spot_img
Home Blog Page 5326

ପେଟ୍ରୋଲ ପମ୍ପରେ ମିଳୁଛି ପାଣି ମିଶା ପେଟ୍ରୋଲ, ଟାଙ୍କିରେ ପଡ଼ିଲେ ଅଧ ଘଣ୍ଟାରେ ବନ୍ଦ ହେଉଛି ଷ୍ଟାର୍ଟ

କଟକ: ପେଟ୍ରୋଲରେ ପାଣି। ଟାଙ୍କିରେ ପକାଇ ଗଲେ ଅଧା ବାଟରେ ବନ୍ଦ ହୋଇଯାଉଛି ଗାଡ଼ି। ଏକ ଲିଟର ପେଟ୍ରୋଲ କିଣିରେ ସେଥିରେ ୨୦ ଭାଗ ପାଣି ଆସୁଛି। ପ୍ରତିବାଦ କଲେ ଶୁଣୁ ନାହାନ୍ତି ପେଟ୍ରୋଲ ପମ୍ପ ମାଲିକ। ଏମତି ଅଭିଯୋଗ ଆସିଛି କଟକ ଗଣ୍ଡରପୁର ଭାରତ ପେଟ୍ରୋଲ ପମ୍ପରୁ। ଘଟଣା ପରେ ଗ୍ରାହକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।

ପେଟ୍ରୋଲ କିଣିଲେ ମିଳୁଛି ପାଣି। ଏକ ଲିଟର ପେଟ୍ରୋଲରେ ୨୦ ପ୍ରତିଶତ ପାଣି। ଟାଙ୍କିରେ ପକାଇ ଗଲେ ଅଧା ରାସ୍ତାରେ ଗାଡ଼ି ବନ୍ଦ। ଅଭିଯୋଗ କଲେ ଶୁଣୁ ନାହାନ୍ତି ପମ୍ପ ମାଲିକ। ଏମତି ଅଭିଯୋଗ ଆସିଛି କଟକ ଗଣ୍ଡରପୁର ଭାରତ ପେଟ୍ରୋଲ ପମ୍ପରୁ। ଅଙ୍କିତ ଗୋଛାୟାତ ନାମକ ଜଣେ ଛାତ୍ର ତାଙ୍କ ସ୍କୁଟିରେ ପେଟ୍ରୋଲ୍ ପକାଇ ଘରକୁ ଯିବାବେଳେ ଗାଡି ରାସ୍ତାରେ ବନ୍ଦ ହୋଇଯାଇଥିଲା। ଗ୍ୟାରେଜରେ ଦେଖାଇବା ପରେ ପ୍ରକୃତ କଥା ପଦାକୁ ଆସିଥିଲା।
ଅନ୍ୟପଟେ ଟାଙ୍କି ମାଲିକ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଟାଙ୍କିରେ ଲାଗିଥିବା ମେସିନ ସବୁ ଠିକ୍ ଥିବାବେଳେ କିପରି ପାଣି ଆସୁଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ସେପଟେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାହକ। ଦିନକୁ ଦିନ ପେଟ୍ରୋଲ ମୂଲ୍ୟ ବଢୁଥିବାବେଳେ ପାଣିମିଶା ତେଲ ବାହାରିବା ଘଟଣା ଗ୍ରାହକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।

ନାବାଳିକା ଅପହରଣର ୭ ମାସ ପରେ ବି ନାବାଳିକାକୁ ଖୋଜି ପାଉନି ପୋଲିସ୍‌

ମୟୂରଭଞ୍ଜ: ଦିନ ଗଡୁଛି, ହେଲେ ମିଳୁନି ନ୍ୟାୟ। ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିବାରେ ବିଫଳ ମୟୂରଭଞ୍ଜ ଜିଲ୍ଲା କେଶିଙ୍ଗା ପୋଲିସ୍। ମାନଗୋବିନ୍ଦପୁର ଗାଁର ନାବାଳିକା ଅପହରଣକୁ ୭ମାସ ବିତିଯାଇଥିଲେ ମଧ୍ୟ ଏଯାଏ ନାବାଳିକା ଓ ଅପହରଣକାରୀଙ୍କ ପତ୍ତା ପାଇନି ପୋଲିସ। ସେପଟେ ସରକାରୀ ଦପ୍ତରକୁ ଦୌଡି ଦୌଡି ନାବାଳିକା ପରିବାର ଲୋକ ନୟାନ୍ତ ହେଲେଣି। ଝିଅ ନମିଳିଲେ ଆତ୍ମହତ୍ୟା ଶେଷ ରାସ୍ତା ବୋଲି କହିଛନ୍ତି ପରିବାର ଲୋକ। ଗତ ଫେବ୍ରୁଆରି ୧୦ ତାରିଖରେ ଦୁବୃର୍ତ୍ତମାନେ ନାବାଳିକାଙ୍କୁ ତାଙ୍କ ଘରୁ ଅପହରଣ କରିନେଇଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକ କେଶିଙ୍ଗା ଥାନାରେ ଏତଲା ଦେଇଥିଲେ। ଆଜକୁ ୭ ମାସ ପୂରି ଯାଇଥିଲେ ମଧ୍ୟ ଏଯାଏ ପୋଲିସ ଦୁବୃର୍ତ୍ତଙ୍କ ଟେର ବି ପାଇନଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ। ସେପଟେ ଦୁର୍ବୃଙ୍କୁ ଖୁବଶୀଘ୍ର ଗିରଫ କରି ନାବାଳିକାକୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ମୟୂରଭଂଜ ଏସପି କହିଛନ୍ତି।

କିଛି ବର୍ଷ ପରେ ଛୋଟ ପିଲାଙ୍କର ସାଧାରଣ ଥଣ୍ଡା ଜ୍ୱରରେ ପରିଣତ ହେବ କରୋନା

ଭୁବନେଶ୍ୱର: ଆସନ୍ତା କିଛି ବର୍ଷ ମଧ୍ୟରେ ସାଧାରଣ ଥଣ୍ଡା ରୋଗରେ ପରିଣତ ହୋଇଯିବ କରୋନା। ଏହା ବିଶେଷତଃ ଶିଶୁ ରୋଗରେ ପରିଣତ ହେବ। ଏଭଳି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି। ଆମେରିକା ଓ ନରଓ୍ୱେର ଗବେଷକ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁସାରେ କରୋନାର ଗମ୍ଭୀରତା ଶିଶୁଙ୍କ ନିକଟରେ ବିଶେଷ ପରିଲକ୍ଷିତ ହେଉନାହିଁ। ଆକ୍ରାନ୍ତ ହୋଇ ମଧ୍ୟ ଶିଶୁମାନେ ଗୁରୁତର ହେଉନାହାନ୍ତି। କେବଳ ବୟସ୍କମାନେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ତେବେ ପ୍ରଥମେ ସଂକ୍ରମିତ ହେଲା ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ରୋଗୀ ପୂର୍ବାପେକ୍ଷା ଅଧିକ ଗୁରୁତର ହେଉନାହାନ୍ତି। କରୋନାର ଶକ୍ତିକୁ ହ୍ରାସ କରିବାରେ ଭ୍ୟାକ୍ସିନେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଟିକାକରଣ ପରେ ଲୋକଙ୍କ ମଧ୍ୟରେ ରୋଗପ୍ରତିରୋଧକ ଶକ୍ତି ବଢୁଛି। ଫଳରେ ଲୋକ ସଂକ୍ରମିତ ହେଲେ ମଧ୍ୟ ବିପଦ କମୁଛି।

ଏଣୁ କରୋନାର ଭୟାବହତା ଦିନକୁ ଦିନ କମିବା ସହିତ ଏହା ସାଧାରଣ ଥଣ୍ଡା ରୋଗରେ ପରିଣତ ହେବ ବୋଲି ଗବେଷକ କହିଛନ୍ତି। କେବଳ ଟିକା ନେଇନଥିବା ଯୁବକଙ୍କ ପାଇଁ ଭୟ ରହିଛି। ରିପୋର୍ଟ ଅନୁସାରେ ପୂର୍ବରୁ ବିଶ୍ୱକୁ ଅନେକ ମହାମାରୀ ଆସିଛି। ଯାହାକି କିଛି ବର୍ଷ ପରେ ଦୁର୍ବଳ ହେବା ସହିତ ସାଧାରଣ ରୋଗରେ ପରିଣତ ହୋଇଛି।

ସୁରକ୍ଷାକର୍ମୀ ଓ ସାଂସଦଙ୍କ ମଧ୍ୟରେ ଜୋରଦାର ହଙ୍ଗାମା, ମହିଳା ସାଂସଦଙ୍କୁ ମାଡ଼ ମାରିବା ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ମୌସୁମୀ ଅଧିବେଶନର ଶେଷ ଦିନରେ ସବୁ ସୀମା ପାର୍‌। ସରକାରଙ୍କ ଜିଦ୍‌ ପାଇଁ ବିରୋଧୀ ଗରମ। ପେଗାସସ୍‌ ଭାଇରସକୁ ନେଇ ବିରୋଧୀ ଆଲୋଚନା କରିବା ପାଇଁ ଚାହୁଁଥିବା ଗୃହରେ ଅନୁମତି ଦେଇନଥିଲେ ସରକାର। କୋଭିଡ ପରିଚାଳନା ଓ କୃଷି ଆଇନ୍‌ ଉପରେ ଆଲୋଚନା କରିବା ପାଇଁ ଚାହୁଥିଲେ ସରକାର। ପୁରା ଅଧିବେସନ ସରକାରଙ୍କ ଇଛାରେ ଚାଲିବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ। ହେଲେ ବିରୋଧୀ ସମର୍ଥନ କରିବାରୁ ପ୍ରତିଦିନ ହଙ୍ଗାମା ଗଣ୍ଡଗୋଳ ଭିତରେ ସଂସଦର ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହୋଇଛି।

ଅଧିବେଶନର ଶେଷ ଦିନରେ ହୋଇଥିବା ହଙ୍ଗାମା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି। ନିଜ ଇଚ୍ଛାରେ ଗୃହ ନଚାଲିଲେ ସୁରକ୍ଷାକର୍ମୀ ଲଗାଇ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ କଂଗ୍ରେସ ସହ ଅନ୍ୟ ଦଳର ନେତା ସଂସଦ ବାହାରେ ପ୍ରତିବାଦ କରିଥିବା ବେଳେ ବିଜୟ ଚୌକ ପର୍ଯ୍ୟନ୍ତ ଏକ ରାଲି କରିଥିଲେ। ଲୋକସଭାକୁ ବାଚସ୍ପତି କାହିଁକି ଚଳାଇଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ। ବିରୋଧୀଙ୍କୁ ଚୁପ୍‌ କରିବା ପାଇଁ କାହିଁକି ବାଧ୍ୟ କରାଯାଇଥିଲା। ଗୃହକୁ ସୁରୁଖୁରୁ ନଚଳେଇ, ଦେଶର ସ୍ୱରକୁ ଦବେଇବା ପାଇଁ ସରକାର ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ସେପଟେ ସଂସଦରେ ଏଭଳି ଆଚରଣ ପାଇଁ ସଫେଇ ଦେଇଛନ୍ତି ୮ ଜଣ କେନ୍ଦ୍ରମନ୍ତ୍ରୀ। ସମସ୍ତେ ଏକାଥରକେ ଆସି ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ବିରୋଧୀଙ୍କ ଏଭଳି କାଣ୍ଡ ପାଇଁ ଦେଶକୁ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି। ରାଜ୍ୟସଭା ଅଧକ୍ଷ୍ୟ ଘଟଣାର ତଦନ୍ତ କରି ଦୋଷୀ ସାଂସଦଙ୍କୁ ଉଚିତ୍‌ ଦଣ୍ଡ ଦେବା ଦରକାର ବୋଲି ସରକାର କହିଛନ୍ତି।

ତେବେ ବାହାରୁ କୌଣସି ସୁରକ୍ଷା କର୍ମୀ ଆସିନାହାନ୍ତି ବୋଲି ସରକାର କହିଛନ୍ତି। ଗୃହ ଭିତରେ ଦାୟିତ୍ୱରେ ଥିବା ୩୦ ଜଣ ସୁରକ୍ଷାକର୍ମୀ ହିଁ ଉପସ୍ଥିତ ଥିଲେ। ୯ ଅଗଷ୍ଟରେ ବିରୋଧୀ ଚେୟାର ଉପରେ ଠିଆ ହୋଇ ହଙ୍ଗାମା କରିଥିବା ବେଳେ ରୁଲ୍‌ ବୁକ୍‌ ଚିରିବା ନିନ୍ଦନୀୟ ବୋଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି।

ସଂସଦରେ ଏଭଳି ହଙ୍ଗାମା ଇତିହାସରେ କେବେ ହୋଇନଥିଲା। ଦାବି ଉପସ୍ଥାପନ ପାଇଁ ଜିଦ୍‌ରେ ଥିବା ବିରୋଧୀଙ୍କୁ ସୁରକ୍ଷାକର୍ମୀ ଲଗାଇ ଟଣାଓଟରା କରିବା ଆଉ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି।

କାଠଗଡ଼ାରେ ଅତ୍ୟାବଶୀୟ ଦ୍ରବ୍ୟ ଆଇନ, କର୍ପୋରେଟ ମାଲାମାଲ ଖାଉଟି କାଙ୍ଗାଳ

ଭୁବନେଶ୍ୱର: କୋଭିଡ ସମୟରେ ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ହେଲେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ ହୁ ହୁ ହୋଇ ବଢୁଥିବାରୁ ହାଣ୍ଡିଶାଳ ପ୍ରଭାବିତ ହୋଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ ନୀତିକୁ ରାଜ୍ୟ ସରକାର ଟାର୍ଗେଟ କରିଥିବାବେଳେ କଂଗ୍ରେସ ବି କରିଛି ସମର୍ଥନ। ସେହିପରି କର୍ପୋରେଟ ମାର୍କେଟକୁ କେନ୍ଦ୍ର ସରକାର ମାଲାମାଲ କରୁଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି।

ବଜାରରେ ଖାଦ୍ୟ ସାମଗ୍ରୀକୁ ହାତ ଯାଉନି। ପେଟ୍ରୋଲ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦାମ ବି ଶତକ ମାରିଲାଣି। କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ ଓ କୃଷି ନୀତିକୁ ଦରଦାମ ବୃଦ୍ଧିର ପ୍ରମୁଖ କାରଣ ଭାବେ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର। ଏହା ଦ୍ୱାରା କର୍ପୋରେଟ ସଂସ୍ଥା ଡ଼ାଲି ଓ ସୋରିଷ ପରି ଖାଦ୍ୟ ସାମଗ୍ରୀକୁ ଗଚ୍ଛିତ ରଖି ନିୟମିତ ଦାମ ବଢାଉଥିବାର ଆକଳନ କରିଛି କଂଗ୍ରେସ।

ଦରଦାମ ବୃଦ୍ଧି ନିଆଁରେ କେନ୍ଦ୍ର ସରକାରଙ୍କ ଭୂମିକାକୁ କର୍ପୋରେଟପ୍ରୀତି ଭାବେ କଟାକ୍ଷ କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। କର୍ପୋରେଟ ସଂସ୍ଥା ଓ ମଲ ଗୁଡ଼ିକର ଚଢା ଦରରେ ବିକ୍ରି କରୁଥିବାର ସତ୍ତ୍ୱେ, ଷ୍ଟକ ଲିମିଟ ରଖି ନାହାନ୍ତି କେନ୍ଦ୍ର ସରକାର। ହେଲେ ହୋଲସେଲରଙ୍କ ପାଇଁ ୫ହଜାର କ୍ୱିଣ୍ଟାଲ ଷ୍ଟକ ଲିମିଟ ରଖିଥିବାରୁ କେନ୍ଦ୍ର ବିରୋଧରେ ବ୍ୟବସାୟୀ ବି ବର୍ଷିଛନ୍ତି।

ନୂତନ କୃଷି ନୀତି ବିରୋଧରେ ଦିଲ୍ଲୀ ଦରବାରରେ ଚାଷୀମାନେ ଶହ ଶହ ଦିନ ଧାରଣା ଦେଲେ। ଶୀତ କାକରରେ କିଛି ଚାଷୀଙ୍କ ଜୀବନ ଗଲା। ଆଲୋଚନା କରି ସମାଧାନର ବାଟ ଖୋଜିବା ପରିବର୍ତ୍ତେ, ଚାଷୀଙ୍କ ଆତଙ୍କବାଦୀ ପରି ଶଦ୍ଦରେ ଭର୍ସନା କଲେ କେନ୍ଦ୍ରୀୟ ନେତା। ଏହି ରାଜନୈତିକ ଛକାପଞ୍ଜା ଭିତରେ ଘାଣ୍ଟି ହେଉଛନ୍ତି ଖାଉଟି ।

 

ବିଏମ୍‌ସିର ନଜର ଆଢୁଆଳରେ କେ-୭ ଏରିଆ, ବୃଦ୍ଧି ପାଉଛି ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠରେ ରହିଛି କଳିଙ୍ଗନଗର। କଳିଙ୍ଗନଗର କେ-୭ ଅଞ୍ଚଳରେ ଦେଖିବାକୁ ମିଳିଛି ନୂଆ ସମସ୍ୟା। ଯାହା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇଛି। ବିଦ୍ୟୁତ୍‌ ଖୁଣ୍ଟରୁ ଲାଇଟ୍ ଚୋରୀ ଭଳି ଘଟଣା ଦେଖିବାକୁ ମିଳିଛି। ୨୦ରୁ ଅଧିକ ଖୁଣ୍ଟରେ ଲାଇଟ୍ ନଥିବା କାରଣରୁ ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧକାରମୟ। ଅନ୍ଧାରର ସୁଯୋଗ ନେଇ ସମ୍ପୃକ୍ତ ଅଞ୍ଚଳରେ ବଢିବାରେ ଲାଗିଛି ଅସାମାଜିକ ତତ୍ତ୍ୱଙ୍କ ଦୌରାତ୍ମ୍ୟ।

କେ-୭ ଏରିଆରେ ଅଧିକାଂଶ ବରିଷ୍ଠ ନାଗରିକ ବସବାସ କରୁଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ପୋଲିସ ପେଟ୍ରୋଲିଂ ଶୂନ। ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ମହିଳା ସଙ୍ଗଠନ। ନିଜ ପାଣ୍ଠିରୁ ଷ୍ଟ୍ରିଟ ଲାଇଟ୍‌ ଲଗାଇବାକୁ ବାଧ୍ୟ ହୋଇଛନ୍ତି। ତେବେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜରୁରୀ ବୈଠକ ପରେ ବିଡିଏ, ବିଏମ୍‌ସି ଓ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି ସଂଘ।

କଳିଙ୍ଗନଗର କେ-୭ ଇଲାକାରେ ବିଦ୍ୟୁତ୍‌ ଖୁଣ୍ଟରୁ ଲାଇଟ୍ ଚୋରୀ ଭଳି ଘଟଣା ଚିନ୍ତାର ବିଷୟ । ତୁରନ୍ତ ଘଟଣାର ତଦନ୍ତ କରାଯିବା ସହ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ । ତେବେ ବିଦ୍ୟୁତ୍‌ ଖୁଣ୍ଟରେ ନିଜସ୍ବ ଉଦ୍ୟମ ତଥା ନିଜସ୍ବ ପାଣ୍ଠିରେ ମହିଳା ସଙ୍ଗଠନ ପକ୍ଷରୁ ଲାଇଟ୍‌ ଲଗାଯାଇଥିବା ସମ୍ପର୍କରେ ସେ ଅବଗତ ନଥିବା କହିଛନ୍ତି ବିଏମ୍‌ସି ଅତିରିକ୍ତ କମିଶନର

ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଆଗଉଛି ଓଡ଼ିଶା, ଉଦ୍‌ଘାଟିତ ହେଲା ଷ୍ଟେଟ୍ ଫରେନସିକ୍ ଲ୍ୟାବର ନୂଆ ବିଲ୍ଡିଂ

ଭୁବନେଶ୍ୱର: ଉଦଘାଟିତ ହଲା ଷ୍ଟେଟ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ। ଜଟିଳ ମାମଲାକୁ ସହଜରେ ଧରିବା ପାଇଁ କାମ କଲା ନୂଆ ଲାବରେଟୋରୀ। ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଏହି ଲାବରେଟୋରୀରେ ଅପରାଧ ଏବଂ ଅପରାଧିର ସମସ୍ତ ଟେଷ୍ଟିଂ କରାଯାଇ ପାରିବ। ପୁରୁଣା ବିଲ୍ଡିଂରେ ଥିବା ୭ଟି ବିଭାଗକୁ ନୂଆ ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଛି। ଲାଏ ଡିଟେକ୍ସନ ଟେଷ୍ଟ, ଫିଜିକ୍ସ, ସାଇବର ଫରେନ୍ସିକ, ବାଲିସଟିକ୍ସ, ବାୟୋଲୋଜି, ସେରୋଲୋଜି, କେମେଷ୍ଟ୍ରି ଲ୍ୟାବ ସ୍ଥାନାନ୍ତର ହୋଇଛି। ଏହି ସବୁ ଟେଷ୍ଟିଂ ପାଇଁ ହାଇ ଟେକ୍ନୋନୋଜି ବ୍ୟବହାର କରାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି।

ଏହି ନୂତନ ବିଲ୍ଡିଂକୁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପୋଲିସ ବିଭାଗ ପାଇଁ ଉତ୍ସ୍ୱର୍ଗୀକୃତ କରିଛନ୍ତି। ଖୁବ୍‌ ଶୀଘ୍ର ଏହି କୋଠାରେ ଗୁରୁତ୍ୱପୂର୍ଣ୍ଣ ଡିଏନ୍‌ଏ ଟେଷ୍ଟିଂ ମେସିନ୍ ଏବଂ ସାଇବର ଫରେନ୍ସିକ୍ ଲ୍ୟାବ୍ ନିର୍ମାଣ କରାଯିବ। ଏହି ଦୁଇଟି ଟେଷ୍ଟିଂ ଆରମ୍ଭ ହେଲେ ରାଜ୍ୟରେ ଘଟୁଥିବା ଜଟିଳ ମାମାଲା ଗୁଡିକର ପ୍ରମାଣ ଯୋଗାଡ କରିବା ପାଇଁ ବା ଟେଷ୍ଟିଂ କରିବା ପାଇଁ ଓଡ଼ିଶା ପୋଲିସକୁ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ ବୋଲି ଡିଜି କହିଛନ୍ତି। ଏହି ଲ୍ୟାବ୍‌ରେ ଆବଶ୍ୟକୀୟ ଯନ୍ତ୍ରପାତି ସମେତ ଡାକ୍ତର, ସାଇଣ୍ଟିଷ୍ଟ ନିୟୋଜିତ ଅଛନ୍ତି।

ପୂର୍ବରୁ ଏହି ଲ୍ୟାବରେ ଅନେକ ଜଟିଳ କେଶର ଟେଷ୍ଟିଂ କରି ପୋଲିସ ସଫଳତା ପାଇଛି। ଦୀର୍ଘଦିନର ଶବ ସମେତ ଅନେକ ହତ୍ୟାକାଣ୍ଡର ଗୁରମ ଖୋଲିବାରେ ଏହି ଲ୍ୟାବ ବେଶ ସହାୟକ ହୋଇଛି। ତେବେ ଏହି ଅତ୍ୟାଧୁନିକ ଲ୍ୟାବ ଓଡ଼ିଶା ପୋଲିସକୁ ତଦନ୍ତରେ ଆହୁରି ଅଧିକ ସହାୟତା କରିବ।

ଦୁର୍ବଳ ମୌସୁମୀ କାରଣରୁ ରାଜ୍ୟରେ ବୃଦ୍ଧି ପାଇଛି ନିଅଣ୍ଟିଆ ବର୍ଷା, ଆସନ୍ତା ୧୬ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ମୌସୁମୀ ଦୁର୍ବଳ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦୁର୍ବଳ ମୌସୁମୀ ପାଇଁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି। ଜୁନ୍ ୧ ତାରିଖରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ରାଜ୍ୟରେ ୭୧୧.୧ ମିଲିମିଟର ବର୍ଷା ହେବା କଥା। କିନ୍ତୁ ଏହି ସମୟ ମଧ୍ୟରେ ରାଜ୍ୟରେ ୪୯୮.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ୍ ବର୍ଷା। ରାଜ୍ୟରେ ୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।

ଯାଜପୁରେ ୫୫ ପ୍ରତିଶତ, ଭଦ୍ରକରେ ୫୦ ପ୍ରତିଶତ, ଗଜପତିରେ ୪୪ ପ୍ରତିଶତ ଏବଂ ବଲାଙ୍ଗିର ଜିଲ୍ଲାରେ ୪୩ ପ୍ରତିଶତ, ଝାରସୁଗୁଡା ଏବଂ କେନ୍ଦୁଝର ଜିଲ୍ଲାରେ ସ୍ୱାଭାବିକ ଠାରୁ ୪୧ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଓଡ଼ିଶାରେ ଅଗଷ୍ଟ ୧ ତାରିଖରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୧୪୮.୮ ମିଲିମିଟର ବର୍ଷା ରେକର୍ଡ ହେବା କଥା। କିନ୍ତୁ ମାତ୍ର ୪୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

କେବଳ ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ ୭୧ ପ୍ରତିଶତ କମ୍ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେପଟେ ନିଅଣ୍ଟିଆ ବର୍ଷାରେ ମରୁଡି ଆଶଙ୍କା ଥିବା ବେଳେ ଆଶା ସଞ୍ଚାର କରିଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାରଗରୁ ସୃଷ୍ଟି ହୋଇ ଝାଡଖଣ୍ଡ ଏବଂ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଘୂର୍ଣ୍ଣିବଳୟ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବିଶେଷ କରି ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ଘୂର୍ଣ୍ଣିବଳୟ ଯଦି ଲଘୁଚାପରେ ପରିଣତ ହୁଏ ତେବେ ନିଅଣ୍ଟିଆ ବର୍ଷା କିଛି ପରିମାଣରେ ପୂରଣ ହେବାର ଆଶା ରହିଛଇ।

 

ସ୍ତ୍ରୀ ସହ କଳହ ପରେ ୩ ବର୍ଷର ପୁଅ ସହ ବେକରେ ଶାଢ଼ୀ ଲଗାଇ ପଙ୍ଖାରେ ଝୁଲି ପଡ଼ିଲା ସ୍ୱାମୀ

ନବରଙ୍ଗପୁର: ନିଜ ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ମଦ୍ୟପ ବାପା। ଘରୋଇ କଳହ ପାଇଁ ବଳି ପଡ଼ିଲା ଗେଲବସରିଆ ପୁଅ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚଚା ପଞ୍ଚାୟତ ଅର୍ଜୁନଗୁଡ଼ା ଗାଁରେ। ଘରୋଇ କଳହ ପାଇଁ ଚାଲିଯାଇଛି ୩ ବର୍ଷର କୁନି ପୁଅର ଜୀବନ। ଅତ୍ୟଧିକ ମଦ ପଇବା ପରେ ସ୍ୱାମୀ ପୀତବାସ ଭତ୍ରା ମାନସିକ ସ୍ଥିତି ହରାଇ ବସିଥିଲା। ଏହା ପରେ ସ୍ତ୍ରୀ ସହ ପାଟି ତୁଣ୍ଡ କରିଥିଲା ପୀତବାସ। ଅଧିକ କଳହ କାରଣରୁ ସ୍ତ୍ରୀ ବିମଳା ମାଝୀ ଘରୁ ବାହାରି ଘର ପଛପଟ ବାରଣ୍ଡାରେ ବସି ରହିଥିଲେ। କିଛି ସମୟ ପରେ ଘରଭିରକୁ ଯାଇ ଦେଖିବା ବେଳେକୁ ପୀତବାସ ଏବଂ ତିନି ବର୍ଷ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହା ଦେଖିବା ପରେ ବିମଳା ଗାଁ ଲୋକଙ୍କୁ ଡାକି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲେ। ପରେ ପରିବାର ଲୋକେ ଝରିଗାଁ ପୋଲିସ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତାଲିବାନ କବଳରୁ ରକ୍ଷା ପାଇଲା ଆଫଗାନର ପୂର୍ବତନ ଉପରାଷ୍ଟ୍ରପତିଙ୍କ ଅପହୃତ ପୁଅ

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅବଦୁଲ ରସିଦ ଦୋସ୍ତମଙ୍କ ଅପହୃତ ପୁଅ ୟାର ମହମ୍ମଦ ଦୋସ୍ତମ ତାଲିବାନ କବଳରୁ ରକ୍ଷା ପାଇ ତାଙ୍କ ପିତାଙ୍କ ନିକଟରେ ପହଞ୍ଚିଛନ୍ତି। ବୁଧବାର ରାତିରେ ଜାବଜ୍ଜାନ ବିମାନବନ୍ଦରରେ ତାଲିବାନ ଘେରାବନ୍ଦିରେ ୟାର ମହମ୍ମଦ ଫସିଯାଇଥିଲେ। ଏହାପରେ ଖବର ମିଳିଥିଲା ଯେ ୟାର ମହମ୍ମଦଙ୍କୁ କିଛି ଆଫଗାନି ସୈନିକଙ୍କ ସହ ତାଲିବାନ ବନ୍ଦୀ ବନେଇଛି।

ହେଲେ ପୂର୍ବତନ ଉପରାଷ୍ଟ୍ରପତି ରସିଦ ଦୋସ୍ତମଙ୍କ ତରଫରୁ କୁହାଯାଇଛି ଯେ ‘ୟାର ମହମ୍ମଦ ବିମାନବନ୍ଦରରେ ତାଲିବାନ ଘେରାବନ୍ଦୀରେ ଫସିଥିଲେ ସତ, କିନ୍ତୁ ତାଙ୍କୁ ଅପହରଣ ଖବର ମିଥ୍ୟା ଥିଲା। ସେଠାରେ ତାଲିବାନିଙ୍କ ସହ ପ୍ରବଳ ସଂଘର୍ଷ ପରେ ୟାର ମହମ୍ମଦ ତାଙ୍କ ଅବରୋଧରୁ ବାହାରି ଆସିଛନ୍ତି। ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସେ ବର୍ତ୍ତମାନ ମଜାର-ଇ-ସରିଫରେ ତାଙ୍କ ପିତାଙ୍କ ସହ ଅଛନ୍ତି।

ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନଙ୍କ ବର୍ବରତା ବଢିବାରେ ଲାଗିଛି  । କାନ୍ଦାହାର ଜେଲ ଭାଙ୍ଗିବା ସହ ଗଜନି ସହରକୁ କବଜାକୁ ନେଇଛନ୍ତି ତାଲିବାନ ଆତଙ୍କବାଦୀ । ଜେଲ ଭାଙ୍ଗିବା ସହ ଆତଙ୍କବାଦୀମାନେ ସେଠାରେ ଥିବା ସମସ୍ତ ରାଜନୈତିକ କଏଦୀଙ୍କୁ ନେଇ ପଳାଇଛନ୍ତି । ଗତ କିଛି ଦିନ ପୂର୍ବରୁ କାନ୍ଦାହାର ଜେଲ ଉପରେ ତାଲିବାନ ନଜର ପକାଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲା। ହେଲେ ଏବେ ସେ ତା ମିଶନରେ ସଫଳ ହୋଇଛି। ଯଦି ଏଭଳି ଭାବେ ତାଲିବାନ ଆତଙ୍କବାଦୀଙ୍କ ବର୍ବରତା ଜାରି ରୁହେ ତେବେ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇଯିବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଗୁଇନ୍ଦା ସଂସ୍ଥା।