ଭୁବନେଶ୍ବର ; ଆଇପିଏସ ସ୍ତରରେ ଅଦଳବଦଳ। ୧୮ ଆଇପିଏସଙ୍କୁ ବଦଳି କରିଛନ୍ତି ସରକାର। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସନ୍ତୋଷ ବାଲାଙ୍କୁ ଏସଏଫଏସଏଲଙ୍କୁ ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଂ ଦାୟିତ୍ଵ ଦିଆଯାଇଛି । ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍ ପୋଲିସ ଆଇଜି। ସଞ୍ଜୟ କୁମାର କୌଶଲଙ୍କୁ ଇଓଡବ୍ଲ୍ୟୁ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଅବିନାଶ କୁମାରଙ୍କୁ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି। ସତ୍ୟଜିତ ନାୟକଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ପଦରେ ନିଯୁକ୍ତି ମିଳିଛି। ପିନାକ ମିଶ୍ରଙ୍କୁ ପୂର୍ବାଞ୍ଚଳ ଡିଆଇଜି ଅବସ୍ଥାପିତ କରାଯାଇଛି। ସ୍ମିଥ ପରମାର ହେଲେ କ୍ରାଇମବ୍ରାଞ୍ଚ ଏସପି । ପ୍ରତୀକ ସିଂଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି। ପ୍ରତ୍ୟୁଷ ଦିବାକର ବାଲେଶ୍ବର ଏସପି, ବିନୀତ ଅଗ୍ରଓ୍ଵାଲଙ୍କୁ କଟକ ଗ୍ରାମାଞ୍ଚଳ ଏସପି, ରାଜ ପ୍ରସାଦଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି, ଜି ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡ଼ା ଏସପି, ଅଙ୍କିତ କୁମାର ବର୍ମା ଜଗତସିଂହପୁର ଏସପି, ଅମିତ୍ରପାଲ ସିଂ ନୂଆପଡ଼ା ଏସପି, ଅମିତ୍ରପାଲ କୌରଙ୍କୁ ସୁନ୍ଦରଗଡ଼ ଏସପି ଭାବେ ବଦଳି କରାଯାଇଛି। ଭବାନୀ ଶଙ୍କର ଉଦଗାତାଙ୍କୁ କଟକ ଏସପି ଭାବେ ନିଯୁକ୍ତ କରାଯାଇଛି।
ଚୀନ ଠାରୁ ୨୭ କି.ମି. ଦୂରରେ ଉତ୍ତର କୋରିଆ ମୁତୟନ କଲା ପରମାଣୁ କ୍ଷେପଣାସ୍ତ୍ର…
ନନ୍ଦିଘୋଷ ବ୍ୟୁରୋ : ଉତ୍ତର କୋରିଆ ଏକ ଗୁପ୍ତ ଘାଟି ନିର୍ମାଣ କରିଛି । ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ଅନୁଯାୟୀ, କିମ୍ ଜୋଙ୍ଗ ଉନଙ୍କ ସରକାର ଏହି ଘାଟିରେ ୯ଟି ପରମାଣୁ କ୍ଷେପଣାସ୍ତ୍ର ଓ ଏହାର ଲଞ୍ଚର ରଖିଛନ୍ତି । ଯେଉଁଠାରୁ ଜରୁରୀକାଳୀନ ପରିସ୍ଥିତିରେ ଶତ୍ରୁ ଦେଶଗୁଡ଼ିକ ଉପରେ ଆକ୍ରମଣ କରାଯିବ। ଏହି ଘାଟିର ନାମ ସିନପୁଙ୍ଗ-ଡୋଙ୍ଗ, ଯାହା ଚୀନ ସୀମାରୁ ୨୭ କିଲୋମିଟର ଦୂରରେ ଅବସ୍ଥିତ।
ଏହି ଘାଟି ସମ୍ପର୍କରେ ଉତ୍ତର କୋରିଆ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଏକ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆ ପାଖରେ ବର୍ତ୍ତମାନ ୫୦ଟି ପରମାଣୁ ଅସ୍ତ୍ର ଅଛି, ଯାହା ବିଶ୍ୱରେ ବିନାଶ ଆଣିପାରେ। ଏହି ଘାଟି ଉତ୍ତର ପ୍ୟୋଙ୍ଗୟାଙ୍ଗର ଏକ ଦ୍ୱୀପ ନିକଟରେ ଅବସ୍ଥିତ। ଏଠାରୁ ଚୀନର ଦୂରତା ୨୭ କିଲୋମିଟର। ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ରିପୋର୍ଟ ଅନୁଯାୟୀ ଏହି ଘାଟିଟି ବହୁତ ବଡ଼। ଏଠାରେ ଅତି କମରେ ୧୫ଟି କ୍ଷେପଣାସ୍ତ୍ର ରଖାଯାଇପାରିବ। ଉତ୍ତର କୋରିଆ ଏପର୍ଯ୍ୟନ୍ତ ଏହି ଘାଟି ବିଷୟରେ କିଛି କହିନାହିଁ ।
ପର୍ବତ ଉପରେ ଅବସ୍ଥିତ ଏହି ଘାଟି ଚୀନ ନିକଟରେ ଅବସ୍ଥିତ। ବିଶେଷଜ୍ଞମାନେ କହିଛନ୍ତି ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଏହି ଘାଟି ନିର୍ମାଣ କରିବାରେ ବହୁତ ସତର୍କତା ଅବଲମ୍ବନ କରିଛନ୍ତି। ଉତ୍ତର କୋରିଆ ବିଶ୍ୱାସ କରେ ଯେ ଯୁଦ୍ଧ ହେଲେ ମଧ୍ୟ ଆମେରିକା ଏହି ଘାଟି ଉପରେ ଆକ୍ରମଣ କରିବ ନାହିଁ। କାରଣ ଏହି ଘାଟି ଉପରେ ଆକ୍ରମଣର ସିଧାସଳଖ ପ୍ରଭାବ ଚୀନ୍ ଉପରେ ପଡ଼ିବ। ଏପରି ପରିସ୍ଥିତିରେ, ଚୀନ୍ ମଧ୍ୟ ଆମେରିକା ବିରୋଧରେ ଯୁଦ୍ଧରେ ସାମିଲ ହୋଇପାରେ, ଯାହା ଏକ ବଡ଼ ଯୁଦ୍ଧରେ ପରିଣତ ହେବ। ଏହି କାରଣରୁ ଉତ୍ତର କୋରିଆ ସିନପୁଙ୍ଗ-ଡୋଙ୍ଗରେ ଏକ ଗୁପ୍ତ ଘାଟି ନିର୍ମାଣ କରିଛି।
ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି ଅନଲାଇନ ଗେମିଂ ବିଲ୍
ନନ୍ଦିଘୋଷ ବ୍ୟୁରୋ ; ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି ଅନଲାଇନ ଗେମିଂ ବିଲ୍। ଫଳରେ ଡ୍ରିମ 11, ଗେମସ 24X7 ଓ ମୋବାଇଲ ପ୍ରିମିୟର ଲିଗ୍, ନଜାରା ଟେକନୋଲୋଜିସ ଲିମିଟେଡ ଦ୍ବାରା ପରିଚାଳିତ ୩.୮ ବିଲିୟନ ଡଲାରର ଗେମିଂ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅଗଷ୍ଟ ୨୦ରେ ଲୋକସଭାରେ ଓ ୨୧ରେ ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ସମ୍ମତି ମିଳିଲେ ତାହା ଆଇନରେ ପରିଣତ ହେବ। ଏହି ବିଲ୍ ଯୋଗୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଗାଇଡଲାଇନ ପ୍ରସ୍ତୁତ କରିବ ଏବଂ ଦେଶରେ ଇ-ସ୍ପୋର୍ଟସ ଇଭେଣ୍ଟ ଆୟୋଜନ କରିବା ଲାଗି ଗାଇଡଲାଇନ ପ୍ରସ୍ତୁତ କରିବ। ଏହା ସହ ବୃହତ କ୍ରୀଡ଼ା ନୀତି ବି ପ୍ରସ୍ତୁତ ହେବ। ନୂଆ ନିୟମ ବଳରେ ଅନଲାଇନ ସୋସିଆଲ ଗେମକୁ ସରକାର ସ୍ବୀକୃତି ଦେବା ସହ ଏହାର ଶ୍ରେଣୀ ବିଭକ୍ତ ଓ ପଞ୍ଜିକରଣ କରାଯିବ। ନିରାପଦ, ବୟସ ଅନୁସାରେ ସାମାଜିକଓ ଶିକ୍ଷାଭିତ୍ତିକ ଗେମ୍ ଲାଗି ବ୍ୟବସ୍ଥା କରାଯିବ। ଭାରତୀୟ ମୂଲ୍ୟବୋଧ ସମ୍ପର୍କିତ ସାଂସ୍କୃତିକ ଓ ଶିକ୍ଷାଭିତ୍ତିକ ଗେମର ପ୍ରସାରଣ କରାଯିବ। ଅନଲାଇନ ଗେମିଂ ବିଲରେ ଅଫରିଂ, ଅପରେଟିଂ ବା ମନି ଗେମକୁ ନିଷିଦ୍ଧ କରାଯାଇଛି। ମିଡିଆର କୌଣସି ପ୍ଲାଟଫର୍ମରେ ଅନଲାଇନ ଗେମିଂର ବିଜ୍ଞାପନ ଓ ପ୍ରମୋସନ କରାଯାଇପାରିବ ନାହିଁ। ଟଙ୍କା କାରବାର କ୍ଷେତ୍ରରେ ବ୍ୟାଙ୍କ ଓ ପେମେଣ୍ଟ ସିଷ୍ଟମ ଜରିଆରେ ଅର୍ଥ ନେଣଦେଣ ନିଷିଦ୍ଧ କରାଯାଇଛି। ଆଇଟି ଆଇନ ୨୦୦୦ ଅନୁସାରେ ଅନଲାଇନ ଗେମଗୁଡ଼ିକୁ ବ୍ଲକ କରାଯିବ। ବିଲ୍ ଅନୁସାରେ ଦେଶରେ ଅନଲାଇନ ଗେମିଂ ଅଥରିଟି ଗଠନ କରାଯିବ। ବିଲର ବ୍ୟବସ୍ଥା ଅନୁସାରେ ନିୟମ ଉଲ୍ଲଂଘନ ହେଲେ ୩ ବର୍ଷ ଜେଲଦଣ୍ଡ କିମ୍ବା ୧କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ। ଅନଲାଇନ ଗେମର ବିଜ୍ଞାପନ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ଜରିମାନା କିମ୍ବା ୨ ବର୍ଷ ଯାଏ ଜେଲଦଣ୍ଡ ମିଳିବ। ଯଦି କୌଣସି ଆର୍ଥିକ କାରବାର ହୁଏ ତେବେ ୩ ବର୍ଷ ଯାଏ ଜେଲ କିମ୍ବା ୧ କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ। ଦଣ୍ଡ ପରେ ଯଦି ପୁନର୍ବାର ଅପରାଧ ଘଟାଯାଏ ତେବେ ୩ରୁ ୫ ବର୍ଷ ଜେଲଦଣ୍ଡ ଓ ୨ କୋଟି ଟଙ୍କା ଯାଏ ଜରିମାନା ବ୍ୟବସ୍ଥା ରହିଛି।
ସେପ୍ଟେମ୍ବର ୧୮ରୁ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ବର : ସେପ୍ଟେମ୍ବର ୧୮ରେ ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟଦିବସରେ ଆସିବ ବିଲ ଓ ଉଠିବ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ନାରୀ ନିର୍ଯାତନା, ଚାଷୀ ଓ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ବିଜେଡିର ଅସ୍ତ୍ର । ଅନାସ୍ଥା ଆଣି ସରକାରଙ୍କୁ ଘେରିବ କଂଗ୍ରେସ । କାଉଣ୍ଟର ପାଇଁ ପ୍ରସ୍ତୁତ ହେବ ଶାସକ ଦଳ । ବିଳମ୍ବ ଘଟିଲା, ଭୟ ଦୂର ହେଲା। ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟଦିବସ ସହ ୨୫ ତାରିଖ ଯାଏ ଚାଲିବ ଅଧିବେଶନ । ସ୍ବଳ୍ପକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ଫୁଲ ଦମରେ ତୟାର ମୁଖ୍ୟ ବିରୋଧୀ ବିଜେଡି । ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, କୋଟିଆ ଠାରୁ ଆରମ୍ଭ କରି ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ୧୪ ମାସରେ ବିଜେପି ସରକାର ବିଫଳତାକୁ ବିଧାନସଭାରେ ଉଠାଇ ବିଜେଡି ଜବାବ ମାଗିବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଅଭିଯୋଗ ସରକାର ବିଳମ୍ବରେ ଡାକିଛନ୍ତି ମୌସୁମୀ ଅଧିବେଶନ । ସ୍ଵଳ୍ପ ସମୟର ଅଧିବେଶନ ବସିବ । ଗୃହରେ କଂଗ୍ରେସ ରାଜ୍ୟବାସୀଙ୍କ କଥା ଉଠାଇବ । ଦଳ ଅଭିଯୋଗ କରିଛି ସରକାରଙ୍କ ନିୟନ୍ତ୍ରଣ ବାହାରେ ପ୍ରଶାସନ । ନାରୀ ନିର୍ଯାତନା, ଛାତ୍ରୀ ପୋଡ଼ି, ଚାଷୀ ସମସ୍ୟା , ସୀମା ଓ ଜଳ ସମସ୍ୟାର ଜବାବ ମାଗିବୁ । ଏନେଇ ଆସନ୍ତା ୧୭ ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯିବ ।
ମୌସୁମୀ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶାସକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି । ମୌସୁମୀ ଅଧିବେଶନରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ । ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଜେପି ସରକାର ବିଫଳ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ଓଡିଶା ଆଗେଇବା ପରିବର୍ତ୍ତେ ପଛେଇ ଯାଇଛି । ଦୁଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି କରିବା ପରେ ଜବାବ ଦେଇଛି ଶାସକ ଦଳ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୌସୁମୀ ସରିଲା ବେଳକୁ ମୌସୁମୀ ଅଧିବେଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି ।
କଟକ ସହରରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି
କଟକ ; ଆଦ୍ୟପୂଜ୍ୟଙ୍କ ଆବାହନ ପରେ ଉତ୍ସବମୁଖର ହେବ ସହର । କଟକ ସହରରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ବିଭିନ୍ନ ମଣ୍ଡପରେ ମୂର୍ତ୍ତି ସହ ମେଢ ନିର୍ମାଣ ଜୋରସୋର ଆଗେଇ ଚାଲିଛି । ସେପଟେ ପୂଜା ପୂର୍ବରୁ ପ୍ରଶାସନିକ ସ୍ତରରେ ମଧ୍ଯ କରାଯାଇଛି ପ୍ରସ୍ତୁତି । ପୂଜା ପରେ ମୂର୍ତ୍ତି ସବୁ କାଠଯୋଡ଼ିରେ ବିସର୍ଜନ କରାଯିବ । ଏଥିପାଇଁ କଟକ ମେୟର ସୁବାସ ସିଂ, ପୂଜା କମିଟି ସଭାପତି, ସଂପାଦକ ଓ ସଦସ୍ଯମାନେ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଧରି କାଠଯୋଡି ନଦୀର ଦେବୀ ଗଡା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଦେବୀ ଗଡାରେ ଦୁଇଟି ଅସ୍ଥାୟୀ ପୁଷ୍କରିଣୀ ସହ ଦୁଇଟି ସ୍ଥାୟୀ ପୁଷ୍କରଣୀ ନିର୍ମାଣ କରିବାକୁ ମେୟର ପ୍ରସ୍ତାବ ଦେଇଛନ୍ତି । ଏହାସହ ପୁଷ୍କରଣୀକୁ ଅନବରତ ପାଣି ଯୋଗାଇବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ମଧ୍ଯ ଦିଆ ଯାଇଛି ।
ଦେବୀଗଡାର ରାସ୍ତାକୁ ମରାମତି କରିବା ଓ ଅଳିଆ ସଫାର ସବୁ ବ୍ୟବସ୍ଥା କରାଯିବ ବୋଲି ମେୟର କହିଛନ୍ତି । ସେହିପରି ଏଠାରେ ଅଳିଆ ପକାଉଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି । ଅନ୍ଯ ପକ୍ଷରେ ପିଇବା ପାଣି ଓ ଆଲୋକର ସମସ୍ତ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମେୟର । ଆସନ୍ତା ବୁଧବାର ଗଣେଶ ପୂଜା । ଅଗଷ୍ଟ ୩୦ ସେପ୍ଟେମ୍ବର ୭ ଓ ୧୪ ତାରିଖରେ ହେବ ଭସାଣ । ଅକ୍ଟୋବର ୩ ତାରିଖରେ ଦୁର୍ଗା ପୂଜା ଭସାଣ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର କରାଯାଇଛି ।

