ଗଜପତି: କୁହେଳିକା ମଧ୍ୟରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ । ଏହି ମାମଲାରେ ଏବେ ତିନି ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ରୁଜୁ ହୋଇଛି ମାମଲା । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ କ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ଓ ରୋଷେୟାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୌମ୍ୟଙ୍କ ମୋବାଇଲ୍ ଓ ଲାପଟପ୍ ଜବତ କଲେ ସତ ପଦାକୁ ଆସିବ ବୋଲି କହିଛନ୍ତି ମୃତ ସୌମ୍ୟଙ୍କ ପରିବାର । ଆଜି ପାରଳାଖେମୁଣ୍ଡି ଯାଇ ଜିଲ୍ଲାପାଳ, ଏସ୍ପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଭେଟିବେ ସୌମ୍ୟଙ୍କ ବାପା ଓ ମା’ । ପୂର୍ବରୁ ସୌମ୍ୟଙ୍କ ସ୍ତ୍ରୀ, ଡିଏଫଓ ଓ ରୋଷେୟାଙ୍କୁ ଘଟଣା ପାଇଁ ଦାୟୀ କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ପରିବାର । ସେପଟେ ଶାଶୂଘରର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏଫଓ ଓ ସୌମ୍ୟଙ୍କ ପତ୍ନୀ । ତେବେ ପ୍ରକୃତରେ କଣ ଥିଲା ଘଟଣା ଦିନର ସତ ? ସୌମ୍ୟଙ୍କ ମୃତ୍ୟୁ ଆକସ୍ମିକ ଦୁର୍ଘଟଣା, ହତ୍ୟା ନା ଆତ୍ମହତ୍ୟା । କେମିତି ପୋଡ଼ିହେଲେ ସୌମ୍ୟରଂଜନ? ଗୋଟିଏ ଘରେ ସ୍ୱାମୀ, ସ୍ତ୍ରୀ ଥିଲେ । ସ୍ୱାମୀଙ୍କ ଦେହରେ ନିଆଁ ଲାଗିଲା, ସେକଥା କେମିତି ଜାଣିପାରିଲେନି ସ୍ତ୍ରୀ ? ପାରଳାଖେମୁଣ୍ଡିରେ ପୋଡି ହୋଇ ଗୁରୁତର ହେଲେ ସହକାରୀ ବନ ସଂରକ୍ଷକ । ଚିକିତ୍ସା ପାଇଁ ଭାଇଜାକ କିମ୍ବା ବିଶାଖାପାଟଣା ନିଆଯାଇ ପାରିଥାନ୍ତା । ହେଲେ କାହିଁକି ତାଙ୍କୁ କଟକ ଅଣାଗଲା ? ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ପରିବାର ଲୋକଙ୍କୁ କାହିଁକି ପଚରା ଯାଇନଥିଲା ? ସୌମ୍ୟରଂଜନଙ୍କ ମୃତ୍ୟୁ ଛାଡ଼ିଯାଇଛି ଏଭଳି ଅନେକ ଅସମାହିତ ପ୍ରଶ୍ନ ।
ଆଡ଼ପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତିକାନ୍ତି: ଆଜି ବନକଲାଗି ନୀତି
ପୁରୀ: ଆଡ଼ପ ମଣ୍ଡପରେ ଶ୍ରୀଜିଉ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚାଲିଛି ନୀତିକାନ୍ତି । ଆଜି ଗୁରୁବାର ଆଷାଢ଼ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ସମ୍ପନ୍ନ ହେବା ପରେ ଶ୍ରୀଜିଉଙ୍କ ‘ବନକଲାଗି’ ବା ‘ଶ୍ରୀମୁଖ ସିଂହାର’ ନୀତି ସମ୍ପନ୍ନ ହେବ । ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ବା ବିଶେଷ ନୀତି ସମ୍ପାଦନ କରିବେ । କଳା, ଧଳା, ନାଲି, ହରିତାଳ, ହିଙ୍ଗୁଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ତେବେ ଗତକାଲି ମହାପ୍ରଭୁଙ୍କ ବାହାରିଛି ଆଡ଼ପ ଅବଢା । ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଭକ୍ତ କିପରି ସୁରୁଖୁରୁରେ ଅବଢ଼ା ପାଇପାରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ହୋଇଛି ।
ଏଥିସହିତ ପଢ଼ନ୍ତୁ: ଆକ୍ଟିଭ୍ ମୋଡରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ମଧ୍ୟ ରାତ୍ରିରେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର କଲେ ସମୀକ୍ଷା
ହୋଟେଲରୁ ସେକ୍ସ ରାକେଟ ଠାବ, ୫ ଯୁବତୀ ଉଦ୍ଧାର
ରାଉରକେଲା: ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍ । ଖବର ପାଇ ଚଢ଼ାଉ କଲା ପୋଲିସ । ୫ ଜଣ ଯୁବତୀ ଉଦ୍ଧାର । ରାଉରକେଲା ସହରର ଉଦିତନଗର କଚେରୀ ରୋଡ୍ ଅଞ୍ଚଳରେ ଥିବା ଏକ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ । ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଓ ଉଦିତନଗର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।

ଏହାସହ ୨ ଜଣ ଯୁବକ ଓ ୨ ଜଣ ହୋଟେଲ କର୍ମଚାରୀଙ୍କୁ ଉଦିତନଗର ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ହୋଟେଲ ରୁମରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର ହୋଇଥିବା ୫ ଜଣ ଯୁବତୀଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗର । ସେକ୍ସ ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
ୟୁଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଓ ଅତୁଲ କ୍ରିଷ୍ଣାଙ୍କ ବିରୋଧରେ ଏତଲା
ପୁରୀ: ଅଡୁଆରେ ୟୁଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଓ ଅତୁଲ କ୍ରିଷ୍ଣା । ପୁରୀ ବଡ଼ଦାଣ୍ଡର ଏକ କୋଠରୀରେ ରହି ମହାପ୍ରଭୁଙ୍କ ରଥ ଏବଂ ଦର୍ଶନ କରିବା ସହ ଫଟୋ ଉଠାଇବାକୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଉଠିଛି ବିବାଦ । ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡରେ ଘର ଛାତ ବା ବାଲକୋନୀରେ ଛିଡ଼ା ହୋଇ ଦର୍ଶନ ବାରଣ ରହିଥିଲା । ଏହାସତ୍ତ୍ୱେ ଏହି ଦୁଇ ୟୁଟ୍ୟୁବର କିଭଳି ଏବଂ କେଉଁ କୋଠା ଉପରେ ରହି ଏହି ଫଟୋ ଉତ୍ତୋଳନ କଲେ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏହି ଦୁଇଜଣଙ୍କୁ କିଏ ପାସ୍ ଦେଇଥିଲା ?

ପୁରୀର ସାହିବାସିନ୍ଦାଙ୍କ ସମେତ ବାହାର ଲୋକ କେହି ହେଲେ ବଡ଼ଦାଣ୍ଡରେ ନରହିବାକୁ ନିର୍ଦ୍ଦେଶ ଦିଆଯଇଥିଲେ ମଧ୍ୟ ଏମାନେ କିଭଳି ସେଠାରେ ଅବସ୍ଥାନ କଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଏଭଳି ନିୟମ ଭଙ୍ଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ଦାବି ହୋଇଥିବା ବେଳେ ପୁରୀ ଅଧିବକ୍ତା ସଂଘ ଓ ଭଏସ ଅଫ୍ କମନମ୍ୟାନ୍ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଏହି ଦୁହେଁ ବର୍ତ୍ତମାନ ପୁରୀରେ ନଥିବାବେଳେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯାନୁଷ୍ଠାନ ପାଇଁ ଦାବି ହୋଇଛି ।
ଓଡ଼ିଶା ମୋ-ପରିବାର ଜୀବନ ବିନ୍ଦୁ ଶିବିରରୁ ୧୪୭୭ ୟୁନିଟ୍ ରକ୍ତ ସଂଗୃହୀତ
ଭୁବନେଶ୍ୱର: ଓଡ଼ିଶା ମୋ-ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ସମୁଦାୟ ୧୪୭୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ।

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୪ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ସେଥିମଧ୍ୟରୁ ନୟାପଲ୍ଲୀ ୱାଇଏମସିଏରୁ ୩୬୦ ୟୁନିଟ୍ ସତ୍ୟନଗର ବ୍ଲାଇଣ୍ଡ ଆସୋସିଏସନରୁ ୩୦୦ ୟୁନିଟ୍, ଗଣେଶ ମଣ୍ଡପ ୟୁନିଟ-୧ରୁ ୧୩୧ ୟୁନିଟ୍ ଏବଂ ଏଏସଜିଆଇ ଆଇ ହସ୍ପିଟାଲ ଠାରେ ଅନୁଷ୍ଠିତ ଶିବିରରୁ ୩୨୫ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଛି । ସତ୍ୟନଗର ବ୍ଲାଇଣ୍ଡ ଆସୋସିଏନ୍ ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ସାତଜଣ ଭିନ୍ନକ୍ଷମ ସ୍ୱଇଚ୍ଛାରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଦୃଷ୍ଟିହୀନ ହୋଇଥିବା ବେଳେ ଜଣେ ମୂକ ବଧିର ଏବଂ ଦୁଇଜଣ ଶାରୀରିକ ଭିନ୍ନକ୍ଷମ ଅଟନ୍ତି । ସେମାନେ ସେଠାରେ ଉପସ୍ଥିତ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଥିଲେ । ସମସ୍ତେ ଯୋଗ୍ୟ ବ୍ୟକ୍ତି ଆଗକୁ ଆସି ରକ୍ତଦାନ ଭଳି ମହତ କାର୍ଯ୍ୟ କରନ୍ତୁ ବୋଲି ସେମାନେ ସେଠାରେ ମତବ୍ୟକ୍ତ କରିଥିଲେ ।

ଭୁବନେଶ୍ୱରରେ ଅନୁଷ୍ଠିତ ଏହି ୪ଟି ଶିବିର ଗୁଡ଼ିକରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ମୁଜିବୁଲ୍ଲା ଖାଁ, ଓଡ଼ିଶା ମୋ-ପରିବାରର ଆବାହକ ଅରୂପ ପଟ୍ଟନାୟକ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, କଟକ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୁପକାର ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ଜୀବନ ବିନ୍ଦୁ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ । ଏହି ଶିବିର ଗୁଡ଼ିକୁ ଭୁବନେଶ୍ୱର ମଧ୍ୟ ସଂଯୋଜକ ନବ କିଶୋର ବେହେରା ସଂଯୋଜନା କରିଥିଲେ ।

ସେହିପରି ବରଗଡ଼ ଟାଉନ୍ ଠାରେ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଛି । କେବଳ ମହିଳାମାନେ ରକ୍ତଦାନ କରିଥିବା ଏହି ଶିବିରରୁ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଶିବିରକୁ ଅତାବିରା ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉଦଘାଟନ କରିଛନ୍ତି ।

କଟକ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା କଟକ ବାରବାଟୀ ଷ୍ଟାଡିୟମ ଠାରେ ଆୟୋଜିତ ଅନ୍ୟ ଏକ ଶିବିରରୁ ୮୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଏହି ଶିବିରକୁ ଓଡ଼ିଶା ମୋ-ପରିବାର ଆବାହକ ଅରୂପ ପଟ୍ଟନାୟକ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ । କଟକ ନଗର ସଂଯୋଜକ ରଞ୍ଜନ ବିଶ୍ୱାଳ ଶିବିରକୁ ସଂଯୋଜନା କରିଥିଲେ । ଅନ୍ୟ ଶିବିର ମଧ୍ୟରୁ ଗଞ୍ଜାମ ଜିଲ୍ଲା କୋଳଥିଆଗାଁ ଶିବିରରୁ ୬୨ ୟୁନିଟ୍, ରାୟଗଡ଼ା ଜିଲ୍ଲା ନିଉ ଟାଉନ୍ ଶିବିରରୁ ୬୧ ୟୁନିଟ୍, ପୁରୀ ଜିଲ୍ଲା ଗୋପ ଶିବିରରୁ ୪୨ ୟୁନିଟ୍, ବାଲେଶ୍ୱର ଜିଲ୍ଲା ପଥରପେଣ୍ଟା ଶିବିରରୁ ୪୦ ୟୁନିଟ୍ ସଂଗ୍ରହ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମହିଷାସୁର ପଞ୍ଚାୟତରେ ଅନୁଷ୍ଠିତ ଶିବିରରୁ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ସର୍ବମୋଟ ରକ୍ତ ସଂଗହ ହୋଇଛି । ସମସ୍ତ ରକ୍ତଦାତା ତଥା ଆୟୋଜକମାନଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।
ଦିବ୍ୟାଙ୍ଗ ସ୍ମୃତି ରଞ୍ଜନକୁ ଟ୍ରାଇ ସାଇକେଲ ଦେଲେ ଓଟିଡିସି ଅଧ୍ୟକ୍ଷା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମାଜିକ ପ୍ରତିବଦ୍ଧତାର ଆହ୍ୱାନରେ ଅନୁପ୍ରାଣିତ ହୋଇ ପଞ୍ଚମ ଶ୍ରେଣୀ ଛାତ୍ର ଦିବ୍ୟାଙ୍ଗ ସ୍ମୃତି ରଞ୍ଜନ ଦାସଙ୍କୁ ସହାୟତା । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏକ ଟ୍ରାଇ ସାଇକେଲ ସ୍ମୃତି ରଞ୍ଜନଙ୍କୁ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଥିଲେ, ‘ ସ୍ମୃତି ରଞ୍ଜନଙ୍କ ମୁହଁରେ ଆଜି ହସର ମୁକ୍ତାକୁ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ।
ଏହି ପରିପୂରକ ସମାଜରେ ଆମେ ସମସ୍ତେ ସେବା ମନୋଭାବରେ ବ୍ରତି ହୋଇ ପରସ୍ପରକୁ ସାହାଯ୍ୟର ହାତ ବଢ଼ାଇବା ଉଚିତ୍ । ଏହିଭଳି ସାମାଜିକ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଏହି ଟ୍ରାଇ ସାଇକେଲ୍ ପ୍ରଦାନ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏବଂ ନାରୀ ନେତ୍ରୀ ଉର୍ମିଳା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ନୂତନ ଏମଆରଆଇ ଏବଂ ସିଟିସ୍କାନ ମେସିନ ଲୋକାର୍ପିତ
କଟକ: ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଦା ଯତ୍ନବାନ ରାଜ୍ୟ ସରକାର । ଏନେଇ ଧାରାବାହିକ ଭାବେ ଜାରି ରହିଛି ପ୍ରୟାସ । ଆଜି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନ ପରିସରରେ ନୂତନ ଏମଆରଆଇ ଏବଂ ସିଟିସ୍କାନ ମେସିନ ଲୋକାର୍ପଣ ଉତ୍ସବ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସିରେ ଅନୁଷ୍ଠିତ ହୋଇଥିବା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର, ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ଉପସ୍ଥିତ ରହିଥିଲେ । କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କ ରୋଗ ନିରୂପଣ ପାଇଁ ଏହି ଦୁଇଟି ମେସିନ୍ ଅତ୍ୟନ୍ତ ଜରୁରୀ । ରୋଗ ଶୀଘ୍ର ନିରୂପଣ ହେଲେ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେଣୁ କର୍କଟ ରୋଗର ପ୍ରତିଷ୍ଠାନରେ ଏହି ୨ଟି ମେସିନର ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମେସିନ ସ୍ଥାପନ ଫଳରେ ଏବେ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର କର୍କଟ ରୋଗୀ ଉପକୃତ ହୋଇ ପାରିବେ । ତେବେ ନବୀନଙ୍କ ଶାସନ ସମୟରେ ମାଗଣା ଚିକତ୍ସା ସେବା ସବୁଦିନ ପାଇଁ ଇତିହାସ ହୋଇ ରହିବ ବୋଲି ସ୍ଥାସ୍ଥ୍ୟ ମନ୍ତ୍ରୀ କହିଥିଲେ । ବିଗତ ୧୨ ବର୍ଷରେ ଏସସିବି ତଥା କ୍ୟାନସର ହସ୍ପିଟାଲର ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟ ୭୪୬ କୋଟି ଟଙ୍କା ଅନୁଦାନ ଦେଇଥିବା ସ୍ଥାନୀୟ ବିଧାୟକ ସୂଚନା ଦେଇଥିଲେ ।

