ସମ୍ବଲପୁର: ବୁର୍ଲା ଭିମସାରରେ ପୁଣି ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ। ଭିମସାରରୁ ୩ ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନଙ୍କୁ ଭିମସାରର ସ୍ୱତନ୍ତ୍ର ବିଭାଗରେ ଚିକିତ୍ସା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାୟକ। ପୂର୍ବରୁ ବ୍ଲାକ୍ ଫଙ୍ଗସରେ ବୁର୍ଲା ଭିମସାରରେ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୨୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଇଏନ୍ଟି ବିଭାଗ, ମେଡିସିନ୍ ଏବଂ ଚକ୍ଷୁ ବିଭାଗର ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ଏହି ରୋଗୀଙ୍କ ଚିକିତ୍ସା ଚାଲିଛି। ତେବେ ଆଜି ପୁଣି ୩ ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା କରାଯାଉଛି।
ମାଆ ଝିଅକୁ ହାଣିବା ପରେ ଆତ୍ମହତ୍ୟା କଲା ବାପା
ଜଗତସିଂହପୁର: ଜଗତସିଂହପୁର-ଯୋତ ଚନ୍ଦପାଟଣାରେ ଅଭାବନୀୟ ଘଟଣା। ମା’-ଝିଅଙ୍କୁ ହାଣିବା ପରେ ଆତ୍ମହତ୍ୟା କଲା ବାପା। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହେବା ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ମା’କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ପାରିବାରିକ କଳହରୁ ଏପରି ଏକ ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ମୃତ ଲୋକନାଥ ପାଳ ରାଜ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ କାମ ଧନ୍ଧା ଅଭାବରୁ ସବୁବେଳେ ଘରେ ଅଭାବ ଲାଗି ରହୁଥିଲା।

ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏହି ଘଟଣାକୁ କେନ୍ଦ୍ର କରି ସ୍ୱାମୀ ଲୋକନାଥ ସ୍ତ୍ରୀ କଳ୍ପନା ଓ ଝିଅ ମଧୁସ୍ମିତାଙ୍କୁ ହାଣିବା ପରେ ନିଜେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ ଲୋକନାଥଙ୍କ ପୁଅ ବାହାରେ ରହି କାମ କରୁଥିବା ଜଣାପଡ଼ିଛି।
ପାଡ଼ୁଆ ପୋଲିସର ଚଢ଼ାଉରେ ଜବତ ହେଲା ୭ଶହ କେଜିରୁ ଅଧିକ ପରିମାଣର ଗଞ୍ଜେଇ
ଲମତାପୁଟ: ଗଞ୍ଜେଇ ଚୋରା ଚାଲାଣ ଉଦ୍ୟମ ହେଲା ପଣ୍ଡ। ହାତିବାରି ଗାଁରେ ପାଡୁଆ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ମରିମାଣ ୭ ଶହ କେଜିରୁ ଅଧିକ ହେବ। ଗଞଜେଇ ସହ ୨ଟି ଗାଡିକୁ ଜବତ କରିଛି ପୋଲିସ। ପୋଲିସର ଚଢ଼ାଉ ବେଳେ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଛନ୍ତି। କୋରାପୁଟ ଜିଲ୍ଲା ପାଡୁଆ ପୋଲିସକୁ ହାତିବାରି ଗାଁରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଖବରକୁ ଆଧାର କରି ପାଡୁଆ ପୁଲିସ ହାତିବାରି ଏକ ଟିମଗଠନ କରି ହାତିବାରି ଗାଁରେ ଚଢ଼ାଉ କରିଥିଲେ।
ପୋଲିସର ଚଢ଼ାଉ ଦେଖି ଗଞ୍ଜେଇ ମାଫିଆ ମାନେ ଘଟଣାସ୍ଥଳରେ ଗୋଟିଏ ମିନି ଟ୍ରକ ଓ ଗୋଟିଏ ପିକପ୍ ଭ୍ୟାନକୁ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ପରେ ପୋଲିସ ୨ଟି ଗାଡିକୁ ଜବତ କରିବା ସହ ୭୦୦କେଜିରୁ ଉର୍ଦ୍ଧ ଗଞ୍ଜେଇ କୁ ମଧ୍ୟ ଜବତ କରିଛି। ଜବତ ଗଞ୍ଜେଇର ହାରାହାରି ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ। ଏହି ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ। ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଥିବା ବେଳେ ହାତିବାରି ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ନେଇ ଯୋଜନା ରହିଥିବା ପାଡୁଆ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସିଡିଏସ୍ ଜେନେରାଲ ବିପିନ ରାଓ୍ୱତଙ୍କ ମନ୍ତବ୍ୟ ଉପରେ କ୍ଷୁବ୍ଧ ଏୟାର ଚିଫ୍ ମାର୍ଶାଲ ଆର.କେ. ଏସ. ଭଦୌରିଆ
ନୂଆଦିଲ୍ଲୀ: ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡସକୁ ନେଇ ଚିଫ ଅଫ ଡିଫେନ୍ସ ଷ୍ଟାଫ ଓ ବାୟୁସେନା ମଧ୍ୟରେ ମତପାର୍ଥକ୍ୟ। ସିଡିଏସ ଜେନରାଲ ବିପିନ ରାଓ୍ୱତଙ୍କ ମନ୍ତବ୍ୟରେ ନାରାଜ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର.କେ. ଏସ. ଭଦୌରିଆ। ବାୟୁସେନା ଏକ ସହାୟକ ବାହିନୀ ବା ସପୋର୍ଟ ଆର୍ମ ବୋଲି ଜେନେରାଲ ରାଓ୍ୱତ କହିବା ପରେ ଏହାକୁ ଗ୍ରହଣ କରିବାକୁ ନାରାଜ ଭଦୌରିଆ। ସେ କହିଛନ୍ତି ବାୟୁସେନା ଏକ ସହାୟକ ସଂଗଠନ ନୁହେଁ। ଏହାର ଭୂମିକା ବିଶାଳ ରହିଛି। ଗ୍ଲୋବାଲ କାଉଣ୍ଟର ଟେରରିଜିମ୍ କାଉନସିଲର ଏକ ସମ୍ମିଳନୀରେ ଜେନରାଲ ରାଓ୍ୱତ କହିଥିଲେ ଯେ, ସ୍ଥଳସେନାକୁ ବାୟୁସେନା ସହାୟତା କରିଥାଏ। ଏବଂ ସୈନ୍ୟବାହିନୀ ଲାଗି ବାୟୁସେନା ଏକ ସହାୟକ ବାହିନୀ ଭାବେ କାର୍ଯ୍ୟ କରିଥାଏ।
ସେନାବାହିନୀରେ ଯେପରି ଗୁଳିଗୋଳା ବା ଇଞ୍ଜିନିୟର ସହାୟତା ମିଳିଥାଏ, ସେହିପରି ସ୍ଥଳ ସେନାକୁ ବାୟୁସେନାର ସହାୟତା ମିଳିଥାଏ। ସେମାନଙ୍କ ନିକଟରେ ଏକ ଏୟାର ଡିଫେନ୍ସ ବ୍ୟବସ୍ଥା ରହିଛି, ଯାହାକି ସ୍ଥଳ ସେନା ଲାଗି ସହାୟକ ହୋଇଥାଏ। ମାତ୍ର ସେହି ଏକା ସମ୍ମିଳନୀରେ ଯୋଗ ଦେଇଥିବା ମାର୍ଶାଲ ଭଦୌରିଆ ଏହି ବିବୃତିକୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ଏକ ସମନ୍ୱିତ ଯୁଦ୍ଧ କ୍ଷେତ୍ରରେ ବାୟୁସେନା ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ। ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡସ ପ୍ରସ୍ତାବ ଅନୁସାରେ ଏକ ମାରିଟାଇମ ଥିଏଟର କମାଣ୍ଡ, ଏକ ଏୟାର ଡିଫେନ୍ସ କମାଣ୍ଡ ଓ ପାକିସ୍ତାନ ଦିଗକୁ ମୁହାଁଇଥିବା ପଶ୍ଚିମାଞ୍ଚଳ ସୀମାନ୍ତ ସକାଶେ ତିନିଟି ସ୍ଥଳଭିତ୍ତିକ କମାଣ୍ଡ ଓ ଜାମ୍ମୁ କାଶ୍ମୀର ଓ ଲଦ୍ଦାଖ ଅଞ୍ଚଳ ଲାଗି ଏକ କମାଣ୍ଡ ଗଠନ ହେବ। ଏ ସମସ୍ତ କମାଣ୍ଡ ସିଡିଏସଙ୍କ ନିକଟରେ ଉତ୍ତରଦାୟୀ ରହିବେ।
ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ରହିପାରେ ୨୦ଟି ସିଟିଂ। କୋଭିଡ ଗାଇଡଲାଇନ ଅନୁସାରେ ଏଥର ବି ଚାଲିବ ଅଧିବେଶନ। ସଂସଦର ଅଧିବେଶନରେ ୪୦୦ରୁ ଅଧିକ ସାଂସଦ ଯୋଗଦେବାର ସମ୍ଭାବନା ରହିଛି। ଅଧିକାଂଶ ସାଂସଦ ନିଜ ନିଜ ରାଜ୍ୟରେ ଟିକା ନେଇସାରିଥିବାରୁ ଏହି ସଂଖ୍ୟା ଅଧିକ ହୋଇପାରେ। ସଂସଦ ଅଧିବେଶନକୁ ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କୁ ଲୋକସଭା ସଚିବାଳୟ ଜରିଆରେ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ସେହିପରି ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଯାଏଁ ଚାଲିବ। ଅପରାହ୍ନ ୪ଟାରୁ ଲୋକସଭା ଅଧିବେଶନ ଚାଲିବ । ଗତ ମାର୍ଚ୍ଚ ବଜେଟ ଅଧିବେଶନ ସମୟରେ ଉଭୟ ଗୃହ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେଉଥିଲା।
ରଥଯାତ୍ରା ନେଇ ଶ୍ରୀକ୍ଷେତ୍ରରେ ବସିବ ଛତିଶା ନିଯୋଗ ବୈଠକ
ପୁରୀ: ଆଜି ଶ୍ରୀକ୍ଷେତ୍ରରେ ବସିବ ଛତିଶା ନିଯୋଗ ବୈଠକ। ଅପରାହ୍ନ ୪ଟା ୩୦ ମିନିଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଏହି ବୈଠକ ବସିବ। ଏଥିରେ ବିଭିନ୍ନ ନିଯୋଗର କର୍ମକର୍ତ୍ତା ସାମିଲ ହେବେ। ବୈଠକରେ ରଥଯାତ୍ରା ସମ୍ପର୍କୀତ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ। ଶୃଙ୍ଖଳିତ ଘୋଷଯାତ୍ରା ନେଇ ବରିଷ୍ଠ ସେବକ ଓ ନିଯୋଗଙ୍କ ସହ ଆଲୋଚନା କରାଯିବ। ବୈଠକ ପରେ ରଥଯାତ୍ରା ସମ୍ପର୍କିତ ନିଯାଇଥିବା ନିଷ୍ପତ୍ତି ଘୋଷଣା କରାଯିବ। ସେପଟେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଅନବସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଚାଲିଛି ଗୁପ୍ତ ସେବା ପୂଜା। ମହାପ୍ରଭୁଙ୍କ ଓଷୁଅ ଲାଗି ନୀତି ଜାରି ରହିଛି। ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି। ତିନି ରଥରେ ଦୁଆରବେଢା ଖଞ୍ଜା ଯାଇଛି। ରଥ ଚାରି ପାର୍ଶ୍ୱରେ ଲାଗିବାକୁ ଥିବା ହଂସ ପଟା, କନ୍ୟା ପଟା ନିର୍ମାଣ କରାଯାଉଛି। ଚିତ୍ରକାର ସେବାୟତ ଓଲଟ ଶୁଆ, କସ, ଋଷି ପଟା, ଦୁଆର ବେଢ଼ାରେ ରଂଗ କାର୍ଯ୍ୟ ଶେଷ କରି ପାର୍ଶ୍ୱ ଦେବା ଦେବୀ,ସଖୀ, ଆଦି ସହ ତିନି ରଥର ପଟାଗୁଜ,କୋଣ ଗୁଜ, ଗୁଡିକରେ ରଙ୍ଗ କରୁଛନ୍ତି।

