spot_img
Home Blog Page 5068

ଅଶାନ୍ତ କାଶ୍ମୀର: ଯବାନଙ୍କ ସହ ଲୁଚକାଳି ଖେଳୁଛନ୍ତି ଆତଙ୍କବାଦୀ

ଶ୍ରୀନଗର: ଦିନକୁ ଦିନ ବିଗୁଡ଼ୁଛି ଜମ୍ମୁ ଓ କାଶ୍ମୀରର ସ୍ଥିତି । ସାଧାରଣ ଜନତା ହୁଅନ୍ତୁ ଅବା ସୁରକ୍ଷା କର୍ମୀ, ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଆତଙ୍କୀ ଆକ୍ରମଣ । ଏପଟେ ଘାଟିରୁ ଆତଙ୍କୀ ନିପାତ ପାଇଁ ଭାରତୀୟ ସେନା ‘ଅପରେସନ ଅଲ୍ ଆଉଟ୍’କୁ ଜୋରଦାର କରିଛି । ହେଲେ ସ୍ଥିତି ଏମିତି, ଏକାଧିକ ସ୍ଥାନରେ ଯବାନ ଘେରାବନ୍ଦୀ କରିଥିଲେ ବି ଆତଙ୍କୀଙ୍କ ଟେର୍ ପାଉନାହାନ୍ତି ।

ମେନ୍ଧାର, ଥାନାମଣ୍ଡି ଅଞ୍ଚଳକୁ ସମ୍ପୂର୍ଣ୍ଣ କର୍ଡନ ମଧ୍ୟରେ ରଖାଯାଇଥିବା ବେଳେ ପୁଞ୍ଚ ଓ ରାଜୌରି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି । ଏବେ ବି ଅନେକ ସ୍ଥାନରେ ଆତଙ୍କବାଦୀ ଲୁଚି ରହିଛନ୍ତି । ଏସବୁ ସ୍ଥାନରେ ତଲାସି ଜାରି ରହିଛି । ମେନ୍ଧାରର ଘଞ୍ଚ ଜଙ୍ଗଲରୁ ରହି ରହି ଆତଙ୍କୀ ଗୁଳିମାଡ଼ କରୁଥିବାରୁ ସେମାନଙ୍କୁ ଠାବ କରିବା କଷ୍ଟକର ହେଉଛି ।

ଏହାବାଦ ଯବାନଙ୍କୁ ଚକମା ଦେବାକୁ ଆତଙ୍କବାଦୀମାନେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । କୌଣସି ସ୍ଥାନରେ ବେଶି ସମୟ ନରହି ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛନ୍ତି । ଯାହା ସର୍ଚ୍ଚ ଅପରେସନ୍ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି ।

ନାର୍ ଖାସ୍ ଜଙ୍ଗଲରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ରାଇଫଲମ୍ୟାନ୍ ବିକ୍ରମ ସିଂ ନେଗି ଓ ଯବାନ ଯୋଗାମ୍ବର ସିଂଙ୍କ ମୃତଦେହ ଠାବ କରାଯାଇ ଉତ୍ତରାଖଣ୍ଡ ଡେରାଡୁନକୁ ଅଣାଯାଇଛି ।

ପୂର୍ବରୁ ପୁଞ୍ଚର ସୁରଣକୋଟ ଜଙ୍ଗଲରେ ଜଣେ ଜେସିଓ ଓ ୫ ଯବାନ ସହିଦ ହୋଇଥିଲେ । ସେପଟେ ଶ୍ରୀନଗର ଓ ପୁଲଓ୍ବାମାରେ ଆତଙ୍କବାଦୀ ପୁଣି କରିଛନ୍ତି ରକ୍ତପାତ । ଜଣେ ଉଠା ଦୋକାନୀ ଓ ଜଣେ ମିସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ବିଶେଷ କରି ବାହାର ରାଜ୍ୟର ଶ୍ରମିକ ଓ ସେଠାରେ ରହି ବ୍ୟବସାୟ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କୀ ।

ଆୟ ବହିର୍ଭୂତ ସମ୍ପତ୍ତି ମାମଲା, ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ରହ୍ମପୁର: ଟାଟାରେ ଚାକିରି ଦେବା ନାଁରେ ଭାବୀ ଜ୍ୱାଇଁଙ୍କ ସହ ମିଶି ଠକେଇ ମାମଲାରେ ଚଢ଼ାଉ । ଗୋପାଳପୁର ବିଧାୟକ ପ୍ରଦୀପ ପାଣଗ୍ରାହୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ପ୍ରଦୀପଙ୍କ ସହ ତାଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀ ଏବଂ ପ୍ରଦୀପଙ୍କ ଡ୍ରାଇଭର ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏକକାଳୀନ ୧୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

Vigilance Raid In Gopalpur MLA Pradeep Panigrahi Residence 

ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟାରେ ଚାକିରି ଦେବା ନାଁରେ ଠକେଇ ହୋଇଥିଲା । ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ପ୍ରଦୀପ ଓ ଆକାଶ । ପୂର୍ବରୁ ଏହି ମାମଲାରେ ପ୍ରଦୀପଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଏବେ ବି ଚଢ଼ାଉ ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ମାତିଛନ୍ତି ଚୋର, ରାତିରେ ଘରେ ବୁଲାଉଛନ୍ତି କଳାକନା

ପ୍ରଦୀପଙ୍କ ବିରୋଧରେ ଥିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାର ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦେଇଥିଲେ ଲୋକାୟୁକ୍ତ । ତଦନ୍ତ ବେଳେ ଜଣାପଡ଼ିଥିଲା ୨୪ ମେ ୨୦୦୯ରୁ ୩୦ ନଭେମ୍ବର ୨୦୨୦ ମଧ୍ୟରେ ପ୍ରଦୀପ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି । ଏବେ ଏସପିଙ୍କ ନେତୃତ୍ୱରେ ୨ ଜଣ ଅତିରିକ୍ତ ଏସଏସପି, ୧୭ ଜଣ ଡିଏସପିଙ୍କ ନେଇ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ ଚାଲିଛି ।

ରାଜଧାନୀରେ ମାତିଛନ୍ତି ଚୋର, ରାତିରେ ଘରେ ବୁଲାଉଛନ୍ତି କଳାକନା

ବରଗଡ଼: ଚୋର ମାତିଛନ୍ତି ରାଜଧାନୀରେ । ରାତି ଅନ୍ଧାରର ସୁଯୋଗ ନେଇ ନିର୍ଜନ ରାତିରେ ଖାଲି କରି ଦେଉଛନ୍ତି ଘରଦ୍ୱାର, ଲୁଟି ନେଉଛନ୍ତି ସର୍ବସ୍ୱ । ଗୋଟିଏ ରାତିରେ ରାଜଧାନୀରେ ଦୁଇ ଦୁଇଟି ସ୍ଥାନରେ ଲୁଟ୍ ହୋଇଛି । ପୋଲିସର ପାଟ୍ରୋଲିଂକୁ ଚକମା ଦେଇ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପୂଜା ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ପୋଲିସ ବିଭିନ୍ନ ଛକ ସହରରେ ପଇଁତରା ମାରୁଛି । ହେଲେ ପୋଲିସକୁ ଚକମା ଦେଇ ଲୁଟ୍ କରି ଖସି ଯାଉଛନ୍ତି ଦୁର୍ବୃତ୍ତ ।

Two Robbery In One Night In Bhubaneswar

ବିଳମ୍ବିତ ରାତିରେ ଭୁବନେଶ୍ୱର ଜଗନ୍ନାଥ ନଗରରେ ଚୋରି ହୋଇଛି । ଜଗନ୍ନାଥ ନଗର ରୋଡ୍ ନମ୍ବର ୮ର ଶିବାଦତ୍ତ ମହାପାତ୍ରଙ୍କ ଘରୁ ଚୋରି ହୋଇଛି । ଦୁର୍ଗା ପୂଜାରେ ପରିବାର ଗାଁକୁ ବୁଲିବାକୁ ଯାଇଥିବା ବେଳେ, ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଆଲମାରୀ ଭାଙ୍ଗି ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି । ଚୋରି ସମୟର ଭଡିଓ ସିସିଟିଭିରେ କଏଦ ହୋଇଛି ।

Two Robbery In One Night In Bhubaneswar

ସେହିଭଳି ଲକ୍ଷ୍ମୀସାଗର ବୈରାଗୀନଗରରୁ ଚୋରି ହୋଇଛି । ୫୦ ହଜାର ଟଙ୍କା ସହ ୪୦ ଗ୍ରାମ୍ ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବଡ଼ ଭାଇ ତଳେ ରହୁଥିବା ବେଳେ, ସାନ ଭାଇ ଉପର ମହଲାରେ ରହୁଥିଲେ । କିଛି ଦିନ ହେବ ସାନ ଭାଇ ଗୁଜରାଟ ଯାଇଛନ୍ତି । ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରିଛନ୍ତି ଦୁର୍ବୃତ୍ତ ।

କେରଳରେ ଭୟଙ୍କର ବନ୍ୟା, ୯ ମୃତ

ପ୍ରବଳ ବର୍ଷା ଓ ବନ୍ୟା ପରେ କେରଳରେ ଭୟାବହ ପରିସ୍ଥିତି । ଏବେ ବି ଜାରି ରହିଛି ବର୍ଷାର ତାଣ୍ଡବ । ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ବାୟୁସେନାକୁ ଉଦ୍ଧାର କାର୍ଯ୍ୟରେ ନିେୟାଜିତ କରାଯାଇଛି ।

ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଅବିରାମ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଥୋଡୁପୁଝା, କୋକାୟାର, କୁଟ୍ଟିକାୟି ଆଦି ଅଞ୍ଚଳରେ ବ୍ୟାପକ ଭୂସ୍ଖଳନ ହେବାରୁ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି ।

ମୀନାଚାଲ, ମଣିମାଳା ଆଦି ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଆରବ ସାଗରରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ଥିବାରୁ ହଜାର ହଜାର ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରଯାଇଛି ।

ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକାଂଶ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାରେ ଲାଗିଛି । ସେପଟେ ପଥାମଥିଟ୍ଟା, କୋଟ୍ଟାୟାମ, ଏର୍ଣ୍ଣାକୁଲମ, ଇଡୁକି, ତ୍ରିଶୂର ଜିଲ୍ଲାକୁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ଥିରୁବନନ୍ତପୁରମ, କୋଲମ, ଅଲାପୁଝା, ପଲକଡ, ମାଲପୁରମ, କୋଝିକୋଡ ଓ ଓ୍ବାୟାନାଡରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା 19 ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଦିଆଯାଇଛି । ୭ରୁ ଅଧିକ ଜିଲ୍ଲାରେ ଏହି ବିତ୍ପାତ ଚାଲିଥିବା ବେଳେ ସଡକ ପଥ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ରାଜସ୍ବ ମନ୍ତ୍ରୀ କେ. ରାଜନ ପ୍ରଭାବିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି ।

ବରପାଲିରୁ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

ବରଗଡ଼: ଗାଁ ଦାଣ୍ଡରୁ ଉଦ୍ଧାର ହେଲା ବଜ୍ରକାପ୍ତା । ବରଗଡ଼ ଜିଲ୍ଲା ବରପାଲି ବ୍ଲକ ରେମତା ଗାଁରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ବଜ୍ରକାପ୍ତାଟିକୁ ଦେଖିଥିଲେ ସ୍ଥାନୀୟ ଜଣେ ଯୁବକ । ବଜ୍ରକାପ୍ତାଟି ଗାଁରେ ଶବ୍ଦ କରୁଥିବା ବେଳେ ଯୁବକ ଜଣକ ଦେଖିବା ସହ ଅନ୍ୟମାନଙ୍କୁ ଏନେଇ କହିଥିଲେ ।

Forest Department Rescued Pangolin From Bargarh

ଏଥିସହ ପଢ଼ନ୍ତୁ: ରାଜ୍ୟରେ ୪୪୩ କୋଭିଡ୍ ସଂକ୍ରମିତ ଚିହ୍ନଟ, ମୋଟ ମାମଲାର ୫୦ ପ୍ରତିଶତ ଖୋର୍ଦ୍ଧା ଜିଲ୍ଲାର

ପରେ ଗାଁ ଲୋକ ବଜ୍ରକାପ୍ତାଟି ଥିବା ନେଇ ବନ ବିଭାଗକୁ ଜଣାଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିବା ସହ ବଜ୍ରକାପ୍ତାଟିକୁ ଉଦ୍ଧାର କରିଛି । ବଜ୍ରକାପ୍ତାଟିକୁ ଦେଖି ବନବିଭାଗକୁ ଖବର ଦେଇଥିବାରୁ ଯୁବକଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ମନୀଷ ମୃତ୍ୟୁ ମାମଲା, ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡ ନେଇ ଆଜି ଶୁଣାଣି

ଭୁବନେଶ୍ୱର: ରିମାଣ୍ଡରେ ସତ ଉଗାରିବେ ଅଭିଯୁକ୍ତ । ବହୁଚର୍ଚ୍ଚିତ ଭୁବନେଶ୍ୱର ମନୀଷ ମୃତ୍ୟୁ ମାମଲାରେ ଖୁଲାସା ପରେ ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ତେବେ କେତେ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିବ । ସେ ନେଇ ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ରାୟ ଶୁଣାଇବେ । ମନୀଷ ମୃତ୍ୟୁ ମାମଲାରେ ୩ ସାଙ୍ଗଙ୍କୁ ଗିରଫ କରାଯାଇଛି । ମୃତ୍ୟୁ ଘଟଣା ଉପରୁ ଗତକାଲି କମିଶନରେଟ୍ ପୋଲିସ ରହସ୍ୟ ହଟାଇଥିଲା ।

Commissionerate Police Seeks 5 Days Remand To Manish Murder Accuse

ବାରରେ ବିଲ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ହୋଇଥିଲା ବିବାଦ । ପରେ ଠେଲା ପେଲା ଓ ଆକ୍ରମଣ ଯୋଗୁ ଯାଇଥିଲା ମନୀଷଙ୍କ ଜୀବନ । ପରେ ପ୍ରମାଣ ନଷ୍ଟ କରିବାକୁ ସାଙ୍ଗ ରଚିଥିଲେ ଷଡ଼ଯନ୍ତ୍ର । ଅକ୍ଟୋବର ୯ ତାରିଖରେ ବାହାଘର ବ୍ୟାଚଲର ପାର୍ଟି ଦେଉଥିଲେ ମନୀଷ । ବାର୍ ମଧ୍ୟରେ ବିଲ ବାବଦକୁ ୮ରୁ ୧୦ ହଜାର ଟଙ୍କା  ହେବା ପରେ ପେମେଣ୍ଟକୁ ନେଇ ବିବାଦ ଓ ଝଗଡ଼ା ହୋଇଥିଲା । ବାରରୁ ବାହାରିବା ପରେ ୪ ଜଣଙ୍କ ଭିତରେ ମାରପିଟ ହୋଇଥିଲା ।

ପରେ ସାଙ୍ଗମାନଙ୍କ ଆକ୍ରମଣରେ ମନୀଷଙ୍କର ମୃତ୍ୟୁ ହୋଇଥିଲା । ଶେଷରେ ପ୍ରମାଣ ନଷ୍ଟ କରିବାକୁ ପୋଖରିରେ ମୃତଦେହ ଫିଙ୍ଗି ଦେଇ ହୋଟେଲ ସ୍ୱାଗତ ପ୍ୟାଲେସରେ ୧୨ ଘଣ୍ଟା କାଟିଥିଲେ ସଇତାନ୍ ସାଙ୍ଗ । ଅଭିଯୁକ୍ତଙ୍କ ବିରୋଧରେ ୩୬୪ (କ) ଅପହରଣ କରି ଟଙ୍କା ମାଗିବା, ୩୦୨ ହତ୍ୟା ଓ ୨୦୧ ପ୍ରମାଣ ନଷ୍ଟ କରିବା ଧାରା ଲାଗିଛି ।

ରାଜ୍ୟରେ ୪୪୩ କୋଭିଡ୍ ସଂକ୍ରମିତ ଚିହ୍ନଟ, ମୋଟ ମାମଲାର ୫୦ ପ୍ରତିଶତ ଖୋର୍ଦ୍ଧା ଜିଲ୍ଲାର

ଭୁବନେଶ୍ୱର: ରାଜ୍ୟରେ ୫ ଶହ ତଳେ ରହୁଛି ଦୈନିକ ସଂକ୍ରମଣ । ଚିନ୍ତା ବଢ଼ାଉଛି ଖୋର୍ଦ୍ଧା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୯ ଜିଲ୍ଲାରୁ ଆଉ ୪୪୩ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମଣ ମାମଲାର ୫୦ ପ୍ରତିଶତ ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲ୍ଲାର । ଶୂନରୁ ୧୮ ବର୍ଷ ମଧ୍ୟରେ ୭୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୫୮ଟି ମାମଲା ଆସିଥିବା ବେଳେ ୧୮୫ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୪, ବରଗଡ଼ରୁ ୨, ଭଦ୍ରକରୁ ୫, ବଲାଙ୍ଗିରରୁ ୩, କଟକରୁ ୨୭, ଗଞ୍ଜାମରୁ ୧, ଜଗତସିଂହପୁରରୁ ୭, ଯାଜପୁରରୁ ୧୧, କଳାହାଣ୍ଡିରୁ ଜଣେ, କେନ୍ଦ୍ରପଡ଼ାରୁ ୧୦, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୦, ନୟାଗଡ଼ରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ପୁରୀରୁ ୧୩, ରାୟଗଡ଼ାରୁ ୨, ସମ୍ବଲପୁରରୁ ୬, ସୁନ୍ଦରଗଡ଼ରୁ ୧୧ ଏବଂ ଷ୍ଟେଟପୁଲରୁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭କୁ ବୃଦ୍ଧି ପାଇଛି ।ଏବେ ରାଜ୍ୟରେ ୪ ହଜାର ୯୯୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୩ ମୃତ୍ୟୁକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୮ ହଜାର ୨୮୫କୁ ବୃଦ୍ଧି ପାଇଛି । କରୋନାକୁ ମାତ୍ ଦେଇ ୧୦ ଲକ୍ଷ ୨୧ ହଜାର ୭୪୨ ଜଣ ସୁସ୍ଥ ହୋଇଛନ୍ତି ।

ଲଘୁଚାପ ବର୍ଷାରେ ଆହୁରି ୩ ଦିନ ଭିଜିବ ଓଡ଼ିଶା

ଭୁବନେଶ୍ୱର: ଆହୁରି ୩ଦିନ ପର୍ଯ୍ୟନ୍ତ ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି । ଏହାସହ ଉତ୍ତର ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Low Pressure Rain To Continue Till Next Three Days Odisha

ଏଥିପାଇଁ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରକୁ ସତର୍କତା ଜାରି କରାଯାଇଛି । ଏହାସହିତ ଘଡ଼ଘଡ଼ ବିଜୁଳି ସହ ପ୍ରବଳ ବର୍ଷା ପାଇଁ କେତେକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ପ୍ରବଳ ବର୍ଷା ଏବଂ ପବନ ପାଇଁ ୧୯ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ପ୍ରବେଶ ନ କରିବାକୁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୁ

ଚଣ୍ଡିଖୋଲ: ପାରିବାରିକ କଳହର କରୁଣ ପରିଣତି । ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଶ୍ରୀରାମପୁର ଗାଁରେ । ଗାଁର ପୀତବାସ ପରିଡ଼ାଙ୍କ ଭଉଣୀ ଶାନ୍ତିଲତା ୧୦ ବର୍ଷ ତଳେ ବଡ଼ଚଣା ଥାନା ଅଧୀନ ହରିଚନ୍ଦନପୁର ଗାଁର ତରୁ ଦାସଙ୍କୁ ବିବାହ କରିଥିଲେ । ଦୀର୍ଘ ଦିନ ଧରି ଶାଶୂ ଓ ବୋହୂଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ।

ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ୧୪ ଥର ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର

ଶନିବାର ଶାଶୂ ଓ ବୋହୂଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ଏଥିର ରା ଯାଇ ଶାଶୂ, ବୋହୂ ଶାନ୍ତିଲତାଙ୍କୁ ପଥରରେ ଛେଚି ଦେଇଥିଲେ । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଶାନ୍ତିଲଙ୍କା ବାପାଘର ଲୋକ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ, ପୋଲିସ ତଦନ୍ତ ଜାରି ରଖିଛି ।

ଅକ୍ଟୋବରରେ ୧୪ ଥର ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ତୈଳ । ଅନ୍ତର୍ଜାତୀୟ ସ୍ତରରେ ଅଶୌଧିତ ତୈଳଦର ବୃଦ୍ଧି ପାଇବା ଫଳରେ ଘରୋଇ ବଜାରରେ ଏହାର ପ୍ରଭାବ ପଡ଼ିଛି । ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ବଢ଼ି ଚାଲିଛି । ରବିବାର ମଧ୍ୟ ତୈଳ କମ୍ପାନୀ ପେଟ୍ରୋଲ୍ ଓ ଡିଜେଲ ଦର ବଢ଼ାଇଛନ୍ତି । ପେଟ୍ରୋଲ ଓ ଡିଜେଲ୍ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି ।

ପ୍ରତିଦିନ ତୈଳଦର ବଢ଼ୁଥିବା ବେଳେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ଦାମ୍ ୧୦୫ ଟଙ୍କା ୮୪ ପଇସା ରହିଛି । ସେହିଭଳି ଡିଜେଲ ଦର ୯୪ ଟଙ୍କା ୫୭ ପଇସାରେ ବିକ୍ରି ହେଉଛି । ମୁମ୍ବାଇରେ ପେଟ୍ରୋଲ ୧୧୧ ଟଙ୍କା ୭୭ ପଇସା ଓ ଡିଜେଲ ଦର ୧୦୨ ଟଙ୍କା ୫୨ ପଇସା ରହିଛି ।

ଅକ୍ଟୋବର ମାସରେ ତିନିଦିନକୁ ବାଦ୍ ଦେଲେ ପ୍ରତିଦିନ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ପାଇଛି । ମାସକରେ ତୈଳଦର ୧୪ ଥର ବୃଦ୍ଧି ପାଇ ପେଟ୍ରୋଲ ୪ ଟଙ୍କା ୧୫ ପଇସା ଓ ଡିଜେଲ ୪ ଟଙ୍କା ୭୦ ପଇସା ମହଙ୍ଗା ହୋଇଛି । ଅଶୌଧିତ ତୈଳଦର ବ୍ୟାରେଲ୍ ପିଛା ୯୦ ଡଲାର ଛୁଇଁବାକୁ ଯାଉଥିବାରୁ ଆଗକୁ ପେଟ୍ରୋଲ, ଡିଜେଲ୍ ଆହୁରି ମହଙ୍ଗା ହେବ ।