spot_img
Home Blog Page 564

ବଡ଼ ଘୋଷଣା: ବିବାହ ପାଇଁ ମିଳିବ ୧୦ ଦିନର ପେଡ୍ ଲିଭ, ଛୁଟିରେ ରହିଲେ ବି ମିଳିବ ସାଲାରୀ

ଏଣିକି ଛୁଟିରେ ରହିଲେ ବି ଆପଣଙ୍କ ସାଲାରୀରୁ ଟଙ୍କା କଟିବନି । ଛୁଟିରେ ରହିଥିବା ଦିନମାନଙ୍କରେ ଆପଣ ଦରମା ପାଇପାରିବେ । ବିବାହ ପାଇଁ ୧୦ ଦିନର ପେଡ୍ ଲିଭ୍ ଦିଆଯିବ । ଦୁବାଇ ସରକାର ଏଭଳି ଏକ ଘୋଷଣା କରିଥିବା ବେଳେ ତାହା କର୍ମଚାରୀଙ୍କୁ ଆଶ୍ବସ୍ତି ଦେବା ସହ ପାରିବାରିକ ମୂଲ୍ୟକୁ ମଧ୍ୟ ମଜବୁତ କରିବ । ଦୁବାଇରେ କାମ କରୁଥିବା ଏମିରାତୀ ନାଗରିକଙ୍କୁ ବିବାହ ପାଇଁ ପୂରା ୧୦ ଦିନ କାର୍ଯ୍ୟ ଦିବସର ପେଡ୍ ଛୁଟି ମିଳିବ । ଚଳିତ ବର୍ଷ ଜାନୁଆରୀ ପହିଲାରୁ ଏହାକୁ ଲାଗୁ କରାଯିବ । ୟୁଏଇର ଉପରାଷ୍ଟ୍ରପତି ଓ ଦୁବାଇର ଶାସକ ଶେଖ ମୋହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ଦ୍ବାରା ଡିକ୍ରି ନମ୍ବର ୩୧ ଅଫ୍ ୨୦୨୫ ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ସୁବିଧାର ଲାଭ ସେହି ଏମିରାତୀ ନାଗରିକଙ୍କୁ ମଳିବ, ଯେଉଁମାନେ ଦୁବାଇରେ ସରକାରୀ ସଂସ୍ଥା, ନ୍ୟାୟିକ ୟୁନିଟ୍, ସୈନ୍ୟ ବିଭାଗ (ଆଶାୟୀଙ୍କୁ ଛାଡ଼ି), ଫ୍ରୀ ଜୋନ, ସ୍ପେଶାଲ ଡେଭଲପମେଣ୍ଟ ଜୋନ ଓ ଦୁବାଇ ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ସେଣ୍ଟର (DIFC) ପରି ସଂସ୍ଥାମାନଙ୍କରେ କାର୍ଯ୍ୟରତ ଥିବେ । ଏଥିପାଇଁ କିଛି ସର୍ତ୍ତ ରହିଛି । କର୍ମଚାରୀଙ୍କ ବିବାହ ଏକ ଅନ୍ୟ ଏମିରାତୀ ନାଗରିକଙ୍କ ସହ ହେବା ଆବଶ୍ୟକ । କର୍ମଚାରୀ ପ୍ରୋବେସନ ପିରିୟଡ ସଫଳତାର ସହ ପୂରଣ କରିଥିବେ । ବିବାହର ପଞ୍ଜିକରଣ ୟୁଏଇର ମାନ୍ୟତା ପ୍ରାପ୍ତ ସଂସ୍ଥାରେ ପ୍ରମାଣିତ ହେବା ଆବଶ୍ୟକ । ବିବାହର ଅନୁବନ୍ଧ ୩, ୨୦୨୪ ମସିହା ଡିସେମ୍ବର ୩୧ ପରେ ହେବା ଜରୁରୀ । କର୍ମଚାରୀଙ୍କୁ ଛୁଟି ନେବା ପାଇଁ ପ୍ରମାଣିତ ବିବାହ ପ୍ରମଣପତ୍ର ଜମା କରିବାକୁ ପଡ଼ିବ ।  ବିବାହ ତାରିଖ ଠାରୁ ଏ ବର୍ଷ ଭିତରେ ଏହି ଛୁଟି ନେଇପାରିବେ । ଯଦି କୌଣସି କାରଣରୁ କର୍ମଚାରୀ ଛୁଟି ନେଇ ନ ପାରନ୍ତି, ତେବେ ପରବର୍ତ୍ତୀ ବର୍ଷ ପାଇଁ ବଢ଼ାଇ ପାରିବେ ।

ଜନ୍ମଦିନରେ ଇଶାନ କିଷାନଙ୍କୁ ପୁଣି ଏକ ଝଟକା, ଏହି ଟିମରୁ ହୋଇ ପାରନ୍ତି ଆଉଟ୍

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟରେ ବିସ୍ଫୋରକ ଓପ୍ନର ଭାବେ ନାଁ କମେଇ ଥିବା ଓ୍ବିକେଟ କିପର ବ୍ୟାଟର ଇଶାନ କିଷାନଙ୍କ ଦିନ ଏବେ ଭଲ ଚାଲୁନି । ଦୀର୍ଘ ଦେଢ଼ବର୍ଷରୁ ଅଧିକ ହେବ ଭାରତୀୟ କ୍ରିକେଟ୍ ଟିମରୁ ବାହାରେ ଥିବା ଇଶାନଙ୍କ ଆଜି ଜନ୍ମଦିନ । ସେ ତାଙ୍କ ୨୭ ତମ ଜନ୍ମଦିନ ପାଳନ କରୁଥିବା ବେଳେ ଏମିତି ଏକ ଖବର ପଦାକୁ ଆସିଛି ଯାହା ତାଙ୍କ ପାଇଁ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଜୋରଦାର ଝଟକା ଭଳି ହୋଇଛି । ଟିମ୍ ଇଣ୍ଡିଆ ପରେ ଇଶାନ ଆଉ ଏକ ଟିମରୁ ବାହାର ହେବାକୁ ଯାଉଥିବା ଚର୍ଚ୍ଚା ଏବେ ଜୋର ଧରିଛି ।

ନିକଟରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟରେ ଦୁଇଟି ମ୍ୟାଚ ଖେଳି ଦୁଇଟିରେ ଅର୍ଦ୍ଧଶତକ ହାସଲ କରି ନିଜ ଦମଦାର ଫର୍ମ ଦେଖାଇଛନ୍ତି ଇଶାନ । ଏପରିକି ଇଂଲଣ୍ଡରେ କାଉଣ୍ଟି ଖେଳି ଟିମ୍ ଇଣ୍ଡିଆକୁ ଫେରିବାକୁ ଆଶା ରହିଛନ୍ତି । ହେଲେ ଏବେ ଶୁଣିବାକୁ ମିଳୁଛି । ୨୦୨୬ ଆଇପିଏଲ ପୂର୍ବରୁ ତାଙ୍କୁ ବଡ଼ ଝଟକା ଲାଗିପାରେ ।

ଚର୍ଚ୍ଚା ହେଉଛି କାୟା ମାରନଙ୍କ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ୨୦୨୬ ନିଲାମୀ ପୂର୍ବରୁ ଇଶାନଙ୍କୁ ବାହାର କରିପାରେ । କାରଣ ୨୦୨୫ରେ ଏସଆରଏଚ ଇଶାନଙ୍କୁ ୧୧.୨୫ କୋଟି ଟଙ୍କାରେ କିଣିଥିଲା । ଆଉ ଇଶାନଙ୍କ ୨୫ ଆଇପିଏଲ ମଧ୍ୟ ଧମାକାଦାର ଭାବେ ଆରମ୍ଭ ହୋଇଥିଲା । ପ୍ରଥମ ମ୍ୟାଚରେ ଶତକ ମାରି ଇଶାନ ନିଜ ଜଲଓ୍ବା ଦେଖାଇ ଥିଲେ । ହେଲେ ଏହାପରେ ତାଙ୍କ ବ୍ୟାଟ୍ ଯେମିତି ଚୁପ ହୋଇଯାଇଥିଲା ।  ଏହି ସିଜିନରେ ଇଶାନ ୧୪ମ୍ୟାଚରେ ୧୩ ଇଂନିସ ଖେଳି ୩୫.୪୦ ଆଭରେଜରେ ମାତ୍ର ୩୫୪ ରନ କରିବାକୁ ସକ୍ଷମ ହୋଇଥିଲେ । ଯେଉଁଥିରେ ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ରହିଛି । ଏମିତି ସ୍ଥିତିରେ ଏବେ ତାଙ୍କ ମୁଣ୍ଡରେ ଟିମରୁ ଆଉଟ ହେବାର ଖଣ୍ଡା ଝୁଲୁଛି ।

ଡାକ୍ତରଙ୍କ ଅଜବ କାରନାମା ! ଥଣ୍ଡା ରୋଗୀଙ୍କୁ କ୍ୟାନସର ମେଡିସିନ, ସୁସ୍ଥ ମହିଳାଙ୍କୁ ବାଞ୍ଝପଣ ଦୂର କରିବାର ମେଡିସିନ୍

ଅନେକ ସମୟରେ ଡାକ୍ତରଙ୍କ ଖାମଖିଆଲି କାର୍ଯ୍ୟ କାରଣରୁ ରୋଗୀଙ୍କ ଜୀବନ ଚାଲିଯାଇଥାଏ । ଏହା ମଧ୍ୟରେ ରାଜସ୍ଥାନରୁ ଆସିଛି ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଜଣେ ଡାକ୍ତର ଥଣ୍ଡା-ସର୍ଦ୍ଦି ରୋଗୀଙ୍କୁ କ୍ୟାନସର ମେଡିସିନ ଦେଇଥିବା ଖବର ସାମ୍ନାକୁ ଆସିଛି । ଡାକ୍ତରଙ୍କ ଏହି କାରନାମା ପରେ ରୋଗୀଙ୍କର ଡାକ୍ତରଙ୍କ ଉପରୁ ଭରସା ଉଠିଯିବା ସହ ଘଟଣାଟି ସଭିଙ୍କୁ ତାଜୁବ କରିଦେଇଛି । ଅଭିଯୋଗ ଅନୁଯାୟୀ, ସରକାରୀ ହସ୍ପିଟାଲର ଡାକ୍ତରମାନେ ସାମାନ୍ୟ ସର୍ଦ୍ଦି, ମୁଣ୍ଡବ୍ୟଥା ବା ହାଲୁକା ବୁଖାର ପାଇଁ କ୍ୟାନସର, କିଡନୀ ଫେଲୁଅର ଓ ହାର୍ଟ ରୋଗ ପରି ଗମ୍ଭୀର ବିମାରୀର ମହଙ୍ଗା ମେଡିସିନ ଲେଖିଥିଲେ । ଗର୍ଭବତୀ ମହିଳାଙ୍କୁ ବାଞ୍ଝପଣ ଦୂର ପାଇଁ ମେଡିସିନ ଦିଆଯାଇଥିଲା । ପୂରା ମାମଲାରେ ଡାକ୍ତର, ମେଡିକାଲ ଷ୍ଟୋର ସଞ୍ଚାଳକ ଓ ଲ୍ୟାବ ମାଲିକଙ୍କ ମଧ୍ୟରେ କମିଶନର ଖେଳ ଚାଲିଥିବା ନେଇ ପ୍ରମାଣ ମିଳିଛି ।

ଏହି ମାମଲାରେ ଗଡ଼ବଡ଼ ନେଇ ଖୁଲାସା ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଯାଇଛି । ମାମଲାରେ ଅଲଭର ଜିଲ୍ଲାର ୧୧ ଜଣ ଡାକ୍ତର ଓ ଅନେକ ମେଡିକାଲ ଷ୍ଟୋର ସଞ୍ଚାଳକଙ୍କୁ ନୋଟିସ୍ ଦିଆଯାଇଛି । ଜଣେ ସୁସ୍ଥ ମହିଳାଙ୍କ ପାଇଁ ପର୍ଚିରେ ବାଞ୍ଝପଣର ଔଷଧ ଲେଖାଯାଇଥିଲା । ସେହିପରି ହାଲୁକା ବୁଖାର ରୋଗୀଙ୍କ ପର୍ଚିରେ କ୍ୟାନସର ଓ ହାର୍ଟ ସମ୍ବନ୍ଧିତ ମେଡିସିନ ଲେଖାଯାଇଥିଲା । କିଛି ଡାକ୍ତର ରୋଗୀଙ୍କୁ ନ ଦେଖି ମଧ୍ୟ ଔଷଧ ପର୍ଚି ତିଆରି କରିଥିବା ଖବର ସାମ୍ନାକୁ ଆସିଛି । କିଛି ମାମଲାରେ ରୋଗୀଙ୍କୁ ସୂଚନା ନଦେଇ ତାଙ୍କ ନାମରେ ଔଷଧ କିଣାଯାଇଛି ଓ ରେକର୍ଡରେ ଚଢ଼ାଯାଇଛି । ଏଆଇ ଟେକନିକ ଦ୍ବାରା କରାଯାଇଥିବା ଡାଟା ଆନାଲିସିସ ପରେ ଏହି ଘୋଟାଲା ସାମ୍ନାକୁ ଆସିଥିଲା ।

ଏଫଏମ କଲେଜରେ ୟୁଜିସିର ୪ ଜଣିଆ ଟିମ୍

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା । କଲେଜରେ ପହଁଚିଲା ୟୁଜିସିର ୪ ଜଣିଆ ଟିମ୍ । ପ୍ରଫେସର ରାଜକୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୟୁଜିସିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଲେଜରେ ପଚରାଉଚରା କରୁଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କଲେଜ ଅଧ୍ୟକ୍ଷଙ୍କ ଚ୍ୟାମ୍ବରରେ ଟିମ୍ ତଦନ୍ତ ଚଲାଇଛି । ଟିମରେ ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଏବଂ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା ଅଛନ୍ତି । ଘଟଣାର ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିବା ସହ କଲେଜରେ ଛାତ୍ରୀ ନିର୍ଯାତନା ସମ୍ପର୍କିତ ତଦନ୍ତ କରୁଛନ୍ତି ।

ସୂଚନାଯୋଗ୍ୟ, ୮ ମାସର ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ କଲେଜରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲକୁ ନିଆଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ଏମ୍ସକୁ ନିଆଯାଇଥିଲା । ତେବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ସକ୍ଷମ ହୋଇ ନଥିଲେ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଅଭିଯୁକ୍ତ ଏଚଓଡି ଏବଂ କଲେଜ ପ୍ରିନ୍ସପାଲଙ୍କୁ ନିଲମ୍ବନ କରାଯାଇଥିଲା । ଏହାପରେ ପ୍ରଥମେ ଏଚଓଡି ଏବଂ ପରେ ପ୍ରିନ୍ସପାଲଙ୍କୁ ଗିରଫ କରାଯାଇଛି ।

ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି । ୮ ମାସ ଧରି ପିଲାଟି ନିର୍ଯାତିତ ହେବା ସହ ବାରମ୍ବାର ଅଭିଯୋଗ କରି ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ । ଏପରିକି କଲେଜ ଅଧ୍ୟକ୍ଷ, ଏସପି, ଜିଲ୍ଲାପାଳ ଏପରିକି ସ୍ଥାନୀୟ ବିଜେପି ସାଂସଦଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇ ନଥିଲେ । ଯାହା ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏପରିକି ଘଟଣାକୁ ନେଇ ବାଲେଶ୍ବର ବନ୍ଦ ସମେତ ଓଡ଼ିଶା ବନ୍ଦ ମଧ୍ୟ ପାଳନ ହୋଇଯାଇଛି । ଯାହାକୁ ସାରା ରାଜ୍ୟରେ ପ୍ରତି ବର୍ଗର ଲୋକେ ସମର୍ଥନ ଜଣାଇଛନ୍ତି ।

ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣା: ଆସନ୍ତା ୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

ଭୁବନେଶ୍ବର: ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣା। ଆସନ୍ତା ୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । ନ୍ୟାୟ ପାଇଁ ବ୍ରହ୍ମପୁର, ସମ୍ବଲପୁର ଓ କଟକରେ ବିକ୍ଷୋଭ କରିବ ଦଳ । ଏଥିପାଇଁ ଜିଲ୍ଲା ସ୍ତରର ମୁଖ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର ଘଟଣା ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରିଛି । ବିଜେଡି ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଶାନ୍ତି ପୂର୍ଣ୍ଣ ଭାବରେ ପ୍ରତିବାଦ କରିଆସୁଛି । ବାଲେଶ୍ଵର ବନ୍ଦ ମଧ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇଥିଲା। ଏହା ପରେ ଲୋକସେବା ଭବନ ଘେରାଉ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା। ଆଜି ମଧ୍ୟ ଦଳ ଶୃଙ୍ଖଳିତ ଢଙ୍ଗରେ ନିରବ ପ୍ରତିବାଦ କରିଛି । ଏବେ କଲେଜ କ୍ୟାମ୍ପସରେ ସୁରକ୍ଷିତ ନୁହନ୍ତି ଛାତ୍ରୀ ।

ସମସ୍ତ କଲେଜ କର୍ତ୍ତୃପକ୍ଷ, ପୋଲିସ, ପ୍ରଶାସନ ଓ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରି ବିଚାର ବିଭାଗୀୟ ତଦନ୍ତ ଦ୍ୱାରା ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ଦଳ । ଅନ୍ୟପଟେ ଏହା ପଛରେ ବଡ଼ ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ସରକାର ପର୍ଦ୍ଦାଫାସ କରିବା ପାଇଁ ଚାହୁଁ ନାହାନ୍ତି । ପ୍ରକୃତ ତଦନ୍ତ ହେଲେ ଯେଉଁମାନେ ଶବକୁ କାନ୍ଧ ଦେଉଛନ୍ତି, ସେମାନେ ବନ୍ଧା ହୋଇଯାଆନ୍ତେ । କ୍ରାଇମବ୍ରାଞ୍ଚ ତଦନ୍ତ ନାମରେ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । ତେଣୁ କ୍ରାଇମବ୍ରାଞ୍ଚ ନୁହେଁ ବିଚାର ବିଭାଗୀୟ ତଦନ୍ତ ହେବାର ଆବଶ୍ୟକ ରହିଛି । ହାଇକୋର୍ଟର ଜଣେ ଜଣେ ସିଟିଂ ଜଜଙ୍କ ଜରିଆରେ ତଦନ୍ତ ହେଉ । ସିସିଟିଭିରେ ଜଣା ପଡୁଛି, ଜଣେ ଭିଡିଓ ରେକର୍ଡ କରୁଛି । ଆଉ ଜଣେ ବାଟ କଢେଇ ନେଉଛି । ଏ ସବୁ ପଛରେ ଏବିଭିପିର ଛାତ୍ର ସଂଗଠନ ହାତ ଥିବା ସନ୍ଦେହ କରାଯାଉଛି । ଏମ୍ସରେ ତାଙ୍କ ବାପାଙ୍କୁ ସାନ୍ତ୍ବନା ଦେବା ବେଳେ ଏବିଭିପି ଗୁଣ୍ଡାବାହିନୀ ତାଙ୍କୁ ଆକ୍ରମଣ କଲେ ବୋଲି ଅଭିଯୋଗ କରିଛନ୍ତି ଗୌତମ । ଆଗାମୀ ଛାତ୍ର ସଂସଦ ନିର୍ବାଚନ ଲାଗି ଉଭୟ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଏହି କାରଣରୁ ଝିଅଟି ବଳି ପଡ଼ି ଥିବା ସନ୍ଦେହ ହେଉଛି। ଛାତ୍ରୀ ଜଣଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି ଗୌତମ ।

ଇନକମ୍ ଟ୍ୟାକ୍ସ ଭରିବା ଆହୁରି ସହଜ ହେଲା: ଏଣିକି ଅନଲାଇନରେ ଭରି ପାରିବେ ITR-2 ଫର୍ମ

ଇନକମ୍ ଟ୍ୟାକ୍ସ ଭରୁଥିବା ଲୋକଙ୍କୁ ଆୟକର ବିଭାଗ ଏକ ବଡ଼ ଆଶ୍ବସ୍ତି ଦେଇଛି । ଏଣିକି ଟ୍ୟାକ୍ସ ପ୍ରଦାତ୍ତାମାନେ ITR-2 ଫର୍ମକୁ ଅନଲାଇନ ଇ-ପୋର୍ଟାଲକୁ ଯାଇ ଫାଇଲ୍ କରିପାରିବେ । ଏହି ସୁବିଧାର ଲାଭ ଟ୍ୟାକ୍ସ ପେୟର୍ସ ଚଳିତ ମାସ ୧୮ ତାରିଖରୁ ଉଠାଇ ପାରିବେ । ଆଜିଠାରୁ ଆୟକର ବିଭାଗ IRT-2 ଫର୍ମକୁ ଅନଲାଇନ୍ ଫାଇଲ କରିବାର ସୁବିଧା ଆରମ୍ଭ କରିଛି । ଏଣିକି ଚାକିରିଆ ଟ୍ୟାକ୍ସ ପ୍ରଦାତ୍ତା, ଯାହା ପାଖରେ କ୍ୟାପିଟାଲ ଗେନ ଥିବ, କ୍ରିପ୍ଟୋ ଆୟ ବା ଅନ୍ୟ କୌଣସି ବିଶେଷ ଇନକମ ଉତ୍ସ ଥିବ, ସେମାନେ ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ (https://incometax.gov.in/iec/foportal/) ମାଧ୍ୟମରେ ନିଜର ଆୟକର ରିଟର୍ଣ୍ଣ ଅନଲାଇନରେ ଦାଖଲ କରିପାରିବେ ।

ଆୟକର ବିଭାଗ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି ଯେ, ଟ୍ୟାକ୍ସପେୟର୍ସ ଧ୍ୟାନ ଦିଅନ୍ତୁ! ITR-2 ଫର୍ମ ଏବେ ପ୍ରି-ଫିଲ୍ଡ ଡେଟା ସହିତ ଅନଲାଇନ ଫାଇଲିଂ ପାଇଁ ଉପଲବ୍ଧ । ବିତ୍ତୀୟ ବର୍ଷ ୨୦୨୪-୨୫ ଓ ଆସେସମେଣ୍ଟ ଇୟର ୨୦୨୫-୨୬ ପାଇଁ ITR ଦାଖଲ କରିବାର ଅନ୍ତିମ ତାରିଖ ୨୦୨୫ ଡିସେମ୍ବର ୧୫ ରହିଛି । ପୂର୍ବରୁ କେବଳ ITR-1 ଓ ITR-2 ଫର୍ମ ଅନଲାଇନ ଏବଂ ଏକ୍ସେଲ ୟୁଟିଲିଟିରେ ଉପଲବ୍ଧ ଥିଲା, ଯାହାକି ସୀମିତ ଆୟ ବର୍ଗଧାରୀ କରଧାତାଙ୍କ ପାଇଁ ଥିଲା । ITR-3 ପାଇଁ ଏବେ କେବଳ ଏକ୍ସେଲ ୟୁଟିଲିଟି ଉପଲବ୍ଧ ରହିଛି, ଅନଲାଇନ୍ ସୁବିଧା ଶୀଘ୍ର ଆରମ୍ଭ ହେବ ।

ଏଣିକି ୧୬ ବର୍ଷର ପିଲା ଦେଇପାରିବେ ଭୋଟ୍‌: ଜାଣନ୍ତୁ କେଉଁ ଦେଶରେ ରହିଛି କେଉଁ ଆଇନ ?

ବ୍ରିଟେନରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନର ମତଦାନର ସର୍ବନିମ୍ନ ବୟସ ୧୮ ବର୍ଷରୁ ହ୍ରାସ କରାଯାଇ ୧୬ ବର୍ଷ କରାଯାଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାଗିଦାରିତା ବୃଦ୍ଧି ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବ୍ରିଟେନର କିଏର ଷ୍ଟାର୍ମର ପକ୍ଷରୁ କୁହାଯାଇଛି । ୨୦୨୪ ଜୁଲାଇର ବ୍ରିଟେନର ସାଧାରଣ ନିର୍ବାଚନ ପୂର୍ବରୁ ବାମପନ୍ଥୀ ଲେବର ପାର୍ଟି ନିଜ ନିର୍ବାଚନୀ ପ୍ରଚାରରେ ମତଦାନ ବୟସ କମ୍ କରିବାକୁ ଘୋଷଣା କରିଥିଲା । ବ୍ରିଟେନ ବ୍ୟତୀତ ବିଶ୍ବର ଅନେକ ଦେଶରେ ମଧ୍ୟ ଭୋଟିଂର ବୟସ ୧୬ ବର୍ଷ ରହିଛି । ଏଥିମଧ୍ୟରେ ଅଧିକାଂଶ ଦେଶ ୟୁରୋପରେ ରହିଛନ୍ତି ।

ବ୍ରିଟେନ ବ୍ୟତୀତ ବ୍ରାଜିଲ, ଜର୍ମାନୀ, ଅଷ୍ଟ୍ରିଆ ପରି ଦେଶରେ ମତଦାନ ବୟସ ୧୮ ବର୍ଷରୁ କମ୍ ରହିଛି । ବ୍ରାଜିଲରେ ୧୬ ଓ ୧୭ ବର୍ଷର ନାଗରିକଙ୍କ ପାଇଁ ମତଦାନ ବିକଳ୍ପ ରହିଛି । ୧୮-୭୦ ବର୍ଷୀୟଙ୍କ ପାଇ ମତଦାନ ବାଧ୍ୟତାମୂଳକ । ୧୯୯୫ରେ ଜର୍ମାନୀରେ ମତଦାନ ସୀମା ୧୬ ବର୍ଷ କରାଯାଇଥିଲା, ମାତ୍ର କୌଣସି ରାଜ୍ୟ ଏପରି କରିନଥିଲେ । ତେବେ ସାଧାରଣ ନିର୍ବାଚନର ମତଦାନ ପାଇଁ ବୟସ ୧୮ ବର୍ଷ ରହିଛି । ଅଷ୍ଟ୍ରିଆରେ ୨୦୦୭ ସାଧାରଣ ନିର୍ବାଚନ ଓ ୨୦୦୯ ୟୁରୋପୀୟ ସଂସଦୀୟ ନିର୍ବାଚନରେ ମତଦାନ ବୟସ ୧୬ ବର୍ଷ କରାଯାଇଥିଲା । ମାଲଟାରେ ୨୦୧୫ ଠାରୁ ସ୍ଥାନୀୟ ନିର୍ବାଚନ ଓ ୨୦୧୮ ଠାରୁ ସାଧାରଣ ନିର୍ବାଚନରେ ମତଦାନ ବୟସ ୧୬ ବର୍ଷ କରାଯାଇଥିଲା । ୨୦୨୩ରେ ବେଲଜିୟମରେ ୟୁରୋପୀୟ ନିର୍ବାଚନରେ ମତଦାନ ବୟସ ୧୬ ବର୍ଷ କରାଯାଇଥିଲା । ୨୦୧୬ରେ ଗ୍ରୀସରେ ମତଦାନ ବୟସ ୧୭ ବର୍ଷ କରାଯାଇଥିଲା । ବୋସନିଆ ଓ ହର୍ଜିଗୋଭିନାରେ ୧୬ ବର୍ଷୀୟ ଚାକିରିଆ ଭୋଟ ଦେଇ ପାରିବେ । ହଙ୍ଗେରୀରେ ୧୬ ବର୍ଷୀୟ ବିବାହିତ ଭୋଟ ଦେଇ ପାରିବେ । ଇଣ୍ଡୋନେସିଆରେ ବିବାହିତ ନାଗରିକଙ୍କ ପାଇଁ କୌଣସି ଆୟୁ ସୀମା ନାହିଁ । ସେମାନେ ଯେ କୌଣସି ବୟସରେ ଭୋଟ ଦେଇ ପାରିବେ । ଅନ୍ୟ ନାଗରିକଙ୍କ ପାଇଁ ମତଦାନ ସୀମା ୧୭ ବର୍ଷ ରହିଛି । ପୋଲିସ ଓ ସେନାଙ୍କର ମତଦାନ ଅଧିକାର ନାହିଁ । ଭାରତରେ ଭୋଟିଂ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ରହିଛି ।

ଦେଶର ୧୦୦ରୁ ଅଧିକ ସ୍କୁଲକୁ ବୋମା ଧମକ ପରେ ବିଭିନ୍ନ ସ୍ଥାନରେ ହାଇଆଲର୍ଟ

ନୂଆଦିଲ୍ଲୀ : ଦେଶର ୧୦୦ରୁ ଅଧିକ ସ୍କୁଲକୁ ବୋମା ଧମକ।ବୋମା ଧମକ ପରେ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। କେବଳ ଦିଲ୍ଲୀର ୫୦ରୁ  ଅଧିକ ସ୍କୁଲକୁ ଇମେଲରେ ବୋମା ଧମକ ଦିଆଯାଇଛି। ଧମକ ମିଳିବା ପରେ ବିଭିନ୍ନ ସ୍ଥାନରେ ବୋମା ନିଷ୍କ୍ରିୟକାରୀ ଟିମ୍ ମୁତୟନ କରାଯିବା ସହ ଧମକ ମିଳିଥିବା ସ୍କୁଲରେ ସର୍ଚ୍ଚ ଅପରେସନ ଜାରି ରହିଛି। କେତେକ ସ୍କୁଲକୁ ଖାଲି କରିଦିଆଯାଇଛି। ଇମେଲ ଧମକ ନେଇ ପୋଲିସର ଖୋଳତାଡ଼ ଜାରି ରହିଛି। ଦିଲ୍ଲୀର ସିଭିଲ ଲାଇନ୍ସସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଳ, ପଶ୍ଚିମ ବିହାରର ରିଚମଣ୍ଡ ଗ୍ଲୋବାଲ ସ୍କୁଲ, ରୋହିଣୀର ଅଭିନବ ପବ୍ଲିକ ସ୍କୁଲ ଓ ସୋଭେରିନ ସ୍କୁଲ ଆଦି ସ୍କୁଲକୁ ଆସିଛି ବୋମା ଧମକ। ଗତ ବୁଧବାର ଦିଲ୍ଲୀର ୭ଟି ସ୍କୁଲକୁ ବୋମା ଧମକ ମିଳିଥିଲା। ଗତ ମଙ୍ଗଳବାର ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ସେଣ୍ଟ ଥୋମାସ ସ୍କୁଲକୁ ବି ବୋମା ଧମକ ମିଳିଥିଲା। ଆଜି ବେଙ୍ଗାଳୁରୁର ୪୦ରୁ ଅଧିକ ସ୍କୁଲ ବି ଆସିଛି ବୋମା ଧମକ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଗିରଫ କଲା ଇଡି

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ମଦ ଘୋଟାଲାକୁ ନେଇ ଇଡି ତାଙ୍କ ବାସଭବନରେ ରେଡ୍ ମାରିବା ପରେ ଚୈତନ୍ୟଙ୍କୁ ଗିରଫ କରିଛି । ରେଡ୍ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛି । ଏହି ଘଟଣାରେ ଏକ ନୂଆ ପ୍ରମାଣ ମିଳିବା ପରେ ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅଧୀନରେ ଚୈତନ୍ୟଙ୍କ ଭିଲାଈ ସ୍ଥତ ଘରେ ତଲାସୀ ଅଭିଯାନ ଚାଲିଥିଲା । ଉକ୍ତ ବାସଭାବନରେ ଚୈତନ୍ୟ ତାଙ୍କ ପିତାଙ୍କ ସହ ରହୁଥିଲେ ।

ମଦ ଘୋଟାଲା ମାମଲାରେ ଆଜି ସକାଳୁ ଇଡି ଚୈତନ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଭୂପେଶଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା । ଏହି ଅବସରରେ ଇଡି ମାମଲା ସହ ଜଡ଼ିତ କିଛି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ପାଇଥିଲା ଓ ଚୈତନ୍ୟଙ୍କୁ ପଚରାଉଚରା କରିଥିଲା । କୌଣସି ସ୍ପଷ୍ଟ ଜବାବ ନ ମିଳିବା କାରଣରୁ ଚୈତନ୍ୟଙ୍କୁ ହେପାଜତକୁ ନିଆଯାଇଥିଲା ଓ ପରେ ଗିରଫ କରାଯାଇଥିଲା ।

ଭାରତର ବନ୍ଧୁ ରାଷ୍ଟ୍ରଗୁଡ଼ିକୁ କାହିଁକି ଗସ୍ତ କରୁଛନ୍ତି ଅସିମ ମୁନୀର? ପାକିସ୍ତାନ-ଚୀନର ବଡ଼ ଷଡ଼ଯନ୍ତ୍ର !

ଆମେରିକା, ଫ୍ରାନ୍ସ,, ଆଫ୍ରିକା ଓ ଲାଟିନ ଆମେରିକାର କିଛି ଅଂଶର ପ୍ରମୁଖ ଶକ୍ତିଙ୍କ ସହିତ ଭାରତର ସମ୍ପର୍କ ବଢ଼ିବାରେ ଲାଗିଛି । ଏହାଦ୍ବାରା ଭାରତର ଦୁଇ ପଡ଼ୋଶୀ ଚୀନ ଓ ପାକିସ୍ତାନ ନିଜକୁ ଅଲଗା ମନେକରୁଛନ୍ତି । ତେଣୁ ଏହି ଦୁଇ ରାଷ୍ଟ୍ର ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି । ପାକିସ୍ତାନର ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ ମୁନୀର ଜୁଲାଇ ୨୦ରୁ ୧ ସପ୍ତାହ ପାଇଁ ୩ଟି ଦେଶ ଗସ୍ତରେ ଯିବେ । ଗ୍ଲୋବାଲ ସାଉଥରେ ହ୍ରାସ ପାଇଥିବା ପ୍ରଭାବକୁ ପୁନର୍ଜିବିତ କରିବାକୁ ଇସଲାମାବାଦ ପ୍ରୟାସ କରିବ ବୋଲି କୁହାଯାଉଛି । ପାକିସ୍ତାନୀ ସେନା ସୂତ୍ରରୁ ପ୍ରକାଶ, ମୁନୀର ଜୁଲାଇ ୨୦-୨୨ ପର୍ଯ୍ୟନ୍ତ ଶ୍ରୀଲଙ୍କା ଗସ୍ତ କରିବେ ଓ ଚୀନରେ ରହିବେ । ପୁଣି ୨୪-୨୬ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଯାତ୍ରା କରିବେ ।

ମୁନୀରଙ୍କ ଯାତ୍ରା ଏକ ସାଧାରଣ ସୈନ୍ୟ କୂଟନୀତି ଲାଗୁଥାଇପାରେ, ମାତ୍ର ଏହା ମଧ୍ୟରେ ଏକ ସିକ୍ରେଟ ରହିଛି । ଗ୍ଲୋବାଲ ସାଉଥରେ ଭାରତର ପ୍ରଭାବ ବୃଦ୍ଧିକୁ ନେଇ ଚୀନ-ପାକ୍ ଘବରାଇ ଯାଇଛନ୍ତି । ତେଣୁ ଏହି ଯାତ୍ରା ମାଧ୍ୟମରେ ଦିଲ୍ଲୀର ବର୍ଦ୍ଧିତ ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟାସ କରାଯାଉଛି । ଜି-୨୦, ବ୍ରିକ୍ସ ଓ ଆଇଏମଇସି ପରି ମଞ୍ଚରେ ଭାରତର ନେତୃତ୍ବକାରୀ ଭୂମିକାକୁ ଚୀନ ହଜମ କରିପାରୁନାହିଁ । ଏ କ୍ଷେତ୍ରରେ ଭାରତର ପ୍ରଭାବକୁ ମୁକାବିଲା କରିବାରେ ଚୀନ-ପାକ୍ ପଛରେ ପଡ଼ିଯାଇଥିବା ସ୍ପଷ୍ଟ ହୋଇଛି । ଗ୍ଲୋବାଲ ସାଉଥରେ ଦଶନ୍ଧି ଧରି ପାକିସ୍ତାନର ବିଶ୍ବସନୀୟତା ନିମ୍ନସ୍ତରରେ ରହିଛି । ଦୁର୍ବଳ ଅର୍ଥବ୍ୟବସ୍ଥା, ଅରାଜକତା, ଆତଙ୍କବାଦ ଆଦି ବିଭିନ୍ନ ଛବିକୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଯାଇଛି । ଏବେ ପାକିସ୍ତାନୀ ସେନା ତାହାକୁ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଦେଇଛି । ବିଭିନ୍ନ ଦେଶ ସହ ଭାରତର ସୁସମ୍ପର୍କ ରହିଥିବା ବେଳେ କୋଭିଡ-୧୯ ସମୟରେ ଭାରତର ବିଭିନ୍ନ ଦେଶକୁ ସହୟତା ପ୍ରଦାନ କରିଥିଲା । ଭାରତ ଏସିଆ, ଆଫ୍ରିକା ଓ ଲାଟିନ ଆମେରିକାର ଦେଶଙ୍କ ସହ ପ୍ରତିରକ୍ଷା-ଆର୍ଥିକ ବୁଝାମଣା ସ୍ଥାପନା କରିଛି ।