spot_img
Home Blog Page 5292

ବୃକ୍ଷକୁ ରାକ୍ଷୀ ବାନ୍ଧି ନିଆରା ଢ଼ଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ

ଗଞ୍ଜାମ: ଆଜି ସାରା ଦେଶ ପାଳୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ। ଏହି ଅବସରରେ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ରାକ୍ଷୀ ଉତ୍ସବ ଆଡ଼ପଡ଼ା ଈଶାଣେଶ୍ୱର ପାଠାଗାର ଓ ମନ୍ଦିର କମିଟି ତରଫରୁ ବୃକ୍ଷ ରୋପଣ ସହ ବୃକ୍ଷକୁ ରାକ୍ଷୀ ବାନ୍ଧି ନିଆରା ଢଙ୍ଗରେ ପାଳିତ ହୋଇଛି ପବିତ୍ର ରକ୍ଷା ବନ୍ଧନ।

ଏହି ରକ୍ଷା ବନ୍ଧନରେ ଈଶାଣେଶ୍ୱର କମିଟି ମାନେ ବୃକ୍ଷକୁ ସୁରକ୍ଷା କରିବା ନିମନ୍ତେ ସଂକଳ୍ପ କରିବା ସହ ରକ୍ଷା ଡୋର ବାନ୍ଧିଥିଲେ। ଆବାହନ କାଳରୁ ବିପଦ ଆପଦରେ ସୁରକ୍ଷା ନିମନ୍ତେ ଭଉଣୀ ତା ଭାଇ ହାତରେ ରକ୍ଷା ଡୋରି ବାନ୍ଧି ଆସୁଛି। ବର୍ତ୍ତମାନ ସାରା ବିଶ୍ୱରେ ଯେଉଁ ଭଳି ଅଭାବନୀୟ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ତାର ପ୍ରଶାମନ ନିମନ୍ତେ ବୃକ୍ଷ ର ସୁରକ୍ଷା ଅପରିହାର୍ଯ୍ୟ। ତେଣୁ ଏହାର ସୁରକ୍ଷା ସଂକଳ୍ପ ପୂର୍ବକ ଈଶାଣେଶ୍ୱର ପାଠାଗାର ଓ ମନ୍ଦିର କମିଟି ମାନେ ଗଛକୁ ରକ୍ଷା ବାନ୍ଧି ଭିନ୍ନ ଢ଼ଙ୍ଗରେ ରକ୍ଷା ବନ୍ଧନ ପାଳନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ଈଶାଣେଶ୍ୱର ପାଠାଗାର ସଭାପତି ଶ୍ରୀ ବନମାଳୀ ପ୍ରଧାନ,ସରପଞ୍ଚ ଶ୍ରୀ ନୀଳମାଧବ ରାଉତ, ପାଠାଗାର କମିଟି ଡାକ ରାଉତ, ଶିବଶଙ୍କର ଜେନା, ଚନ୍ଦନ ରାଉତ, ସୁଧାଂଶୁ ଜେନା, ମାନସ ରଂଜନ ଜେନା, ଦିପକ ପ୍ରଧାନ, ଅମରେଶ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

ଖୁବଶୀଘ୍ର ଏସ୍‌ସିବି ମେଡିକାଲରେ କାର୍ଯ୍ୟକ୍ଷମ ହେବ ଏକ୍‌ମୋ ମେସିନ୍‌

କଟକ: ଖୁବଶୀଘ୍ର କଟକ ଏସ୍‌ସିବି ମେଡିକାଲରେ ଏକ୍‌ମୋ ମେସିନ୍‌ କାର୍ଯ୍ୟକ୍ଷମ ହୋଇପାରେ। ଏ ନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନିର୍ଦ୍ଦେଶକ କହିଛନ୍ତି, ୯ଟି ଏକ୍‌ମୋ ମେସିନ୍‌ ପାଇଁ ୪ ଜଣ ହୃଦରୋଗ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରଶିକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଡିଏମଇଟି ନିର୍ଦ୍ଦେଶକ  ଆହୁରି କହିଛନ୍ତି ଯେ କୋଭିଡ୍‌ ଆକ୍ରାନ୍ତ ପରେ ଫୁସଫୁସଜନିତ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଏକ୍‌ମୋ ମେସିନ୍‌ ସହାୟକ ହେବ। କିନ୍ତୁ ଏହି ମେସିନ ଚଳାଇବାରେ ଅଧିକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ତାହା ନହେଲେ ରୋଗୀର ଜୀବନ ବିପଦରେ ପଡ଼ିବା ଆଶଙ୍କା ରହିଛି।

ସୂଚନାଯୋଗ୍ୟ, ସୂଚନା ଯୋଗ୍ୟ ଯେ, କରୋନା ଦ୍ୱିତୀୟ ଲହରରେ ଲୋକେ ବିଶେଷ ଭାବେ ଫୁସଫୁସ୍ ଜନିତ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆଉ ଏହାର ଚିକିତ୍ସା ଦିଗରେ ଏକମୋ ବେଶ ଫଳପ୍ରଦ ହୋଇଥିବା ବେଳେ ଏଥିଲାଗି ବାହାର ରାଜ୍ୟକୁ ଲୋକଙ୍କୁ ଯିବାକୁ ପଡ଼ୁଥିଲା । ଏଣୁ ଏହି ସୁବିଧାକୁ ରାଜ୍ୟରେ ଯୋଗାଇଦେବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ବିଦେଶରୁ ତିନିଟି ପର୍ଯ୍ୟାୟରେ ମୋଟ ୯ଟି ଏକମୋ ମେସିନ୍ ଆମଦାନୀ କରିଛନ୍ତି । ଯାହା ଫଳରେ ଲୋକେ ଫୁସଫୁସ୍ ଜନିତ ରୋଗର ଚିକିତ୍ସା ସହଜରେ କରାଇପାରିବେ । ଏବଂ ଏଭଳି ଚିକିତ୍ସା ଲାଗି ଆଉ ବାହାର ରାଜ୍ୟକୁ ମଧ୍ୟ ଯିବାକୁ ପଡ଼ିବନାହିଁ ।

ଧୋକା ଦେଲା ଲଘୁଚାପ, ସମ୍ଭାବନା ଆଣୁଛି ମୌସୁମୀ ଟ୍ରଫ୍‌ ଲାଇନ୍

ଭୁବନେଶ୍ୱର: ଅଗଷ୍ଟରେ ଦୁଇ ଦୁଇଟି ଲଘୁଚାପ ସତ୍ତ୍ୱେ ଆବଶ୍ୟକୀୟ ବର୍ଷା ହେଲାନି। ତେବେ ଆଗକୁ ବର୍ଷାର ସମ୍ଭାବନା ଆଣୁଛି ଦୁର୍ବଳ ଥିବା ଦକ୍ଷିଣ- ପଶ୍ଚିମ ମୌସୁମୀ ଟ୍ରଫ୍ ଲାଇନ୍। ଆସନ୍ତା ତିନି ଦିନ ମଧ୍ୟରେ ଏହା ସକ୍ରିୟ ହୋଇ ୨୫ ତାରିଖ ସୁଦ୍ଧା ଉପକୂଳ ଓଡ଼ିଶା ମଧ୍ୟ ଦେଇ ଗତି କରିବ। ଏହାର ପ୍ରଭାବରେ ମୌସୁମୀ ଟ୍ରଫଲାଇନ୍ ଦକ୍ଷିଣାୟନ ଗତି କରି ସ୍ୱାଭାବିକ ସ୍ଥିତିକୁ ଫେରିବ। ଫଳରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଚଳିତ ମୌସୁମୀ ଋତୁରେ ଜୁନ୍ ୧ରୁ ଅଗଷ୍ଟ ୨୨ ତାରିଖ ସୁଦ୍ଧା ରାଜ୍ୟରେ ୮୩୬ ଦଶମିକ ୨ ମିଲିମିଟର ବର୍ଷା ହେବା କଥା। କିନ୍ତୁ ୫୮୩ ଦଶମିକ ୭ ମିଲିମିଟର ବର୍ଷା ହୋଇଛି। ଏହା ସ୍ୱାଭାବିକ ବର୍ଷାଠାରୁ ୩୦ ପ୍ରତିଶତ କମ୍। ଏବେ ସୁଦ୍ଧା ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୩ଟି ଜିଲ୍ଲାରେ ସ୍ୱଭାବିକ ବର୍ଷା ରେକର୍ଡ କରାଯାଇଛି। କମ୍ ବର୍ଷା ପାଇଁ ୪ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି।

ସୂଚନା ଅନୁଯାୟୀ, ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୫୦, ବଲାଙ୍ଗିରରେ ୪୩, କେନ୍ଦୁଝରରେ ୪୨ଏବଂ ଅନୁଗୁଳରେ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି। ୨୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୧୯ ରୁ ୩୯ ପ୍ରତିଶତ କମ୍ ବର୍ଷା ହୋଇଛି। ୫ଟି ଜିଲ୍ଲାରେ ୩୯ରୁ ୫୯ ପ୍ରତିଶତ କମ୍ ବର୍ଷା ପାଇଁ ସ୍ଥିତି ସଂଗୀନ ହୋଇଛି।

ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ ପଞ୍ଜଶୀର ଦଖଲ ପାଇଁ ଅଭିଜାନ ଆରମ୍ଭ କଲା ତାଲିବାନ

କାବୁଲ: ତାଲିବାନ ପୁରା ଦେଶକୁ ଅଧିକାର କରିବା ପରେ ଏବେ ପଞ୍ଜଶୀର ଅଭିଯାନ ଆରମ୍ଭ କରିଛି। ପଞ୍ଜଶୀର ହେଉଛି ଦେଶର ଏକମାତ୍ର ସ୍ଥାନ ଯାହା ଏପର୍ଯ୍ୟନ୍ତ ତାଲିବାନର ଅଧିନତା ସ୍ୱୀକାର କରିନାହିଁ। ପଞ୍ଜଶୀର ଘାଟିରୁ ନିଜକୁ ଅସଲ ରାଷ୍ଟ୍ରପତି ବୋଲି ଦାବି କରୁଥିବା ଅମରୁଲ୍ଲା ସାଲେହ ଓ ଅହମ୍ମଦ ମାସୁଦ ତାଲିବାନ ବିରୋଧରେ ଶେଷ ଯୁଦ୍ଧ କଥା ଘୋଷଣା କରିଛନ୍ତି।

ପଞ୍ଜଶୀର ଘାଟିର ଆଧିକାରିକ ଟ୍ୱିଟର ଆକାଉଣ୍ଟରୁ ତାଲିବାନ ଅଭିଯାନ ବାବଦରେ କୁହାଯାଇଛି। ଏଥିରେ ତାଲିବାନ ପଞ୍ଜଶୀର ଉପରେ ଆକ୍ରମଣ କରିବାକୁ ତା’ର ସେନାକୁ ପଠାଇଥିବା ଦାବି କରାଯାଇଛି।

ଅନ୍ୟପକ୍ଷରେ ପଞ୍ଜଶୀର ପକ୍ଷରୁ ତାଲିବାନ ଆକ୍ରମଣର କଡା ଉତ୍ତର ଦିଆଯିବ ବୋଲି କୁହାଯାଇଛି । ପଞ୍ଜଶୀରର ଜଣେ କମାଣ୍ଡର କହିଛନ୍ତି ଯେ, ତାଲିବାନ ଯଦି ଘାଟି ଉପରେ ଆକ୍ରମଣ କରେ ତେବେ ତାକୁ ଉଚିତ ଉତ୍ତର ଦିଆଯିବ । ସୂଚନାଯୋଗ୍ୟ ଯେ, କାବୁଲଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ଥିବା ପଞ୍ଜଶୀର ତାଲିବାନ ପାଇଁ ବଡ଼ ଚ୍ୟାଲେଂଜ୍ । କାରଣ ପୂର୍ବରୁ ସୋଭିଏତ ଋଷ ଓ ତାଲିବାନର ପ୍ରଥମ ଶାସନ କାଳରେ ମଧ୍ୟ ଏହି ଘାଟି ସ୍ୱାଧିନ ଥିଲା । ସୋଭିଏତ ଋଷ ବିରୋଧରେ ବିଦ୍ରୋହର ନାୟକ ଥିବା ଅହମ୍ମଦ ଶାହା ମାସୁଦ ଏହି ଉପତ୍ୟକାକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିଥିଲେ ।

ଋଷ କରିବ ମଧ୍ୟସ୍ଥି ?
ପଞ୍ଜଶୀରକୁ ଅଧିକାର କରିବା ସହଜ ନୁହେଁ। ଏଥିପାଇଁ ରକ୍ତପାତ ହୋଇପାରେ। ଅଧିକ ରକ୍ତପାତରୁ ବଂଚିବା ପାଇଁ ତାଲିବାନ ଏହି ମାମଲାରେ ଋଷର ହସ୍ତକ୍ଷେପ ଚାହିଁଛି । ତାଲିବାନ ପଞ୍ଜଶୀର ମାମଲାର ରାଜନୈତିକ ସମାଧାନ ଚାହୁଁଥିବା ଋଷ ରାଷ୍ଟ୍ରଦୂତ କହିଛନ୍ତି। ତାଲିବାନ ତରଫରୁ ଏଥିପାଇଁ ଋଷକୁ ଅନୁରୋଧ କରାଯାଇଛି।

ସରିଲା ଅପେକ୍ଷା, କାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ। କଟକଣା ଭିତରେ ଦର୍ଶନ କରିବେ ଭକ୍ତ। ତେବେ ଦୁଇଡୋଜ୍ ଟିକା ସାର୍ଟିଫିକେଟ୍ କିମ୍ବା ଟେଷ୍ଟ ରିପୋର୍ଟ ଦେଖାଇଲେ ହିଁ ଭକ୍ତ ଦର୍ଶନ କରିପାରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପରିସରକୁ ସାନିଟାଇଜ୍ କରାଯିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ସିଂହଦ୍ୱାର ଯାଏଁ ବ୍ୟାରିକେଡ ନିର୍ମାଣ ହୋଇଛି।

ସେପଟେ ଆଜି ମଧ୍ୟାହ୍ନ ଧୂପ ନୀତି ପରେ ରକ୍ଷା ବନ୍ଧନ ଓ ମାର୍କଣ୍ଡ ପୁଷ୍କରିଣୀରେ ବଳଭଦ୍ର ଜନ୍ମନୀତି ସଂପନ୍ନ ହୋଇଛି। ଭଉଣୀ ସୁଭଦ୍ରା ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ପାଟରାକ୍ଷୀ ଓ ଗୁଆମାଳକୁ ଭାଇ ବାନ୍ଧିଛନ୍ତି।

ଓଟିଡିସି ନାଁରେ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି EOW

ଭୁବନେଶ୍ୱର: ଓଟିଡିସି ନାଁରେ ଠକେଇ ମାମଲାରେ ଭୁବନେଶ୍ୱର ଓ କଟକରୁ ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଦୁଇ ଠକ ହେଲେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓ ବିଟେକ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି। ନିଜକୁ ଓଟିଡିସିର ଚେୟାରମ୍ୟାନ ଓ ଆସିଷ୍ଟାଣ୍ଟ ମ୍ୟାନେଜରର ପରିଚୟ ଦେଇ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତିରାୟଙ୍କ ଠାରୁ ୩ କୋଟି ଟଙ୍କା ଠକେଇ କରିଥିଲେ।

ଏହି ୨ ଜଣ ଓଟିଡିସି ନାଁରେ ମିଛ ୱାର୍କ ଅର୍ଡରରେ ଜାଲ ସିଲ ଓ ଦସ୍ତଖତ କରି କଣ୍ଟ୍ରାକ୍ଟର ଧନୁର୍ଧର ଚମ୍ପତି ରାୟଙ୍କୁ ଦେଇଥିଲେ। ଆଉ ଡିପୋଜିଟ ଆକାରରେ ୩ କୋଟି ଟଙ୍କା ଠକି ନେଇଥିଲେ। ଏହା ଜାଣିବା ପରେ ଓଟିଡିସି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ୨୦୨୦ ମେ’ ମାସରେ ଆକାଶ ଚନ୍ଦନ ମହାନ୍ତିଙ୍କୁ ଜଣେ ସଂପର୍କୀୟ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜ ସହିତ ପରିଚୟ କରାଇଥିଲେ। ସେହି ସମୟରେ ବିଜୟାନନ୍ଦ ନିଜକୁ ଓଟିଡିସିର ଅଧ୍ୟକ୍ଷ ଓ ଆଇଟିଡିସିର ସଦସ୍ୟ ଭାବେ ଦର୍ଶାଇଥିଲେ ଏବଂ ବାବା ଚନ୍ଦନ ଆକାଶ ମହାନ୍ତିଙ୍କୁ ଓଟିଡିସିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପରିଚୟ କରାଇଥିଲେ।

ଓଟିଡିସି ଅଧିକାରୀଙ୍କ ସିଲ୍ ଓ ହସ୍ତାକ୍ଷର ବ୍ୟବହାର କରି ବିଜୟାନନ୍ଦ ଓ ଚନ୍ଦନ ଉକ୍ତ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କାର ବରକୁଳ ଓ ରମ୍ଭା ପାନ୍ଥନିବାସର କାମ ପାଇଁ ୨୩ଟି ମିଛ ୱାର୍କ ଅର୍ଡର କଣ୍ଟ୍ରାକ୍ଟରଙ୍କ ଠାରୁ ୩ କୋଟି ଟଙ୍କା ହାତେଇ ଥିଲେ । ସେଥିରୁ ୧.୧୪ କୋଟି ଟଙ୍କା ଚନ୍ଦନ ଆକାଶ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା। ବାକି ଟଙ୍କା ଆତ୍ମଘୋଷିତ ବାବାଙ୍କ ଆକାଉଣ୍ଟକୁ ଯାଇଥିଲା। ତଦନ୍ତ ବେଳେ ଦୁଇ ଠକଙ୍କ କାରନାମା ଇଓଡବ୍ଳ୍ୟୁ ଜାଣିବାକୁ ପାଇଥିଲା।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗୀର ଗସ୍ତ ବେଳେ କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗୀର ଗସ୍ତ ବେଳେ ଜିଲ୍ଲା କଂଗ୍ରେସ କମିଟି ବିକ୍ଷୋଭ ପ୍ରଦର୍ଶନ କରିଛି। ରେଳବାଇ କ୍ଷେତ୍ରରେ ଜିଲ୍ଲାକୁ ଅବହେଳା ନେଇ କଂଗ୍ରେସ ପ୍ରତିନିଧି ଦଳ ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଜନ ଆକ୍ରୋଶ ଯାତ୍ରା କରି ମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି।

ଜନତାଙ୍କୁ ମିଛ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତା ଦଖଲ କରିବା ପରେ ପେଟ୍ରୋଲ ଓ ଡିଜେଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଜନତାଙ୍କୁ ଲୁଟ କରୁଛି। ସବୁବେଳେ ଓଡ଼ିଶାକୁ କେନ୍ଦ୍ର ଅବହେଳା କରୁଥିବା ବେଳେ ରେଳ ବିକାଶ କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲାକୁ ଉପେକ୍ଷା କରିଛି। ଏଭଳି ସମୟରେ ସମୟରେ ରେଳମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ଜନ ଆର୍ଶୀବାଦ ରାଲି କରିବାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି।

ଗହ୍ମାପୂର୍ଣ୍ଣମୀରେ ସତ୍ୟାବାଦୀର ନିଆରା ପରମ୍ପରା : ନଡ଼ିଆ ଲଢ଼େଇ

ପୁରୀ: ପ୍ରତ୍ୟେକ ବର୍ଷ ସତ୍ୟବାଦୀରେ ଏକ ନିଆରା ଢଙ୍ଗରେ ପାଳନ ହୁଏ ଗହ୍ମାପୂର୍ଣ୍ଣମୀ। ଏଠି ନଡ଼ିଆରେ ହୋଇଥାଏ ଲଢେଇ। ଯାହାର ନଡ଼ିଆ ଫାଟେ ସେ ହାରନ୍ତି ଏବଂ ଯିଏ ବିଜୟୀ ହୁଅନ୍ତି ସେ ଫାଟିଥିବା ନଡ଼ିଆ କୁ ନେଇ ଯାଆନ୍ତି।

ଏହି ପରମ୍ପରା ଅନାଦି କାଳରୁ ସାରା ଓଡ଼ିଶାରେ କେବଳ ସତ୍ୟବାଦୀରେ ହିଁ ଚାଲି ଆସୁଛି। ପରେ ପରେ ଏହାକୁ ଦେଖି ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ଖେଳ ଖେଳା ଯାଉଛି। ଏହା ଏକ ମନରଞ୍ଜନ ଭିତିକ ଲଢେଇ। ଯାହାର ଭରପୁର ଆନନ୍ଦ ନିଅନ୍ତି ସ୍ଥାନୀୟ ଦର୍ଶକ। ବର୍ଷକ ପୂର୍ବରୁ ଖେଳାଳି ମାନେ ବିଭିର୍ଣ ଜାଗାରୁ ନଡ଼ିଆ ସଂଗ୍ରହ କରି ରଖିଥାନ୍ତି ଏହି ଦିନ ପାଇଁ।ଏହି ପରମ୍ପରା ଆଜି ଭି ଉଜିବିତ ରହିଛି ମନରଞ୍ଜନ ପାଇଁ।ଯୁବ ପିଢ଼ି ଏହାକୁ ଉଠାଉଛନ୍ତି ଭରପୁର ମନରଞ୍ଜନ।

ୟୁକେର ମାଞ୍ଚେଷ୍ଟରରେ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମାଞ୍ଚେଷ୍ଟର: ୟୁନାଇଟେଡ୍‍ କିଙ୍ଗ୍‍ଡମ୍‍ (ୟୁକେ)ର ଦ୍ୱିତୀୟ ବୃହତ୍ତମ ନଗରୀ ମାଞ୍ଚେଷ୍ଟରଠାରେ ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବହୁ ପ୍ରତୀକ୍ଷିତ ଏହି ପ୍ରତିମା ସ୍ଥାପନା ଉତ୍ସବକୁ ଦେଖିବା ପାଇଁ ମନ୍ଦିର ପରିସରରେ ପାଖାପାଖି ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ। ସକାଳୁ ପୂଜାର୍ଚ୍ଚନା, ଅଧିବାଶ, କଳସ ଯାତ୍ରା, ଅଭିଷେକ, ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆଦି ଧାର୍ମିକ ନୀତି, ବିଧି ମୁତାବକ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ସମାପନ କରାଯାଇଥିଲା।

ଏହି ଉପଲକ୍ଷେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ୨୩୧ନମ୍ବର ଉଇଦିଂଟନ୍‍ ରୋଡ୍‍ସ୍ଥିତ ଗୀତା ଭବନ ହିନ୍ଦୁ ମନ୍ଦିରକୁ ରଙ୍ଗବେରଙ୍ଗର କାଗଜ ଓ କପଡ଼ାରେ ଭବ୍ୟଢଙ୍ଗରେ ସଜାଯାଇଥିଲା । ଅପରାହ୍ଣ ୧୨.୪୫ ମିନିଟ୍‍ରୁ ୧.୪୫ ମିନିଟ୍‍ ମଧ୍ୟରେ  ନାମଯଜ୍ଞ, ହୋମ, ଭୋଗ,
ମହା ଆଳତି ଓ ପୁଷ୍ପାଞ୍ଜଳି ଆଦି ଧାର୍ମିକ କାର୍ଯ୍ୟକ୍ରମ ‘ଗ୍ଲାସ୍‍ ଗୋ’ ହିନ୍ଦୁ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ମେଦିନୀ ପତି ମିଶ୍ର ଏବଂ ଗୀତା ଭବନର
ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ଶ୍ୟାମସୁନ୍ଦର ଶର୍ମାଙ୍କର ସଂଯୁକ୍ତ ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଥିଲା।  ଅପରାହ୍ଣ ୨.୩୦ମିନିଟ୍‍ ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରୋଷଣି ସହିତ ଗୀତା ଭବନ ପରିସରରେ ଥିବା  ସୁସଜ୍ଜିତ ରଥକୁ ନିଆଯାଇଥିଲା।

ବିଗ୍ରହ ସ୍ଥାପନା ଉତ୍ରବରେ ଡକ୍ଟର ଶିବ ସେନାପତି ପାରମ୍ପରିକ ଛେରା ପହଁରା କାର୍ଯ୍ୟ ତୁଲାଇଥିଲେ। ଏହା ପରେ ଭଜନ, କୀର୍ତ୍ତନର ସୁମଧୂର ମୁର୍ଚ୍ଛନା ମଧ୍ୟରେ ରଥଟିକୁ ଉଇଦିଂଟନ୍‍, ଉଇଲ୍‍ବ୍ରାହାମ୍‍, ବାଣ୍ଟିଂହମ୍‍ ଏବଂ ଆଲେକ୍‍ଜାଣ୍ଡ୍ରା ସାଉଥ୍‍ ଆଦି ରାସ୍ତାରେ ଦୁଇ ମାଇଲ୍‍ ପରିମିତ ଆଲେକ୍‍ଜାଣ୍ଡ୍ରା ପାର୍କ ପର୍ଯ୍ୟନ୍ତ ଟଣାଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ରଥ ଉପରେ ଶୋଭା ପାଉଥିବା ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ଶୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କର ଅପୂର୍ବ ଓ ଅଲୌକିକ ଝଲକ ଖୁବ୍‍ ଅନନ୍ୟ ଥିଲା। ଭାରତୀୟ ଓ ବିଦେଶୀ ଭକ୍ତମାନେ ରଥାରୁଢ଼ ତିନିଠାକୁରଙ୍କର ଦିବ୍ୟ ଦର୍ଶନ କରି ବେଶ ଖୁସି ହୋଇଥିଲେ । ଉତ୍ସବରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।

ସୂଚନାଯୋଗ୍ୟ, ନିକଟରେ ନିମ କାଠରେ ପୁରୀଠାରେ ନିର୍ମିତ କରାଯାଇଥିବା ଦିଅଁମାନଙ୍କର ପ୍ରତିମୂର୍ତ୍ତିଗୁଡ଼ିକୁ କୋରିଅର୍‍ ଯୋଗେ ମାଞ୍ଚେଷ୍ଟରକୁ ଅଣାଯାଇଥିଲା । ମାଞ୍ଚେଷ୍ଟରଠାରେ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ଥାପନା ହେବାଦ୍ୱାରା ଉତ୍ତର-ପଶ୍ଚିମ ଇଂଲଣ୍ଡ ଇଲାକାରେ ବସବାସ କରୁଥିବା ଓଡ଼ିଆ ଅଧିବାସୀମାନଙ୍କର ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା ବୋଲି ଉତ୍ସବର ପ୍ରଧାନ ଆୟୋଜକ ଓ ପ୍ରସିଦ୍ଧ ଜଗନ୍ନାଥ ଭକ୍ତ ଡକ୍ଟର ଶିବ ସେନାପତି ଓ ଶ୍ରୀମତୀ ରେଖା ସେନାପତି ମତପ୍ରକାଶ କରିଛନ୍ତି ।

 

ସ୍କୁଲ ପିଲାଙ୍କ ସହ ରାକ୍ଷୀ ପର୍ବ ପାଳିଲେ ଗଣଶିକ୍ଷା ମନ୍ତ୍ରୀ

ମାଳାକାନାଗିରି: ପ୍ରବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମାଲକାନଗିରି ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୁରୋଧ ରକ୍ଷାକରି ମନ୍ତ୍ରୀ ବିଦ୍ୟାଳୟରେ ପହଞ୍ଚିଛନ୍ତି। ବିଦ୍ୟାଳୟର ପିଲାମାନଙ୍କ ସହ ମନ୍ତ୍ରୀ ଆଜି ରାକ୍ଷୀ ପର୍ବ ପାଳନ କରିଛନ୍ତି।

ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀମାନେ ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ଛାତ୍ରୀମାନେ ଖୁବ ଆନନ୍ଦିତ ହେବ ସହ ଶିକ୍ଷାମନ୍ତ୍ରୀ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ ଓ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନାଙ୍କ ସହିତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।