spot_img
Home Blog Page 5274

ଓଡ଼ିଶା ହକି ପାଇଁ ନୟୋଜିତ ହୋଇପାରନ୍ତି ଅନ୍ତର୍ଜାତୀୟ ସ୍ତରର ଜଣାଶୁଣା କୋଚ୍ ଜୁଡେ ଫେଲିକ୍ସ

ଭୁବନେଶ୍ୱର: ବଦଳି ଗଲାଣି ଓଡ଼ିଶାର ଚିତ୍ର। କ୍ରୀଡ଼ପାଇଁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପରିଚୟ। ଅଲିମ୍ପିକ୍ସରେ ଦୁଇ ଓଡ଼ିଆ ହକି ଖେଳାଳି ପଦକ ଜିତିବା ପରେ ଓଡ଼ିଶା ହକିର ମାହୋଲ ବଦଳି ଯାଇଛି। ଅଧିକରୁ ଅଧିକ ହକି ଖେଳାଳି ଓଡ଼ିଶାରେ ବାହାର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଅନ୍ତର୍ଜାତୀୟ ସ୍ତରର କୋଚ୍ ନିଯୁକ୍ତି କରିବାକୁ ପ୍ରୟାସ କରାଯାଉଛି। ସେପଟେ ହକି ବିଶ୍ୱକପ୍‌ର ପୂର୍ବରୁ ରାଉରକେଲାର ହକି ଷ୍ଟାଡିୟମ ନିର୍ମାଣ ଶେଷ କରିବାକୁ ଦିଆଯାଇଛି ଡେଡଲାଇନ୍।

କ୍ରିକେଟ୍ ଓ ଫୁଟବଲକୁ ଛାଡ଼ି ଏବେ ହକି ପଛରେ ବାୟା ରାଜ୍ୟବାସୀ। ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଏବେ ହକିର କ୍ରେଜ୍ କାହିଁରେ କଣ। ଏହାରି ଭିତରେ ଓଡ଼ିଶା ହକିକୁ ଆହୁରି ଶାଣିତ କରିବା ପାଇଁ ରାଜ୍ୟସରକାର ଅଣ୍ଟା ଭିଡ଼ିଛନ୍ତି। ଓଡ଼ିଶା ହକି ପାଇଁ ଏକ ଅନ୍ତର୍ଜାତୀୟ ସ୍ତରର ଜଣାଶୁଣା କୋଚ୍ ନିଯୁକ୍ତି କରିବାକୁ ରାଜ୍ୟସରକାର ଚିନ୍ତା କରୁଛନ୍ତି। ମହାନ ହକି କିମ୍ବଦନ୍ତୀ ଜୁଡେ ଫେଲିକ୍ସ ଓଡ଼ିଶା ହକିର ମଙ୍ଗ ଧରିପାରନ୍ତି।

ଜୋରସୋର ଚାଲିଛି ଆଗମୀ ୨୦୨୩ ବିଶ୍ୱକପ୍‌ ପୂର୍ବରୁ ହକି ଷ୍ଟାଡିୟମର କାମ ଶେଷ ହେବ। ଏଥିପାଇଁ ଡେଡଲାଇନ୍ ରହିଛି ଜୁଲାଇ ୨୦୨୨। କାମର ଅଗ୍ରଗତି ନେଇ ବୈଠକ ଓ ସମୀକ୍ଷା ଜାରି ରହିଛି। ହକିକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଜାରି ରହିଛି। ଏଭଳି ସମୟରେ କ୍ରୀଡାରେ କ୍ୟାରିୟର କରିବାକୁ ଅଧିକରୁ ଅଧିକ ଯୁବକ ଆଗ୍ରହ ପ୍ରକାଶ କଲେଣି।

କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଘଟଣା, ଶିଶୁ ସମେତ ୧୩ ମୃତ

କାବୁଲ: କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ବାହାରେ ଗୁରୁବାର ଦିନ ଘଟିଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ସ୍ପଷ୍ଟ କରିଛି ତାଲିବାନ। ଏହି ଘଟଣାରେ ଅନେକ ତାଲିବାନୀ ଗାର୍ଡ ମାନେ ମଧ୍ୟ ଆହତ ହୋଇଛନ୍ତି।

ଜଣେ ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ବିସ୍ଫୋରଣରେ ଆମେରିକୀୟ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ମୃତାହତ ତଥା ଆହତ ବ୍ୟକ୍ତି ମାନଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନଥିବା ବେଳେ ସେମାନେ କେଉଁଠିକାର ଲୋକ, ସେନେଇ ସ୍ପଷ୍ଟ ହୋଇପାରିନାହିଁ ।

ଆଇଏସ୍ ପକ୍ଷରୁ ଆକ୍ରମଣ ନେଇ ଧମକ ଦିଆଯାଇଥିଲା । ତେବେ ଏହି ଘଟଣା ପରେ ଜନସାଧାରଣଙ୍କୁ କାବୁଲ ଏୟାରପୋର୍ଟରୁ ଦୂରେଇ ରହିବା ପାଇଁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ଘଣ୍ଟା ତଳେ ଆମେରିକା ଦୂତାବାସ କାବୁଲ ଏୟାରପୋର୍ଟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲା । ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କୁ ଏୟାରପୋର୍ଟର ପୂର୍ବ ଓ ଉତ୍ତର ଦିଗରେ ଥିବା ଗେଟ ପାଖରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଆଗକୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ବଦଳିପାରେ ମରୁଡି ପରିସ୍ଥିତି। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୮ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଯାହା ଘନୀଭୂତ ହୋଇ ୨୮ତାରିଖ ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ।

ଏହାର ପ୍ରଭାବରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷାର ପରିମାଣ ବଢିପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲା ସମେତ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ବୌଦ୍ଧ, ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏସବୁ ଜିଲ୍ଲାଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ରାଜ୍ୟରେ ଜୁନ୍ ପହିଲାରୁ ଏବେ ସୁଦ୍ଧା ମୋଟ ୫୯୮ ଦଶମିକ ୬ମିଲିମିଟର ବର୍ଷା ହୋଇଛି। ଏହି ସମୟରେ ୮୬୯ମିଲିମିଟର ବର୍ଷା ହେବା କଥା। ରାଜ୍ୟରେ ଏବେ ୩୧ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଆଗକୁ ଲଘୁଚାପ ପ୍ରଭାବରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଦ୍ୱାରା ନିଅଣ୍ଟିଆ ବର୍ଷା ପୂରଣ ହେବାର ଆଶା ରହିଛି।

୨୦୨୨ରେ ଏକାଠି ହେବ ବାଘ ଓ ହାତୀ ଗଣନା

ଭୁବନେଶ୍ୱର: ମେ’ ମାସରେ ହାତୀ ଗଣନା ଓ ଡିସେମ୍ବରରୁ ଜାନୁଆରୀ ଭିତରେ ବାଘ ଗଣନା। ୭୦ ଦଶକ ପରଠାରୁ ଏମିତି ହେଉଥିଲା ବାଘ ଓ ହାତୀ ଗଣନା। ହେଲେ ଏବେ ବଦଳିବ ପଦ୍ଧତି। ଡିସେମ୍ବରରେ ଏକାଠି ହାତୀ ଓ ବାଘ ଗଣନା କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର। ହେଲେ ଏଯାଏ ଏକାଠି ଗଣନାର ପଦ୍ଧତି ବାହାରି ପାରିନାହିଁ। ୨୦୧୭ ଗଣନା ଅନୁସାରେ, ରାଜ୍ୟରେ ୧୯୭୬ ହାତୀ ଥିଲେ। ସେହିପରି ୨୦୧୮ ଗଣନାରେ ବାଘ ସଂଖ୍ୟା ୩୨ରୁ ୨୮କୁ ଖସିଥିଲା।

ଏଯାଏ ମେ’ ମାସ ଖରାଦିନରେ ହାତୀ ଗଣନା ହୋଇଆସୁଛି। କାରଣ ଖରାରେ ପାଣି ସନ୍ଧାନରେ ଗୋଟାଏ ସ୍ଥାନରେ ଏକାଠି ହୁଅନ୍ତି ହାତୀ ପଲ। ପୂର୍ବରୁ ନିୟୋଜିତ ବନ କର୍ମଚାରୀ, ସେମାନଙ୍କ ଗଣନା କରନ୍ତି। ଅନ୍ୟପଟେ ଥଣ୍ଡାରେ ଘଞ୍ଚ ବଣରେ ଅଧିକ ବାଟ ବୁଲେ ନାହିଁ ବାଘ। ପାଦ ଚିହ୍ନ ଓ କ୍ୟାମେରା ଟ୍ରାପିଂରେ ବାଘ ଗଣନା ହୁଏ। ହେଲେ ଥଣ୍ଡା ଦିନରେ ପାଣିର ଅଭାବ ନଥିବାରୁ ହାତୀ ଗୋଟାଏ ସ୍ଥାନରେ ଏକାଠି ହେବା କଷ୍ଟକର। ଯେଉଁଥି ପାଇଁ ଗଣନାରେ ସମସ୍ୟା ଉପୁଜିପାରେ।

ଜଙ୍ଗଲ ଭିତରେ ବୁଲୁଥିବା ସ୍ଥାନ ବାଘ ଓ ହାତୀଙ୍କ ୯୦ ପ୍ରତିଶତ ସମାନ। ତାକୁ ଭିତ୍ତି କରି ଗଣନା କଲେ ବି ସମସ୍ୟା ଦେଖା ଦେଇପାରେ। କାରଣ ବିଭିନ୍ନ ସମୟରେ ହାତୀ ପାଦ ତଳେ ବାଘ ପାଦ ଚିହ୍ନ ଲିଭିବାର ସମ୍ଭାବନା ରହିଛି।

ଚଳିତ ବର୍ଷ ମଧ୍ୟ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ୩୦ ପ୍ରତିଶତ ପାଠ୍ୟକ୍ରମ କମିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ। ଏକାଦଶରେ ୩ଟି ଇଣ୍ଟରନାଲ୍‌ ପରୀକ୍ଷା ହେବ ଏବଂ ଗୋଟିଏ ବାର୍ଷିକ ପରୀକ୍ଷା ହେବ।

ଏହି ପରୀକ୍ଷାକୁ କଲେଜ ପରିଚାଳନା କରିବ। ସେହିଭଳି ଦ୍ଵିତୀୟ ବର୍ଷ ପାଇଁ ମଧ୍ୟ ହେବ ୩ଟି ଇଣ୍ଟରନାଲ ପରୀକ୍ଷା। ହେଲେ ଫାଇନାଲ ପରୀକ୍ଷାକୁ କାଉନସିଲ୍‌ ପକ୍ଷରୁ ପରିଚାଳନା କରାଯିବ। ପ୍ରଥମ ଇଣ୍ଟରନାଲରେ ଥିବା ପାଠ୍ୟକ୍ରମ ଦ୍ଵିତୀୟ ଇଣ୍ଟରନାଲ୍‌ରେ ରହିବ ନାହିଁ। ଗତବର୍ଷ ମଧ୍ୟ କରୋନା ପାଇଁ ୩୦ ପ୍ରତିଶତ ପାଠ୍ୟକ୍ରମ କମିଥିଲା। ତେବେ ନିରନ୍ତର ମୂଲ୍ୟାୟନ ପଦ୍ଧତି ମାଧ୍ୟମରେ ପରୀକ୍ଷା ହେବ।

ମହାମାରୀ ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯିବ। ସେହି ଅନୁସାରେ ପ୍ରଥମ ବର୍ଷ ଏବଂ ଦ୍ଵିତୀୟ ବର୍ଷରେ ହେବ ଇଣ୍ଟରନାଲ ପରୀକ୍ଷା। ପ୍ରଥମ ବର୍ଷରେ ୩ଟି ଓ ଦ୍ଵିତୀୟ ବର୍ଷରେ ବି ୩ଟି ଇଣ୍ଟରନାଲ କରାଯିବ। ପ୍ରତି କ୍ଵାର୍ଟରରେ ୩୦ ନମ୍ବର ବିଶିଷ୍ଟ ଇଣ୍ଟରାନଲ ହେବ। ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟିକାଲ ହେବ। ସମସ୍ତ ଟର୍ମିନାଲ ପରୀକ୍ଷା ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ପରିଚାଳନା କରିବେ।

ଦେଶରେ ଥମିନି କରୋନାର ଦ୍ୱିତୀୟ ଲହର, ‘ସେପ୍ଟେମ୍ବର ଓ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ’: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ମାମଲା କମିଥିବା ବେଳେ ଚିନ୍ତା ବଢ଼ାଇଲା କେରଳ । ବିଗତ ୨୪ ଘଣ୍ଟାରେ ଚିହ୍ନଟ ସଂକ୍ରମିତ ମାମଲା ମଧ୍ୟରୁ ୫୮.୪ ପ୍ରତିଶତ ମାମଲା କେବଳ କେରଳରୁ ଆସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଏକ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । ଯେତେବେଳେ କି ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ସକ୍ରିୟ ମାମଲା ୧୦ ହଜାରରୁ ଏକ ଲକ୍ଷ ମଧ୍ୟରେ ରହିଛି । ଦେଶର ୪୧ଟି ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ମାମଲା ୧୦ ପ୍ରତିଶତରୁ ଅଧିକ ରହିଛି ।

ଦେଶରେ କୋଭିଡ୍ ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ଦ୍ୱିତୀୟ ପ୍ରବାହ ନ ସରିବା ଯାଏଁ ସତର୍କ ରହିବା ସହ ନିୟମ ପାଳନ ପାଇଁ ସେ କହିଛନ୍ତି । ବିଶେଷ କରି ପ୍ରତିଟି ପର୍ବ ପରେ ସଂକ୍ରମଣ ମାମଲା ବଢ଼ୁଛି ।

ସେ ଆହୁରି କହିଛନ୍ତି, ‘ସେପ୍ଟେମ୍ବର ଓ ଅକ୍ଟୋବର ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଦେଶରେ ପାର୍ବଣ ଋତୁ ଚାଲିଥାଏ । ଏଥିପାଇଁ କୋଭିଡ୍ ନିୟମ ମାନି ପାର୍ବଣ ପାଳନ କରିବା ଉଚିତ୍ । ଟିକାକରଣ ପରେ ମଧ୍ୟ ମାସ୍କ, ସାମାଜିକ ଦୂରତା ରକ୍ଷା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।’

କିଷାନ ସଭା କାର୍ଡ ନାଁରେ ନିରୀହ ଚାଷୀଙ୍କୁ ଲୋଭ ଦେଖାଇ ଲୁଟି ଚାଲିଛନ୍ତି ଦଲାଲ୍

ଗୁଣୁପୁର: କିଷାନ ସଭା କାର୍ଡ ନାଁରେ ଲୁଟ୍। ଉପାନ୍ତ ଅଞ୍ଚଳରେ ମାତିଛନ୍ତି ଦଲାଲ୍। ଲୁଟ୍‌ର ଚକ୍ରବ୍ୟୂହରେ ନିରୀହ ଚାଷୀ। ବ୍ୟାଙ୍କ ଫ୍ରଡ, ସାଇବର ଠକଙ୍କ କଥା ଶୁଣିଥିବେ। ଏବେ ନିରୀହ ଚାଷୀଙ୍କୁ ଲୁଟର ଚକ୍ରବ୍ୟୂହରେ ଫସାଇବାକୁ ଦଲାଲ ରଚୁଛନ୍ତି ଷଡ଼ଯନ୍ତ୍ର। ଆଦିବାସୀ ଇଲାକା ଓ ଗ୍ରାମାଞ୍ଚଳକୁ ମୁହାଁଇଛନ୍ତି ଠକ। କିଷାନ ସଭା କାର୍ଡରେ ନାଁରେ ଲୋକଙ୍କୁ ଲୁଟିବାକୁ ଚାଲ୍‌ ଖେଳିଛନ୍ତି। ଏଭଳି ଅଭିଯୋଗ ରାୟଗଡ଼ା ଜିଲ୍ଲା ଗୁଣପୁରରୁ ଆସିଛି। ଚାଷୀଙ୍କୁ ଲୋଭ ଦେଖାଇ କିଷାନ ସଭା କାର୍ଡ ନାଁରେ ଅର୍ଥ ଲୁଟୁଥିବା ଅଭିଯୋଗ ହୋଇଛି।

ପ୍ରତି କାର୍ଡ ପିଛା ୨୦୦ ଟଙ୍କା ଲେଖାଏ ସଂଗ୍ରହ କରୁଛନ୍ତି ଦଲାଲ। ବର୍ତ୍ତମାନ ସୁଦ୍ଧା ୪ ହଜାର କାର୍ଡ ବଣ୍ଟା ଯାଇଥିବା ଲୋକ କହିଛନ୍ତି। ଚଳିତ ବର୍ଷ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ମରୁଡି ଘୋଷଣା ହେଲେ ସହାୟତା ରାଶି ଏହି କାର୍ଡ ଦ୍ୱାରା ମିଳିବ, ବ୍ୟାଙ୍କରୁ ମଧ୍ୟ ଋଣ ମିଳିବ ଏହି ଲୋଭ ଦେଖାଇ ଚାଷୀଙ୍କୁ ଦଲାଲ ଠକୁଛନ୍ତି। ସେପଟେ କିଷାନ ସଭା କାର୍ଡ ବାବଦରେ ଜିଲ୍ଲା କୃଷି ଅଧିକାରୀଙ୍କୁ ପଚାରିବାରୁ ସେ ଏ ବିଷୟ କିଛି ଜାଣିନାହାନ୍ତି। ତଦନ୍ତ କରି ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

କାବୁଲ ଏୟାରପୋର୍ଟ ବାହାରେ ବଡ଼ଧରଣର ବିସ୍ଫାେରଣ

କାବୁଲ: କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଗେଟ୍ ବାହାରେ ଗୁରୁବାର ଦିନ ବଡ଼ଧରଣର ବିସ୍ଫୋରଣ ଘଟିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ପେଣ୍ଟାଗନ୍ ।

ରିପୋର୍ଟ ଅନୁଯାୟୀ ଏହି ବିସ୍ଫାେରଣରେ ଏଯାବତ୍ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଦୁଇ ଆମେରିକୀୟ ଅଧିକାରୀଙ୍କ ଅନୁସାରେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଥିବା ବେଳେ କିଛି ସ୍ପଷ୍ଟ ହୋଇନାହିଁ । ଏହି ବିସ୍ଫୋରଣ ସମୟରେ ଭୟଭୀତ ହୋଇ ଲୋକେ ଦୌଡାଦୌଡି କରୁଥିବା ନଜର ଆସିଛି ।

ପେଣ୍ଟାଗନର ମୁଖପାତ୍ର ଜନ୍ କିରବି ବିସ୍ଫୋରଣ ନେଇ ସ୍ପଷ୍ଟ କରିଛନ୍ତି । କ୍ଷୟକ୍ଷତି ଏବଂ ମୃତାହତ ନେଇ ଅଧିକ ସୂଚନା ମିଳିନଥିବା ଟ୍ୱିଟ୍ କରିଛନ୍ତି । ତେବେ ଏହାକୁ ଏକ ଆତ୍ମଘାତୀ ହମଲା ବୋଲି ଅନୁମାନ କରାଯାଉଛି । ଏସମ୍ପର୍କରେ ହ୍ୱାଇଟ୍ ହାଉସ ପକ୍ଷରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ଘଣ୍ଟା ତଳେ ଆମେରିକା ଦୂତାବାସ କାବୁଲ ଏୟାରପୋର୍ଟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲା । ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କୁ ଏୟାରପୋର୍ଟର ପୂର୍ବ ଓ ଉତ୍ତର ଦୀଗରେ ଥିବା ଗେଟ ପାଖରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା ।

କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ କମିପାରେ ସମୟ, ଖୁବ୍ ଶୀଘ୍ର ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନାର ତୃତୀୟ ପ୍ରବାହ ଆଶଙ୍କା ଥିବା ବେଳେ କୋଭିସିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ କମିପାରେ ବୋଲି ଆଲୋଚନା ହେଉଛି । ଏନେଇ ଜଣେ ଅଧିକାରୀ କହିଛନ୍ତି, “କୋଭିସିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ନେଇ ଆଲୋଚନା ହେଉଛି। । ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ ଇନ୍ ଇଣ୍ଡିଆ (NTAGI)ରେ ମଧ୍ୟ ଏନେଇ ଆଲୋଚନା ହୋଇନାହିଁ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ NTAGI ରେ ମଧ୍ୟ ଏହା ଉପରେ ଆଲୋଚନା କରାଯିବ।

Oxford's Covishield gets emergency use approval in India

ଏହି ମାସ ଆରମ୍ଭରେ କୋଭିଡ୍-୧୯ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ଏନ୍.କେ. ଅରୋରା କହିଛନ୍ତି ଯେ କୋଭିସିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ କମ୍ କରାଯାଇପାରେ। ଏହି ପାର୍ଥକ୍ୟ କେବଳ ୪୫ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ଲୋକଙ୍କ ପାଇଁ କମାଯିବ ।  ବର୍ତ୍ତମାନ ସମସ୍ତ ବୟସ୍କ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ପରେ ୧୨ରୁ ୧୬ ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଡୋଜ୍ ନେଉଛନ୍ତି।

Odisha Request Center To Provide 25 Lakh Dose Vaccine

ଏକ୍ସପର୍ଟଙ୍କ କହିବାନୁଯାୟୀ, ପ୍ରଥମ ଡୋଜରେ ଆଣ୍ଟିବଡି ଅଧିକ ଉତ୍ପନ୍ନ ହୁଏ । ଏପରିସ୍ଥିତିରେ ଦ୍ୱିତୀୟ ଡୋଜ୍ ବିଳମ୍ବରେ ଦିଆଯିବା ଉଚିତ୍ । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ବ୍ୟବଧାନ ବଢାଯିବା ପରେ ଏକ ନୂତନ ଅଧ୍ୟୟନ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ କୋଭିସିଲ୍ଡର ପ୍ରଥମ ଡୋଜରୁ ଅଧିକ ଆଣ୍ଟିବଡି ଉତ୍ପନ୍ନ ହେଉଥିବା ଆକଳନ ସମ୍ପୂର୍ଣ୍ଣ ରୂପେ ସଠିକ୍ ନୁହେଁ।

ସ୍ୱପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ, ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରୂପାନ୍ତର ହେଉଛି ସ୍କୁଲ। ଆଜି ତୃତୀୟ ପର୍ଯ୍ୟାୟରେ ୧୦ଟି ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫-ଟି ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଛନ୍ତି। ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ ଅଞ୍ଚଳର ୫୦ଟି ବିଦ୍ୟାଳୟର ହୋଇଛି ରୂପାନ୍ତର। ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ନିର୍ମାଣ ହୋଇଛି। ଯେଉଁଥିରେ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବାର ସୁଯୋଗ ପାଇବେ।

ସ୍ୱପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ୱପ୍ନ ଦେଖ। ନିଜ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ୱପ୍ନକୁ ସାକାର କର ଏବଂ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖ ବୋଲି ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସମସ୍ତ ବିଦ୍ୟାଳୟକୁ ଏବେ ପର୍ଯ୍ୟାୟକ୍ରମେ ଉଦଘାଟନ କରାଯାଉଥିବା ବେଳେ, ଆଜି ଆଉ ୧୦ଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ସ୍କୁଲର ଏଭଳି ରୂପାନ୍ତର ପାଇଁ ବହୁତ ଖୁସି ଥିବା କହିଛନ୍ତି। ପ୍ରାଇଭେଟ ସ୍କୁଲ ଠାରୁ ବହୁ ଉନ୍ନତ ଧରଣର ସ୍କୁଲରେ ପଢ଼ିବାର ସୁଯୋଗ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଛାତ୍ରଛାତ୍ରୀ ମାନେ କହିଛନ୍ତି ଯେ ଇ-ଲାଇବ୍ରେରୀ, ଉନ୍ନତମାନର ଶ୍ରେଣୀଗୃହ, ଭଲ ଖେଳପଡ଼ିଆ ଆଗରୁ ନଥିଲା। କିନ୍ତୁ ସ୍କୁଲର ରୂପାନ୍ତର ହେବା ପରେ ଏସବୁ ଆମକୁ ମିଳିପାରିଛି। ଏହା ଦ୍ୱାରା ଆଗକରୁ ଯାହା ପଢ଼ିବାକୁ କଷ୍ଟ ହେଉଥିଲା ଏବେ ତାହା ପଢ଼ିବାକୁ ସହଜ ଲାଗୁଛି ଏବଂ ଆମେ ଭଲରେ ବୁଝି ପଢ଼ିପାରୁଛୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ସେହିଭଳି ସେରଗଡ଼ ଅନ୍ତର୍ଗତ ଗୋବିନ୍ଦପୁର ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ ନିକିତା ଜେନା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି।

ପୂର୍ବରୁ ବିଦ୍ୟାଳରେ ବସିବା ପାଇଁ ବେଞ୍ଚର ସୁବିଧା ନଥିଲା ପଢ଼ିବା ପାଇଁ ଉପଯୁକ୍ତ ଆଲୋକର ବ୍ୟବସ୍ଥା ନଥିଲା। ଲାଇବ୍ରେରୀ ଠାରୁ ଆରମ୍ଭ କରି ଲାବ୍ରୋଟାରୀ ଏବଂ ପିଇବା ପାଣି କି ଉନ୍ନତମାନର ଖେଳ ପଡ଼ିଆର ସୁବିଧା ନଥିଲା। କିନ୍ତୁ ବର୍ତ୍ତମାନ ୫-ଟି ଅନ୍ତର୍ଗତ କରାଯାଇଥିବା ସ୍କୁଲର ନବିକରଣ ହୋଇଛି। ଯେଉଁଥିପାଇଁ ଏବେ ସ୍କୁଲ ଆମର ସ୍ମାର୍ଟ ହୋଇଛି। ଇ- ଲାଇବ୍ରେରୀ, ଅତ୍ୟାଧୁନିକ ଲାବ୍ରୋଟାରୀ, ଉନ୍ନତମାନର ଶ୍ରେଣୀଗୃହ, ୬୫ ଇଞ୍ଚର ସ୍ମାର୍ଟ ଟିଭି, ଇଣ୍ଟର ନେଟ୍‌, ଉନ୍ନତମାନର ଖେଳପଡ଼ିଆ, ସ୍ୱଚ୍ଛ ଶୌଚାଳୟ ଆଜି ଆମ ସ୍କୁଲରେ ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିକିତା। ଏହାପରେ ମୁଖ୍ୟମନ୍ତ୍ରୀ ନିକିତାଙ୍କୁ ତାଙ୍କ ଜୀବନରେ କଣ କରିବାକୁ ଇଚ୍ଛା ବୋଲି ପଚାରିଥିଲେ। ନିକିତା ଜଣେ ଭଲ ଡାକ୍ତର ହେବେ ବୋଲି କହିଥିଲେ। ଏମିତି ୧୦ ଟି ସ୍କୁଲର ପିଲା ମାନଙ୍କ ସହ ଜଣ ଜଣ କରି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି ଗଣ୍ଡୋଳ ପଞ୍ଚାୟତ ଗଣେଷ ବିଦ୍ୟାପୀଠ, କୃଷ୍ଣଛାଇ ପଞ୍ଚାୟତର କୃଷ୍ଣଛାଇ ହାଇସ୍କୁଲ, ରଲବା ପଞ୍ଚାୟତର ଅଲପୁର ହାଇସ୍କୁଲ, ଅଲାରିଗଡା ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ, କଞ୍ଚୁରେ ପଞ୍ଚାୟତର ସରକାରୀ ହାଇସ୍କୁଲ, ଧବଳପୁର ପଞ୍ଚାୟତର ଧବଳପୁର ହାଇସ୍କୁଲ, ବୁରୁପଡା ପଞ୍ଚାୟତର ସମଲାଇ ବିଦ୍ୟାପୀଠ, ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ହାଇସ୍କୁଲ,  କୁରୁଲା ପଞ୍ଚାୟତର କୁରୁଲା ସରକାରୀ ହାଇସ୍କୁଲ ଏବଂ  ସାରୁ ପଞ୍ଚାୟତର ସାରୁ ହାଇସ୍କୁଲ।

ଏହି ଅବସରରେ ମନ୍ତ୍ରୀଶ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଅରୁଣ ସାହୁ , ମନ୍ତ୍ରୀ ତୁଷାର କାନ୍ତି ବେହେରା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଏମ୍ ପି ପ୍ରମିଳା ବିଶୋଇ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।