spot_img
Home Blog Page 525

ଅନୁସୂଚୀତ ଜାତି, ଜନଜାତିଙ୍କ ବିକାଶ ପାଇଁ ଥିବା ଯୋଜନା ଠିକ କାର୍ଯ୍ୟକାରୀ ହେଉଛି କି ନାହିଁ ?

ନନ୍ଦିଘୋଷ ବ୍ୟୁରୋ: ଭାରତର ଅନୁସୂଚିତ ଜାତି ଜନଜାତି ସଂସଦୀୟ ଷ୍ଟାଣ୍ଡିଂ କମିଟି ସମ୍ମିଳନୀରେ ଅନୁସୂଚିତ ଜାତି ଜନଜାତି ବର୍ଗଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଏବେ ଅନୁସୂଚିତ ଜାତି ଓ ଜନଜାତି ଲୋକେ ବହୁ ମାତ୍ରାରେ ଅତ୍ୟାଚାରିତ ହେଉଥିବା ବେଳେ ସେ ସବୁକୁ ରୋକିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଇଛି । ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଜାତୀୟ ଜାତି ଜନଜାତି ସମ୍ମିଳନୀରେ ଏଭଳି ମତ ପ୍ରକାଶ ପାଇଛି । ଲୋକସଭା ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କରିଥିବା ବେଳେ ସଂସଦ ତଥା ବିଭିନ୍ନ ରାଜ୍ୟର ଏସସି/ଏସଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ ସଦସ୍ୟ ଯୋଗଦେଇଛନ୍ତି ।

ଅନୁସୂଚୀତ ଜାତି, ଜନଜାତିଙ୍କ ବିକାଶ ପାଇଁ ଥିବା ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ? ସେମାନଙ୍କ ପାଇଁ ଥିବା ବଜେଟ ଖର୍ଚ୍ଚ ହେଉଛି କି ନାହିଁ ? ଟ୍ରାଇବାଲ ଓ ସିଡ୍ୟୁଲ କାଷ୍ଟ ସବପ୍ଲାନ ଠିକ ଭାବେ ଖର୍ଚ୍ଚ ହେଉଛି କି ନାହିଁ ? ପେସା ଓ ସଂରକ୍ଷଣ ଆଇନ, ଜଙ୍ଗଲ ଅଧିକାର ଆଇନ, ଆଟ୍ରୋସିଟି ଆଇନ ସବୁ ଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ? ଅନୁସୂଚିତ ଜାତି ଜନଜାତି ବର୍ଗର ଲୋକଙ୍କ ଏସବୁ ପ୍ରସଙ୍ଗକୁ ଭୁବନେଶ୍ୱରରେ ଆୟୋଜିତ ଜାତୀୟସ୍ତରୀୟ ଅନୁସୂଚିତ ଜାତି ଜନଜାତି ସଂସଦୀୟ ଷ୍ଟାଣ୍ଡିଂ କମିଟି ସମ୍ମିଳନୀରେ ଏସବୁ ବିଷୟକୁ ନେଇ ଚର୍ଚ୍ଚା ହୋଇଛି । ଜାତି ଜନଜାତିଙ୍କର ସଂସଦୀୟ ଷ୍ଟାଣ୍ଡିଂ କମିଟିର ବୈଠକରେ ଏସସି/ଏସଟି ବର୍ଗର ବିକାଶ ପାଇଁ କାମ ହେବା ଦରକାର ବୋଲି ଦାବି କରିଛି ବିଜେଡି । ବିଜେଡି ସମୟରେ ଅଷ୍ଟମ ଅନୁଚ୍ଛେଦ ଅନୁଯାୟୀ ଆଦିବାସୀ ଭାଷାକୁ ମାନ୍ୟତା ଦେବାକୁ ଦାବି ହୋଇଥିଲା । ହୋ, ଭୂମିଜ, ମୁଣ୍ଡାରୀ ଭାଷାକୁ ମାନ୍ୟତା, ଆଦିବାସୀଙ୍କୁ ପଟ୍ଟା ଦେବାକୁ ଦାବି କରିଛି ବିଜେଡି । ଆଦିବାସୀଙ୍କ ପାଇଁ ସରକାର କିଛି କରୁନାହାନ୍ତି । ଷ୍ଟାଣ୍ଡିଂ କମିଟି ଯାହା ସୁପାରିଶ କରୁଛି ତାହାକୁ ସରକାର କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଦଳ କହିଛି । କଂଗ୍ରେସର କହିବା କଥା ଓଡ଼ିଶାରେ ଏସସି/ଏସଟି ମହିଳା ସବୁଠୁ ଅଧିକ ପୀଡିତ, କିନ୍ତୁ ଏ ସମ୍ପର୍କରେ ସରକାର ନିରବ । ପେସା ଆଇନ ଲାଗୁ ପାଇଁ ନିଜେ ଷ୍ଟେଟମେଣ୍ଟ ଦେଇଥିଲେ ମୁଖ୍ୟମନ୍ତ୍ରୀ, କିନ୍ତୁ କଥା କଥାରେ ରହିଗଲା। ମୁଖ୍ୟମନ୍ତ୍ରୀ ଆଦିବାସୀ ହୋଇଥିବାରୁ ସେ ଅନୁସୂଚିତ ଜାତି, ଜନଜାତିଙ୍କୁ ନ୍ୟାୟ ଦେବାକୁ ଦାବି କରିଛି କଂଗ୍ରେସ ।

ସେପଟେ ଆମ ସରକାର ଆଦିବାସୀ ଜନଜାତି ପାଇଁ କାମ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ଏସସି/ଏସଟି ବିଭାଗ ବଜେଟ ୬୮ ହଜାର ୮୮୧ କୋଟି କରିଛନ୍ତି । ଆଦିବାସୀଙ୍କ ପାଇଁ ଫରେଷ୍ଟ ପ୍ରୋସେସିଙ୍ଗ ୟୁନିଟ୍ କରିବେ ସରକାର । ସମସ୍ତ ଜନଜାତି ଭାଷାରେ ଶିକ୍ଷାଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଦୁଇ ଦୁନିଆ ସମ୍ମିଳନୀରେ ପ୍ରସ୍ତାବ ଓ ପରାମର୍ଶକୁ ନେଇ ନୂଆ ନୀତି ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ମିଳନୀରେ ଯୋଗ ଦେଇ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ବେଳେ ବେଳେ ସଂସଦୀୟ କମିଟିର ରିପୋର୍ଟରେ ଦେଖିବାକୁ ମିଳୁଛି ଯେଉଁ ବିଷୟ ବସ୍ତୁ ପାଇଁ ବଜେଟ ଆବଣ୍ଟନ ହେଉଛି ତାହା କାର୍ଯ୍ୟକାରୀ ହେଉନି । ସେହି ଦିଗରେ ଅଧିକ ବିଚାରବିମର୍ଷ କରିବାକୁ ପଡ଼ିବ ।

ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନେ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେଉଛି । ସଂସଦ, ବିଧାନସଭା ଓ କେନ୍ଦ୍ର ଶାସିତ ଅଞ୍ଚଳ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ଯୋଗ ଦେଇଥିବା ଏହି ସମ୍ମିଳନୀ ଦୁଇଦିନ ଧରି ଚାଲିବ ।

କେବେ ହେବ ମହାନଦୀ ଜଳ ବିବାଦର ଅନ୍ତ ?

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ହେଉଛି ଓଡ଼ିଶାର ହକ । ଆଉ ହକ ଲାଗି ମହାନଦୀ ପାଇଁ ଛତିଶଗଡ଼ ସହ ଲଢେଇ ଜାରି ରଖିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ପ୍ରଥମ ଦିନ ଗୋଲ ଟେବୁଲ ବୈଠକ ପରେ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ସ୍ମାରକପତ୍ର ଦେଇଛି ସଙ୍ଗଠନ । ସେପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଟ୍ରିପଲ ଇଞ୍ଜିନ ସରକାରରେ ତୁରନ୍ତ ଓଡ଼ିଶାକୁ ହକ ମିଳୁ ବୋଲି ଦାବି ହୋଇଛି ।

କେବେ ହେବ ମହାନଦୀ ଜଳ ବିବାଦର ସମାଧାନ ? କେବେ ଓଡ଼ିଶାକୁ ମିଳିବ ତାର ହକ୍ ? ଓଡ଼ିଶାର ଦାବି ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ଛତିଶଗଡ଼ରେ ଲଢ଼େଇକୁ ଜୋରଦାର କରିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କୁ ସଂଗଠନ ପ୍ରଦାନ କରିଛି ସ୍ମାରକପତ୍ର । ମହାନଦୀ ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦିଆଯାଇଛି । ସିଭିଲ ସୋସାଇଟି ସହ ଆଲୋଚନା କରି ମହାନଦୀ ଉପରେ ନିର୍ଭରଶୀଳ ଲୋକଙ୍କ ସହ ଆଲୋଚନା କରାଯାଉ । ଜଳ ଆବଣ୍ଟନ ନେଇ ନିଷ୍ପତ୍ତି ନେବା ପୂର୍ବରୁ ବିଶେଷଜ୍ଞ ଦଳ ସହ କରାଯାଉ ଆଲୋଚନା । ଇକୋଲୋଜିକାଲ ଦିଗକୁ ଗୁରୁତ୍ୱ ଦେଇ ସବୁ ଷ୍ଟେକ ହୋଲ୍ଡରଙ୍କୁ ନେଇ ଖୋଲା ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି । ସେପଟେ ମହାନଦୀ ଜଳ ବିବାଦ ସମାଧାନ ଦିଗରେ ସରକାରୀ ଦଳର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି ବିଜେଡି ।

ମହାନଦୀ ପ୍ରସଙ୍ଗରେ ବିଜେପି ସରକାରଙ୍କ ନୀତିକୁ ନେଇ ବର୍ଷିଛି କଂଗ୍ରେସ । ଏବେ ଟ୍ରିପଲ ଇଞ୍ଜିନ ସରକାର । ଛତିଶଗଡ଼, କେନ୍ଦ୍ର ଓ ଓଡ଼ିଶାରେ ବିଜେପି ସରକାର । ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଲଢ଼ିବା କଥା, ତଥାପି ନ୍ୟାୟ ମିଳୁନି । ସରକାର ଚାହିଁଲେ ଗୋଟିଏ ଦିନରେ ସମସ୍ୟାର ସମାଧାନ ହେବ । ହେଲେ ବିରୋଧୀଙ୍କ ଜବାବରେ ଚିରାଚରିତ ଭାବେ ଉତ୍ତର ରଖିଛି ବିଜେପି । ସରକାରର ନିଷ୍ଠା ଅଛି ଓ ଆଲୋଚନା ପର୍ଯ୍ୟାଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ କରାଯିବ । ଛତିଶଗଡ଼ ସହ ଆଲୋଚନା ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମହାନଦୀ ଜଳ ବିବାଦ ସମାଧାନ ହେବ ଓ ଓଡିଶା ନ୍ୟାୟ ପାଇବ ବୋଲି କହିଛି ବିଜେପି ।

ପୂର୍ବରୁ ଅନେକ ଆନ୍ଦୋଳନ ଓ ଚାପ ପରେ ମଧ୍ୟ ଛତିଶଗଡ଼ ସରକାର ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ନ ଦେଇ ମନଇଚ୍ଛା କାର୍ଯ୍ୟ କରିଛନ୍ତି । ତେଣୁ ଏବେ ମହାନଦୀ ପ୍ରସଙ୍ଗରେ ଓଡିଶା କିଭଳି ନ୍ୟାୟ ପାଇବ ତା ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।

ସରକାରଙ୍କୁ ଘେରିବାକୁ ନବୀନଙ୍କ ଗୁରୁମନ୍ତ୍ର ନେଲେ ଯୁବ ଓ ଛାତ୍ର କମିଟି ସଦସ୍ୟ

ନନ୍ଦିଘୋଷ ବ୍ୟୁରୋ: ସରକାରଙ୍କ ବିରୋଧରେ ମାଳମାଳ ପ୍ରସଙ୍ଗ । ଏ ସବୁ ବିଧାନସଭା ଭିତରେ ଉପସ୍ଥାପନ କରି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ବିଜୁ ଜନତା ଦଳ । ସଙ୍ଗଠନକୁ ନୂଆ ରୂପ ଦେବା ସହ ସମସ୍ତଙ୍କୁ ନିଜ ଦାୟିତ୍ବ ନିର୍ବାହ କରିବା ପାଇଁ କ୍ଷମତା ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ଛାମୁଆ ସଙ୍ଗଠନ ବିଧାନସଭା ବାହାରେ ପ୍ରସଙ୍ଗଭିତ୍ତିକ ପ୍ରତିବାଦ କରିବେ । ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ବଢୁଥିବାରୁ ସଙ୍ଗଠନକୁ ଆଗେଇ ନେବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛି ବିଜେଡି । ଆଜି ନବୀନ ନିବାସ ଯାଇ ଯୁବ ଓ ଛାତ୍ର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଠାରୁ ଗୁରୁମନ୍ତ୍ର ନେଇଛନ୍ତି ।

ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ରଥଯାତ୍ରା ବିଭ୍ରାଟ, ଦଳାଚକଟା, ଅନହାର ମୃତ୍ୟୁ, ହଇଜା ମୃତ୍ୟୁ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପରି ମାଳମାଳ ପ୍ରସଙ୍ଗରେ ଛନ୍ଦି ହୋଇ ପଡ଼ିଛି ବିଜେପି ସରକାର । ବର୍ଷେରୁ ଅଧିକ ସମୟ ଧରି ଶାସନ କରି ଆସୁଛି ଭାରତୀୟ ଜନତା ପାର୍ଟି । ହେଲେ ଦଳ ରାଜ୍ୟବାସୀଙ୍କ ମୂଳ ପ୍ରସଙ୍ଗଠାରୁ ଦୂରେଇ ଯାଇଥିବା ଅଭିଯୋଗ କରିଛି ବିଜେଡି । ନିର୍ବାଚନୀ ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛି ବିଜେପି । ରାଜ୍ୟବାସୀ ସରକାରଙ୍କଠାରୁ ଯେଉଁ ଆଶା ରଖିଥିଲେ, ତାହା ଧୂଳିସାତ ହେବାକୁ ବସିଛି । ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସଙ୍ଗଠନକୁ ଆହୁରି ସୁଦୃଢ କରିବ ବିଜେଡି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରାରେ ବାହାରି ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବ ବିଜେଡି ।

ଛାମୁଆ ସଙ୍ଗଠନ ବି ପ୍ରସ୍ତୁତ ହେଲେଣି । ଯୁବ ଓ ଛାତ୍ର କମିଟି ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଠାରୁ ଗୁରୁମନ୍ତ୍ର ନେଉଛନ୍ତି । ଶାସନକୁ ଆସିବା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ କରିବାକୁ ପ୍ରତିଶୃତି ଦେଇଥିଲା ବିଜେପି । ହେଲେ କ୍ଷମତାର ବର୍ଷେ ପରେ ବି କ୍ୟାମ୍ପସରେ ହୋଇ ପାରିଲାନି ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ଘୋଷଣା କରିଥିଲେ ବି ଏହା ଅନିଶ୍ଚିତତା ଘେରରେ ରହିଛି । ସେତିକି ନୁହେଁ, ବନ୍ଦ ହୋଇଯାଇଛି ନବୀନ ପଟ୍ଟନାୟକ ସରକାରଙ୍କ ସମୟର ନୂଆ ଓ ଛାତ୍ରବୃତ୍ତି । ଆଇନ ଉପରୁ ଭରସା ତୁଟାଇ ଯୁବ ସମାଜ ପଥଭ୍ରଷ୍ଟ ହୋଇ ଅପରାଧ ଆଡ଼କୁ ମୁହାଁଇଲେଣି । ତେଣୁ ଜନକଲ୍ୟାଣ ପାଇଁ ସରକାରୀ ତ୍ରୁଟି ବିରୋଧରେ ଆନ୍ଦୋଳନ କରିବ ବୋଲି କହିଛି ବିଜେଡି ।

ଘରକୁ ଘର ଯାଇ ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ । ସମସ୍ତ ଛାମୁଆ ସଙ୍ଗଠନକୁ ଶାଣିତ ଓ ସୁସଙ୍ଗଠିତ କରି ବିଜେଡି ଏହି ଅଭିଯାନକୁ ଆହୁରି ତ୍ବରାନ୍ବିତ କରିବାକୁ ଲକ୍ଷ୍ୟ ରଖିଛି

ବୈତରଣୀ ଓ ସୁବର୍ଣ୍ଣରେଖାରେ ବନ୍ୟା ପାଣି କମିବା ପରେ ବଢ଼ିଲା ଲୋକଙ୍କ ଦୁର୍ଦ୍ଦଶା

ନନ୍ଦିଘୋଷ ବ୍ୟୁରୋ: ବୈତରଣୀ ଓ ସୁବର୍ଣ୍ଣରେଖାରେ କମିଛି ବନ୍ୟା ପାଣି, କିନ୍ତୁ ବଢ଼ି ଚାଲିଛି ଲୋକଙ୍କ ଦୁର୍ଦ୍ଦଶା । ରାସ୍ତାଘାଟ, ବିଲବାଡିରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ଭଦ୍ରକ, ଯାଜପୁର ଓ ବାଲେଶ୍ବର ଜିଲ୍ଲାର ୫୦ ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସେପଟେ ରେଙ୍ଗାଲି ଡ୍ୟାମ ଖୋଲିଥିବାରୁ ବ୍ରାହ୍ମଣୀରେ ତୃତୀୟ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଅଞ୍ଚଳ ପ୍ରଭାବିତ ହୋଇଛି । ବନ୍ୟାରେ ଲୋକେ ନିଜର ସବୁ କିଛି ହରେଇ ସାରିଥିବା ବେଳେ, ସୁଧ ନେବାକୁ ଘର ସାମ୍ନାରେ ଛିଡା ହେଲେଣି ଘରୋଇ ଋଣଦାତା ।

ଅନ୍ୟପକ୍ଷେ ରିଲିଫକୁ ନେଇ ଗାଁ ଗାଁରେ ଦେଖିବାକୁ ମିଳୁଛି ଅସନ୍ତୋଷ । ବୈତରଣୀ ବନ୍ୟାରେ ଧୋଇ ହୋଇଗଲା ୨୦ ନମ୍ବର ଜାତୀୟ ରାଜପଥ ସାଙ୍ଗକୁ ଗାଁ ରାସ୍ତା । ସେପଟେ ହଜାର ହଜାର ହେକ୍ଟର ଜମିରେ ସାରଦ ଧାନ ତଳି ଉପରେ ଲହଡି ମାରୁଛି ବନ୍ୟା ଜଳ । ବୈତରଣୀ ବନ୍ୟାରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପରିକି ଆଖଣ୍ଡଳମଣି-କୁଆଖିଆ ୨୦ ନମ୍ଵର ଜାତୀୟ ରାଜପଥର ବୋଡକ ନିକଟରେ ରାସ୍ତା ଧୋଇଯାଇଥିବାରୁ ଏବେ ବିପଦପୂର୍ଣ୍ଣ ଭାବେ ଯାଆଆସ କରୁଛନ୍ତି ଲୋକେ । ସେହିପରି ୪ଟି ବ୍ଲକର ୩୫ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ତଳି ଉଜୁଡି ଯିବାକୁ ବସିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର କମିଥିଲେ ବି ଦୁର୍ଦ୍ଦଶା ବଢୁଛି। ନଷ୍ଟ ହୋଇଯାଇଛି ଚାଷୀଙ୍କ ବର୍ଷର ଅମଳ। ରାଜଘାଟରେ ବିପଦ ସଙ୍କେତ ତଳକୁ ପାଣି ଖସିଥିଲେ ବି ବାଲିଆପାଳ ଓ ଭୋଗରାଇ ବ୍ଲକର ବହୁ ଗାଁ ଜଳବନ୍ଦୀ ହୋଇ ରହିଛି । ପାଣି ଘେରରେ ରହିଛି ବାଲିଆପାଳ ବ୍ଲକର ୮ରୁ ଅଧିକ ଗାଁ । ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ବର୍ଷ ଯାକ କିପରି ପରିବାର ପ୍ରତିପୋଷଣ ହେବ ଓ ଚାଷ କାମ ପାଇଁ କରିଥିବା ଋଣ କିପରି ପରିଶୋଧ କରିବେ ସେ ଚିନ୍ତାରେ ଘାରି ହେଉଛନ୍ତି ବନ୍ୟା ବିପନ୍ନ।

ସେପଟେ ବନ୍ୟା ଛାଡିବା ପରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଘାଇ ମରାମତି କାମ । ବୈତରଣୀର ଶାଖା କାଣୀ ନଦୀରେ ଭୟଙ୍କର ବନ୍ୟା ଆସିବା ଯୋଗୁଁ ସମଗ୍ର ଦଶରଥପୁର ଅଞ୍ଚଳ ଜଳମଗ୍ନ ହୋଇଥିଲା । ଚାରି ଦିନରେ ଘାଇ ମରାମତି ସରିବ ବୋଲି ଜଳସମ୍ପଦ ବିଭାଗ କହିଛି । ଗୋଟେ ପଟେ ଋଣ ଟଙ୍କା ଶୁଝିବାକୁ ଘରୋଇ ସଂସ୍ଥାର ଅଧିକାରୀ ଚାପ ପକାଉଥିବା ବେଳେ, ଏଯାଏଁ ସରକାରୀ ସ୍ତରରେ ଆରମ୍ଭ ହୋଇନି କ୍ଷୟକ୍ଷତି ଆକଳନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ବିପନ୍ନ ।

ବୈତରଣୀ ଓ ସୁବର୍ଣ୍ଣରେଖା ପରେ ଏବେ ବ୍ରାହ୍ମଣୀରେ ତୃତୀୟ ଥର ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଥିବା ବେଳେ, କୁମ୍ଭୀରକୁ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକେ । ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ବ୍ଲକର ଧୋଇଆ ଅଞ୍ଚଳରେ ଥିବା ୫୦ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି । ବନ୍ୟାଠୁ ବଳି ଯାଇଛି ବନ୍ୟା ପରର ସ୍ଥିତି । ଦୁର୍ଦ୍ଦଶା ବଢ଼ି ଚାଲିଥିବା ବେଳେ, ଏବେ ଲୋକେ ଭଙ୍ଗା ଘରକୁ ସଜାଡ଼ିବାରେ ଲାଗିଛନ୍ତି ।

ଜାପାନରେ ଚନ୍ଦ୍ରାୟନ-୫କୁ ନେଇ ମୋଦିଙ୍କ ବଡ଼ ଘୋଷଣା, ଇସ୍ରୋ-ଜାକ୍ସା ମିଳିତ ଭାବେ କରିବେ କାମ

ନନ୍ଦିଘୋଷ ବ୍ୟୁରୋ: ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚନ୍ଦ୍ରାୟନ-୫କୁ ନେଇ ବଡ଼ ଘୋଷଣା । ଭାରତର ଇସ୍ରୋ ଏବଂ ଜାପାନର ଜାକ୍ସା (ଜାପାନ ଏୟାରସ୍ପେଶ ଏକ୍ସପ୍ଲୋରେଶନ) ମିଳିତ ଭାବେ କାମ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ମୋଦି କହିଲେ, ଆମେ ଚନ୍ଦ୍ରାୟନ-୫ ପାଇଁ ଇସ୍ରୋ ଏବଂ ଜାକ୍ସା ମଧ୍ୟରେ ସହଯୋଗକୁ ସ୍ବାଗତ କରୁଛୁ । ଆମର ସକ୍ରିୟ ସହଯୋଗ ପୃଥିବୀ ସୀମଠୁ ଉପରକୁ ଯାଇ ଅନ୍ତରୀକ୍ଷରେ ମାନବ ଜାତିର ପ୍ରଗତିର ପ୍ରତୀକ ବନିବ । ପ୍ରଧାନମନ୍ତ୍ରୀ ଟୋକିଓରେ ନିଜ ସମକକ୍ଷ ଶିଗେରୁ ଇଶିବାଙ୍କ ସହ ଆଲୋଚନା କରିବା ପରେ ମିଡିଆ ବ୍ରିଫିଂ କରିବା ସମୟରେ ଇସ୍ରୋ ଓ ଜାକ୍ସା ମଧ୍ୟରେ ସହଯୋଗର ଘୋଷଣା କରିଛନ୍ତି । ସେ ଆହୁରି କହିଛନ୍ତି, ଆଗାମୀ ଦଶକ ପାଇଁ ଭାରତ ଓ ଜାପାନ ସହଯୋଗର ରୋଡମ୍ୟାପ ପ୍ରସ୍ତୁତ କରି ସାରିଛୁ ।  ଦୁନିଆରେ ସବୁଠୁ ବଡ଼ ଦୁଇ ଅର୍ଥବ୍ୟବସ୍ଥା ଓ ଲୋକତନ୍ତ୍ର ମଧ୍ୟରେ ସହଯୋଗ ନା କେବଳ ଦୁଇ ଦେଶ ପାଇଁ ବରଂ ସାରା ବିଶ୍ବ ଶାନ୍ତି ଓ ସ୍ଥିରତା ପାଇଁ ଅତ୍ୟନ୍ତ ସମତ୍ବପୂର୍ଣ୍ଣ ବୋଲି ଆମେ ସହମତ ହୋଇଛୁ ।

୧୦ ବର୍ଷରେ ଜାପାନ କରିବ ୧୦ ଟ୍ରିଲିୟନ ୟେନର ନିବେଶ

ମିଡିଆ ବ୍ରିଫିଂ ବେଳେ ମୋଦି କହିଥିଲେ, ଆଗାମୀ ୧୦ ବର୍ଷ ମଧ୍ୟରେ ଜାପାନ ଭାରତରେ ୧୦ ଟ୍ରିଲିୟନ ୟେନର ନିବେଶ କରିବ । ଆଜି ଜାପାନ ଓ ଭାରତ ମଧ୍ୟରେ ସହଯୋଗ ଏକ ସୁବର୍ଣ୍ଣ ଯୁଗ ଆରମ୍ଭର ଦୃଢ଼ ମୂଳଦୁଆ ପକାଇଛି । ଆମେ ନିବେଶ, ଆବିଷ୍କାର ଓ ଆର୍ଥଇକ ସୁରକ୍ଷା ସମେତ ଅନ୍ୟ କ୍ଷେତ୍ରରେ ସହଯୋଗ ପାଇଁ ୧୦ ବର୍ଷର ରୋଡମ୍ୟାପ ପ୍ରସ୍ତୁତ କରିଛୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ଜାପାନ ଏକ ସ୍ବତନ୍ତଅ, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଓ ନିୟମ ଆଧାରିତ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ପ୍ରତିଶ୍ରୁତିବଦ୍ଧ । ଦୁଇ ଦେଶ ପ୍ରତିରକ୍ଷା ଉଦ୍ୟୋଗ ଓ ନୂତନତ୍ବ କ୍ଷେତ୍ରରେ ସହଯୋଗକୁ ଆହୁରି ଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆତଙ୍କବାଦ ଓ ସାଇବର ସୁରକ୍ଷାକୁ ନେଇ ଦୁଇ ଦେଶର ଚିନ୍ତା ସମାନ । ପ୍ରତିରକ୍ଷା ଓ ସମୁଦ୍ର ସୀମା ସୁରକ୍ଷା ବୃଦ୍ଧି କରିବାରେ ଦୁଇ ଦେଶର ହିତ । ଏହି ସହଯୋଗ ବିଶ୍ବାସ ଉପରେ ସ୍ଥାପନ ହୋଇଛି । ଗୋଟିଏ ସମୃଦ୍ଧ ବିଶ୍ବ ନିର୍ମାଣରେ ଦୃଢ଼ ଲୋକତନ୍ତ୍ରଙ୍କ ମଧ୍ୟରେ ସହଯୋଗ ରହିଥାଏ । ଜାପାନ ପ୍ରଧାନମନ୍ତ୍ରୀ କହିଥିଲେ, ଦୁଇ ଦେଶଙ୍କୁ ଆଗାମୀ ପୀଡ଼ର ପ୍ରତିବନ୍ଧକକୁ ମୁକାବିଲା କରିବା ପାଇଁ ପରସ୍ପରଙ୍କ କ୍ଷମତାର ଲାଭ ଉଠାଇବାର ଆବଶ୍ୟକତା ରହିଛି ।

ବିରାଟ-ରୋହିତ ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବେ କି ନାହିଁ ?

ନନ୍ଦିଘୋଷ ବ୍ୟୁରୋ: ଏବେ କ୍ରିକେଟ ଜଗତରେ ଗୋଟିଏ ଚର୍ଚ୍ଚା । ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଖେଳିବେ ନା ନାହିଁ । ଯାହାକୁ ନେଇ କ୍ରିକେଟ ଏକ୍ସପର୍ଟ ଏବଂ ପୂର୍ବ ଖେଳାଳି ନିଜ ନିଜ ମତ ରଖୁଛନ୍ତି । କ୍ରିକେଟ ପ୍ରଶଂସକମାନେ ମଧ୍ୟ ଏମାନଙ୍କ ଖେଳିବା ନ ଖେଳିବାକୁ ନେଇ ଜାଣିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ବୟାନ ଆସିଛି । ସେ ଏମିତି କିଛି କହିଛନ୍ତି, ଯାହା ବିରାଟ ଓ ରୋହିତଙ୍କ ପ୍ରଶଂସକଙ୍କୁ ଖୁସି କରିଦେବ ।

ଇରଫାନ ଫଠନଙ୍କ ଅନୁସାରେ, ବିରୋଟ ଏବଂ ରୋହିତଙ୍କୁ ସେମାନଙ୍କ ଫିଟନେଓ ୨୦୨୭ ବିଶ୍ବକପ୍ ପର୍ଯ୍ୟନ୍ତ ରଖିବାକୁ ପଡ଼ିବ । ଯଦି ସେମାନେ ଫିଟ୍ ରହିବେ, ବିଶ୍ବକପ୍ ବି ଖେଳି ପାରିବେ । ଏହାସହ ମହମ୍ମଦ ଶାମୀଙ୍କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପଠାନ ।

ପଠାନ କହିଛନ୍ତି, ମୁଁ ରୋହିତଙ୍କ ସହ କଥା ହୋଇଥିଲି । ସେ ତାଙ୍କ ଫିଟନେସକୁ ନେଇ ବହୁତ ଗମ୍ଭୀର ଅଛନ୍ତି । ବିରାଟ ବି ଇଂଲଣ୍ଡରେ ପ୍ରାକ୍ଟିସ୍ କରୁଛନ୍ତି । ମୋର ପୂରା ବିଶ୍ବାସ ରହିଛି ଏହି ଦୁଇ ଖେଳାଳିଙ୍କୁ ଫିଟ୍ ରହିବାକୁ ପଡିବ । ମୁଁ ମହମ୍ମଦ ଶାମୀଙ୍କ ଏକ ବୟାନ ଶୁଣିଛି । ଏଥିରେ ସେ ବିଶ୍ବକପ୍ ଖେଳିବାକୁ ଇଚ୍ଛା ଥିବା କହୁଛନ୍ତି । ଏହା ଭଲ କଥା ଯେ, ସବୁ ଖେଳାଳି ସେମାନଙ୍କୁ ଫିଟନେସକୁ ନେଇ ବହୁତ ଗମ୍ଭୀର ଅଛନ୍ତି । ଆଗାମୀ ଦିନରେ ଏହା ସ୍ଥିର ହୋଇଯିବ ଏମାନେ ୨୦୨୭ ବିଶ୍ବକପରେ ଖେଳିବେ ନା ନାହିଁ ।

ସୂଚନାଯୋଗ୍ୟ, ବିରାଟ ଏବଂ ରୋହିତ ଶେଷ ଥର ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଖେଳିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟଙ୍କ ପ୍ରଦର୍ଶନ ଦମଦା ଥିଲା । ଆଉ ଏହି କାରଣରୁ ଭାରତ ଟ୍ରଫି ହାସଲ କରିବାକୁ ସକ୍ଷମ ହୋଇଥିଲା । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଟ୍ରଫି ହାସଲ କରିଥିଲା । ଏମାନଙ୍କ ବ୍ୟତୀତ ଶାମୀ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ । ଚଳିତବର୍ଷ ଅକ୍ଟୋବରରେ ଭାରତ ଅଷ୍ଟ୍ରେଲିଆ ସହ ଦିନିକିଆ ସିରିଜ ଖେଳିବ । ଆଉ ଏଥିରେ ଉଭୟ ରୋହିତ ଏବଂ ବିରାଟଙ୍କୁ ପୁଣି ଥରେ ପଡ଼ିଆରେ ଦର୍ଶକ ଦେଖିବାକୁ ପାଇବେ ।

ଶାମୀଙ୍କ କଥା କହିବା ତ, ୨୦୨୫ ଆଇପିଏଲରେ ବହୁତ ଖରାପ ବୋଲିଂ କରିଥିଲେ । ସନରାଇଜର ହାଇଦ୍ରାବାଦ ତରଫରୁ ୯ଟି ମ୍ୟାଚ ଖେଳି ୫୬.୧୭ ପ୍ରତିଶତରେ ମାତ୍ର ୬ ଓ୍ବିକେଟ ନେବାକୁ ସକ୍ଷମ ହୋଇଥିଲେ । ବାରମ୍ବାର ଆହତ କାରଣରୁ ଟିମ୍ ଇଣ୍ଡିଆର ନିୟମିତ ଭାବେ ଭେଳି ପାରୁନାହାନ୍ତି । ଏମିତି ସ୍ଥିତିରେ ଭାରତୀୟ ଟିମକୁ ତାଙ୍କର ପ୍ରତ୍ୟାବର୍ତ୍ତନ କେବେ ହେବ ତାହା ବର୍ତ୍ତମାନ କହିବା କଷ୍ଟକର ।

ଏପଟେ ମୁକେଶ ଅମ୍ବାନୀଙ୍କ ମିଟିଂ, ସେପଟେ ରିଲାଏନ୍ସର ବୁଡ଼ିଗଲା ୭୧ ହଜାର କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଏସିଆର ନମ୍ବର ଓ୍ବାନ ବ୍ୟବସାୟୀ ମୁକେଶ ଅମ୍ବାନୀ ବାର୍ଷିକ ସାଧାରଣ ବୈଠକ (ଏଜିଏମ)କୁ ନିବେଶକ ମାନେ ବହୁତ ଆଶା ନେଇ ଅନାଇଥିଲେ । ଆଶା ଥିଲା ମୁକେଶ ତାଙ୍କ ଟେଲିକମ କମ୍ପାନୀ ଜିଓ ରିଲାଏନ୍ସ ଆଇପିଓକୁ ନେଇ କିଛି ଘୋଷଣା କରିବେ । ଏହାସହ ଏମିତି ଅନ୍ୟ କିଛି ଘୋଷଣା ବି କରିବେ ଯାହା ତାଙ୍କ ନିବେଶକଙ୍କୁ ଭଲ ଲାଭ ଦେବ । ଟେଲିକମ କମ୍ପାନୀ ଆଇପିଓ ଘୋଷଣା ହେଲା ସତ । ହେଲେ ଏହା ୨୦୨୬ ମଧ୍ୟ ଭାଗକୁ ଆସିବ । ଏପରିକି ଆଇପିଓ ଆସିବାର କୌଣସି ନିର୍ଦ୍ଧିଷ୍ଟ ତାରିଖ ବି କୁହାଯାଇନି । ନା କୌଣସି ବଡ଼ ଘୋଷଣା କରାଯାଇଛି । ଫଳରେ ରିଲାଏନ୍ସ କମ୍ପାନୀର ସେୟାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଗୁରୁତ୍ବପୁର୍ଣ୍ଣ କଥଶ ହେଲା ଆଇପିଓ ଘୋଷଣା ପରେ କମ୍ପାନୀର ସେୟାର ୧୪୦୦ ଟଙ୍କା ଲେଭଲ ପାର କରିଯାଇଥିଲା । ମାତ୍ର ୨୫ ମିନିଟ ପରେ ଏହା ୧୩୫୦ ଟଙ୍କା ଲେଭଲକୁ ଖସି ଆସିଥିଲା । ଅର୍ଥାତ ଏହି ସମୟରେ କମ୍ପାନୀ ସେୟାରରେ ୩.୭୫ ପ୍ରତିଶତ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା । ଏହି କାରଣରୁ ରିଲାଏନ୍ସ କମ୍ପାନୀର ମାର୍କେଟ ପ୍ୟାକକୁ ୭୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଲା ।

ଶୁକ୍ରବାର ଅପରାହ୍ନ ୨ଟାରେ ରିଲାଏନ୍ସ କମ୍ପାନୀର ବାର୍ଷିକ ସାଧାରଣ ବୈଠକ ଆରମ୍ଭ ହୋଇଥିଲା । ଏହାର କିଛି ସମୟ ପରେ ମୁକେଶ ଅମ୍ବାନୀ ଟେଲିକମ ଆର୍ମ ରିଲାଏନ୍ସ ଜିଓର ଆଇପିଓ ଘୋଷଣା କରିଛନ୍ତି । ଏହି କାରଣରୁ କମ୍ପାନୀ ସେୟାରରେ ଏକ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହାସହ କମ୍ପାନୀର ସେୟାର ୧୪୦୩ ଟଙ୍କା ସହ ଦିନର ଶ୍ରେଷ୍ଠ ସ୍ତରରେ ପହଞ୍ଚି ଯାଇଥିଲା । ଏହାପରେ କମ୍ପାନୀ ପକ୍ଷରୁ କୌଣସି ବଡ଼ ଘୋଷଣା କରାଯାଇ ନଥିଲା । ଯାହା ନିବେଶଙ୍କ ମଧ୍ୟରେ ନିରାଶ ଭରି ଦେଇଥିଲା । ଏହି କାରଣରୁ ରିଲାଏନ୍ସ କମ୍ପାନୀର ସାୟାରରେ ଲାଭ ବୁକିଂ ଆରମ୍ଭ ହୋଇଯାଇଥିଲା । ପ୍ରାୟ ୨୫ ମିନିଟ ମଧ୍ୟରେ କମ୍ପାନୀର ସେୟାର ୩.୭୫ ପ୍ରତିଶତ ତଳକୁ ଖସିବା ସହ ୧୩୫୦.୩୦ ଟଙ୍କାରେ କାରବାର କରିବାକୁ ଲାଗିଲା । ଅପରାହ୍ନ ୩ଟା ୫ ମିନିଟରେ କମ୍ପାନୀର ସେୟାର ୧.୯୦ ପ୍ରତିଶତ ହ୍ରାସ ସହ ୧୩୬୧.୩୦ ଟଙ୍କାରେ କାରବାର କରୁଛି । ଦିନକ ପୂର୍ବରୁ କମ୍ପାନୀର ସେୟାର ୧୩୮୭.୬୫ ଟଙ୍କାରେ ବନ୍ଦ ହୋଇଥିଲା । ଶୁକ୍ରବାର ସାମାନ୍ୟ ହ୍ରାସ ସହ ୧୩୮୪.୨୦ ଯଙ୍କାରୁ ଆରମ୍ଭ ହୋଇଥିଲା ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ମାତ୍ର ୨୫ ମିନିଟରେ କମ୍ପାନୀକୁ ୭୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଗଲା । ସଂଖ୍ୟାକୁ ଦେଖିଲେ କମ୍ପାନୀର ସେୟାର ଦିନର ସର୍ବଶ୍ରେଷ୍ଠ ସ୍ତରରେ ପହଞ୍ଚି ଯିବା ସହ ମାର୍କେଟ କ୍ୟାପ ୧୮,୯୭,୮୩୭.୪୭ କୋଟି ଟଙ୍କା ଥିଲା । କମ୍ପାନୀର ସେୟାର ହ୍ରାସ ପାଇବା ସହ କାର୍ମେଟ କ୍ୟାପ ୧୮,୨୬,୫୫୦.୨୦ କୋଟି ଟଙ୍କାକୁ ଖସି ଆସିଛି । ଏହାର ଅର୍ଥ କମ୍ପାନୀର କାର୍ମେଟ କ୍ୟାପକୁ ୭୧,୨୮୭.୨୭ ଟଙ୍କାର କ୍ଷତି ଘଟିଛି ।

ଅର୍ଥନୀତି ବିଶେଷଜ୍ଞଙ୍କ ଅନୁସାରେ, ମୁକେଶ ଅମ୍ବାନୀ ଜିଓର ଆଇପିଓ ଘୋଷଣା କଲେ ସତ ହେଲେ ଏହା ଆସନ୍ତା ବର୍ଷ ମଧ୍ୟ ଭାଗରେ ଲାଗୁ ହେବ । ହେଲେ ନିବେଶକ ଆଶା କରୁଥିଲେ ଦୀପାବଳି ପାଖାପାଖିରେ ଆଇପିଓ ଆସିଯିବ । ଏହି କାରଣରୁ ରିଲାଏନ୍ସ କମ୍ପାନୀ ସେୟାରରେ ଲାଭ ବୁକିଂ ଦେଖିବାକୁ ମିଳିଥିଲା ।

ମହୁଆ ମୋଇତ୍ରାଙ୍କ ବିବାଦୀୟ ବୟାନ: ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲରେ ରଖିଦେବା ଦରକାର

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିବାଦୀୟ ବୟାନ । ଅନୁପ୍ରବେଶକାରୀକୁ ନେଇ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖି ଦେବାକୁ କହିଛନ୍ତି ମହୁଆ । ପଣ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶକୁ ନେଇ କାର୍ଯ୍ୟାନୁଷ୍ଠାନକୁ ନେଇ ଏପରି ଆପତ୍ତିଜନକ ବୟାନ ଦେଇଛନ୍ତି ମହୁଆ । ନିଜ ଭାଷଣରେ ମହୁଆ ଦର୍ଶାଇଛନ୍ତି ଯେ, ବେଆଇନ ଅନୁପ୍ରବେଶ ପାଇଁ କେନ୍ଦ୍ର ସରକାରଙ୍କ ଏବଂ ତାଙ୍କ ଏଜେନ୍ସି ସମ୍ପୂର୍ଣ୍ଣ ଭାବେ ଦାୟୀ ।

‘ମୁଣ୍ଡ କାଟି ଟେବୁଲରେ ରଖି ଦିଅ’

ସେ କହିଛନ୍ତି, ମୁଁ ପଚାରିବାକୁ ଚାହେଁ, ସେ (ଅମିତ ଶାହ) କେବଳ ଅନୁପ୍ରବେଶ ଅନୁପ୍ରବେଶ ଚିଲ୍ଲାଉଛନ୍ତି । ସୀମା ସୁରକ୍ଷାରେ ଥିବା ଏଜେନ୍ସ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଆସୁଛି । ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଅଗଷ୍ଟ ୧୫ ତାରିଖରେ କହିଥିଲେ ଅନୁପ୍ରବେଶ ହେଉଛି ଓ ଏହି କାରଣରୁ ଜନସଂଖ୍ୟାରେ ପରିବର୍ତ୍ତନ ଘଟୁଛି । ପ୍ରଧାନମନ୍ତ୍ରୀ ଏ କଥା କହୁଥିବା ବେଳେ ପ୍ରଥମ ଧାଡିରେ ବସିଥିବା ଅମିତ ଶାହ ତାଳି ବଜାଉଥିଲେ ।

ଆଗକୁ ସେ କହିଛନ୍ତି, ଯଦି ଭାରତର ସୀମାକୁ ସୁରକ୍ଷା ଦେବାକୁ କେହି ନାହାନ୍ତି । ଯଦି ଅନ୍ୟ ଦେଶର ଲୋକେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଅନୁପ୍ରବେଶ କରି ଆମ ମାଆ ଓ ଭଉଣୀଙ୍କ ଉପରେ ନଜର ପକାଉଛନ୍ତି, ଆମ ଜମି ହଡପ କରୁଛନ୍ତି, ତେବେ ପ୍ରଥମେ ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିଦେବା କଥା

ବିଏସଏଫକୁ ବି ଟାର୍ଗେଟ

ମୋଦି ସରକାର ଭାରତରେ ଅବୈଧ ଭାବେ ରହୁଥିବା ରୋହିଙ୍ଗିଆ ଓ ବାଂଲାଦେଶୀଙ୍କୁ ବାହାର କରିବାକୁ ଅପରେଶନ ପୁଶବ୍ୟାକ ଆରମ୍ଭ କରିଥିବା ବେଳେ ମହୁଆଙ୍କ ଏପରି ବିବାଦୀୟ ବୟାନ ଆସିଛି । ସେତିକି ନୁହେଁ, ମହୁଆ ସୀମା ସୁରକ୍ଷା ବଳ (ବିଏସଏଫ)କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ବିଏସଏଫ ଏଠାରେ ଅଛନ୍ତି, ହେଲେ ସେମାନେ କ’ଣ କରୁଛନ୍ତି । ମୂଳ ଭାରତୀୟ ବିଏସଏଫକୁ ଡରୁଛନ୍ତି । ଏଠି ପଶ୍ଚିମବଙ୍ଗରେ ଆମକୁ କୌଣସି ଅନୁପ୍ରବେଶ ଦେଖାଯାଉନି । ତାଙ୍କ ବୟାନରୁ ଜଣାପଡୁଛି, ସୀମା ସୁରକ୍ଷାରେ ନିୟୋଜିତ ବିଏସଏଫର ଭୁମିକା ପଶ୍ଚିମବଙ୍ଗର ସ୍ଥାନୀୟ ଲୋକଙ୍କ ବାସ୍ତବତା ସହ ମେଳ ଖାଉନି । ଅନ୍ୟପକ୍ଷେ, ମହୁଆ ମୋଇତ୍ରାଙ୍କ ବୟାନକୁ ନେଇ ବିଜେପିର ଜଣେ କର୍ମକର୍ତ୍ତା ସନ୍ଦୀପ ମଜୁମଦାର ନଦିଆର କୋତବାଲି ଥାନାରେ ଏତଲା ଦେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେବାକୁ ଦାବି କରିଛନ୍ତି ।

ରାହୁଲଙ୍କୁ ଶାହଙ୍କ ଟାର୍ଗେଟ

ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଆସାମ ଗସ୍ତରେ ଯାଇଛନ୍ତି । ଶକ୍ରବାର ଗୌହାଟୀ ରାଜଭବନରେ ନବନିର୍ମିତ ବ୍ରହ୍ମପୁତ୍ର  ୟୁନିଟର ଉଦଘାଟନ କରିଛନ୍ତି । ଏହି ସମୟରେ ଭାଷଣରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଶାହ ଟାର୍ଗେଟ କରିଛନ୍ତି । ସେ କହିଛନ୍ତିଳ ରାହୁଲ ଗାନ୍ଧି ନକରାତ୍ମକ ରାଜନୀତି ଆରମ୍ଭ କରି ଦେଇଛନ୍ତି । ସେ ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବାକୁ ଯାତ୍ରା ଆରମ୍ଭ କରିଛନ୍ତି । ଭୋଟର ତାଲିକାରେ ଅନୁପ୍ରବେଶକାରୀ ସାମିଲ ହୋଇ ନିର୍ବାଚନକୁ ପ୍ରଭାବିତ କରୁଛନ୍ତି । ରାହୁଲ ଗାନ୍ଧିଙ୍କ ସାମାନ୍ୟତମ ଲଜ୍ଜା ଥିଲେ ପ୍ରଧାନମନ୍ତ୍ରୀ ଏବଂ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ।

ବିହାର ପାଟନାରେ କଂଗ୍ରେସ ଓ ବିଜେପି କର୍ମୀ ହାତାହାତି

ନନ୍ଦିଘୋଷ ବ୍ୟରୋ : ବିହାର ପାଟନାରେ କଂଗ୍ରେସ ଓ ବିଜେପି କର୍ମୀ ହାତାହାତି। ପ୍ରଧାନମନ୍ତ୍ରୀଙ୍କୁ ନେଇ ଅସମ୍ମାନଜନକ ଟିପ୍ପଣୀର ପ୍ରତିବାଦରେ ତାତିଲେ ବିଜେପି କର୍ମୀ। ପାଟନାରେ କଂଗ୍ରେସ କାର୍ଯ୍ୟାଳୟରେ ବିଜେପି କର୍ମୀ ହଙ୍ଗାମା କରିଛନ୍ତି। ବିଜେପି କର୍ମୀ କଂଗ୍ରେସ କାର୍ଯ୍ୟାଳୟକୁ ପଶିବାକୁ ଉଦ୍ୟମ କରିଥିଲେ। ଗେଟ ଭାଂଗି ଭିତରକୁ ପଶିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି ହୋଇଥିଲା। କଂଗ୍ରେସ ଅଫିସ ପରିସରକୁ ପଶି ଲୋକଙ୍କୁ ପିଟିଥିଲେ ବିଜେପି କର୍ମୀ । ଅଫିସରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ଭଂଗାରୁଜା। ଇଟା ପଥର ଫିଙ୍ଗା ଫୋପଡ଼ା କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ କାର୍ଯ୍ୟାଳୟ ବାହାରେ ବିଜେପି କର୍ମୀ ପ୍ରତିବାଦ କରିଥିଲେ। ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠିଚାର୍ଜ କରିଥିଲା।

ପୁଣି ଉତ୍ତରାଖଣ୍ଡରେ ପ୍ରକୃତି ତାଣ୍ଡବ: ରୁଦ୍ରପ୍ରୟାଗ ଏବଂ ଚମୋଲୀରେ ବଦଲଫଟା ବର୍ଷା

ନନ୍ଦିଘୋଷ ବ୍ୟୁରୋ : ଉତ୍ତରାଖଣ୍ଡ ଚାମୋଲିରେ ପୁଣି ବାଦଲଫଟା ବର୍ଷା। ଚାମୋଲି ଓ ରୁଦ୍ରପ୍ରାୟାଗ ଜିଲ୍ଲାରେ ବାଦଲଫଟା ବର୍ଷାରେ ୮ ଜଣ ନିଖୋଜ ହୋଇଯାଇଥିବା ସୂଚନା। ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଏବଂ ଚାମୋଲି ଜିଲ୍ଲାରେ ବାଦଲ ଫାଟିବାରୁ ବନ୍ୟା ଆସି ବ୍ୟାପକ କ୍ଷତି ଘଟିଛି। ଘର ଏବଂ ପୋଲ ଭାଙ୍ଗିଯାଇଅଛି। ମାଟି ଅତଡ଼ା ଓ ଭଗ୍ନାବଶେଷ ତଳେ ଅନେକ ଫସି ରହିଥିବା ସନ୍ଦେହ କରାଯାଉଛି। ଅନେକ ଗୃହପାଳିତ ପଶୁ ମଧ୍ୟ ପୋତି ହୋଇ ରହିଛନ୍ତି। ଭଗ୍ନାବଶେଷ ତଳେ ଫସି ଅନେକ ଆହତ ହୋଇଛନ୍ତି। ରୁଦ୍ରପ୍ରୟାଗ ଜିଲ୍ଲାରେ ୬ ଜଣ ନିଖୋଜ ହୋଇଛନ୍ତି। ଅଳକନନ୍ଦା ଏବଂ ମନ୍ଦାକିନୀ ନଦୀର ସଙ୍ଗମସ୍ଥଳରେ ଜଳସ୍ତର ଲଗାତର ବୃଦ୍ଧି ପାଉଛି। କେଦାରନାଥ ଉପତ୍ୟକାର ଲାୱାରା ଗାଁରେ ପ୍ରବଳ ସ୍ରୋତରେ ମୋଟର ରୋଡରେ ଥିବା ଏକ ପୋଲ ଭାସିଯାଇଛି। ଚେନାଗଡରେ ମଧ୍ୟ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି।ନଦୀ ଜଳ ଜନବସତି ଅଞ୍ଚଳରେ ପ୍ରବେଶ କରିଛି। ଯାହା ଫଳରେ ପ୍ରଶାସନ ପ୍ରଭାବିତ ଘରଗୁଡ଼ିକୁ ଖାଲି କରିବାକୁ ବାଧ୍ୟ ହୋଇଛି। ରୁଦ୍ରପ୍ରୟାଗରେ ଥିବା ହନୁମାନ ମନ୍ଦିର ବୁଡ଼ି ଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି।