spot_img
Home Blog Page 5442

ଆଜିଠୁ ୪ଦିନ ଯାଏଁ ଅଧିକାଂଶ ଜିଲ୍ଲାକୁ ଭିଜାଇବ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ଅଧିକାଂଶ ଜିଲ୍ଲାକୁ ଭିଜାଇବ ବର୍ଷା। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାରେ ଭିଜିବ ଅଧା ଓଡ଼ିଶା। ତେବେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବର୍ଷାର ପ୍ରଭାବ ରହିବ। ଉପକୀଳ ଜିଲ୍ଲା ଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡା, କନ୍ଧମାଳ, କୋରାପୁଟ, ମାଲକାନାଗିରିକୁ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ବର୍ଷାର ପରିମାଣ ଅଧିକ ରହିବ । ତେବେ ଭୁବନେଶ୍ୱରରେ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲୁକା ବର୍ଷା ହେବ। ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କରୋନାରୁ ଧିରେ ଧିରେ ସୁସ୍ଥ ହେଉଛି ରାଜ୍ୟ, ଚିନ୍ତା ବଢ଼ାଉଛି ଉପକୂଳ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ। ଗୋଟିଏ ଦିନକରେ ୨ହଜାର ୩୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୧୩୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୯୯୨। ଖୋର୍ଦ୍ଧାରୁ ସର୍ବାଧିକ ୩୮୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୭୧, କେନ୍ଦ୍ରାପଡ଼ାରୁ ୧୦୬, ଯାଜପୁରରୁ ୧୭୯, ବାଲେଶ୍ୱରରୁ ୧୬୪, ଭଦ୍ରକରୁ ୧୨୧, ପୁରୀରୁ ୧୦୬, ମୟଳରଭଞ୍ଜରୁ ୧୦୪, ଜଗତସିଂପୁରରୁ ୧୦୧ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ରୁ ୯୪, ସୁନ୍ଦରଗଡ଼ରୁ ୮୭, ଷ୍ଟେଟ୍‌ପୁଲରୁ ୭୬, ଅନୁଗୁଳରୁ ୬୪, କେନ୍ଦରୁଝରୁ ୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୫୮ ଜଣଙ୍କ ଜୀବନ ନେଇଛି କିଲର ଭାଇରାସ୍। ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩ହଜାର ୩୪୧। ୨୧ଜିଲ୍ଲାରେ ଶହେ ତଳେ ରହିଛି ଦୈନିକ ସଂକ୍ରମଣ।

ମୋଦିଙ୍କ ନୂଆ କ୍ୟାବିନେଟକୁ ନେଇ ନୂଆ ବିବାଦ, ୪୨% ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପରେ ନୂଆ ମନ୍ତ୍ରୀଙ୍କୁ ନେଇ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି । ୭୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ଚାଲିଛି। କିଛି ମାମଲା ହତ୍ୟା ଭଳି ସଙ୍ଗୀନ ଅପରାଧ ରହିଛି। ଏଡିଆରର ରିପୋର୍ଟରୁ ସ୍ପଷ୍ଟ ହୋଇଛି ଏହି ତଥ୍ୟ। ବୁଧବାର ମୋଟ ୪୩ ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ ୧୫ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ଅନ୍ୟ ୨୩ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। କେନ୍ଦ୍ରରେ ଥିବା ମନ୍ତ୍ରୀଙ୍କ ମଧ୍ୟରୁ ୨୪ରୁ ୩୦ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଡକାୟତି ଭଳି ମାମଲା ରହିଛି। କୁଛବେହାରରୁ ସାଂସଦ ଥିବା ନିତିଶ ପାରମାଣିକଙ୍କ ନାଁରେ ହତ୍ୟା ମାମଲା ରହିଛି। ତାଙ୍କ ବିରୋଧରେ ଧାରା ୩୦୨ରେ ମାମଲା ଚାଲିଛି । ତାଙ୍କୁ ଗୃହମନ୍ତ୍ରାଳୟର ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଅନ୍ୟ ତିନି ଜଣ ମନ୍ତ୍ରୀଙ୍କ ନାଁରେ ମଧ୍ୟ ସଙ୍ଗୀନ ମାମଲା ରହିଛି। ସେମାନେ ହେଲେ ଜନ୍‌ ବାର୍ଲା, ପଙ୍କଜ ଚୌଧୁରୀ ଏବଂ ଭି ମୁରଲୀ ଧରନ। ତେବେ ନୂଆ ମନ୍ତ୍ରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ମନ୍ତ୍ରୀ କୋଟିପତି। ସେମାନେ ଦାଖଲ କରିଥିବା ସମ୍ପତ୍ତି ତାଲିକାରୁ ଏହି ତଥ୍ୟ ମିଳିଛି। ଅତିକମ୍‌ରେ ସମସ୍ତଙ୍କର ୧୭ କୋଟି ଟଙ୍କାର ସମ୍ପତ୍ତି ରହିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ପିୟୁଷ ଗୋଏଲ, ନାରାୟଣ ରାଣେ, ରାଜୀବ ଚନ୍ଦ୍ରଶେଖରଙ୍କର ୫୦ କୋଟି ଟଙ୍କାରୁ ଅଧିକ ମୁଲ୍ୟର ସମ୍ପତ୍ତି ରହିଛି।

ଏଣିକି ଏହି ଦେଶରେ ଟିକା ନେଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ଟିକା ନେଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲ ପରିସରରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। ଏହା କହିଛି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ବା ସିଡିସି। କୋଭିଡ ସଂକ୍ରମଣ ହ୍ରାସ, ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହାସହ ଜାତୀୟ ଟିକାକରଣ ଅଭିଯାନରେ ଏପରିକି ୧୨ ବର୍ଷର ପିଲାଙ୍କୁ ଟିକା ଦେବାକୁ ଯୋଜନା ଚାଲିଛି। ଏହି ପରିପ୍ରେକ୍ଷୀରେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି କହିଛନ୍ତି ନ୍ୟୁୟର୍କ ସ୍ଥିତ ସିଡିସିର ମୁଖ୍ୟ ଏରିନ ସୋବେର ସାଜ୍। ସେ କହିଛନ୍ତି ଦେଶବାସୀଙ୍କୁ ସୁରକ୍ଷା ଦେବା ଲାଗି ଅଭିଯାନ ଜାରି ରହିଥିବା ବେଳେ, ସ୍କୁଲରେ ଏହି ପ୍ରକ୍ରିୟା ଲାଗୁ କରିବା ଲାଗି ପଦକ୍ଷେପ ନିଆଯାଇଛି। ସିଡିସିର ନୂଆ ପ୍ରସ୍ତାବ ଅନୁସାରେ କେଉଁ ପିଲା ଟିକା ନେଇଛନ୍ତି, ତାହା ଜାଣିବା ଲାଗି ଶିକ୍ଷକଙ୍କ ପାଇଁ ଗାଇଡଲାଇନ ଜାରି କରିବାର ଆବଶ୍ୟକତା ନାହିଁ। ଏହାସହ କେଉଁ ଶିକ୍ଷକ ଟିକା ନେଇଛନ୍ତି ତାହା ଜାଣିବା ବି ଅଭିଭାବକଙ୍କ ଆବଶ୍ୟକତା ନାହିଁ।

କରୋନା ନ କମୁଣୁ କେରଳରେ ଆତଙ୍କ ଖେଳାଇଲାଣି ଜିକା ଭାଇରସ୍‌

ନୂଆଦିଲ୍ଲୀ: କେରଳରେ କାୟା ମେଲାଉଛି ଜିକା। ଦିନକୁ ଦିନ ସ୍ଥିତି ହେଉଛି ଚିନ୍ତାଜନକ। କୋଭିଡ ସଂକଟ ଦୂର ନ ହେଉଣୁ ଜିକା ଭାଇରସ ଆତଙ୍କ ଯୋଗୁ ଚିନ୍ତାରେ କେରଳ ସରକାର। ରାଜ୍ୟରେ ୧୪ଟି ଜିକା ଭାଇରସ ସଂକ୍ରମଣ ଚିହ୍ନଟ ହେବା ପରେ ଏହାକୁ ଗୁରୁତର ସହ ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି, କେରଳରେ ଜିକା ସ୍ଥିତିକୁ ନେଇ କେନ୍ଦ୍ର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଏବଂ ଅନୁଧ୍ୟାନ ପାଇଁ ରାଜ୍ୟକୁ ଏକ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ପଠାଯାଉଛି। ଏହି ଟିମରେ ଅଛନ୍ତି ସାଧାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଭେକ୍ଟର ବାହିତ ରୋଗ ବିଶେଷଜ୍ଞ ଓ ଏମସର କିଛି ଗବେଷକ। ଏହି ଟିମ ରାଜ୍ୟ ସରକାରଙ୍କୁ ଭାଇରସ ମୁକାବିଲା ଦିଗରେ ସହଯୋଗ କରିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଲାଗି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଡେସ ମଶାର ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।

ବିମାନ ବନ୍ଦର ଗୁଡ଼ିକର ନାମକରଣ ନେଇ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦାୟିତ୍ୱ ନେଉ ନେଉ ଅଡୁଆ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପ୍ରଥମେ ବିମାନ ବନ୍ଦର ଗୁଡିକର ନାମକରଣ ଓ ପୁନଃନାମକରଣ ନେଇ ଜାତୀୟ ନୀତି ଚୂଡାନ୍ତ କର, ପଛେ ଯେଉଁ କଥା। ହାଇକୋର୍ଟ କହିଛନ୍ତି, ଚିଠା ସ୍ତରରେ ଯଦି ଏକ ନୂଆ ନୀତି ପ୍ରକ୍ରିୟା ରହିଛି ତେବେ ବର୍ତ୍ତମାନ ହିଁ ତାହାକୁ ଶେଷ କର। ବର୍ତ୍ତମାନ ନୂଆ ମନ୍ତ୍ରିମଣ୍ଡଳ ଆସିଛି। ତେଣୁ ତୁରନ୍ତ ବିମାନ ବନ୍ଦର ଗୁଡିକର ନାମକରଣ ଓ ପୁନଃନାମକରଣ କର। ଅତିରିକ୍ତ ସଲିସିଟର ଜେନରାଲ ଅନୀଲ ସିଂହଙ୍କୁ ଏହା କହିଛନ୍ତି ଅଦାଲତ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଜିଏସ କୁଲକର୍ଣ୍ଣୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ବର୍ତ୍ତମାନ ଏହି ଚିଠାନୀତି କେଉଁ ଅବସ୍ଥାରେ ରହିଛି ତାହା କୋର୍ଟ ଜାଣିବାକୁ ଚାହେଁ। ଗତ ମାସରେ ଏହି କାରଣକୁ ନେଇ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରି ୨୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏକ ବିମାନବନ୍ଦରକୁ ସ୍ୱର୍ଗତ ସାଂସଦ ଡି.ବି. ପାଟିଲଙ୍କ ନାମରେ ନାମିତ କରିବା ଦାବିରେ ଗତ ମାସରେ ନଭି ମୁମ୍ବାଇରେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ସମାଗମ ହୋଇଥିଲା। ସ୍ୱର୍ଗତ ପାଟିଲ ଏହି ପ୍ରଭାବିତଙ୍କ ସ୍ୱାର୍ଥ ଲାଗି ସଂଗ୍ରାମ କରିଥିଲେ। ଗତ ମାସରେ ମହାରାଷ୍ଟ୍ର ସରକାର ଏହି ନୂଆ ବିମାନ ବନ୍ଦରର ନାମ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାଁରେ ନାମିତ କରିବାକୁ କହିଥିଲେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବାଇକ, ଦୁଇ ବାଇକ ଆରୋହି ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମାଦିନାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ କୁଟିକିଆ ଅଞ୍ଚଳର ସୁନିଲ ଦିଗାଳ ଓ ସୁମନ୍ତ ବେହେରଦଳାଇ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଯୁବକ ବାଲିଗୁଡ଼ାରୁ କୁଟିକିଆ ଯାଉଥିବା ବେଳେ ମାଦିନାଟ ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଦୁଇଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଆଜି ସକାଳୁ ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛ।

କାଳିଆକୁ ଦେଖିବା ଲାଗି ସମ୍ବଲପୁରରୁ ପୁରୀ ୩୩୯ କିଲୋମିଟର ଚାଲି ଚାଲି ଆସିଲେ ଏହି ଭକ୍ତ

ପୁରୀ: ମନରୁ ଥରୁଟିଏ ହେ ମହାପ୍ରଭୁ କାଲିଆ ସାଆନ୍ତ ଡାକିଦେଲେ ସବୁ ଅସମ୍ଭବ ସମ୍ବବରେ ପରିଣତ ହୋଇଯିବ। ମନର ଠାକୁର ମନୁଆ ମନକଥା ସବୁ ବୁଝେ। ସେଥିପାଇଁ ତ ସେ ଜଗତର ନାଥ ଶ୍ରୀଜଗନ୍ନାଥ। ତାକୁ ନଦେଖି କଣ ଜୀବନରେ ଆଗକୁ ବଢ଼ି ହେବ। ତାଙ୍କ ବିନା ସବୁ ଅସମ୍ଭବ ସେ ଅନନ୍ତ ସେ କୋଟି ବ୍ରହ୍ମାଣ୍ଡର ମଉଡ଼ମଣି। ଆଉ ସେଇ ମଉଡ଼ମଣିକୁ ଦେଖିବା ଲାଗି ସମ୍ବଲପୁରରୁ ପୁରୀକୁ ଲାଗିଛି ଜଣେ ଭକ୍ତଙ୍କର ଡୋରୀ। ମୁହଁରେ ଜଗନ୍ନାଥ ନାମ ନେଇ ୯ ଦିନରେ ୩୭୦ କିଲୋମିଟରର ଯାତ୍ରା। ଏହା ପ୍ରମାଣିତ କରି ଦେଖାଇଛନ୍ତି ସମ୍ବଲପୁରର ବିଲ୍‌ଡର ପ୍ରମୋଦ ରାଠି। ମହାପ୍ରଭୁଙ୍କ ଦର୍ଶନର କରିବାର ଇଚ୍ଛା ରଖି ସେ ସମ୍ବଲପୁରରୁ ଚାଲି ଚାଲି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। କୋଭିଡ୍‌ କଟକଣା ପାଇଁ ମହାପ୍ରଭୁଙ୍କ ଦର୍ଶନ କରି ପାରିନଥିଲେ ବି ପତିତପାବନକୁ ଦର୍ଶନ କରି ଆଶୀର୍ବାଦ ନେଇ ଫେରିଛନ୍ତି। ତାଙ୍କର ଏଭଳି ଭକ୍ତିଭାବନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଛି।

ସମ୍ବଲପରୁର କ୍ଷେତରାଜପୁରରେ ହେଉଛି ଜଗନ୍ନାଥ ଭକ୍ତ ପ୍ରମୋଦଙ୍କ ଘର। ବିଲ୍‌ଡର ଭାବେ ଦୀର୍ଘ ଦିନ ଧରି କାମ କରି ଆସୁଛନ୍ତି। ସେ ଶ୍ରୀଜଗନ୍ନାଥଙ୍କୁ ବହୁତ ଭଲ ପାଆନ୍ତି। ହଠାତ୍‌ ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ଇଚ୍ଛା ତାଙ୍କ ମନରେ ଜନ୍ମିଥିଲା। ଏଥିପାଇଁ ଜୁଲାଇ ୧ରୁ ନିଜ ସହଯୋଗୀ ଦିନେଶ ସିଂଘାଣିଆଙ୍କ ସହ ସମ୍ବଲପୁର ସହରରୁ ଚାଲିବା ଆରମ୍ଭ କରିଥିଲେ ପ୍ରମୋଦ। ଦିନେଶ ଚାଲି ଚାଲି ଆସିନଥିଲେ ବି ପ୍ରମୋଦ ଚାଲି ଚାଲି ଆସିବା ସମୟରେ ସୁବିଧା ଅସୁବିଧା କଥା ବୁଝୁଥିଲେ। ଏ ଭିତରେ ଅନେକ ଘାତ ପ୍ରତିଘାତ ବି ପ୍ରମୋଦ ସହିଛନ୍ତି। ରାତିରେ ଯେଉଁଠି ପାଇଛନ୍ତି, ସେଠି ବିଶ୍ରାମ ନେଇଛନ୍ତି। ପ୍ରାୟ ୩୩୯ କିଲୋମିଟର ଅତିକ୍ରାନ୍ତ କରିବା ପରେ ୯ ଦିନ ପରେ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ପ୍ରମୋଦ ଅନେକ ଖୁସି ବ୍ୟକ୍ତ କରିଛନ୍ତି। ମହାପ୍ରଭୁଙ୍କ ସାଷ୍ଠାଙ୍ଗ ପ୍ରଣାମ କରି ଆଶୀର୍ବାଦ ନେଇଛନ୍ତି। ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତିଭାବ ତାଙ୍କ କଷ୍ଟକୁ ଦୂର କରି ଦେଇଛି। ଏତେ ବାଟ ଚାଲି ଚାଲି ଆସିଥିଲେ ବି ତାଙ୍କୁ ବାଟରେ ସେଭଳି କିଛି କଷ୍ଟ ଲାଗିନି ବୋଲି କହିଛନ୍ତି ପ୍ରମୋଦ।

 

ରାଜ୍ୟରେ ବଢ଼ିବାରେ ଲାଗିଛି ଟିକା ସଂକଟ, ଆଜି ବି ୧୦ ଜିଲ୍ଲାରେ ବନ୍ଦ ଟିକାକରଣ

ଭୁବନେଶ୍ୱର: ଆଜି ବି ରାଜ୍ୟର ୧୦ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ। କେନ୍ଦ୍ର ଆବଶ୍ୟକୀୟ ଟିକା ଦେଉନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ। ଆସନ୍ତା ୧୫ରେ କେନ୍ଦ୍ର ସରକାର କୋଭିସିଲଡ ଟିକା ପଠାଇବେ। ତେଣୁ ସେ ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ। ଆଜି ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ ସୋନପୁରରେ ଭ୍ୟାକ୍ସିନେସନ ବନ୍ଦ ରହିବ। ରାଜ୍ୟ ସରକାର ରେକର୍ଡ ଟିକାକରଣ କରୁଥିବା ବେଳେ କେନ୍ଦ୍ରର ଟାଳଟୁଳ ନୀତି ପାଇଁ ଟିକାକରଣରେ ବାଧା ସୃଷ୍ଟି ହେଉଛି। ଗତକାଲି ୫ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ତେଣୁ ତୁରନ୍ତ କୋଭିସିଲଡ ଟିକା ପଠାଇବା ପାଇଁ ଦାବି କରିଛନ୍ତି ରାଜ୍ୟସରକାର। ସେପଟେ ୧୫ତାରିଖ ପରେ ଟିକାକରଣରେ ସାମିଲ ହେବେ ଗର୍ଭବତୀ। ଏନେଇ ସ୍ୱତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ। ଘର ପାଖ ଟିକା କେନ୍ଦ୍ରରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିଲାଗି ଟିକାକେନ୍ଦ୍ରରେ ସ୍ୱତନ୍ତ୍ର କକ୍ଷ କରାଯାଇଛି। ଟିକା ନେଇଥିବା ଓ ଟିକା ନେବାକୁ ଥିବା ଗର୍ଭବତୀଙ୍କ ତାଲିକା ରହିବ ଟିକାକେନ୍ଦ୍ରରେ। ଏଥିଲାଗି ସ୍ୱତନ୍ତ୍ର ଭାବେ ଆଶାକର୍ମୀ, ଅଙ୍ଗନବାଡୀ, ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯାଇଛି।

ଭୁବନେଶ୍ୱର ଓ କଟକର ୧୪୦ ସିନେମା ହଲ୍ କର୍ମଚାରୀଙ୍କ ପରିବାର ପାଇଁ ରାସନ୍ ସାମଗ୍ରୀ ପ୍ରଦାନ କଲେ ସବ୍ୟାର୍ଚ୍ଚିତ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ପରେ ଏବେ ସିନେମା ଶିଳ୍ପ ସହ ଜଡ଼ିତ କର୍ମଚାରୀଙ୍କୁ ସାହା ହୋଇଛନ୍ତି ସବ୍ୟସାଚୀ । କରୋନା କଟକଣା ଯୋଗୁଁ ଚଳଚ୍ଚିତ୍ର ଏବଂ ଏଥିସହିତ ଜଡ଼ିତ ଅନ୍ୟାନ୍ୟ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି । ପ୍ରେକ୍ଷାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ହାତ ବାନ୍ଧି ଘରେ ବସି ରହିଛନ୍ତି । ସିନେମା ହଲ୍ କର୍ତ୍ତୃପକ୍ଷ କର୍ମଚାରୀରୀଙ୍କ ପରିବାର ଚଳେଇବାପାଇଁ ଯଥାସମ୍ଭବ ସାହାଯ୍ୟ କଲେ ମଧ୍ୟ କରୋନାର କଡ଼ ଲେଉଟାଣି ସେମାନଙ୍କୁ ମଧ୍ୟ ଅସ୍ତବ୍ୟସ୍ତ କରିପକାଇଛି । ଏଭଳି ସମୟରେ ପ୍ରେକ୍ଷାଳୟ କର୍ମଚାରୀଙ୍କୁ ସାହା ହୋଇଛନ୍ତି ସବ୍ୟାର୍ଚ୍ଚିତ । ଅର୍ଥାତ ଓଲିଉଡ୍ ଅଭିନେତା ସବ୍ୟସାଚୀ ଏବଂ ଅର୍ଚ୍ଚିତା ।

ସେମାନେ କଟକର ସମସ୍ତ ସିନେମା ହଲର କର୍ମଚାରୀଙ୍କ ପାଇଁ ମାସିକ ରାସନ୍ ଧରି ହଲ୍‌ରେ ପହଞ୍ଚିଥିଲେ । ଭୁବନେଶ୍ୱରର କେଶରୀ ହଲ୍ ଠାରେ ଶ୍ରୀୟା, ସ୍ଵାତି, ସ୍ତୁତି, ମହାରାଜା ଓ କେଶରୀର କର୍ମଚରୀ ଏବଂ କଟକର ବୃନ୍ଦାବନ ଟକିଜ୍‌ଠାରେ ସମ୍ରାଟ, ଗ୍ରାଣ୍ଡ, ସଙ୍ଗମ ଓ ବୃନ୍ଦାବନର କର୍ମଚାରୀ ଏକାଠି ହୋଇ ରାସନ୍ ଗ୍ରହଣ କରିଥିଲେ । ସମସ୍ତ ହଲ୍ କର୍ତ୍ତୃପକ୍ଷ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ସାଧୁବାଦ ଜଣେଇଛନ୍ତି। ଏହି ଅବସରରେ ଭରତଚନ୍ଦ୍ର ଭଞ୍ଜଦେଓ, ନମିତା କାନୁନଗୋ, ପ୍ରବୀଣ ଅଗରୱାଲ୍, ଡକ୍ଟର ଅମ୍ରିତ୍ ପାଟଯୋଶୀ, ଜିତୁ ଖଣ୍ଡଲୱାଲ୍ , କିଶୋର ୱାଡ଼ର୍ ଓ ସ୍ମାଇଲ ପ୍ଲିଜ୍ ର ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍‌ ଟେଷ୍ଟିଂ: ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି