spot_img
Home Blog Page 5327

ସେବା ପାଇଁ ସମ୍ମାନ: ଓଡ଼ିଶାର ୪ ପୋଲିସଙ୍କୁ ମିଳିବ ଉତ୍କର୍ଷ ସେବା ପଦକ

ଭୁବନେଶ୍ୱର: କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ସମ୍ମାନ  । ସ୍ୱାଧିନତା ଦିବସ ଉପଲକ୍ଷେ ସମ୍ମାନିତ ହେବେ ଓଡ଼ିଶାର ୪ ପୋଲିସ ଅଧିକାରୀ  ।   ଓଡ଼ିଶାରୁ ୪ଜଣଙ୍କୁ ମିଳିବ ଉତ୍କର୍ଷ ସେବା ପଦକ । ରାଜ୍ୟର ୨ ଇନ୍ସପେକ୍ଟର ଓ ୨ସବ୍ ଇନ୍ସପେକ୍ଟରଙ୍କୁ ସମ୍ମାନୀତ କରାଯିବ । ଇନସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଓ ଦେବେନ୍ଦ୍ର ବିଶ୍ୱାଳ ଏବଂ ଏସଆଇ ତୃପ୍ତିରଞ୍ଜନ ନାୟକ ଓ ଶ୍ରୀକାନ୍ତ ସାହୁଙ୍କୁ ମିଳିବ ଉତ୍କର୍ଷ ସେବା ପଦକ ।

ସାରାଦେଶରେ ୧୫୨ ପୋଲିସ ଅଧିକାରୀଙ୍କୁ ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ସେବା ପଦକ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ରହିଛନ୍ତି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । କର୍ତ୍ତବ୍ୟକୁ ସୂଚାରୁ ରୂପେ ପ୍ରତିପାଦିତ କରିଥିବା ଓଡ଼ିଶାର ଏହି ୪ ପୋଲିସ ଅଧିକାରୀ ସମ୍ମାନିତ ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।

‘ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ଦରଦାମ ଏମିତି ବଢ଼ୁଥିବ’

ଭୁବନେଶ୍ୱର: ଲଗାମ ଛଡ଼ା ଦରଦାମ । କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ଦରଦାମ ଏମିତି ବଢ଼ୁଥିବ । ଏପରି ଏହା ବଢି ଚାଲିବ । ଯେତେବେଳେ ଯାଏ ଜରୁରୀ ସାମଗ୍ରୀ ଉପରୁ ସଂଶୋଧିତ ନୂଆ ଆଇନ ଓ ନୂତନ କୃଷି ନୀତିକୁ ପ୍ରତ୍ୟାହାର କରାନଯିବ । ଅନ୍ତର୍ଜାତୀୟ ବଜାରରେ ବି ଦାମ ବଢ଼ିଥିବା ଯୋଗୁଁ ବଜାର ପ୍ରଭାବିତ ହେଉଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେପଟେ କଂଗ୍ରେସ କହିଛି, ଅତ୍ୟାବଶ୍ୱକୀୟ ଦ୍ରବ୍ୟ ଆଇନ କର୍ପୋରେଟ ସଂସ୍ଥାଗୁଡିକର ଲାଭ ପାଇଁ ହୋଇଥିଲା ।

ସେମାନେ ଡାଲି, ସୋରିଷ ପରି ଅତ୍ୟାବଶ୍ୟକ ଦ୍ରବ୍ୟର ଗୋଦାମକୁ କିଣି ଦେଇ ଦର ବଢିବା ବେଳେ ଚଢା ଦାରରେ ବିକୁଥିଲେ ବୋଲି କଂଗ୍ରେସ କହିଛି । ଆଗରୁ କଳା ବଜାରୀ ଲୁଚାଛପାରେ ହେଉଥିଲା । ଏବେ ଖୋଲାଖୋଲି ଭାବେ ହେଉଛି ବୋଲି କହିଛନ୍ତି ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । କଂଗ୍ରେସ ଏହା ଉପରେ ନଜର ରଖିଥିଲା । ହେଲେ ଏନଡିଏ ଏହାକୁ ଏବେ ଦୁର୍ବଳ କରିଛି । ଏହା ଉଚ୍ଛେଦ ନ ହେଲେ, ଦର ବଢ଼ୁଥିବ ବୋଲି ପଞ୍ଚାନନ କହିଛନ୍ତି ।

୬ଶହ ବେଡ୍ ପ୍ରସ୍ତୁତ ରଖିବାକୁ କେନ୍ଦ୍ରର ନିଷ୍ପତି, ରାଜ୍ୟ ପ୍ରସ୍ତୁତ କରୁଛି ୩ ହଜାର ବେଡ଼

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପୂରା ଦମରେ ପ୍ରସ୍ତୁତି ଚଳାଇଛନ୍ତି । କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଠିକ୍ ସମୟରେ ଶିଶୁ ମାନଙ୍କ ପାଇଁ 600 ବେଡ ପ୍ରସ୍ତୁତ ରଖିବାକୁ କହିଛନ୍ତି । ରାଜ୍ୟ ସରକାର 3000 ବେଡ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିରୁ 200ରୁ 250 ଆଇସିୟୁ ବା ଏଚଡିୟୁ ବେଡ ହେବ । 3000 ବେଡ ବିଭିନ୍ନ ହସ୍ପିଟାଲ, ଘରୋଇ କୋଭିଡ୍ ହସ୍ପିଟାଲ, ସରକାରୀ ଡାକ୍ତରଖାନା, ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିବ ।

କେନ୍ଦ୍ରର ଆକଳନ ଅନୁସାରେ ଦୈନିକ 10 ହଜାର ପିକ୍ ହେଲେ 600 ବେଡ ଶିଶୁଙ୍କ ପାଇଁ ଦରକାର ହେବ । ରାଜ୍ୟରେ ପିକ୍ ସମୟରେ 10ରୁ 12 ହଜାର ସଂକ୍ରମଣ ହୋଇଥିଲା । ସେହି ଆକଳନ ଅନୁସାରେ ତୃତୀୟ ଲହର ସମୟରେ ଯଦି ସେମିତି ସଂକ୍ରମଣ ହୁଏ ତେବେ ଶିଶୁଙ୍କ ପାଇଁ 600 ବେଡ ଦରକାର ପଡ଼ିବ । କିନ୍ତୁ ରାଜ୍ୟ ସରକାର 3000 ବେଡ ବ୍ୟବସ୍ଥା କରୁଛନ୍ତି ।

ଅକ୍ସିଜେନ ଯଥେଷ୍ଟ ପରିମାଣରେ ଅଛି। ଜିଲ୍ଲା ହସ୍ପିଟାଲ ମାନଙ୍କରେ ଏଲଏମଓ ପ୍ଲାଣ୍ଟ ଓ ଡିଏସଏ ପ୍ଲାଣ୍ଟ ଲାଗିବା କାମ ଚାଲିଛି । ତୃତୀୟ ଲହର ବେଳକୁ କିଛି ଅସୁବିଧା ନଥିବ । ଏହି ମାସ ଶେଷ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟାଳୟରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା ହୋଇପାରିବ । ରାଜ୍ୟରେ ଭିତ୍ତିଭୂମି, ଟ୍ରେନିଂ ଓ ଆବଶ୍ୟକୀୟ ଉପକରଣ ସବୁ ଠିକ୍ ଅଛି । ପିଲା ମାନଙ୍କ ସ୍ବତନ୍ତ୍ର ଚିକିତ୍ସା ଲାଗି 30 କୋଟି ଟଙ୍କାର 36ଟି ଉପକରଣ, 30 ପ୍ରକାର ଔଷଧ ତାଲିକା ପ୍ରସ୍ତୁତ କରି କିଣିବା ଆରମ୍ଭ କରିଛନ୍ତି ସରକାର ।

ଗୁଳି ମାରିଲେ ବିଲ୍ଡିଂକୁ ଉଡାଇଦେବି, ପୋଲିସକୁ ଏଭଳି ଧମକ ଦେଲା ଆମିର

ନୂଆଦିଲ୍ଲୀ: ଦିଲ୍ଲୀର ଖଜୁରି ଖାସ୍ ଅଞ୍ଚଳରେ ପୋଲିସ ଓ ଗୁଣ୍ଡା ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ୨ ଜଣ ବଦମାସ ନିହତ ହୋଇଥିବା ବେଳେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ନିହତ ଦୁଇ ଜଣଙ୍କ ନାମ ଆମିର ଖାନ୍ ଓ ରାଜମାନ ବୋଲି ଜଣାପଡିଛି । ଏମାନଙ୍କ ଉପରେ ଚୋରୀ, ଲୁଟ୍, ଡକାୟତି, ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଉତ୍ତରପୂର୍ବ ଜିଲ୍ଲା ଓ ରୋହିଣୀ ଜିଲ୍ଲା ପୋଲିସର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର ହୋଇଥିଲା । ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ୪ଟି ମେଗଜିନ୍ ସହ ୧.୫ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି ।

ପୋଲିସର ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଦୁଇ ଜଣ ଗୁଣ୍ଡା ଲୁଚି ରହିଥିବା ନେଇ ଖବର ମିଳିଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଦୁବୃର୍ତ୍ତ ମାନେ ଅଚାନକ ଗୁଳି ଚଳାଇଥିଲେ ।

ତେବେ ଏହି ଏନକାଉଣ୍ଟର ସମୟରେ ଅପରାଧି ମାନେ ଏକ ବିଲ୍ଡିଂରେ ପଶିଯାଇଥିଲେ । ଉକ୍ତ ବିଲ୍ଡିଂରେ ୧୫ଟି ପରିବାର ରହିଥିଲେ । ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ମୁଣ୍ଡରେ ବନ୍ଧୁକ ଲଗାଇଥିଲା । ଏଥିସହିତ କହିଥିଲା ଯେ, ‘‘ଯଦି ପୋଲିସ ଗୁଳି ଚଳାଇବ ତାହେଲେ ମୁଁ ନିଜକୁ ମାରିବା ସହ ପୂରା ବିଲ୍ଡିଂକୁ ଉଡାଇଦେବି’’ ।

ପରବର୍ତ୍ତୀ ସମୟରେ ପୋଲିସ ଉକ୍ତ ବିଲ୍ଡିଂରେ ଥିବା ସମସ୍ତ ୧୫ ପରିବାରକୁ ଉଦ୍ଧାର କରିଥିଲା । ଯାହା ପରେ ସେମାନଙ୍କୁ ସରେଣ୍ଡର କରିବା ଲାଗି ପୋଲିସ ଚେତାବନୀ ଦେଇଥିଲେ ସୁଦ୍ଧା ବଦମାସ ମାନେ କିଛି ଶୁଣିନଥିଲେ । ଆଉ ଅଚାନକ ଗୁଳି ଚାଳନା କରିଥିଲେ । ଯାହା ଫଳରେ ପ୍ରତି ଜବାବରେ ପୋଲିସ ମଧ୍ୟ ଗୁଳି ଚାଳନା କରିଥିଲା ।

୯୦ ଦିନ ଭିତରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଯିବ ତାଲିବାନ !

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନଙ୍କ ବର୍ବରତା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ତାଲିବାନ ୬୫ ପ୍ରତିଶତ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇସାରିଲାଣି। ତେବେ ଏହାରକି ମଧ୍ୟରେ ଆମେରିକାର ଗୁଇନ୍ଦା ସଂସ୍ଥା ଚେତାବନୀ ଦେଇଛନ୍ତି ଯେ ତାଲିବାନ ଆତଙ୍କବାଦୀମାନେ ଆସନ୍ତା ୩୦ ରୁ ୯୦ ଦିନ ମଧ୍ୟରେ ଆଫଗାନିସ୍ତାନ ସମ୍ପୂର୍ଣ୍ଣ ଦଖଲ କରିପାରନ୍ତି। ଏହି ସୂଚନା ପରେ ଆଫଗାନିସ୍ତାନର ଆଶରଫ ଘାନି ସରକାରରେ ହଇଚଇ ସୃଷ୍ଟି ହୋଇଯାଇଛି। ତାଲିବାନକୁ ପରାସ୍ତ କରିବାକୁ ଆଫଗାନିସ୍ତାନ ସରକାର ତିନି ପର୍ଯ୍ୟାୟର ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି।

ଆଫଗାନିସ୍ତାନର  ଗୃହମନ୍ତ୍ରୀ ଜେନେରାଲ ଅବଦୁହଲ ସତ୍ତା ଏବଂ ମିର୍ଜାକୱାଲ କହିଛନ୍ତି, ‘ଆମେ ତିନିଟି ପର୍ଯ୍ୟାୟରେ କାର୍ଯ୍ୟ କରୁଛୁ। ପ୍ରଥମ ପଦକ୍ଷେପ ହେଉଛି ଆମ ସୈନ୍ୟଙ୍କ ପରାଜୟକୁ ରୋକିବା। ଦ୍ୱିତୀୟ ପର୍ଯ୍ୟାୟରେ, ସୌନ୍ୟମାନଙ୍କୁ ଏକତ୍ରିତ କରାଯିବ ଯାହା ଦ୍ୱାରା ସେମାନଙ୍କ ସାହାଯ୍ୟରେ ସହରଗୁଡିକ ଟାରିପଟେ ଏକ ସୁରକ୍ଷା କବଚ ପ୍ରସ୍ତୁତ କରାଯାଇପାରିବ। ସେ କହିଛନ୍ତି ଯେ ଯେଉଁ ସୁରକ୍ଷାକର୍ମୀମାନେ ନିଜ ପଦ ଛାଡିଛନ୍ତି, ଆମେ ସେମାନଙ୍କୁ ସେଠାକୁ ଫେରାଇ ଆଣୁଛୁ। ଆଉ ଏହା ପରେ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ ଯେଉଁଥିରେ ତାଲିବାନ ବିରୋଧରେ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ତେବେ ସେ କହିଛନ୍ତି ଯେ ବର୍ତ୍ତମାନ ଆପଫଗାନିସ୍ତାନ ଦ୍ୱିତୀୟ ପର୍ଯ୍ୟାୟ ଆଡକୁ ଯାଉଛି।

ସୂଚନାଯୋଗ୍ୟ, ଏବେ ସୁଦ୍ଧା ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ କ୍ରୁର ଶାସନ ଆରମ୍ଭ କରିଛି ତାଲିବାନ । ଏଭଳି ସ୍ଥିତିରେ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି ଆମେରିକା । ସେପଟେ ପରିସ୍ଥିତିକୁ ନଜରରେ ରଖି ଆଫଗାନିସ୍ତାନ ନିଜର ସେନା ମୁଖ୍ୟ ପରିବର୍ତ୍ତନ କରିଛି। ଅନ୍ୟପଟେ ଆଫଗାନିସ୍ତାନକୁ ଭାରତ ଦେଇଥିବା ଯୁଦ୍ଧ ବିମାନ MI-24କୁ ତାଲିବାନ ନିକ ଅକ୍ତିଆରକୁ ନେଇଛି। ତାଲିବାନ ଆତଙ୍କୀ MI-24ଆଗରେ ଠିଆ ହୋଇ ଫଟୋ ବି ସେୟାର କରିଛନ୍ତି । ୨୦୧୯ରେ ଭାରତ ଆଫଗାନିସ୍ତାନକୁ ଏହି ହେଲିକାପ୍ଟର ଉପହାର ଦେଇଥିଲା।

ଯାଜପୁରରେ ଅଜବ ମଣିଷ: ବିଷାକ୍ତ ସାପକୁ କାମୁଡ଼ି ମାରିଲେ, ରକ୍ତ ପିଇଦେଲେ..

ଯାଜପୁର: ସାପ କାମୁଡିଲା ବୋଲି ସେ ବି ସାପକୁ କାମୁଡିଦେଲେ । କଥାଟି ଅଡ଼ୁଆ ଲାଗୁଥିଲେ ବି ସତ  । ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିଥିଲା, କିନ୍ତୁ ଉକ୍ତ ବ୍ୟକ୍ତି ଜଣଙ୍କ ସାପକୁ କାମୁଡ଼ିଦେବା ଖବର ନିହାତି ପ୍ରଥମେ ଶୁଣୁଥିବେ  । କାରଣ ଏଭଳି ଘଟଣା ସତରେ ଆଶ୍ଚର୍ଯ୍ୟଜନକ  । ଏମିତି ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଶାଳିଜଙ୍ଗା ପାଞ୍ଚୟତର ଗମ୍ଭାରୀପାଟିଆ ଗ୍ରାମରେ ।

ଏହି ଗ୍ରାମର ୪୫ ବର୍ଷୀୟ କିଶୋର ବଦରା ଗତକାଲି ସନ୍ଧ୍ୟାରେ ନିଜ ଚାଷ ଜମିରୁ ଫେରିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଫଳରେ କିଶୋର ସାପଟିକୁ ଉତକ୍ଷିପ୍ତ ହୋଇ ଧରି ପକାଇଥିଲେ  । ଏବଂ କାହିଁକି ସାପ କାମୁଡ଼ିଲା ବୋଲି, ପ୍ରତିଶୋଧ ପରାୟଣ ହୋଇ ସେହି ସାପଟିକୁ ଅତି ନିର୍ମମ ଭାବେ ନିଜ ଦାନ୍ତରେ କାମୁଡି ମାରିଦେବା ସହ ସାପର ରକ୍ତ ପିଇଦେଇଥିବା ଜଣାପଡ଼ିଛି  ।

ଏହାପରେ ସାପଟିକୁ ନଫୋପାଡ଼ି ଗାଁ ଧରି ଆସିଥିଲେ  ।  ଘଟଣା ସମ୍ପର୍କରେ ନିଜ ପରିବାର ଓ ଗାଁ ଲୋକଙ୍କୁ ମଧ୍ୟ ଜଣାଇଥିଲେ ବଦରା । ପରେ ଗାଁ ଲୋକେ ତାଙ୍କୁ ମେଡିକାଲ ଯିବାକୁ ପରାମର୍ଶ ଦେଇଥିଲେ  । କିନ୍ତୁ ସାପକୁ କାମୁଡ଼ିଦେଇଥିବା ବ୍ୟକ୍ତି ଜଣଙ୍କ  କୌଣସି ସମ୍ପର୍କୀୟଙ୍କ କଥାକୁ  ଶୁଣି ନଥିଲେ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ନିକଟରେ ଥିବା ଜଣେ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବିଷାକ୍ତ ସାପ ଉକ୍ତ ବ୍ୟକ୍ତିଙ୍କୁ କାମୁଡ଼ିବା ଏବଂ ପରବର୍ତ୍ତୀ ସମୟରେ ବ୍ୟକ୍ତି ଜଣଙ୍କ ମଧ୍ୟ ସାପକୁ କାମୁଡ଼ିଦେଇଥିଲେ  । ତଥାପି ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

‘ରାଜ୍ୟସଭାରେ ସାଂସଦଙ୍କୁ ମାଡ଼ ମରାଯାଉଛି, ଗଣତନ୍ତ୍ରର ହତ୍ୟା କରୁଛନ୍ତି ପ୍ରଧାନମନ୍ତ୍ରୀ’

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସମୟ ପୂର୍ବରୁ ଶେଷ ହୋଇଛି । ଯାହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ, ଅନେକ ବିରୋଧୀ ଦଳ ମିଶି ଗୁରୁବାର ଏକ ମିଳିତ ପଦଯାତ୍ରା କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ପଦଯାତ୍ରାରେ ୧୨ରୁ ଅଧିକ ରାଜନୈତିକ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ କେନ୍ଦ୍ରସରକାରଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିବା ସହ ଗୃହରେ ସାଂସଦମାନଙ୍କ ସହ ହୋଇଥିବା ଅସଦାଚରଣ ବିଷୟରେ କହିଛନ୍ତି।

ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟସଭାରେ ପ୍ରଥମ ଥର ପାଇଁ ସାଂସଦଙ୍କ ସହ ଏଭଳି ବ୍ୟବହାର କରାଯାଇଛି। ପ୍ରଥମ ଥର ପାଇଁ ଗୃହରେ ସାଂସଦଙ୍କୁ ମାଡ଼ ମରାଯାଇଛି, ବାହାରୁ ଲୋକଙ୍କୁ ଡକାଯାଇ ସାଂସଦମାନଙ୍କୁ ଅସାଦାଚରଣ କରାଯାଇଛି। ଅଧ୍ୟକ୍ଷଙ୍କ ଦାୟିତ୍ୱ ହେଉଛି ଗୃହ ଚଳାଇବା, ତେବେ ବିରୋଧୀମାନେ କାହିଁକି ଗୃହରେ ନିଜର ପକ୍ଷ ରଖି ପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ।

ରାହୁଲ ଆହୁରି କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଆଜି ଦେଶକୁ ବିକିବା କାମ କରୁଛନ୍ତି, ଦେଶର ଆତ୍ମା ​​ଦୁଇ-ତିନି ଶିଳ୍ପପତିଙ୍କ ଦ୍ୱାରା ବିକ୍ରି ହେଉଛି। ହେଲେ ସଂସଦ ଭିତରେ କୌଣସି ବିରୋଧୀ କିଛି ବି କହିପାରିବେ ନାହିଁ। ସେ କେଦ୍ର ସରକାରଙ୍କୁ ସିଧାସଳକ ଟାର୍ଗେଟ କରି କହିଛନ୍ତି, ଯେ ଦେଶର ୬୦ ପ୍ରତିଶତ ଲୋକଙ୍କ ସ୍ୱର ଦମନ କରାଯାଉଛି।

ରାହୁଲ କହିଛନ୍ତି ଯେ ଗୋଟେପଟେ ରାଜ୍ୟସଭାରେ ସାଂସଦମାନେ ଅସଦାଚରଣ କରାଯାଉଛି, ଅନ୍ୟପଟେ ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆମେ ସରକାରଙ୍କୁ କହିଲୁ, ଆମେ କୃଷକ, ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଲୁ। ହେଲେ କୌଣସି ବିଷୟରେ ବି ଆଲୋଚନା କରାଗାଲା ନାହିଁ। ଦେଶରେ ଗଣତନ୍ତ୍ରର ହତ୍ୟା ହେଉଛି ବୋଲି ରାହୁଲ କହିଛନ୍ତି।

ଜଣାଇଦେବାକୁ ଚାହୁଁ ଯେ ପେଗାସସ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀମାନେ ସଂସଦର ଉଭୟ ଗୃହରେ ହଙ୍ଗାମା କରିଥିଲେ। ଏହି କାରଣରୁ ମୌସୁମୀ ଅଧିବେଶନ ଅକାଳରେ ସମାପ୍ତ ହୋଇଥିଲା। ଗୋଟେପଟେ ରାହୁଲ ସଂସଦରେ ବିରୋଧିଙ୍କୁ କହିବାକୁ ଦିଆଯାଉନି ବୋଲି  ଅଭିଯୋଗ କରିଥିବାବେଳେ ଅନ୍ୟପଟେ ବିରୋଧୀ ସଂସଦର ସମସ୍ତ ମର୍ଯ୍ୟାଦା ଉଲଙ୍ଗନ କରିଛନ୍ତି ବୋଲି ସରକାର ଅଭିଯୋଗ କରିଛନ୍ତି।

ହିମାଚଳ ପ୍ରଦେଶରେ ଭୁସ୍ଖଳନ; ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କିନୌର: ହିମାଚଳ ପ୍ରଦେଶରେ ପ୍ରକୃତିର କରାଳରୂପ । ଭୂସ୍ଖଳନରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । କିନୌରରେ ଭୁସ୍ଖଳନ ଯୋଗୁଁ ସ୍ଥିତି ଭୟାବହ ଥିବାବେଳେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏଯାବତ କିନୌରରୁ ୧୩ ଜଣକ ମୃତଦେହ ଉଦ୍ଧାର ହୋଇଥିବା ନେଇ ITBP ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଆହତ ହୋଇଥିବା ୧୪ ଜଣକୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ହେଲ୍ପ ଲାଇନ୍ ନମ୍ବର ଜାରି କରିଛି କିନୌର ପୋଲିସ । ଗତକାଲିଠାରୁ କିନୌରରୁ ITBP , NDRF ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏଭଳି ସ୍ଥଳେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି। ଏଥିସହିତ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।

ସେପଟେ ଜୟରାମଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଦିଆଯିବ ବୋଲି କହିଛନ୍ତି ଗୃହମନ୍ତ୍ରୀ । ଅପରପକ୍ଷେ ଏକ ବସରେ ୪୦ ଯାତ୍ରୀ ଯାଉଥିବାବେଳେ ରେକୋଙ୍ଗ ପିଓଠାରେ ଏହି ଦୁର୍ଘଟଣା ଘଟିଥିଲା । ହଠାତ୍ ଭୁସ୍ଖଳନ ହେବାଫଳରେ ମାଟି ତଳେ ଚାପି ହୋଇ ରହିଥିଲେ ଯାତ୍ରୀ ।

ତୃତୀୟ ଲହର ପାଇଁ ସତର୍କ ସରକାର: ବଢିବ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା

ଭୁବନେଶ୍ୱର: ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଜେନେରାଲ ବେଡ଼ ସଂଖ୍ୟା ବଢିଥିବାବେଳେ ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି । ସ୍ବାସ୍ଥ୍ୟ ଉପକରଣ, ଅକ୍ସିଜେନ ଓ ଭିତ୍ତିଭୂମି ମହଜୁଦ ରହିଛି । ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ଚାହିଦା ଅନୁଯାୟୀ ପୂର୍ବାପେକ୍ଷା ଅଧିକ ଔଷଧ ରଖାଯାଇଛି ।

ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ଥିବାରୁ , ସେଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ଟ୍ରେନିଂ ଦିଆଯାଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର । ବର୍ତ୍ତମାନ ରାଜ୍ୟରେ ଦ୍ଵିତୀୟ ଲହର ଜାରି ରହିଛି । ଯେଉଁ ଅଞ୍ଚଳରେ ଅଧିକ ଲୋକ ରହୁଛନ୍ତି, ସେଠି ସଂକ୍ରମଣ ରହୁଛି । ଅନ୍ୟ ଦେଶ ଓ ରାଜ୍ୟରେ ସଂକ୍ରମଣ ବଢ଼ିଲାଣି, ଏଥି ପାଇଁ ସବୁବେଳେ ସତର୍କ ରହିବାକୁ ପଡ଼ିବ । ଲୋକ ନିୟମ ପାଳିଲେ କରୋନା ନିୟନ୍ତ୍ରଣ ଆସିବ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଖରସ୍ରୋତା ବିବାଦରେ ଲାଗୁନି ରୋକ, ଆନ୍ଦୋଳନକୁ ବ୍ୟାପକ ପାଇଁ ସମିତିର ଚେତାବନୀ

କେନ୍ଦ୍ରାପଡା: ଆହୁରି ଉଗ୍ର ରୂପ ନେଉଛି ଖରସ୍ରୋତା ବିବାଦ । ଗତ 10 ତାରିଖରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ବିକ୍ଷୋଭ ପ୍ରଦର୍ଶନ ପରେ ବିକ୍ଷୋଭ କରୁଥିବା କିଛି ନେତାଙ୍କୁ ପୋଲିସ ଉଠାଇ ନେଇଥିଲା । ତେବେ ଟାୟାର ଜାଳି ଲୋକେ ରାସ୍ତାରୋକ କରିବା ପରେ ସଂଗ୍ରାମ ସମିତିର କର୍ମକର୍ତ୍ତାଙ୍କୁ ଛାଡି ଦେଇଥିଲା ପୋଲିସ । ଏବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦିଆଯାଇଛି ।

ସେପଟେ  ଆଜି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ସଂଗ୍ରାମ ସମିତି । ଘଟଣା ସ୍ଥଳରେ ଅଧିକ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସୂଚନା ମୁତାବକ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇବା ପାଇଁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କରୁଛନ୍ତି। ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜକନିକା ଜିଲା ଭାରୀଗଦା ପାଖ ଖରସ୍ରୋତା ନଦୀରୁ ଜଳ ନେବାକୁ ଯୋଜନା ହୋଇଛି। କିନ୍ତୁ ରାଜକନିକା ବ୍ଳକର ବୁଦ୍ଧିଜୀବୀ ଓ ବରୁଣାଡ଼ିଆ-ଭାରିଗଦା ଗ୍ରାମ ପଞ୍ଚାୟତଙ୍କ ସମେତ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ ତିବ୍ର ବିରୋଧ କରୁଛି।

ଖରାସ୍ରୋତା ନଦୀର ଜଳ ନଦେବା ପାଇଁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ମଧ୍ୟ ଗଠନ କରାଯାଇଛି। ଏହି ସଙ୍ଗଠନ ରାଜ୍ୟ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପକୁ ତୀବ୍ର ବିରୋଧ କରୁଥିବା ​‌ବେଳେ ଦୀର୍ଘଦିନ ହେବ ଆନ୍ଦୋଳନ ଜାରି ରଖିଛି। କେନ୍ଦ୍ରାପଡାରେ ଭୂତଳ ଜଳ ସଙ୍କଟରେ ଜର୍ଜରିତ ହେଉଥିବା ବେଳେ ଅନ୍ୟ ଜିଲାକୁ ଖରସ୍ରୋତାର ମଧୁର ପାଣି ଦେବାକୁ ତୀବ୍ର ବିରୋଧ କରାଯାଉଛି।  ଖରସ୍ରୋତା ନଦୀ ଆନ୍ଦୋଳନକୁ ନେଇ ପ୍ରତିବାଦ ସ୍ଥଲୀରେ ହୋ ହଲ୍ଲା ଦେଖିବାକୁ ମିଳିଛି  । ଏମିତିକି ଅନେକ ସମୟରେ ପୋଲିସ ଏବଂ ଆନ୍ଦୋଳନକାରୀ ମୁହାଁ ମୁହିଁ ଭଳି ସ୍ଥିତି ଉପୁଜିଛି  ।