spot_img
Home Blog Page 5933

ମୃତଦେହକୁ ପୋଡ଼ିବା ପାଇଁ ଗାଁ ଲୋକ ମାଗିଲେ ଦେଢ଼ ଲକ୍ଷ ଟଙ୍କା…

କେନ୍ଦୁଝର: ସାମାଜିକ ବାସନ୍ଦର କରୁଣ ଚିତ୍ର। ମୃତ୍ୟୁ ପରେ ମଧ୍ୟ ମିଳିଲାନି ଉପଯୁକ୍ତ ସମ୍ମାନ। ଜୋରିମାନା ଦେଲେନି ବୋଲି ପଡ଼ିରହିଲା ଶବ। ଦିନ ଦ୍ୱିପ୍ରହରରୁ ରାତି ପର୍ଯ୍ୟନ୍ତ ଅବହେଳିତ ହୋଇ ପଡ଼ିରହିଲା ମୃତଦେହ। ଶବ ପୋଡ଼ିବାକୁ ହେଲେ ଜୋରିମାନା ଆକାରରେ ଦେବାକୁ ପଡ଼ିବ ଦେଢ଼ ଲକ୍ଷ ଟଙ୍କା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝରଗଡ ମ୍ୟୁନିସିପାଳିଟି ର ୧୧ ନମ୍ବର ଓ୍ୱାର୍ଡରେ। ଧୋବଡିହା ଗାଁର ଜଣେ ବ୍ୟକ୍ତି ସାମାଜିକ ବାସନ୍ଦ ହୋଇଥିବାରୁ ତାଙ୍କ ବାପାଙ୍କ ବିୟୋଗ ପରେ ଘରେ ପଡ଼ିରହିଛି ଶବ।

ମୃତକ ଜଣକ ହେଉଛନ୍ତି କେନ୍ଦୁଝର ସହର ଧୋବାଡିହା ଗାଁ’ର ୮୨ ବର୍ଷୀୟ ଯଦୁମଣୀ ମୁର୍ମୁ। ଜମିଜମା ବିବାଦ ପାଇଁ ୨୦୧୨ ମସିହାରୁ ତାଙ୍କ ପରିବାରକୁ ଗାଁ ଲୋକେ ବାସନ୍ଦ କରିଥିଲେ। ଯେଉଁକାରଣରୁ କୌଣସି ପୂଜା ପର୍ବରେ ବି ତାଙ୍କ ଘରକୁ କେହି ଆସନ୍ତି ନାହିଁ କି ତାଙ୍କୁ କେହି ଡାକନ୍ତି ନାହିଁ। ତେବେ ବୃଦ୍ଧାବସ୍ଥା କାରଣରୁ ଯଦୁମଣୀଙ୍କର ଆଜି ମଧ୍ୟାହ୍ନ ୧୨ଟାରେ ମୃତ୍ୟୁ ହୋଇ ଯାଇଥିଲା। ହେଲେ ଗାଁ ଲୋକେ ମୃତଦେହ ଉଠାଇବାକୁ ଦେଇ ନଥିଲେ। ତେବେ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ଶବକୁ ମଶାଣିକୁ ନିଆଯାଇଥିଲା।

ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ବିରଳ ରେକର୍ଡ, ମାଉଣ୍ଟ କିଲିମଞ୍ଜାରୋ ଶୃଙ୍ଗରେ ଉଡ଼ାଇଲେ ପତାକା

ଆନ୍ଧ୍ର ପ୍ରଦେଶ: ଆନ୍ଧ୍ର ପ୍ରଦେଶର ଗ୍ରମୀଣ ଅଞ୍ଚଳର ଜଣେ କୁନି ଝିଅ ନିଜ ନାଁରେ ଏକ ବିରଳ ରେକର୍ଡ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଏହି କୁନି ଝିଅ ତଞ୍ଜାନିଆର ମାଉଣ୍ଟ କିଲିମଞ୍ଜାରୋ ଶୃଙ୍ଗରେ ପହଞ୍ଚି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହା ଆଫ୍ରିକା ମହାଦ୍ୱୀପର ସବୁଠାରୁ ଉଚ୍ଚତମ ଶୃଙ୍ଗ । ଏସିଆର ସବୁଠାରୁ କମ୍‌ ବୟସରେ ଏହି ସଫଳତା ପାଇବାରେ ଆନ୍ଧ୍ରପ୍ରଦେଶ ଅନନ୍ତପୁରର ଋିତ୍ୱିକା ଶ୍ରୀ ହେଉଛନ୍ତି ପ୍ରଥମ । ତେବେ ପୁରା ବିଶ୍ୱରେ ଋିତ୍ୱିକା ଏହି ରେକର୍ଡ ହାସଲ କରିବାରେ ଦ୍ୱିତ୍ୱୀୟ ।

ମାଉଣ୍ଟ କିଲିମଞ୍ଜାରୋ ଶୃଙ୍ଗରେ ଚଢ଼ି ରେକର୍ଡ କରିବା ବେଳେ ଋିତ୍ୱିକାଙ୍କ ପିତା ତାଙ୍କ ସହ ରହିଥିଲେ । ଋିତ୍ୱିକା ସମୂଦ୍ର ପତନରୁ ୫ ହଜାର ୬୮୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିଛନ୍ତି । ଏହି ଉଚ୍ଚତାକୁ ଗିଲମେନ୍ସ ପଏଣ୍ଟ କୁହାଯାଉଛି । ଋିତ୍ୱିକାଙ୍କ ପିତା ଜଣେ କ୍ରିକେଟ୍‌ କୋଚ୍‌ ହେବା ସହ ଜଣେ ସ୍ପୋର୍ଟ୍ସ କୋର୍ଡିନେଟର ମଧ୍ୟ ।

ଋିତ୍ୱିକା ତେଲେଙ୍ଗାନା ଭୋଙ୍ଗିରର ରକ୍‌ କ୍ଲାଇମ୍ବିଂ ସ୍କୁଲ୍‌ରେ ପ୍ରାଥମିକ ଟ୍ରେନିଂ ନେଇଥିଲେ । ଏହାପରେ ସେ ଲଦାଖରେ ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ନେଇଥିଲେ । ଅନନ୍ତପୁରର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଗନ୍ଧମ ଚନ୍ଦ୍ରୁଡ଼ ଟ୍ୱିଟ୍‌ ଯୋଗେ ଋିତ୍ୱିକାଙ୍କ ଏହି ସଫଳତା ପାଇଁ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

ମମତା ବାନାର୍ଜୀଙ୍କୁ ଭେଟିଲେ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଲେ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାବେଳେ ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ପଶ୍ଚିମବଙ୍ଗରେ ବିହାରୀଙ୍କ ଦବଦବା ଥିବା ୪ରୁ ୭ଟି ଆସନରେ ଟିଏମସି ଓ ଆରଜେଡି ଏକ ହୋଇ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି । ଉଭୟଙ୍କ ପରେ ଆଲୋଚନା ପରେ ତେଜସ୍ବୀ କହିଛନ୍ତି, ରାଜ୍ୟରେ ବିଜେପିକୁ ରୋକିବାକୁ ଟିଏମସିକୁ ପୂର୍ଣ୍ଣ ସହଯୋଗ କରିବ ଆରଜେଡି । ମମତା ବାନାର୍ଜୀଙ୍କୁ ଲାଲୁ ପ୍ରସାଦ ଯାଦବଙ୍କ ସମର୍ଥନ ରହିଛି ବୋଲି ତେଜସ୍ବୀ ଯାଦବ କହିଛନ୍ତି । ପଶ୍ଚିମବଙ୍ଗରେ ରାଜନୀତି ସରଗରମ ଥିବାବେଳେ ଯୁବ ନେତା ଭାବେ ରାଜ୍ୟରେ ଏଣ୍ଟ୍ରି ମାରିଛନ୍ତି ତେଜସ୍ବୀ ଯାଦବ

ଆସାମ ଓ ତାମିଲନାଡୁରେ ଜୋର ଧରିଲାଣି ପ୍ରଚାର

ଆସାମ ଓ ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଲାଣି ପ୍ରଚାର। ଏବେ ନେତାଏ ଦିଲ୍ଲୀ ଛାଡ଼ି ପ୍ରଚାର ମୈଦାନରେ ମାତିଛନ୍ତି। ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଆଜି ଅନେକ ଜନସଭାକୁ ସମ୍ବୋଧିତ କରିବା ସହ ନିର୍ବାଚନ ପାଇଁ ନେତାଙ୍କୁ ଦେବେ ଗୁରୁମନ୍ତ୍ର ପ୍ରିୟଙ୍କା। ସେହିଭଳି ତିନି ଦିନିଆ ତାମିଲନାଡୁ ଗସ୍ତରେ ଅଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ଅନେକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଜନସଭାକୁ ସମ୍ବୋଧିତ କରିବେ ରାହୁଲ। ରୋଡ୍ ଶୋ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଉଭୟ ରାଜ୍ୟରେ କଂଗ୍ରେସ ବିରୋଧୀ ଦଳରେ ବସିଛି। ଆସାମରେ ପୁଣି ଥରେ କ୍ଷମତା ଦଖଲ ପାଇଁ ଦଳ ଜୋର୍ ଲଗାଇଥିବାବେଳେ ତାମିଲନାଡୁରେ ଡିଏମକେ ସହ ମିଶି କଂଗ୍ରେସ ସରକାର ଗଢିବା ପାଇଁ ମନ ବଳାଇଛି। ସେପଟେ ବିଜେପି ମଧ୍ୟ AIADMK ସହ ମିଶି ସରକାର ଗଢିବା ପାଇଁ ଦମ ଲଗାଇଛି। ଏହାକୁ ଚୂଡାନ୍ତ ରୂପ ଦେବା ପାଇଁ ତିନି ଦିନିଆ ତାମିଲନାଡୁ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ପଶ୍ଚିମବଙ୍ଗରେ ମଧ୍ୟ ଜୋର ଧରିଛି ପ୍ରଚାର ରାଜନୀତି। ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ପାଇଁ ଶେଷ ହୋଇସାରିଛି ତାରିଖ।

ସଂଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲକୁ ଫେରିବେ ଛାତ୍ରଛାତ୍ରୀ

ସମ୍ବଲପୁର: ସଂଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲକୁ ଫେରିବେ ଛାତ୍ରଛାତ୍ରୀ। ବୁର୍ଲା କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଅର୍ଜେଣ୍ଟ ନୋଟିସ ଜାରି କଲା ସମ୍ବଲପୁର ବିଶ୍ବବିଦ୍ଯାଳୟ। ପିଜି ହଷ୍ଟେଲ ଓାର୍ଡେନ ପ୍ରଫେସର ବି. ଶତପଥୀ ଏହି ନୋଟିସ ଜାରି କରିଛନ୍ତି। କୋଭିଡ ନିୟମ କଡାକଡି କରିବା ପାଇଁ ନୋଟିସରେ ଉଲ୍ଲେଖ ରହିଛି। ଜରୁରୀ କାମ ନଥିଲେ ହଷ୍ଟେଲରୁ ବାହାରିବାକୁ ବାରଣ କରାଯାଇଛି।

 

ସେହିପରି ଛାତ୍ରଛାତ୍ରୀଙ୍କ ପାଖରେ କରୋନା ଲକ୍ଷଣ ଦେଖାଗଲେ ସଙ୍ଗେସଙ୍ଗେ ଆମ୍ବୁଲାସକୁ ଯୋଗାଯୋଗ କରି ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ରହିଛି। ନୋଟିସରେ ଆମ୍ବୁଲାନ୍ସ ଡ୍ରାଇଭର, ମେଡିକାଲ ଅଫିସର ଓ ଭୀମସାର ନିର୍ଦ୍ଦେଶକଙ୍କ ନମ୍ବର ଲଲ୍ଲେଖ ରହିଛି।

ସୁପ୍ରିମକୋର୍ଟ ଜଜଙ୍କୁ କାଲି ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ ୨ୟ ପର୍ଯ୍ୟାୟ ଟିକାକରଣ ଜାରି ରହିଥିବା ବେଳେ ଆସନ୍ତାକାଲି ସୁପ୍ରିମକୋର୍ଟର ବିଚାରପତିମାନେ ମଧ୍ୟ ଟିକା ନେବେ । ଏହି ଟୀକାକରଣ ମଙ୍ଗଳବାର ଠାରୁ ଆରମ୍ଭ ହେବ। ସର୍ବୋଚ୍ଚ ବିଚାରପତିଙ୍କ ବ୍ୟତୀତ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଟୀକା ଦିଆଯିବ। ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି ସୁପ୍ରିମକୋର୍ଟ ପରିସରରେ ଟିକାକରଣର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏବଂ ସେମାନଙ୍କ ପରିବାର ପାଇଁ ମଧ୍ୟ ଟିକାକରଣର ବ୍ୟବସ୍ଥା କରାଯାଇଛି । ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି ବିଚାରପତିଙ୍କ ସଚିବମାନଙ୍କୁ ସୂଚନା ଦେଇଛନ୍ତି ଯେ ବିଚାରପତି ଏବଂ ତାଙ୍କ ପରିବାର ତାଲିକାଭୁକ୍ତ ଯେ କୗେଣସି ଡାକ୍ତରଖାନା କିମ୍ବା ସୁପ୍ରିମକୋର୍ଟରେ ଟୀକାକରଣ କରିପାରିବେ। ଏପରିକି ସେମାନେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ମଧ୍ୟରେ ଚୟନ କରିପାରିବେ ।

ଆହୁରି ମଧ୍ୟ କୁହାଯାଇଛି ଯେ ଟୀକାକରଣ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣର ନିର୍ଦ୍ଦେଶାବଳୀ ଅନୁଯାୟୀ ଚାର୍ଜ ଦେବାକୁ ପଡିବ।

ବିବାହ ବନ୍ଧନରେ ବାନ୍ଧି ହେଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ

ଭୁବନେଶ୍ୱର: ରିଲ ଲାଇଫରେ ପ୍ରେମର ରଙ୍ଗ ଲଗାଉଥିବା ଲଭ ବାର୍ଡ ଏବେ ରିୟଲ ଲାଇଫରେ ଯୋଡ଼ି ହୋଇଛନ୍ତି। ଫିଲ୍ମରେ ନୁହେଁ ପ୍ରକୃତ ଜୀବନେ ହୋଇଛନ୍ତି ଦୁହେଁ ଦୁହିଁଙ୍କର ଜୀବନର ସାଥୀ। କାରଣ ବିବାହ ବନ୍ଧନରେ ବାନ୍ଧି ହେଲେ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଅର୍ଚ୍ଚିତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତ ଜନ୍ମର ସାଥୀ କରିଛନ୍ତି ସବ୍ୟସାଚୀ ମିଶ୍ର। ପରିବାର ସଦସ୍ୟ ଓ ହାତଗଣତି ଘନିଷ୍ଠ ବନ୍ଧୁଙ୍କ ଗହଣରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଦୀର୍ଘଦିନ ଧରି ଉଭୟଙ୍କ ଭିତରେ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସାତ ଜନମର ସାଥୀ ହୋଇଛନ୍ତି ଉଭୟ। ଓଲିଉଡ କଳାକାରଙ୍କଠାରୁ ଆରମ୍ଭ କରି ପ୍ରିୟ ପ୍ରଶଂସକଙ୍କ ନିକଟରୁ ଉଭୟଙ୍କ ବିବାହକୁ ନେଇ ଛୁଟିଛି ଶୁଭେଚ୍ଛାର ସୁଅ। ୨୦୦୫ ମସିହାରେ ‘ଓ ମାଇଁ ଲଭ’ ଫିଲ୍ମରେ ଓଲିଉଡରେ ପାଦ ଦେଇଥିଲେ ଅର୍ଚ୍ଚିତା। ପରେ ପରେ ୨୦୦୭ରେ ପାଗଳ ପ୍ରେମୀ ସିନେମାରେ ଓଲିଉଡ ଦୁନିଆରେ ପାଦ ଥାପିଥିଲେ ସବ୍ୟସାଚୀ ମିଶ୍ର। ତେବେ ଦୁହିଁଙ୍କ ବିବାହକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବେଶ ଉତ୍ସାହ।

ସହମତିରେ ହେଉଥିବା ଶାରୀରିକ ସମ୍ପର୍କ ଦୁଷ୍କର୍ମ ହେବକି? କାହିଁକି ଏଭଳି ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ଦୁଷ୍କର୍ମ ମାମଲାକୁ ନେଇ ସୁପ୍ରିମକୋର୍ଟ ଅଭିଯୁକ୍ତକୁ ୪ ସପ୍ତାହ ପର୍ଯ୍ୟନ୍ତ ଗିରଫ ନକରିବା ପାଇଁ ରାୟ ଦେଇଛନ୍ତି। ଅଭିଯୁକ୍ତ ପୀଡିତାଙ୍କ ସହ ଲିଭ୍ ଇନ ରିଲେସନସିପ୍‌ରେ ରହୁଥିବା ବେଳେ ଏହା କିପରି ଏକ ଦୁଷ୍କର୍ମ ମାମଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଲିଭ୍ ଇନ ରିଲେସନସିପ୍‌ରେ ରହୁଥିବା ବେଳେ ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ । ତେଣୁ ଏହା କିପରି ଦୁଷ୍କର୍ମ ହେଲା ବୋଲି କୋର୍ଟ କହିଛନ୍ତି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ବିବାହ ପରେ ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଯିଏକି ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଲିଭ୍-ଇନ୍‌ରେ ରହୁଥିଲେ। ଏହାର ଶୁଣାଣି ବେଳେ ବିଚାରପତି ଓକିଲଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଜଣାପଡିଛି। ଯୁବକଙ୍କ ବିରୋଧରେ ନିର୍ଯାତନା ନେଇ ଅଭିଯୋଗ ଆଣିଥିଲେ ଯୁବତୀଙ୍କ ଓକିଲ । କୋର୍ଟ ପୁଣି ଥରେ ମାମଲାକୁ ସ୍ପଷ୍ଟ କରିବା ସହ ନିର୍ଯାତନା ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଛନ୍ତି।

ଏଥିସହ ସମ୍ପୃକ୍ତଙ୍କ ଯୁବକଙ୍କୁ ୪ ସପ୍ତାହ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ପୂର୍ବରୁ ବିବାହ ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଶାରୀରିକ ସମ୍ପର୍କ ରଖିଥିବା ସଂପୃକ୍ତ ଯୁବତୀ ଅଭିଯୋଗ କରିଥିଲେ ।

ମାର୍ଚ୍ଚ ରୁ ମେ’ ଅସହ୍ୟ ହେବ ତାତି, ଓଡ଼ିଶା ହୋଇପାରେ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

ଭୁବନେଶ୍ୱର: ଏବେଠୁ ଅସହ୍ୟ ହେଲାଣି ତାତି । ପିଟିଲାଣି ଝାଞ୍ଜି । ଖରାରେ ଆଉଟୁ ପାଉଟୁ ହେଲେଣି ଲୋକେ । ଫେବୃଆରୀ ଶେଷ ନହେଉଣୁ ଏଥର ଆରମ୍ଭ ହୋଇଯାଇଛି ତାତି । ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରୀ ଉପରେ ବିଭିନ୍ନ ସହରର ତାପମାତ୍ରା । ତେବେ ଏତିକିରେ ସରୁନି କଷ୍ଟ । ସତେ ଯେମିତି ସର୍ଯ୍ୟଦେବଙ୍କ କୋପ ଏଥର ଓଡ଼ିଶା ଉପରେ ପଡ଼ିଛି । ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ସୀମାରେ ଥିବା ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ତାତି ଅସହ୍ୟ ହେବ । ଏହ ସହ କୋଙ୍କଣ ଗୋଆ ଓ ଗୁଜରାଟରେ ମଧ୍ୟ ବଢ଼ିବ ତାତି । ପାଣିପାଗ ବିଭାଗ ଅନୁଯାୟୀ; ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ ।

ତେବେ ଏବେ ତ ତାତି ଅସହ୍ୟ ହେଲାଣି । ହେଲେ ସବୁଠୁ ବଡ଼ କଥା ହେଲା ମାର୍ଚ୍ଚଠାରୁ-ମେ’ ଏହି ରାଜ୍ୟ ଗୁଡ଼ିକ ଦେଶର ସବୁଠାରୁ ଉତ୍ତପ୍ତ ରଜ୍ୟ ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ବଙ୍ଗୋପସାଗରର ଜଳବାୟୁ ଆଧାର କରି ସୃଷ୍ଟି ହୋଇଥିବା ଲା-ନିନା ଯୋଗୁଁ ଏହି ତାତି ବଢ଼ୁଛି ବୋଲି କୁହାଯାଉଛି । ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କୋଙ୍କଣ ଗୋଆ, ଗୁଜରାଟ ଆଦି ରାଜ୍ୟରେ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ପ୍ରବଳ ଖରା ହେବ, ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫେବୃଆରୀ ଶେଷ ଓ ମାର୍ଚ୍ଚ ଆରମ୍ଭରୁ ଥିବା ଜଳବାୟୁ ପରିସ୍ଥିତିକୁ ଦେଖି ମଧ୍ୟ ଏଭଳି ଆକଳନ କରାଯାଇଛି ।

ସେପଟେ ଦିନକୁ ଦିନ ଓଡ଼ିଶାରେ ତାପମାତ୍ରା ବଢ଼ିବାରେ ଲାଗିଛି । କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ସାଧାରଣଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଥିବା ଦେଖାଯାଇଛି । ଆଗକୁ ଏହା ଆହୁରି ବଢ଼ିବ ବୋଲି ଆଶଙ୍କା ମଧ୍ୟ ରହିଛି । ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି । ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଖାଲି ସେତିକି ନୁହେଁ ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପାଣିପାଗ ବିଭାଗ ପକ୍ଷରୁ ଏବେଠୁ ପରାମର୍ଶ ଦିଆଯାଇଛି ।

ଟ୍ରକ୍‌ରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ

ଗୁଣୁପୁର, ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସକୁ ବଡ଼ ଧରଣର ସଫଳତା। ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପଦ୍ମପୁର ଖମ୍ବାରୀଗୁଡା ଛକ ନିକଟରେ ପୋଲିସ ତରଫରୁ ଯାନବାହନ ଯାଞ୍ଚ କରାଯାଉଥିବା ବେଳେ ଏକ ଟ୍ରକ ରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ପୋଲିସ ନଜରକୁ ଆସିଥିଲା ।

୧୪ ଟି ବସ୍ତାରେ ୫ କ୍ୱିଣ୍ଟାଲ ୬୩ କେଜି ଗଞ୍ଜେଇ ସହ, ଚାଲାଣ ହେଉଥିବା ଟ୍ରକ, ତିନୋଟି ମୋବାଇଲ ଓ ଏକ ଲକ୍ଷରୁ ଅଧିକ ଟଙ୍କା ଜବତ କରିଲା ପୋଲିସ। ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇ ଆଜି ଗୁଣୁପୁର କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।ଏହି ଗଂଞ୍ଜେଇ ଅଡବାରୁ ରାଇପୁର ଅଭିମୁଖେ ଚାଲାଣ ହେଉଥିଲା। ସୂଚନା ଦେଇଛନ୍ତି ଗୁଣୁପୁର ପୋଲିସ୍ ଏସ୍‌ଡିପିଓ ରାଜ କିଶୋର ଦାସ।