ନନ୍ଦିଘୋଷ ବ୍ୟୁରୋ : ପହଲଗାମ ଆକ୍ରମଣ ଘଟଣା। ଆତଙ୍କୀଙ୍କୁ ସହାୟତା କରିଥିବା ବ୍ୟକ୍ତି ଗିରଫ ହୋଇଛନ୍ତି। ପାକିସ୍ତାନର ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ବା TRFକୁ ସେ ସହାୟତା ଦେଇଥିବା ସୂଚନା ମିଳିଛି। ଗତ ଏପ୍ରିଲ ୨୨ରେ ହୋଇଥିଲା ପହଲଗାମ ହମଲା। ଏହି ଭୟଙ୍କର ହମଲାରେ ପ୍ରାଣ ହରାଇଥିଲେ ୨୫ ପର୍ଯ୍ୟଟକ। ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ସେ କାଶ୍ମୀରର ହୋଇଥିବା ସୂଚନା ମିଳିଛି। ଦୀର୍ଘ ୫ ମାସ ପରେ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗତ ଏପ୍ରିଲ ୨୨ରେ ପହଲଗାମର ବୈସରନ ଉପତ୍ୟକାରେ ଏହି ହମଲା ହୋଇଥିଲା। ଘଟଣା ପରଠାରୁ ବିଭିନ୍ନ ସ୍ତରରେ ତଦନ୍ତ ଜାରି ରଖିଥିଲା ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା। ଗିରଫ ବ୍ୟକ୍ତିଙ୍କ ନାଁ ମହମ୍ମଦ ୟୁସୁଫ ତାଟାରିଆ ଓ ତା ଘର କୁଲଗାମ ବୋଲି ଜଣାଯାଇଛି।
ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଜଳୁଛି ନିଆଁ
ନନ୍ଦିଘୋଷ ବ୍ୟୁରୋ : ନେପାଳର ଜେନ ଜେଡ ପ୍ରଭାବ ଜାମ୍ମୁ ଓ କାଶ୍ମୀରରେ। ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଧାରାରେ ଲଦାଖକୁ ଅନ୍ତର୍ଭୁକ୍ତ କରିବା ଦାବିରେ ଜୋର ଧରିଲା ଆନ୍ଦୋଳନ। ଘଟଣାରେ ୪ ଜଣ ପ୍ରାଣ ହରାଇଥିବାବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲଦାଖରେ କର୍ଫ୍ୟୁ ଜାରି କରାଯାଇଛି। ୫ଜଣଠାରୁ ଅଧିକ ଲୋକଙ୍କ ସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଛି। ଲଦାଖରେ ଥିବା ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ। ଏହା ସହ କିଛି ଯାନବାହନକୁ ପୋଡିଦିଆଯାଇଛି। ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।
ଭାରତୀୟ ନ୍ୟାୟ ସଂହିତାର ଧାର ୧୬୩ ଅନୁସାରେ ଲେହ ଲଦାଖରେ କେନ୍ଦ୍ର ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଆନ୍ଦୋଳନର ନେତୃତ୍ବ ନେଉଛି ଲେହ ସର୍ବୋଚ୍ଚ କମିଟି ବା ଏଲଏବି। ପୂର୍ବର ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା ଲଦାଖ। ମାତ୍ର ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଲଦାଖ ସିଧାସଳଖ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହା ସହ ଜାମ୍ମୁ ଓ କାଶ୍ମୀର ବି ହୋଇଥିଲା ଏକ କେନ୍ଦ୍ରଶାସିତ ଅଞ୍ଚଳ। ଗତ ସେପ୍ଟେମ୍ବର ୧୦ରୁ ବିଶିଷ୍ଟ ସମାଜସେବୀ ସୋନମ ୱାଙ୍ଗଚୁକଙ୍କ ଅନଶନ ପରେ ଏହି ଆନ୍ଦୋଳନ ତୀବ୍ର ହୋଇଛି।
ଗତ ୨୩ ତାରିଖରେ ସୋନମ ନିଜର ୧୫ ଦିନିଆ ଅନଶନ ଭଙ୍ଗ କରିଥିଲେ। ତେବେ ଆନ୍ଦୋଳନକାରୀ ରାଜ୍ୟ ମାନ୍ୟତା ଦାବିରେ ଅଧିକ ସଂଘବଦ୍ଧ ହୋଇଥିଲେ। ଲେହସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ପୋଲିସ ଗାଡିରେ ନିଆଁ ଲଗାଇଦେଇଥିଲେ। ଆସନ୍ତା ଅକ୍ଟୋବର ୬ରେ ଲେହ ସର୍ବୋଚ୍ଚ କମିଟି ବା ଏଲଏବି ଓ କାରଗିଲ ଗଣତାନ୍ତ୍ରିକ ସଂଗଠନ ବା କେଡିଏ ସହ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ତାରିଖକୁ ମାନିବାକୁ ନାରାଜ ଅଛନ୍ତି ଆନ୍ଦୋଳନକାରୀ। ଶାନ୍ତି ରକ୍ଷା କରିବା ଲାଗି ଲୋକଙ୍କୁ ଆହ୍ବାନ ଜଣାଇଛନ୍ତି ସୋନମ। ସେପଟେ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି- ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ଧୋକା ଦିଆଯାଇଛି।
ଏଠି ବିଜେପି ସେଠି ବିଜେପି ତଥାପି ଅଙ୍କ ଛିଣ୍ଡୁନି, ପଡି ପଡି ପଚା ପଡିଗଲାଣି ଚାଉଳ
ନନ୍ଦିଘୋଷ ବ୍ୟୁରୋ : ପଡି ପଡି ପଚା ପଡିଗଲାଣି ଚାଉଳ । ହେଲେ କେନ୍ଦ୍ର ଶୁଣୁନି କି ଚାଉଳ ଉଠାଉନି । ଏନେଇ କେନ୍ଦ୍ରର ବୈମାତୃକ ମନୋଭାବର ପର୍ଦ୍ଦାଫାସ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗୃହରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବଳକା ଚାଉଳ ଓ କେନ୍ଦ୍ରଠାରୁ ବଳକା ଅର୍ଥ ପାଇବା ନେଇ ପ୍ରଶ୍ନ କରିଥିଲେ । ବିଜେଡି ସରକାର ଅମଳରେ ଯେଉଁ ବିଜେପି ଏ ନେଇ କେନ୍ଦ୍ର ସରକାରଙ୍କ ଓକିଲାତି କରୁଥିଲା, ସେ ଆଜି ସରକାରକୁ ଆସି କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲିବାକୁ ବାଧ୍ୟ ହୋଇଛନ୍ତି । ଚାଉଳର ବକେୟା ୮ହଜାର କୋଟି ଟଙ୍କା ଦେବାକୁ କେନ୍ଦ୍ର ଅରାଜି ଥିବା ଗୃହରେ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
ଏଥି ସହ ବଳକା ଚାଉଳ ନେବାକୁ ବି କେନ୍ଦ୍ର ସରକାର ରାଜି ହେଉ ନାହାନ୍ତି ବୋଲି ସ୍ବୀକାର କରିଛନ୍ତି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ଏପରି ଉତ୍ତର ଆସିବା ପରେ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ଅଛି । ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି। ଯଦି ସରକାର ଚାଉଳ ନ ଉଠାନ୍ତି, ତେବେ ଏହାକୁ ନିଲାମ କରିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ରାଜ୍ୟରେ ମୋଟ ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥିଲା। ଯେଉଁଥିରୁ ୫୦ ଲକ୍ଷ ମେଟ୍ରିକ୍ ଟନ୍ ବ୍ୟବହାର ହୋଇଛି । ୮ ବର୍ଷରେ କେନ୍ଦ୍ର ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି ରହିଛି।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବି କେନ୍ଦ୍ରର ରାଜ୍ୟ ପ୍ରତି ଅବହେଳା ଜାରି ରହିଛି । ଯାହାକୁ ନେଇ ସରକାରଙ୍କୁ ଉଭୟ ବିଜେଡି ଓ କଂଗ୍ରେସ ଘେରିଛନ୍ତି । ବିରୋଧୀରେ ଥିବା ସମୟରେ ବିଜେଡି ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକା ନେଇ ବର୍ତ୍ତମାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଳିଙ୍ଗ ଅଭିଯୋଗ ଆଣୁଥୁଲେ । ହେଲେ ଏବେ ସବୁ ଧାନ, ମିଲରଙ୍କ ପାଖରେ କେମିତି ପଡି ରହିଛି ବୋଲି କଟାକ୍ଷ କରିଛି ବିଜେଡି । ସେହିପରି କଂଗ୍ରେସ ପ୍ରଶ୍ନ କରିଛି ଯେ ଧାନ ଓ ଅର୍ଥ ପଡିରହିବା ନେଇ ସ୍ୱୀକାର କରିବା ପରେ ସମାଧାନର କି ବାଟ ରଖିଛନ୍ତି ସରକାର ?
କୋଲକାତା ଟାଟୁ ମହୋତ୍ସବ ୨୦୨୫ରେ ଓଡ଼ିଶାର କଳିଙ୍ଗ ଇଙ୍କ୍ ଟିମକୁ ଶ୍ରେଷ୍ଠ ସମ୍ମାନ
ନନ୍ଦିଘୋଷ ବ୍ୟୁରୋ : କୋଲକାତା ଟାଟୁ ଫେଷ୍ଟିଭାଲ ୨୦୨୫ରେ ଭୁବନେଶ୍ୱରର ଏକ ପ୍ରସିଦ୍ଧ ଟାଟୁ ଷ୍ଟୁଡିଓ କଳିଙ୍ଗ ଇଙ୍କ୍ ବିଶ୍ୱ ସ୍ତରରେ ଏକ ଛାପ ଛାଡ଼ିଛି । ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୯ ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱର ୨୫୦ରୁ ଅଧିକ କଳାକାରଙ୍କୁ ସାମିଲ ହୋଇଥିଲେ, ଯାହା ଟାଟୁ ସମ୍ପ୍ରଦାୟର କିଛି ଉତ୍କୃଷ୍ଟ ପ୍ରତିଭାକୁ ଏକତ୍ର ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଟିମ୍ କଳିଙ୍ଗ ଇଙ୍କ୍ ପ୍ରଥମ ସ୍ଥାନ ହାସଲ କରିଛି ।
ପ୍ରଥମ ଥର ଓଡ଼ିଶାର ଏକ ଷ୍ଟୁଡିଓ ଅନ୍ତର୍ଜାତୀୟ ଟାଟୁ ମହୋତ୍ସବରେ ଫ୍ରେସ୍ ଟାଟୁ ବର୍ଗରେ ବିଜୟୀ ହୋଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଏହି ସଫଳତା କେବଳ ଓଡ଼ିଶାର କଳାକାରମାନଙ୍କର ସୃଜନଶୀଳତା ଏବଂ ଉତ୍କର୍ଷତାକୁ ପ୍ରକାଶ କରେ ନାହିଁ ବରଂ ଅନ୍ତର୍ଜାତୀୟ ଟାଟୁ ସଂସ୍କୃତିରେ ବର୍ଦ୍ଧିତ ସ୍ୱୀକୃତିକୁ ମଧ୍ୟ ପ୍ରତିଫଳିତ କରେ।
କଳିଙ୍ଗ ଇଙ୍କ୍ ଟିମ୍ ଦ୍ୱାରା ଗଣେଶ ବିଶ୍ୱକର୍ମାଙ୍କ ଉତ୍କୃଷ୍ଟ କଳାକୃତି ସଭିଙ୍କ ମନ ମୋହିଥିଲା, ଏହାକୁ ଟିମର ସଦସ୍ୟ ମାନେ ଗଗନ ପରିୟାର, କୁବେର ବାରିକ, ସୁନନ୍ଦା ଏବଂ ଅନିଶ ଏହାକୁ ସମର୍ଥନ କରିଥିଲେ। ଏହି ମାନ୍ୟତା ଓଡ଼ିଶା ପାଇଁ ଏକ ଗର୍ବ ଆଣିଛି । ଏହା ସହ କଳିଙ୍ଗ ଇଙ୍କ୍ ରାଜ୍ୟର କଳାକୁ ବିଶ୍ୱ ଟାଟୁ ମାନଚିତ୍ରରେ ସ୍ଥାନ ଦେବା ପାଇଁ ପ୍ରୟାସ ଜାରି ରଖିଛି।
‘ଫାଇନାଲରେ ଦେଖି ନେବୁ…’ ଦୁଇଥର ହାରିବା ପରେ ବି ସୁଧୁରିଲାନି ପାକିସ୍ତାନ, ସୂର୍ଯ୍ୟକୁମାରଙ୍କୁ ଚ୍ୟାଲେଞ୍ଜ ଦେଲେ ଆଫ୍ରିଦି
ନନ୍ଦିଘୋଷ ବ୍ୟୁରୋ : ୨୦୨୫ ଏସିଆ କପରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ଆରାମଦାୟକ ବିଜୟ ଫାଇନାଲ ମୁକାବିଲା ପାଇଁ ଅଧିକ ଉତ୍ସାହ ଭରିଦେଇଛି । ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି । ଏହି ସମୟରେ ପାକିସ୍ତାନୀ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ସୂର୍ଯ୍ୟକୁମାର ଯାଦବଙ୍କ ଏକ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି ଯେ, ଭାରତର ପ୍ରାଧାନ୍ୟ ଅଧିକ ଥିବାରୁ ଭାରତ- ପାକିସ୍ତାନ ମ୍ୟାଚକୁ ଆଉ ପ୍ରତିଦ୍ୱନ୍ଦିତା ମାନିବା ଦରକାର ନାହିଁ ।
ଗୁରୁବାର ବାଂଲାଦେଶ ବିପକ୍ଷ ସୁପର ଫୋର ଫାଇନାଲ୍ ପୂର୍ବରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଆଫ୍ରିଦି ସୂର୍ଯ୍ୟକୁମାରଙ୍କ ବକ୍ତବ୍ୟ ବିଷୟରେ ପ୍ରଶ୍ନ ଗୁଡିକୁ ଏଡାଇ ଦେଇଥିଲେ । ସେ କହିଥିଲେ, ଆମେ ଏସିଆ କପ୍ ଜିତିବା ପାଇଁ ଏଠାରେ ଅଛୁ , ଏହାକ ହାସଲ କରିବା ପାଇଁ ଆମେ କଠିନ ପରିଶ୍ରମ କରିବୁ । ନା ଭାରତ ନା ଆମେ ଫାଇନାଲରେ ଅଛୁ । ଯଦି ଆମର ଫାଇନାଲରେ ଏକ ମ୍ୟାଚ ହେବ, ତେବେ ଆମେ ସେମାନଙ୍କୁ ଦେଖି ନେବୁ… ।
ବିବାଦରେ ବାବା : ଦିଲ୍ଲୀର ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ବାବାଙ୍କୁ ନେଇ ବଡ଼ ବିବାଦ
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ବାବାଙ୍କୁ ନେଇ ଏବେ ବଡ଼ ବିବାଦ। ଜଣେ ଯୁବତୀଙ୍କ ନିକଟକୁ ତାଙ୍କର ଏକ ମେସେଜ ବିବାଦର କାରଣ ହୋଇଛି। ବସନ୍ତକୁଞ୍ଜ ଇଲାକାରେ ଚାଲିଥିବା ଏହି ଆଶ୍ରମ ଏବେ ଚର୍ଚ୍ଚାର କାରଣ ପାଲଟିଛି। ଏକ ମେସେଜରେ ବାବା କହିଥିଲେ- ମୋ ରୁମକୁ ଆସ, ମୁଁ ତୁମକୁ ବିଦେଶକୁ ବୁଲାଇ ନେବି। ଏଥିଲାଗି ତୁମକୁ କିଛି ଦେବାକୁ ପଡିବ ନାହିଁ। ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟର ପ୍ରାୟ ୫୦ ମହିଳାଙ୍କ ନିକଟକୁ ବାବାଙ୍କ ହ୍ବାଟସଆପ ମେସେଜ ପ୍ରଘଟ ହେବା ପରେ ଏହାକୁ ନେଇ ବଢିଛି ବିବାଦ।
କେବଳ ଏତିକି ନୁହେଁ ଗତ ୧୬ ବର୍ଷ ଧରି ଏହା ଚାଲିଆସୁଥିଲା ବୋଲି ଜଣାପଡିଛି। ଅନ୍ୟ ଏକ ମେସେଜରେ ବାବା ଜଣେ ମହିଳାଙ୍କୁ ସମ୍ପତ୍ତି ଲୋଭ ଦେଖାଇଛନ୍ତି। ଯଦି ମୋ କଥାରେ ପରିଚାଳିତ ନହେବ ତେବେ ତୁମକୁ ଫେଲ୍ କରିଦିଆଯିବ ବୋଲି ଅନ୍ୟ ଏକ ମେସେଜରୁ ସୂଚନା ମିଳିଛି। ବଡ଼କଥା ହେଉଛି ସ୍ବାମୀ ଚୈତନ୍ୟାନ୍ଦ ନାମରେ ଜଣାଶୁଣା ଏହି ବାବାଙ୍କ ଘର ଓଡ଼ିଶାରେ ଏବଂ ସେ ୧୨ ବର୍ଷ ଧରି ଏହି ମଠରେ ରହିଥିଲେ ବୋଲି ଜଣାଯାଇଛି। ତାଙ୍କ ମୂଳ ନାମ ଥିଲା ପାର୍ଥସାରଥି। ତାଙ୍କ ନାମରେ ୨୦୦୯ ଓ ୨୦୧୬ରେ ଦୁଇଟି ନିର୍ଯାତନା ମାମଲା ଦାୟର ହୋଇଥିବା ଜଣାଯାଇଛି। ବସନ୍ତକୁଞ୍ଜ ଆଶ୍ରମରୁ ଦ୍ବିତୀୟ ମାମଲା ଦାୟର ହୋଇଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ଯାନୁଷ୍ଠାନ ହୋଇ ନଥିଲା। ବିଶେଷ କରି ଅର୍ଥନୈତିକ ପଛୁଆ ବର୍ଗର ମହିଳାଙ୍କୁ ସେ ଟାର୍ଗେଟ କରିଆସୁଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ସ୍ବାମୀ ଚୈତନ୍ୟାନନ୍ଦଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇଛି ଶ୍ରୀ ଶ୍ରୀଙ୍ଗେରୀ ମଠ ପ୍ରଶାସନ। ପୋଲିସ ବି ତାଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି। ଘଟଣାସ୍ଥଳରୁ ଦାମୀ କାର ଓ ବାଇକ ଜବତ ହୋଇଛି
ପାତ୍ରପଡ଼ା ହିଟ ଆଣ୍ଡ୍ ରନ୍ ମାମଲା : ଧରାପଡ଼ିଲା କିଲର ଥାର ମାଲିକ
ନନ୍ଦିଘୋଷ ବ୍ୟୁରୋ : ପାତ୍ରପଡ଼ା ହିଟ ଆଣ୍ଡ ରନ ଘଟଣା। ଧରାହେଲା କିଲର ଥାର ମାଲିକ। ନିଶାରୁ ହିଟ ଆଣ୍ଡ ରନ ହୋଇଥିବା ପୋଲିସର ସୂଚନା। ମୁଖ୍ୟ ଅଭିଯୁକ୍ତ ସୋମନାଥ ବେହେରା ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହେବା ପରେ ଏବେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତାକୁ ସହଯୋଗ କରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି। ଲୁକ ଆଉଟ ନୋଟିସ ଓ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ପରେ ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି ଖଣ୍ଡଗିରି ପୋଲିସ। ୯ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମା ରାତିରେ ଘଟିଥିଲା ଦୁର୍ଘଟଣା। ସ୍କର୍ପିଓ ଏବଂ ଥାର ଗାଡିର ରେସିଂ ଚାଲୁଥିବା ବେଳେ, ଦୁର୍ଘଟଣା ଯୋଗୁଁ ୮ ବର୍ଷୀୟ ଝିଅ ରେଶମା ରାଉଳର ମୃତ୍ୟୁ ଘଟିଥିଲା। ପରେ ମା’ ରେବତୀ ରାଉଳ ମଧ୍ୟ ପ୍ରାଣ ହରାଇଥିଲେ। ଯାହାକୁ ନେଇ ପ୍ରବଳ ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ। ଏହାକୁ ନେଇ ରାସ୍ତାରୋକ କରିଥିଲେ ପାତ୍ରପଡା ଓ ଫୁଲେଶ୍ୱରୀ ବସ୍ତି ଲୋକେ। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଓ ଥାରକୁ ପୂର୍ବରୁ ଜବତ କରାଯାଇଥିଲା। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏପରିକି ତାଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ସସପେଣ୍ଡ କରାଯାଇଛି।

