spot_img
Home Blog Page 535

ପାର୍ବଣ ଆସିଲା ଲୁଟେରା ମାତିଲେ ; ହାତରେ ଖଣ୍ଡା ଧରି ବୁଲୁଛନ୍ତି ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ : ପାର୍ବଣ ଆସିଲା ଲୁଟେରା ମାତିଲେ । ହାତରେ ଖଣ୍ଡା ଧରି ରାତିରେ ବୁଲୁଛନ୍ତି ଦୁର୍ବୃତ୍ତ। ଘରେ ପଶି ଲୁଟୁଛନ୍ତି । କୌଣସି ପ୍ରତିବନ୍ଧକ ହେଲେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ସେମାନେ। ଭୁବନେଶ୍ଵର ଖଣ୍ଡଗିରି ଭରତପୁର ଥାନା ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିବା ସହ ଭୟଭୀତ କରିଛି । CCTV ରେ କଏଦ ହୋଇଛି ଲୁଟେରାଙ୍କ କାରନାମା । ଗତକାଲି ରାତିରେ ଭରତପୁର ଥାନା ପଛରେ ଥିବା ଏକ ଟେଣ୍ଟହାଉସ୍ ଗୋଦାମ ଭିତରେ ଲୁଟେରା ମାନେ ମାରଣାସ୍ତ୍ର ଧରି ପଶିଥିବା ବେଳେ କିଛି ଲୋକ ଦେଖିଥିଲେ । ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଲୁଟେରା ମାନେ ସେମାନଙ୍କୁ ଭୟଭୀତ କରିବା ସହ PCR ଭ୍ୟାନ୍ ଆସିବା ପୂର୍ବରୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏ ନେଇ ଭରତପୁର ଥାନାରେ ଏକ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ।

ବଙ୍ଗୋପସାଗରରେ ନୌସେନାର ମିଳିତ ସମରାଭ୍ୟାସ ସାଗର କବଚ

ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପସାଗରରେ ନୌସେନାର ମିଳିତ ସମରାଭ୍ୟାସ ସାଗର କବଚ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ଏହି ଦୁଇ ଦିନିଆ ସମରାଭ୍ୟାସ ହେଉଛି। ସମୁଦ୍ରର ସୁରକ୍ଷା ପାଇଁ, ଆତଙ୍କବାଦୀ ଯେମିତି ପଶି ନ ପାରିବ, ବାହ୍ୟ ଶତ୍ରୁ ଯେମିତି ପଶି ନ ପାରିବେ, ସେଥିପାଇଁ ଏହି ଦୁଇ ଦିନିଆ ସମରାଭ୍ୟାସ କରାଯାଉଛି। ଉପକୂଳ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ପ୍ରତି ବର୍ଷ ଦୁଇ ଥର ହୋଇଥାଏ ସାଗର କବଚ।

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଏହି ୱାର୍ ଗେମ୍ ହୋଇଥାଏ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ନୂଆଗଡ଼, କାଳିଆକଣ, ସହନ ସୁଦିକେଶର, ଗୁଣ୍ଡଳବାରେ ନୌସେନା ଓ ପୋଲିସ ରଣକୌଶଳ ପ୍ରଦର୍ଶନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ନୌସେନା ସହିତ କୋଷ୍ଟଗାର୍ଡ, ମେରାଇନ ପୋଲିସ, ଅସ୍ତରଙ୍ଗ ପୋଲିସ ଓ ବିଭିନ୍ନ ଥାନାର କର୍ମଚାରୀ। ବ୍ଲୁ ଓ ରେଡ ୨ ଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି ।

ଆଣ୍ଟି ନକ୍ସଲ ଅପରେସନରେ ୧୬ ନକ୍ସଲ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଆଣ୍ଟି ନକ୍ସଲ ଅପରେସନରେ ୧୬ ନକ୍ସଲ ଗିରଫ। ମାଲକାନଗିରି ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ସେମାନଙ୍କୁ ଗିରଫ କରାଯାଇଛି। ଅପରେସନ ବେଳେ ୩ଟି ଅଲଗା ଅଲଗା ଜାଗାରୁ ସେମାନଙ୍କୁ ଧରା ଯାଇଛି। ଗାଙ୍ଗାଲୁର, ବାସାଗୁଡା ଏବଂ ଜାଙ୍ଗଲା ଜଙ୍ଗଲରେ STF, DRG ଏବଂ CRPF ଜବାନ କୁମ୍ବିଂ ଅପରେସନ କରୁଥିବା ବେଳେ ୧୬ ନକ୍ସଲଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛ୍ତି ବିଜାପୁର ଏସପି । ଏହି ନକ୍ସଲମାନେ ମାଓ ସଙ୍ଗଠନରେ ଦୀର୍ଘ ବର୍ଷ ଧରି ରହିବା ସହ ଅନେକ ହିଂସା କାଣ୍ଡରେ ସାମିଲ ଥିଲେ। ଏମାନଙ୍କ ନିକଟରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ସେଥିରେ ରହିଛି ଆଇ.ଇ.ଡି, ପ୍ରେସର କୁକର ବୋମା, ଟିଫିନ ବୋମା, କୋଡେକ୍ସ ତାର ଓ ଜିଲୋଟିନ ଷ୍ଟିକ୍ । ଅଧିକ ପଚରା ଉଚୁରା କରିବା ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି।

ଟିଭି, ଏସି, କାର, ବାଇକ ହେବ ଶସ୍ତା ! ଆଜିଠୁ ଆରମ୍ଭ GST ବୈଠକ; କାଲି ବଡ଼ ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ GST ବୈଠକ ।  ଜିଏସଟି ପରିଷଦର ୫୬ତମ ବୈଠକ ଆଜିଠ ଦିଲ୍ଲୀରେ ଆରମ୍ଭ ହେଉଛି । ଏଥିରେ ଜିଏସଟି ହାରକୁ ଯୁକ୍ତିଯୁକ୍ତ କରିବା ଏବଂ ଟିକସ ସ୍ଲାବକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇପାରେ । ତେବେ ଦେଶରେ ଜିଏସଟି ଟିକସରେ ସଂସ୍କାର ଆଣିବା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି । ଆଜି ଜିଏସଟି ପରିଷଦର ଦୁଇ ଦିନିଆ ବୈଠକରେ ଜିଏସଟି ହାରରେ ପରିବର୍ତ୍ତନ ଏବଂ ୪ ବଦଳରେ ୨ଟି ଟିକସ ସ୍ଲାବ ଉପରେ ଚୂଡାନ୍ତ ଅନୁମୋଦନ ଦିଆଯିବ ବୋଲି କୁହାଯାଉଛି । ଜିଏସଟି ସଂସ୍କାର ମାଧ୍ୟମରେ ଟିକସ ଢାଞ୍ଚାକୁ ସରଳ କରିବା ଏବଂ ଗ୍ରାହକ ମାନଙ୍କୁ ସିଧାସଳଖ ଲାଭ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ନୂତନ ପରିବର୍ତ୍ତନରେ କ୍ଷୀର-ପନିର ଠାରୁ ଆରମ୍ଭ କରି ଏସି, ଟିଭି, କାର୍, ବାଇକ ଆଦି ନିତ୍ୟ ବ୍ୟବହାର ଜିନିଷର ମୂଲ୍ୟ ହ୍ରାସ ପାଇପାରେ ବୋଲି କୁହାଯାଉଛି ।

GST ପରିଷଦ GST ସ୍ଲାବକୁ ଚାରିରୁ ଦୁଇକୁ ହ୍ରାସ କରିପାରେ। ୨୮ ଏବଂ ୧୨ ପ୍ରତିଶତ ଟିକସ ସ୍ଲାବକୁ ଉଚ୍ଛେଦ କରାଯାଇପାରେ ଏବଂ କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ସ୍ଲାବ ରଖାଯାଇପାରେ। ୨୫୦ରୁ ଅଧିକ ସାମଗ୍ରୀ ଉପରେ ବର୍ତ୍ତମାନର ୧୨ ପ୍ରତିଶତ ଟିକସରେ ପରିବର୍ତ୍ତନ କରାଯାଇପାରେ। ଏଥିମଧ୍ୟରୁ ପ୍ରାୟ ୨୨୩ଟି ଜିନିଷକୁ ୫ ପ୍ରତିଶତ ସ୍ଲାବରେ ଏବଂ ବାକି ୧୮ ପ୍ରତିଶତ ସ୍ଲାବରେ ରଖାଯାଇପାରେ। ସେହିପରି, ପ୍ରାୟ ୩୦ ଟି ଜିନିଷକୁ ୨୮% ସ୍ଲାବରୁ ୧୮% ସ୍ଲାବରେ ଅଣାଯାଇପାରେ। ଯେଉଁ ଉତ୍ପାଦଗୁଡ଼ିକ ଉପରେ ବର୍ତ୍ତମାନର ୨୮% ରୁ କମ ଟିକସ ଲାଗୁ ହୋଇପାରେ, ସେଗୁଡ଼ିକ ମଧ୍ୟରେ ଯାନବାହାନର ପାର୍ଟସ, ଏୟାର କଣ୍ଡିସନର, ଟେଲିଭିଜନ, ମୋଟରସାଇକେଲ, ଲିଡ-ଏସିଡ ବ୍ୟାଟେରୀ ଇତ୍ୟାଦି ଅନ୍ତର୍ଭୁକ୍ତ।

ଛାତ୍ରୀଙ୍କୁ ଅସଦାଚରଣ କରି ଅଡ଼ୁଆରେ ଶିକ୍ଷକ

ନନ୍ଦିଘୋଷ ବ୍ୟୁରୋ :  ଗୁରୁ ନାଁରେ କଳଙ୍କ । ଛାତ୍ରୀଙ୍କୁ ଅସଦାଚରଣ କରି ଅଡ଼ୁଆରେ ଶିକ୍ଷକ । ଲୋକଙ୍କ ଆକ୍ରୋଶର ଶିକାର ହେଲେ ଶିକ୍ଷକ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଘଟଣା  । ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲରେ ତାଲା ପକାଇଲେ ଲୋକେ । ଉଦ୍ଧାର କରି ପୋଲିସ ନେଉଥିବାବେଳେ ପୋଲିସ ଗାଡିକୁ ବି ଛାଡି ନାହାନ୍ତି ଲୋକେ । ପ୍ରତିବାଦରେ ୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ । ପ୍ରଧାନ ଶିକ୍ଷକ ଚୁଲେନ୍ଦ୍ର ମେହେରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଆହୁରି ୪ ଦିନ ବର୍ଷା ସମ୍ଭାବନା; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ନନ୍ଦିଘୋଷ ବ୍ୟୁରୋ : ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ହେବ ଘନୀଭୂତ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l ଯାହା ୨୪ ଘଣ୍ଟା ମଧ୍ଯରେ ଆହୁରି ଘନୀଭୂତ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ଯରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଓଡିଶା ମଧ୍ଯ ଦେଇ ଗତି କରିବା ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ଯନ୍ତ ବର୍ଷା ଲାଗି ରହିବ । ଭୀଷଣ ବର୍ଷା ନେଇ ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ାକୁ ରେଡ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ ସହିତ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସମୁଦ୍ର ଅଶାନ୍ତ ଥିବାରୁ ଆଜି ପର୍ଯ୍ୟନ୍ତ ମତ୍ସ୍ୟଜିବୀ ମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଭୂକମ୍ପ ପ୍ରଭାବିତ ଆଫଗାନିସ୍ଥାନକୁ ଭାରତର ସହାୟତା ପ୍ରଦାନ

ନନ୍ଦିଘୋଷ ବ୍ୟୁରୋ : ଭୂକମ୍ପ ପ୍ରଭାବିତ ଆଫଗାନିସ୍ଥାନକୁ ଭାରତର ସହାୟତା ପ୍ରଦାନ। ଆଫଗାନିସ୍ଥାନକୁ ୨୧ ଟନ ରିଲିଫ ସାମଗ୍ରୀ ପଠାଇଛି ଭାରତ। ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଭାରତ ଦୀର୍ଘ ଦିନ ଧରି ଅଫଗାନିସ୍ତାନକୁ ମାନବୀୟ ଓ ବିକାଶମୂଳକ ସାହାଯ୍ୟ ଯୋଗାଇ ଆସୁଛି। ଅଫଗାନିସ୍ତାନରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ସଙ୍କଟ ସମୟରେ ଭାରତ ସାହାଯ୍ୟର ହାତ ବଢାଇଛି।

ଭୂମିକମ୍ପ ପରେ ଭାରତ ତୁରନ୍ତ ହଜାରେ ପରିବାରକୁ ତମ୍ବୁ ପଠାଇଥିଲା। ଏବେ ୨୧ ଟନ୍ ଖାଦ୍ୟ ସାମଗ୍ରୀ କୁନାର ଅଂଚଳକୁ ପଠାଯାଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଅଫଗାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଏହି ସାହାଯ୍ୟ ଘୋଷଣା କରିଥିଲେ। ଆଫଗାନିସ୍ଥାନର ବିପଦ ସମୟରେ ଭାରତ ସର୍ବଦା ସହାୟତା କରି ଆସୁଛି। ୨୦୨୨ କୋଭିଡ ସମୟରେ ଅଫଗାନିସ୍ତାନକୁ ୫ ଲକ୍ଷ ଡୋଜ୍ କୋଭିଡ୍ ଟିକା ପଠାଇଥିଲା।୨୦୨୨ରେ ୫୦ ଟ୍ରକ୍‌ରେ ୨୫୦୦ ମେଟ୍ରିକ ଟନ୍ ଗହମ ମାନବୀୟ ସାହାଯ୍ୟ ଭାବେ ପଠାଯାଇଥିଲା। ସେହି ବର୍ଷ ଭୂମିକମ୍ପ ପରେ ୨୭ ଟନ୍ ଜରୁରୀ ରିଲିଫ୍ ସାମଗ୍ରୀ ପଠାଯାଇଥିଲା। ୨୦୨୩ରେ ଅଫଗାନିସ୍ତାନକୁ ୨୦୦ କୋଟି ଟଙ୍କାର ବିକାଶ ସାହାଯ୍ୟ ଘୋଷଣା କରାଯାଇଥିଲା। ଗତ ୧ ତାରିଖରେ ଘଟିଥିବା ଭୂକମ୍ପରେ ଆଫଗାନିସ୍ଥାନର ହଜାରରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ପ୍ରବଳ ବର୍ଷା : ଦିଲ୍ଲୀ,ଏନସିଆରରେ ଆଜି ସ୍କୁଲ ଛୁଟି ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ଆଜି ପ୍ରବଳ ବର୍ଷା ପାଇଁ ଦିଲ୍ଲୀ ଏବଂ ଏନସିଆରରେ ସ୍କୁଲ ବନ୍ଦ। ନୈନୀତାଲ, ଶିମଲା, ଚଣ୍ଡୀଗଡ଼, ଗାଜିଆବାଦ ଏବଂ ଗୌତମବୁଦ୍ଧ ନଗରରେ ଆଜି ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ଏହି ସବୁ ଅଂଚଳରେ ଲୋକଙ୍କୁ ସତର୍କ ରହିବାକୁ କହିଛି ପ୍ରଶାସନ। ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛି ପ୍ରଶାସନ। ଗୁରୁଗ୍ରାମରେ ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତେବେ ସ୍କୁଲ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ନୈନିତାଲରେ ଭୂସ୍ଖଳର ଭୟ ରହିଛି। ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି ବର୍ଷା।

କ୍ରମାଗତ ବର୍ଷା ଯୋଗୁ ଦିଲ୍ଲୀ ଏନସିଆରରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବିଶେଷ କରି ତଳିଆ ଅଞ୍ଚଳରେ ଅତି ଗୁରୁତର ସମସ୍ୟା ଉପୁଜିଛି। ଯମୁନା ତଟବର୍ତ୍ତୀ ଅଞ୍ଚଳରେ ସ୍ଥିତି ସଂଗୀନ ହୋଇଛି। ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ବ୍ୟାରେଜରୁ ଜଳ ନିଷ୍କାସନ ଜାରି ରହିଥିବା ଯୋଗୁ ଜଳପତ୍ତନ ବୃଦ୍ଧି ହେବାରେ ଲାଗିଛି ।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଜୟନାରାୟଣଙ୍କ ତେରଛା ବାଣ, କହିଲେ…

ନନ୍ଦିଘୋଷ ବ୍ୟୁରୋ: ଦେଢ଼ ବର୍ଷ ହେବ ଅଧାଗଢ଼ା ମନ୍ତ୍ରିମଣ୍ଡଳରେ ଚାଲିଛି ସରକାର । ବେଶ କିଛି ଦିନ ପରେ ପୁଣି ତାଜା ହୋଇଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଭିତରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ତେରଛା ବାଣ ମାରିଛନ୍ତି । ମୁଖ୍ୟମନ୍ତ୍ରୀ ଚାହିଁଲେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ବିଧାୟକ ପ୍ରକାଶ ସୋରେନ ଦାବି କରିଛନ୍ତି । ଯାହାକୁ ନେଇ ଶାସକ ଦଳରେ ଆରମ୍ଭ ହୋଇଛି ହଲଚଲ ।

କିଛି ଦିନର ନିରବତା ପରେ ଶାସକ କ୍ୟାମ୍ପକୁ ଘାରିଛି ମନ୍ତ୍ରିମଣ୍ଡଳ ଚିନ୍ତା । ଦେଢ ବର୍ଷ ହେବ ଖାଲି ପଡ଼ିଛି ୬ଟି ମନ୍ତ୍ରୀ ପଦ । ଯଦି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରନ୍ତି, ତେବେ କିଏ ପାଇବେ ସ୍ଥାନ ।  ବରିଷ୍ଠ ନା କନିଷ୍ଠ । ଏହାକୁ ନେଇ ପାଓ୍ବାର କରିଡରରୁ ପଦ୍ମ କ୍ୟାମ୍ପର ଅନ୍ଦର ମହଲ ଯାଏଁ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ଓ ଦାବି । ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ମନ୍ତ୍ରୀ ପଦ ଖାଲି ଅଛି । ତେଣୁ ଚର୍ଚ୍ଚା ହେବା ସ୍ବାଭାବିକ । ଖାଲି ପଡିଥିବା ମନ୍ତ୍ରୀ ପଦ ପୂରଣ ହେବ କି ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର ।  ମୁଖ୍ୟମନ୍ତ୍ରୀ ଚାହିଁଲେ ଏକାକୀ ମନ୍ତ୍ରିମଣ୍ଡଳ ଚଳାଇବେ । ଦଳରେ ବରିଷ୍ଠ ଓ ଅଭିଜ୍ଞର କୌଣସି ମୂଲ୍ୟ ନାହିଁ । ସେହିପରି ଦଳ ପାଇଁ କାମ କରି କେସ ଖାଇବା ମୂଲ୍ୟହୀନ ବୋଲି କହି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଜୟ ନାରାୟଣ ।

କେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ, ତାକୁ ନେଇ ଜାରି ରହିଛି ସସପେନ୍ସ । ୧୫ ମାସ ହେବ ୬ଟି ମନ୍ତ୍ରୀ ପଦ ଖାଲି ପଡିବା ଓ ଅନେକ ମନ୍ତ୍ରୀଙ୍କ ଯୋଗୁଁ ସରକାର ବଦନାମ ହୋଇଥିବା ଅଭିଯୋଗ ହେଉଛି । ତେଣୁ ସବୁକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳରେ କିଏ ସାମିଲ ହେବେ ଓ କିଏ ବାଦ ପଡିବେ ସେନେଇ କସରତ ଚାଲିଛି । ବରିଷ୍ଠ ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ କହିବା କଥା, ମନ୍ତ୍ରିମଣ୍ଡଳରେ ବରିଷ୍ଠ ବିଧାୟକଙ୍କୁ ସ୍ଥାନ ମିଳିବା ଦରକାର । ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ ସେ ତୁଲାଇବେ । ସେହିପରି ଜୟ ନାରାୟଣ ଜଣେ ବରିଷ୍ଠ ଓ ଅଭିଜ୍ଞ ବିଧାୟକ । ତେଣୁ ତାଙ୍କୁ ଦାୟିତ୍ବ ମିଳିବା ଦରକାର ବୋଲି କହିଛନ୍ତି ପ୍ରକାଶ ।

ଆସନ୍ତା ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ । ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ, କେନ୍ଦ୍ରୀୟ ନେତାଙ୍କ ଗ୍ରୀନ ସିଗନାଲ ମିଳିବା ପରେ ଖୁବଶୀଘ୍ର ପ୍ରଥମେ ନିଗମ ଓ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରେ କିଏ ଇନ୍ ଓ କିଏ ହେବେ ଆଉଟ୍, ତାକୁ ନେଇ ଚାଲିଛି ମାନସ ମନ୍ଥନ ।

ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ନବୀନଙ୍କୁ ଭେଟି ଆଲୋଚନା କଲେ ଦଳୀୟ ନେତା ଓ କର୍ମୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା । ଏହା ପୂର୍ବରୁ ଦଳୀୟ ନେତା ଓ କର୍ମୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସାଂଗଠନିକ ରୋଡମ୍ୟାପ ନେଇ ଆଲୋଚନା କରିଛନ୍ତି । ବିରୋଧୀ ଭୂମିକାରେ ଥାଇ ବି ରାଜ୍ୟବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇ ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ବର ହେବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଖାସ୍ କରି ବିଜେପି ସରକାର ଅମଳରେ ବି କେନ୍ଦ୍ରୀୟ ଅବେହଳା ହେଉଥିବାରୁ ତାହାର ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚାଇବାକୁ ନବୀନ ନିର୍ଦ୍ଦେଶ ଦେବା ପରେ ସକ୍ରିୟ ହୋଇ ପଡ଼ିଛି ବିଜେଡି ।

ବିଜେପି ସରକାର ବିରୋଧରେ ମାଳମାଳ ଅଭିଯୋଗ । ୧୪ ମାସରେ ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ସରକାରଙ୍କ ଅସଲ ଚିତ୍ର ପଦାରେ ପକାଇଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାରମ୍ବାର କେନ୍ଦ୍ରକୁ ଓଡ଼ିଶାର ଅଧିକାର ପାଇଁ ଦାବି କରି ଆସୁଥିଲେ । ହେଲେ କେନ୍ଦ୍ରରେ ବିଜେପି ନେତୃତ୍ଵାଧିନ ଏନଡିଏ ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଓଡ଼ିଶା ହେଉଥିଲା ଅଣଦେଖା । ହେଲେ ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ବେ, ଓଡ଼ିଶାକୁ କେନ୍ଦ୍ର ଅବହେଳା କରୁଥିବାରୁ ପ୍ରଶ୍ନ କରିଛି ବିଜେଡି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ଦାଦନ ବୃଦ୍ଧି, ସାର କଳାବଜାରୀ ରାଜ୍ୟର ଅସ୍ତିତ୍ବ ଦୋହଲାଇ ଦେଇଛି । ରାସ୍ତା ଏବେ ମରଣଯନ୍ତା ପାଲଟିଛି । କଲେଜରେ ସିଟ ଖାଲି ପଡିଛି । ଏସସି/ଏସଟି ଓ ଓବିସିଙ୍କୁ ବୈଷୟିକ ଶିକ୍ଷାରେ ସଂଖ୍ୟା ଆନୁପାତିକ ସଂରକ୍ଷଣ ମିଳୁନି । ପୂର୍ବ ସରକାରଙ୍କ ସବୁ ଯୋଜନା ବନ୍ଦ କରି ଦେଇଛନ୍ତି ବର୍ତ୍ତମାନର ସରକାର । ଏହା ବିରୋଧରେ ବିଜେଡି ଲଢେଇ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଲୋକଙ୍କ ପାଖକୁ ଯାଇ ରାଜ୍ୟବାସୀଙ୍କ ସ୍ବର ସାଜି ସମସ୍ତ ସମସ୍ୟାକୁ ନେଇ ବିଜେଡି ତୀବ୍ର ଲଢ଼େଇ କରିବାକୁ ସଜବାଜ ହେଉଛି ।

ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକୁ ନେଇ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟବାସୀଙ୍କ ସ୍ବରର ହିସାବରେ ତୀବ୍ର ଲଢ଼େଇ କରିବ । ପଦଯାତ୍ରା ବି ଏକ ବଡ଼ ମାଧ୍ୟମ ହେବ । ଗତବର୍ଷ ବିରୋଧୀ ଆସନକୁ ଆସିବା ସତ୍ତ୍ବେ ଜନସମ୍ପର୍କ ପଦଯାତ୍ରାକୁ ସଫଳତା ସହ ସମ୍ପାଦନ କରିଥିଲା ବିଜୁ ଜନତା ଦଳ । ଚଳିତବର୍ଷ ବି ଜନସମ୍ପର୍କ ପଦଯତ୍ରା ନେତାଙ୍କ ଲୋକପ୍ରିୟତାକୁ ପ୍ରତିପାଦନ କରିବ ।

ରାଜ୍ୟର ବିପର୍ଯ୍ୟସ୍ତ ସ୍ଥିତିକୁ ଦେଖି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ କରିଛି ବିଜେଡି । ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ଓଡ଼ିଆ ଅସ୍ମିତାକୁ କୁଠାରଘାତ କରୁଛି । ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ବର ହୋଇ ବିଜୁ ଜନତା ଦଳ ବିଜେପି ସରକାରଙ୍କ ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବାକୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର ।