ନନ୍ଦିଘୋଷ ବ୍ୟୁରୋ : ଜଳୁଛି ନେପାଳ। ରାଜରାସ୍ତାରେ ଯୁବଗୋଷ୍ଠୀ। ଦେଶବ୍ୟାପୀ ହିଂସାକାଣ୍ଡ। ହିଂସାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସୋସିଆଲ ମିଡିଆ ବ୍ୟାନ ଓ ଦୁର୍ନୀତି ପ୍ରତିବାଦରେ ନେପାଳରେ ଜୋରଦାର ବିକ୍ଷୋଭ। ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଯୁବକଯୁବତୀ। କାଠମାଣ୍ଡୁସ୍ଥିତ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବାସଭବନ ନିକଟରେ କର୍ଫ୍ୟୁ ଜାରି ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ଓ ପାଣିମାଡ଼ କରିଛି। ବଡ଼କଥା ହେଉଛି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨୮ ବର୍ଷରୁ କମ ବୟସର ଯୁବକଯୁବତୀ ଏବଂ ସେମାନଙ୍କୁ ଜେନ ଜେଡ ବୋଲି କୁହାଯାଉଛି। ସେମାନଙ୍କୁ କୌଣସି ରାଜନୈତିକ ଦଳ ବି ସମର୍ଥନ କରୁନାହାନ୍ତି। କେ. ପି. ଶର୍ମା ଓଲି ସରକାର ଇନଷ୍ଟାଗ୍ରାମ, ହ୍ବାଟସଆପ, ସିଗନାଲ ଓ ଉଇଚାଟ ସମେତ ୨୬ଟି ସୋସିଆଲ ମିଡିଆକୁ ବନ୍ଦ କରିବା ପରେ ତାତିଛନ୍ତି ଯୁବବାହିନୀ। ସରକାରଙ୍କ ନିକଟରେ ପଞ୍ଜିକରଣ କରିବା ଲାଗି ଏହି ସୋସିଆଲ ମିଡିଆ ମନା କରିବା ପରେ ପଦକ୍ଷେପ ସ୍ବରୂପ ଏଗୁଡିକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିଲେ ସରକାର। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କାଠମାଣ୍ଡୁ ମେୟର ବାଲେନ ଶାହ। ପୂର୍ବରୁ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲା ଜେନ ଜେଡ। ୧୯୯୫ରେ ଜେନ ଜେଡର ଉତ୍ପତ୍ତି ଘଟିଥିଲା ଏବଂ ୧୮ରୁ ୩୦ ବର୍ଷ ବୟସର ଯୁବକଯୁବତୀମାନଙ୍କୁ ଏଥିରେ ସାମିଲ କରାଯାଉଛି।
ଆଧାର କାର୍ଡକୁ ବୈଧ ନଥି ଭାବେ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନନ୍ଦିଘୋଷ ବ୍ୟୁରୋ : ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ। ଆଧାର କାର୍ଡକୁ ବୈଧ ନଥି ଭାବେ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କାର୍ଡର ବୈଧତାକୁ ସଠିକ୍ ଯାଞ୍ଚ କରିବାକୁ ବି ପରାମର୍ଶ ଦେଇଛନ୍ତି ଅଦାଲତ। ବିଭିନ୍ନ ପିଟିସନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆରଜେଡି, ଏଆଇଏମଆଇଏମ ପକ୍ଷରୁ ଦାୟର ହୋଇଥିଲା ମାମଲାର ଶୁଣାଣି କରି ଏହା କହିଛନ୍ତି କୋର୍ଟ। ତେବେ ଆଧାର କାର୍ଡ ନାଗରିକତ୍ବର ପ୍ରମାଣ ହୋଇପାରିବ ନାହିଁ କୋର୍ଟ ଦର୍ଶାଇଛନ୍ତି। ବିହାରରେ ଏସଆଇଆର ଲାଗି ଗତ ଜୁନ ୨୪ରେ ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତିକୁ ବିରୋଧ କରିଥିଲେ ବହୁ ରାଜନୈତିକ ଦଳ। ଏସଆଇଆର ପ୍ରକ୍ରିୟାରେ ରାଜ୍ୟର ୭ କୋଟି ୨୪ ଲକ୍ଷ ଭୋଟରଙ୍କ ମଧ୍ୟରୁ ଚିଠା ଭୋଟର ତାଲିକାରେ ୯୯.୫ ପ୍ରତିଶତ ଭୋଟର ସେମାନଙ୍କ ବୈଧ ନଥିପତ୍ର ଦାଖଲ କରିଛନ୍ତି ବୋଲି ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହାରି ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଇସିଆଇଙ୍କ ଏହି ଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆରଜେଡି, ଏଆଇଏମଆଇଏମ ଓ ଅନ୍ୟାନ୍ୟ ପକ୍ଷ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।
ରୁଷ ବିରୋଧରେ ଆମେରିକା କରିପାରେ ବଡ଼ଧରଣର ଅର୍ଥନୈତିକ ହମଲା
ରୁଷ ବିରୋଧରେ ଆମେରିକା କରିପାରେ ବଡ଼ଧରଣର ଅର୍ଥନୈତିକ ହମଲା । ରୁଷ ଉପରେ ଅଧିକ ଅର୍ଥନୈତିକ ଚାପ ସୃଷ୍ଟି କରିବା ଲାଗି ଟ୍ରମ୍ପ ପ୍ରଶାସନ ଓ ୟୁରୋପୀୟ ରାଷ୍ଟ୍ରଙ୍କୁ ଆହ୍ବାନ ଜଣାଇଛନ୍ତି ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ । ଏହି ଅର୍ଥନୈତିକ ଚାପ ଯୋଗୁ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ରୁଷଠାରୁ ତୈଳ କ୍ରୟ କରୁଥିବା କାରଣରୁ ଭାରତ ଓ ଚୀନକୁ ଖଳନାୟକ ବୋଲି ଚିତ୍ରଣ କରିଥିବା ବେସେଣ୍ଟ ରୁଷ ଉପରେ ଅଧିକ ଟାରିଫ ଓ କଟକଣା ଲଗାଇବାକୁ ଦାବି କରିଛନ୍ତି । ଅଧିକ ଅର୍ଥନୈତିକ କଟକଣା ଓ ଟାରିଫ ଯୋଗୁ ରୁଷର ଅର୍ଥନୀତି ସମ୍ପୂର୍ଣ୍ଣ ଧ୍ବଂସ ହେବ ବୋଲି ସେ କହିଛନ୍ତି । ଭାରତ ଉପରେ ଆମେରିକା 50 ପ୍ରତିଶତ ଟାରିଫ ଲାଗୁ କରିଥିବାବେଳେ ଚୀନ ଉପରେ 145 ପ୍ରତିଶତ ଲେଭି ଲଗାଇଛି । ମାତ୍ର ତାହାକୁ 90 ଦିନ ଲାଗି ସ୍ଥଗିତ ରଖାଯାଇଛି । ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ଟ୍ରମ୍ପଙ୍କ ଉଦ୍ୟମ ବିଫଳ ହୋଇଥିବାବେଳେ ହାତରେ ନମାରି ଭାତରେ ମାରିବା ନୀତିରେ ଅର୍ଥନୈିତିକ କଟକଣାକୁ ଭରସା କରିଛନ୍ତି ଟ୍ରମ୍ପ ପ୍ରଶାସନ । ୟୁକ୍ରେନ ରାଜଧାନୀ କିବସ୍ଥିତ କ୍ୟାବିନେଟ ବିଲଡିଂ ଉପରେ ରୁଷ ବଡଧରଣର ହମଲା କରିବା ପରେ ଜବାବରେ ରୁଷର ଏକ ପ୍ରମୁଖ ତୈଳ ପାଇପ ଲାଇନ ଦ୍ରୁଜଭା ଉପରେ ଆକ୍ରମଣ କରିଥିଲା ୟୁକ୍ରେନ ।

