spot_img
Home Blog Page 535

ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ ଲାଗି ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ ନିବାରଣ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ। ଜମି ହଡ଼ପ, ଚାନ୍ଦା ଆଦାୟ, ଠିକା ହତ୍ୟା, ବେଆଇନ ଖଣି କାରବାର, ନିଶାଦ୍ରବ୍ୟ ଚାଲାଣ ଏବଂ ସମନ୍ୱିତ ଅପରାଧୀ ସିଣ୍ଡିକେଟ୍ ଭଳି ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଇଛି। ପ୍ରକ୍ରିୟାଗତ ବିଳମ୍ବ ଏବଂ ଆଇନର ଗଳାବାଟ ଦେଇ ଖସିଯିବାର ସୁଯୋଗ ନେଇ ଅପରାଧୀ ଏ ସବୁ କାର୍ଯ୍ୟ ଘଠାଇଥାନ୍ତିା । ଏହି ବିପଦର ମୁକାବିଲା କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତର ପ୍ରଦେଶ ଢାଞ୍ଚାରେ ଏକ ସ୍ୱତନ୍ତ୍ର ଆଇନ ପ୍ରତିଷ୍ଠା କରିବା ଆବଶ୍ୟକତା ରହିଛି। ଏହି ଆଇନ ପ୍ରଣୟନ ହେଲେ ସଂଗଠିତ ଅପରାଧୀ ଗୋଷ୍ଠୀ ଗଠନ ଏବଂ କାର୍ଯ୍ୟକୁ ରୋକାଯାଇପାରିବ । ଗ୍ୟାଙ୍ଗ ନେତା ଏବଂ ସଦସ୍ୟଙ୍କ ଉପରେ ପ୍ରଭାବଶାଳୀ ଦଣ୍ଡବିଧାନ ଏବଂ ପ୍ରତିରୋଧ ସୁନିଶ୍ଚିତ କରିହେବ। ଆଇନଗତ ଢାଞ୍ଚା ମାଧ୍ୟମରେ ସାର୍ବଜନୀନ ଶୃଙ୍ଖଳା, ସୁରକ୍ଷା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିପାରିବା।

ଏହି ଆଇନ ପ୍ରଣୟ ହେଲେ ଗ୍ୟାଙ୍ଗ ନେଟୱର୍କଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହା ଉପରେ ରୋକ ଲଗାଇବା ଲାଗି ତଦନ୍ତକାରୀ ସଂସ୍ଥଆକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିବ। ଅପରାଧୀଙ୍କ ସମ୍ପତ୍ତି ଆଚାଟ୍ କରିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ ପ୍ରତିରୋଧ ଲଗାଯାଇପାରିବ। ତ୍ଵରିତ ବିଚାର ଲାଗି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଲେ ବ୍ୟବସ୍ଥା ସୁଗମ ହେବ। ପୋଲିସ, ଗୁଇନ୍ଦା ବିଭାଗ ଏବଂ ରାଜସ୍ୱ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିବ। ଶୀଘ୍ର ବିଚାର କରିବା ସହ ଦୋଷୀ ସାବ୍ୟସ୍ତ କରିବା। ଦୀର୍ଘକାଳୀନ ଅପରାଧିକ ସାମ୍ରାଜ୍ୟ ଉପରେ ରୋକ ଲଗାଯାଇପାରିବ। ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ MCOCA ଏବଂ ତାମିଲନାଡୁ ଗୁଣ୍ଡା ଆଇନ, ଗ୍ୟାଙ୍ଗ ହିଂସା ଅପରାଧୀଙ୍କୁ ରୋକିବାରେ ସକାରାତ୍ମକ ପ୍ରଭାବ ଦେଖାଇଛି। OGASAPA ଭଳି ଏକ ସ୍ୱତନ୍ତ୍ର ଆଇନ ଓଡ଼ିଶାର ସଂଗଠିତ ଅପରାଧ ବିରୋଧରେ ଲଢ଼େଇରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ। ଏହା ଅପରାଧୀ ନେଟୱାର୍କକୁ ପ୍ରଭାବଶାଳୀ ଭାବରେ ଭାଙ୍ଗିବା, ବେଆଇନ ସମ୍ପତ୍ତି ଜବତ କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଆଇନଗତ ସମର୍ଥନ ସହିତ ଆଇନ ପ୍ରବର୍ତ୍ତନକାରୀଙ୍କୁ ସଶକ୍ତ କରିବ।

କାଶ୍ମୀର ସବୁଠୁ ବଡ଼ ଆତଙ୍କବାଦୀ କେମିତି ହେଲା ପାକ୍ ହାସିମ ମୁସା ?

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା । ମହାଦେବ ଉପତ୍ୟକାରେ ଏକ ଏନକାଉଣ୍ଟରରେ, ଭାରତୀୟ ସେନା ପହଲଗାମ ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ସୂତ୍ର ଅନୁଯାୟୀ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଜେନ୍ସି ଦ୍ୱାରା ଚିହ୍ନଟ ହୋଇଥିବା ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ, ହାସିମ ମୁସା, ପାକିସ୍ତାନୀ ସେନାର ସ୍ୱତନ୍ତ୍ର ବାହିନୀର ପୂର୍ବତନ ସେନା।

ରିପୋର୍ଟ ଅନୁସାରେ, ପାକିସ୍ତାନୀ ସେନା ମୁସାକୁ ତାର ପଦରୁ ବହିଷ୍କାର କରିଥିଲା, ଯାହା ପରେ ସେ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ରେ ଯୋଗ ଦେଇଥିଲା। ସେ ସେପ୍ଟେମ୍ବର ୨୦୨୩ରେ ଭାରତରେ ଅନୁପ୍ରବେଶ କରି ଏବଂ ଶ୍ରୀନଗର ନିକଟସ୍ଥ କାଶ୍ମୀରର ବଡଗାମ ଜିଲ୍ଲାକୁ ନିଜର କାର୍ଯ୍ୟ କ୍ଷେତ୍ର ଭାବରେ ବାଛିଥିବା ଜଣାପଡିଥିଲା। ଏହା ପରେ ସେ କାଶ୍ମୀରର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଭାବରେ ବିବେଚିତ ହୋଇଥିଲେ।

ସୁରକ୍ଷା ଏଜେନ୍ସିଗୁଡ଼ିକର ସୂତ୍ର ଅନୁଯାୟୀ, ମୁସାଙ୍କୁ ପାକିସ୍ତାନୀ ସେନାର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ ଦ୍ୱାରା ଲସ୍କରରେ ଯୋଗଦେବା ଏବଂ ଆତଙ୍କବାଦୀ ଗୋଷ୍ଠୀର କାଶ୍ମୀର ଅଭିଯାନକୁ ମଜବୁତ କରିବା ପାଇଁ ନିୟୋଜିତ କରାଯାଇଥିବା ଅନୁମାନ କରାଯାଉଛି।

ଗୁପ୍ତ ଅପରେସନରେ ମାହିର ଥିଲା ମୁସା

ତାଲିମପ୍ରାପ୍ତ ପାରା କମାଣ୍ଡୋ ମୁସା ଅପାରମ୍ପରିକ ଯୁଦ୍ଧ ଏବଂ ଗୁପ୍ତଚର କାର୍ଯ୍ୟରେ ମାହିର ବୋଲି ବିଶ୍ୱାସ କରାଯାଏ। ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଏହିପରି ତାଲିମପ୍ରାପ୍ତ କମାଣ୍ଡୋମାନେ ସାଧାରଣତଃ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପରିଚାଳନା କରିବାରେ ପାରଙ୍ଗମ, ଏବଂ ଉଚ୍ଚ ନୌଚାଳନା ଏବଂ ବଞ୍ଚିବା ଦକ୍ଷତା ସହିତ ମେଲି ଯୁଦ୍ଧ ଏବଂ ନିକଟ ଯୁଦ୍ଧରେ ମଧ୍ୟ ପାରଙ୍ଗମ।

ସୁରକ୍ଷା ସେନା ସୂତ୍ର ଅନୁଯାୟୀ, ପାକିସ୍ତାନ ସେନା ଏବଂ ISI ର ଭୂମିକା ଏବେ ସ୍ପଷ୍ଟ ହୋଇଛି କାରଣ ଅକ୍ଟୋବର ୨୦୨୪ରେ ଉପତ୍ୟକାରେ ହୋଇଥିବା ଆକ୍ରମଣରେ ସମାନ ପ୍ରକାରର ନମୁନା ଦେଖାଯାଇଥିଲା, ଯେଉଁଥିରେ ଛଅ ଜଣ ଅଣ-ସ୍ଥାନୀୟ ଲୋକ, ଜଣେ ଡାକ୍ତର, ଦୁଇ ଜଣ ଭାରତୀୟ ସେନା କର୍ମଚାରୀ ଏବଂ ଦୁଇ ଜଣ ସେନା କୁଲି ପ୍ରାଣ ହରାଇଥିଲେ। ମୁସା ୨୦୨୪ ରେ ତିନୋଟି ଆକ୍ରମଣରେ ମଧ୍ୟ ସାମିଲ ଥିଲା।

 ଯଦିଓ ଏବେ ଏହା ସ୍ପଷ୍ଟ ହୋଇଛି ଯେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ମୁସା ଏବଂ ଅଲି ଭାଇ ଏବଂ ଦୁଇ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଠୋକର ଏବଂ ଆସିଫ ଶେଖ ସିଧାସଳଖ ସମ୍ପୃକ୍ତ ଥିଲେ, କିନ୍ତୁ OGW ମାନଙ୍କର ପଚରାଉଚରାରୁ ଆହୁରି ପାକିସ୍ତାନୀ ଆତଙ୍କବାଦୀଙ୍କ ସମ୍ପୃକ୍ତି ସୂଚିତ ହୋଇଛି, ଯାହା ଅଧିକ ତଦନ୍ତରେ ପ୍ରକାଶ ପାଇପାରେ।

 

ପହଲଗାଓଁକୁ କେମିତି ଆସିଲେ ଆତଙ୍କବାଦୀ ? ଏ ସୂଚନାକୁ କାହିଁକି ଲୁଚାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ? : ଗୌରବ ଗୋଗୋଇ

ନନ୍ଦିଘୋଷ ବ୍ୟୁରୋ :  ସୋମବାର ଲୋକସଭାରେ ’ଅପରେସନ ସିନ୍ଦୂର’କୁ ନେଇ ଆଲୋଚନା ଆରମ୍ଭ ହୋଇଛି। ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନାରେ ଭାଷଣ ଦେଇ କଂଗ୍ରେସ ସାଂସଦ ଗୌରବ ଗୋଗୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ସୂଚନା ଲୁଚାଇବା ନେଇ ଅଭିଯୋଗ କରିଥିଲେ। ସେ କହିଥିଲେ, “ରାଜନାଥ ସିଂହ ବହୁତ ସୂଚନା ଦେଇଥିଲେ, କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ଭାବରେ, ସେ କେବେ କହି ନଥିଲେ ଯେ ପାକିସ୍ତାନରୁ ଆତଙ୍କବାଦୀମାନେ ପହଲଗାଓଁକୁ କିପରି ଆସି ୨୬ ଜଣଙ୍କୁ ହତ୍ୟା କଲେ ? ଜାତୀୟ ସ୍ୱାର୍ଥ ପାଇଁ ଏହି ପ୍ରଶ୍ନ ପଚାରିବା ଆମର କର୍ତ୍ତବ୍ୟ।”

ସରକାର ଦାୟିତ୍ୱ ନେବା ଉଚିତ 

ଲୋକସଭାରେ କଂଗ୍ରେସର ଉପନେତା ଗୋଗୋଇ କହିଛନ୍ତି ଯେ, “ଆମେ ଦେଶରେ ହିନ୍ଦୁ-ମୁସଲିମ ରାଜନୀତି ହେଉ ବୋଲି ଚାହୁଁନାହୁଁ। ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେ ସରକାରଙ୍କ ସହିତ ଅଛୁ ଏବଂ ସରକାରଙ୍କୁ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପଡିବ। ଲୋକମାନେ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ୧୦୦ ଦିନ ବିତିଗଲାଣି ଏବଂ ସରକାର ସେହି ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଧରିପାରିଲେ ନାହିଁ। କିଏ ଏହି ଆତଙ୍କବାଦୀଙ୍କୁ ସୂଚନା ଦେଇଥିଲେ ଏବଂ କେଉଁ ଲୋକମାନେ ସେମାନଙ୍କୁ ସାହାଯ୍ୟ କରିଥିଲେ  ? ଏନେଇ ଆଜି ମଧ୍ୟ ସରକାର ଏହାର କୌଣସି ଜବାବ ଦେଇନାହାଁନ୍ତି।

ବିରୋଧୀ ଦଳ ଏହି ପ୍ରଶ୍ନଗୁଡ଼ିକ ପଚାରିବା ପାଇଁ ଅପରେସନ ସିନ୍ଦୁର ଉପରେ ଏକ ବିଶେଷ ବିତର୍କ ଦାବି ସେ କରିଛନ୍ତି। ଗୋଗୋଇ କହିଛନ୍ତି ଯେ ସରକାର ଦାୟିତ୍ୱ ନେବା ଉଚିତ ଏବଂ ଜମ୍ମୁ ଏବଂ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ପଛରେ ଲୁଚିବା ଉଚିତ ନୁହେଁ, ଯିଏ ସମ୍ପ୍ରତି ସୁରକ୍ଷା ବିଫଳତା ବୋଲି କହିଥିବା ନୈତିକ ଦାୟିତ୍ୱ ନେଇଛନ୍ତି।

ଗୋଗୋଇ ତାଙ୍କ ଭାଷଣରେ କହିଥିଲେ ଯେ ପହଲଗାଓଁ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ, “କିଛି ଲୋକ ଭୁଲ ସୂଚନା ପ୍ରସାର କରିବା ପାଇଁ କାମ କରୁଥିଲେ।” ସେ ଏହା ମଧ୍ୟ କହିଛନ୍ତି ଯେ ପହଲଗାମ ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଗସ୍ତ ସମାପ୍ତ କରିବା ପରେ, ପ୍ରଭାବିତ ଅଞ୍ଚଳକୁ ତୁରନ୍ତ ପରିଦର୍ଶନ କରିବା ପରିବର୍ତ୍ତେ ବିହାରରେ ରାଜନୈତିକ ଭାଷଣ ଦେଇଥିଲେ। ସେ ଆହୁରି କହିଥିଲେ, “କେବଳ ରାହୁଲ ଗାନ୍ଧୀ ପ୍ରଭାବିତ ଲୋକଙ୍କୁ ଭେଟିବା ପାଇଁ ସେଠାକୁ ଯାଇଥିଲେ,” ଯେତେବେଳେ ଶାସକ ମେଣ୍ଟର ସଦସ୍ୟମାନେ ତାଙ୍କୁ ଚୁପ୍ କରିବାକୁ ଚେଷ୍ଟା କରୁଥିଲେ।

 

 

ବଳଙ୍ଗା ଘଟଣା : ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପାଇଁ ଜଗି ରହିଛନ୍ତି ୬ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ବଳଙ୍ଗା ଘଟଣାର ୮ ଦିନ ପରେ ବି ଜଣାପଡ଼ିନି ନାବାଳିକା ଦେହରେ କିଏ ନିଆଁ ଲଗାଇଥିଲା । ଆଜି ପୀଡ଼ିତାଙ୍କ ପରିବାରକୁ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାିଛି। ତାଙ୍କର ଘର ସାମ୍ନାରେ ପୋଲିସ ମୁତୟନ ହୋଇଛନ୍ତି। କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ଦିନ ରାତି ୨୪ ଘଣ୍ଟା ୬ ଜଣ ପୋଲିସ ଜଗି ରହିବେ। ଆଗରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଦୁଃଖୀଶ୍ୟାମଙ୍କ ପରିବାରକୁ ବଳଙ୍ଗା ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆ ଯାଇଥିଲା। ଗତ ଶନିବାର ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁର ଜଣେ ନାବାଳିକାଙ୍କ ଦେହରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ। ଆଜି ଆଉ ଥରେତ ତାଙ୍କର ଅପରେସନ ହେଉଥିବା ଜଣାପଡ଼ିଛି। ଆଗରୁ ଥରେ ତାଙ୍କର ବୟାନ ରେକର୍ଡ ହୋଇଥିଲା। ପୁଣି ଥରେ ବୟାନ ପାଇଁ ଦିଲ୍ଲୀ ଯାଇଛି ପୋଲିସ। ଆଜି ତାଙ୍କ ଆଗରେ ପୋଲିସ ମୁତୟନ ହେବା, ଘଟଣାକୁ ନୂଆ ମୋଡ଼ ଦେଇଛି।

ବଦଳିବ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଆଇଡି ; ଲାଗିବ ଗେରୁଆ ରଙ୍ଗ

ନନ୍ଦିଘୋଷ ବ୍ୟୁରୋ : ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର (ଆଇ-କାର୍ଡ) ରେ ଲାଗିବ ଗେରୁଆ ରଙ୍ଗ। ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ପିଲାଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥିରେ ରହିବ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍ ନମ୍ବର ରହିବ। ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ। ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯିବ ।

ପିଲାମାନେ ବିଦ୍ୟାଳୟକୁ ଆସିବା ସମୟରେ ତାହାକୁ ବେକରେ ପକାଇ ଆସିବେ। କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା। ମାତ୍ର ଏଥର ସ୍ଲୋଗାନ୍ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତ ନେଇଛନ୍ତି । ହାଉସ୍ ୟୁନିଫର୍ମ ରଙ୍ଗରେ କୌଣସି ପରିବର୍ତନ କରାଯାଇ ନାହିଁ। ଛାତ୍ରଛାତ୍ରୀଙ୍କ ଟ୍ରାକ୍ ପ୍ୟାଣ୍ଟ ନୀଳରଙ୍ଗ ରହିଥିବା ବେଳେ ସାର୍ଟର ରଙ୍ଗ ସବୁଜ, ହଳଦୀ, ନାଲି, ନୀଳ ରଙ୍ଗ ରହିଛି। ଟୋପିର ରଙ୍ଗ ଧଳା ରହିବ ଏବଂ ସେଥିରେ ସ୍ଲୋଗାନ ସହ ଲୋଗୋ ଲାଗିବ ।

୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ବିଦ୍ୟାଳୟ ଛାତ୍ରଛାତ୍ରୀ (ପ୍ରଥମରୁ ୮ମ ଶ୍ରେଣୀ)ଙ୍କ ପାଇଁ ଜଣ ପିଛା ୫୦୦ ଟଙ୍କା ଖର୍ଚ୍ଚ କରାଯିବ। ୨୦୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି(ବ୍ରାଣ୍ଡିଂ ସହ) ଓ ୨୦ ଟଙ୍କାରେ ଗୋଟିଏ ପରିଚୟପତ୍ର ଦିଆଯିବ। ସମଗ୍ର ଶିକ୍ଷା/ପିଏମ୍‌ଶ୍ରୀ/ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ଏହି ଅର୍ଥ ଖର୍ଚ୍ଚ ହେବା ପିଲାଙ୍କ ଜୋତାର ରଙ୍ଗ କଳା ଓ ମୋଜା ରଙ୍ଗ ଧଳା ରହିବ। ହାଉସ୍ ସିଷ୍ଟମରେ ୧୦୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ଦୁଇଟି ହାଉସ୍ ସହ ଦୁଇଟି ରଙ୍ଗର ଟି-ସାର୍ଟ ଏବଂ ୧୦୦ରୁ ଅଧିକ ପିଲା ଥିଲେ ୪ଟି ହାଉସ୍ ଓ ୪ଟି ରଙ୍ଗର ଟି-ସାର୍ଟ ଚୟନ କରାଯିବା ଯୁଦ୍ଧକାଳୀନ ଭିତ୍ତରେ ସାମଗ୍ରୀ ପ୍ରଦାନ କରିବାକୁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବାଟରେ ଅଟକିଲା ଆମ୍ବୁଲାନ୍ସ , ହଟହଟା ହେଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ : ଦୁଇ ଘଣ୍ଟା ଧରି ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରୁ ଜଣେ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା ଏକ ୧୦୮ ଆମ୍ବୁଲାନ୍ସ । ୧୬ ନଂ ଜାତୀୟ ରାଜପଥ ବାହାନଗା ନିକଟରେ ଆମ୍ବୁଲାନ୍ସଟି ଖରାପ ହେବା ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟ ହଟହଟା ହୋଇଥିବା ଦେଖିବାକୁ ମିଳିଛି ।  ଗତକାଲି ମୟୁରଭଞ୍ଜ ଅଂଚଳର ଚତୁର୍ଭୁଜ ନାୟକଙ୍କ କିଡିନି ଜନିତ ସମସ୍ୟା ଥିବାରୁ ଡାକ୍ତର ତାଙ୍କୁ ମୟୁରଭଞ୍ଜ ବାରିପଦାରୁ କଟକକୁ ସ୍ଥାନାନ୍ତର କରିଥିଲେ। ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ନିକଟରେ ୧୦୮ ଆମ୍ବୁଲାନ୍ସଟି ଖରାପ ହୋଇଥିଲା । ରୋଗୀ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେବା ସହିତ ସମ୍ପର୍କୀୟମାନେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ ଦୁଇଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଆସିବା ପରେ ରୋଗୀ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ୧୦୮ ଆମ୍ବୁଲାନ୍ସ ସେବାର ଏପରି ଚିତ୍ରକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ୍ ହୋଇଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ୍ ହୋଇଥିବା ଅଭିଯୋଗ। ବିଶ୍ବବିଦ୍ୟାଳୟର ୱେବସାଇଟକୁ କ୍ଲିକ କଲେ ଏକ ବେଟିଂ ସାଇଟ ଖୋଲୁଛି। ଏଥିରେ ଇଣ୍ଡୋନେସିଆର ଭାଷା ପରି ଲାଗୁଥିବା ଭାଷାକୁ ଇଂରାଜୀରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। କମ୍ପ୍ୟୁଟର କିମ୍ବା ମୋବାଇଲରେ ୱେବ ସାଇଟ କ୍ଲିକ କଲେ BENTO4D ପରି ବେଟିଂ ପ୍ଲାଟ ଫର୍ମର ଲିଙ୍କ ଆସୁଛି । ଫଳରେ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ ବର୍ଷ ତଳେ ଏଭଳି ଅଭିଯୋଗ ଆସିଥିଲା। ଏବେ ପୁଣି ରେଭେନ୍ସାର ୱେବସାଇଟ୍ ହ୍ୟାକ ଅଭିଯୋଗ ଆସିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ର ଛାତ୍ରୀଙ୍କ ଚିନ୍ତା ବଢିଛି।

ରେଭେନ୍ସା ୱେବ୍‌ସାଇଟ୍‌ରୁ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍‌ ନେଇ କୌଣସି କାମ କରି ହେଉନଥିବା ଅଭିଯୋଗ ହୋଇଛି । କେମିତି ୱେବସାଇଟ୍ ହ୍ୟାକ୍ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ସେପଟେ ଉଚ୍ଚ ଶିକ୍ଷା ବିଭାଗର ଇନଷ୍ଟା ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଥିଲା ।  ପେଜ୍‌ରେ କେହି ଅଶ୍ଳୀଳ ଭିଡିଓ ଅପଲୋଡ୍ କରି ଦେଇଥିବା ଅଭିଯୋଗ ହୋଇଥିଲା ।  ମାତ୍ର କିଛି ସମୟ ପରେ ଉଚ୍ଚଶିକ୍ଷା ବିଭାଗର

ଶିବ ମନ୍ଦିରରେ ଦଳାଚକଟା ଦୁଇ ଜଣ ମୃତ

ଉତ୍ତର ପ୍ରଦେଶ : ଶ୍ରାବଣ ମାସ ତୃତୀୟ ସୋମବାର ସକାଳୁ ଘଟି ଯାଇଛି ଦୁଃଖଦ ଦୁର୍ଘଟଣା ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଅବସ୍ଥିତ ଆଶ୍ୱନେଶ୍ୱର ମହାଦେବ ମନ୍ଦିର  ଶିବ ମନ୍ଦିରରେ ଭୋର ପ୍ରାୟ ୩ଟା ବେଳେ ଏକ ଟିଣ ଛାତ ଉପରେ ଉଚ୍ଚ ଭୋଲଟେଜ ବିଜୁଳି ତାର ଖସି ପଡ଼ିଥିଲା ସେତେବେଳେ ମନ୍ଦିରରେ ଜଳାଭିଷେକ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମା ହୋଇଥିଲା ଟିଣ ଛାତ ଉପରେ ବିଜୁଳି ତାର ଖସି ପଡ଼ିବାରୁ କରେଣ୍ଟ ଲାଗିଥିଲା ଯାହାଫଳରେ ଗହଳି ପରିସ୍ଥିତି ସୃଷ୍ଟି ହୋଇଥିଲା

ଦର୍ଶନ ପାଇଁ ଜମା ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଗହଳି ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ଲୋନିକାତ୍ରା ଥାନା ଅନ୍ତର୍ଗତ ମୁବାରକପୁର ଗ୍ରାମର ପ୍ରଶାନ୍ତ ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ଜଣଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିନାହିଁ। ତ୍ରିବେଦୀଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସମୟରେ ଉଭୟଙ୍କ ମୃତ୍ୟୁ ହୋଇଛି

ଶ୍ରାବଣ ମାସ ସୋମବାରକୁ ଦୃଷ୍ଟିରେ ରଖି ପୂର୍ବରୁ ହିଁ ମନ୍ଦିର ପରିସରରେ ପୋଲିସ୍ ମୁତୟନ ଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ମାମଲାର ତଦନ୍ତ ଜାରି ରହିଛି ଏବଂ ବିଦ୍ୟୁତ ବିଭାଗର ଦଳକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି। ଅନ୍ୟପକ୍ଷରେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ସହାୟତା ଯୋଗାଇବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଜିଲ୍ଲା ମାଜିଷ୍ଟ୍ରେଟ ଶଶାଙ୍କ ତ୍ରିପାଠୀ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଶ୍ରଦ୍ଧାଳୁମାନେ ଏଠାରେ ଶ୍ରାବଣ ମାସ ତୃତୀୟ ସୋମବାର ଦର୍ଶନ ପାଇଁ ଏକାଠି ହୋଇଥିଲେ। କିଛି ମାଙ୍କଡ଼ ଉପରେ ଲାଗିଥିବା ଓଭରହେଡ଼ ବିଜୁଳି ତାର ଉପରେ ଡେଉଁଥିଲେ, ଯାହାଫଳରେ ତାର ଛିଣ୍ଡି ଟିଣ ଛାତ ଉପରେ ଖସି ପଡ଼ିଥିଲା। ଏହାଦ୍ୱାରା ଟିଣରେ କରେଣ୍ଟ ବ୍ୟାପି ଯାଇଥିଲା ଏବଂ ପ୍ରାୟ ୧୯ ଜଣଙ୍କୁ ବିଜୁଳି ଝଟକା ଲାଗିଥିଲା। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, “ମାଙ୍କଡ଼ ବିଜୁଳି ତାର ଉପରେ ଡେଉଁଥିଲା, ଯାହାଫଳରେ ତାର ଛିଣ୍ଡି ମନ୍ଦିର ପରିସରର ଟିଣ ଛାତ ଉପରେ ଖସି ପଡ଼ିଥିଲା। ସାଙ୍ଗେ ସାଙ୍ଗେ କରେଣ୍ଟ ଚାରିଆଡେ ବ୍ୟାପି ଯାଇଥିଲା ଏବଂ ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ପ୍ରବଳ ଗହଳି ମଧ୍ୟରେ କିଛି ଲୋକ ଅନ୍ୟ ମାନଙ୍କ ଉପରେ ଖସି ପଡ଼ିବାରୁ ଅଘଟଣ ଘଟିଥିଲା।

ମାଞ୍ଚେଷ୍ଟରରେ ଚମତ୍କାର କଲା ଟିମ୍ ଇଣ୍ଡିଆ। ମ୍ୟାଚକୁ ଡ୍ର ରଖିବାରେ ଟିମ୍ ସଫଳ ହୋଇଛି

ନନ୍ଦିଘୋଷ ବ୍ୟୁରୋ : ମାଞ୍ଚେଷ୍ଟରରେ ଚମତ୍କାର କଲା ଟିମ୍ ଇଣ୍ଡିଆ। ମ୍ୟାଚକୁ ଡ୍ର ରଖିବାରେ ଟିମ୍ ସଫଳ ହୋଇଛି। ପ୍ରାୟ  ଦେଢ ଦିନ ଧରି ବ୍ୟାଟିଂ କରି ମ୍ୟାଚକୁ ଡ୍ର ରଖିପାରିଛନ୍ତି ଟିମ୍ ଇଣ୍ଡିଆର ବ୍ୟାଟର୍। ଚତୁର୍ଥ ଇନିଂସରେ ଗିଲ୍‌, ସୁନ୍ଦର ଓ ଜାଡେଜା ସେଞ୍ଚୁରି କରିଥିବା ବେଳେ ରାହୁଲ ମଧ୍ୟ ଶତକ ପାଖାପାଖି ପହଞ୍ଚିଥିଲେ। ତେବେ ପଞ୍ଚମ ଦିନ ସାରା ବ୍ୟାଟିଂ କରି ଦଳକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି ସୁନ୍ଦର ଓ ଜାଡେଜା। ଗିଲ୍ ୨୩୮ ବଲରୁ ୧୦୩ ରନ୍‌, ସୁନ୍ଦର ୨୦୬ ବଲରୁ ନଟଆଉଟ୍ ୧୦୧ ରନ୍‌, ଜାଦେଜା ୧୮୫ ବଲରୁ ୧୦୭ ରନ୍‌, ରାହୁଲ ୨୩୦ ବଲ ରୁ ୯୦ ରନ କରିଛନ୍ତି। ଭାରତ ପ୍ରଥମ ଇନିଂସରେ ୩୫୮ ରନ୍ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ କରିଥିଲା ୬୬୯ ରନ୍। ଭାରତ ଦ୍ଵିତୀୟ ଇନିଂସରେ ୪ ୱିକେଟ ହରାଇ କରିଥିଲା ୪୨୫ ରନ୍।   ୧୪୧ ରନ୍ ଓ ୬ଟି ୱିକେଟ ହାସଲ କରିଥିବା ଇଂଲଣ୍ଡର କ୍ୟାପଟେନ ବେନ୍ ଷ୍ଟୋକ୍ସ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି। ଜୁଲାଇ ୩୧ରୁ ଓଭାଲରେ ଆରମ୍ଭ ହେବ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ। ଏବେ ୨-୧ରେ ସିରିଜ ଲିଡ୍ କରୁଛି ଇଂଲଣ୍ଡ।

ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ସୋମବାର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ

ପୁରୀ : ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ସୋମବାର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ l ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ । ଶ୍ରୀମନ୍ଦିରରେ ମଧ୍ୟାହ୍ଣ ଧୂପ ସମ୍ପନ୍ନ ହୋଇ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ମଇଲମ ନୀତି ଅନୁଷ୍ଠିତ ହେବ । ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଏହାପରେ ଶ୍ରୀଦେବୀ, ଭୂଦେବୀ ଖଟଶେଜ ଘର ବିଜେ କରିବେ । ପରେ ମହାପ୍ରଭୁଙ୍କ ଖସାପଡା ନୀତି ନିମନ୍ତେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ । ମହାପ୍ରଭୁଙ୍କ ଏହା ଗୁପ୍ତନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଖସାପଡ଼ା ନୀତି ସାରି ଦଇତାପତି ଶ୍ରୀମନ୍ଦିରରୁ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯିବ । ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଖସାପଡ଼ା ନୀତି ପାଇଁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜିମା ଦେଇଥାନ୍ତି । ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇ ଥାନ୍ତି । ଦେଉଳ କରଣ ଦେଇଥିବା ଧଳାକନା, ସହ ଖଳି ଓ କଇଁଥ ଅଠାକୁ ବ୍ୟବହାର କରି ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତନୀତି ସମ୍ପନ୍ନ କରିଥାନ୍ତି । ମହାପ୍ରଭୁଙ୍କ ଏହି ଗୁପ୍ତ ନୀତ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅନୁଷ୍ଠିତ ହେବ । ତେଣୁ ସନ୍ଧ୍ୟା ୬ ଟା ଠାରୁ ରାତିି ୧୦ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।