ସପ୍ତାହେ ହେବ ଡାକସେବା ଠପ୍ । ଗୁରୁତ୍ଵପୂର୍ଣ୍ଣ ସେବାରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରୁଛନ୍ତି ଲୋକେ । ନୂତନ ସଫ୍ଟୱେର ଅପଡେଟ ଓ ଇଣ୍ଟରନେଟ ସମସ୍ୟା ପାଇଁ ଏକ ସପ୍ତାହ ହେବ ଚମ୍ପୁଆ ଉପଖଣ୍ଡ ଡ଼ାକଘରେ ଡାକସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଡାକଘରକୁ ଦୈନିକ ରେଜେଷ୍ଟ୍ରି ଚିଠି, ସ୍ପିଡପୋଷ୍ଟ, ଅର୍ଥ ନେଣଦେଣ, ସୁକନ୍ୟା ଯୋଜନା, ଅଟଳ ପେନସନ ଯୋଜନା ତଥା ଆଧାରକାର୍ଡ ପରି ଗୁରୁତ୍ଵପୂର୍ଣ୍ଣ ସେବା ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି ଲୋକେ । ଡାକଘରେ ସେବା ଠପ ହେବାର ପ୍ରଭାବ ଅନେକ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ପ୍ରଭାବିତ କରିଛି । ନିକଟରେ ରାକ୍ଷୀପୂର୍ଣ୍ଣିମା ଥିବା ବେଳେ ଭଉଣୀ ମାନେ ଭାଇମାନଙ୍କ ପାଖକୁ ଡାକ ଯୋଗେ ରାକ୍ଷୀ ପଠାଇ ପାରୁନାହାନ୍ତି । ଚମ୍ପୁଆ ଉପଖଣ୍ଡ ଡାକଘର ସହିତ ଏହି ଉପଖଣ୍ଡରେ ଥିବା ଯୋଡା, ବଡ଼ବିଲ, ଝୁମ୍ପରା ଅଞ୍ଚଳରେ ମଧ୍ୟ ଡାକ ସେବା ଠପ ହୋଇଯାଇଥିବା ହେତୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପେlଷ୍ଟ ମାଷ୍ଟର ।
ନାମ ଫଳକକୁ ନେଇ ଆଜି ପୁଣି ଖୋର୍ଦ୍ଧା ଓସ୍ତପୁର ଓ କୋଟପଲା ଗାଁ ମଧ୍ୟରେ ଗଣ୍ଡଗୋଳ
ନାମ ଫଳକକୁ ନେଇ ଆଜି ପୁଣି ଖୋର୍ଦ୍ଧା ଓସ୍ତପୁର ଓ କୋଟପଲା ଗାଁ ମଧ୍ୟରେ ଗଣ୍ଡଗୋଳ। ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା ସହ ଭାଙ୍ଗିଛନ୍ତି ଦୋକାନ ବଜାର। ଏହା ସହ ଟେକାପଥର ବି ମାଡ଼ ହୋଇଛି । ଘଟଣାସ୍ଥଳରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉତ୍ତେଜନା ପରେ ବିଭିନ୍ନ ଥାନାର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ। ଉତ୍ତେଜନା ଯୋଗୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ସମାନ ଘଟଣାରେ ଗତକାଲି ଗୋଷ୍ଠୀ ସଂଘର୍ଷରେ ଦୁଇ ଗୁରୁତର ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ଅନ୍ତର୍ଗତ କୋଟପଲା, ଓସ୍ତ ପୁର ଗାଁରେ ଦୀର୍ଘ ଦିନରୁ ସୀମା ବିବାଦ ଲାଗି ରହିଛି । ଗତ କିଛିଦିନ ତଳେ ଓସ୍ତପୁର ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଗ୍ରାମର ବଜାରରେ ଓସ୍ତପୁର ନାମ ଫଳକ ରଖିବା ପାଇଁ ଦାବି କରିଥିଲେ ।
ପୂର୍ବରୁ ଲାଗିଥିବା ଓସ୍ତପୁର ନାମ ଫଳକକୁ କୋଟପଲାର କିଛି ବ୍ୟକ୍ତି ଲିଭାଇ ଦେଇଥିବା ଅଭିଯୋଗ କରିଥିଲେ । ସେଇଦିନ ଠାରୁ ବିବାଦ ଉଗ୍ରରୂପ ନେଇଥିଲା। ଗତକାଲି ନିର୍ମାଣଧିନ ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ଉଭୟ ଗ୍ରାମର ଦୁଇଟି ନାମ ଫଳକ ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ପୋତିବା ପାଇଁ ଉଦ୍ୟମ କରାଯାଇଥିଲା । ଏହି ସମୟରେ ଉଭୟ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ଗାଁର ମହିଳା ମାନେ ରାସ୍ତାରେ ପୋଲିସ, ପ୍ରଶାସନ ଉପସ୍ଥିତିରେ ପରସ୍ପରକୁ ଆକ୍ରମଣ , ପ୍ରତି ଆକ୍ରମଣ କରିଥିଲେ। ଆକ୍ରମଣରେ କିଛି ଘର ଦ୍ବାର, ଦୋକାନ ବଜାର ଭଙ୍ଗାରୁଜା ହେବା ସହ ଦୁଇଜଣ ଆହତ ହୋଇଥିଲେ । ଖବର ପାଇ ଖୋର୍ଦ୍ଧା ଏସ୍ଡ଼ିପିଓ , ବେଗୁନିଆ ଓ ବାଘମାରି ଥାନା ଅଧିକାରୀ ଏକ ପ୍ଲାର୍ଟୁନ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ । ଆଜି ପୁଣି ଘଟଣାକୁ ନେଇ ଆଇନଶୃଙ୍ଖଳା ବିଗିଡିଥିବା ଅଭିଯୋଗ ହୋଇଛି ।
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଡାକ୍ତର ଓ ମହିଳା ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଡାକ୍ତର ଓ ମହିଳା ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ । କଟକ ଜିଲ୍ଲା ବମ୍ଫକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଡାକ୍ତର ଓ ମହିଳା ଫାର୍ମାସିଷ୍ଟଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ପବ୍ଲିକ ହେଲଥ ମ୍ୟାନେଜର ଏହି ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଉଭୟ ମହିଳା ଡାକ୍ତର ଓ ଫାର୍ମାସିଷ୍ଟ। ଏ ନେଇ ଉଭୟ କଟକ ସଦର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏତଲା ରୁଜୁ କରି ସଂପୃକ୍ତ ପବ୍ଲିକ ହେଲଥ ମ୍ୟାନେଜରଙ୍କୁ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଏତଲା ଆଧାରରେ ପୋଲିସ ଆଇନ ଅନୁଯାୟୀତା କାର୍ଯ୍ୟ କରୁଛି । ଯେ ଦୋଷୀ ତାକୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି କହିଛନ୍ତି କଟକ ମହାନଗର ନିଗମ ଜନ ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର । ସେପଟେ ଗତ ୪ ତାରିଖ ଦିନ ଇସି ମିଟିଙ୍ଗ ହେଇଥିଲା । ଏହି ମିଟିଙ୍ଗ ପରେ ବାୟୋମେଟ୍ରିକ ଚେକ୍ ହୋଇଥିଲା । ଯେଉଁଥିରେ ଫାର୍ମାସିଷ୍ଟଙ୍କ ବାୟୋମେଟ୍ରିକରେ ଭୁଲ ତଥ୍ୟ ଆସିବାରୁ ଏହାକୁ ବିରୋଧ କରିଥିଲେ । ଯେଉଁଥିପାଇଁ ଏଭଳି ଅଭିଯୋଗ ୨ ମହିଳା ଆଣିଛନ୍ତି ବୋଲି କହିଛନ୍ତି ଅଭିଯୁକ୍ତ ପବ୍ଲିକ ହେଲ୍ଥ ମ୍ୟାନେଜର । ଏହା ସହ ନିଜକୁ ନିର୍ଦ୍ଦୋଷ ବୋଲି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
ପୁଣି ରାୟଗଡାରେ ମ୍ୟାଲେରିଆ ଆତଙ୍କ: ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ
ପୁଣି ରାୟଗଡାରେ ମ୍ୟାଲେରିଆ ଆତଙ୍କ । ରୋଗରେ ଆକ୍ରାନ୍ତ ହୋଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ
ମାଟିକଣା ଆଶ୍ରମ ବିଦ୍ୟାଳୟର ପିଙ୍କି ନାଚିକା । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପିଙ୍କି ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଜ ଗାଁ ଜାଙ୍ଗେଡି ଠାରେ ଶବ ରଖି ପରିବାର ଲୋକ ପ୍ରତିବାଦ କରିଛନ୍ତି ।

