spot_img
Home Blog Page 5441

୪ ଦଶମିକ ୫ ଇଞ୍ଚ ଉଚ୍ଚତାର ରଥରେ ବିରାଜମାନ ବଡ଼ ଠାକୁର, ମନ ମୋହୁଛି ସୁନ୍ଦର କାରୁକାର୍ଯ୍ୟ

ଖୋର୍ଦ୍ଧା: କୁନି ରଥରେ ଜଗନ୍ନାଥ। ସୂକ୍ଷ୍ମ ଶିଳ୍ପୀଙ୍କ ହାତରେ ମାତ୍ର ୪ ଦଶମିକ ୫ ଇଞ୍ଚ ଉଚ୍ଚତାର ରଥ ନିର୍ମାଣ କରାଯାଇଥିବା ବେଳେ ରଥରେ ଏକ ଇଞ୍ଚର ଠାକୁର ବିରାଜମାନ କରିଥିବା ଦେଖିବାକୁ ମିଳିଛି।  ଜଟଣୀର ଈଶ୍ୱର ରାଓ ନିଜର ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମାଣ କରିଛନ୍ତି ଏହି କୁନିରଥ। ୪୩୫ ଖଣ୍ଡ ଦିଆସିଲି କାଠିରେ ନିର୍ମାଣ ହୋଇଛି ରଥ। କାଠିକୁ କାଠି ଯୋଡି ରଥ ନିର୍ମାଣ ହୋଇଛି। ରଥରେ ନାଲି, ହଳଦିଆ, ସବୁଜ ରଙ୍ଗ ଦେଇ ତାକୁ ଆକର୍ଷିତ କରିଛନ୍ତି ଈଶ୍ୱର। ନିଜର ସୂକ୍ଷ୍ମ କାରିଗରୀରେ ଏକ ଇଞ୍ଚ ଉଚ୍ଚତାର ତିନି ଠାକୁର ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରାଙ୍କ ମୂର୍ତ୍ତି ତିଆରି କରିଛନ୍ତି। ତିନି ଠାକୁରଙ୍କ ମୂର୍ତ୍ତି ନିମ୍ବ କାଠରେ ନିର୍ମାଣ ହୋଇଛି। ଈଶ୍ୱରଙ୍କ ଏହି କଳାକୃତିକୁ ସୋସିଆଲ ମିଡିଆରେ ଭୁରି ଭରି ପ୍ରଂଶସା କରାଯାଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ସମସ୍ତେ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖୀବାକୁ ମନ ସ୍ଥିର କରିଥିବା ବେଳେ ଈଶ୍ୱରଙ୍କ ଏହି କୁନି ରଥରେ ମହାପ୍ରଭୁ ପୂଜା ପାଇବେ।

ଦୀର୍ଘ ୮ ଘଣ୍ଟା ଧରି ଚାଲିଛି ମାଓ-ପୋଲିସ ମଧ୍ୟରେ ଗୁଳି ବିନିମୟ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ମାଓ-ପୋଲିସ ମୁହାଁମୁହିଁ। ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଦୀର୍ଘ ୮ଘଣ୍ଟା ଧରି ଚାଲିଛି ପୋଲିସର କୁମ୍ବି ଅପରେସନ୍। ମାଓବାଦୀ ଲୁଚିଥିବା ସୂଚନା ପାଇ ପୂରା ଅଞ୍ଚଳକୁ ସିଲ୍ କରିଥିଲା ପୋଲିସ। ଏବେବି ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ଗୁଳି ବିନିମୟ। ଏଠାରେ କେକେବିଏନ ମାଓ ସଙ୍ଗଠନ ସକ୍ରିୟ ରହିଛି। ବୌଦ୍ଧ ଓ କନ୍ଧମାଳ ସୀମାନ୍ତରେ ଥିବା ନାରାୟଣପ୍ରସାଦ ଓ ଉମା ପଞ୍ଚାୟତ ନିକଟ ଜଙ୍ଗଲରେ ଅପରେସନ ଚାଲିଥିବା କୁହାଯାଉଛି। ମାଓ ବିରୋଧୀ ଅପରେସନରେ ଗୋଟିଏ ହେଲିକପ୍ଟର ସାମିଲ ଥିବା କୁହାଯାଉଛି। ସୋନପୁର ଘଣ୍ଟାପଡ଼ା ହାଇସ୍କୁଲ ପଡ଼ିଆରେ ଏହି ହେଲିକପ୍ଟର ପ୍ରସ୍ତୁତ ଅଛି। ଗୁଳି ବିନିମୟରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ପାଖାପାଖି ୧୦୦ରୁ ଅଧିକ ମାଓବାଦୀ ଡେରା ପକାଇଥିଲେ। ଖବର ପାଇ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି।

ନୂଆ ରୂପ ନେବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ, ନିର୍ମାଣ ହେବ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିୟମ

ଭୁବନେଶ୍ୱର: ନୂଆ ରୂପ ନେବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିୟମ ନିର୍ମାଣ ହେବ। ୪୦୦ ମିଟରର ଟ୍ରାକ ଥିବା ଏକ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଛି। ଏହାସହ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ବିଶ୍ୱସ୍ତରୀୟ ଟେନିସ କୋର୍ଟ ନିର୍ମାଣ ହେବ। ଯେଉଁଠି ଡେଭିସ କପ ଭଳି ଷ୍ଟାଣ୍ଡାର୍ଡର ପ୍ରତିଯୋଗିତା ଖେଳାଯାଇପାରିବ। ହାଇ ପରଫରମାନ୍ସ ସେଣ୍ଟର ପାଇଁ ଆଉ ଏକ ବିଶ୍ୱସ୍ତରୀୟ ସୁଇମିଂ ପୁଲ୍‌ ନିର୍ମାଣ ହେବ। କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ଇଭେଣ୍ଟ ହେଲେ ଆସୁଥିବା ଅତିଥିମାନଙ୍କ ପାଇଁ ଏକ ଗେଷ୍ଟ ହାଉସ ନିର୍ମାଣ ହେବ। ଏହାସହ ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ଏକ ସ୍ପୋର୍ଟ ହଷ୍ଟେଲ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମାଣ ହେବ।

ଡାକ୍ତରଖାନାର ତୃତୀୟ ମହଲା ଉପରୁ ଡେଇଁ ଆତ୍ମହତ୍ୟା କଲେ ମହିଳା ରୋଗୀ

ରାୟଗଡ଼ା: ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ମେଡିକାଲ ତୃତୀୟ ମହଲାରୁ ଡେଇଁ ଜଣେ ମହିଳା ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ୨୮ ବର୍ଷୀୟ ରଜନୀ ମେଲେକା। କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ରଜନୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ତେବେ ଆଜି ଭୋରରୁ ସେ ଚିକିତ୍ସାଳୟ ତୃତୀୟ ମହଲାର ବାଥରୁମ ଯାଇ ସେଠାରୁ ତଳକୁ ଡେଇଁ ପଡିଥିଲେ। ଡେଇଁ ପଡିବା ପରେ ତଳେ ପଡି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସେ କାହିଁକି ଡେଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଛେଦ କରିଛି।

ଗାଁ ମୁହାଁ ଗୋଠଛଡ଼ା ଦନ୍ତାହାତୀ, ଘର ଭାଙ୍ଗିଲେ ଧାନ ବସ୍ତା ନଷ୍ଟ କଲେ

କେନ୍ଦୁଝର: କେନ୍ଦୁଝର ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ ଅଞ୍ଚଳରେ ଗୋଠଛଡ଼ା ଦନ୍ତାହାତୀ ଉପଦ୍ରବ। ପଡାଙ୍ଗ ପଞ୍ଚାୟତର ଅହିଗୋଳା ଗାଁ ଜୁଆଙ୍ଗ ସାହିରେ ଗତକାଲି ବିଳମ୍ବିତ ରାତିରେ ଗୋଠଛଡା ଦନ୍ତା ଉତ୍ପାତ ମଚାଇଥିଲା। ରାତି ପ୍ରାୟ ୪ଟା ସମୟରେ ରବି ପେଣ୍ଠେଇ ଓ ତାଙ୍କ ସ୍ତ୍ରୀ  ୨ପିଲାଙ୍କ ସହିତ ଘରେ ଶୋଇଥିବା ବେଳେ ଦନ୍ତା ଘର ଭାଙ୍ଗିଦେଇଥିଲା। ଭୟରେ ପିଲାଛୁଆ ଧରି ସାହି ଭିତରେ ଥିବା ପଡ଼ିଶା ଘରକୁ ଲୁଚି ପଳାଇ ଥିଲେ।

ଦନ୍ତା ଘର ଭାଙ୍ଗିବା ସହ  ଦୁଇବସ୍ତା ଧାନ ଖାଇବା ସହ ଦୁଇବସ୍ତା ଚାଉଳ ଟେକି ନେଇ ଚାଲି ଯାଇଥିଲା। ଏବଂ ହାଣ୍ଡିରେ ଥିବା ପଖାଳକୁ ମଧ୍ୟ ଖାଇ ଦେଇଥିଲା। ଗାଁରେ ଦନ୍ତା ପଶିବା ଦେଖି ଲୋକେ ବନବିଭାଗକୁ ଜଣାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା। ଫଳରେ ଗାଁ ଲୋକେ ଟାୟାର ଜାଳି ହାତୀକୁ ଘଉଡାଇଥିଲେ। ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ସେଠାରୁ ଆସୁଥିବା ଲୋକଙ୍କ ଟ୍ରେସିଂ, ଟେଷ୍ଟିଂ  ଓ ଟ୍ରିଟମେଣ୍ଟ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିଛନ୍ତି। ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ଓ ନୂଆ ମ୍ୟୁଟାଣ୍ଟ ଦେଖାଦେଇଛି। ଏହି ଦୁଇ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡ଼ି, ଆଶା ଦିଦି ଓ ସର୍ଭେଲାନ୍ସ କରୁଥିବା ଟିମଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି। କେବଳ ରାଜ୍ୟ ସରକାର ନୁହନ୍ତି, କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେବାକୁ ସେ ମତ ରଖିଛନ୍ତି।

ପ୍ରଥମ ଓ ଦ୍ୱିତୀୟ ଲହରରେ ସରକାର ଯେଉଁ ପଦକ୍ଷେପ ନେଇଥିଲେ, ତୃତୀୟ ଲହର ପାଇଁ ଅନେକ ଆଗୁଆ ପ୍ରସ୍ତୁତି ହୋଇଛି। ଆବଶ୍ୟକ ପଡ଼ିଲେ, ଆଇସିୟୁ, ବେଡ୍ ଓ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରାଯିବ। ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ୱାଗତ କରିଛନ୍ତି। ଏଭଳି ହେଲେ ଅନ୍ୟରାଜ୍ୟର ସଂକ୍ରମଣ ଆମ ରାଜ୍ୟରେ ବିଶେଷ କାୟା ବିସ୍ତାର କରିବନି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି।

ଦିନକ ପରେ ଟାହିଆ ଦୋହଲାଇ ବଡ଼ଦାଣ୍ଡକୁ ଛୁଟିଆସିବେ ଚତୁର୍ଦ୍ଧା ମୁରତି, ହେଲେ ଖାଁଖାଁ ଶ୍ରୀକ୍ଷେତ୍ର

ପୁରୀ: ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ବଡ଼ଦାଣ୍ଡକୁ ଟାହିଆ ଦୋହଲାଇ ଛୁଟି ଆସିବେ ଚତୁର୍ଦ୍ଧା ମୁରତି। ଆଉ ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ ବିନା ଖାଁ ଖାଁ ବଡ ଦାଣ୍ଡ। ଭକ୍ତ ଓ ଭଗବାନଙ୍କ ମିଳନରେ ପ୍ରତିବନ୍ଧକ ସାଜିଛି କରୋନା ସଂକ୍ରମଣ। କଟକଣାରେ ଗଡ଼ିବ ମହାବାହୁଙ୍କ ରଥ। ବିନା ଭକ୍ତରେ ମାଉସୀଙ୍କ ଘରକୁ ଯିବେ ତିନି ବିଗ୍ରହ। ସେପଟେ ଆଜି ହେଉଛି ଶ୍ରୀଜିଉଙ୍କ ଉଭାଯାତ୍ରା। ରଥଯାତ୍ରା ପୂର୍ବୁରୁ ଆଜି ସରିବ ରଥକନା ମଣ୍ଡଣି। ଅନବସରର ୧୫ଦିନ ଗୁପ୍ତନୀତି ପରେ ଗତକାଲି ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାବାହୁ।

କୋଭିଡ୍ କଟକଣା ଯୋଗୁ ଭକ୍ତ ନବଯୌବନ ବେଶର ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ତେବେ ଦୀର୍ଘ ପନ୍ଦର ଦିନ ପରେ ଭକ୍ତମାନେ ବଡ଼ଦାଣ୍ଡରୁ ପତିତପାବନଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇପଡିଥିଲେ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ସମୀକ୍ଷା କରିବେ ବରିଷ୍ଠ ପୋଲିସ ଅଧିକାରୀ। ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା, କେନ୍ଦ୍ରଞ୍ଚଳ ଆଇଜି, ଏସପି ଓ ୨୦୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ଏହି ବୈଠକରେ ସାମିଲ ହେବେ। ଭକ୍ତ ଶୂନ୍ୟ ରଥ ଯାତ୍ରା କିଭଳି ପାଳନ ହେବ ଓ ରଥଟଣା କାର୍ଯ୍ୟ କିଭଳି ଶେଷ ହେବ ହେବ ସେନେଇ ବୈଠକରେ ଆଲୋଚନା ହେବ। କଟକଣା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି  ରାତି ୮ରୁ ୧୩ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ।

ଆବାସ ଗୃହ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହେଲେ ଠିକାଦାର

ଉମରକୋଟ: ଗରିବ ହିତାଧିକାରୀଙ୍କ ଆବାସ ଗୃହ ଟଙ୍କା ହଡ଼ପ ଅଭିଯୋଗ। ଗିରଫ ହେଲେ ୪୨୦ ଠିକାଦାର। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ। କୁର୍ସି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଅନେକ ହିତାଧିକାରୀଙ୍କ ନାଁରେ ଆସିଥିବା ଅନୁଦାନକୁ ଚଞ୍ଚକତା କରି ଠିକାଦାର ସଞ୍ଜୀବ ସୁବୁଦ୍ଧି ହଡ଼ପ କରିଥିବା ଉମରକୋଟ ଥାନା ରେ ଅଭିଯୋଗ ହୋଇଛି।

ଏକାଥରକେ ୫ଟି ଏତଲା ଆସିବା ପରେ ଘଟଣାର ପ୍ରାଥମିକ ତଦନ୍ତ କରି ଠିକାଦାର ସଞ୍ଜୀବ ସୁବୁଦ୍ଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି ଉମରକୋଟ ପୋଲିସ। ସୂଚନା ଅନୁସାରେ ନୁଆପାରା ଗାଁରେ ୫ ବର୍ଷ ତଳେ ରଜବତୀ କଲାର, ଫୁଲମତି ଗଣ୍ଡ, ମଙ୍ଗତି ଗଣ୍ଡ, ଜୟମଣି ଗଣ୍ଡ, ମାରୀ ଗଣ୍ଡଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ମିଳିଥିଲା।

ନିରୀହ ଆଦିବାସୀ ସମ୍ପ୍ରଦାୟ ହୋଇଥିବାରୁ ପକା ଘର ତିଆରିର ଏତେ ଧାରଣା ନାହିଁ। ଏହାର ସୁଯୋଗ ନେଇ ସଂଜୀବ ସୁବୁଦ୍ଧି ନାମକ ଠିକାଦାର ଘର ତିଆରି କରାଇ ଦେବାକୁ କହି ସେମାନଙ୍କର ଆଧାର କାର୍ଡ, ବ୍ୟାଙ୍କ୍ ପାସ୍ ବୁକ୍ ସହ ଆବଶ୍ୟକ କାଗଜପତ୍ର ମାଗି ନେଇଥିଲା। ଏବଂ ସେମାନଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଉଠାଇନେବା ସହ  ଘର କାମ କିନ୍ତୁ ଅଦାରେ ପକାଇଥିବା ଅଭିଯୋଗ ହୋଇଛି। ଘର ସମ୍ପୂର୍ଣ୍ଣ କରିବାକୁ ସୁନା ଓ ଜମି ବନ୍ଧା ପକାଇ କିଛି କିଛି କାମ କରିଛନ୍ତି ଏମାନେ। ସେପଟେ ଫୋନ୍ ଉଠାଇନଥିଲା ସଂଜୀବ ସୁବୁଦ୍ଧି ଅନ୍ୟପଟେ ଥାନାରେ ଏତଲା ପରେ ଗିରଫ ହୋଇଛି ସଞ୍ଜୀବ। ଜାମିନ ନାମଞ୍ଜୁର ହେବାରୁ ବର୍ତ୍ତମାନ ଉମରକୋଟ ଉପ କାରାଗାରକୁ ପଠାଇ ଦିଆଯାଇଛି।

ରାଜ୍ୟରେ ବଢ଼ୁଛି ବାଘଛାଲ ବେପାର, ପୁଣି ଜବତ ହେଲା ୪ ବାଘଛାଲ

କଳାହାଣ୍ଡି: କଳାହାଣ୍ଡିରୁ ୪ ବାଘଛାଲ ଜବତ । ୪ ଅଭିଯୁକ୍ତଙ୍କୁ ଗିରଫ କଲା ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ଜାଲ ବିଛାଇ ଦକ୍ଷିଣ ବନଖଣ୍ଡ ଶଗଡା ଅଂଚଳରୁ ୩ ଚିତାବାଘ ଛାଲ ସହ ଗୋଟିଏ ମହାବାଳ ବାଘ ଛାଲ ଜବତ କରିଛି । କ୍ରାଇମ୍ ବୋର୍ଡ଼ ଅଧିକାରୀ ବିପିନ ଚୌଧୁରୀଙ୍କ ନେତୃତ୍ୱରେ ଗରିଆବନ୍ଧ, ନୁଆପଡା ଓ କଳାହାଣ୍ଡିର ବନ ଅଧିକାରୀ ସାମିଲ୍ ଅଛନ୍ତି । ଟିମ୍ ବେପାରୀ ପରିଚୟ ଦେଇ ରାଜ୍ୟ ବନ୍ୟଜନ୍ତୁ ସାମଗ୍ରୀ ଚୋରା ଚାଲାଣକାରୀ ଦଳର ପର୍ଦ୍ଦାଫାଶ କରିଛି । ଏହି ରାକେଟ୍ ଓଡ଼ିଶା, ଛତିଶଗଡ, ପଶ୍ଚିମବଙ୍ଗରେ ସକ୍ରିୟ ରହିଥିଲେ ।

ଉନ୍ମୋଚନ ହେଲା ଜଗନ୍ନାଥ ଆଧାରିତ ଛଅଟି ଭଜନର ଅଡିଓ

ଭୁବନେଶ୍ୱର: ମିରାମ୍ବିକା ପ୍ରଡକ୍ସନ ତରଫରୁ କବି ନିରଞ୍ଜନ ସେଠୀଙ୍କ ରଚିତ ଜୀବନ, ଯନ୍ତ୍ରଣା ଓ ଜଗନ୍ନାଥ ଆଧାରିତ ଛଅଟି ଗୀତର ଅଡିଓ ‘ପୁଣ୍ୟବ୍ରହ୍ମ’ଏବଂ ସାଇ ସୃତି ପବ୍ଲିକେସନ ତରଫରୁ ‘ପ୍ରୀତିନୀଡ଼’ ଓ “ନଥିବା ଲୋକର ଛାଇ ,’ଦୁଇଟି କବିତା ସଂକଳନର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଏବଂ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ସାଂସଦ କବି ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବ ପ୍ରଶାସକ ରବି ନାରାୟଣ ନନ୍ଦ, ଗବେଷକ ବାଗ୍ମୀ ପ୍ରଫେସର ପାର୍ଥ ସାରଥୀ ଅଜୟ ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।

ଜୀବନ, ଜଞ୍ଜାଳ, ଯନ୍ତ୍ରଣା ଓ ଜଗନ୍ନାଥଙ୍କୁ ନେଇ ଅଡିଓ ପୁଣ୍ୟବ୍ରହ୍ମ ଅତ୍ୟନ୍ତ ଭଲ ଦୃଦୟସ୍ପର୍ଶୀ ଏବଂ ଏହା ସଙ୍ଗୀତ ଜଗତକୁ ଏକ ବଳିଷ୍ଠ ଅବଦାନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

କବି ନିରଞ୍ଜନ ସେଠୀଙ୍କ ଗୀତିକବିତା ସଂକଳନ ‘ପ୍ରୀତିନୀଡ଼’ପ୍ରେମ, ବିରହ, ବିଚ୍ଛେଦ, ପ୍ରତାରଣାର କଥା କହୁଥିବା ବେଳେ ଆଧୁନିକ କବିତା ସଂକଳନ ‘ନଥିବା ଲୋକର ଛାଇ’ ଭିନ୍ନ ସ୍ୱାଦର କଥା କହେ। ଜୀବନର ପ୍ରତି ପାଦରେ ଦୁଃଖ, ଯନ୍ତ୍ରଣା ଓ ଅମାନବୀୟ ଅବବୋଧରେ ଛଟପଟ ଜୀବନରେ ଅଦୃଶ୍ୟରେ  ମଣିଷକୁ କେହି ଜଣେ ବାଟ କଢେଇ ନେଉଥିବା କଥା କବି ଅଙ୍ଗେ ଅଙ୍ଗେ ଅନୁଭବ କରିଥିବା କବିତାଗୁଡିକର ସାରମର୍ମ। ଅତ୍ୟନ୍ତ ସରଳ ସାବଲୀଳ ଶବ୍ଦ ବିନ୍ୟାସରେ ପରିସ୍ଫୁଟ ଶ୍ରୀ ସେଠୀଙ୍କ ଦ୍ୱାରା ରଚିତ କବିତା ସଂକଳନ ଦୁଇଟି ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ।