ନନ୍ଦିଘୋଷ ବ୍ୟୁରୋ: ରାସ୍ତା ଉପରେ ଜାଲ ପକାଇଲେ । ମାଛ ଧରିବାକୁ ଜାଲ ପକାଇଲେ। ଏପରି ଅଭିନବ ଢଙ୍ଗରେ ପ୍ରତିବାଦ କରିଛି ବିଜେଡି। ଏହି ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ମୁଖ୍ୟ ରାସ୍ତାର। ରାସ୍ତାରେ ଏତେ ପାଣି ଯେ, ଯିବା ଆସିବା କରି ହେଉ ନାହିଁ। ଅସରାଏ ବର୍ଷାରେ ଏତେ ପାଣି ଜମି ଯାଇଛି। ଯୁବ ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଆଜକୁ ଦୀର୍ଘଦିନ ହେବ ଟିକେ ବର୍ଷା ହେଲେ ପାଣି ଜମୁଛି। ସମାଧାନ ପାଇଁ ଅନେକ ଥର ବିଜେଡି ପକ୍ଷରୁ ପୌର ପରିଷଦର ଦୃଷ୍ଟି ଆକର୍ଷଣ କରାଯିବା ସହିତ ଆନ୍ଦୋଳନ କରାଯାଇଛି। କିଛି ସୁଫଳ ମିଳିନି। ତେଣୁ ରାସ୍ତା ଉପରେ ଜମି ଥିବା ପାଣିରେ ଜାଲ ପକାଇ ଅଭିନବ ପ୍ରତିବାଦ କରିଛି ବିଜେଡି। ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ କରିବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୁକମାରେ ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ
ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ ସୁକମାରେ ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ। ଏସପିଙ୍କ ନିକଟରେ ସରେଣ୍ଡର କଲେ ୨୦ ମାଓବାଦୀ। ସରେଣ୍ଡର କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ହାର୍ଡକୋର ମାଓବାଦୀଙ୍କ ସହ ରହିଛନ୍ତି ୯ ମହିଳା ମାଓବାଦୀ। ସମସ୍ତଙ୍କ ମୁଣ୍ଡ ଉପରେ ୩୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏମାନଙ୍କ ମଧ୍ୟରୁ ଅନେକ ମାଓବାଦୀ ଅନେକ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ। ଦୁଇ ଜଣ ମାଓ ନେତାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୮ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଛତିଶଗଡରେ ଏବେ ଅପରେସନ ମନସୁନ ଜୋରଦାର ଚାଲିଥିବା ବେଳେ ଭୟଭୀତ ମାଓ ସଂଗଠନ। ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଛନ୍ତି ମାଓବାଦୀ। ସୁକୁମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି କହିଛନ୍ତି।
BRSରୁ ସସପେଣ୍ଡ ହେବା ପରେ ଦଳ ଛାଡିଲେ କେ. କବିତା
ନନ୍ଦିଘୋଷ ବ୍ୟୁରୋ : ଦଳରୁ ସସପେଣ୍ଡ ହେବା ପରେ ଏମଏଲସିରୁ ଇସ୍ତଫା ଦେଲେ କେ. କବିତା। ଦଳବିରୋଧୀ କାର୍ଯ୍ୟ ଯୋଗୁ ଗତକାଲି ବାପା ତଥା ଭାରତ ରାଷ୍ଟ୍ର ସମିତି ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ଦଳରୁ ସସପେଣ୍ଡ କରିଥିଲେ। ଆଜି ସେ ନିଜ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ଏହା ସହ ବିଆରଏସ ଛାଡିଛନ୍ତି କବିତା। ଦଳର ବରିଷ୍ଠ ନେତା ତଥା ତାଙ୍କ ସମ୍ପର୍କୀୟ ଟି. ହରୀଶ ରାଓଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ସସପେଣ୍ଡ କରାଯାଇଥିଲା।
ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଦଳର କାର୍ଯ୍ଯକର୍ତ୍ତାଙ୍କ ଯତ୍ନ ନେବାକୁ ସେ ଭାଇ କେ.ଟି. ରାମାରାଓଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦଳିତଙ୍କ ଲାଗି ବାପା କେସିଆରଙ୍କ ତ୍ୟାଗ ନେଇ ଉଲ୍ଲେଖ କରିଥିଲେ। ଗତକାଲି ଝିଅ ତଥା ଏମଏଲସି କେ. କବିତାଙ୍କୁ ବିଆରଏସରୁ ସସପେଣ୍ଡ କରିଥିଲେ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ। କବିତାଙ୍କ ବାପା ତଥା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଏହି ଏହି ନିଷ୍ପତ୍ତି ଚର୍ଚ୍ଚାର ବିଷୟ ହୋଇଥିଲା। ଦଳ ବିରୋଧରେ କହିବୁଲିବା କାରଣରୁ କବିତାଙ୍କୁ ସସପେଣ୍ଡ କରାଯାଇଥିବା କହିଥିଲେ କେସିଆର।
ଦଳର ନୀତି ଓ ଆଦର୍ଶ ଉପରେ ଚାଲେଞ୍ଜ ସୃଷ୍ଟି କରୁଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଥିଲା ଦଳ। କ୍ଷମତାରୁ ବିଦା ହୋଇଥିବା ବିଆରଏସ ନାନା ସଙ୍କଟ ଦେଇ ଗତି କରୁଥିବାବେଳେ କବିତାଙ୍କୁ ସସପେଣ୍ଡ କରିବା ଘଟଣା ଦଳ ଲାଗି ଅଧିକ ଚାଲେଞ୍ଜ ସୃଷ୍ଟି କରିଛି। ବାପା କେସିଆରଙ୍କ ଭାବମୂର୍ତ୍ତିକୁ ମଳିନ କରିବା ଲାଗି କିଛି ସହକର୍ମୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିବାର ଦିନକ ପରେ ବିଆରଏସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବାପାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦଳର ବରିଷ୍ଠ ନେତା ଟି. ହରିଶ ରାଓ ଓ ପୂର୍ବତନ ସାଂସଦ ମେଘା କ୍ରିଷ୍ଣାରେଡ୍ଡୀ ଉଦ୍ୟମ କରୁଛନ୍ତି ବୋଲି କବିତା କହିବା ପରେ ତାଙ୍କୁ ସସପେଣ୍ଡ ହେବାକୁ ପଡିଥିଲା।
ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ; ସମୁଦ୍ରରେ ବୁଡ଼ି ଯାଉଥିବା ବେଲେ ଉଦ୍ଧାର କଲେ ଲାଇଫ ଗାର୍ଡ
ନନ୍ଦିଘୋଷ ବ୍ୟୁରୋ : ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ। ପୁରୀ ସମୁଦ୍ରରେ ବୁଡ଼ି ଯାଉଥିବା ବେଲେ ଉଦ୍ଧାର କଲେ ଲାଇଫ ଗାର୍ଡ। ସମୁଦ୍ରରେ ସ୍ନାନ କରିବା ସମୟରେ ଉଚ୍ଚ ଲହଡି ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ। ସେ ହେଲେ ପ୍ରିୟବ୍ରତ ଦାସ। ପରିବାର ସହ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଯୋଗୁଁ ସେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ତୁରନ୍ତ ଗଭୀର ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଛନ୍ତି। ସମୁଦ୍ର କୂଳ ସେକ୍ଟର ୧୨ ହୋଟେଲ୍ ବଙ୍ଗଲକ୍ଷ୍ମୀ ସମ୍ମୁଖ ବେଳାଭୂମିରେ ଘଟିଛି ଏଭଳି ଘଟଣା। ପ୍ରିୟବ୍ରତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବା ପରେ ସେ ସୁସ୍ଥ ଅଛନ୍ତି। କିଛି ଅମାନିଆ ପର୍ଯ୍ୟଟକ ଲାଇଫଗାର୍ଡଙ୍କ କଥା ନଶୁଣି ଗଭୀର ସମୁଦ୍ରକୁ ସ୍ନାନ କରିବାକୁ ଯାଉଥିବାରୁ ଅନେକ ସମୟରେ ଏଭଳି ଘଟଣା ଘଟୁଥିବା କୁହାଯାଉଛି।

