spot_img
Home Blog Page 521

ନୂଆ NAC, ମ୍ୟୁନସିପାଲଟି ଘୋଷଣାକୁ ବିଜେଡିର କଟାକ୍ଷ, କହିଲା ବିଜେପିର କପି-ପେଷ୍ଟ ଶାସନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାର ଆଜି ୭ଟି ନୂଆ ମ୍ୟୁନସିପାଲଟି ଓ ୧୬ଟି ନୂଆ ଏନଏସି ଘୋଷଣା କରିଥିବା ବେଳେ ଏହାକୁ କଡ଼ା ସମାଲୋଚନା କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ଏହା ହେଉଛି ବିଜେପିର ‘କପି-ପେଷ୍ଟ’ ଶାସନ ।

ସହରୀକରଣର ନୂଆ ଅଭିଯାନ ଅନ୍ତର୍ଗତ ଏନଏସି ଓ ମ୍ୟୁନିସିପାଲିଟି ଘୋଷଣା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହୁଥିବା ବେଳେ ବାସ୍ତବରେ ଏଥିରେ କୌଣସି ନୂତନତା ନାହିଁ । ଏଥିରୁ ଅଧିକାଂଶ ଘୋଷଣା ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ସମୟରେ ହୋଇଥିଲା । ଘୋଷଣା ହୋଇଥିବା ୭ଟି ନୂଆ ମ୍ୟୁନିସିପାଲିଟି ମଧ୍ୟରୁ ୪ଟି ବୌଦ୍ଧ, କରଞ୍ଜିଆ, ଆସ୍କା ଏବଂ ଛତ୍ରପୁରକୁ ନବୀନ ପଟ୍ଟନାୟକ ଫେବୃଆରୀ ୨୦୨୪ରେ ମାନ୍ୟତା ପ୍ରଦାନ ନେଇ ଘୋଷଣା କରିଥିଲେ । ସେହିପରି ଘୋଷଣା ହୋଇଥିବା ୧୬ଟି ନୂଆ ଏନଏସି ମଧ୍ୟରୁ ୭ଟି ନବୀନଙ୍କ ୨୦୨୪ରେ ଘୋଷିତ ତାଲିକା ସହିତ ସମାନ । ଏହା ସ୍ପଷ୍ଟ ଦର୍ଶାଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣାର ଅଧିକାଂଶ କଥା ନୂଆ ନୁହେଁ, ବରଂ ବିଜେଡି ସରକାର ପ୍ରସ୍ତୁତ କରିଥିବା ବିକାଶ ନକ୍ସାର ‘କପି-ପେଷ୍ଟ’ ।

କିଛି ନୂଆ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ ବିଜେପି ସରକାର । ଏଥିପାଇଁ ନା ଦୂରଦୃଷ୍ଟି ଅଛି, ନା ଦୃଢ଼ ସଂକଳ୍ପ । ବିଜେପି ସରକାରର ‘କପି-ପେଷ୍ଟ’ ନୀତିକୁ ଓଡ଼ିଶାବାସୀ ଭଲ ଭାବେ ବୁଝି ସାରିଲେଣି । ଓଡ଼ିଶାର ଦ୍ରୁତ ସହରୀକରଣ ଜରୁରୀ ହେଲେ ଆଜିର ଘୋଷଣାରେ ସେଭଳି କୌଣସି ଗୁରୁତ୍ୱପୂର୍ଣ ଦିଗ ଥିଲା ଭଳି ଜଣାପଡୁନାହିଁ । ୨୦୨୪ରେ ଘୋଷିତ ତାଲିକାରୁ ଏକାଧିକ ନାଁକୁ ଧାର ଆକାରରେ ଆଣି ନୂଆ ତାଲିକାରେ ସାମିଲ କରିବା ସ୍ପଷ୍ଟ ଭାବେ ଦର୍ଶାଉଛି ବିଜେପି ସରକାର ‘ରି-ବ୍ରାଣ୍ଡିଙ୍ଗ‘ରେ ବିଶ୍ଵାସ କରୁଛି । ପ୍ରଶ୍ନ ଉଠୁଛି, ପ୍ରକୃତ କାର୍ଯ୍ୟ କରିବା ଛାଡି କିଭଳି ଶ୍ରେୟ ନିଆଯାଇ ପାରିବ ସେଥିପ୍ରତି ବିଜେପି ସରକାର ଅଧିକ ଧ୍ୟାନ ଦେଉଛି କି ? ଆଜିର ଘୋଷଣାରେ କିଛି ନୂତନତା ନାହିଁ । ଅଧିକାଂଶ ନାଁ ପୂର୍ବ ବିଜେଡି ସରକାର ସମୟରେ ଅନୁମୋଦନ ଲାଭ କରିଥିଲା । ଯାହାକୁ ରାଜନୈତିକ ସ୍ୱାର୍ଥ ପାଇଁ ବିଜେପି ସରକାର ପୁଣି ଥରେ ଘୋଷଣା କରିଛି । ମର୍ମ କଥା ହେଲା, ଓଡ଼ିଶାବାସୀ ପୁଣି ଏକ ‘କପି ପେଷ୍ଟ’ ଅଭିଯାନର ସାକ୍ଷୀ ହୋଇଛନ୍ତି, କୌଣସି ନୂଆ ସହରୀକରଣ ଅଭିଯାନର ନୁହେଁ ।

ରାଜ୍ୟ ସ୍ଵାୟତ୍ତ ଶାସନ ଦିବସରରେ ୭ ସହରକୁ ମ୍ୟୁନିସିପାଲିଟି ମାନ୍ୟତା, ୧୬ ନୂଆ ଏନଏସି ଘୋଷଣା କଲେ ସରକାର

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା । ୭ ସହରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରାଯାଇଛି । ସେହିପରି ୧୬ ନୂଆ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା । ଓଡ଼ିଶା ସହରାଞ୍ଚଳ ମିଶନକୁ ଅଧିକ ପ୍ରୋତ୍ସାହନ । କ୍ୟାପିଟାଲ ରିଜିଅନ ରିଂ ରୋଡ଼ ମାଧ୍ୟମରେ ଖୋର୍ଦ୍ଧା-ଭୁବନେଶ୍ବର-କଟକ-ଚୌଦ୍ବାର ଅଞ୍ଚଳର ବିକାଶ କରାଯିବ । ସହରାଞ୍ଚଳରେ ହ୍ଵାଟ୍ସଆପ୍ ମାଧ୍ୟମରେ ଆମ ବସ ସେବାର ଟିକେଟ ବୁକିଂ କରି ହେବ । ସହରରେ ଖାଲଖମା ରାସ୍ତା ସମସ୍ୟା ଦୂର କରିବାକୁ ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଅଭିଯୋଗ ଆଧାରରେ ପଦକ୍ଷେପ ନନେଲେ ଅଧିକାରୀଙ୍କ ବିରୋଧରେ ଆକ୍ସନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କରଞ୍ଜିଆ, ବୌଦ୍ଧ, ଆସିକା, ଭଞ୍ଜନଗର, ଛତ୍ରପୁର, ପୋଲସରା ଓ କବିସୂର୍ଯ୍ୟନଗରକୁ ମ୍ୟୁନିସିପାଲିଟି କରାଯିବାକୁ ଘୋଷଣା ହୋଇଛି । ସେହିପରି ୧୬ ନୂଆ NAC ଘୋଷଣା କରିଛନ୍ତି ସରକାର । ଲୋଇସିଂହା, ସୋହେଲା, ସାଲେପୁର, ବଡମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଟାଙ୍ଗୀ, ବୋରିଗୁମ୍ମା, କପ୍ତିପଦା, ଯଶୀପୁର, ଜୟପାଟଣା, ରାସଗୋବିନ୍ଦପୁରକୁ ମିଳିଛି NAC ମାନ୍ୟତା । ସହରରେ ରହୁଥିବା ଲୋକଙ୍କ ପାଇଁ ପାଣି, ଡ୍ରେନ, ବିଦ୍ୟୁତ, ପାର୍କ, ରାସ୍ତା, ବହୁମୁଖୀ କେନ୍ଦ୍ର ସୁବିଧା ମିଳିବ । ମୁଖ୍ୟମନ୍ତ୍ରୀ ସହରୀକରଣ ଯୋଜନାରେ ୬ ହଜାର କୋଟିର ବଜେଟ ରହିଛି । କ୍ୟାପିଟାଲ ରିଜିଅନ ରିଂରୋଡ଼ ହେଲେ ଖୋର୍ଦ୍ଧା, ଭୁବନେଶ୍ବର, କଟକ ଓ ଚୌଦ୍ବାରର ବହୁମୁଖୀ ବିକାଶ ହେବ । ରାସ୍ତା ସମସ୍ୟା ପାଇଁ ୧୯୨୯ ଟୋଲ ଫ୍ରି ନମ୍ବରରେ ଯୋଗଯୋଗ କରି ସମାଧାନ କରାଯିବ । ସହଯୋଗ ସେବାର ସଂପ୍ରସାରଣ ପାଇଁ ନଗର ଉନ୍ନୟନ ବିଭାଗ ଓ ଟାଟା ଷ୍ଟିଲ ମଧ୍ୟରେ MOU ହୋଇଛି । ଆମ ବସ୍ ପାଇଁ ହ୍ଵାଟସ୍ ଆପ୍ ଆଧାରିତ ଟିକେଟ୍ ବୁକିଂର ଶୁଭାରମ୍ଭ ଏବଂ ଡିଜିଟାଲ୍ ଟିକେଟ୍ କ୍ରେତାଙ୍କୁ ରିହାତି ପ୍ରଦାନ ସେବା ଆରମ୍ଭ ହୋଇଛି । ଏହି ଅବସରରେ ଗୋଶାଳା ଓ ବହୁମୁଖୀ ହଲର ଉଦଘାଟନ ହୋଇଛି । ରାଜ୍ୟରେ ରାଜସ୍ବ ସଂଗ୍ରହ ଅଭିବୃଦ୍ଧି ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛି ଧାମନଗର NAC । ରେମୁଣା ଏନଏସି ଓ କୋରାପୁଟ ମ୍ୟୁନିସିପାଲିଟିକୁ ପୁରସ୍କୃତ କରାଯିବା ସହ ୩ କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି ।

ଭୁବନେଶ୍ଵର ପଳାଶୁଣୀରେ ବର୍ଜ୍ୟବସ୍ତୁ ଉଦ୍ଧାର କେନ୍ଦ୍ର, ଗାଡକଣରେ ଥିବା ପ୍ଳାଜମା ଦହନ କେନ୍ଦ୍ର ଓ ବିଏମସି ହ୍ବାଟସଅପ ବଟ୍ ସୁବିଧାର ଶୁଭାରମ୍ଭ ହୋଇଛି । ସ୍ୱାୟତ୍ତ ଶାସନ ଦିବସ ଅବସରରେ ମେୟର ଏବଂ କମିଶନର ୨୮ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିରେ ୧୨ଟି ୱାର୍ଡ ଅଫିସ, ବିଭିନ୍ନ ୱାର୍ଡରେ ପାର୍କ ଓ ମିନି ପାର୍କ, ମିଶନ ଶକ୍ତି ଗୃହ, କମ୍ୟୁନିଟି ସେଣ୍ଟର, ଶୌଚାଳୟ ଏବଂ କିଛି ଆରସିସି ଡ୍ରେନର ଉଦଘାଟନ ହୋଇଛି । ୩୫୦ ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯାଇଛି । ଯେଉଁଥିରେ ୨୦ରୁ ଅଧିକ କିନ୍ନର ଓ ଦିବ୍ୟାଙ୍ଗଙ୍କୁ ସାମିଲ କରାଯାଇଛି ।

ରାଜ୍ୟବ୍ୟାପୀ ବିଭିନ୍ନ ସହରାଞ୍ଚଳରେ ସ୍ବାୟତ୍ତ ଶାସନ ଦିବସ ପାଳନ ହୋଇଥିବା ବେଳେ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ମେୟର, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିବା ବେଳେ ପରିମଳ ସେବାରେ ଉତ୍କୃଷ୍ଟତା ପାଇଁ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି ।

ଅତିଥି ଅଧ୍ୟାପକରେ ଚାଲିଛି କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ, ସମସ୍ୟାର ଅନ୍ତ କେବେ ?

ନନ୍ଦିଘୋଷ ବ୍ୟୁରୋ: ଅତିଥି ଅଧ୍ୟାପକରେ ଚାଲିଛି କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ । ନିଯୁକ୍ତି ହୋଇନାହାନ୍ତି ସ୍ଥାୟୀ ପିଜିଟି ଶିକ୍ଷକ । ଲାଗି ରହିଛି ଅଧ୍ୟାପକ ଓ କର୍ମଚାରୀଙ୍କ ଅଭାବ । ଏହା ସାଙ୍ଗକୁ ପର୍ଯ୍ୟାପ୍ତ ନାହିଁ ଛାତ୍ରଛାତ୍ରୀଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା, କମୁଛି ଶିକ୍ଷାର ମାନ । ଫଳରେ ଗାରିମା ହରାଇବାକୁ ବସିଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ।

ଅବ୍ୟବସ୍ଥା ଘେରରେ ଗଜପତି ଜିଲ୍ଲାର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ । ରାଜ୍ୟର ସର୍ବ ପୁରାତନ ମହାବିଦ୍ୟାଳୟ ହୋଇଥିବା ସତ୍ତ୍ଵେ ଅବହେଳିତ ଅବସ୍ଥାରେ ରହିଛି ଏହି ମହାବିଦ୍ୟାଳୟ । ୧୮୯୭ରେ ପ୍ରତିଷ୍ଠା ହୋଇଥିବା ଏହି ମହାବିଦ୍ୟାଳୟ ବେଶ କିଛିବର୍ଷ ଧରି ରାଜ୍ୟରେ ଉନ୍ନତମାନର ଶିକ୍ଷା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଏହାର ଭିତ୍ତିଭୂମି ତଥା ଶ୍ରେଣୀ କୋଠା ଆକର୍ଷଣୀୟ ଓ ଶିକ୍ଷା ପାଇଁ ରହିଛି ଅନୁକୂଳ ପରିବେଶ । କଲେଜ ପରିସରରେ ରହିଛି ଯୁକ୍ତ ଦୁଇ, ଡିଗ୍ରୀ ସହ ସ୍ନାତକୋତ୍ତର ବିଭାଗ । ମୋଟ ୩୪୦୦ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ବେଳେ ୧୭ଟି ୟୁଜି ଓ ୧୩ଟି ପିଜି ପାଠ୍ୟକ୍ରମ ରହିଛି । ଆବଶ୍ୟକ ଅନୁଯାୟୀ ମୋଟ ୬୩ ଜଣ ଅଧ୍ୟାପକ ପଦବୀ ଅନୁମୋଦନ ଥିବା ବେଳେ କାର୍ଯ୍ୟରତ ଅଛନ୍ତି ମାତ୍ର ୪୪ । ସେହିଭଳି ୬୮ଟି ସହଯୋଗୀ କର୍ମଚାରୀ ଅନୁମୋଦିତ ଥିବା ବେଳେ ଅଛନ୍ତି ମାତ୍ର ୨୧ ଜଣ । ଏକ ବୃହତମ ଲାଇବ୍ରେରୀ ଥିବା ବେଳେ ଦୀର୍ଘ ବର୍ଷ ହେଲା ଲାଇବ୍ରେରୀଆନ ପଦବୀ ଖାଲି ପଡ଼ିଛି । ଏହାଛଡା ପାନୀୟ ଜଳ ଓ ଆବଶ୍ୟକ ଶୈଚାଳୟ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ବିଦ୍ୟାର୍ଥୀ ।

ଗତ କିଛିଦିନ ମଧ୍ୟରେ ଏଠାରୁ ୭ ଅଧ୍ୟାପକ ଅନ୍ୟତ୍ର ବଦଳି ହୋଇ ଚାଲିଯାଇଛନ୍ତି । କଲେଜରେ ଯୁକ୍ତ ଦୁଇ ସଂଲଗ୍ନ ହୋଇ ରହିଥିବା ବେଳେ ଯୁକ୍ତ ଦୁଇ ଶିକ୍ଷାଦାନ କରିବାକୁ ଏଯାଏଁ ଗୋଟିଏ ବି ସ୍ଥାୟୀ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଅଭିଜ୍ଞ ଅଧ୍ୟାପକ ନିଯୁକ୍ତି ନ ହେବା ଯୋଗୁଁ ଶିକ୍ଷାର ମାନ ଓ କଲେଜ ପରିଚାଳନାରେ ଅନେକ ସମସ୍ୟା ଉପୁଜଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି । ସମସ୍ୟା ନେଇ ଉଚ୍ଚ ଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରା ଯାଉଥିଲେ ସୁଦ୍ଧା କଲେଜର ବିକାଶ ପାଇଁ ସେଭଳି ତତ୍ପରତା ପ୍ରକାଶ ପାଉ ନଥିବା ଅଭିଯୋଗ ହୋଇଛି ।

ସିଜ-ଫାୟାର, ନୋବେଲ ଓ କାଶ୍ମୀର: ଭାରତ ସହ ଟ୍ରମ୍ପ ସମ୍ପର୍କ ଖରାପ କରିବାର ୭ଟି କାରଣ

ନନ୍ଦିଘୋଷ ବ୍ୟୁରୋ: ଭାରତ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ବର୍ତ୍ତମାନ ସବୁଠାରୁ ଖରାପ ରହିଛି । ହେଲେ ପୂର୍ବରୁ ଏମିତି ନଥିଲା । ଟ୍ରମ୍ପଙ୍କ ପ୍ରଥମ ପାଳିରେ ଟେକ୍ସାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟଙ୍କ ହାଉଡି ମୋଦି ରାଲିରେ ସାମିଲ ହୋଇଥିଲେ । ଏହାର କିଛି ମାସ ପରେ ଗୁଜରାଟରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଠି ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଭାରତ ଓ ଆମେରିକା ସମ୍ପର୍କରେ ଏମିତି ବି ଦିନ ଆସିଥିଲା, ଯେତେବେଳେ ମୋଦି ଏବଂ ଟ୍ରମ୍ପଙ୍କ ବନ୍ଧୁତ୍ବର ମିସାଲ ଦେବା ଆରମ୍ଭ ହୋଇଯାଇଥିଲା ।

ସମୟ ବଦଳିଛି ଆଉ ଟ୍ରମ୍ପଙ୍କ ନୀତି ବି । ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ଆମେରିକାକୁ ପୁଣି ଥରେ ଶ୍ରେଷ୍ଠ କରିବା ନାଁରେ ଟ୍ରମ୍ପ ଯେଉଁ ଟାରିଫ ଯୁଦ୍ଧ ଆରମ୍ଭ କରିଛନ୍ତି ଏଥିରେ ନା କେବଳ ଶତ୍ରୁ, ବରଂ ମିତ୍ର ରାଷ୍ଟ୍ର ବି ଫସିଛନ୍ତି । ଏପରିକି ଭାରତକୁ ରଣନୈତିକ ସହଯୋଗୀ ଓ ମୋଦିଙ୍କୁ ବନ୍ଧୁ କହୁଥିବା ଟ୍ରମ୍ପ ଭାରତ ଉପରେ ସବୁଠାରୁ ଅଧିକ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଯାହା ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ସ୍ଥିତିକୁ ଚାଲିଯାଇଛି ।

ଭାରତକୁ ବନ୍ଧୁ କହୁଥିବା ଟ୍ରମ୍ପ କାହିଁକି ୫୦ ପ୍ରତିଶତ ଟାରିଫ ଲଗାଇଲେ ତାକୁ ନେଇ ଭିନ୍ନ ଭିନ୍ନ କଥା କହୁଯାଉଛି । ତେବେ ୭ଟି ଏମିତି କାରଣ ସମ୍ପର୍କରେ ଆମେ କହିବାକୁ ଯାଉଛୁ, ଯେଉଁଥିପାଇଁ ଟ୍ରମ୍ପଙ୍କ ଇଗୋ ହଟ୍ ହୋଇଗଲା ଓ ଯେଉଁ ଭୁଲ, ଭୁଲରେ ବି କୌଣସି ଆମେରିକୀୟ କରିବାକୁ ଚାହିଁବେ ନାହିଁ ସେହି ଭୁଲ ଟ୍ରମ୍ପ କରି ବସିଲେ ।

କାରଣ ନମ୍ବର ୧

ନ୍ୟୁୟର୍କ ଟାଇମ୍ସ ଅନୁସାରେ ୧୭ ଜୁନକୁ ଟ୍ରମ୍ପ G7 ସମ୍ମିଳନୀରୁ ଫେରିବା ବେଳେ ମୋଦିଙ୍କ ସହ ୩୫ ମିନିଟ ଫୋନରେ କଥା ହୋଇଥିଲେ । ଏହି ସମୟରେ ବି ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବାର କ୍ରେଡିଟ୍ ନେବାକୁ ଚାହିଁଥିଲେ । ହେଲେ ମୋଦି ସ୍ବଷ୍ଟ କରି ଦେଇଥିଲେ କି ଦୁଇ ଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିରେ ଆମେରିକାର କୌଣସି ଲେଣଦେଣ ନାହିଁ । ଏହାପରେ ବି ଟ୍ରମ୍ପ ମାନି ନଥିଲେ । ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଥର ସେ ଏହି କଥା କହି ସାରିଛନ୍ତି ।

କାରଣ ନମ୍ବର ୨

ଏହି ଫୋନ କଲ ସମୟରେ ଟ୍ରମ୍ପ, ମୋଦିଙ୍କୁ କହିଥିଲେ ପାକିସ୍ତାନ ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କ ନାଁ ନୋମିନେଟ କରିବାକୁ ଯାଉଛି । ଏପରି କହି ଟ୍ରମ୍ପ ସଙ୍କେତ ଦେଇଥିଲେ କି ଭାରତ ବି ସମାନ ପ୍ରକାର ତାଙ୍କ ନାଁ ନୋମିନେଟ କରିବା ଉଚିତ । ହେଲେ ଭାରତ ଏମିତି କରି ନଥିଲା । ଯେଉଁଥି ପାଇଁ ଟ୍ରମ୍ପଙ୍କ ରାଗ ହୋଇଯାଇଥିଲା । ଇସ୍ରାଏଲ, କମ୍ବୋଡିଆ ପରେ ଅଜରବାଇଜାନ ଓ ଆର୍ମେନିଆ ମଧ୍ୟ ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ନୋମିନେଟ କରିଛନ୍ତି ।

କାରଣ ନମ୍ବର ୩

କାନାଡାରେ ଜୁନ ୧୬ରୁ ୧୭ ପର୍ଯ୍ୟନ୍ତ ହୋଇଥିବା G7 ସମ୍ମିଳନୀର ପ୍ରଥମ ଦିନରେ ଟ୍ରମ୍ପ ସାମିଲ ହୋଇ ଫେରି ଆସିଥିଲେ । ସେଠାରେ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଆଲୋଚନା ହେବାର ଥିଲା । ଏହାପରେ ଦୁଇ ନେତା ଫୋନରେ କଥା ହୋଇଥିଲେ । ଟ୍ରମ୍ପ ମୋଦିଙ୍କୁ କହିଥିଲେ, ଆମେରିକା ହୋଇ ଭାରତ ଯିବାକୁ । ହେଲେ ମୋଦି ମନା କରି ଦେଇଥିଲେ । ଏହି ସମୟରେ ପାକିସ୍ତାନ ଆର୍ମି ଚିଫ୍ ଅସିମ ମୁନିର ଓ୍ବାସିଂଟନରେ ଥିଲେ । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ମୋଦି ଚିନ୍ତା କରିଥିଲେ ଯେ ସେ ଆମେରିକା ଗଲେ ଟ୍ରମ୍ପ ମୁନିରଙ୍କ ସହ ତାଙ୍କ ବୈଠକ କରାଇବାକୁ ଚେଷ୍ଟା କରିବେ । କ୍ରୋଏସିଆକୁ ଯିବାକୁ ଥିବା କହି ମୋଦି ଟ୍ରମ୍ପଙ୍କ ଅଫରକୁ ଟାଳି ଦେଇଥିଲେ ।

କାରଣ ନମ୍ବର ୪

ଏହି ଫୋନ କଲ ସମୟରେ ମୋଦି ସ୍ପଷ୍ଟ କରି ଦେଇଥିଲେ ଯେ, କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷଙ୍କ ମଧ୍ୟସ୍ଥତା ସ୍ବୀକାର କରାଯିବନି । ଯାହାର ସୂଚନା ଦେଇ ବୈଦେଶିକ ସଚିବ କହିଥିଲେ, ପାକିସ୍ତାନ ବିବାଦ ସମାଧାନ ପାଇଁ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ । ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଟ୍ରମ୍ପ କହିଥିଲେ, ମୁଁ ଦୁଇ ଦେଶ ସହ ମିଶି ଏହା ଦେଖିବି ଯେ, ଯେମିତି ଦୁଇ ପକ୍ଷ କାଶ୍ମୀର ସମସ୍ୟାର ସମାଧାନ ବାହାର କରିପାରିବେ ।

କାରଣ ନମ୍ବର ୫

ଏହି ଫୋନ କଲରୁ ନିରାଶ ହେବା ପରେ ଟ୍ରମ୍ପ ଭାରତ ବିରୋଧରେ କହିବା ଆରମ୍ଭ କରିଦେଇଥିଲେ । ସେ ଭାରତକୁ ଡେଡ ଇକୋନମି (ମୃତ ଅର୍ଥବ୍ୟବସ୍ଥା ) କହିବା ସହ ଭାରତୀୟ ବ୍ୟବସାୟ ନୀତିକୁ ଖରାପ କହିଥିଲେ । ଏହାପରେ ଟ୍ରମ୍ପ ଭାରତୀୟ ଦ୍ରବ୍ୟ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କଲେ । ବ୍ଲୁମବର୍ଗ ଅନୁସାରେ ଜୁନରେ ହୋଇଥିବା ଫୋନ୍ କଲ୍ ପରେ ଦୁଇ ନେତାଙ୍କ ମଧ୍ୟରେ ଆଉ କୌଣସି ଆଲୋଚନା ହୋଇନି ।

କାରଣ ନମ୍ବର ୬

ଦୀର୍ଘଦିନରୁ ଆମେରିକା ନିଜର କୃଷିଦ୍ରବ୍ୟ ଓ ଡାଏରୀ ପ୍ରଡକ୍ଟ ପାଇଁ ଭାରତୀୟ ବଜାର ଖୋଲିବାକୁ ଦାବି କରି ଆସୁଛି । ହେଲେ, ଭାରତ ଆମେରିକୀୟ କୃଷି ଉତ୍ପାଦ ଉପରେ ଟାରିଫ କମ କରିବା ଦାବିକୁ ଅସ୍ବୀକାର କରିଦେଲା ଓ ଘରୋଇ ଚାଷୀଙ୍କ ହିତକୁ ସର୍ବାଗ୍ରେ ରଖିଲା । ଜର୍ମାନ ଖବରକାଗଜ FAZ ଅନୁସାରେ, ଭାରତ ଆମେରିକା ସହ ହେବାକୁ ଥିବା ବେପାର ସମ୍ବନ୍ଧିୟ ଆଲୋଚନାକୁ ବାତିଲ କରିଦେବା ସହ ଆମେରିକୀୟ ପ୍ରତିନିଧି ମଣ୍ଡଳିଙ୍କୁ ଦିଲ୍ଲୀ ଆସିବାକୁ ମନା କରାଗଲା । ଦୁଇ ଦେଶ ମଧ୍ୟରେ ଦ୍ବିପେକ୍ଷିକ ବ୍ୟାପାର ବୁଝାମଣା (BAT) ଅନୁସାରେ ଅଗଷ୍ଟ ୨୫ରୁ ୨୯ ତାରିଖ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାର ଥିଲା । ଆମେରିକୀୟ ଡାଏରୀ ଉତ୍ପାଦ ଓ GM ଫସଲ ଆମଦାନୀ ଉପରେ ଅସହମତି କାରଣରୁ ଜୁଲାଇରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲା ।

କାରଣ ନମ୍ବର ୭

ଅଗଷ୍ଟ ୨୭ ତାରିଖରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଲା । ଏଥିରେ ୨୫ ପ୍ରତିଶତ ଟାରିଫ ପେନାଲ୍ଟି ଭାବେ ଲଗାଯାଇଛି । କାରଣ ଭାରତ ଋଷ ପାଖରୁ ତେଲ କିଣୁଥିବାରୁ ଏହି ପେନାଲ୍ଟି ଆମେରିକା ଲଗାଇଛି । ଆମେରିକା କହୁଛି, ଭାରତ ତେଲ କିଣି ଋଷକୁ ଯୁଦ୍ଧରେ ସାହାଯ୍ୟ କରୁଛି । ହେଲେ ଭାରତ ଋଷରୁ ତେଲ କିଣିବା ବନ୍ଦ କରିଲାନି । ଏହାକୁ ରାଷ୍ଟ୍ରୀୟ ହିତ କହି ଏବେ ବି ତେଲ କିଣିବା ଜାରି ରଖିଛି । ଆମେରିକା ଚାହୁଁଛି ୟୁରୋପୀୟ ଦେଶ ବି ଭାରତ ଉପରେ ଟାରିଫ ଲଗାନ୍ତୁ । କିନ୍ତୁ ୟୁରୋପୀୟ ୟୁନିୟନ ଏହି ଘଟଣାରେ ନିରବତା ଅବଲମ୍ବନ କରିଛି ।

ମହାପ୍ରଭୁଙ୍କ ଦର୍ଶନ ନାଁରେ ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିଆ ଥ୍ରିଲସ ୱେବସାଇଟ…

ପୁରୀ : ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର। ମହାପ୍ରଭୁଙ୍କ ଦର୍ଶନ ନାଁରେ ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିଆ ଥ୍ରିଲସ ୱେବସାଇଟ । ୱେବସାଇଟରେ ଜଗନ୍ନାଥ ଦର୍ଶନ ନେଇ ଦିଆଯାଇଛି ଫେକ୍ ତଥ୍ୟ । ଦର୍ଶନ ସମୟ ଅନୁସାରେ ଟଙ୍କା ନିର୍ଦ୍ଧାରିତ ନେଇ ୱେବସାଇଟରେ ତଥ୍ୟ ରହିଛି । ଶ୍ରୀମନ୍ଦିରରେ ଦର୍ଶନ ନିଶୁଳ୍କ ରହିଥିବା ବେଳେ ୱେବସାଇଟରେ ରହିଛି ବିଭିନ୍ନ ବର୍ଗର ଦେୟ ଯୁକ୍ତ ଦର୍ଶନ ନେଇ ତଥ୍ୟ । ଲୋକଙ୍କ ପାଇଁ ଗଳାବାଟ ଦର୍ଶନକୁ ଇଣ୍ଡିଆ ଥ୍ରିଲସ୍ ତଥ୍ୟ ଆହୁରି ପ୍ରୋତ୍ସାହିତ କରିବା ଭଳି । ଜଗନ୍ନାଥ ଦର୍ଶନ ପାଇଁ ୫୦ ଟଙ୍କା, ୧୦୦ ଟଙ୍କା, ୫୦୦ ଟଙ୍କାର ରେଟ ଚାର୍ଟ ଦେଇଛି ଉକ୍ତ ୱେବସାଇଟ । ଇଣ୍ଡିଆ ଥ୍ରିଲ୍ସ ୱେବସାଇଟରେ ଜଗନ୍ନାଥ ମନ୍ଦିର, ଏହାର ଇତିହାସ ଓ ଦର୍ଶନକୁ ନେଇ ତଥ୍ୟ ରହିଛି । ଶ୍ରୀମନ୍ଦିରରେ ଦର୍ଶନ ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଉକ୍ତ ୱେବ୍ ସାଇଟ୍ ଭକ୍ତଙ୍କ ଭାବାବେଗ ସହ ଖେଳିଛି ଖେଳ । ବାହାରୁ ଆସୁଥିବା ସାଧାରଣ ଭକ୍ତ ଏହି ତଥ୍ୟ ଦେଖିଲେ ଭ୍ରମିତ ହେବା ସ୍ବାଭାବିକ । ୱେବସାଇଟ ତଥ୍ୟ ଅନୁସାରେ ସକାଳ ୭ଟାରୁ ରାତି ୧୨। ଅପରାହ୍ନ ୪ଟାରୁ ରାତି ୮ ମଧ୍ୟରେ ସ୍ଵତନ୍ତ୍ର ଦର୍ଶନ ନେଇ ତଥ୍ୟ ରହିଛି । ଯାହାର ମୂଲ୍ୟ ୫୦ ଟଙ୍କା ବୋଲି ଦର୍ଶାଯାଇଛି। ଶୀଘ୍ର ଦର୍ଶନ ପାଇଁ ୧୦୦ ଟଙ୍କା, ଭିଆଇପି ଦର୍ଶନ ପାଇଁ ୫୦୦ ଟଙ୍କା, ରାତ୍ରି ଦର୍ଶନ ପାଇଁ ୫୦ ଟଙ୍କା ଦର୍ଶାଯାଇଛି ।

ଜୀବନ ହାରିଲେ ୟୁଟ୍ୟୁବ ବ୍ଲଗରଙ୍କ ସାନଭାଇ

ଭୁବନେଶ୍ବର : ଜୀବନ ହାରିଲେ ୟୁଟ୍ୟୁବ ବ୍ଲଗରଙ୍କ ସାନଭାଇ । ବାଇକ ରାଇଡିଂକୁ ନିଜ ନିଶା ବନାଇଥିବା ସନ୍ଦୀପ କୁମାର ଦାସ ସାନ ଭାଇ ସନ୍ଦେଶ ଦାସଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବର ପୁନାମା ଗେଟ ନିକଟ ରେଲୱେ କ୍ରସିଂ ଉପରୁ ମିଳିଛି ସନ୍ଦେଶଙ୍କ କ୍ଷତବିକ୍ଷତ ମୃତଦେହ । ଖବର ପାଇ GRP ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଆତ୍ମହତ୍ୟା ନେଇ ସନ୍ଦେହ କରୁଥିବା ବେଳେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ଇନଷ୍ଟାଗ୍ରାମରେ ଭିଡିଓ ବନାଇ ଲୋକଙ୍କ ମନୋରଞ୍ଜନ କରୁଥିବା ସନ୍ଦୀପଙ୍କ ସାନ ଭାଇଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ପାରିବାରିକ ଝଗଡା ନା ଆର୍ଥିକ ସମସ୍ୟା କିମ୍ବା ପ୍ରେମ ରେ ଧୋକା ? ଏସବୁକୁ ନେଇ ଚାଲିଛି ଖୋଳତାଡ଼ । ସନ୍ଦେଶ କରିଥିବା ଶେଷ କଲକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ । କିନ୍ତୁ ସନ୍ଦୀପଙ୍କ ବାଇକକୁ ବ୍ୟବହାର କରୁଥିବାରୁ ପ୍ରଥମେ ସନ୍ଦୀପଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରୁଥିଲା ପୋଲିସ । କିନ୍ତୁ ସେ ସନ୍ଦୀପ ନୁହଁନ୍ତି, ବରଂ ସନ୍ଦୀପଙ୍କ ସାନ ଭାଇ ସନ୍ଦେଶ ବୋଲି ସ୍ପଷ୍ଟ କରିଛି ପୋଲିସ ।

ବେଲପାହାଡ ମ୍ୟୁନିସିପାଲଟିରେ ଦୁର୍ନୀତି ପ୍ରସଙ୍ଗ : ନିଲମ୍ବନ ହେଲେ ଯମଡା ତହସିଲଦାର

ନନ୍ଦିଘୋଷ ବ୍ୟୁରୋ : ବେଲପାହାଡ ମ୍ୟୁନିସିପାଲଟିରେ ଦୁର୍ନୀତି ପ୍ରସଙ୍ଗ। ନିଲମ୍ବନ ହେଲେ ଯମଡା ତହସିଲଦାର। ବେଲପାହାଡ଼ ମ୍ୟୁନିସିପାଳିଟିର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଜମଡା ତହସିଲଦାର ମଧୁସ୍ମିତା ସିଂହଙ୍କୁ ନିଲମ୍ବନ କରିଛି ରାଜସ୍ୱ ବିଭାଗ। ଏହାସହ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ସରିବା ଯାଏଁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ ମଧୁସ୍ମିତା। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ବେଳପାହାଡ଼ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଥିବା ବେଳେ ଷ୍ଟ୍ରିଟ ଲାଇଟ ପ୍ରୋଜେକ୍ଟ, କେଶ ବୁକ ଅନିୟମିତତା, ରସାୟନ କିଣାବିକା ଆଦିରେ ଦୁର୍ନୀତି ହେଇଥିବା ନେଇ ଅଭିଯୋଗ ପରେ EOW ବେଳପାହାଡ଼ ଆସି ଏହାର ଯାଞ୍ଚ କରିଥିଲା। ଏହି ଘଟଣାରେ ବେଳପାହାଡ଼ ମ୍ୟୁନିସିପାଳିଟିର ଆକାଉଣ୍ଟେଣ୍ଟ ବିଭୁତି ସାହୁ ଗିରଫ ହୋଇ ସାରିଛନ୍ତି।

୭ ବର୍ଷ ପରେ ମୋଦି-ଜିନପିଙ୍ଗ୍ ଭେଟଘାଟ୍,ଚୀନ କହିଲା-ହାତୀ ଓ ଡ୍ରାଗନ ଏକାଠି ହେବା ଜରୁରୀ

ନନ୍ଦିଘୋଷ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି। ସେଠାରେ ସେ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଏକ ଘଣ୍ଟା ଧରି ବୈଠକ କରିଛନ୍ତି। ଏହି ବୈଠକରେ ସୀମାରେ ଶାନ୍ତି ଓ ସ୍ଥିରତା ଉପରେ ଗୁରୁତ୍ବ ଦିଆଯାଇଛି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ନେଇ ଆଲୋଚନା କରିଛନ୍ତି। ଚୀନ ରାଷ୍ଟ୍ରପତି ମୋଦୀଙ୍କ ଚୀନ ଗସ୍ତ ପାଇଁ ଖୁସି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଡ୍ରାଗନ ଓ ହାତୀର ଏକତ୍ର ହେବା ଜରୁରୀ।
ସାତ ବର୍ଷ ପରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ଏହି ବୈଠକ ହୋଇଛି। ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଆମେରିକାର ଟାରିଫ ମଧ୍ୟରେ ଭାରତ ଓ ଚୀନର ନିକଟତା ଉପରେ ବିଶ୍ୱର ଦୃଷ୍ଟି ରହିଛି।
ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଉପରେ ଆଲୋଚନା ହୋଇଥିବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ସହ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ।
ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଗତ ବର୍ଷ କଜାନରେ ଆମର ବୈଠକ ଅତ୍ୟନ୍ତ ଉପଯୋଗୀ ଥିଲା, ଯାହା ଆମ ସମ୍ପର୍କକୁ ଏକ ସକାରାତ୍ମକ ଦିଗ ଦେଇଛି। ସୀମାରେ ସୈନ୍ୟ ପ୍ରତ୍ୟାହାର ପରେ ଶାନ୍ତି ଓ ସ୍ଥିରତାର ମାହୋଲ ସୃଷ୍ଟି ହୋଇଛି।”
ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ସମ୍ପର୍କ ଏକ ସକାରାତ୍ମକ ଦିଗ ପାଇଛି। ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ସୀମାରେ ଶାନ୍ତି ଓ ସ୍ଥିରତା ରହିଛି। କୈଲାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି। ଏହା ସହ ୨.୮ ବିଲିୟନ ଲୋକ ଜଡ଼ିତ ଏବଂ ଏହାର ଲାଭ ସମଗ୍ର ମାନବଜାତିକୁ ମିଳିବ। ଏସସିଓର ସଫଳତା ପାଇଁ ମୁଁ ଅଭିନନ୍ଦନ ଜଣାଉଛି। ଉଭୟ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବା ଉଚିତ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଶି ଜିନପିଙ୍ଗ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ, ଆପଣଙ୍କୁ ଭେଟି ଖୁସି ଲାଗୁଛି। ମୁଁ ଏସସିଓ ଶିଖର ସମ୍ମିଳନୀ ପାଇଁ ଚୀନକୁ ଆପଣଙ୍କୁ ସ୍ୱାଗତ କରୁଛି। ଗତ ବର୍ଷ କଜାନରେ ଆମର ସଫଳ ବୈଠକ ହୋଇଥିଲା।” ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାତ ବର୍ଷ ପରେ ଚୀନ ଗସ୍ତରେ ଯାଇଛନ୍ତି। ୨୦୨୦ ମସିହା ଜୁନରେ ଗଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା। ତେବେ ସାମ୍ପ୍ରତିକ ସମୟରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କକୁ ପୁଣି ଠିକ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଗସ୍ତର ଉଦ୍ଦେଶ୍ୟ ଉଭୟ ଦେଶ ମଧ୍ୟରେ ସୀମା ବିବାଦକୁ କମ କରିବା ମଧ୍ୟ ରହିଛି।
ସାତ ବର୍ଷ ପରେ ଚୀନରେ ତିଆନଜିନ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ ପାଇଁ ରେଡ କାର୍ପେଟ ବିଛାଯାଇଥିଲା। ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ସହ ତାଙ୍କୁ ସ୍ୱାଗତ କରାଯାଇଥିଲା। ଟ୍ରମ୍ପଙ୍କ ତରଫରୁ ଭାରତ ଉପରେ ୫୦%, ଚୀନ ଉପରେ ୩୦%, କଜାକିସ୍ତାନ ଉପରେ ୨୫% ଏବଂ ଅନ୍ୟ ଏସସିଓ ଦେଶମାନଙ୍କ ଉପରେ ଉଚ୍ଚ ଟାରିଫ ଲଗାଯାଇଛି। ଏହି ପରିପ୍ରେକ୍ଷୀରେ ଏସସିଓ ବୈଠକରେ ଟାରିଫ ନେଇ ମଧ୍ୟ ଆଲୋଚନା ହୋଇପାରେ।

ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟର ଜରୁରୀ ଅବତରଣ

ନନ୍ଦିଘୋଷ ବ୍ୟୁରୋ : ଦେଶବ୍ୟାପୀ ଏୟାର ଇଣ୍ଡିଆର ଫ୍ଲାଇଟଗୁଡ଼ିକରେ ଟେକ୍ନିକାଲ ସମସ୍ୟା ସମ୍ପର୍କିତ ଖବରଗୂଡ଼ିକ ଏବେ ଯେମିତି ସାଧାରଣ ହୋଇଗଲା ପରି ଲାଗୁଛି। ପ୍ରାୟ ପ୍ରତିଦିନ କୌଣସି ନା କୌଣସି ଫ୍ଲାଇଟରେ ଏହି ପ୍ରକାରର ସମସ୍ୟା ସାମ୍ନାକୁ ଆସୁଛି। ଆଜି ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଫ୍ଲାଇଟରେ ମଧ୍ୟ ଏପରି କିଛି ଘଟିଛି, ଯାହା ଉଡ଼ାଣ କରିବାର କିଛି ସମୟ ପରେ ଦିଲ୍ଲୀକୁ ଫେରି ଆସିଥିଲା। ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀକାଳିନ ଅବତରଣ କରିବାକୁ ପଡିଥିଲା ।

ଖବର ଅନୁସାରେ ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆର ଫ୍ଲାଇଟ AI 2913କୁ ଉଡ଼ାଣ କରିବାର କିଛି ସମୟ ପରେ ଦିଲ୍ଲୀରେ ଜରୁରୀକାଳିନ ଅବତରଣ କରିବାକୁ ପଡ଼ିଥିଲା। ଏହାର କାରଣ ଥିଲା କକ୍ପିଟ୍ କ୍ରୁଙ୍କୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ମିଳିଥିଲା, ଯାହା ପରେ ନିୟମାନୁସାରେ ଇଞ୍ଜିନକୁ ବନ୍ଦ କରାଯାଇଥିଲା।
ଏହା ସହିତ ପାଇଲଟ ବିମାନକୁ ନିରାପଦ ଭାବେ ଦିଲ୍ଲୀକୁ ଫେରାଇ ଆଣିଥିଲେ। ଯାଞ୍ଚ ପାଇଁ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ଯାତ୍ରୀମାନଙ୍କୁ ବିକଳ୍ପ ବିମାନରେ ଇନ୍ଦୋର ପଠାଯାଉଛି। ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି।

ଏୟାରଲାଇନ ପକ୍ଷରୁ କ’ଣ କୁହାଯାଇଛି?
ଏୟାରଲାଇନ ଅଧିକ ବିବରଣୀ ନଦେଇ କହିଛି, ‘୩୧ ଅଗଷ୍ଟରେ ଦିଲ୍ଲୀରୁ ଇନ୍ଦୋର ପାଇଁ ଉଡ଼ାଣ କରୁଥିବା ଫ୍ଲାଇଟ AI 2913 ଉଡ଼ାଣ କରିବାର କିଛି ସମୟ ପରେ ଦିଲ୍ଲୀକୁ ଫେରିଆସିଥିଲା, କାରଣ କକ୍ପିଟ୍ କ୍ରୁଙ୍କୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସିଗ୍ନାଲ ମିଳିଥିଲା।’ ଏୟାରଲାଇନ କହିଛି ଯେ ବିମାନ ସୁରକ୍ଷା ନିୟାମକ ନାଗରିକ ଉଡ଼୍ଡୟନ ମହାନିର୍ଦେଶାଳୟକୁ ଏହି ଘଟଣାର ସୂଚନା ଦିଆଯାଇଛି। ଏୟାରଲାଇନ ପକ୍ଷରୁ କୁହାଯାଇଛି ଯେ ଟେକ୍ନିକାଲ ସମସ୍ୟା ସାମ୍ନାକୁ ଆସିବା ପରେ କକ୍ପିଟ୍ କ୍ରୁ ଉଡ଼ାଣ ନ କରିବାର ନିଷ୍ପତ୍ତି ନେଇଥିଲେ ।
ଏହା ପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆ ସମ୍ପର୍କରେ ଏପରି ଅନେକ ଘଟଣା ଘଟିଛି। ପୂର୍ବରୁ ୧୮ ଅଗଷ୍ଟରେ କୋଚିନ ବିମାନବନ୍ଦରରେ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟକୁ ହଠାତ୍ ଟେକ୍ଅଫ୍ ରୋକା ଯାଇଥିଲା। ତା’ପରେ ୧୬ ଅଗଷ୍ଟରେ ମଧ୍ୟ ଏୟାର ଇଣ୍ଡିଆର ମିଲାନ (ଇଟାଲୀ)-ଦିଲ୍ଲୀ ଫ୍ଲାଇଟଟି ଶେଷ ମୁହୂର୍ତ୍ତରେ ରଦ୍ଦ ହୋଇଥିଲା। ଏହାର କାରଣ ମଧ୍ୟ ଟେକ୍ନିକାଲ୍ ଖରାପ ଥିଲା। ଫ୍ଲାଇଟରେ ଏପରି ଖରାପ ଯୋଗୁଁ ଯାତ୍ରୀମାନେ ଅନେକ ଅସୁବିଧାର ସାମ୍ନା କରିଛନ୍ତି।

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ମାଡ଼

କେନ୍ଦ୍ରାପଡା : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ମାଡ଼ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅଧିନ ବରେଇ ରାଜସ୍ୱ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ବୃଦ୍ଧ ଜଣଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗଣେଷ ପୂଜାଦିନ ଇଚ୍ଛାପୁର ବଳଦେବଜୀଉଙ୍କ ମନ୍ଦିରରୁ କାମ ସାରି ଉମେଶ ଜାତି ରାତି ୧୦ଟାରେ ଘରକୁ ଫେରିଥିଲେ । ଘରେ ଖାଇ ପିଇ ବୃଦ୍ଧା ମା ଓ ପୁଅ ଉମେଶ ଶୋଇଥିବା ବେଳେ ପଡୋଶୀ ମିଟୁ ଓ ତାର ଦୁଇ ଭାଇ ଓ ବାପା ଚାରିଜଣ ଘର କବାଟ ଭାଙ୍ଗି ଘରେ ପଶିଥିଲେ । ୬୫ ବର୍ଷର ବୃଦ୍ଧ ଉମେଶଙ୍କୁ ରାତି ଅଧରେ ଘରୁ ଟେକି ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମରିଯାଇଥିବା ଭାବି ଘର ଆଗରେ ଫୋପାଡ଼ି ଦେଇଥିଲେ। ପରିବାରର ଅଭିଯୋଗ ଅନୁଯାୟୀ, ସେହି ଗାଁର ଜଣେ ଯୁବକଙ୍କ ପତ୍ନୀଙ୍କୁ ଗୁଣି ହୋଇଥିବାର ସନ୍ଦେହ କରିଥିଲେ ଆକ୍ରମଣକାରୀ। ଗୁଣିଆ ସନ୍ଦେହରେ ଘରୁ ଉଠାଇ ନେଇ, ରଡ୍ ଓ ବାଡି ସାହାଯ୍ୟରେ ବୃଦ୍ଧଙ୍କୁ ରାତି ତମାମ ଉଲଗ୍ନ କରି ପିଟିଥିଲେ। ଏ ନେଇ ମାର୍ଶାଘାଇ ଥାନାରେ ବୃଦ୍ଧଙ୍କ ଝିଅ ଏତଲା ଦେବା ପରେ ପୋଲିସ ତଦନ୍ତ ଜାରି ରଖିଛି।