spot_img
Home Blog Page 581

୨୮ ତାରିଖ ଯାଏଁ ପ୍ରବଳ ବର୍ଷା, ୨ ଜିଲ୍ଲାକୁ ରେଡ୍ ଓ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୨୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା। ଏହି ଆକଳନ କରିଛି ପାଣିପାଗ ବିଭାଗ। ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ତା ପ୍ରଭାବରେ ପ୍ରବଳ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜକୁ ରେଡ଼ ଆଲର୍ଟ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ୧୦ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେପଟେ ହୀରାକୁଦକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢୁଥିବାରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ରୁଲ୍ କର୍ଭ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଡ୍ୟାମର ଜଳସ୍ତର ୬୦୫ ଫୁଟ୍ କୁ ହ୍ରାସ କରାଯିବ ବୋଲି ଜଣାପଡ଼ିଛି।  …

ପ୍ରବଳ ବର୍ଷାରେ ବେହାଲ ସୁବର୍ଣ୍ଣଜିଲ୍ଲାର ବିନିକା ଅଞ୍ଚଳ। ଏପରିକି ଉପନିବନ୍ଦକଙ୍କ ଅଫିସ ଭିତରେ ଅଣ୍ଟାଏ ପାଣି। ଉପୁଡ଼ି ପଡ଼ିଛି ବିଜୁଳି ଖୁଣ୍ଟ। ଲାଇନ୍ ବି ନାହିଁ। ଲୋକେ ବହୁତ ହନ୍ତସନ୍ତ ହୋଇଛନ୍ତି। ସେପଟେ ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଟୁନିମୁଣ୍ଡା ମେହେରୁଣି ବ୍ରିଜ୍ ଉପରେ ତିନି ଫୁଟର ପାଣି ଚାଲୁଛି। ଏଥିପାଇଁ ଯିବା ଆସିବା ପୁରା ଠପ୍। ପାଣିର ସ୍ରୋତ ବଢ଼ିବାରେ ଲାଗିଛି। ୩ଟି ପଂଚାୟତର ୧୦ଟି ଗାଁ ଲୋକେ ହନ୍ତସନ୍ତ ହେଉଛନ୍ତି।  …

ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ବନ୍ୟା ଦୁର୍ଦ୍ଦଶା । ୩୦ରୁ ଅଧିକ ଗାଁ ୧୦ ଦିନ ହେଲାଣି ପାଣି ଘେରରେ ଅଛନ୍ତି। ରିଲିଫ ବି ପହଞ୍ଚି ନାହିଁ କି ଡଙ୍ଗା ଟିଏ ବି ସରକାର ଦେଇ ନାହାନ୍ତି। … ସେହିପରି ପଟ୍ଟାମୁଣ୍ଡାଇ ବ୍ଲକରେ ଦୁର୍ଦ୍ଦଶା ଆଣିଛି ବ୍ରାହ୍ମଣୀ ନଦୀ। କେଉଁଠି ଘର ଧୋଇ ହୋଇଯାଇଛି ତ ଆଉ କେଉଁଠି କାନ୍ଥ ଦବି ଯାଇଛି। ଅନେକ ସ୍ଥାନରେ ଏଯାଏ ଚୁଳି ଜଳିଛି। ପଚି ଗଲାଣି ତଳି। ବିଡିଓ କହିଛନ୍ତି, କ୍ଷତିପୂରଣ ଯୋଗାଇ ଦିଆଯିବ। ପୁରୀ ଜିଲ୍ଲା ପିପିଲିରେ ମଧ୍ୟ ସେହି ଅବସ୍ଥା। ଜଇଶପାଟଣା ଛକ ନିକଟରେ ଭାଙ୍ଗିଲା କେନାଲ ବନ୍ଧ। ଡେଲାଙ୍ଗ ଶାଖା କେନାଲ୍ ର ଡାହାଣ ପାର୍ଶ୍ଵ ବନ୍ଧରେ ୫୦ ଫୁଟର ଘାଇ ହୋଇଛି। ପୁରା ଅଞ୍ଚଳ ଜଳମଗ୍ନ।

ମୟୂରଭଂଜ ଜିଲ୍ଲାର ବାରିପଦା ସମେତ ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଏହି ଜିଲ୍ଲାକୁ ତ ରେଡ ୱାର୍ଣ୍ଣିଂ ଦିଆଯାଇଛି। ବର୍ଷାକୁ ଦେଖି ସ୍କୁଲ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ନିଆଯାଇଛି ନିର୍ଦ୍ଦେଶ। ବ୍ଲକ ହେଡକ୍ଵାଟରରେ ରହିବାକୁ ଅଧିକାରୀଙ୍କୁ କୁହାଯାଇଛି।  ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା। କନ୍ୟାଶ୍ରମ ପୋଲ ବୁଡ଼ି ଯିବାରୁ କାଲିମେଳା ପଡ଼ିଆ  ରାସ୍ତାରେ ଯାତାୟତ ଠପ୍ ହୋଇଛି। ଅନ୍ୟ ନଦୀର ଜଳସ୍ତର ବି ବଢିଛି। ସକାଳେ ବହୁ ସମୟ ଧରି ଗାଡ଼ି ମଟର ଅଟକି ରହିଥିଲା।

‘ରାଜ୍ୟରେ ଅସୁରକ୍ଷିତ ମହିଳା, ନାରୀ ନିର୍ଯାତନା ବଢିବଢି ଚାଲିଥିବା ବେଳେ ଶୋଇଛନ୍ତି ସରକାର’

ଭୁବନେଶ୍ବର : ବାଲେଶ୍ବରରୁ ବଳଙ୍ଗା । ସବୁଠି ମହିଳା ନିର୍ଯାତନାର ଶିକାର ହୋଇ ମାଗୁଛି ନ୍ୟାୟ । ରାଜଧାନୀ ରାଜରାସ୍ତାରେ ବି ଅସୁରକ୍ଷିତ ମହିଳା । ପ୍ରତ୍ୟେକ ଦିନ ଦୁଷ୍କର୍ମ, ହତ୍ୟା, ଅସଦାଚରଣ ଅଭିଯୋଗର ଲମ୍ବା ଫର୍ଦ୍ଦ । ଘରେ କି ବାହାରେ କେଉଁଠି ବି ସୁରକ୍ଷିତ ନୁହେଁ ମହିଳା । ଓଡିଶାରେ ମହିଳା ନିର୍ଯାତନା ଦେଶ ଓ ବିଦେଶରେ ଚର୍ଚ୍ଚାର ବିଷୟ । ସାଧାରଣ ଜନତା ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ଯାଏ ମହିଳା ନିର୍ଯାତନା ନେଇ ସମସ୍ତେ ଚିନ୍ତିତ । ହେଲେ ସରକାର ଚୁପ ଓ ନିରବଦ୍ରଷ୍ଟା । ଓଡିଶାରେ ବିଜେପି ସରକାର ଆସିବା ଦିନଠାରୁ ରାଜ୍ୟରେ ମହିଳା  ବଢିଚାଲିଥିବାରୁ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଦଳ ସବୁ ଫୋରମରେ ଲଢେଇ ଜାରି ରଖିଛି । ପ୍ରତିବାଦ, ଆନ୍ଦୋଳନ କରି ସରକାରଙ୍କ ଉପରେ ଚାପ ପକାଇଛି । ଆଗକୁ ଏ ପ୍ରସଙ୍ଗକୁ ନେଇ ଲମ୍ବା ଲଢେଇ ଜାରି ରହିବ ବୋଲି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି । ସେପଟେ ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ନାରୀ ନିର୍ଯାତନା  ବଢିବଢି ଚାଲିଥିବାରୁ ତୁରନ୍ତ ରାଜ୍ୟ ସରକାର ବିଧାନସଭା ଅଧିବେଶନ ଡାକିବାକୁ ଦଳ ଦାବି କରିଛି ।

ବିରୋଧୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛି ବିଜେପି । ଦଳୀୟ ବିଧାୟକ ସରୋଜ ପାଢୀ କହିଛନ୍ତି କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗରେ କହିବାର ଅଧିକାର ନାହିଁ । ଛାତ୍ର କଂଗ୍ରେସ ସଭାପତି ନାରୀ ନିର୍ଯାତନା ମାମଲାରେ ଗିରଫ ହୋଇଛନ୍ତି । ଅନ୍ଯପଟେ ବିଜେପି ଅଭିଯୋଗର କଡା ଜବାବ ଦେଇଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ବିଜେପି ସରକାରକୁ ଗାଦିଚ୍ୟୁତ ନକରିବା ଯାଏ କଂଗ୍ରେସ ଲଢେଇ  ଜାରି ରଖିବ ବୋଲି ଦଳ କହିଛି । ମହିଳା ନିର୍ଯାତନା ରୋକିବାରେ ସରକାର ବିଫଳ ହୋଇଛନ୍ତି । ଦୁଇ ବିରୋଧୀ ସରକାରଙ୍କୁ ଏ ପ୍ରସଙ୍ଗରେ ଷଣ୍ଢୁଆସୀ ଆକ୍ରମଣ କରୁଥିବା ବେଳେ ଶାସକ ଦଳ ବି କଡା ଜାବବ ଦେଉଛି ।

ମହାନଦୀ ଜଳ ବିବାଦକୁ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ନବୀନଙ୍କ ଦାବି, ସମର୍ଥନ କଲା କଂଗ୍ରେସ

ଭୁବନେଶ୍ବର : ମହାନଦୀ ପାଇଁ ହୋଇଛି କି ରୁଦ୍ଧ ଦ୍ବାର ଡିଲ ? ଓଡ଼ିଶାର ଜଳ ଅଧିକାରକୁ କରି ଦିଆଯାଉଛି କି ଗୌଣ ? ରାଜ୍ୟ ସରକାର ଆଇନଗତ ଲଢ଼େଇରୁ ଓହିରି ଯାଇଛନ୍ତି କି ? ଯଦି ଓହରି ନାହାନ୍ତି ତେବେ ତୁରନ୍ତ ଡାକନ୍ତୁ ସର୍ବଦଳୀୟ ବୈଠକ।  ଛତିଶଗଡ ସହ କେଉଁ ପ୍ରକାର ବୁଝାମଣା ହୋଇଛି ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ଆଇନଗତ ଲଢେଇ ଲଢିବେ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ନବୀନ। ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ଜରିଆରେ ମହାନଦୀ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏଭଳି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଅଗଷ୍ଟ ୨ ତାରିଖରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ଥିବାରୁ, ସରକାର ଏବେଠୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି ହୋଇଛି। ସରକାର ରାଜ୍ୟବାସୀ ଓ ରାଜନୈତିକ ଦଳଙ୍କୁ ବିଶ୍ବାସକୁ ନେବା ଦରକାର। କାରଣ ମହାନଦୀ କେବଳ ଏକ ନଦୀ ନୁହେଁ, ଏହା ରାଜ୍ୟର ଆତ୍ମା। ତେଣୁ ମହାନଦୀ ବିବାଦରେ ସରକାର ସ୍ବଚ୍ଛତା ଅବଲମ୍ବନ କରିବା ଉଚିତ ବୋଲି କହିଛନ୍ତି ନବୀନ। ଜଳ ବିବାଦ ନେଇ ନବୀନ ଉଦବେଗ ପ୍ରକାଶ କରିବା ପରେ ଶାସକ ବିଜେପିକୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଛତିଶଗଡ଼ ମହାନଦୀ ଜଳ ଛାଡୁନାହିଁ। ଓଡ଼ିଶାରେ ଅଣମୌସୁମୀ ସମୟରେ ଦେଖାଦେଉଛି ଜଳ ସଙ୍କଟ। ଛତିଶଗଡ, ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ କାହିଁକି ସମସ୍ୟାର ସମାଧାନ ହେଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ଏହାସହ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି, ସେନେଇ ସର୍ବଦଳୀୟ ବୈଠକ ଡାକି ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ।

ତତ୍କାଳୀନ ରାଜ୍ୟ ସରକାରଙ୍କ ପିଟିସନ ଆଧାରରେ ୨୦୧୮ ଜାନୁଆରୀ ୨୩ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଜେଡିର ନିୟମିତ ଦାବି ଯୋଗୁ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ କରିଥିଲେ କେନ୍ଦ୍ର କ୍ୟାବିନେଟ। ହେଲେ ଏବେ ଦେଖିବାକୁ ମିଳୁଛି ଯେ, ବିଜେଡି ଯେଉଁ  ଆଇନଗତ ଲଢେଇ ଆରମ୍ଭ କରିଥିଲା, ତାକୁ ଦୁର୍ବଳ କରିଦେବାକୁ ଚେଷ୍ଟା କରାଯାଉଛି । ରାଜ୍ୟବାସୀଙ୍କୁ ବିଶ୍ବାସକୁ ନନେଇ ରାଜ୍ୟ ସରକାର କେଉଁ ପ୍ରକାର ଆପୋଷ ବୁଝାମଣା କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ କରୁନାହାନ୍ତି । ରାଜ୍ୟ ସ୍ବାର୍ଥକୁ ରୁଦ୍ଧ ଦ୍ବାର ଡିଲରେ ପାଣିଚିଆ କରାଯାଉଛି କି ବୋଲି ନବୀନ ପ୍ରଶ୍ନ କରିବା ସହ, ଏନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଉତ୍ତର ଦେବାକୁ ଦାବି କରିଛନ୍ତି। ଅନ୍ୟପଟେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ଏବେ ଟ୍ରିପଲ ଇଞ୍ଜିନ ସରକାର ଅଛି । ଆମେ ଏହା ଉପରେ ନଜର ରଖିଛୁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ସରିଛି ବୋଲି କହିଛନ୍ତି ମନ୍ତ୍ରୀ ରବି ନାୟକ। ସୋସିଆଲ ମଡିଆରେ ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ହକକୁ ନ୍ୟୁନ କରିବାକୁ ହେଉଥିବା ଉଦ୍ୟମକୁ ନେଇ ବର୍ଷିଛନ୍ତି ନବୀନ। ମହାନଦୀ ଓଡ଼ିଶାର ଜୀବନରେଖା। ତେଣୁ ତୁରନ୍ତ ବିଜେପି ସରକାର ଭିତିରି ବୁଝାମଣା ନୁହେଁ, ବରଂ ରାଜ୍ୟର ସ୍ବାର୍ଥକୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି ନବୀନ ପଟ୍ଟନାୟକ।

ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ : ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ। ସଂସଦରେ ଏହାକୁ ନେଇ ଅଚଳାବସ୍ଥା ଜାରି ରହିଛି। ପ୍ରତିବାଦରେ ବିରୋଧୀ ସାଂସଦ କରିଛନ୍ତି ଡଷ୍ଟବିନ ପ୍ରୋଟେଷ୍ଟ। ଆଜି ପଞ୍ଚମ ଦିନରେ ବି ସଂସଦ ହୋଇଥିଲା ଅଚଳ। ବିହାର ସ୍ପେସାଲ ଇଣ୍ଟେନସିଭ ରିଭିଜନକୁ ନେଇ ସଂସଦ ଭବନ ବାହାରେ ପ୍ରତିବାଦ କରିଥିଲେ ଇଣ୍ଡିମେଣ୍ଟ ସାଂସଦ। ବିକ୍ଷୋଭରେ ସାମିଲ ହୋଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବହୁ ନେତା। ବିକ୍ଷୋଭରେ ସାଙ୍କେତିକ ଭାବେ ବିହାର ଏସଆଇଆରକୁ ଚିରିବା ସହ ଡଷ୍ଟବିନରେ ପକାଇଥିଲେ ସାଂସଦ। ଗତ ୨୧ ତାରିଖଠାରୁ ଏହି ପ୍ରସଙ୍ଗରେ ସଂସଦରେ ବିକ୍ଷୋଭ ଜାରି ରଖିଛନ୍ତି ସାଂସଦ। ଏସଆଇଆର ଯୋଗୁ ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷରୁ ଅଧିକ ଭୋଟର ବାଦ୍ ପଡିଥିବା ନେଇ ସୂଚନା ମିଳିଥିବାବେଳେ ଆହୁରି ବହୁ ଅଧିକ ଭୋଟର ବାଦ୍ ପଡିବା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ କେନ୍ଦ୍ର କରି ବିରୋଧୀ ସାଂସଦମାନେ ତୀବ୍ର ହଟ୍ଟଗୋଳ କରିବା ସହ ସଂସଦ ଭବନ ବାହାରେ ପ୍ରତିବାଦ କରିଛନ୍ତି।

ରାଜଧାନୀ କ୍ଯାପିଟାଲ ହସ୍ପିଟାଲରେ ହନ୍ତସନ୍ତ ରୋଗୀ, ଡାକ୍ତରଙ୍କ ଅଭାବରୁ ବଢୁଛି ସମସ୍ଯା

ଭୁବନେଶ୍ବର : କ୍ଯାପିଟାଲ ହସ୍ପିଟାଲରେ ହନ୍ତସନ୍ତ ରୋଗୀ । ଡାକ୍ତରଙ୍କ ଅଭାବରୁ ବଢୁଛି ସମସ୍ଯା । ରାଜଧାନୀର ପ୍ରମୁଖ କ୍ଯାପିଟାଲ ହସପିଟାଲର ରେଜିଷ୍ଟ୍ରେସନ୍ କାଉଣ୍ଟରରୁ ଆରମ୍ଭକରି, ରୋଗୀସେବା ଓ ଔଷଧ କାଉଣ୍ଟରରେ ପ୍ରତିଦିନ ଦେଖିବାକୁ ମିଳୁଛି ଲମ୍ବା ଧାଡ଼ି । ଘଣ୍ଟା ଘଣ୍ଟା ଧରି ଠିଆହେବା ପରେ ବି ଅନେକ ସମୟରେ ନିରାଶ ଫେରୁଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ବିଶେଷକରି ପ୍ରତିଦିନ ଦୁର୍ଘଟଣା ଜନିତ ମାମଲା ଅଧିକ ଆସୁଥିବାରୁ ଡାକ୍ତରଙ୍କ ଅଭାବ ବଢାଇଛି ଚିନ୍ତା । ମେଡ଼ିସିନ୍, ହାର୍ଟ ଓ ମହିଳା ପ୍ରସୂତି ବିଭାଗ ନିକଟରେ ବି ଭିଡ଼ ଜମୁଛି । ଅବଶ୍ଯକ ସଂଖ୍ଯକ ଡାକ୍ତର ଓ କର୍ମଚାରୀ ନଥିବାରୁ ରୋଗୀ ସେବାର ଏପରି ବିକଳ ଚିତ୍ର ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି । ପ୍ରତିଦିନ ୫ ହଜାରରୁ ଅଧିକ ରୋଗୀ ହସପିଟାଲକୁ ଆସୁଛନ୍ତି । ୪ ଶହରୁ ଅଧିକ ଆଡମିଟ ହେଉଛନ୍ତି । କିନ୍ତୁ ଡାକ୍ତର ଅଭାବରୁ ବାଧ୍ଯହୋଇ ଅନ୍ଯତ୍ର ଯିବାକୁ ପଡୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଡାକ୍ତରଖାନାରେ ୬୦ ଟି ଡାକ୍ତର ଓ ନର୍ସିଂ ଅଫିସରଙ୍କ ପଦବୀ ଖାଲିପଡ଼ି ଥିବା କହିଛନ୍ତି କ୍ଯାପିଟାଲ ହସପିଟାଲ ନିର୍ଦ୍ଦେଶକ I ଏନେଇ ପ୍ରତ୍ୟେକ ମାସ ଲିଖିତ ଆକାରରେ ସରକାରଙ୍କୁ ସୂଚନା ଦିଆଯାଇଛି । ଆଉଟ ସୋର୍ସିଂ ଆଧାରରେ ଯେତିକି ସମ୍ଭବ ପୁରା କରିବାକୁ ଚେଷ୍ଟା କରାଯାଉଛି । ୨ ଟି ବିଭାଗକୁ ମିଶାଇ ୨ ଶହ ରୁ ଅଧିକ ଡ଼ାକ୍ତର ଅଛନ୍ତି । ଆବଶ୍ୟକ ଡାକ୍ତର ଓ  ନର୍ସିଂ ଅଫିସର ପଦବୀ ପୂରଣ ହୋଇପାରିଲେ ଆହୁରି ଉନ୍ନତ ମାନର ଚିକିତ୍ସା ଯୋଗାଇଦିଆ ଯାଇ ପାରିବ ବୋଲି କହିଛନ୍ତି କ୍ଯାପିଟାଲ ହସପିଟାଲ ନିର୍ଦ୍ଦେଶକ ।

ସମୁଦ୍ର ଆଁ ଭିତରେ ଲୀନ ହୋଇଯିବ ଗାଁ, ଭୟରେ ଦିନ କାଟୁଛନ୍ତି ଗଞ୍ଜାମ ୩ ଖଣ୍ଡ ଗାଁ ଲୋକ

ବ୍ରହ୍ମପୁର : ଗାଁ ମୁହାଁ ମହୋଦଧି । ଅଶାନ୍ତ ହେଉଛି ପାରାବାର । ସମୁଦ୍ର ଗର୍ଭରେ ଗାଁ ଲୀନ ହେବା ଆଶଂକା । ପାଣିରେ ଧୋଇ ହେଲା ଆଶ୍ରୟ ସ୍ଥଳୀ, ଜେଟି ଘର, ମଶାଣି ଓ ମନ୍ଦିର । ଆଉ ମାତ୍ର ଶହେ ମିଟର ଦୂରରେ ରହିଛି ସମୁଦ୍ର । ଆତଙ୍କିତ ଗ୍ରାମବାସୀ । ଏହି ଦୃଶ୍ଯ ହେଉଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ଗାଁ । ଦିନ ଥିଲା ଗାଁରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିଲା ସମୁଦ୍ର। କିନ୍ତୁ ଧିରେ ଧିରେ ସମୁଦ୍ର ଅଶାନ୍ତ ହେବା ସହ ଗାଁ ଆଡ଼କୁ ମୁହାଁଇଛି । ଏବେ ସମୁଦ୍ରରୁ ଆଉ ମାତ୍ର ଶହେ ମିଟର ଦୂରରେ ରହିଛି ଆର୍ଯ୍ୟପଲ୍ଲୀ ଗାଁ । ଆଗାମୀ ଦିନରେ ଯଦି ବାତ୍ୟା ଆସେ ତେବେ ଆର୍ଯ୍ୟପଲ୍ଲୀ ଗାଁ ସମ୍ପୂର୍ଣ୍ଣ ସମୁଦ୍ରରେ ଲୀନ ହୋଇଯିବ ବୋଲି ଆଶଂକା କରିଛନ୍ତି ଗ୍ରାମବାସୀ । ପାଞ୍ଚ ଦିନ ହେବ ଭୟଙ୍କର ଲହଡି ଆସୁଛି । ଆଗକୁ ପୂର୍ଣ୍ଣିମା ଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ ।

ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ବହୁତ ଦିନ ହେଲା ସମୁଦ୍ରକୁ ମାଛ ମାରିବା ପାଇଁ ଯାଇପାରି ନାହାନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ବିଭିନ୍ନ ସମୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଥିବା ଯୋଗୁଁ ଅଧିକାଂଶ ମତ୍ସ୍ୟଜୀବୀ ବାହାର ରାଜ୍ୟକୁ ଦାଦନ ଖଟିବା ନିମନ୍ତେ ଗଲେଣି । କେବଳ ପୁରୁଷ ନୁହେଁ ବରଂ ଗାଁର ମହିଳା ମାନେ ମଧ୍ୟ ବ୍ରହ୍ମପୁର ଓ ଛତ୍ରପୁରକୁ ଯାଇ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ୨୦୧୬ରେ ଜିଲ୍ଲା ପ୍ରଶାସନକୁ ଉପକୂଳରେ ପଥର ବନ୍ଧ ନିର୍ମାଣ କରିବା ପାଇଁ କୁହାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇ ପାରିଲା ନାହିଁ । ଗାଁର ଆଶ୍ରୟସ୍ଥଳ, ଜେଟି, ମଶାଣି ସମୁଦ୍ର ଭିତରେ ଲିନ ହୋଇଗଲାଣି । ଶବ ଶତ୍କାର କରିବାକୁ ଜାଗା ନାହିଁ । ବନ୍ଦରର ଅବ୍ୟବସ୍ଥା ଯୋଗୁଁ ଗାଁ ଭିତରକୁ ସମୁଦ୍ର ପଶି ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି । ଡଙ୍ଗା ଓ ଜାଲକୁ ଜଗି ବାହାରେ ଶୋଉଥିବା କହିଛନ୍ତି ଗ୍ରାମବାସୀ । ରାମେୟାପାଟଣା ଓ ପୋଡ଼ମପେଟା ମଧ୍ଯ ସମାନ ସ୍ଥିତି । ଆଗାମୀ ଦିନରେ ପଦକ୍ଷେପ ନନେଲେ ଆନ୍ଦୋଳନ କରିବାକୁ ଗ୍ରାମବୀସୀ ଚେତାବନୀ ଦେଇଛନ୍ତି ।

ପ୍ରଶାସନିକ ଅବହେଳାରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଜିମ୍ ସାମଗ୍ରୀ

ଜୟପୁର : ଡମ୍ପିଂୟାର୍ଡରେ ପଡ଼ିଛି ଲକ୍ଷ ଲକ୍ଷ ଟଙ୍କାର ଜିମ୍ ସାମଗ୍ରୀ । ଖତ ଖାଉଛି ପିଲାଙ୍କ ଖେଳଣା ଓ ଖେଳ ସାମଗ୍ରୀ । ଇଏ ହେଉଛି ଜୟପୁର ପୌର ପାଳିକାର ଦୃଶ୍ଯ । ପ୍ରଶାସନ ଅବହେଳାରୁ ମୋ ଖତ ସେଣ୍ଟରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଜିନିଷ । ଜୟପୁର ଲୋକଙ୍କ ଆମୋଦ ଓ ସ୍ବାସ୍ଥ୍ଯର ଉନ୍ନତି ପାଇଁ ନିର୍ମାଣ ହୋଇଥିଲା ପାର୍କ । ଆଉ ସେଠାରେ ପିଲାଙ୍କ ଖେଳନା ସାମଗ୍ରୀ ସହ ଖୋଲାଯାଇଥିଲା ଓପନ ଜିମ୍ । ହେଲେ ଏବେ କେଉଁଠି ପାର୍କରେ ତାଲା ଝୁଲୁଛି ତ କେଉଁଠି  ମୋ ଖତ ସେଣ୍ଟରରେ ଏସବୁ ସାମଗ୍ରୀ ଫିଙ୍ଗା ଯାଇଛି । ସହରରେ ୩୨ଟି ପାର୍କ ଓ ଶିଶୁ ବିନୋଦନ କେନ୍ଦ୍ର ନିର୍ମାଣ କରାଯାଇଥିଲା । କେନ୍ତୁ ସେସବୁ ବ୍ଯବହାର କରିବା ବଦଳରେ ଏମସିସିରେ ପରିତ୍ଯକ୍ତ ଅବସ୍ଥାରେ ପଡ଼ିଥିବାରୁ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସେପଟେ ଏପରି ଅଭିଯୋଗ ପରେ ଏନେଇ ଅନୁଧ୍ଯାନ କରାଯିବ ବୋଲି କହିଛନ୍ତି ପୌରପାଳିକା ନିର୍ବାହୀ ଯନ୍ତ୍ରୀ । ଯେଉଁ ସାମଗ୍ରୀ ଗୁଡ଼ିକ ବ୍ଯବହାର ଉପଯୋଗୀ ସେସବୁକୁ ଲଗାଯିବା ସହ ଖରାପ ହୋଇଥିବା ଉପକରଣକୁ ବଦଳାଯିବ ବୋଲି କହିଛନ୍ତି । ଖୁବଶୀଘ୍ର ପାର୍କ ଗୁଡ଼ିକ ମରାମତି କରାଯାଇ ଲୋକଙ୍କ ଉଦ୍ଦେଶ୍ଯରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ରକ୍ଷଣାବେକ୍ଷଣ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ଦିଆ ଯାଇଥିବା ବେଳେ ସଠିକ ଅର୍ଥ ପ୍ରଦାନ କରାଯାଉ ନଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।..

ଅବ୍ଯବସ୍ଥା ଘେରରେ ରାଉରକେଲା ବିଶ୍ରାଛକ ବସଷ୍ଟାଣ୍ଡ

ରାଉରକେଲା : କେଉଁଠି ରାସ୍ତାରୁ କଂକ୍ରିଟ ଉଠି ପାଣି ଜମା ହେଉଛି ତ କେଉଁଠି ଲୁହା ରଡ଼ ଉଠିଲାଣି । ପରିତ୍ଯକ୍ତ ଅବସ୍ଥାରେ ବସ ବେ । ବସଷ୍ଟାଣ୍ଡ କୋଠାଘରୁ ଅତଡ଼ା ଖସୁଥିବାରୁ ଆତଙ୍କିତ ଯାତ୍ରୀ । ଇଏ ହେଉଛି ରାଉରକେଲା ନୂଆ ବସଷ୍ଟାଣ୍ଡର ଦୃଶ୍ଯ । ବିଶ୍ରା ଛକ ନିକଟରେ ଥିବା ଏହି ନୁଆ ବସ୍ ଷ୍ଟାଣ୍ଡରୁ ପ୍ରତିଦିନ ୪ ଶହରୁ ଅଧିକ ବସ୍ ଓ ହଜାର ହଜାର ଯାତ୍ରୀ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟାତ କରନ୍ତି । ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବସ  କର୍ମଚାରୀମାନେ ମଧ୍ୟ ସ୍ଥିତିକୁ ଦେଖି ଆସିବାକୁ ଡରୁଛନ୍ତି । ଭିଡ଼, ବିପଦପୂର୍ଣ୍ଣ କୋଠା ଓ ଅନୁପଯୁକ୍ତ ରାସ୍ତା ଯୋଗୁଁ ଯାତ୍ରୀ, ବ୍ୟବସାୟୀ, ବସ୍ ମାଲିକ ଓ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ବସଷ୍ଟାଣ୍ଡର ଏପରି ସ୍ଥିତି ଦେଖି ଏହାର ପୁନଃ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି ।  ରାଉରକେଲା ଘରୋଇ ବସ୍ ଷ୍ଟାଣ୍ଡକୁ ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲର ରୂପ ଦିଆଯିବ  ବୋଲି ରାଉରକେଲା ମହାନଗର ନିଗମ କମିଶନର କହିଛନ୍ତି । ପ୍ରସ୍ତାବିତ ନୂତନ ବସ୍ ଷ୍ଟାଣ୍ଡରେ ମୋଟ ୩୬ଟି ‘ବସ୍ ବେ’ ସହ ଆରଏସପି ଠାରୁ ନିଆଯାଇଥିବା ଜାଗାରେ ଦୂରଗାମୀ ବସ୍ଗୁଡିକ ପାଇଁ ଏକ ଅତିରିକ୍ତ ପାର୍କିଂ ସ୍ଥଳ ନିର୍ମାଣ କରାଯିବ ବୋଲି କହିଛନ୍ତି ଆରଏମସି କମିଶନର। ବସଷ୍ଟାଣ୍ଡର ପୁନଃ ନିର୍ମାଣ କାର୍ଯ୍ୟ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ମିଳିତ ସହଯୋଗରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।…

ଭୁଲ ପ୍ରମାଣପତ୍ର ଯୋଗୁଁ ସରକାରଙ୍କ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ…

ମୁନିଗୁଡା : ଜନ୍ମରୁ ଶତପ୍ରତିଶତ ଦିବ୍ଯାଙ୍ଗ ହୋଇଥିଲେ ବି ଉପଯୁକ୍ତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାରୁ ବଞ୍ଚିତ। ସରକାରୀ ବାବୁଙ୍କ ଅବହେଳା ଯୋଗୁ ଏଭଳି ହିନିମାନିଆ ହେଉଚନ୍ତି ଦିବ୍ଯାଙ୍ଗ ହିତାଧିକାରୀ। ଫଳରେ ସରକାରଙ୍କ ବର୍ଦ୍ଧିତ ଭତ୍ତା ପାଇପାରୁନାହାନ୍ତି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ପଞ୍ଚାୟତ ଇନ୍ଦିରାପଡ଼ା ଗାଁର ସୁଲତାନ ସୁନା । ଜନ୍ମରୁ ଭିନ୍ନକ୍ଷମ। ନା ଚାଲିପାରନ୍ତି ନା କିଛି କାମ କରିପାରନ୍ତି । ଏମିତିକି ନିଜର ନିତ୍ୟକର୍ମ ପାଇଁ ମଧ୍ୟ ଅନ୍ୟ ଉପରେ ନିର୍ଭର କରିଥାନ୍ତି । ସୁଲତାନ ଭିନ୍ନକ୍ଷମ ପ୍ରମାଣ ପତ୍ରଟିଏ ପାଇଁ ଅନେକ ସାମର୍ଥ୍ଯ ଶିବିରିକୁ ଯିବା ପରେ ଶେଷରେ ତାଙ୍କୁ ପ୍ରମାଣ ପତ୍ର ମିଳିଛି ହେଲେ ତା ପୁଣି ୪୦ ପ୍ରତିଶତର । ସମାନ ସ୍ଥିତି ଗୁପ୍ତେଶ୍ବରୀ ବାତ୍ରାଙ୍କ ଅବସ୍ଥା।

ସେ କଥା କହି ପାରନ୍ତିନି କି ଶୁଣି ପାରନ୍ତିନି । ତାଙ୍କୁ ୨୦୧୦ ମସିହା ନଭେମ୍ବର ୧୮ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ୯୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲା । ହେଲେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଡିଜିଟାଇଜେସନ ଜରିଆରେ ୧୮ ପ୍ରତିଶତ ଭିନ୍ନକ୍ଷମ ଥିବା ସାର୍ଟିଫିକେଟ ମିଳିଛି । ଆଶ୍ଚର୍ଯ୍ୟର କଥା ଯେଉଁ ବ୍ଯକ୍ତିକୁ ୨୦୧୦ରେ ୪ ଜଣ ଡାକ୍ତରଙ୍କ ଦସ୍ତଖତ ଥାଇ ୯୦% ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲା ସମାନ ବ୍ଯକ୍ତିକୁ ୨୦୧୫ରେ କେମିତି ୧୮ ପ୍ରତିଶତ ହେଲା ?  ସେଥିପାଇଁ ଦାୟୀ କିଏ ?

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ ପାଇଁ  ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ କରାଯାଇଥିଲା । ଏହି ଶିବିରରେ ବ୍ଲକର ୧୭ଟି ପଞ୍ଚାୟତର ଦିବ୍ଯାଙ୍ଗମାନେ ଯୋଗଦେଇଥିଲେ । ଶିବିର ଆୟୋଜନ ହୋଇ ଜିଲ୍ଲା ପ୍ରଶାସନ କାମ ସରିଦେଇଛି ସଥ। ହେଲେ ଏବେ କେତେକ ଭିନ୍ନକ୍ଷମମାନଙ୍କୁ ଉଚିତ ପ୍ରମାଣପତ୍ର ମିଳିନଥିବା ଅଭିଯୋଗ ହୋଇଛି । ସରକାର ଭୂମିହୀନ ଭିନ୍ନକ୍ଷମଙ୍କୁ ୪ ଡିସିମିଲ ଜାଗା ଓ ଆବାସ ଯୋଜନାରେ ସାମିଲ କରିବା ଭଳି ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ଭୂମିହୀନମାନଙ୍କୁ ସଠିକ ଯାଞ୍ଚ ନକରି ଭୁଲ ପ୍ରମାଣ ପତ୍ର ଦିଆଯିବାରୁ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଅନେକ ହିତାଧିକାରୀ ।

ଲୋକଙ୍କ ଭରସା ସାଜିଥିଲା ବାଉଁଶ ପୋଲ, ନଦୀର ସୁଅରେ ଭାସିଯିବାରୁ ଯନ୍ତ୍ରଣାରେ ୨ ବ୍ଲକ ବାସିନ୍ଦା

ଉଦଳା : ଗଙ୍ଗାହାର ନଦୀ ଉପରେ ଲୋକଙ୍କ ଭରସା ସାଜିଥିଲା ବାଉଁଶ ପୋଲ । ଯାହା କିଛି ଦିନ ପୂର୍ବରୁ ନଦୀର ସୁଅରେ ଭାସିଯାଇଛି । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ ପ୍ରବାହିତ ଗଙ୍ଗାହାର ନଦୀ ଉପରେ ସ୍ଥାୟୀ ପୋଲଟିଏ ନିର୍ମାଣ କରିବାକୁ ଶୁଣିନି ପ୍ରଶାସନ । ବାଧ୍ଯ ହୋଇ ଗ୍ରାମବାସୀ ନିଜ ଉଦ୍ଯମରେ ବାଉଁଶ ପୋଲ ନିର୍ମାଣ କରି ଯାଆସ କରୁଥିଲେ । ହେଲେ ବାଉଁଶ ପୋଲଟି ନଦୀର ସୁଅରେ ଭାସିଯିବାରୁ ଏବେ ଯନ୍ତ୍ରଣାରେ ୨ ବ୍ଲକ ବାସିନ୍ଦା ।

ଏହି ବାଉଁଶ ପୋଲଟି ଗୋପବନ୍ଧୁନଗର ବ୍ଲକ ଏବଂ ବଡ଼ସାହି ବ୍ଲକକୁ ସଂଯୋଗ କରୁଥିଲା । ଏହା ଉପରେ ଗୋପବନ୍ଧୁନଗର ବ୍ଲକ ରାଣୀବନ୍ଧ ପଞ୍ଚାୟତରୁ ବଡ଼ସାହି ବ୍ଲକକୁ ଯିବା ପାଇଁ ୪ ପଞ୍ଚାୟତର ଲୋକେ ନିର୍ଭର କରୁଥିଲେ । ହେଲେ ପୋଲଟି ଭାଙ୍ଗିଯିବାରୁ ବାଧ୍ଯ ହୋଇ ୧୦ କିଲୋମିଟର ବୁଲି ବୁଲି ଯାଉଛନ୍ତି ଲୋକେ । ଅନେକ ଦିନର ଏହି ସମସ୍ଯା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଜି ବି ଗ୍ରାମବାସୀ ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି । କେବେ ଲୋକଙ୍କ ଯାତନାର ଅନ୍ତ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।