ଇସଲାମୀର ସ୍ଥାନୀୟ ୟୁନିଟ୍ ଏବଂ ଛାତ୍ର ୱିଙ୍ଗ୍ ଇସଲାମିକ୍ ଛାତ୍ର ଶିବିରର ଥିଲେ।

ସୋସିଆଲ ମିଡିଆରେ ମଧ୍ୟ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହା ପୀରଗଞ୍ଜର ବୋଲି ଦାବି  କରାଯାଉଛି । ଭିଡିଓରେ ଗାଁର ଘର ଜଳୁଥିବା ଦେଖିବାକୁ ମିଳିଛି ଏବଂ ଆକ୍ରମଣକାରୀଙ୍କ ସହ ପୋଲିସ ସଂଘର୍ଷ କରୁଛି । ଅଗ୍ନିକାଣ୍ଡ ପରେ ତୁରନ୍ତ ପୋଲିସ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ସଂଘର୍ଷ ଏବଂ ଗୁଳି ବିନିମୟ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଢାକା ଟ୍ରିବ୍ୟୁନ୍ ଏହି ଭିଡିଓଗୁଡିକର ସତ୍ୟତାକୁ ନିଶ୍ଚିତ କରି ନାହିଁ ।

 

ସୂଚନା ଅନୁଯାୟୀ ବାଂଲାଦେଶର କୋମିଲ୍ଲା ଜିଲ୍ଳାରେ ଦୁର୍ଗାପୂଜା ସମାରୋହ ବେଳେ ପେଣ୍ଡାଲରେ ଭଙ୍ଗାରୁଜା ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହାସିନା । ଏହି ଆକ୍ରମଣରେ ସାମିଲ ହୋଇଥିବା ବ୍ୟକ୍ତି ଯେକୌଣସି ଧର୍ମ କିମ୍ବା ଜାତିର ହୋଇଥିଲେବି କଦାପି କ୍ଷମା ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି ସେ ।

ବିବିସି ବଙ୍ଗଳାର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଏଭଳି କିଛି ନହେବା ଉଚିତ୍ ଯାହାର ପ୍ରଭାବ ବାଂଲାଦେଶ ଉପରେ ପଡିବ । କିମ୍ବା ଏଠାକାର ହିନ୍ଦୁମାନଙ୍କ ଉପରେ ପଡିବ ।  ବାଂଲାଦେଶର ଚାନ୍ଦିପରୁ ସ୍ଥିତ ହାଜିଗଞ୍ଜ ଉପଜିଲାରେ ବୁଧବାର ଦିନ ଦୁର୍ଗା ପୂଜା ସମାରୋହ ବେଳେ ସାମ୍ପ୍ରଦାୟିକ ହିଂସାରେ  ୩ ଜଣଙ୍କର ମୃତ୍ୟୁ ହୋଇଥିଲା  । ଆଉ ୬୦ରୁ ଅଧିକ ଆହତ ହୋଇଥିଲେ । ଏକ ଫେସବୁକ୍ ପୋଷ୍ଟରେ କୋରାନକୁ ଅପମାନ କରାଯାଇଥିବା ଦର୍ଶାଇ ହିଂସା ହୋଇଥିଲା । ଯାହା ପରେ ଅନେକ ଦୁର୍ଗା ପେଣ୍ଡାଲରେ ଭଙ୍ଗାରୁଜା କରାଯାଇଥିଲା ।

 

ପ୍ରଧାନମନ୍ତ୍ରୀ ହସିନା ଏକ ଭିଡିଓ କନଫରେନ୍ସି ଜରିଆରେ ଢାକାର ଢାକେଶ୍ୱରି ଜାତୀୟ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । ଏହି ଅବସରରେ ସମ୍ବୋଧନ ଦେଇ ସେ କହିଥିଲେ, କାମିଲ୍ଲା ଜିଲ୍ଲାରେ ହୋଇଥିବା ଘଟଣାର ଯାଞ୍ଚ କରାଯାଉଛି । ହିନ୍ଦୁ ମନ୍ଦିର ଓ ଦୁର୍ଗା ପୂଜା ମଣ୍ଡପ ଉପରେ ଯିଏଭି ଆକ୍ରମଣ କରିଛନ୍ତି ତାକୁ ଛଡା ଯିବନାହିଁ ।

କୃଷି ଆଇନ୍ ପ୍ରତ୍ୟାହାର ସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବିରେ ଚାଷୀ ସଂଗଠନର ପ୍ରତିବାଦ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ୍ ଓ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବିରେ ଚାଷୀ ସଂଗଠନର ରେଳରୋକ । ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ୬ ଘଣ୍ଟିଆ ରେଳରୋକ କରାଯାଇଛି । ଭାରତୀୟ କିଷାନ ୟୁନିଅନର ରେଳରୋକ ଡାକରାରେ ସାମିଲ୍ ହୋଇଛନ୍ତି ବହୁ ଚାଷୀ ସଂଗଠନ । ଭୁବନେଶ୍ୱରରୁ ବାଲେଶ୍ୱର ସବୁଠି ପ୍ରତିବାଦ କରିଛନ୍ତି ଚାଷୀ ।

Farmer Union Protest Across Odisha In Against Of Three Farm Law

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦାବି ସହ ଲଖିମପୁର ଖିରି ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି ହୋଇଛି । ବାଲେଶ୍ୱରରେ ଷ୍ଟେସନରେ ପ୍ରତିବାଦ କରିଛନ୍ତି ଚାଷୀ ସଂଗଠନ । ସେହିଭଳି ଜୟପୁରରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ରେଳରୋକ କରାଯାଇଛି । ପେଟ୍ରୋଲ୍ ଡିଜେଲ ଦର ବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର ଜିନିଷର ଆକାଶ ଛୁଆଁ ଦାମକୁ ବିରୋଧ କରି ଏଆଇକେଏସ୍ ପକ୍ଷରୁ ରେଳ ରୋକ କରାଯାଇଛି ।

Farmer Union Protest Across Odisha In Against Of Three Farm Law

ଗଜପତି ଜିଲ୍ଲା ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ରେଳରୋକ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ରେଳରୋକ ହୋଇଛି । ନିରାକାରପୁର ଷ୍ଟେସନର ରେଳଧାରଣା ଉପରେ ବସି ରହି ରେଳରୋକ କରି ପ୍ରତିବାଦ କରିଛନ୍ତି ଚାଷୀ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କଟକ ରେଲୱେ ଷ୍ଟେସନ ସମ୍ମୁଖରେ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ଆଇନ୍ ବିରୋଧରେ ପ୍ରତିବାଦ କରାଯାଇଛି । ଆନ୍ଦୋଳନକାରୀ ହାତରେ ପ୍ଲାଗ୍ କାର୍ଡ ଧରି ଷ୍ଟେସନ ସମ୍ମୁଖରେ ମୋଦି ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି ।

କୋଭିଡ୍ ସଂକ୍ରମଣ ରୋକିବାକୁ ବସ୍ତି ଉପରେ ବିଏମସିର ଫୋକସ୍

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଲା ବିଏମସି । ଏଣିକି ବସ୍ତି ଉପରେ କରାଯିବ ଫୋକସ୍ । ହସ୍ପିଟାଲ ସମେତ ସବୁ ବସ୍ତିରେ ଘର ଘର ବୁଲି କୋଭିଡ୍ ଟେଷ୍ଟି କରୁଛି ବିଏମସି । ପିଲାଙ୍କ ଠାରୁ ବୟସ୍କ ସମସ୍ତଙ୍କର କରାଯାଉଛି ଆଣ୍ଟିଜେନ ଟେଷ୍ଟ । ପଜିଟିଭ ଚିହ୍ନଟ ହେଲେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି ।

ଏଥିସହ ପଢ଼ନ୍ତୁ: ୨ ମହାନଗର ନିଗମ ସହ ୫ ବ୍ଲକରେ ଶତ ପ୍ରତିଶତ ଲୋକ ନେଇଛନ୍ତି ପ୍ରଥମ ଡୋଜ୍ ଟିକା

ଆବଶ୍ୟକ ସ୍ଥଳେ ହସ୍ପିଟାଲକୁ ସଂକ୍ରମିତଙ୍କୁ ସ୍ଥାନାନ୍ତର କରାଯାଉଛି । ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯାଇ ଟେଷ୍ଟିଂ କରାଯାଉଛି । ସେପଟେ ମହାମାରୀ ବିରୋଧରେ ଜାରି ରହିଛି ଟିକାକରଣ । ଟିକାଗ୍ରହଣ ସମୟରେ କୋଭିଡ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।

Money Laundering Case: ଚତୁର୍ଥ ଥର ପାଇଁ ED ପଚରାଉଚରାରେ ସାମିଲ ହେଲେନି ଜ୍ୟାକଲିନ୍

ମୁମ୍ବାଇ: ସୋମବାର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଚତୁର୍ଥ ଥର ପାଇଁ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)ରେ ପଚରାଉଚରା ପାଇଁ ସାମିଲ ହେଲେ ନାହିଁ । ସୋମବାର ଦିନ ଇଡିରେ ସେ ହାଜର ହେବାର ଥିଲେ ମଧ୍ୟ ସେ ଏଥର ଉପସ୍ଥିତ ରହିଲେ ନାହିଁ । ଏହାପୂର୍ବରୁ ଶନିବାର ମଧ୍ୟ ତାଙ୍କୁ ଡକାଯାଇଥିଲା ।

ଗତ ଚାରି ଦିନ ମଧ୍ୟରେ ତିନିଥର ଇଡି ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ଡାକିଥିଲେ । କିନ୍ତୁ ସେ ସମସ୍ତ ତିନି ଦିନ – ୧୫ ଅକ୍ଟୋବର (ଶୁକ୍ରବାର), ୧୬ଅକ୍ଟୋବର (ଶନିବାର) ଏବଂ ୧୮ ଅକ୍ଟୋବର (ସୋମବାର) ରେ ଇଡିର ପଚରାଉଚରାକୁ ଏଡ଼ାଇ ଦେଇଛନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୨୫ରେ ଜ୍ୟାକଲିନ ପଚରାଉଚରା ପାଇଁ ଆସିନଥିଲେ । ସୂଚନାନୁସାରେ, ଜ୍ୟାକଲିନ ବ୍ୟକ୍ତିଗତ କାରଣ ଦର୍ଶାଇ କହିଛନ୍ତି ଯେ ସେ ଏହି ଯାଞ୍ଚରେ ଭାଗ ନେଇ ପାରିବେ ନାହିଁ।

ଏହି ମାମଲାରେ ଅଭିନେତ୍ରୀ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପଚରାଉଚରା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ, ଜ୍ୟାକଲିନଙ୍କ ଆର୍ଥିକ କାରବାର ଉପରେ ଇଡି ନଜର ରଖିଛି । ତାଙ୍କ କହିବାନୁସାରେ, ଜ୍ୟାକଲିନଙ୍କ କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ରହିଛି । ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଦିନ ଅଭିନେତ୍ରୀ ଇଡି ଅଧିକାରୀମାନଙ୍କୁ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପଚରାଉଚରା ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ଏଥି ସହିତ, ଇଡି ଜ୍ୟାକଲିନଙ୍କ ସହ ପଚରାଉଚରାକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି ।

୨ ମହାନଗର ନିଗମ ସହ ୫ ବ୍ଲକରେ ଶତ ପ୍ରତିଶତ ଲୋକ ନେଇଛନ୍ତି ପ୍ରଥମ ଡୋଜ୍ ଟିକା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ୍ ଟିକା ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଠନ୍ତି । ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ଉଭୟ ଡୋଜ୍ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ । ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Odisha Covid Vaccination Update

ବର୍ତ୍ତମାନ ରାଜ୍ୟରେ ୨୫ ଲକ୍ଷ  ୬୨ ହଜାର ୯୧୦ ଡୋଜ ଟିକା ଉପଲବ୍ଧ ଅଛି । ଦ୍ୱିତୀୟ ଡୋଜ୍ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିପାଲିଟି ସହ ରିଆମାଲ, ଟିକାବାଲି, ରାଇକିଆ, ଜି.ଉଦୟଗିରି, ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଟିକାକରଣ ଶତ ପ୍ରତିଶତ ସରିଛି । ରାଜ୍ୟର ୩ ହଜାର ୫୪୦ଟି ଗାଁରେ   ମଧ୍ୟ ଶତପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଛି ।

ଯେଉଁମାନେ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାଁନ୍ତି । ବାରମ୍ବାର ମେସେଜ ଯାଉଛି, ଫୋନ୍ କରାଯାଉଛି । ଆଶା ଓ ଅଙ୍ଗନୱାଡ଼ି କର୍ମଚାରୀ ସଚେତନତା କରୁଛନ୍ତି । ଯେଉଁ ମାନେ ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦିଆଯାଉଛି । ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବଡ଼ି ରହିଛି । ଦ୍ୱିତୀୟ ଡୋଜ ଟିକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି । ୧୪ ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟିକା ।

ଉବୁଟୁବୁ କେରଳ: ଭାସୁଛି କାର୍, ଭାଙ୍ଗୁଛି ଘର

ଥିରୁଅନନ୍ତପୁରମ୍: ଭଗବାନଙ୍କ ଦେଶ କୁହାଯାଉଥିଲା କେରଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ବର୍ଷା ଓ ବନ୍ୟାରେ ଉବୁଟୁବୁ କେରଳ । ଭାସୁଛି କାର, ତାସ୍ ଘର ପରି ଭାଙ୍ଗି ବନ୍ୟା ପାଣିରେ ବୋହି ଯାଇଛି ବିରାଟ ବିରାଟ ଅଟ୍ଟାଳିକା ।

ରାସ୍ତାରେ ପାଣି ଢେଉ ଭାଙ୍ଗୁଥିବା ବେଳେ ପ୍ରାୟ ସବୁ ନଦୀରେ ପ୍ରଭାବିତ ହେଉଛି ବନ୍ୟାପାଣି । ଏତିକି ନୁହେଁ, ଭୟଙ୍କର ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ଜୀବନ ଯାଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି ।

ବିଶେଷ କରି ତିରୁବଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି । ଏଠାରେ ଏବେ ବି ବର୍ଷା ଓ ବନ୍ୟା ପାଣିରେ ଘରଗୁଡିକ ବୁଡ଼ି ରହିଛି । ଜୀବନ ବିକଳରେ ଲୋକେ ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି । ପାମ୍ବା ନଦୀର ଜଳସ୍ତର ବଢୁଥିବାରୁ ଆଖପାଖ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

୫ଟି ଜିଲ୍ଲାରେ ସ୍ଥିତି ସାଂଘାତିକ ଥିବା ବେଳେ ୭ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ରହି ରହି ବର୍ଷା ହେଉଛି । ପଟନମଥିଟ୍ଟାର ତଳି ଅଞ୍ଚଳରେ ଆଜି ବନ୍ୟା ଆସିବାର ଆଶଙ୍କା ରହିଛି । ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ NDRF ଟିମକୁ ନିୟୋଜିତ କରାଯାଇଛି ।

ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ୧୦୫ଟି ରିଲିଫ କ୍ୟାମ୍ପ ଖୋଲାଯାଇଥିବା ବେଳେ ବାୟୁସେନା ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଭୂସ୍ଖଳନ ହୋଇଥିବା ଅଞ୍ଚଳରେ ଲୋକଙ୍କୁ ଖାଦ୍ୟ ଯୋଗାଯାଉଛି । ଏନଡିଆରଏଫ ଟିମ୍ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସହାୟତା ଜାରି ରଖିଛନ୍ତି । ରାସ୍ତା ଉପରେ ପଡିଥିବା ଗଛ ସଫା କରାଯାଉଛି । ସେନା ହେଲିକପ୍ଟରରେ ଆକାଶମାର୍ଗରୁ ସ୍ଥିତି ଉପରେ ନଜର ରଖାଯାଇଛି । ସାବରୀମାଳା ମନ୍ଦିରକୁ ଦର୍ଶନ ପାଇଁ ନଯିବାକୁ ପର୍ଯ୍ୟଟକଙ୍କୁ ମନା କରାଯାଇଛି ।

LACରେ ଚୀନର ମୁକାବିଲା ପାଇଁ ସଜାଗ ନୂଆ ଆଭିଏସନ ବ୍ରିଗେଡ

ନୂଆଦିଲ୍ଲୀ: ଚୀନର ମୁକାବିଲା ଲାଗି ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ମୁତୟନ ସେନାର ନୂଆ ଆଭିଏସନ ବ୍ରିଗେଡ । ଆସାମର ତେଜପୁର ନିକଟସ୍ଥ ମିସାମାରୀରେ ନିୟୋଜିତ ଏହି ବ୍ରିଗେଡ ନିକଟରେ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ବା ଏଏଲଏଚ, ଚିତା ହେଲିକପ୍ଟର ଓ ହେରୋନ ଡ୍ରୋନ ରହିଛି । ସମ୍ଭାବ୍ୟ ଆକ୍ରମଣ ପୂର୍ବରୁ ଏହି ବାହିନୀ ଶତ୍ରୁ ରାଷ୍ଟ୍ରକୁ କଡା ଟକ୍କର ଦେବାର କ୍ଷମତା ହାସଲ କରିଛି । ଏହାସହ ଏହି ବାହିନୀ ସୀମାରେ ହେଉଥିବା ଘଟଣାବଳୀ ପ୍ରତି ତୀକ୍ଷ୍ଣ ନଜର ରଖିପାରିବା ସହ ଗୁଇନ୍ଦା ତଥ୍ୟ ପ୍ରଦାନ କରିପାରିବ ।

ଏଠାରେ ଆଭିଏସନ ବ୍ରିଗେଡର ୩ଟି ସ୍କ୍ୱାଡ୍ରନ ମୁତୟନ ହୋଇଛି । ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମି ଦାଧୱାଲ କହିଛନ୍ତି, ଏହି ବାହିନୀ ହାତରେ ସ୍ୱଦେଶୀ ନିର୍ମିତ ଅନେକ ଯନ୍ତ୍ରପାତି ରହିଛି । ଯାହାକି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇପାରୁଛି । ବିଭିନ୍ନ ସାମରିକ ଅପରେସନରେ ଏହା ଭାରତ ଲାଗି ମୂଲ୍ୟବାନ ସାବ୍ୟସ୍ତ ହୋଇଛି । ଯେ କୌଣସି ସ୍ଥାନ, ଉଚ୍ଚତା ଓ ପାଗରେ ଏହି ହେଲିକପ୍ଟର ଗୁଡିକ କାର୍ଯ୍ୟକ୍ଷମ ହୋଇପାରିବେ ଏବଂ ସୈନ୍ୟ ମୁତୟନ କରିପାରିବେ । ପୂର୍ବାଞ୍ଚଳ ଲଦାଖରେ ଏଲଏସିର ଦୁଇ ପାଖରେ ଉଭୟ ଭାରତ ଓ ଚୀନର ପ୍ରାୟ ୫୦ ହଜାର ସୈନ୍ୟ ବର୍ତ୍ତମାନ ବି ମୁତୟନ ରହିଛନ୍ତି ।

ପାଟ୍ରୋଲିଂ ପଏଣ୍ଟ ୧୫ରୁ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଚୀନର ଅଗ୍ରାହ୍ୟ ପରେ ଭାରତ ଏଲଏସିର ସୁରକ୍ଷା ପ୍ରତି ଗୁରୁତ୍ବ ଦେଇଛି । କିଛି ଦିନ ତଳେ ସେନାମୁଖ୍ୟ ଜେନରାଲ ଏମ.ଏମ ନରୱାଣେ କହିଥିଲେ- ଏଲଏସିରେ ଅନେକ ଭିତ୍ତିଭୂମି ତିଆରି କରିଥିବାରୁ ଚୀନ ସହଜରେ ଏଲଏସି ଛାଡିବ ନାହିଁ । ସେପଟେ ଚୀନର କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେବା ଲାଗି ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଏଲଏସିରେ ମଧ୍ୟ ମୁତୟନ ରହିଛି ହେରୋନ ଡ୍ରୋନ, ଏଏଲଏଚ ଧ୍ରୁବ ଓ ରୁଦ୍ର । ସାମରିକସ୍ତରୀୟ କଥାବାର୍ତ୍ତା ବିଫଳ ହେବା ପରେ ଏଲଏସି ପ୍ରତି ବେଶ୍ ସଜାଗ ରହିଛି ଭାରତ ।

ରାଜ୍ୟର ଅପହଞ୍ଚ ଇଲାକାରେ ଟାୱର ବସାଇବାକୁ ଘରୋଇ କମ୍ପାନୀ ଅରାଜି: ମନ୍ତ୍ରୀ

ଭୁବନେଶ୍ୱର: ବିଏସଏନଏଲ୍ ଆଉ ନୂଆ ଟାୱାର ଲଗାଇବାକୁ ରାଜି ନାହିଁ । ତେଣୁ ଘରୋଇ କମ୍ପାନୀଙ୍କୁ ଅନୁରୋଧ କରିଛୁ ଅପହଞ୍ଚ ଅଞ୍ଚଳରେ ଟାୱାର ଲଗାଇବାକୁ । ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଓ ଗଜପତିର କିଛି ଅଞ୍ଚଳରେ ନେଟୱର୍କ ସମସ୍ୟା ନେଇ ଏ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ଯା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏ ସବୁ ସ୍ଥାନ ଭୌଗଳିକ ଦୃଷ୍ଟିରୁ ଅପହଞ୍ଚ ରହିଛି । ଘରୋଇ କମ୍ପାନୀ ମଧ୍ୟ ସେଠାରେ ଟାୱାର ବସାଇବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ।

ଉକ୍ତ ଅଞ୍ଚଳରେ ଜନସଂଖ୍ୟା କମ୍ ଥିବାରୁ କମ୍ପାନୀ ନିଜ ଫାଇଦା ଦେଖି ଟାୱାର ବସାଉ ନଥିବା କହିଛନ୍ତି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମାଲକାନଗିରିରେ ଏୟାରଟେଲ୍ ଯୋଗେ ନେଟୱର୍କ ଦିଆଯାଉଛି । ଘରୋଇ କମ୍ପାନୀଙ୍କ ସହ ବୈଠକ କରି ଅପହଞ୍ଚ ଅଞ୍ଚଳରେ ଟାୱାର ବସାଇବାକୁ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ତୁଷାରକାନ୍ତି ବେହେରା ।

ରାଜ୍ୟରେ ଟେଲି ସେବା ପ୍ରଦାନ କରୁଥିବା କମ୍ପାନୀଙ୍କ ସହ ସରକାର ବୈଠକରେ ଆଲୋଚନା କରିଛନ୍ତି । ମାଓ ପ୍ରବଣ ଅଞ୍ଚଳରେ ପୋଲିସ ଥାନା ଓ ଅନ୍ୟ ସରକାରୀ ଅଫିସରେ ଟାୱାର ବସାଇବାକୁ ଅନୁମତି ଦିଆଯାଇଥିବା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ଯା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମହାକାଶରେ ସରିଲା ପ୍ରଥମ ଫିଲ୍ମ ଶୁଟିଂ, ପୃଥିବୀକୁ ଫେରିଲେ ‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର ଟିମ୍

ଋଷିଆ: ମହାକାଶରେ ଶୁଟିଂ ଏବେ ଶେଷ ହୋଇଛି। ଫିଲ୍ମ ଶୁଟିଂ ସାରି ପୃଥିବୀକୁ ଫେରିଛନ୍ତି ରୁଷୀୟ ଟିମ୍‌ । ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ମହାକାଶ ଗସ୍ତରେ ଯାଇଥିଲେ।  ‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର କେତୋଟି ଦୃଶ୍ୟର ଶୁଟିଂ ପାଇଁ ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ସୋଭିଏତ୍‌ ଦେଶର କାଜାଖସ୍ତାନରେ ଥିବା ‘ବୈକୋନୁର୍‌ କସ୍ମୋଡ୍ରୋମ୍‌’ରୁ ୩୭ ବର୍ଷୀୟ ଅଭିନେତ୍ରୀ ୟୁଲିୟା ପେରେସିଲ୍‌ଡ୍‌ ଏବଂ ୩୮ ବର୍ଷିୟ ନିର୍ଦ୍ଦେଶକ କ୍ଲିମ୍‌ ସିପେଙ୍କୋ ରକେଟ୍‌ ଯୋଗେ ମହାକାଶକୁ ଯାଇଥିଲେ।

ମହାକାଶରେ ଏହା ହେଉଛି ପ୍ରଥମ ଫିଲ୍ମ, ଯାହାର କାହାଣୀର କିଛି ଅଂଶ ସ୍ପେସ୍‌ରେ ଶୁଟିଂ କରାଯାଇଛି । ରବିବାର ଦିନ ଅନ୍ତର୍ଜାତୀୟ ସମୟ ରାତି ୧.୧୫ ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ବାହାରିଛି। ଜଣେ ମହାକାଶଚାରୀ ଏବଂ ଦୁଇଜଣ ରୁଷୀୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ନେଇ ସୋୟୁଜ୍ ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡି ପୃଥିବୀ ଅଭିମୁଖେ ଯାତ୍ରା କରିଛନ୍ତି।

ଏହି ରକେଟରେ ଓଲେଗ ନୋଭିଟସ୍କି, ୟୁଲିଆ ପେରେସିଲ୍ଡ ଏବଂ କ୍ଲିମ ସିପେଙ୍କୋ ଅଛନ୍ତି। ଅଭିନେତ୍ରୀ ପେରେସିଲ୍ଡ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିପେଙ୍କୋ ଅକ୍ଟୋବର ୫ ରେ “ଚ୍ୟାଲେଞ୍ଜ” ନାମକ ଫିଲ୍ମ ଶୁଟିଂ ପାଇଁ ସ୍ପେସ୍ ଷ୍ଟେସନରେ ପହଞ୍ଚି ସେଠାରେ ୧୨ ଦିନ ରହିଥିଲେ । ସ୍ପେସ୍ ଷ୍ଟେସନରେ ୬ ମାସରୁ ଅଧିକ ସମୟ ବିତାଇଥିବା ନୋଭିତ୍ସକି ଏହି ଫିଲ୍ମରେ ଜଣେ ଅସୁସ୍ଥ ମହାକାଶଚାରୀ ଭୂମିକାରେ ଅଭିନୟ କରିଛନ୍ତି। ସୂଚନା ମୁତାବକ, ଏହାପୂର୍ବରୁ ‘ମିସନ୍‌ ଇମ୍ପସିବଲ୍‌’ର ଅଭିନେତା ଟମ୍‌ କ୍ରୁଜ୍‌, ‘ନାସା’ ଏବଂ ‘ଏଲନ୍‌ ମସ୍କ୍‌’ର ‘ସ୍ପେସ୍‌ଏକ୍ସ’କୁ ନେଇ ଚଳଚ୍ଚିତ୍ର ସୁଟିଙ୍ଗ୍‌ କରାଯିବ ବୋଲି ଗତବର୍ଷ ହଲିଉଡ୍‌ ଘୋଷଣା କରିଥିଲା।