ବାଲେଶ୍ୱର: ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଲିକ୍ ଘଟଣା । ଆସିଲା ଚତୁର୍ଥ ଅଭିଯୁକ୍ତର ନାମ । ଚତୁର୍ଥ ଅଭିଯୁକ୍ତ ହେଲେ ହେମନ୍ତ ମିସ୍ତ୍ରୀ । ହେମନ୍ତ ଆଇଟିଆରର ଡ଼ିଜି ଅପରେଟର ଭାବେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ଶତ୍ରୁ ଦେଶ ପାଇଁ ସୁନ୍ଦରୀ ନେଉଥିଲେ ସିକ୍ରେଟ୍ ଡାଟା । ନିୟମିତ ପାକିସ୍ତାନରୁ ଫୋନ୍ କଲ୍ ବଢାଇଥିଲା ସନ୍ଦେହ । ଯାଞ୍ଚ ପରେ ପୂରା ଘଟଣାରୁ ଉଠିଲା ପରଦା । ବିଦେଶୀ ଏଜେଣ୍ଟଙ୍କୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ୪ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାଁରେ ଦେଶଦ୍ରୋହ ସହ ଅନେକ ସଂଗୀନ୍ ଦଫାରେ ମାମଲା ରୁଜୁ ହୋଇଛି । ୩ ମାସ ଧରି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହନିଟ୍ରାପ୍ ଦ୍ୱାରା ଗୁପ୍ତ ତଥ୍ୟ ହାତଉଥିଲେ ପାକିସ୍ତାନ ଏଜେଣ୍ଟ । ପାକିସ୍ତାନ ଏଜେଣ୍ଟଙ୍କୁ ମିଲିଟାରୀ ବ୍ଲୁ-ପ୍ରିଣ୍ଟ ପଠାଉଥିଲେ ଅସ୍ଥାୟୀ କର୍ମଚାରୀ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଲିକ୍ ହେଉଥିଲା ଗୁପ୍ତ ତଥ୍ୟ । ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ସୁରାକ ପାଇବା ପରେ ଧରିବାକୁ ଆରମ୍ଭ ହୋଇଥିଲା ସିକ୍ରେଟ୍ ପ୍ଲାନ୍ । ଗିରଫ ଅଭିଯୁକ୍ତ ହେଉଛନ୍ତି ବସନ୍ତ ବେହେରା, ସେକ୍ ଫୁସାଫିର, ପ୍ରକାଶ ବେହେରା ଓ ହେମନ୍ତ ମିସ୍ତ୍ରୀ । ଆଇଟିଆର ୩ନଂ ଲଞ୍ଚପ୍ୟାଡ୍ରେ ଏମାନେ ଠିକା କର୍ମଚାରୀଭାବେ ନିୟୋଜିତ ହୋଇଥିଲେ । ଟଙ୍କା ଲୋଭ ଦେଖାଇ ଏମାନଙ୍କଠାରୁ କ୍ଷେପଣାସ୍ତ୍ର ସମ୍ପର୍କିତ ତଥ୍ୟ ହାତଉଥିଲେ ବିଦେଶୀ ଏଜେଣ୍ଟ ।
ମାଲା ବିଜୟ ପ୍ରସାଦଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ ଠକେଇ ମାମଲା । ବିଶାଖାପାଟଣା ଓ୍ୱେଷ୍ଟ ଜୋନର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚର ଇଓଡବ୍ଳ୍ୟୁ । ଠକେଇର ପରିମାଣ, କେତେ ଲୋକଙ୍କୁ ଠକିଛି, ଟଙ୍କା କେଉଁଠି ବିନିଯୋଗ କରିଛି ଓ ଗ୍ଲାମର ଲିଙ୍କ ନେଇ ଛାନଭିନ କରିବ ଇଓଡବ୍ଳ୍ୟୁ । ଏମ ଭି ପ୍ରସାଦଙ୍କ ସହଯୋଗୀଙ୍କ ସମ୍ପୃକ୍ତି ଏବଂ ପାରିବାରିକ ଲିଙ୍କ ନେଇ ମଧ୍ୟ ହେବ ଖୋଳତାଡ଼ । ୨୦୦୧ରେ ଆରମ୍ଭ ହୋଇଥିଲା ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ କମ୍ପାନୀ । ପାଖାପାଖି ୧୨ଶହ କୋଟି ଟଙ୍କା ଠକିଥିବା ଅଭିଯୋଗ ରହିଛି । ସିବିଆଇର ଦୁଇଟି ମାମଲାରେ ଏବେ ଜାମିନରେ ଅଛନ୍ତି ପ୍ରସାଦ । ପ୍ରଶ୍ନ ଉଠୁଛି, କେତେ ଟଙ୍କା ଠକିଛି ୱେଲଫେୟାର ବିଲିଡିଂ ଆଣ୍ଡ ଇଷ୍ଟେଟସ ସଂସ୍ଥା ? ଓଡିଶା ଜମାକାରୀଙ୍କ ଟଙ୍କାରେ କେତେ ତେଲୁଗୁ ଫିଲ୍ମ ତିଆରି ହୋଇଛି ? ଏସବୁ ଦିଗକୁ ନେଇ ଖୋଳତାଡ଼ କରିବ ଇଓଡବ୍ଳ୍ୟୁ । ୩ ଦିନ ରିମାଣ୍ଡ ପାଇଁ OPID କୋର୍ଟରେ ଆବେଦନ କରିଥିଲା ଇଓଡ଼ବ୍ଲୁ । ୨୦୦୫-୦୬ରେ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ୱେଲଫେୟାର ବିଲିଡିଂ ଆଣ୍ଡ ଇଷ୍ଟେଟସ ନାଁରେ ସଂସ୍ଥାର ମୁଖ୍ୟାଳୟ ଖୋଲା ହୋଇଥିଲା । ଏହି ସମୟରେ ସଂସ୍ଥା ଅନେକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି ।
ଏଥିସହିତ ପଢ଼ନ୍ତୁ: ଦୁଷ୍ମନ୍ତ ମୃତ୍ୟୁ ମାମଲା: ଥାନାରେ ହାଜର ହେବେ ଓ୍ୱେବ ପୋର୍ଟାଲ ସାମ୍ୱାଦିକ
ଅନ୍ୟ ରାଜ୍ୟକୁ ବଦଳି ହେଉଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର: ବାରମ୍ବାର ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ବଦଳି ହେଉଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ଭାରତ ସିରିଡ୍ ଗାଡ଼ି ପଞ୍ଜିକରଣ । ସେନା ଅଧିକାରୀ, କେନ୍ଦ୍ର ସରକାରଙ୍କ ଅଧିକାରୀ, ୪ରୁ ଅଧିକ ରାଜ୍ୟରେ କାର୍ଯ୍ୟାଳୟ ଥିବା ସଂସ୍ଥାର କର୍ମଚାରୀ ଏହି ସୁବିଧା ପାଇପାରିବେ । ତେବେ ବେସରକାରୀ ସଂସ୍ଥାର କର୍ମଚାରୀ ନିଜ ଗାଡ଼ିର ପଞ୍ଜିକରଣ କରିବାକୁ ହେଲେ ପରିବହନ ୱେବସାଇଟରେ ଥିବା ଫର୍ମ ନମ୍ବର ୬୦ ପୂରଣ କରିବାକୁ ହେବ ।
ସେହିଭଳି ସରକାରୀ କର୍ମଚାରୀ ନିଜ ଆଇଡି କାର୍ଡରେ ଭାରତ ସିରିଜ୍ ପାଇଁ ଆବେଦନ କରିପାରିବେ । ତେବେ ଏଥିପାଇଁ ଆବେଦନକାରୀଙ୍କୁ ଦୁଇ ବର୍ଷର ରୋଡ ଟ୍ୟାକ୍ସ ଦେବାକୁ ପଡ଼ିବ । ରୋଡ୍ ଟ୍ୟାକ୍ସ ପାଇଁ ଭିନ୍ନ ଭିନ୍ନ ସ୍ଲାବ ରହିଛି । ଯଦି ଗାଡ଼ିର ମୂଲ୍ୟ ୧୦ ଲକ୍ଷରୁ କମ୍ ତାହା ହେଲେ ୮ ପ୍ରତିଶତ, ୧୦ରୁ ୨୦ ଲକ୍ଷ ହୋଇଥିଲେ ୧୦ ପ୍ରତିଶତ, ୨୦ରୁ ଅଧିକ ହୋଇଥିଲେ ୧୨ ପ୍ରତିଶତ ଟିକସ ଆଦାୟ କରାଯିବ ।
କଇଁଛ ଧରିବାକୁ ଯାଇ ବାପାପୁଅ ଓ ଜ୍ୱାଇଁ ଶ୍ୱାସରୁଦ୍ଧ ହୋଇ ମୃତ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁଇବାହାଲ ପଞ୍ଚାୟତ ଆନନ୍ଦପୁର ଗାଁରେ ଅଘଟଣ । ପରିତ୍ୟକ୍ତ କୂଅରେ ପଡ଼ି ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଛି । ଆଜି ଆନନ୍ଦପୁର ଗାଁର ସାଧୁ କାଲେସେ, ପୁଅ ଆଲୋକ ରଞ୍ଜନ କାଲସେ ଓ ଜ୍ୱାଇଁ ନବୀନ ମୋଟାରୀ ଗାଁରେ ଥିବା ଏକ ପରିତ୍ୟକ୍ତ କୂଅକୁ କଇଁଛ ମାରିବାକୁ ଯାଇଥିଲେ ।
କୂଅ ଭିତରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ଜଣଙ୍କର ମୃତ୍ୟୁ ହୋଇଛି । ଗାଁ ଲୋକ ଜାଣିବା ପରେ ବିନିକା ଅଗ୍ନଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଚି ବାପ, ପୁଅ ଓ ଜ୍ୱାଇଁଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର କରିଛି ।
ତାଳଚେରରେ ମେଡିକାଲ କଲେଜ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ
ଭୁବନେଶ୍ୱର: ତାଳଚେର ଠାରେ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ଏବଂ ହସ୍ପିଟାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଚିଠି । କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଏମ୍ ନାଗାରାଜୁ ଏବଂ ମହାନଦୀ କୋଲ୍ଡଫିଲ୍ଡର ବରିଷ୍ଠ ଅଧିକାରୀମାନଙ୍କୁ ଏନେଇ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ । ସଚିବାଳୟରେ କୋଇଲା ଉତ୍ତୋଳନ ଓ ପରିବହନ ସମ୍ବନ୍ଧିତ ସ୍ଥିତି ନେଇ ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ଏହି ଅନୁରୋଧ କରିଛନ୍ତି ।
କେନ୍ଦ୍ରୀୟ ଅତିରିକ୍ତ ଶାସନ ସଚିବ ଜଣାଇଥିଲେ, ଇତିମଧ୍ୟରେ ତାଳଚେର ଠାରେ ଏହି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି । ୫୦୦ ଶଯ୍ୟା ବିଶିଷ୍ଟ ଏହି ଭେଷଜ ମହାବିଦ୍ୟାଳୟ ନିର୍ମାଣ, ଆନୁଷଙ୍ଗିକ ଆସବାବପତ୍ର, ଯନ୍ତ୍ରପାତି ଏବଂ ଚିକିତ୍ସା ଉପକରଣ ଆଦି ପାଇଁ ଏମସିଏଲ୍ ତରଫରୁ ୫୦୦ କୋଟି ଟଙ୍କା ପ୍ରାବଧାନ କରାଯାଇଛି ।
ଭେଷଜ ମହାବିଦ୍ୟାଳୟ ଦୈନନ୍ଦିନ ପରିଚାଳନା ଏ କ୍ଷେତ୍ରରେ ଅଭିଜ୍ଞତା ଥିବା ବୃତ୍ତିଗତ ସଂସ୍ଥାଙ୍କ ଦ୍ୱାରା କରାଯିବ ବୋଲି ଶ୍ରୀ ନାଗାରାଜୁ କହିଥିଲେ । ଏହି ସଂସ୍ଥା ଚୟନ ପାଇଁ ବିଭିନ୍ନ ସଂସ୍ଥାମାନଙ୍କ ଠାରୁ ଆଗ୍ରହ ପତ୍ର ଆହ୍ୱାନ କରାଯାଇଛି । ଖୁବଶୀଘ୍ର ଏ ବିଷୟରେ ନିଷ୍ପତ୍ତି ହେବ । ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଏବଂ ଆଖପାଖ ଜିଲ୍ଲାର ଲୋକ ସୁବିଧାରେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ପାଇ ପାରିବେ ।




