spot_img
Home Blog Page 539

ରୁଷର ପାୱାର ଓ ଏନର୍ଜି ପ୍ଲାଣ୍ଟ ଉପରେ ୟୁକ୍ରେନର ଡ୍ରୋନ ଆଟାକ

ନନ୍ଦିଘୋଷ ବ୍ୟୁରୋ : ରୁଷର କେତେକ ପାୱାର ଓ ଏନର୍ଜି ପ୍ଲାଣ୍ଟ ଉପରେ ୟୁକ୍ରେନର ଡ୍ରୋନ ଆଟାକ। ଡ୍ରୋନ ହମଲା ପରେ କୁର୍ସ୍କ ଆଣବିକ ଶକ୍ତି କେନ୍ଦ୍ରର ଉତ୍ପାଦନ ହ୍ରାସ ପାଇଛି। ଏହା ସହ ଉସ୍ତଲୁଗା ଫୁଏଲ ଏକ୍ସପୋର୍ଟ ଟର୍ମିନାଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ୟୁକ୍ରେନ ସୀମା ନିକଟରେ କୁର୍ସ୍କ ଆଣବିକ ପ୍ଲାଣ୍ଟ ରହିଛି। ଫଳରେ ଏହି ୟୁକ୍ରେନ ଏହି ଆକ୍ରମଣ କରିଥିବା କୁହାଯାଇଛି। ଡ୍ରୋନ ହମଲା ପରେ ପ୍ଲାଣ୍ଟ ଟ୍ରାନ୍ସଫର୍ମର ଉତ୍ପାଦନ ୫୦ ପ୍ରତିଶତ ହ୍ରାସ ପାଇଛି। ଡ୍ରୋନ ହମଲାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ତେବେ ହମଲା ପରେ ତେଜଷ୍କ୍ରିୟ ସ୍ତର ବିଶେଷ ବଢ଼ି ନଥିବା ସୂଚନା ମିଳିଛି। ଗତକାଲି ରାତିରେ କୁର୍ସ୍କ ପ୍ଲାଣ୍ଟ ଉପରେ ୟୁକ୍ରେନର ୧୦ରୁ ଅଧିକ ଡ୍ରୋନ ହମଲା ହୋଇଥିଲା।

ବିହାର ପୂର୍ଣ୍ଣିଆରେ ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରା

ନନ୍ଦିଘୋଷ ବ୍ୟୁରୋ : ବିହାର ପୂର୍ଣ୍ଣିଆରେ ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରା। ଭୋଟ ଅଧିକାର ଯାତ୍ରାକୁ ବିପୁଳ ଜନସମର୍ଥନ । ରାଲିରେ ସାମିଲ ହୋଇଛନ୍ତି ହଜାର ହଜାର କର୍ମୀ। ଏହି ଅବସରରେ ସେଠାରେ ଆୟୋଜିତ ହୋଇଥିଲା ଏକ ବାଇକ ରାଲି। ସେଥିରେ ରାହୁଲ ବୁଲେଟ ଚଲାଇଥିବା ଦେଖିବାକୁ ମିଳିଛି। କେବଳ ରାହୁଲ ନୁହନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ ବି ବୁଲେଟ ଚଳାଇଥିବା ଚର୍ଚ୍ଚାର କାରଣ ହୋଇଛି। ୧୬ ଦିନର ଏହି ଯାତ୍ରା ଅତିକ୍ରମ କରିବ ୨୦ ଜିଲ୍ଲାର ୧୩୦୦ କିଲୋମିଟର ରାସ୍ତା ।  ବିହାର ଭୋଟ ଚୋରି ବିରୋଧରେ ଚାଲିଥିବା ଏହି ଅଭିଯାନକୁ ସହଯୋଗୀ ଦଳ ପକ୍ଷରୁ ବି ସମର୍ଥନ କରାଯାଉଛି । ଆସନ୍ତା ୧ରେ ପାଟନାରେ ଏହି ରାଲି ଶେଷ ହେବ ଏବଂ ସେଠାରେ ବିଶାଳ ସମାବେଶର ଆୟୋଜନ କରାଯାଇଛି ।  ଏହି ଯାତ୍ରାକୁ ଏକ ରାଜନୈତିକ ଅଭିଯାନ ନୁହେଁ ବରଂ ଏକ ସାମ୍ବିଧାନିକ ଯୁଦ୍ଧ ବୋଲି କଂଗ୍ରେସ କହିଛି । ଔରାଙ୍ଗାବାଦ, ଗୟା, ନାଳନ୍ଦା, ଶେଖପୁରା, ମୁଙ୍ଗେର, ଭାଗଲପୁର, ପୂର୍ଣ୍ଣିଆ, ଦରଭଙ୍ଗା, ସୀତାମଢି, ଚମ୍ପାରନ, ସିବନ, ଛାପ୍ରା ଓ ଆରା ରୁଟରେ ଯାଉଥିବା ଏହି ରାଲି ଆସନ୍ତା ସେପ୍ଟେମ୍ବର ୧ରେ ପାଟନାରେ ପହଞ୍ଚିବ । ଗତ ୧୭ରେ ସାସାରାମରୁ ଆରମ୍ଭ ହୋଇଥିଲା ଅଭିଯାନ ।

ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ସ୍ଥିତି

ନନ୍ଦିଘୋଷ ବ୍ୟୁରୋ : ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା। ଲଗାଣ ବର୍ଷା ଯୋଗୁ ଏହି ଦୁଇ ନଦୀରେ ବନ୍ୟା ସ୍ଥିତି ଉପୁଜିଛି। ରାଜଘାଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବର୍ଷା ଲାଗି ରହିଲେ ସ୍ଥିତି ଅଧିକ ଜଟିଳ ହେବ। ସେହିପରି ବଂଶଧରା ଓ ବୁଢାବଳଙ୍ଗରେ ପାଣି ଅଧିକ ଥିଲେ ବି କମିଯିବ। ଏପଟେ ହୀରାକୁଦ ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଳସ୍ତର ବଢ଼ଇବାରେ ଲାଗିଛି। ଜଳସ୍ତର ବଢୁଥିବାରୁ ହୀରାକୁଦର ଆଉ ୪ଟି ଗେଟ୍ ଖୋଲା ଯାଇଛି। ଏବେ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସେହିପରି ରେଙ୍ଗାଲି ଡ୍ୟାମରେ ଦୁଇଟି ଗେଟ ଦେଇ ୩ ହଜାର ୪୦୦ କ୍ୟୁମେକ ବନ୍ୟାଜଳ ନିଷ୍କାସିତ ହେଉଛି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

ଟିମ୍‌ରେ ମିଳିଲାନି ଜାଗା , ନେଇଗଲେ ସନ୍ୟାସ

ନନ୍ଦିଘୋଷ ବ୍ୟୁରୋ : ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପରେ, ଭାରତର ଆଉ ଜଣେ ପ୍ରମୁଖ ଖେଳାଳି କୁହାଯାଉଥିବା ଚେତେଶ୍ୱର ପୂଜାରା କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ପୂଜାରା ପ୍ରାୟ ଦୁଇ ବର୍ଷ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିଲେ, କିନ୍ତୁ ସେ ଘରୋଇ କ୍ରିକେଟ ଖେଳୁଥିଲେ। ତାଙ୍କୁ ୨୮ ଅଗଷ୍ଟରୁ ଆରମ୍ଭ ହେଉଥିବା ଏକ ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ଚୟନ କରାଯାଇ ନଥିଲା। ଏହା ପରେ, ଏହା ବିଶ୍ୱାସ କରାଯାଉଥିଲା ଯେ ତାଙ୍କ ପାଇଁ ଘରୋଇ କ୍ରିକେଟକୁ ଫେରିବା ମଧ୍ୟ କଷ୍ଟକର ହେବ। ହୁଏତ ଏହି କାରଣରୁ ପୂଜାରା ତାଙ୍କର ଅବସର ଘୋଷଣା କରିଥିଲେ।

ଦୁଲୀପ ଟ୍ରଫି ଟ୍ରଫି ୨୮ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଚେତେଶ୍ବର ପୂଜାରା ପଶ୍ଚିମ ଜୋନ୍ ପାଇଁ ଖେଳୁଥିଲେ, କିନ୍ତୁ ଏଥର ତାଙ୍କୁ ଦଳରେ ସ୍ଥାନ ଦିଆଯାଇ ନାହିଁ। ଏହି ଦଳର କମାଣ୍ଡ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଦିଆଯାଇଛି। ଚେତେଶ୍ୱର ପୂଜାରା ଚଳିତ ବର୍ଷ ଫେବୃଆରୀରେ ଗୁଜରାଟ ବିପକ୍ଷରେ ତାଙ୍କର ଶେଷ ଘରୋଇ ମ୍ୟାଚ୍ ଖେଳିଥିଲେ।

ଏହା ବ୍ୟତୀତ ସେ ପ୍ରାୟ ଦୁଇ ବର୍ଷ ଧରି ଟିମ୍ ଇଣ୍ଡିଆାରୁ ବାହାରେ ଥିଲେ। ପୂଜାରା ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଅଷ୍ଟ୍ରେଲିଆ ୨୦୯ ରନରେ ଟାଇଟଲ୍ ମ୍ୟାଚ୍ ଜିତିଥିଲା, ଯାହା ୭ ଜୁନ୍ ୨୦୨୩ ରୁ ଲଣ୍ଡନର ଓଭାଲରେ ଆରମ୍ଭ ହୋଇଥିଲା। ପୂଜାରା ଏହି ମ୍ୟାଚ୍‌ରେ ବିଶେଷ କିଛି କରିପାରି ନଥିଲେ। ସେ ପ୍ରଥମ ଇନିଂସରେ ୧୪ ରନ ଏବଂ ଦ୍ୱିତୀୟ ଇନିଂସରେ ୨୭ ରନ କରିଥିଲେ। ସେବେଠାରୁ ତାଙ୍କୁ ଆଉ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନଥିଲା। ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ, ସେ ଭାରତୀୟ ଦଳ ପାଇଁ ୧୦୩ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ପୂଜାରା ୪୩.୬୦ ହାରରେ ୭୧୯୫ ରନ୍ କରିଥିଲେ। ଏଥିରେ ୧୯ ଶତକ ଓ ୩୫ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।

ଜିମ୍ବାୱେ ବିପକ୍ଷରେ ତାଙ୍କ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ପୂଜାରା ଟିମ୍ ଇଣ୍ଡିଆ ପାଇଁ 5ଟି ଦିନିକିଆ ମଧ୍ୟ ଖେଳିଛନ୍ତି, ଯେଉଁଥିରେ ସେ ମାତ୍ର 10.20 ହାରରେ 51 ରନ କରିଛନ୍ତି। ସେ ପ୍ରଥମ ଶ୍ରେଣୀ ମ୍ୟାଚ୍ ରେ 21 ହଜାରରୁ ଅଧିକ ରନ କରିଛନ୍ତି। ଏହି ସମୟ ମଧ୍ୟରେ ପୂଜାରା 66 ଶତକ ହାସଲ କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜରେ ଚେତେଶ୍ୱର ପୂଜାରାଙ୍କୁ କମେଣ୍ଟ୍ରି କରୁଥିବାର ଦେଖାଯାଇଥିଲା

 

ପାର୍କିଂ ବେଳେ ତଳକୁ ଖସି ପଡିଲା ବୋଲେରୋ , ଡ୍ରାଇଭର ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରେ ଅଘଟଣ । ପାର୍କିଂର ଗୋଟିଏ ମହଲାରୁ ତଳକୁ ଖସିଲା ବୋଲେରୋ । ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସି ପଡିଛି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଡ୍ରାଇଭର ଜଣକ ଧାମରା ଅଞ୍ଚଳର ବୋଲି ସୂଚନା ମିଳିଛି ।

 

ଶ୍ରଦ୍ଧାଳୁ ଦେଖିବେ ୪୫ ଫୁଟ ଉଚ୍ଚର ଗଣେଶ, ଭୋଗ ଲାଗିବ ୪୫ କେଜିର ଲଡ଼ୁ

ନନ୍ଦିଘୋଷ ବ୍ୟୁରୋ : ଆଉ ଦୁଇଦିନ ପରେ ଧରାବତରଣ କରିବେ ଅଗ୍ର ପୂଜ୍ୟ ଗଜାନନ । ଏଥିପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ । ପୂଜା ପାଇଁ ପ୍ରାୟ ସବୁ ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ପୂଜା ପାଇଁ ଏଥର ଭୁବନେଶ୍ବର ଓଲଡ଼ ଟାଉନ ତିନିମୁଣ୍ଡିଆରେ ଶ୍ରଦ୍ଧାଳୁ ଦେଖିବେ ୪୫ ଫୁଟ ଉଚ୍ଚର ଗଣେଶ । ଏହା ସହ ଗଣେଶଙ୍କ ପାଖରେ ଭୋଗ ଲାଗିବ ୪୫ କେଜିର ଲଡ଼ୁ । ଭୁବନେଶ୍ୱର ତିନିମୁଣ୍ଡିଆ ଛକ ବ୍ରାହ୍ମଣ ନିଯୋଗ ସମିତି ମଣ୍ଡପ ଠାରେ ତରଙ୍ଗ କ୍ଳବ ପକ୍ଷରୁ ପ୍ରତିବର୍ଷ ଭଳି ଏହି ପୂଜା ପ୍ରସ୍ତୁତ ହୋଇଛି । ଆସନ୍ତା ୨୭ ତାରିଖ ଗଣେଶ ପୂଜା ଦିନ ଠାରୁ ଏହି ପୂଜା ଆସନ୍ତା ସେପ୍ଟେମ୍ବର ୭ ତାରିଖ ଯାଏ ଚାଲିବ ।  ପ୍ରତ୍ୟେକ ଦିନ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ରହିଥିବା ବେଳେ ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ଓ କ୍ଳବ ସ୍ବେଚ୍ଛାସେବୀ ନିୟୋଜିତ ରହିବେ । ୭ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ବଡ଼ ମୂର୍ତ୍ତି ପାଇଁ ପାଣି ସ୍ପ୍ରେ ଜରିଆରେ ବିସର୍ଜନ କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି କ୍ଲବ ସମ୍ପାଦକ ଦାଶରଥି ଗରାବଡୁ ।

ରାଜସ୍ଥାନରେ ବର୍ଷା ତାଣ୍ଡବ, ୮ ଜିଲ୍ଲାରେ ହଜାର ହଜାର ଲୋକ ଜଳବନ୍ଦୀ

ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନରେ ବର୍ଷା ତାଣ୍ଡବ। ହଜାର ହଜାର ଲୋକ ଜଳବନ୍ଦୀ। ବର୍ଷାରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛି ସେନା। ପ୍ରବଳ ବର୍ଷା ଯୋଗୁ ଅନେକ ଜିଲ୍ଲା ପ୍ରଭାବିତ ହେବା ସହ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ବିପଜ୍ଜନକ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। କୋଟା, ସବାଇ ମାଧୋପୁର, ଟୋଙ୍କ, ବୁଣ୍ଡି ଜିଲ୍ଲା ସମେତ ୮ ଜିଲ୍ଲାରେ ବର୍ଷା ତାଣ୍ଡବ ରଚିଛି। ଗତ ୨୪ ଘଣ୍ଟା ଭିତରେ ୫୦୨ ମିଲିମିଟର ବର୍ଷା ହେବା ଯୋଗୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଆର୍ମି ସମେତ ଏନଡିଆରଏଫ, ଏସଡିଆରଏଫ ବି ମୁତୟନ ହୋଇଛନ୍ତି. ଏହା ସହ ଏମଆଇ-୧୭ ହେଲିକପ୍ଟର ବି ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଛି। ସବାଇ ମାଧୋପୁରରେ ୩୦ରୁ ଅଧିକ ଗ୍ରାମ ଜଳମଗ୍ନ ହୋଇଛି। ରେଳ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଜିଲ୍ଲା ପ୍ରଶାସନମାନଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା। ବନ୍ଯା ପ୍ରଭାବିତ ଅଞ୍ଚଳ ବି ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ଲୋକସଭା ବାଚସ୍ପତି ତଥା କୋଟା-ବୁଣ୍ଡି ସାଂସଦ ଓମ ବିରଲା।

 

ପ୍ରବଳ ବର୍ଷାରେ କେନ୍ଦୁଝର ଜିଲ୍ଲାର ହାଲ୍ ବେହାଲ, ଘାଟିରୁ ପଥର ଖସି ଯାତାୟାତ ବାଧାପ୍ରାପ୍ତ

ନନ୍ଦିଘୋଷ ବ୍ୟୁରୋ : ପ୍ରବଳ ବର୍ଷାରେ କେନ୍ଦୁଝର ଜିଲ୍ଲାର ହାଲ୍ ବେହାଲ। ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟିରେ ରାସ୍ତା ଉପରେ ପଥର ଖସିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ୨ଟି ବଡ ପଥର ଖସିଥିବା ବେଳେ, ଗୋଟିଏ ପଥରକୁ NHAI ପକ୍ଷରୁ ହଟାଯାଇଛି। ଅନ୍ୟ ପଥରକୁ ହଟାଇବାକୁ ଚେଷ୍ଟା ଜାରି ରହିଛି। ବର୍ଷା ଯୋଗୁ କାଞ୍ଜିପାଣି ଘାଟିରେ ମଧ୍ୟ ଉପରୁ ପଥର ଓ ମାଟି ଖସି ରାସ୍ତା ଅବରୋଧ ହୋଇଛି। ଲଗାଣ ବର୍ଷା ହେବାରୁ କେନ୍ଦୁଝରଗଡ ପୌରପାଳିକାର ସ୍ପଞ୍ଜ କଲୋନୀ, ଗ୍ରାମଶ୍ରୀ କଲୋନୀ ଆଦିରେ ପାଣି ଜମି ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜୀବନ ବଞ୍ଚାଇଲେ ଗଛ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ନନ୍ଦିଘୋଷ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସାନକିରାସିରା ଗାଁରେ ବନ୍ୟା ପାଣିରେ ଭାସି ଯୁବକଙ୍କ ଜୀବନ ଦେଲା ଜାମୁଗଛ ।  ନଦୀ ଭିତରେ ଜାମୁଗଛ ଧରି ଜୀବନ ମରଣ ମଧ୍ୟରେ ସଂଘର୍ଷ କରୁଥିବା ଯୁବକଙ୍କୁ ଉଦ୍ଧାର କରି କୂଳକୁ ଆଣିଲେ ଅଗ୍ନିଶମ ବାହିନୀ  । ଗାଁର କିଛି ଯୁବକ ସୁରୁବାଲି ଜୋରକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବାବେଳେ  ହଠାତ୍ ପାଣିର ସ୍ରୋତ ବଢ଼ି ଯାଇଥିଲା। ହଠାତ୍‌ ଯୁବକ ଜଣକ ଭାସିଯାଇଥିଲେ  ।

ସଂପୃକ୍ତ ଯୁବକ ଜଣକ ହେଲେ ସାନକିରାଶିରା ଗ୍ରାମର ଆଦର୍ଶ ପଧାନ । ତେବେ ଆଦର୍ଶଙ୍କ ସହ ଥିବା ଅନ୍ୟ ୫ ଜଣ ଯୁବକ ପହଁରି କୂଳକୁ ଆସି ନିଜ ଜୀବନ ବଞ୍ଚାଇଥିବା ବେଳେ ଫସି ରହିଥିଲେ ଆଦର୍ଶ । ଅନ୍ୟମାନେ ଘଟଣା ସମ୍ପର୍କରେ ତୁରନ୍ତ ସୁବଳୟା ପୋଲିସ ଏବଂ ବୀରାମହରାଜପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଏବଂ ସୁବଳୟା ପୋଲିସର ଏକ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଭାବେ ବନ୍ୟା ପାଣିରୁ ଉଦ୍ଧାର କରିଥିଲେ । ଯୁବକ ଜଣ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଅଜଣା ରୋଗ ଆତଙ୍କରେ ୪ ଜଣକ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ଅଜଣା ରୋଗ ଆତଙ୍କ। ପାଇକ ଫୁଲବେଡା ପଞ୍ଚାୟତ ଓଡପୁର ଗାଁରେ ଜୀବନ ନେଉଛି ଅଜଣା ରୋଗ।ସପ୍ତାହକରେ ୪ ଜଣକ ମୃତ୍ୟୁ ହୋଇଥିବା ବେଳେ, କୋରାପୁଟ ମେଡିକାଲରେ ୭ ଜଣ ଭର୍ତ୍ତି ହୋଇଛନ୍ତି। ଅଜଣା ରୋଗକୁ ନେଇ ଗାଁରେ ଲୋକେ ଭୟଭୀତ ଅଛନ୍ତି। ଖବର ପାଇ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି। ଅନ୍ୟପଟେ ଗ୍ରାମବାସୀ ଦିଶାରୀ ଡକାଇ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି।