spot_img
Home Blog Page 516

ଆଲାସ୍କାରେ ଭାରତ ଓ ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ଆମେରିକାର ସାମରିକ ଦଳ ଆଜିଠାରୁ ଆଲାସ୍କାରେ ମିଳିତ ସମରାଭ୍ୟାସରେ ସାମିଲ ହୋଇଛନ୍ତି। ବାଣିଜ୍ୟ ଏବଂ ଶୁଳ୍କ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନୀତି ପାଇଁ ଭାରତ-ଆମେରିକା ସମ୍ପର୍କ ଖରାପ ହୋଇଥିବାବେଳେ ଏହି ସମୟରେ ଭାରତ-ଆମେରିକା ୧୪ ଦିନିଆ ‘ଯୁଦ୍ଧ ଅଭ୍ୟାସ-୨୦୨୫’ ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୧ରୁ ୧୪ ପର୍ଯ୍ୟନ୍ତ ଏହି ଯୁଦ୍ଧ ଅଭ୍ୟାସ ଚାଲିବ।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ମାଡ୍ରାସ ରେଜିମେଣ୍ଟର ଏକ ବାଟାଲିୟନର କର୍ମଚାରୀମାନଙ୍କୁ ନେଇ ଗଠିତ ଏହି ଭାରତୀୟ ଦଳ ଆମେରିକାର ୧୧ତମ ଏୟାରବର୍ଣ୍ଣ ଡିଭିଜନର ଆର୍କଟିକ ୱଲ୍ଭସ୍ ବ୍ରିଗେଡ୍ କମ୍ବାଟ୍ ଟିମ୍‌ର ୫ମ ପଦାତିକ ରେଜିମେଣ୍ଟ୍ ‘ବବକ୍ୟାଟ୍ସ’ର ପ୍ରଥମ ବାଟାଲିୟନର ସୈନିକମାନଙ୍କ ସହିତ ତାଲିମ ନେବେ। ଦୁଇ ସପ୍ତାହ ଧରି, ସୈନ୍ୟମାନେ ହେଲିବର୍ଣ୍ଣ ଅପରେସନ୍, ନିରୀକ୍ଷଣ ସମ୍ବଳ ଏବଂ ମାନବହୀନ ବାୟୁ ପ୍ରଣାଳୀର ନିଯୁକ୍ତି, ପଥର କ୍ରାଫ୍ଟ, ପର୍ବତ ଯୁଦ୍ଧ, ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସ୍ଥାନାନ୍ତର, ଯୁଦ୍ଧ ଚିକିତ୍ସା ସହାୟତା ଏବଂ ତୋପ, ବିମାନ ଏବଂ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀର ସମନ୍ୱିତ ବ୍ୟବହାର ସମେତ ବିଭିନ୍ନ କୌଶଳଗତ ଅଭ୍ୟାସ କରିବେ।

ଭାରତର ୪୫୦ ଜଣ ସୈନିକ ଏଥିରେ ଅଂଶଗ୍ରହଣ କରିବେ। ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ଯୁଦ୍ଧ ଅଭ୍ୟାସ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ। ଭାରତ ଓ ଆମେରିକା ମଧ୍ୟରେ ମିଳିତ ଯୁଦ୍ଧ ଅଭ୍ୟାସ ୨୦୦୪ ମସିହାରୁ ଚାଲିଛି। ଏହି ଅଭ୍ୟାସ ପ୍ରତିବର୍ଷ ଅନୁଷ୍ଠିତ ହୁଏ। ଗୋଟିଏ ବର୍ଷ ଏହି ଅଭ୍ୟାସ ଭାରତରେ ଓ ପରବର୍ତ୍ତୀ ବର୍ଷ ଏହା ଆମେରିକାରେ ଅନୁଷ୍ଠିତ ହୁଏ। ଆମେରିକାରେ ହେଉଥିବା ଅଧିକାଂଶ ଅଭ୍ୟାସ ଆଲାସ୍କାରେ ହୁଏ, ଯେତେବେଳେ ଭାରତରେ ଏହା ଅଧିକାଂଶ ଉତ୍ତରାଖଣ୍ଡର ରାଣୀଖେତରେ ଅନୁଷ୍ଠିତ ହୋଇଥିଲା । ୨୮ ଅଗଷ୍ଟରୁ ୧୪ସେପ୍ଟେମ୍ବର ପର୍ଯ୍ୟନ୍ତ  ଚାଲିଥିବା ଏହି ବହୁରାଷ୍ଟ୍ରୀୟ ଅଭ୍ୟାସରେ ୭୦୦ ସୈନିକ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଥର ପାଇଁ, ସେନାର ସମସ୍ତ ତିନୋଟି ଶାଖା ବ୍ରାଇଟ୍ ଷ୍ଟାର ଅଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି। ଏହି ଅଭ୍ୟାସ ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୁଏ।

ଶ୍ରୀମନ୍ଦିର ପରିସରରେ କାର୍ଯ୍ୟକ୍ଷମ ହେଲା ସ୍ତନ୍ୟପାନ ଗୃହ

ଶ୍ରୀମନ୍ଦିର ପରିସରରେ ହୋଇଛି ଶିଶୁ ତଥା ମାଆ ମାନଙ୍କ ସକାଶେ ମାତୃ ଶିଶୁ ସ୍ତନ୍ୟପାନ ଗୃହ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମନ୍ଦିର ଭିତରେ ଶାଖା କାର୍ଯ୍ୟଳୟ ତଳେ ଶୀତତାପ ନିୟନ୍ତ୍ରିତ ଏକ ଗୃହରେ ଏକକାଳୀନ ୪ଜଣ ମହିଳା ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ । ଏଥିରେ ଦୁଇଦୁଇ ଜଣ ଲେଖାଏଁ ମହିଳା ଜେଟିପିଙ୍କୁ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମାଆ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି । ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମାଆ ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା ହୋଇଥିବା ବେଳେ ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି । ଏହା ବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ମଧ୍ୟ ଏହାର ଆବଶ୍ୟକତା ରହିଛି  ।ଅନ୍ୟପଟେ ଏହି ସ୍ତନ୍ୟପାନ କକ୍ଷରେ ମେଡିକାଲ ଟିମ୍ ମଧ୍ୟ ମୁତୟନ ହୋଇଥିବା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି ।

ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ୱର ହୁଅ: ନବୀନ

ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ୱର ହୁଅ। ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ସ୍ୱର ହିସାବରେ ଲୋକଙ୍କ ସମସ୍ୟାକୁ ନେଇ ତୀବ୍ର ଲଢ଼େଇ କରିବ ବିଜେଡି। ଅରୁଣ ସାହୁଙ୍କ ସହିତ ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ, ଭୃଗୁ ବକ୍ସିପାତ୍ର, ଲେନିନ ମହାନ୍ତି, ପ୍ରଫୁଲ୍ଲ ସିଂ, ରଘୁନାଥ ସାହୁ, ମହମ୍ମଦ ସକିଲ, ଲୋରା ମହାପାତ୍ର ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ଓ ଜନବିରୋଧୀ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ନିଜକୁ ଲୋକଙ୍କ ସରକାର କହୁଥିବା ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଚାଷୀ ସାର ପାଉ ନଥିବା ବେଳେ ବ୍ୟାପକ କଳାବଜାରୀକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର ।ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ମହିଳା ସୁରକ୍ଷାକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେଉଥିବା ବେଳେ, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି । ଓଡିଆ ଅସ୍ମିତାର ନାରାଦେଇ ସରକାରକୁ ଆସିଥିବା ବିଜେପି, ପ୍ରତ୍ୟେକ ଦିନ ଓଡ଼ିଆ ଅସ୍ମିତାକୁ କୁଠାରଘାତ କରୁଛି । ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱର ହିସାବରେ ବିଜୁଜନତା ଦଳ ବିଜେପି ସରକାରର ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ବିରୋଧ କରିବ। ତେବେ ନବୀନଙ୍କ ନେତୃତ୍ୱରେ ୨୦୨୭ ପଞ୍ଚାୟତ ଓ ୨୦୨୯ ସାଧାରଣ ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଦଳୀୟ ନେତା।

ଜୀବନକୁ ବାଜି ଲଗାଇ ଅନେକ ଜୀବନ ରକ୍ଷା କରୁଛନ୍ତି ବନ କର୍ମଚାରୀ, ମାତ୍ର ମିଳୁନି ପ୍ରାପ୍ୟ

ଜୀବନକୁ ବାଜି ଲଗାଇ ଅନେକ ଜୀବନ ରକ୍ଷା କରୁଛନ୍ତି। ହାତୀ ମଣିଷ ହେଉ କି ବାଘ ମଣିଷ ଲଢେଇ ସବୁଥିରେ ଉଭୟ ପକ୍ଷକୁ ରକ୍ଷା କରିବାର ଗୁରୁ ଦାୟିତ୍ୱ ତୁଲାଉଛନ୍ତି। ଏ ଭିତରେ ଜୀବନ ବି ଚାଲିଯାଉଛି। କିନ୍ତୁ ନା ସଠିକ ସମୟରେ ଦରମା ପାଉଛନ୍ତି ନା ଜୀବନ ପାଇଁ କିଛି ସୁରକ୍ଷା ଅଛି। ଏହାକୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଆଜି ଦେଖିବାକୁ ମିଳିଛି। ହଜାର ହଜାର ଅସ୍ଥାୟୀ ବନ କର୍ମଚାରୀ ଜଙ୍ଗଲ ବିଭାଗ ମୁଖ୍ୟ ଦପ୍ତର ଅରଣ୍ୟ ଭବନ ଘେରାଉ କରିବା ସହ ଜୋରଦାର ବିକ୍ଷୋଭ କରିଛନ୍ତି। ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତ କର୍ମଚାରୀଙ୍କ ପରିବାରକୁ ସର୍ବନିମ୍ନ ୨୫ ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା ଓ କର୍ତ୍ତବ୍ୟ ସମ୍ପାଦନ ସମୟରେ ପଙ୍ଗୁ ହୋଇଥିବା କର୍ମଚାରୀଙ୍କ ପରିବାରକୁ ୧୫ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ପାଇଁ ଦାବି ଜୋର ଧରିଛି । ଏହାସହ ଆଉଟସୋର୍ସିଙ୍ଗରେ ନିଯୁକ୍ତି ପାଇ ତିରିଶ ଦିନ ବଦଳରେ ୨୬ ଦିନ ଦରମା ପାଉଥିବା କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଆଉଟସୋର୍ସିଙ୍ଗ କର୍ମଚାରୀ ମାନ୍ୟତା ଦେବା, ଛଟେଇ ବନ୍ଦ କରିବା ଆଦି ସାତ ଦଫା ଦାବି ନେଇ ଜୋରଦାର ବିକ୍ଷୋଭ କରାଯାଇଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାଇ ଦିଆଯାଇଛି।

ସେପଟେ ବିଭିନ୍ନ ଫରେଷ୍ଟ ଡିଭିଜନରେ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ବାଡ, ଓ୍ବାଇଲ୍ଡ ଲାଇଫ୍ ପ୍ରୋଟାକସନ୍ ସ୍କ୍ବାଡ, ପ୍ରୋଜେକ୍ଟ ଟାଇଗର, ଏଲିଫାଣ୍ଟ ସ୍କୁଆଡ଼ ଓ ଫାୟାର ପ୍ରୋଟେକ୍ସନ ସ୍କୁଆଡ଼ ଆଦି ବିପଦପୂର୍ଣ୍ଣ ଓ ଗୁରୁ ଦାୟିତ୍ୱ ତୁଲାଉଥିବା ଏହି ଅସ୍ଥାୟୀ ବନ କର୍ମଚାରୀ ବା ପାରା ଷ୍ଟାଫଙ୍କ ସହ କିଛି ସମ୍ପର୍କ ନାହିଁ ବୋଲି ବନ ବାହିନୀ ମୁଖ୍ୟ କହିଛନ୍ତି । ସେମାନଙ୍କୁ ପ୍ରତି ଡିଭିଜନରେ ଆଉଟସୋର୍ସିଙ୍ଗ ମାଧ୍ୟମରେ ଟେଣ୍ଡର ଅନୁଯାୟୀ ଡିଏଫଓ ନିଯୁକ୍ତି ଦେଉଛନ୍ତି। ତେଣୁ ଆଉଟସୋର୍ସିଙ୍ଗ ପାଇଁ ଯାହା ନିୟମ ଅଛି ସେହି ଅନୁଯାୟୀ କାମ କରାଯାଉଛି। ପ୍ରୋଜେକ୍ଟ ଟାଇଗର ଓ ପ୍ରୋଜେକ୍ଟ ଏଲିଫାଣ୍ଟରେ କେନ୍ଦ୍ର ସରକାରଙ୍କ ଫଣ୍ଡ ରିଲିଜରେ ବିଳମ୍ବ ହୋଇଛି। କେନ୍ଦ୍ରକୁ ଅନୁରୋଧ କରାଯାଇଛି ଫଣ୍ଡ ରିଲିଜ ପାଇଁ। ସେହିପରି କାମ୍ପା ୱାଇଲଡ଼ ଲାଇଫ ସ୍କ୍ୱାର୍ଡଙ୍କୁ ଅର୍ଥ ମିଳିନି। ଏହାର ସମାଧାନ ହୋଇଛି। ୧୫ ଦିନ ମଧ୍ୟରେ ସେମାନଙ୍କୁ ଅର୍ଥ ଦିଆଯିବ ବୋଲି କୁହାଯାଇଛି। ଜଙ୍ଗଲରେ କାମ କଲେ ଅସୁବିଧା ହେବ ଓ କଷ୍ଟ କରିବାକୁ ପଡିବ ଓ ଆନ୍ଦୋଳନକାରୀଙ୍କ ସହ କଥା ହେବା ଓ ବୁଝାଇବା ବୋଲି କହିଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ। ହାତୀ ମଣିଷ ଲଢେଇକୁ ନେଇ ସରକାର ଅନ୍ତର୍ଜାତୀୟ ସମ୍ମିଳନୀ କରୁଛନ୍ତି ଓ ବହୁ ଯୋଜନା ଘୋଷଣା କରୁଛନ୍ତି। କିନ୍ତୁ ଯେଉଁମାନେ ତୃଣମୂଳ ସ୍ତରରେ ଏହି ଲଢେଇରେ ସୈନିକ ହୋଇ ଛିଡା ହୋଇଛନ୍ତି ସେମାନଙ୍କ ଅବସ୍ଥା ଆଜି ଦୟନୀୟ ହୋଇଛି। ଯାହାକୁ ନେଇ ଅସନ୍ତୋଷ ବ୍ୟାପକ ହୋଇଛି।

ନେତା ବାଛିବାକୁ କଂଗ୍ରେସର କସରତ: ମାସକ ମଧ୍ୟରେ ସରିବ ଚୟନ ପ୍ରକ୍ରିୟା

ନେତା ବାଛିବାକୁ ଜିଲ୍ଲାରେ କଂଗ୍ରେସର କସରତ । ସଙ୍ଗଠନ ସୃଜନ ଜରିଆରେ ମତ ସଂଗ୍ରହ କରୁଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ମାସକ ମଧ୍ୟରେ ସରିବ ଚୟନ ପ୍ରକ୍ରିୟା । କ୍ଷମତାଶାଳୀ ହେବେ ଜିଲ୍ଲା ସଭାପତି । ଜିଲ୍ଲା ସଭାପତି ପାଇଁ ଜୋରଦାର କସରତ ଆରମ୍ଭ କଲା କଂଗ୍ରେସ । ସଂଗଠନ ସୃଜନ ଅଭିଯାନ ଜରିଆରେ କ୍ଷେତ୍ରରୁ ନେତା ଚୟନ ପ୍ରକ୍ରିୟା ଆରମ୍ଭ କରିଛି ଦଳ। ଏଆଇସିସିର ନିର୍ଦ୍ଦେଶ ଅନୁସାରେ ଓଡ଼ିଶାର ୩୫ଟି ସାଙ୍ଗଠନିକ ଜିଲ୍ଲାକୁ ଗସ୍ତ କରିଛନ୍ତି ପର୍ଯ୍ୟବେକ୍ଷକ। ଜଣେ ଜଣେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗୋଟିଏ ଜିଲ୍ଲାରେ ୭ ଦିନ ରହିବେ। ନେତା ଓ କର୍ମୀଙ୍କ ସହ ଆଲୋଚନା କରିବା ସାଙ୍ଗକୁ ଲୋକଙ୍କ ମତାମତ ନେଇ ନେତା ବାଛିବେ। ୧୫ ତାରିଖ ଭିତରେ ଏଆଇସିସିକୁ ରିପୋର୍ଟ ଦେବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ପ୍ରତି ଜିଲାରୁ ୬ ଜଣ ନେତାଙ୍କ ନାଁ ଏଆଇସିସିକୁ ପଠାଯିବ। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଯେଉଁମାନେ ଜିଲ୍ଲା ସଭାପତି ହେବେ, ଯଦି ସେମାନେ ୩ ମାସ ମଧ୍ୟରେ ଭଲ କାର୍ଯ୍ୟଦକ୍ଷତା ନଦେଖାନ୍ତି, ସେମାନେ ମଧ୍ୟ ପରିବର୍ତ୍ତନ ହୋଇପାରନ୍ତି। ନିରପକ୍ଷ ଓ ଶକ୍ତିଶାଳୀ ଜିଲ୍ଲା ସଭାପତି ବାଛିବାକୁ ରାହୁଲ ଗାନ୍ଧି ଆରମ୍ଭ କରିଛନ୍ତି ସଙ୍ଗଠନ ସୃଜନ ଅଭିଯାନ।

ସଙ୍ଗଠନ ସୃଜନ ଅଭିଯାନ ଜରିଆରେ ମାସକ ଭିତରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବ କଂଗ୍ରେସ । ଜିଲ୍ଲା ଓ ବ୍ଲକସ୍ତରରେ ଦଳକୁ ଅଧିକ ମଜଭୁତ କରିବାକୁ ରାହୁଲ ଗାନ୍ଧିଙ୍କ ନିର୍ଦ୍ଦେଶ ଥିବାରୁ କସରତକୁ ଜୋରଦାର କରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ଯାହାକୁ ନେଇ ଉତ୍ସାହିତ ଅଛନ୍ତି ଦଳର ବରିଷ୍ଠ ନେତା ଓ ବିଧାୟକ। ଜିଲ୍ଲା ସଭାପତିଙ୍କୁ ଅଧିକ କ୍ଷମତାଶାଳୀ କରିବା ପାଇଁ ଏଥର ନୂଆ ନିୟମରେ କଂଗ୍ରେସ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରୁଛି। ୨୦୨୯ରେ ଉଭୟ ବିଧାୟକ ଓ ସାଂସଦ ଟିକେଟ ପାଇଁ ଜିଲ୍ଲା ସଭାପତିଙ୍କ ମତକୁ ଗୁରୁତ୍ବ ଦେବ ଦଳ। ଏଣିକି ଲବି ନୁହେଁ, ଦକ୍ଷତା ଦେଖି ଜିଲ୍ଲା ସଭାପତି ଚୟନ କରିବାକୁ ଏଆଇସିସି ଯୋଜନା କରୁଛି। କିନ୍ତୁ ଗ୍ରାଉଣ୍ଡରେ ନେତାଙ୍କ ପତିଆରା ଲଢ଼େଇ ଜିଲ୍ଲା ସଭାପତି ଚୟନରେ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି।

ଜିନିଷ ମହରଗ କରି ମାଲାମାଲ ହେଉଛନ୍ତି ବ୍ୟବସାୟୀ, ଚିନ୍ତାରେ ଖାଉଟି

ଜିନିଷ ମହରଗ କରି ମାଲାମାଲ ହେଉଛନ୍ତି ବ୍ୟବସାୟୀ । ଏପଟେ ଦରବୃଦ୍ଧି ଯୋଗୁ ନୟାନ୍ତ ଖାଉଟିର ଦିନକୁ ଦିନ ଚିନ୍ତା ବଢିଚାଲିଛି । ବ୍ୟବସାୟିକ ଏଲପିଜିର ଦର କମୁଛି । ହେଲେ କମୁନି ଘରୋଇ ଏଲପିଜି ଦର । ଗତ ଏପ୍ରିଲ ମାସ ଠାରୁ ୧୯ କେଜି କମର୍ସିଆଲ ବା ବ୍ୟବସାୟିକ ରନ୍ଧନ ଗ୍ୟାସ ଦର ଲଗାତର କମି ଚାଲିଛି । କିନ୍ତୁ ଗରିବ ଓ ମଧ୍ୟବିତ୍ତ ଲୋକେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ ଦର କମା ଯାଉ ନାହିଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ସମେତ ଜନ ସଂଗଠନ ସରକାର ଉପରେ ବର୍ଷିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଅଶୌଧିତ ତୈଳ ଦର ଆଧାରରେ ଯଦି ବ୍ୟବସାୟିକ ଗ୍ୟାସ ଦର କମୁଛି, ତାହେଲେ ଘରୋଇ ଗ୍ୟାସ ଦର ସେହି ଆଧାରରେ କାହିଁକି କମୁ ନାହିଁ ବୋଲି ପ୍ରଶ୍ନ ଉଠିଛି। ବିରୋଧୀ ଦଳଗୁଡିକ ମଧ୍ୟ ଏହି ଗ୍ୟାସର ଉଦାହରଣ ଦେଇ ସରକାରଙ୍କୁ ବ୍ୟବସାୟୀଙ୍କ ସରକାର ବୋଲି ଅଭିଯୋଗ ଆଣିଛନ୍ତି।

ବେରୋଜଗାର ସଂଖ୍ୟା ବୃଦ୍ଧି ଯୋଗୁ ଲୋକେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇପଡିଥିବା ବେଳେ ଦରଦାମ ବୃଦ୍ଧି ଓ ରନ୍ଧନ ଗ୍ୟାସ ଦର ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏସବୁ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳ ଗୁଡିକ ଡବଲ ଇଞ୍ଜିନ ସରକାରକୁ କଡା ସମାଲୋଚନା କରିଛନ୍ତି । ତୁରନ୍ତ ବ୍ୟବସାୟୀ ଓ କର୍ପୋରେଟ ପ୍ରୀତି ଛାଡି ସରକାର ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ଦାବି କରିଛି ବାମପନ୍ଥୀ ଦଳ । ଅନ୍ୟପକ୍ଷରେ ଏଲପିଜି ଆସୋସିଏସନର କହିବା କଥା ବ୍ୟବସାୟିକ ଏଲପିଜି ଦର କାହିଁକି କମୁଛି ଓ ଘରୋଇ ଏଲପିଜି ଦର କାହିଁକି କମୁ ନାହିଁ ତାହା ସରକାର ହିଁ କହିପାରିବେ। ଗତ ଫେବୃଆରୀ ମାସରେ ବ୍ୟବସାୟିକ ଏଲପିଜି ଦର ୫ ଟଙ୍କା କମିଥିବା ବେଳେ ଏପ୍ରିଲ ମାସଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦରରେ ୨୨୫ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଟାଙ୍ଗୀକୁ ଏନଏସି ଘୋଷଣା କରିଥିଲେ ନବୀନ: କାର୍ଯ୍ୟକାରୀ କରୁନାହାନ୍ତି ବିଜେପି ସରକାର

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଏସି ଘୋଷଣା କରିଥିଲେ। ହେଲେ ସରକାର ପରିବର୍ତ୍ତନ ହେବାରୁ ବିଜେପି ସରକାର ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଯାହାକୁ ନେଇ ବିଜେଡି ପକ୍ଷରୁ ଗତ ୨୫ ତାରିଖରେ ଆନ୍ଦୋଳନ କରାଯାଇଥିଲା। ଏନେଇ ଟାଙ୍ଗୀ ବିଡିଓଙ୍କୁ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଟାଙ୍ଗୀକୁ ତୁରନ୍ତ ମାସକ ମଧ୍ୟରେ କରିବାକୁ ଦାବି ହୋଇଛି। ନଚେତ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିଛି ବିଜେଡି। ଟାଙ୍ଗୀ ବାସୀଙ୍କ ସହ ରାଜ୍ୟ ସରକାର ବିଶ୍ବାସଘାତକତା କରିଛନ୍ତି ଅଭିଯୋଗ କରିଛି ବିଜେଡି।

ନବୀନ ଘୋଷଣା କରିଥିଲେ ୫୭ଟି ନୂଆ ଏନଏସି: ବିଜେପି ସରକାରରେ ବଦଳିଗଲା ତାଲିକା

୫୭ଟି ନୂଆ ଏନଏସି ପାଇଁ ନାଁ ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ଅଣାଯାଇ ଏ ଦିଗରେ କାର୍ଯ୍ୟକ୍ରମ ବି ଆରମ୍ଭ ହୋଇଥିଲା । ହେଲେ ବିଜେପି ସରକାରକୁ ଆସିବା ପରେ ବଦଳିଗଲା ତାଲିକା । ଗତକାଲି ସ୍ବାୟତ୍ତ ଶାସନ ଦିବସରେ ୧୬ଟି ଏନଏସିର ଘୋଷଣା କରିଛନ୍ତି ସରକାର । ସେଥିରେ ବଡ଼ମ୍ବା ଓ ନରସିଂହପୁର ପରି ଏନଏସିର ପୁନଃ ଘୋଷଣା କରାଯାଇଛି । ସେପଟେ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୧୬ ଜିଲ୍ଲାର ୩୯ ଏନଏସି ବି ବାଦ ପଡ଼ିଛନ୍ତି । ଏପରିକି କଣ୍ଟାବାଂଜିକୁ ପୌର ପରିଷଦକୁ ଉନ୍ନୀତ କରିବା ନେଇ ପୂର୍ବ ସରକାରଙ୍କ ଘୋଷଣାକୁ ଅଣଦେଖା କରିଛନ୍ତି ସରକାର । କେବେ ସୁଦ୍ଧା ବାଦ୍ ପଡ଼ିଥିବା ୩୯ଟି ଏନଏସିକୁ ମାନ୍ୟତା ଦିଆଯିବ, ସେ ନେଇ ବିଜେଡି ପ୍ରଶ୍ନ କରିଛି । ଦଳୀୟ ଭିତ୍ତିରେ ଏନଏସି କରାଯାଇଥିବା ବିଜେଡି ଅଭିଯୋଗ କରିଛି । ଲୋକଙ୍କ ସୁବିଧା ନ ଦେଖି ବିଜେପିକୁ ସୁହାଇବା ପରି କାମ କରିଛନ୍ତି ସରକାର । ଅବଶିଷ୍ଟ ୩୯ ଟି ଏନଏସି କାର୍ଯ୍ୟକ୍ଷମ ନ ହେଲେ, ବିଜେଡି ରାଜରାସ୍ତାକୁ ଓଲ୍ହାଇ ବିଜେପି ସରକାରର ଅସଲ ମୁଖା ଖୋଲି ଦେବ ବୋଲି ଚେତାବନୀ ଦେଇଛି । ତେବେ ଏବେଠାରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ମୁଣ୍ଡ ଟେକିଲାଣି । ଖଇରା ଓ ଟାଙ୍ଗୀରେ ଜନତାଙ୍କ ପ୍ରତିବାଦ ଜାରି ରହିଛି ।

ସେପଟେ ନବୀନ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଏନଏସି ଘୋଷଣା କରିଥିଲେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ଦେଇଛନ୍ତି । ପୂର୍ବ ସରକାର ଘୋଷଣା କରିଥିଲେ ହେଲେ କାହିଁକି କାମ ଆଗେଇ ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ବିରୋଧରେ ବିଜେଡି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଉତ୍ତରକୁ ପଢିଛି । ଗତ ସରକାର ଏନଏସି ଘୋଷଣା କରିଥିଲେ ବୋଲି ସେଥିରେ ସେ ସ୍ବୀକାର କରିଥିଲେ । ଏ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ତାପରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ଉକ୍ତି ପ୍ରମାଣ କରୁଛି ଯେ ବିଜେଡି ସରକାର ସମୟରେ ଏନଏସି ମାନ୍ୟତା ପାଇଁ ପଦକ୍ଷେପ ନିଆଯାଇଥିଲା । ନିଜ ଅଞ୍ଚଳରେ ଲୋକେ ଚାହୁଁଛନ୍ତି ସହରୀ ସୁବିଧା । ଯେଉଁଥିରେ ପୌରାଞ୍ଚଳ ମାନ୍ୟତାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି । ହେଲେ ପୁରୁଣା ସରକାରଙ୍କ ଘୋଷଣା ପରେ ନୂଆ ସରକାର ଏହାକୁ ବାଦ ଦେବା ରାଜନୈତିକ ଦିଗ ଆଡ଼କୁ ସଙ୍କେତ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟରେ ଏବେ ଉତ୍କଟ ସାର ସଙ୍କଟ: ସବୁଠାରେ ପ୍ରତିବାଦ ଆରମ୍ଭ ହେଲାଣି

ମାଲକାନଗରିରୁ ଗଞ୍ଜାମ … ସବୁଠି ସାର ସଙ୍କଟ । ହସ୍ତସନ୍ତ ଚାଷୀ । ସାର ନ ପାଇ ବହୁତ ହଇରାଣ। ଆଗରୁ ସାର ପାଇଁ ଚାଷୀ ଏମିତି ହଇରାଣ ହୋଇନଥିଲେ କି ରାସ୍ତାକୁ ଓହ୍ଲାଇ ନ ଥିଲେ। ମାଲକାନଗିରି ମାଥିଲିରେ ସାର ନେବା ପାଇଁ ଛୁଆକୁ ଧରି ରାତିରେ ଧାଡ଼ି ବାନ୍ଧିଥିଲେ ମହିଳା। ଏହି ସାର ଅଭାବ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି। ଦଳ କହିଛି, ସରକାର ଶୋଇ ପଡ଼ିଛନ୍ତି। ଦୁଇ ଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବାସ୍ତବ ସ୍ଥିତି ନେଇ ଅବଗତ କରିଛନ୍ତି । ତାଳଚେର ସାର କାରଖାନା କାହିଁକି କାର୍ଯ୍ୟକ୍ଷମ ହେଉନି ବୋଲି ପ୍ରଶ୍ନ କରିବା ସହିତ ସାରର କଳାବଜାରୀ କଥା ଜଣାଇଛନ୍ତି ନବୀନ। କଳାବଜାରୀ ପାଇଁ ଚାଷୀ ସାର ପାଉ ନାହାନ୍ତି। କାହା ପାଖକୁ ସାର ଯାଉଛି ବୋଲି ପ୍ରଶ୍ନ କରିଛି ବିଜେଡି। ୧୪୦୦ ପଏଣ୍ଟରେ ଦୁର୍ନୀତି ହୋଇଛି । ୬୨ ଡିଲର ନିଲମ୍ବନ ହୋଇଛନ୍ତି । ହେଲେ ଏମାନଙ୍କ ଜରିଆରେ କାହା ପାଖକୁ ଯାଇଛି ସାର ? ସାର କଳାବଜାରୀ ପାଇଁ ସରକାରୀ କଳକୁ ଦାୟୀ କରିଛି ବିଜୁ ଜନତା ଦଳ । ସାର ସଂକଟର କାରଣ କୃଷି ଓ ସମବାୟ ବିଭାଗ ମଧ୍ୟରେ ଲଢେଇ ବୋଲି କଟାକ୍ଷ କରିଛି ବିଜେଡି। ସରକାର ଯଦି ଟ୍ରାକକୁ ନ ଫେରିବେ, ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ। ସାର ପାଇଁ ଗଞ୍ଜାମ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ବି କରାଯାଇଛି । …

ସେପଟେ ଡିଲରମାନଙ୍କ ଦୁର୍ନୀତିକୁ ସ୍ଵୀକାର କରିଛି ବିଜେପି। ଦୁଇ ଦିନ ଭିତରେ ସାର ସମସ୍ୟା ଦୂର ହେବ ବୋଲି କୁହାଯାଇଛି। ହେଲେ ଚାଷ ନଷ୍ଟ ହେଉଥିବା ବେଳେ ସରକାରୀ ସଂସ୍ଥା ବଦଳରେ ଘରୋଇ ଏଜେନସି ପାଖରେ ସାର କିପରି ଅଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସାର ଅଭାବ ଯୋଗୁଁ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏଥିପାଇଁ ବହୁତ ହଇରାଣ ହେଲେଣି ଚାଷୀ। କେମିତି ଚାଷ କାମ ହେବ ବୋଲି ସେମାନେ ହତାଶ ହୋଇ ପଡ଼ିଲେଣି।

ଆଫଗାନିସ୍ତାନରେ ବାରମ୍ଵାର ଭୂମିକମ୍ପ ହେବାର କାରଣ କଣ ?

କିଛି ଦିନ ହେଲାଣି ଆଫଗାନିସ୍ତାନ ଓ ପାକିସ୍ତାନରେ ମୃଦୁ ଭୂମିକମ୍ପର ଝଟକା ଅନୁଭୂତ ହେଉଥିଲା। ଅଗଷ୍ଟ ୧୭ ତାରିଖରେ ହିନ୍ଦୁକୁଶ ଅଞ୍ଚଳରେ ୫.୬ ତୀବ୍ରତାର ଓ ଅଗଷ୍ଟ ୧୯ ତାରିଖରେ ୫.୨ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା। ସେହିପରି ପାକିସ୍ତାନର କେନ୍ଦ୍ରୀୟ ଅଞ୍ଚଳରେ ମଧ୍ୟ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥଇଲା ଜୁନ ୨୯ ତାରିଖରେ। ସେହିପରି ମେ ୧୦ ରେ ଏହି ଅଞ୍ଚଳରେ ହୋଇଥିବା ମୃଦୁ ଭୂମିକମ୍ପର ତୀବ୍ରତା ଥିଲା ୫.୭। ଆଫଗାନିସ୍ତାନରେ ଏପରି ବାରମ୍ଵାର ଭୂମିକମ୍ପ ହେବାର କାରଣ କଣ। ଭୂବିଜ୍ଞାନୀଙ୍କ ମତରେ ଏହି ଦେଶ ହେଉଛି ଭୂମିକମ୍ପ ପ୍ରବଣ ଅଞ୍ଚଳ। କେନ୍ଦ୍ରୀୟ ଏସିଆର ସବୁଠୁ ଆକ୍ଟିଭ ଅଞ୍ଚଳରେ ରହିଛି ଆଫଗାନିସ୍ତାନ ଯେଉଁଠି ଭାରତୀୟ ଓ ୟୁରୋସିଆର ଟେକଟୋନିକ୍ ପ୍ଲେଟ୍ ମିଶିଥାଏ। ତେଣୁ ଏଠାରେ ବାରମ୍ଵାର ଭୂମିକମ୍ପ ହୋଇଥାଏ।

ଆଫଗାନିସ୍ତାନରେ ଅନେକ ଥର ବଡ଼ ଧରଣର ଭୂମିକମ୍ପ ହୋଇଛି। ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ୧୯୯୧ରେ ହିନ୍ଦୁକୁଶ ଅଞ୍ଚଳରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୮୫୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୧୯୯୮ ମେ ଓ ଜୁନରେ ତଖର ଅଞ୍ଚଳରେ ଦୁଇଟି ବଡ଼ ବଡ଼ ଭୂମିକମ୍ପ ହୋଇଥିଲା। ଏଥିରେ ପ୍ରାୟ ୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୦୨ରେ ପୁଣି ହିନ୍ଦୁକୁଶ ଅଞ୍ଚଳରେ ହୋଇଥିଲା ଭୂମିକମ୍ପ। ଏଥିରେ ହଜାରେ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୧୫ରେ ବି ହିନ୍ଦୁକୁଶରେ ହୋଇଥିବା ବଡ଼ ଧରଣର ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୫। ଏହି ଭୂମିକମ୍ପରେ ୪ ଶହ ଲୋକଙ୍କ ଜୀବନ ଯାଇଥିଲା। ୨୦୨୨ରେ ଖୋସ୍ତ ଅଞ୍ଚଳରେ ହୋଇଥିବା ଭୂମିକମ୍ପରେ ପ୍ରାଣ ହରାଇଥିଲେ ହଜାରରେରୁ ଅଧିକ ଲୋକ। ତୀବ୍ରତା ଥିଲା ୬। ସେହିପରି ଅକ୍ଟେୋବର ୨୦୨୩ରେ ହେରାତ ଅଞ୍ଚଳରେ ହୋଇଥିଲା ଆଉ ଏକ ବଡ଼ ଧରଣର ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୩। ଏଥିରେ ୨ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।