spot_img
Home Blog Page 5448

ଦେଶରେ ୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା କମୁଛି । ପ୍ରତିଦିନ ପ୍ରାୟ ୪୫ ହଜାର ସଂକ୍ରମଣ ମାମଲା ଆସୁଛି । ବିଗତ ୨୪ ଘଣ୍ଟାରେ ଦେଶରେ ୪୫ ହଜାର ୮୯୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୮୧୭ ଜଣ ଆକ୍ରାନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୪୪ ହଜାର ୨୯୧ ଜଣ ।

ଦେଶରେ କରୋନା ମାମଲା

ମୋଟ ସଂକ୍ରମଣ- ୩ କୋଟି ୭ ଲକ୍ଷ ୯ ହଜାର ୫୫୭

ମୋଟ ସୁସ୍ଥ- ୨ କୋଟି ୯୮ ଲକ୍ଷ ୮୨୫

ସକ୍ରିୟ ମାମଲା- ୪ ଲକ୍ଷ ୬୦ ହଜାର ୭୦୪

ମୋଟ ମୃତ୍ୟୁ- ୪ ଲକ୍ଷ ୫ ହଜାର ୨୮

୧୧ଟି ଖଣି ନିଲାମ ପାଇଁ ଆଜିଠୁ ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର: ୧୧ଟି ଖଣିର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଆଜିଠାରୁ ଆରମ୍ଭ ହୋଇଛି ଟେଣ୍ଡର ପ୍ରକ୍ରିୟା । ଏଥିରେ ୭ଟି ଲୁହାପଥର ଖଣି ଏବଂ ୨ଟି ଲୁହାପଥର-ମାଙ୍ଗନିଜ ଖଣି ରହିଛି । ନଦୀଡ଼ିହି, ପୁରେଇବାହଲ, ଚାନ୍ଦିପୋଷି, ପଥରିପୋଷି ପାହାଡ଼, ଡୋଲଟା ପାହାଡ଼, ନେତ୍ରାବନ୍ଧ ପାହାଡ଼ ଏବଂ ଗନ୍ଧଲପଡା ଲୁହାପଥର ଖଣି ନିଲାମ ହେବ ।

Auction Process For 11 Mines Started From Today

ସେହିଭଳି ନଦୀଡ଼ିହି ଓ ତେହେରାଇ ଲୁହାପଥର-ମାଙ୍ଗନିଜ ଖଣି ନିଲାମୀ କରାଯାଉଛି । ଏହା ସହ କାଶିଆ ଲୁହାପଥର-ଡୋଲାମାଇଟ ଏବଂ କର୍ଲପଟ ବକ୍ସାଇଟ୍ ଖଣି ନିଲାମ ପାଇଁ ଟେଣ୍ଡର ଡକାଯାଇଛି । ପ୍ରଥମଥର ପାଇଁ ବକ୍ସାଇଟ୍ ବ୍ଲକ ଅକ୍ସନ ହେବ । ନିଲାମୀର ଶେଷ ତାରିଖ ଅଗଷ୍ଟ ୨୦ ତାରିଖ ରହିଛି । ପୂର୍ବରୁ ରାଜ୍ୟ ସରକାର ୨୪ଟି ଖଣିର ନିଲାମୀ ପ୍ରକ୍ରିୟା ସାରିଛନ୍ତି ।

ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୨୫୪୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୨୫୪୨ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୪୫୮ଟି ମାମଲା ଆସିଥିବା ବେଳେ ୧୦୮୪ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । କଟକରୁ ସର୍ବାଧିକ ୪୨୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୪ଟି ପଜିଟିଭ୍ କେସ୍ ଆସିଛି ।

ଅନୁଗୁଳରୁ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୨୧, ବରଗଡ଼ରୁ ୧୭, ଭଦ୍ରକରୁ ୧୦୦, ବଲାଙ୍ଗିରରୁ ୨, ବୌଦ୍ଧରୁ ୭, ଦେବଗଡ଼ରୁ ୭, ଢେଙ୍କାନାଳରୁ ୩୪, ଗଜପତିରୁ ୧୫, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୧୨୮, ଯାଜପୁରରୁ ୧୩୯, ଝାରସୁଗୁଡ଼ାରୁ ୨୪, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୬୭, କେନ୍ଦୁଝରରୁ ୬୯, କୋରାପୁଟରୁ ୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମାଲକାନଗିରିରୁ ୪୨, ମୟୂରଭଞ୍ଜରୁ ୧୨୪, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୭୮, ନୂଆପଡ଼ାରୁ ୮, ପୁରୀରୁ ୧୫୦, ରାୟଗଡ଼ାରୁ ୩୭, ସମ୍ବଲପୁରରୁ ୨୮, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୫୭ ଓ ଷ୍ଟେଟପୁଲରୁ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦କୁ ବୃଦ୍ଧି ପାଇଛି । ୨୭ ହଜାର ୫୮୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୯ ଲକ୍ଷ ୨୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂଆ ୫୭ଟି ମୃତ୍ୟୁ ମାମଲାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୪୧୫କୁ ବୃଦ୍ଧି ପାଇଛି ।

ମହଙ୍ଗା ମାଡ଼, ପୁଣି ବଢ଼ିଲା ଡିଜେଲ୍ ସହ ପେଟ୍ରୋଲ୍ ଦର

ନୂଆଦିଲ୍ଲୀ: ସାଧାରଣ ଲୋକର ପକେଟକୁ ମହଙ୍ଗା ମାଡ଼ । ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ଲିଟର ପିଛା ୯ ପଇସା ମହଙ୍ଗା ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି । ଦେଶର ସମସ୍ତ ବଡ଼ ସହରରେ ପେଟ୍ରୋଲ୍ ଦର ଶହେ ପାର୍ କରିଛି ।

Petrol And Disel Price Increaed Today

କୋଲକାତାରେ ପେଟ୍ରୋଲ୍ ଲିଟର ପିଛା ଦର ରହିଛି ୧୦୦ ଟଙ୍କା ୬୨ ପଇସା । ଚେନ୍ନାଇ ଓ ମୁମ୍ବାଇରେ ପୂର୍ବରୁ ପେଟ୍ରୋଲ୍ ଦର ସେଞ୍ଚୁରୀ ମାରି ସାରିଛି । ମୁମ୍ବାଇରେ ମେ ୨୯କୁ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ପାର୍ କରିଥିବା ବେଳେ ଏବେ ଲିଟର ପିଛା ୧୦୬ ଟଙ୍କା ୫୯ ପଇସାରେ ବିକ୍ରି ହେଉଛି ।

କେଉଁ ସହରରେ କେତେ ଦର ?

ସହର ପେଟ୍ରୋଲ ଦର ଡିଜେଲ ଦର
ମୁମ୍ବାଇ ୧୦୬ ଟଙ୍କା ୫୯ ପଇସା ୯୭ ଟଙ୍କା ୧୮ ପଇସା
କୋଲକାତା ୧୦୦ ଟଙ୍କା ୬୨ ପଇସା ୯୨ ଟଙ୍କା ୬୫ ପଇସା
ଚେନ୍ନାଇ ୧୦୧ ଟଙ୍କା ୩୭ ପଇସା ୯୪ ଟଙ୍କା ୧୫ ପଇସା
ଭୋପାଳ ୧୦୮ ଟଙ୍କା ୮୮ ପଇସା ୯୮ ଟଙ୍କା ୪୦ ପଇସା
ବେଙ୍ଗଳୁରୁ ୧୦୩ ଟଙ୍କା ୯୩ ପଇସା ୯୪ ଟଙ୍କା ୯୯ ପଇସା
ପାଟଣା ୧୦୨ ଟଙ୍କା ୭୯ ପଇସା ୯୫ ଟଙ୍କା ୧୪ ପଇସା
ଚଣ୍ଡିଗଡ଼ ୯୬ ଟଙ୍କା ୭୦ ପଇସା ୮୯ ଟଙ୍କା ୨୫ ପଇସା
ଲକ୍ଷ୍ନୌ ୯୬ ଟଙ୍କା ୬୭ ପଇସା ୯୦ ଟଙ୍କା ୦୧ ପଇସା
ରାଞ୍ଚି ୯୫ ଟଙ୍କା ୭୦ ପଇସା ୯୪ ଟଙ୍କା ୫୮ ପଇସା
ଭୁବନେଶ୍ୱର ୧୦୧ ଟଙ୍କା ୩୭ ପଇସା ୯୭ ଟଙ୍କା ୬୭ ପଇସା

ଆଜି ୪ ଜିଲ୍ଲାରେ କୋଭିଡ୍ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ସଂକଟ ଭିତରେ ଚାଲିଛି କୋଭିଡ୍ ଟିକାକରଣ ଆଜି ରାଜ୍ୟର ୪ ଜିଲ୍ଲାରେ କୋଭିଡ୍ ଟିକା ଦିଆଯିବ ନାହିଁ । ବଲାଙ୍ଗିର, ବାଲେଶ୍ୱର, ଢେଙ୍କାନାଳ ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଆଜି ରାଜ୍ୟର ମାତ୍ର ୭୦୩ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ ହେଉଛି ।

Covid Vaccination Stopped In 4 District

ଏବେ ରାଜ୍ୟ ପାଖରେ ୭ ତାରିଖ ସନ୍ଧ୍ୟା ସୁଦ୍ଧା କୋଭିସିଲ୍ଡର ୧ ଲକ୍ଷ ୯୦ ହଜାର ୩୮୦ ଡୋଜ୍ ରହିଛି । ସେହିଭଳି କୋଭାକ୍ସିନର ୨ ଲକ୍ଷ ୯୮ ହଜାର ୮୧୦ ଡୋଜ୍ ରହିଛି । ଏବେ ଭୁବନେଶ୍ୱର ସହ ଗଞ୍ଜାମରେ ଦିଆଯାଉଛି କୋଭାକ୍ସିନ୍ । ବାକି ଅନ୍ୟ ଜିଲ୍ଲାରେ କୋଭିସିଲ୍ଡ ଦିଆଯାଉଛି । ଆବଶ୍ୟକତା ଅନୁସାରେ କେନ୍ଦ୍ର କୋଭିସିଲ୍ଡ ଯୋଗାଣ କରୁନଥିବାରୁ ଅଧିକାଂଶ ସମୟରେ ଟିକାକରଣ ବନ୍ଦ ରହୁଛି ।

ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ: କିଭଳି ଚାଲିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ପ୍ରସ୍ତୁତି । କଣ ହୋଇଛି ବ୍ୟବସ୍ଥା ? ଆଜି ଏସବୁର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ଭର୍ଚୁଆଲ ମାଧ୍ୟମରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲେ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ୍‌ ବିଭାଗର ବରିଷ୍ଠ ଅଧିକାରୀ ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ଶ୍ରୀମନ୍ଦିର ବହୁ ଅଧିକାରୀ ଯୋଗ ଦେଇଥିଲେ ।

CM Naveen To Review Preparation Of Rath Yatra

ଘୋଷଯାତ୍ରାକୁ ଶୃଙ୍ଖଳିତ କରିବାକୁ ବୈଠକରେ ଆଲୋଚନା ହୋଇଛି । ଗତବର୍ଷ ଭଳି ଚଳିତ ବର୍ଷ କୋଭିଡ୍ କଟକଣାରେ ନବଦିନାତ୍ମକ ଯାତ୍ରା ସାରିବାକୁ ପ୍ରସ୍ତୁତ ରହିଛି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ । ଯାତ୍ରା ସମୟରେ ତିନୋଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେବ । କୋଭିଡ୍ କଟକଣାର ଅନୁପାଳନ ସହ କେବଳ ସେବାୟତ ହିଁ ରଥ ଟାଣିବେ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ସ୍ୱାସ୍ଥ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ଚିକିତ୍ସାଧୀନ ଅବସ୍ଥାରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂହଙ୍କ ପରଲୋକ ହୋଇଯାଇଛି । ଶିମଳାର ଇନ୍ଦିର ଗାନ୍ଧୀ ମେଡିକାଲ କଲେଜରେ ବୀରଭଦ୍ରଙ୍କ ମୃତ୍ୟୁ ହୋଇଛି । ବିଗତ ୩ ମାସରେ ୨ଥର କୋଭିଡରୁ ସୁସ୍ଥ ହେବା ପରେ ବୀରଭଦ୍ରଙ୍କୁ ଏପ୍ରିଲ ୨୩ରେ ଆଇଜିଏମସିଏଚରେ ଭର୍ତ୍ତି କରାଯାଇଥିଲା । ୮୭ ବର୍ଷୀଅ ବୀରଭଦ୍ର ସିଂହ ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିଲେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଅରକିର ବିଧାୟକ ବୀରଭଦ୍ର ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମେଡିକାଲ ଯାଇଥିଲେ ।

Former Chief Minister Of Himachal Pradesh Virbhadra Singh Dies

ବୀରଭଦ୍ର ସିଂହ ୯ ଥର ବିଧାୟକ, ୫ ଥର ସାଂସଦ ହୋଇଥିଲେ । ସେ ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିଲେ । ଏବେ ସେ ସୋଲନ ଜିଲ୍ଲାର ଅରକିରୁ ବିଧାୟକ ଥିଲେ । ପ୍ରଥମଥର କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଚଣ୍ଡିଗଡ଼ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡରୁ ଠିକ୍ ହେବା ପରେ ଏପ୍ରିଲ ୩୦ରେ ଘରକୁ ଫେରିଥିଲେ । ତେବେ ଘର ପହଞ୍ଚିବାର କିଛିଘଣ୍ଟା ପରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଫଳରେ ତାଙ୍କୁ ପୁଣିଥରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଚଳିତବର୍ଷ ଜାନୁଆରୀରେ ନିର୍ବାଚନ ରାଜନୀତିରୁ ସନ୍ୟାସ ନେଇ ଘୋଷଣା କରିଥିଲେ ବୀରଭଦ୍ର ସିଂହ । ସେ କହିଥିଲେ, ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । କିନ୍ତୁ ସେ କଂଗ୍ରସର ପ୍ରକୃତ ସୈନିକ ଥିଲେ, ସେଥଇପାଇଁ କଂଗ୍ରେସକୁ ମଜଭୁତ ଦଳ ଭାବେ ଦେଖିବାକୁ ଚାହୁଁଥିଲେ ।

Former Chief Minister Of Himachal Pradesh Virbhadra Singh Dies

୨୦୦୯ରେ ମନମୋହନ ସିଂହଙ୍କ ସରକାରରେ ଇସ୍ପାତ ମନ୍ତ୍ରୀ ଥିଲେ ବୀରଭଦ୍ର ସିଂହ । ୧୯୮୩ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲା ବୀରଭଦ୍ର । ଏହାପରେ ୧୯୯୦ରେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ୧୯୯୩ରୁ ୧୯୯୮, ୨୦୦୩ରୁ ୨୦୦୭ ଏବଂ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ବୀରଭଦ୍ର ସିଂହ । ଏହି ବରିଷ୍ଠ ନେତାଙ୍କ ବିୟୋଗରେ ହିମାଚଳପ୍ରଦେଶ ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ: ବଦଳିଲେ ପେଟ୍ରୋଲିୟମ୍ ବିଭାଗ ମନ୍ତ୍ରୀ

ନୂଆଦିଲ୍ଲୀ: ଆସିଲେ ନୂଆ, ଗଲେ ପୁରୁଣା। କିଛି ନୂଆ ଚେହେରା ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିବା ବେଳେ ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳି ହୋଇଛି । ନୂଆ କରି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ମନ୍ତ୍ରାଳୟ ମିଳିଥିବା ବେଳେ ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି । ଅପରପକ୍ଷରେ ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ୍ ବିଭାଗ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି । ସେହିପରି କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ମଧ୍ୟପ୍ରଦେଶ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦାୟିତ୍ୱ ମିଳିଛି । ସେହିଭଳି ଅନୁରାଗ ଠାକୁର- ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ମନ୍ତ୍ରାଳୟ, ପୁରୁଷୋତ୍ତମ ରୁପାଲା-ମତ୍ସ୍ୟ ଓ ପଶୁ ସମ୍ପଦ, ପଶୁପତି ପାରସ-ଖାଦ୍ୟ ପ୍ରକ୍ରିୟାକରଣ, ମନସୁଖ ମାଣ୍ଡଭ୍ୟ-ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଭୂପେନ୍ଦ୍ର ସିଂହ ଯାଦବ- ଶ୍ରମ ଓ ପରିବେଶ ମନ୍ତ୍ରାଳୟ, ସ୍ମୃତି ଇରାନୀ- ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ସର୍ବାନନ୍ଦ ସୋନଓ୍ୱାଲ ଆୟୁଷ ମନ୍ତ୍ରାଳୟ, ଜି.କିଷନ ରେଡ୍ଡୀ-ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଗିରିରାଜ ସିଂ- ଗ୍ରାମୀଣ ବିକାଶ,ପୀୟୁଷ ଗୋଏଲ- ବୟନ ଶିଳ୍ପ, ନାରାୟଣ ତାତୁ ରାଣେ- ଏମ୍‌ଏସ୍ଏମ୍‌ଇ ବିଭାଗ, ସର୍ବାନନ୍ଦ ସୋନଓ୍ୱାଲ – ସିପିଂ, ବନ୍ଦର ଓ ଆୟୁଷ ବିଭାଗ, ବୀରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ, ରାମଚନ୍ଦ୍ର ପ୍ରସାଦ ସିଂହ-ଷ୍ଟିଲ୍ ମନ୍ତ୍ରୀ, କିରନ୍ ରିଜିଜ୍ଜୁ -ଆଇନ, ରାଜ କୁମାର ସିଂହ-ଶକ୍ତି, ବିଶ୍ୱେଶ୍ୱର ଟୁଡୁ- ଜଳଶକ୍ତି, ମୀନାକ୍ଷୀ ଲେଖି- ବୈଦେଶିକ ବ୍ୟାପାର, ମହେନ୍ଦ୍ର ନାଥ ପାଣ୍ଡେ- ଭାରି ଶିଳ୍ପ, ଅନୁପ୍ରିୟା ସିଂ ପଟେଲ- ବାଣିଜ୍ୟ ମନ୍ତ୍ରାଳୟ, ନୀତିଶ ପ୍ରମାଣିଳ- କ୍ରୀଡ଼ା ଓ ଯୁବ ବ୍ୟାପାର (ରାଷ୍ଟ୍ରମନ୍ତ୍ରୀ) ଦାୟିତ୍ୱ ପାଇଛନ୍ତି ।

 

ଏଥର ରାଜ୍ୟରୁ ସର୍ବାଧିକ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ ବି ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିନି ପ୍ରତିଫଳନ

ଭୁବନେଶ୍ୱର: ବିଜେପି ଫୋକସ୍‌ରେ ନାହିଁ ଓଡ଼ିଶା । ଏଥର ରାଜ୍ୟରୁ ସର୍ବାଧିକ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ, ହେଲେ ମନ୍ତ୍ରିମଣ୍ଡଳରେ ତାର ପ୍ରତିଫଳନ ଦେଖିବାକୁ ମିଳିଲାନି । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କ୍ୟାବିନେଟ୍‌ରୁ ବିଦା ହୋଇଥିବା ବେଳେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିଛି । ତେବେ ଓଡ଼ିଶା ରାଜନୈତିକ ପାଣିପାଗ ସହ ଅଶ୍ୱିନୀଙ୍କ ସମ୍ପର୍କ ନାହିଁ । ଶାସନକୁ ଆସିବା ବେଳେ ପୂର୍ବ ଭାରତକୁ ବିକାଶର ପରୀକ୍ଷାଗାର କରିବା ନେଇ ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ପଶ୍ଚିମ ଓଡ଼ିଶାରୁ ଭଲ ପ୍ରତିନିଧିତ୍ୱ ସତ୍ତ୍ୱେ ମିଳିନି ସ୍ଥାନ ।

ମୋଦି ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଉପେକ୍ଷା । ପ୍ରତାପ ଷଡ଼ଙ୍ଗୀ ଆଉଟ୍‌, ବିଶ୍ୱେଶ୍ୱର ଇନ୍ । ଯାହା ଆଶା ଥିଲା, ମଉଳି ଯାଇଛି। ମତ୍ସ୍ୟ ପଶୁସମ୍ପଦ ସହ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଦର୍ଶନ ଭଲ ନଥିବାରୁ ସେ ବାଦ ପଡ଼ିଥିବା ଚର୍ଚ୍ଚା ହେଉଛି । ଏତେ ବଡ଼ ବିଭାଗର ସଠିକ୍ ନେତ୍ୱତ୍ୱ ନେବାରେ ବିଫଳ ହୋଇଛନ୍ତି ପ୍ରତାପ । ପ୍ରଥମ ଦଫାରେ ମନ୍ତ୍ରିମଣ୍ଡଳରେ ବିଗ୍‌ ଏଣ୍ଟ୍ରି ମାରିଥିବା ପ୍ରତାପ ପରେ ନିଜ ଭିନ୍ନ ଆଭିମୁଖ୍ୟ ନେଇ ଶୁଖିଲା ଚର୍ଚ୍ଚାରେ ରହିଥିଲେ । ପୁଣି କେତେବେଳେ ଗାଁସ୍ତରର ରାଜନୀତିରେ ଅଯଥା ମୁଣ୍ଡ ଖେଳାଇ ଅପବାଦ ମୁଣ୍ଡାଇଥିଲେ । ରାଜ୍ୟ ରାଜନୀତିରେ ବି ପ୍ରଭାବ ହରାଉଇଥିଲେ। ଏହା ସହ ବିଜେପି ହାତରେ ଥିବା ବାଲେଶ୍ୱର ବିଧାନସଭା ଉପନିର୍ବାଚନ ପରାଜୟ ପ୍ରତାପ ଷଡଙ୍ଗୀଙ୍କୁ ବ୍ୟାକ୍‌ଫୁଟ୍‌କୁ ଆଣିଥିଲା ।

ସେପେଟ ଓଡ଼ିଶା ବିଜେପିର ପାଓ୍ୱାର ହାଉସ୍‌ କୁହାଯାଉଥିବା ପଶ୍ଚିମ ଓଡ଼ିଶା ବି ପୁଣି ଥରେ ନିରାଶ ହୋଇଛି । ୪ଥରର ସାଂସଦ ସଙ୍ଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ, ବରିଷ୍ଠ ନେତା ସୁରେଶ ପୂଜାରୀଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଭରସା କରିପାରିନାହାନ୍ତି ପ୍ରଧାନମନ୍ତ୍ରୀ ଏବଂ ବିଜେପି ଥିଙ୍କ ଟ୍ୟାଙ୍କ। ପଶ୍ଚିମ ଓଡ଼ିଶା ଏଥର ବି ମନ୍ତ୍ରୀ ଶୂନ୍ୟ । ପ୍ରଥମ ଥର ପାଇଁ ଓଡ଼ିଶାରୁ ସର୍ବାଧିକ ୮ଜଣ ସାଂସଦ ନିର୍ବାଚିତ ହୋଇଥିଲେ ବି କେବଳ ଜଣେ ମନ୍ତ୍ରୀ ହୋଇଛନ୍ତି । ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯଦିଓ ଓଡ଼ିଆ, ହେଲେ ସେ ମଧ୍ୟପ୍ରଦେଶ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେହିପରି ସାଂସଦ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା କୋଟାରୁ ରାଜ୍ୟସଭା ଯାଇଥିଲେ ମଧ୍ୟ ମନ ପ୍ରାଣ ରାଜସ୍ଥାନରେ । ବିଶ୍ୱେଶ୍ୱରଙ୍କୁ ମନ୍ତ୍ରୀ କରି ଗୋଟେ ଗୁଳିରେ ତିନି ଶିକାର କରିବାକୁ ପ୍ରୟାସ ହୋଇଛି । ଆଦିବାସୀ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ବିଶ୍ୱେଶ୍ୱର ଜଣେ ଇଂଜିନିୟର ସାଙ୍ଗକୁ ଜାତୀୟ ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି । ପୁଣି ଓଡ଼ିଶା-ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସୀମାକୁ ପ୍ରତିନିଧିତ୍ୱ କରୁଛନ୍ତି । ଏସବୁକୁ ଆଲୋଚନା କଲେ, ଗୋଟିଏ କଥା ସ୍ପଷ୍ଟ, ବିଜେପିର ଫୋକସ ତାଲିକାରେ ଓଡ଼ିଶା ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଓଡ଼ିଶାରେ ବିଜେପି ରାଜନୈତିକ ଭବିଷ୍ୟତ ନାହିଁ, ଏକଥା ବିଜେପି ହାଇକମାଣ୍ଡ ବୁଝି ସାରିଲେଣି। ଅନେକ ପ୍ରୟାସ ପରେ ବି ଲୋକଙ୍କ ବିଶ୍ୱାସ ଜିତିବାରେ ବିଫଳ ହୋଇଛି ବିଜେପି । ସେଥିପାଇଁ ଏବେ ଓଡ଼ିଶା ଉପରୁ ଫୋକସ୍‌ ହଟାଉଥିବା ମନ୍ତ୍ରିମଣ୍ଡଳରୁ ସ୍ପଷ୍ଟ ହୋଇଛି ।

ଜନଜାତି ପରିବାରକୁ ୫ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ: ୬୦ ହଜାର ଏସ୍‌ସି ଓ ଏସ୍‌ଟି ପିଲା ପାଇଲେ ୩ ମାସର ଛାତ୍ର ବୃତ୍ତି

ଭୁବନେଶ୍ୱର: ଆଦିମ ଜନଜାତି ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା । ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାରମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ବ୍ୟାଙ୍କ ଆକାଉଣ୍ଟକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।

          ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ”ମୁଁ  ଜାଣେ କାରୋନା ରୋଗ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ଉପରେ ବହୁତ ପ୍ରଭାବ ପଢିଛି । ଆପଣମାନଙ୍କ ରୋଜଗାର ଉପରେ ମଧ୍ୟ ବହୁତ ପ୍ରଭାବ ପଡିଛି । ଏ ବିପଦ ସମୟରେ ଆପଣମାନେ ଏକା ନୁହନ୍ତି । ଆପଣଙ୍କ ସାଥିରେ ସରକାର ଅଛନ୍ତି । ଆପଣଙ୍କ କଲ୍ୟାଣ ପାଇଁ ସରକାର କାମ କରୁଛନ୍ତି ।’ ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ୧୬୭୯ଟି ପିଭିଜିଟି ଗାଁ ରହିଛି । କୋଭିଡ ସମୟରେ ରାଜ୍ୟ ସରକାର ମାସ୍କ ସାନିଟାଇଜର ଓ ସାବୁନ ବଣ୍ଟନ ସହିତ ସଙ୍ଗରୋଧ କେନ୍ଦ୍ର ଏବଂ ଟିକାକରଣକୁ ପ୍ରାଥମିକତା ଦେଇ କୋଭିଡ ପରିଚାଳନା କରୁଛନ୍ତି । ପିଭିଜିଟି ଜନଜାତିଙ୍କ ମଧ୍ୟରୁ ୩୧୪ଜଣ କୋଭିଡ ପୀଡ଼ିତ ହୋଇଥିଲେ ମଧ୍ୟ ଗୋଟିଏ ବି ଜୀବନ ହାନୀ ହୋଇନାହିଁ ବୋଲି ଜଣାପଡିଛି । PVGT ଗାଁମାନଙ୍କରେ 18 ଟି ଆମ୍ୱୁଲାନ୍ସ ପ୍ରଦାନ ସହିତ କୋଭିଡ ପରିଚାଳନାକୁ ଅଧିକ ତ୍ୱରାନ୍ୱିତ  କରାଯାଇଛି ।

                    ଅପରପକ୍ଷରେ ୬୦,୦୦୦ ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ଏପ୍ରିଲ, ମେ ଓ ଜୁନ ଏ ତିନି ମାସ ପାଇଁ  ଏକକାଳୀନ ପ୍ରାକ ମାଟ୍ରିକ ଛାତ୍ରବୃତ୍ତି ଦିଆଗଲା । ଏହା ପିଲାଙ୍କ ବାପା- ମା’ଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି । ଝିଅମାନଙ୍କ ପାଇଁ ୨୪୦୦ ଟଙ୍କା ଓ ପୁଅ ମାନଙ୍କ ପାଇଁ ୨୨୫୦ ଟଙ୍କା ଦିଆଗଲା । ସମୁଦାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ । ସୂଚନାଯୋଗ୍ୟ ଯେ ଗତବର୍ଷ ମଧ୍ୟ କୋଭିଡ ଯୋଗୁଁ ଆଗୁଆ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ’ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ ରହିଛି: ଶିଶୁଙ୍କ ପାଇଁ ୩ ହଜାର ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା’