ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଅପଲୋଡ୍। ସିକିମ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆଇଡିରୁ ଏହି ଫଟୋ ଅପଲୋଡ୍ ହୋଇଛି। ଶ୍ରୀମନ୍ଦିର ପରିସର ମା’ ବିମଳା ମନ୍ଦିର ନିକଟର କିଛି ଫଟୋ ଅପଲୋଡ ହୋଇଛି। ତେବେ କିପରି ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ସାଇଟକୁ ଫଟୋ ଅପଲୋଡ ହେଲା ଏହାକୁ ନେଇ ନିନ୍ଦା କରିଛି ଆମ ଆଦମୀ ପାର୍ଟି। ସିକିମ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ତାଙ୍କ ସହ ଜିଲ୍ଲାପାଳ,ଏସପି, ପରିଚାଳନା କମିଟି ସଦସ୍ୟଙ୍କ ସହ ବିଜେପିର ଦଳୀୟ କର୍ମୀ ଓ ସୁରକ୍ଷା ବାହିନୀ ଉପସ୍ଥିତ ଥିଲେ । ତେବେ ଏତେ ସୁରକ୍ଷା ଥାଇ ମଧ୍ୟ ଏ ଫୋଟୋ ଉଠିଲା କିପରି ଓ ଖୋଦ ମୁଖ୍ୟମନ୍ତ୍ରୀଙ୍କ idରେ ଉପଲୋଡ ହେଲା କିପରି ଏହାକୁ ନେଇ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି।ପରିଚାଳନା କମିଟି ସଦସ୍ୟ ଥାଇ ମଧ୍ୟ ତାଙ୍କ ସହ ଥାଇ ଏହା କିପରି ହେଲା? ଲଗାତାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସ୍କୁଟର ଡିକିରେ ଢ଼ମଣା ସାପ: ଦେଢ଼ ଫୁଟର ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ
ସ୍କୁଟର ଡିକିରେ ଢ଼ମଣା ସାପ। ଦେଢ଼ ଫୁଟର ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସୁଜିତ୍ ଗିରି ନିଜର ସ୍କୁଟର ଧରି ରାଜମହଲ ଛକକୁ ମେଡିସିନ ଆଣିବା ପାଇଁ ଯାଇଥିଲେ। ମେଡିସିନ ରଖିବା ପାଇଁ ସ୍କୁଟର ଡିକି ଖୋଲିବା ମାତ୍ରେ ଏକ ସାପ ତା ଭିତରେ ଦେଖିଥିଲେ। ଭୟରେ ତାଙ୍କ ହାତରୁ ସିଟ ଖସି ପଡିଲା।ବିକଳରେ ସିଟକୁ ଲକ୍ କରି ଦେଇ ସ୍ନେକ୍ ହେଲ୍ପ ଲାଇନକୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ। ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଘଟଣାସ୍ଥଳରେ ପହଞ୍ଚି, ସିଟକୁ ଟେକିବା ବେଳକୁ ସାପଟି ଚାପି ହୋଇ ରହିଥିବା ଦେଖିବାକୁ ପାଇଥିଲେ। ସୁଜିତ ଲକ୍ କରି ଦେବା ଫଳରେ ସାପଟି ଆଉ କୁଆଡେ ଯିବାର ସୁଯୋଗ ହିଁ ନଥିଲା। ପ୍ରାୟ ଦେଢ଼ ଫୁଟ ଲମ୍ବର ଢମଣା ସାପ ଛୁଆକୁ ଆଶିଷ ଉଦ୍ଧାର କରିଥିଲେ। ସାପଟିର ଲାଞ୍ଜ ପଟକୁ ସିଟ ଚାପି ହୋଇଥିବାରୁ ସାପଟିର ବିଶେଷ କିଛି କ୍ଷତି ହୋଇ ନଥିଲା।ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।
ଭସାଣିରେ କଟକଣାକୁ ବେଖାତିର ! କଟକଣା ସତ୍ତ୍ଵେ ଶୁଭିଲା ଡିଜେର ବିକଟାଳ ଶବ୍ଦ
କଟକଣା ସତ୍ଵେ ଶୁଭିଲା ଡିଜେର ବିକଟାଳ ଶବ୍ଦ। ଡିଜେରୁ ବର୍ତ୍ତିଲାନି ବାଲେଶ୍ୱର ମେଡିକାଲ। ଗତକାଲି ରାତିରେ ବାଲେଶ୍ୱର ସହରରେ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣି ଚାଲିଥିବା ବେଳେ ବାଲେଶ୍ୱର ମେଡିକାଲର ଦ୍ୱିତୀୟ ଫାଟକ ନିକଟରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଡିଜେର ବିକଟାଳ ଶବ୍ଦର କମ୍ପି ଉଠିଥିଲା ମେଡିକାଲ ପରିସର।ଫଳରେ ଅତିଷ୍ଠ ହୋଇ ରୋଗୀ ଓ ସମ୍ପର୍କୀୟ ବାହାରକୁ ବାହାରି ଆସିଥିଲେ। ମେଡିକାଲ ପରିସର ଓ ଏହାର ସମ୍ମୁଖ ରାସ୍ତା ସାଇଲେଣ୍ଟ ଜୋନ ହୋଇଥିବାବେଳେ ପୋଲିସ ପ୍ରଶାସନ ଏପରି କାର୍ଯ୍ୟକୁ କାହିଁକି ବନ୍ଦ କଲାନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ଠାକୁର ବିସର୍ଜନ ସମୟରେ ପ୍ରଚଣ୍ଡ ଡ଼ିଜେ ଶବ୍ଦରେ ସହର ଥରହର ହେବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନର ଏନେଇ ପୂର୍ବ ନିଷ୍ପତ୍ତି ଅନୁସାରେ ମୂର୍ତ୍ତିର ଉଚ୍ଚତା, ରାତି ୧୦ ସୁଦ୍ଧା ଭସାଣ ଶେଷ କରିବାକୁ ଆଲୋଚନା ଦିଗହରା ହୋଇପଡିଛି। ବରିଷ୍ଠ ପୋଲିସ ଅଧିକାରୀ ଶବ୍ଦ ପ୍ରଦୂଷଣ ନେଇ ନୀରବ କାହିଁକି ? ନାଚଗୀତକୁ କେହି ବିରୋଧ କରୁନାହାନ୍ତି କିନ୍ତୁ ଉଚ୍ଚ ଶବ୍ଦରେ ଡିଜେ ବଜାଇବାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି। ବିଶେଷକରି ହୃଦରୋଗୀ, ଶିଶୁ, ପ୍ରସୂତି ଏବଂ ବୟସ୍କଙ୍କ କ୍ଷେତ୍ରରେ ଉଚ୍ଚ ଶବ୍ଦ ଅତ୍ୟନ୍ତ ବିପଦ ସାଜିପାରେ ବୋଲି ମତପ୍ରକାଶ ପାଇଛି।
ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା
ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସାରା ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁ ନଥିବାରୁ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ଚାଷୀ କୁଳର ଏ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ପତ୍ର ଲେଖି ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି। ଏହାସହ ଓଡିଶା ଚାଷୀ କୂଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି। କୃଷି ଓଡିଶା ଅର୍ଥନୀତିର ମୁଖ୍ୟ ଆଧାର। ଆମର ୭୦ ଭାଗରୁ ଅଧିକ ଲୋକଙ୍କ କୃଷି ହିଁ ଜୀବିକା ଯୋଗାଇଥାଏ। ଗତ ଦୁଇ ଦଶନ୍ଧିରେ ଓଡିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ୨୦୦୦ମସିହାରେ ଚାଉଳ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ହୋଇ ପାରିଛି। କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ପ୍ରୟୋଗ ଓ ସାର ବିହନ ଆଦିର ଉତ୍ତମ ବଣ୍ଟନ ଓଡିଶାକୁ ଏ ସଫଳତା ଆଣି ଦେଇଥିଲା।
ଓଡିଶାରେ ୭.୯୪ ଲକ୍ଷ ଟନ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବୀ କରୁଥିବା ବେଳେ ଚାଷୀ କିନ୍ତୁ ସାର ପାଉନି। ୟୁରିଆ ସରକାରୀ ଦର ଠାରୁ ଅଧିକ ଦାମରେ ବିକ୍ରି ହେଉଛି। ଓଡିଶା ସରକାରଙ୍କ ସଂସ୍ଥା Markfed ଚାଷୀଙ୍କ ବଦଳରେ ଘରୋଇ ଡିଲରଙ୍କୁ ରିହାତି ଦରରେ ସାର ବିକୁଛି। ତେଣୁ ଚାଷୀ ଖରିଫ ଋତୁରେ ଚାଷ କାମ ଛାଡି ସାର ପାଇଁ ରାଜ ରାସ୍ତାକୁ ଓଲ୍ହାଇବା ଚିନ୍ତାର ବିଷୟ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଯୋଗାଣ ବ୍ୟବସ୍ଥାକୁ ପରିଚାଳନା ସହିତ ସାର ଅଭାବ ଓ ଦୁର୍ନୀତି ଯୋଗୁଁ ଚାଷୀକୁ ଆଜି ଏ ଅବସ୍ଥାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ। ୨୦୧୮ରେ ଶିଳାନ୍ୟାସ କରାଯାଇଥିବା ତାଳଚେର ସାର କାରଖାନା ୩୬ ମାସରେ ଶେଷ ହେବ ବୋଲି ଘୋଷଣା କରାଯାଇଥିଲେ ବି ସାତ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁଃଖର ବିଷୟ। ଖରିଫ ଋତୁ ଆରମ୍ଭରେ ସାର ଅଭାବ ତଥା ଯୋଗାଣରେ ଚାଲଥିବା ଅବ୍ୟବସ୍ଥାକୁ ରୋକିବାକୁ ଯଦି ପଦକ୍ଷେପ ନିଆ ନଯାଏ ତେଵେ କୃଷି ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ସହ ଚାଷୀ ଭାଇ ଭଉଣୀଙ୍କ ଜୀବିକାକୁ ମଧ୍ୟ ଏହା ପ୍ରଭାବିତ କରିବ ବୋଲି ସତର୍କ କରିଛନ୍ତି ବିରୋଧୀ ଦଳ ନେତା।
ପୁଣି ଚର୍ଚ୍ଚାରେ ପୂର୍ବତନ ଉପରାଷ୍ଟ୍ରପତି: ପେନସନ୍ ପାଇଁ ଆବେଦନ କଲେ ଜଗଦୀପ ଧନଖଡ଼
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଧନଖଡ଼ ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି । ୧୯୯୩ରେ କଂଗ୍ରେସ ଟିକେଟରେ ଆଜମେର ଜିଲ୍ଲାର କିଶନଗଢ଼ ଆସନରୁ ଧନଖଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାୟକ ରହିଥିବାରୁ ଏବେ ତାଙ୍କୁ ବିଧାନସଭାରୁ ପେନସନ ମିଳିବାର ଅଧିକାର ରହିଛି । ଧନଖଡ଼ ଏବେ ୭୪ ବର୍ଷ ବୟସରେ ଉପନୀତ ହୋଇଥିବା ବେଳେ ନିୟମ ମୁତାବକ, ତାଙ୍କୁ ରାଜସ୍ଥାନ ବିଧାନସଭାରୁ ପାଖାପାଖି ୪୨ ହଜାର ଟଙ୍କା ପେନସନ ମିଳିବ । ରାଜସ୍ଥାନରେ ନେତାଙ୍କ ପାଇଁ ଦ୍ବିତୀୟ ଓ ତୃତୀୟ ପେନସନ ବ୍ୟବସ୍ଥା ରହିଛି । ଅର୍ଥାତ ଯଦି କୌଣସି ବ୍ୟକ୍ତି ସାଂସଦ ଓ ବିଧାୟକ ଉଭୟ ପଦରେ ରହିଥିବେ, ତେବେ ସେ ଉଭୟ ପଦ ପାଇଁ ପେନସନ ପାଇ ପାରନ୍ତି । ସେହି କାରଣରୁ ଅନେକ ପୂର୍ବତନ ନେତା ଏକସଙ୍ଗେ ଅଲଗା ଅଲଗା ପଦ ପାଇଁ ପେନସନର ଫାଇଦା ଉଠାଉଛନ୍ତି । ଧନଖଡ଼ଙ୍କ ପେନସନ ଆବେଦନ ପାଇବା ପରେ ପ୍ରକ୍ରିୟା ଆରମ୍ଭ ଜାରି ରହିଥିବା ବିଧାନସଭାର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ସାତ୍ବିକ-ଚିରାଗଙ୍କ କମାଲ: ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ମେଡାଲ ସୁନିଶ୍ଚିତ କଲେ
ସାତ୍ବିକସାଈରାଜ ରଙ୍କିରେଡ୍ଡୀ ଓ ସିରାଗ ଶେଟ୍ଟୀ ପ୍ୟାରିସରେ ଖେଳାଯାଉଥିବା ଓ୍ବାର୍ଲ୍ଡ ବ୍ୟାଡିଣ୍ଟନ ଚାମ୍ପିୟନଶିପ ୨୦୨୫ରେ ଶାନଦାର ପ୍ରଦର୍ଶନ କରିଛନ୍ତି । ଏବେ ସାତ୍ବିକ-ଦିରାଗ ମେନ୍ସ ଡବଲ୍ସରେ ସେମିଫାଇନାଲରେ ପହଞ୍ଚିଛନ୍ତି । ଏହି ପ୍ରଦର୍ଶନ ଫଳରେ ଭାରତୀୟ ଯୋଡ଼ି କାଂସ୍ୟ ପଦକ ସୁନିଶ୍ଚିତ କରିଛନ୍ତି । କ୍ବାର୍ଟର ଫାଇନାଲରେ ଭାରତୀୟ ଯୋଡ଼ି ଦ୍ବିତୀୟ ମାନ୍ୟତାପ୍ରାପ୍ତ ମାଲେଶିଆ ଯୋଡ଼ି ଏରନ ଚିୟା-ସୋ ଓ ସୋହ ଓ୍ବି ୟିକଙ୍କୁ ୨୧-୧୨, ୨୧-୧୯ରେ ପରାସ୍ତ କରିଥିଲେ । ୯ମ ସିଡ୍ ସାତ୍ବିକ-ଦିରାଗ ଏହି ମୁକାବିଲାକୁ ଜିତିବା ପାଇଁ ମାତ୍ର ୪୩ ମିନିଟ୍ ସମୟ ନେଇଥିଲେ ।
ଏହି ମ୍ୟାଚ ଖେଳାଯିବା ସୁଦ୍ଧା ମାଲେଶିଆ ଖେଳାଳିଙ୍କ ବିପକ୍ଷରେ ସାତ୍ବିକ-ଚିରାଗଙ୍କ ହେଡ-ଟୁ-ହେଡ ରେକର୍ଡ ୩-୧୧ ରହିଥିଲା । ଅର୍ଥାତ ଅଧିକ ଥର ମାଲେଶିଆ ଯୋଡ଼ି ଜିତିଥିଲେ । ମାତ୍ର ଏଥର ଦୁଇ ଭାରତୀୟ ତାରକା ପ୍ରତିଦ୍ବନ୍ଦ୍ବୀ ଖେଳାଳିଙ୍କ ଉପରେ ଭାରି ପଡ଼ିଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ସାତ୍ବିକ-ଚିରାଗ ଯୋଡ଼ି ପଦକ ଜିତିବା ନେଇ ନିରାଶ କରିଥିବା ବେଳେ ଏଥର ପଦକ ସୁନିଶ୍ଚିତ କରିଛନ୍ତି ।
ବିହାର ପରେ ତ୍ରିପୁରା: ଭୋଟ ଚୋରି ବିରୋଧରେ କଂଗ୍ରେସର ଅଭିଯାନ
ବିହାର ପରେ ତ୍ରିପୁରାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭୋଟ ଚୋରି ବିରୋଧରେ ଅଭିଯାନ।ଭୋଟ ଚୋର ଗାଦି ଛାଡ଼ ଆହ୍ବାନରେ ଏହି ରାଲି ଆୟୋଜିତ ହେବ । ପ୍ରଶାସନିକ ପରିଚାଳନା, ନିଯୁକ୍ତି, ଆଇନଶୃଙ୍ଖଳା ପ୍ରସଙ୍ଗରେ ତ୍ରିପୁରା ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ କରାଯିବ । ତ୍ରିପୁରା ପିସିସି ସଭାପତି ପ୍ରବୀର ଚକ୍ରବର୍ତ୍ତୀ କହିଛନ୍ତି- ଏହି ରାଲି ଅଗରତାଲା ପ୍ରେସ କ୍ଲବରୁ ରାଜ୍ୟ ସଚିବାଳୟ ଅଭିମୁଖେ ଯିବ ଏବେ ସେଠାରେ ପ୍ରତିବାଦ ଆନ୍ଦୋଳନ କରାଯିବ । ଏଥିରେ ବରିଷ୍ଠ ନେତାମାନେ ସାମିଲ ହେବେ । ରାଜ୍ୟରେ ହେରୋଇନ ସମେତ ନିଶାଦ୍ରବ୍ୟର ଚୋରାଚାଲାଣ ଚାଲିଛି । ରାଜ୍ୟକୁ ନିଶାମୁକ୍ତ କରିବା ସ୍ଲୋଗାନ ବିଫଳ ହୋଇଛି । ଏହା ସହ ଅପରାଧ, ଦୁର୍ନୀତି, ରାଜନୈତିକ ହିଂସା ଆଦି ଚରମ ସୀମାରେ ପହଞ୍ଚିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟରେ ହିଂସାମୁକ୍ତ ଶାସନ ପ୍ରତିଷ୍ଠାରେ ବିଜେପି ବିଫଳ ହୋଇଥିବା ଦର୍ଶାଇ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ।
ଅନଲାଇନ ଗେମିଂ ଆଇନ-୨୦୨୫କୁ ନେଇ ବିବାଦ
ଅନଲାଇନ ଗେମିଂ ଆଇନ-୨୦୨୫କୁ ନେଇ ବିବାଦ । ଆଇନ ବିରୋଧରେ ଅନଲାଇନ ଗେମିଂ କମ୍ପାନୀ ହେଡ ଡିଜିଟାଲ ଓ୍ବାର୍କସ ପକ୍ଷରୁ ଆଗତ ଏକ ପିଟିସନର ଶୁଣାଣି କରିବେ କର୍ଣ୍ଣାଟକ ହାଇକୋର୍ଟ । ହେଡ ଡିଜିଟାଲ ଓ୍ବାର୍କସ A23 ଗେମକୁ ପରିଚାଳିତ କରିଥାଏ । କିପରି ବ୍ରେଥଆନାଲାଇଜରକୁ ସଠିକ୍ କୁହାଯାଇପାରିବ ବୋଲି ଦର୍ଶାଇଛନ୍ତି ଆବେଦନକାରୀ । ଅନଲାଇନ ଗେମିଂ ଭାରତ ସହ ବିଦେଶରେ ବି ଚାଲିଛି । ବିନା କୌଣସି ସମୀକ୍ଷାରେ ଏହି ବିଲକୁ ଆଇନରେ ପରିଣତ କରାଯାଇଛି ବୋଲି କହିଛନ୍ତି ଆବେଦନକାରୀ । ଲୋକସଭାରେ ଏହି ବିଲ ଅଗଷ୍ଟ ୨୦ରେ ଓ ରାଜ୍ୟସଭାରେ ଅଗଷ୍ଟ ୨୧ରେ ଗୃହତୀ ହେବା ପରେ ଅଗଷ୍ଟ ୨୨ରେ ଆଇନରେ ପରିଣତ ହୋଇଥିଲା । ଏହି ଆଇନ ଯୋଗୁ ଦକ୍ଷତାଭିତ୍ତିକ ଗେମ୍ ଓ ସୁଯୋଗଭିତ୍ତିକ ଗେମ ମଧ୍ୟରେ ରହିଥିବା ବିଚାରବିଭାଗୀୟ ପାର୍ଥକ୍ୟର ଅନ୍ତ ଘଟିଥିଲା । କୌଣସି ପ୍ରକାର ଆର୍ଥିକ କାରବାର ସଂକ୍ରାନ୍ତ ଗେମକୁ ଆଇନରେ ନିଷିଦ୍ଧ କରାଯାଇଛି । ଏହି ଆଇନରେ ବି ଜାଣିଶୁଣି ଅପରାଧ ଓ ଜାମିନବିହୀନ ଅପରାଧର ବିଭକ୍ତିକରଣ କରାଯାଇଛି । ନୂଆ ଆଇନରେ ଆର୍ଥିକ କାରବାରକୁ ଗୁରୁତର ଅପରାଧ ଭାବେ ବିବେଚନା କରାଯାଇଛି । ଏହା ସହ ପୋଲିସ ବିନା ଓ୍ବାରେଣ୍ଟରେ ଗିରଫ କରିବା ସହ ସର୍ଚ୍ଚ ଅପରେସନ କରିପାରିବ ବୋଲି ବିଧି ରହିଛି । ନିଷିଦ୍ଧଘୋଷିତ ଗେମ୍ କ୍ଷେତ୍ରରେ ଆର୍ଥିକ କାରବାର କରିବାକୁ ବ୍ୟାଙ୍କ, ପେମେଣ୍ଟଭିତ୍ତିକ ସଂସ୍ଥା ତଥା ମାଧ୍ୟମଗୁଡିକୁ ବାରଣ କରାଯାଇଛି ।
ଫୁଲିବାରେ ଲାଗିଛି ବ୍ରାହ୍ମଣୀ: ବୈତରଣୀ ଓ ସୁବର୍ଣ୍ଣରେଖାରେ କମିଛି ବନ୍ୟା
ଫୁଲିବାରେ ଲାଗିଛି ବ୍ରାହ୍ମଣୀ। ବୈତରଣୀ ଓ ସୁବର୍ଣ୍ଣରେଖାରେ କମିଛି ବନ୍ୟା । ତିନି ଜିଲ୍ଲାରେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ। ରିଲିଫକୁ ନେଇ ଗାଁ ଗାଁରେ ଦେଖିବାକୁ ମିଳୁଛି ଅସନ୍ତୋଷ। ବୈତରଣୀ ବନ୍ୟାରେ ଧୋଇ ହୋଇଯାଇଛି ୨୦ ନମ୍ବର ଜାତୀୟ ରାଜପଥ ସାଙ୍ଗକୁ ଗାଁ ରାସ୍ତା । ସେପଟେ ହଜାର ହଜାର ହେକ୍ଟର ଜମିରେ ସାରଦ ଧାନ ତଳି ଉପରେ ଲହଡି ମାରୁଛି ବନ୍ୟା ଜଳ । ବୈତରଣୀ ବନ୍ୟାରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପରିକି ଆଖଣ୍ଡଳମଣି-କୁଆଖିଆ ୨୦ ନମ୍ଵର ଜାତୀୟ ରାଜପଥର ବୋଡକ ନିକଟରେ ରାସ୍ତା ଧୋଇଯାଇଥିବାରୁ ଏବେ ବିପଦପୂର୍ଣ୍ଣ ଭାବେ ଯାଆଆସ କରୁଛନ୍ତି ଲୋକେ । ସେହିପରି ୪ଟି ବ୍ଲକର ୩୫ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ତଳି ଉଜୁଡି ଯିବାକୁ ବସିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର କମିଥିଲେ ବି ଦୁର୍ଦ୍ଦଶା ବଢୁଛି। ବାଲିଆପାଳ ଓ ଭୋଗରାଇ ବ୍ଲକର ବହୁ ଗାଁ ଜଳବନ୍ଦୀ ହୋଇ ରହିଛି। ପାଣି ଘେରରେ ରହିଛି ବାଲିଆପାଳ ବ୍ଲକର ୮ରୁ ଅଧିକ ଗାଁ। ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ବର୍ଷ ଯାକ କିପରି ପରିବାର ପ୍ରତିପୋଷଣ ହେବ ଏବଂ ଚାଷ କାମ ପାଇଁ କରିଥିବା ଋଣ କିପରି ପରିଶୋଧ କରିବେ ସେ ଚିନ୍ତାରେ ଘାରି ହେଉଛନ୍ତି ବନ୍ୟା ବିପନ୍ନ। ସେପଟେ ବନ୍ୟା ଛାଡିବା ପରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଘାଇ ମରାମତି କାମ । ବୈତରଣୀର ଶାଖା କାଣୀ ନଦୀରେ ଭୟଙ୍କର ବନ୍ୟା ଆସିବା ଯୋଗୁ ସମଗ୍ର ଦଶରଥପୁର ଅଞ୍ଚଳ ଜଳମଗ୍ନ ହୋଇଥିଲା ।
ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁଙ୍କ ତିନିରଥର ଚକ
ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁଙ୍କ ତିନିରଥର ଗୋଟିଏ ଲେଖାଏଁ ଚକ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦରେ ତିନିରଥର ଗୋଟିଏ ଲେଖାଏଁ ଚକ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏନେଇ ସୋସିଆଲ ମିଡିଆ Xରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।

