କାବୁଲ: ଆଫଗାନିସ୍ତାନରେ ଅଧିକ ସୈନ୍ୟ ମୁତୟନ କଲା ଆମେରିକା । ପୂର୍ବରୁ ଦେଶରେ ୩ହଜାର ସୈନ୍ୟ ଥିବାବେଳେ ଆଉ ୨ ହଜାର ସୈନ୍ୟ ମୁତୟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଜାତୀୟ ନିରାପତ୍ତା ବାହିନୀ ସହ ଆଲୋଚନା କରି ବିଡେନ ଏହି ପଦକ୍ଷେପ ନେଇଛନ୍ତି । ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ହଟିବା ନିଶ୍ଚିତ ହୋଇଥିବାବେଳେ ସେହି ଦେଶରେ ଫସିଥିବା ଆମେରିକୀୟଙ୍କୁ ତୁରନ୍ତ ଉଦ୍ଧାର କରିବା ଲାଗି ବାଇଡେନ୍ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଏହି ମିସନ ବିରୋଧରେ କୌଣସି ପ୍ରକାର ପଦକ୍ଷେପ ନ ନେବାକୁ ତାଲିବାନକୁ ବି ସତର୍କ କରିଦିଆଯାଇଛି । ଯଦି ଆମେରିକୀୟ ଦୂତାବାସ କର୍ମଚାରୀ ବା ଅନ୍ୟ କୌଣସି କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନିଆଯାଏ ତେବେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି । ଇତି ମଧ୍ୟରେ ତାଲିବାନ ମାଜର ଇ ସରିଫକୁ ସମ୍ପୂର୍ଣ୍ଣ କବଜା କରିଥିବାବେଳେ କାବୁଲ ନିକଟରେ ତାଲିବାନ ବାହିନୀ ରହିଛନ୍ତି । ପୂର୍ବରୁ ଗତକାଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଅସରଫ ଘନି ଯେଉଁ ଭାଷଣ ଦେଇଥିଲେ ସେଥିରୁ ପ୍ରତୀୟମାନ ହେଉଛି ଯେ କ୍ଷମତା ହସ୍ତାନ୍ତର କରିବାକୁ ସେ ଚାହାଁନ୍ତି ନାହିଁ । ସେପଟେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ ରାଜନୈତିକ ପରିସ୍ଥିତି ନେଇ ଘନିଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରାୟ ୩୦ହଜାର ନାଗରିକଙ୍କୁ ନିଜ ଦେଶକୁ ନେବାକୁ ପେଣ୍ଟାଗନ ଯୋଜନା କରିଛି । ସେପଟେ ଭାରତରେ ପଢୁଥିବା ଆଫଗାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦ୍ୱିପାକ୍ଷିକ ସମ୍ପର୍କର ନିଦର୍ଶନ କ୍ରମେ ଭାରତରେ ସହସ୍ରାଧିକ ଆଫଗାନ ଛାତ୍ରଛାତ୍ରୀଙ୍କୁ ଭାରତ ନିଜ ପ୍ରାୟୋଜନରେ ଶିକ୍ଷା ପ୍ରଦାନ କରୁଛି । ପ୍ରତିବର୍ଷ ଶତାଧିକ ଆଫଗାନ ଛାତ୍ରଛାତ୍ରୀଙ୍କୁ ବି ଭାରତ ମେଧାବୃତ୍ତି ପ୍ରଦାନ କରିଆସୁଛି । ମାତ୍ର ଆଫଗାନିସ୍ତାନରେ ଅସ୍ଥିରତା ଓ ତାଲିବାନ ହାତକୁ କ୍ଷମତା ଯିବା ଆସନ୍ନ ହୋଇଥିବାବେଳେ ସେମାନଙ୍କ ଭବିଷ୍ୟତ ନେଇ ଅନିଶ୍ଚୟତା ଜାରି ରହିଛି । ତେଣେ ଆଫଗାନିସ୍ତାନକୁ ଉପହାର ଦେଇଥିବା ୪ ଆକ୍ରମଣକାରୀ ହେଲିକପ୍ଟର ଏମଆଇ୨୪ଭି ମଧ୍ୟରୁ ଗୋଟିଏକୁ ତାଲିବାନ ନିଜ ଅଧିକାରକୁ ନେଇଛି । ସେଠାରେ ଫସିଥିବା ଭାରତୀୟଙ୍କୁ ତୁରନ୍ତ ଫେରାଇ ଆଣିବା ସହ ହିନ୍ଦୁ ଓ ଶିଖଙ୍କ ସୁରକ୍ଷା ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅରିନ୍ଦମ ବାଗଚୀ । ସେପଟେ ଆଫଗାନିସ୍ତାନରେ ଭାରତ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ରାଜପଥ, ବିଦ୍ୟୁତ ଆଦି ଯୋଜନା ଉପରେ ବି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତାଲିବାନ ଅଧିକୃତ ହେରାତରେ ୪୨ ମେଗାଓ୍ୱାଟ କ୍ଷମତା ସମ୍ପନ୍ନ ସଲମା ଡ୍ୟାମ ବିଦ୍ୟୁତ ପ୍ରକଳ୍ପକୁ ନେଇ ବି ସନ୍ଦିହାନ ରହିଛି ଭାରତ ।
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଭାରତ-ପାକିସ୍ତାନ ସୀମାନ୍ତରେ ଉଭୟ ସୈନ୍ୟଙ୍କ ମଧ୍ୟରେ ମିଠା ଦିଆନିଆ
ନୂଆଦିଳ୍ଲୀ: କେତେବେଳେ ଶତ୍ରୁତା ତ କେତେବେଳେ ବନ୍ଧୁତ୍ୱର ନିଦର୍ଶନ। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତ-ପାକିସ୍ତାନ ସୀମାନ୍ତରେ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ହୋଇଛି ମିଠା ଦିଆନିଆ। ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ସୀମାରେଖାରେ ଉଭୟ ପକ୍ଷ ମଧ୍ୟରେ ମିଠା ଦିଆନିଆ ହୋଇଛି। ଉଭୟ ପକ୍ଷର ସୈନ୍ୟ ଏକ ଆନନ୍ଦ ମୁହୂର୍ତ୍ତରେ କେଇ କ୍ଷଣ କଟାଇଛନ୍ତି। ସେହିପରି ଅଟ୍ଟାରି-ଓ୍ୱାଘା ସୀମାନ୍ତରେ ମଧ୍ୟ ବିଏସଏଫ ପକ୍ଷରୁ ମିଠା ବିନିମୟ ହୋଇଛି। ଆଜି ପାକିସ୍ତାନର ସ୍ୱାଧୀନତା ଦିବସ ହୋଇଥିବାବେଳେ ଆସନ୍ତାକାଲି ହେଉଛି ଭାରତର ସ୍ୱାଧୀନତା ଦିବସ। ଚିଲେହନା ତିଥଓ୍ୱାଲଠା କ୍ରସିଂ ପଏଣ୍ଟରେ ପାକିସ୍ତାନ ସୈନ୍ୟଙ୍କୁ ଭାରତୀୟ ସୈନ୍ୟ ମିଠା ଖୁଆଇଥିଲେ। ସୀମାରେଖାରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସ୍ଥିରତା ବଜାୟ ରଖିବା ଲାଗି ଅନେକ ବର୍ଷ ଧରି ଏହି ପରମ୍ପରା ବଜାୟ ହୋଇଆସିଛି।
ସ୍ୱାଧୀନତା ଦିବସରେ ୫୦୦୦ ଯବାନଙ୍କ ସୁରକ୍ଷା ବଳୟରେ ରହିବ ଲାଲ କିଲ୍ଲା
ନୂଆଦିଲ୍ଲୀ: ରାତି ପାହିଲେ ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ସଜେଇ ହେଲାଣି ଭାରତ। ଦିଲ୍ଲୀରୁ ପଲ୍ଲୀ ଚାଲିଛି ପ୍ରସ୍ତୁତି। କାଶ୍ମୀରଠୁ କନ୍ୟାକୁମାରୀ ସୁରକ୍ଷା କଡାକଡି କରାଯାଇଛି। ସ୍ୱାଧୀନତାର ୭୫ ବର୍ଷରେ ପାଦ ଦେବାକୁ ଯାଉଛି ଭାରତ। ଏଥର ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ଜୋରୋଦାର ପ୍ରସ୍ତୁତି ଚାଲିଛି। କାଲି ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସାରା ବିଶ୍ୱ ଦେଖିବ ଭାରତର ପରାକ୍ରମ। ଏ ନେଇ ବ୍ୟାପକ ବ୍ୟବସ୍ଥାର ବନ୍ଦୋବସ୍ଥ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୁରକ୍ଷା ଜୋନ୍ ଭିତରେ ରହିଛି ସମ୍ପୂର୍ଣ୍ଣ ଦିଲ୍ଲୀ। ଡ୍ରୋନ୍ ସାହାର୍ଯ୍ୟରେ ସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ଯାଞ୍ଚ କଡାକଡି କରାଯାଉଛି। ୯ଟି ଆଣ୍ଟି ଡ୍ରୋନ୍, ୩୦୦ ସିସିଟିଭି, ୫୦୦୦ ଯବାନ ସୁରକ୍ଷା ବ୍ୟବସ୍ଥା ଉପରେ ରଖିବେ କଡା ନଜର ।
ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି। ଦେଶବାସୀ ୭୫ ବର୍ଷର ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି, ଏଣୁ ଏହା ସ୍ୱତନ୍ତ୍ର ଅଟେ ବୋଲି କହିଛନ୍ତି ରାଷ୍ଚ୍ରପତି। ଦେଶକୁ ସ୍ୱାଧୀନ କରିବାରେ ପିଢି ପରେ ପିଢି ଯେଉଁମାନେ ବଳିଦାନ ଦେଇଛନ୍ତି, ଆଜି ତାଙ୍କୁ ସାରା ଦେଶବାସୀ ମନେ ପକାଉଛନ୍ତି। ଦେଶ ସବୁ କ୍ଷେତ୍ରରେ ଉନ୍ନତି ଆଡକୁ ଅଗ୍ରସର ହେଉଛି, ତଥାପି ଆହୁରି ଆଗକୁ ଯିବାର ଅଛି। ଅଲିମ୍ପିକ୍ସରେ ଖେଳାଳିମାନେ ଦେଶର ନାଁ ଗୌରବ କରିଛନ୍ତି। ଯାହାକି ବିଶ୍ୱ ଦରବାରରେ ଭାରତର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ଯେତେବେଳେ ସାରା ଦେଶବାସୀ କରୋନାରୁ ମୁକୁଳିବା ପାଇଁ ଚାହିଁ ବସିଥିଲେ ସେତେବେଳେ ଦେଶର ବୈଜ୍ଞାନିକମାନେ ଦିନ ରାତି ଏକ କରି ଟିକା ଉଦ୍ଭାବନ କରିଛନ୍ତି। ଭାରତ ବିଶ୍ୱରେ ବଡ ଟିକାକରଣ ଅଭିଯାନ ଚଳାଇଛି। ଏବେ ବି କରୋନାର ଭୟ ରହିଛି, ଏଣୁ ସତର୍କତାର ସହ ମୁକାବିଲା କରିବା ପାଇଁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ରାଷ୍ଟ୍ରପତି। ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଦେଶ ଏବେ ଉନ୍ନତି ପଥେ ଆଗେଇ ଚାଲିଛି, ଆହୁରି ବିକାଶ ପାଇଁ ଦେଶବାସୀ ସଂକଳ୍ପ ନେବା ଉଚିତ୍ ବୋଲି କହିଛନ୍ତି ରାଷ୍ଟ୍ରପତି।
ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସବୁବେଳେ ମିଛ କୁହନ୍ତି: ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି
ଭୁବନେଶ୍ୱର: ଓବିସି ସଂରକ୍ଷଣକୁ ନେଇ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସବୁବେଳେ ମିଛ କୁହନ୍ତି। ସେ ଜଣେ ଅଭ୍ୟାସଗତ ମିଛୁଆ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି। ପୀତାମ୍ବର ଯେଉଁ ସ୍ତରକୁ ଯାଇ ମନ୍ତବ୍ୟ ଦେଇଛନ୍ତି ତାହାକୁ ନିନ୍ଦା କରିଛି ବିଜେଡି। ଏମିତି ମିଛ କହିଲେ ପୀତାମ୍ବର କୌଣସି ପବ୍ଳିକ୍ ଲାଇଫକୁ ଆସିପାରିବେ ନାହିଁ ବୋଲି ଲେନିନ୍ କହିଛନ୍ତି। ନିର୍ବାଚନ ଆସିଲେ ବିଜେପି ଏମିତି ଅଭ୍ୟାସଗତ ମିଛୁଆଙ୍କୁ ବ୍ୟବହାର କରିଥାଏ। ଓଡ଼ିଶାବାସୀ ଏଭଳି ମିଛୁଆଙ୍କ ଷଡ଼ଯନ୍ତ୍ରକୁ ଭୁଝିସାରିଲେଣି। ସେଥିପାଇଁ ଓଡିଶାବାସୀ ସେମାନଙ୍କୁ ଜବାବ ଦେଉଛନ୍ତି। ନିର୍ବାଚନ ଆସିଲେ ପୀତାମ୍ବର ବାବୁଙ୍କ ଦେଖା ମିଳେ ଆଉ ନିର୍ବାଚନ ସରିଗଲେ କୁଆଡ଼େ ଉଭେଇଯାଆନ୍ତି ପିତାମ୍ବର ବାବୁ। ସବୁ ପ୍ରତିଶ୍ରୁତି ନିର୍ବାଚନ ପରେ ପାଣିର ଗାର ପାଲଟେ ବୋଲି କହିଛନ୍ତି ଲେନିନ୍ ମହାନ୍ତି। ତାଙ୍କର ଏଭଳି ମିଛୁଆ ବ୍ୟବହାର ପାଇଁ ଲୋକ ତାଙ୍କୁ ଭଲ ପାଉନାହାଁନ୍ତି। ଓବିସି କ୍ଷେତ୍ରରେ ବୈପ୍ଳବିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯାହାର ପ୍ରଶଂସା ଦେଶବାସୀ କରିଛନ୍ତି ବୋଲି ଲେନିନ୍ ମହାନ୍ତି କହିଛନ୍ତି।
ଗଲୱାନରେ ପରାକ୍ରମ ଦେଖାଇଥିବା ୨୦ ଯୋଦ୍ଧାଙ୍କୁ ବିରତା ସମ୍ମାନ
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଅବସ୍ଥିତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ର ସୁରକ୍ଷା ପାଇଁ ନିୟୋଜିତ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ITBP) ର ୨୦ ଜଣ ଯବାନ ପୂର୍ବ ବର୍ଷ ଲଦାଖ କ୍ଷେତ୍ରରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଦୁଇ ଦେଶର ସଂଘର୍ଷ ବେଳେ ଭାରତୀୟ ସେନା ଯେଉଁଭଳି ଭାବେ ବିରତ୍ୱ ଦେଖାଇ ଚୀନ ସେନାକୁ ଅବରୋଧ କରି ସାହସିକତା ଦେଖାଇଥିଲେ, ସେଥିପାଇଁ ୨୦ ଭାରତୀୟ ଯବାନଙ୍କୁ Gallantry Award 2021 ସମ୍ମାନରେ ସମ୍ମାନିତ କରାଯିବ । ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କେନ୍ଦ୍ର ତଥା ରାଜ୍ୟ ପୋଲିସ୍ ବାହିନୀ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ମୋଟ ୧୩୮୦ ସେବା ପଦକ ମଧ୍ୟରେ ଏହି ପଦକ ରହିଛି ।

ପଦକ ତାଲିକାରେ ଗାଲାଣ୍ଟ୍ରି (ପିପିଏମଜି) ପାଇଁ ଦୁଇଟି ରାଷ୍ଟ୍ରପତି ପୋଲିସ୍ ପଦକ, ୬୨୮ ସାହସିକତା ପାଇଁ ପୋଲିସ ପଦକ, ବିଶିଷ୍ଟ ସେବା ପାଇଁ ୮୮ଟି ରାଷ୍ଟ୍ରପତି ପୋଲିସ୍ ପଦକ ଏବଂ ସମ୍ମାନଜନକ ସେବା ପାଇଁ ୬୬୨ ପୋଲିସ୍ ପଦକ ଅନ୍ତର୍ଭୁକ୍ତ। ଜମ୍ମୁ-କଶ୍ମୀର ପୋଲିସର ସବ୍-ଇନ୍ସପେକ୍ଟର ଅମର ଦୀପ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ର ସହିଦ ହେଡ୍ କନଷ୍ଟେବଳ କାଲେ ସୁନୀଲ ଦତ୍ତାତ୍ରେୟଙ୍କୁ (ଗ୍ୟାଲେଣ୍ଟ୍ରି ପାଇଁ ରାଷ୍ଟ୍ରପତି ପୋଲିସ୍ ପଦକ) ପ୍ରଦାନ କରାଯାଇଛି ।

