spot_img
Home Blog Page 594

ଟିଣ ଜାର କି କାଚ ବୋତଲ ନେଲେ ବି ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ

ରାୟଗଡ଼ା: ଟିଣ ଜାର କି କାଚ ବୋତଲ ନେଲେ ବି ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ । ଫଳରେ ପ୍ରଭାବିତ ଚାଷ କାର୍ଯ୍ୟ । ପେଟ୍ରୋଲ ପମ୍ପ ଠାରୁ ବହୁ ଦୂରରେ ଥିବା ଗ୍ରାମବାସୀ ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା । ବାଲେଶ୍ବର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ରାଜ୍ୟ ସରକାର ଓ ପେଟ୍ରୋଲପମ୍ପ ମାଲିକସଙ୍ଗ ଘୋଷଣା କଲେକି ଖୋଲାରେ ବିକିବେ ନାହିଁ ତେଲ । ତେବେ ଦେଖନ୍ତୁ ରାୟଗଡା ସହରର ଦୃଶ୍ୟ । ବାଇକ ଆରୋହୀ ମାନେ ଲମ୍ବା ଧାଡିରେ ଠିଆ ହୋଇଛନ୍ତି । ଦୁଇ ଚକିଆ ଯାନକୁ ପେଟ୍ରୋଲ ମିଳୁଛି । ହେଲେ ବୋତଲ କିମ୍ବା କ୍ୟାନରେ ତେଲ ଦେବାକୁ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ସଫା ସଫା ମନା କରୁଛନ୍ତି । ସହରର ଏକାଧିକ ପେଟ୍ରୋଲ ପମ୍ପରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ରାୟଗଡା ପୌରପରିଷଦର ପାଞ୍ଚ ଜଣିଆ ଟିମ ବିଭିନ୍ନ ପେଟ୍ରୋଲ ପମ୍ପ ବୁଲି ଲୋକଙ୍କୁ ସଚେତନ କରିବା ସହ ଖୋଲାରେ ପେଟ୍ରୋଲ ଓ ଡିଜେଲ ନଦେବା ପାଇଁ ତାଗିଦ କରୁଛନ୍ତି । ଫଳରେ ଆଜି ରାୟଗଡା ସହରରେ ଆଉ ତେଲ ଖୋଲାରେ ମିଳୁନଥିବା ଦେଖିବାକୁ ମିଳିଛି । ଯାହାଫଳରେ ଗ୍ରାହକ ମାନେ ମଧ୍ୟ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଗତକାଲି କାଚ ବୋତଲ ଓ ଟିଣ ଜାରରେ ପଟ୍ରୋଲ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲେ ବି ପେଟ୍ରୋଲ ପମ୍ପ ମାଲିକ କି କର୍ମଚାରୀ ମାନୁନଥିବା ଅଭିଯୋଗ ହୋଇଛି ।

ରାୟଗଡା ଜିଲ୍ଲାରେ 49 ଗୋଟି ପେଟ୍ରୋଲ ପମ୍ପ ରହିଥିବା ବେଳେ ଆଜି ଅଧିକାଂଶ ପେଟ୍ରୋଲ ପମ୍ପରୁ ଖୋଲାରେ ତେଲ ମିଳୁନଥିବା ଦେଖିବାକୁ ମିଳୁଛି । ଗାଁ ରୁ 20/30 କିଲୋମିଟର ବ୍ୟବଧାନରେ ପେଟ୍ରୋଲ ପମ୍ପ ଗୁଡିକ ରହିଥିବା ବେଳେ ଲୋକେ କେମିତି ତେଲ ପାଇବେ ତାକୁନେଇ ଚିନ୍ତାରେ ପଡିଛନ୍ତି । ଅନ୍ୟ ପଟେ ପ୍ରଶାସନର ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଛି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀ ମାନେ କହିଛନ୍ତି ।

ଚାଷୀଙ୍କ ଚିନ୍ତା ପାଲଟିଛି ସାର କଳାବଜାରୀ: ନକଲି ସାର ନେଇ ହେଉଛନ୍ତି ହତାଶ

ବଲାଙ୍ଗିର: ଚାଷୀଙ୍କ ଚିନ୍ତା ପାଲଟିଛି ସାର କଳାବଜାରୀ । ନକଲି ସାର ନେଇ ହେଉଛନ୍ତି ହତାଶ । ସମସ୍ୟାର ସମାଧାନ କରିବା ପୃତିଶୃତି ଦେଇ ନିଘୋଡ ନଦ୍ରାରେ କୃଷି ବିଭାଗ । ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ଭଲ ବର୍ଷା ହେବାରୁ ଖରିଫ ଚାଷ ଫୁଲ ଦମରେ ଆରମ୍ଭ କରିଛନ୍ତି ଚାଷୀ  । ଏହି ସମୟରେ ବଜାରରେ ସାରର ଅଭାବୀ ବିକ୍ରି ଫାଇଦା ନେଇ ଅସାଧୁ ବ୍ୟବସାୟୀ ଗାଁ ଗାଁରେ ନକଲି ସାର୍ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି  । ନକଲି ସାରକୁ ବାଧ୍ୟବାଧକତାରେ ଉଚ୍ଚା ଦରରେ କିଣୁଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି  । ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ଲାଇସେନ୍ସପ୍ରାପ୍ତ ବିତରକ ଓ ପେସ୍କ ଗୁଡିକକୁ ଦାୟିତ୍ଵ ଦିଆଯାଇଛି  । ହେଲେ ଫଳ ଶୂନ । ଏନେଇ କୃଷକ ନେତା ମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଠାରେ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ କୃଷି ବିଭାଗ ଚଢାଉ ବଦଳରେ ଟିମ ଗଠନ କରି ଅଜଣା ଚାଉଳର ଭାତ ଖାଉଛି  ।

ଚଳିତ ବର୍ଷ ଖରିଫ ଋତୁରେ 3 ଲକ୍ଷ,42 ହଜାର 890 ହେକ୍ଟର ଜମିରେ ଚାଷ ଆରମ୍ଭ ହୋଇଛି  । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଚାଷ ଜମି ଜଳସେଚିତ ହୋଇଥିବାରୁ ସେହି ଅଞ୍ଚଳ ଗୁଡିକରେ 3 ଲକ୍ଷ ହେକ୍ଟର ଜମିରେ ଚାଷ କରାଯିବା ପାଇଁ ଲକ୍ଷ୍ୟ ରହିଛି । ହେଲେ ସାରର ଘୋର ଅଭାବ ଚାଷୀକୁ ଚିନ୍ତାରେ ପକାଇଛି  । ଜିଲ୍ଲାର 14 ଗୋଟି ବ୍ଲକ ଅଞ୍ଚଳରେ ସାର କଳା ବଜାରୀ ସହ ନକଲି ସାର ବିକ୍ରି ଚାଲିଥିବା ଅଭିଯୋଗ ଆଣିଛନ୍ତି ଚାଷୀ ନେତା । ଜିଲ୍ଲାରେ 9171.344 ମେଟ୍ରିକ୍ ଟନ୍ ୟୁରିଆ ସାର, 3990.618 ମେଟ୍ରିକ୍ ଟନ୍ ଡିଏପି, 1964.919 ମେଟ୍ରିକ୍ ଟନ୍ ଏମଓପି, 7347.090 ମେଟ୍ରିକ୍ ଟନ୍ ଏନପିକେଏସ, 380.850 ମେଟ୍ରିକ୍ ଟନ୍ ଏସଏସପି ସାର ଜିଲ୍ଲାର ବିଭିନ୍ନ ୱେର ହାଉସ୍, ହୋଲସେଲର ଓ ରିଟେଲର ପାଖରେ ମହଜୁଦ ରହିଛି । ହେଲେ କାହିଁକି ଅଭାବୀ ବିକ୍ରି ଜିଲ୍ଲା କୃଷି ବିଭାଗ ତରଫରୁ ଯାଞ୍ଚ ଚାଲିଥିବା କହିଛନ୍ତି କୃଷି ଅଧିକାରୀ ସୁଧାକର ନନ୍ଦ ।

ପୋଲ ଅଛି, ହେଲେ ରାସ୍ତା ନାହିଁ : ୨ କିମି ଥିବା ରାସ୍ତା ପାଇଁ ୮ କିମି ବୁଲୁଛନ୍ତି ଅଞ୍ଚଳବାସୀ

ସୋନପୁର: ପୋଲ ଅଛି, ହେଲେ ରାସ୍ତା ନାହିଁ । ନାହିଁ ନଥିବା ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ଗାଡ଼ି ମଟର ତ ଦୂରର କଥା ଚାଲି ଚାଲି ଯିବା ବି ଅସମ୍ଭବ । ଫଳରେ ୨ କିମି ଥିବା ରାସ୍ତା ପାଇଁ ୮ କିମି ବୁଲୁଛନ୍ତି ଅଞ୍ଚଳବାସୀ। ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅତାସିଂହାରୁ ବଲାଙ୍ଗୀର ଜିଲ୍ଲା ବଇରାସରକୁ ଯାଇଥିବା ରାସ୍ତାର ଦୃଶ୍ୟ । ମଝିରେ ତିଆରି ହୋଇଛି କୋଟିଏ ରୁ ଅଧିକ ଟଙ୍କା ଖର୍ଚ୍ଚରେ ଏକ ସେତୁ । ଦୀର୍ଘ ୪ ବର୍ଷ ପରେ ବି ଏହାକୁ ରାସ୍ତା ସଂଯୋଗ ହୋଇନଥିବାରୁରୁ କାମରେ ଆସୁନି ସେତୁ । ଏହି ରାସ୍ତା ଦେଇ ଅତାସିଂହା ତଥା ଆଖ ପାଖ ଅଂଚଳର ଲୋକେ ବଇରାସର୍ ଦେଇ ତରଭା ବ୍ଲକ ସଦର ମହକୁମାକୁ ଯିବା ଆସିବା କରିବା କଥା । ହେଲେ ରାସ୍ତା ନଥିବାରୁ ସେମାନଙ୍କୁ ୮ ରୁ ୧୦ କିମି ରାସ୍ତା ବୁଲି ଯିବାକୁ ପଡୁଛି ।

ଦୀର୍ଘ ଦିନର ଦାବି ପରେ ୨୦୨୧ ମସିହାରୁ ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଆରମ୍ଭ ହୋଇ ଥିଲା ସେତୁ କାମ। ପ୍ରାୟ ୧ କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସେତୁ ନିର୍ମାଣ ମଧ୍ୟ ହେଲା । ହେଲେ ଫଳ ଶୂନ । ଉଭୟ ପଟୁ ରାସ୍ତା ସଂଯୋଗ ହୋଇ ନପାରିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏନେଇ ବିଭିନ୍ନ ରାଜନେତା ଠୁ ଆରମ୍ଭ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଓ ସୁବର୍ଣ୍ଣପୁର ଉଭୟ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ନାବାଳିକା ଖେଳାଳି ଗଣଦୁଷ୍କର୍ମ ମାମଲା: ହକି କୋଚଙ୍କ ସମେତ ୨ ସହଯୋଗୀ ଗିରଫ

ଯାଜପୁର ନାବାଳିକା ଖେଳାଳି ଗଣଦୁଷ୍କର୍ମ ମାମଲାରେ ୩ ଗିରଫ। ହକି କୋଚ୍ ସନ୍ଦୀପ ସ୍ଵାଇଁ, ତାଙ୍କ ସହଯୋଗୀ ସିଦ୍ଧାର୍ଥ ରାଉତ ଓ ସାଗରଙ୍କୁ ଗିରଫ କରିଛି ପୋଲିସ। ସମସ୍ତେ କଟକ କିଶନନଗର ଥାନା ଅଞ୍ଚଳର। ଏହି ଘଟଣାରେ ୪ ଜଣଙ୍କୁ ପୋଲିସ ଅଟକ ରଖିଥିଲା। ପଚରା ଉଚରା ପରେ ଆପାତତଃ ପ୍ରମାଣ ପାଇବା ପରେ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁସାରେ ଗତ ୩ ତାରିଖରେ ଜ୍ୟୋତି ଲଜକୁ ନେଇ ହକି ଖେଳାଳିଙ୍କୁ ଦୁଷ୍କର୍ମ କରିଥିଲେ କୋଚ୍ ଓ ତାଙ୍କ ସହଯୋଗୀ। କୋଚିଂ ସିଟ୍ ଦେବାର ଲୋଭ ଦେଖାଇ ସେମାନ ପୀଡ଼ିତାଙ୍କୁ ଡାକିଥିଲେ ଏବଂ ଜ୍ୟୋତି ଲଜକୁ ନେଇ ଦୁଷ୍କର୍ମ କରିଥିଲେ । ଛାତ୍ରୀ ଜଣକ ୨ ବର୍ଷ ହେବ ଯାଜପୁର ହକି ଷ୍ଟାଡ଼ିୟମରେ ପ୍ରଶିକ୍ଷଣ ନେଉଥିଲେ। ପୋକ୍ସୋ କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ତିନି ଅଭିଯୁକ୍ତଙ୍କର ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇଛି।

ଗଞ୍ଜାମରେ ପୁଣି ଆତଙ୍କ: ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ

ଗଞ୍ଜାମରେ ପୁଣି ଆତଙ୍କ ଖେଳାଇଲା ଝାଡ଼ାବାନ୍ତି। ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଜଣେ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ହେଲେ ଶୁକ୍ର ମଲ୍ଲିକ। ଏନେଇ ସୂଚନା ଦେଇଛନ୍ତି ଟି.ଗୋବିନ୍ଦପୁର ସରପଞ୍ଚ।

ପୂର୍ତ୍ତବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ

ପୂର୍ତ୍ତବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ । ରାଉରକେଲାରେ ଗ୍ଲାସ ବ୍ରିଜ୍, ଝୁଲା ବ୍ରିଜ ଓ ରିଂ ରୋଡ ନେଇ ଆଲୋଚନା ହୋଇଛି । ଦୁର୍ଗା ପୂଜା ସୁଦ୍ଧା ବ୍ରିଜ କାମ ଆରମ୍ଭ ହେବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏହାସହ ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ନେଇ ମଧ୍ୟ ସେ ଆଲୋଚନା କରିଛନ୍ତି। ହେଲେ ରାଜ୍ୟସଭା ଯିବା ନେଇ ଚାଲିଥିବା ଚର୍ଚ୍ଚାକୁ ଏଡ଼ାଇ ଦେଇଛନ୍ତି ଦିଲ୍ଲୀପ ରାୟ।

ଉପରାଷ୍ଟ୍ରପତି ପଦରୁ କାହିଁକି ଇସ୍ତଫା ଦେଲେ ଜଗଦୀପ ଧନଖଡ଼?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରେ ଏବେ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା ଜାରି ରହିଛି । କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଶ୍ରୀ ଧନଖଡ଼ ନିଜ ପଦ ଛାଡ଼ିଛନ୍ତି । ତେବେ ଅଚାନକ ଧନଖଡ଼ କାହିର୍କି ଇସ୍ତଫା ଦେଲେ ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏନେଇ ଆସିଛି ଏକ ବଡ଼ ଖବର । ଏହି ଇସ୍ତଫା ପଛରେ ସ୍ବାସ୍ଥ୍ୟ ସମସ୍ୟା ଠାରୁ ଆହୁରି ଗମ୍ଭୀର କାରଣ ରହିଛି ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଭେଙ୍କେୟା ନାଇଡୁଙ୍କ ପରେ ୨୦୨୨ ମସିହା  ଅଗଷ୍ଟ ୧୧ ତାରିଖରେ ଧନଖଡ଼ ଭାରତର ଉପରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ । ଉପରାଷ୍ଟ୍ରପତି କାର୍ଯ୍ୟକାଳ  ୫ ବର୍ଷ ପାଇଁ ହୋଇଥାଏ । ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସରେ ଧନଖଡ଼ଙ୍କ କାର୍ଯ୍ୟକାଳ ସରିଥାନ୍ତା, ମାତ୍ର ତା’ ପୂର୍ବରୁ ସେ ପଦ ଛାଡ଼ିଛନ୍ତି । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ପଦ ଛାଡ଼ିଛନ୍ତି । ଏହା କରିବାରେ ସେ ତୃତୀୟ ଉପରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଭିଭି ଗିରି ଓ ଭୌରା ସିଂହ ଶେଖାଓ୍ବତ ମଧ୍ୟ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇଥିଲେ ।

ତେବେ ଇସ୍ତଫା ପଛର କାରଣ ସ୍ବାସ୍ଥ୍ୟ ସମସ୍ୟା ଠାରୁ ଆହୁରି ଗମ୍ଭୀର ବୋଲି କଂଗ୍ରେସ କହିଛି । ଧନଖଡ଼ଙ୍କ ଇସ୍ତଫା ତାଙ୍କ ପାଇଁ ଠିକ୍ ହୋଇପାରେ, ମାତ୍ର ଅନେକଙ୍କ ପାଇଁ ଖରାପ । ଏହି ଖରାପ ସେହି ମାନଙ୍କ ପାଇଁ ଯେଉଁମାନେ ତାଙ୍କୁ ଏହି ପଦରେ ନିର୍ବାଚିତ କରାଇଥିଲେ । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏହି ପ୍ରସଙ୍ଗରେ ଏକ ବଡ଼ ପ୍ରଶ୍ନ କରିଛନ୍ତି । ଜୁଲାଇ ୨୧ ତାରିଖ ଦ୍ବିପ୍ରହର ୧ଟାରୁ ଅପରାହ୍ଣ ସାଢ଼େ ୪ଟା ମଧ୍ୟରେ କିଛି ବଡ଼ ଘଟଣା ଘଟିଥିବା ରମେଶ କହିଛନ୍ତି । ସେହି କାରଣରୁ ସେ ଦ୍ବିତୀୟ କାର୍ଯ୍ୟ ମନ୍ତ୍ରଣା ସମିତି (ବିଏଏସି)ରୁ ଜାଣିଶୁଣି ଅନୁପସ୍ଥିତ ରହିଥିଲେ । ଜୁଲାଇ ୨୧ରେ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ଦ୍ବିପ୍ରହର ୧୨.୩୦ରେ ରାଜ୍ୟସଭାର ବିଏଏସିର ଅଧ୍ୟକ୍ଷତା କରିଥିଲେ ଧନଖଡ଼ ।

ସେଥିରେ ଗୃହରେ ଜେପି ନଡ୍ଡା ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ଅଧିକାଂଶ ସଦସ୍ୟ ଭାଗ ନେଇଥିଲେ । କିଛି ଚର୍ଚ୍ଚା ପରେ ଅପରାହ୍ଣ ୪.୩୦ରେ ବୈଠକ କରିବାକୁ ବିଏଏସି ନିଷ୍ପତ୍ତି ନେଇଥିଲା । ଏକ ଅଦ୍ଭୂତପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଧନଖଡ଼ ନିଜ ପଦରୁ ଇସ୍ତଫା ଦେଇଥିବା ରମେଶ କହିଛନ୍ତି । ନିଜ ସ୍ବାସ୍ଥ୍ୟ କାରଣରୁ ସେ ପଦ ଛାଡ଼ିଥିବା ଉଲ୍ଲେଖ କରିଛନ୍ତି । ତାଙ୍କୁ ସମ୍ମାନ ଦେବା ଉଚିତ । ମାତ୍ର ଏହା ସତ ଯେ, ଇସ୍ତଫା ପଛରେ ଆହୁରି ଗଭୀର କାରଣ ରହିଛି ବୋଲି ରମେଶ କହିଛନ୍ତି ।

ସ୍ପଷ୍ଟୀକରଣ ରଖିଲା ଏନସିଇଆରଟି : ଦ୍ବିତୀୟ ଖଣ୍ଡ ବହିରେ ଆସିବ ପାଇକ ବିଦ୍ରୋହ ବିଷୟ

ନନ୍ଦିଘୋଷ ବ୍ୟୁରୋ : ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ କାହିଁକି ପାଇକ ବିଦ୍ରୋହ ବାଦ ପଡିଲା ସେ ନେଇ ସ୍ପଷ୍ଟୀକରଣ ରଖିଛି ଏନସିଇଆରଟି । ସାମାଜିକ ବିଜ୍ଞାନର ଦ୍ଵିତୀୟ ଖଣ୍ଡରେ ପାଇକ ବିଦ୍ରୋହ ବିଷୟ ସ୍ଥାନ ପାଇବ ବୋଲି କହିଛି ଏନସିଇଆରଟି । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକର ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ’ର ଦ୍ଵିତୀୟ ଖଣ୍ଡରେ ବ୍ରିଟିଶରାଜ ବିରୋଧରେ ସୃଷ୍ଟି ହୋଇଥିବା ଓଡ଼ିଶାର ପାଇକ ବିଦ୍ରୋହ-୧୮୧୭ ଆନ୍ଦୋଳନ ସ୍ଥାନ ପାଇବ । ଏବେ ଦ୍ଵିତୀୟ ଖଣ୍ଡର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯାହାକି ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ୨୦୨୫ରେ ପ୍ରକାଶ ପାଇବ। ଏଥିରେ ବ୍ରିଟିଶରାଜ ବିରୋଧରେ ଆଞ୍ଚଳିକସ୍ତରରେ ଦେଖାଯାଇଥିବା ବିଦ୍ରୋହ, ଜନଆନ୍ଦୋଳନ ଘଟଣାବଳୀ ଆଦି ରହିଛି । ଓଡ଼ିଶାର ଖୋର୍ଦ୍ଧା ପାଇକ ବିଦ୍ରୋହ, ପଞ୍ଜାବରେ ଶିଖଙ୍କ କୁକା ବିଦ୍ରୋହ ଆଦିକୁ ପୁସ୍ତକରେ ସ୍ଥାନ ମିଳିବ ବୋଲି ଏନସିଇଆରଟି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ତେବେ ପ୍ରଥମ ଖଣ୍ଡରେ ଓଡ଼ିଶାର ପାଇକ ବିଦ୍ରୋହ ବିଷୟକୁ ସ୍ଥାନ ନମିଳିବା କାରଣରୁ ବିବାଦ ସୃଷ୍ଟି ହୋଇଥିଲା।

ଜଗଦୀପଙ୍କ ବୈଠକରେ ଯୋଗ ନଦେବା ନେଇ ମୁହଁ ଖୋଲିଲେ ଜେପି ନଡ୍ଡା…; ଉଠିଲା ସସପେନ୍ସ ଉପରୁ ପରଦା

ନନ୍ଦିଘୋଷ ବ୍ୟୁରୋ : ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ପରେ ତାଙ୍କର ହଠାତ୍ ନିଷ୍ପତ୍ତିକୁ ନେଇ ସବୁଠି ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହି ନିଷ୍ପତ୍ତିକୁ ସନ୍ଦେହଜନକ ଦୃଷ୍ଟିରେ ଦେଖୁଛନ୍ତି। କଂଗ୍ରେସ ଏହା ମଧ୍ୟ କହୁଛି ଯେ, ଜଗଦୀପ ଧନଖଡ଼ଙ୍କ ବୈଠକରେ ଜେପି ନଡ୍ଡା ଏବଂ କିରେନ ରିଜିଜୁ ଯୋଗ ଦେଇ ନଥିଲେ, ଏଥିରେ ଜଗଦୀପ ଧନଖର ଆଘାତ ପାଇଥିଲେ ଏବଂ ସୋମବାର ସନ୍ଧ୍ୟାରେ ସେ ଇସ୍ତଫା ଦେଇଥିଲେ। ତଥାପି, ଜଗଦୀପ ଧନଖର ତାଙ୍କ ଇସ୍ତଫାପତ୍ରରେ ସ୍ୱାସ୍ଥ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ସେ ଏବେ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ଚାହାଁନ୍ତି। ଏବେ ପ୍ରଶ୍ନ ହେଉଛି ଏହା ପ୍ରକୃତରେ ସତ୍ୟ କି ?ଜଗଦୀପ ଧନଖଡ଼ କ’ଣ ଅସୁସ୍ଥତା ଯୋଗୁଁ ଇସ୍ତଫା ଦେଇଥିଲେ? ନା ସେ ବୈଠକରେ ଯୋଗ ନଦେବା ଯୋଗୁଁ ଜେପି ନଡ୍ଡାଙ୍କ ଉପରେ ରାଗିଛନ୍ତି ? ନା ଏହା ଗୃହରେ ଜେପି ନଡ୍ଡା ଯାହା କହିଥିଲେ ତାହାର ପ୍ରଭାବ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଏବେ ମିଳିସାରିଛି। ଜଗଦୀପ ଧନଖରଙ୍କ ଇସ୍ତଫା ସହ ଜଡିତ ସସପେନ୍ସର ପରଦା ନିଜେ ଜେପି ନଡ୍ଡା ଉଠାଇଛନ୍ତି।

ସୂଚନା ଅନୁଯାୟୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, କିରେନ ରିଜିଜୁ ଏବଂ ସେ କିଛି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କାର୍ଯ୍ୟରେ ବ୍ୟସ୍ତ ଥିଲେ, ଯାହା ଯୋଗୁଁ ସେ ଜଗଦୀପ ଧନଖଡ଼ଙ୍କ ବୈଠକରେ ଯୋଗ ଦେଇପାରି ନଥିଲେ। ଏ ବିଷୟରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ପୂର୍ବରୁ ସୂଚନା ଦିଆଯାଇଥିଲା।

ଜେପି ନଡ୍ଡା ଦେଲେ ସ୍ପଷ୍ଟୀକରଣ

ସେ ତାଙ୍କ ବକ୍ତବ୍ୟକୁ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମୁଁ ରାଜ୍ୟସଭାରେ କହିଥିଲି ଯେ ମୁଁ ଯାହା କହୁଛି ତାହା ରେକର୍ଡରେ ରହିବ, ଆପଣ ଯାହା କହୁଛନ୍ତି ତାହା ରେକର୍ଡରେ ରହିବ ନାହିଁ… ଏହା ବିରୋଧୀ ଦଳର ସାଂସଦମାନଙ୍କୁ ପାଇଁ ଥିଲା, ଅଧ୍ୟକ୍ଷ (ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼)ଙ୍କ ପାଇଁ ନୁହେଁ। କିନ୍ତୁ ଅନ୍ୟପଟେ, କଂଗ୍ରେସ ସନ୍ଦେହ କରୁଛି ଯେ ସୋମବାର ଦିନ ୧ଟାରୁ ୪.୩୦ ଟା ମଧ୍ୟରେ କିଛି ଗମ୍ଭୀର ଘଟଣା ଘଟିଛି ଯାହା ଯୋଗୁଁ କେନ୍ଦ୍ରୀୟ ମନ୍ତ୍ରୀ ଜେପି ନଡ୍ଡା ଏବଂ କିରେନ ରିଜିଜୁ ବ୍ୟବସାୟ ପରାମର୍ଶଦାତା କମିଟିର ବୈଠକରେ ଯୋଗ ଦେଇ ନାହାଁନ୍ତି। କଂଗ୍ରେସ ସନ୍ଦେହ କରୁଛି ଯେ ଏହା ହିଁ ଇସ୍ତଫା ପଛରେ କାରଣ।

ସୂଚନା ମୁତାବତ, ଜୁଲାଇ ୨୧ ତାରିଖରେ ଜଗଦୀପ ଧନଖଡ଼ ଦିନ ୧୨ଟା ୩୦ ରେ ରାଜ୍ୟସଭାର BAC ବୈଠକ ଡାକିଥିଲେ। ଏଥିରେ ଜେପି ନଡ୍ଡା ଏବଂ କିରେନ ରିଜିଜୁଙ୍କ ସମେତ ଅଧିକାଂଶ ସଦସ୍ୟ ଉପସ୍ଥିତ ଥିଲେ। ଅପରାହ୍ନ ୪ଟା ୩୦ ରେ ପୁଣି ଥରେ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହହା ଜଗଦୀପ ଧନଖରଙ୍କ ଅଧ୍ୟକ୍ଷତାରେ ହେବାର ଥିଲା। କିନ୍ତୁ ଜେପି ନଡ୍ଡା ଏବଂ ରିଜିଜୁ ଏହି ଦ୍ୱିତୀୟ ବୈଠକରେ ଯୋଗ ଦେଇ ନଥିଲେ। ଏହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି ଯେ ଉଭୟ ମନ୍ତ୍ରୀଙ୍କ ‘ଜାଣିଶୁଣି’ ଅନୁପସ୍ଥିତି  ରହିଥିଲେ ଏବଂ ଜଗଦୀପ ଧନଖଡ଼ଙ୍କୁ ପୂର୍ବ ସୂଚନା ନ ଦେବା ସେମାନଙ୍କ ଇସ୍ତଫାର କାରଣ ହୋଇପାରେ। ଅନପଟେ ରମେଶ କହିଛନ୍ତି, ‘ଅପରାହ୍ନ ୧ରୁ  ୪ଟା୩୦ ମଧ୍ୟରେ କିଛି ବହୁତ ଗମ୍ଭୀର ଘଟଣା ଘଟିଥିଲା, ଯାହା ଯୋଗୁଁ ସେମାନେ ଅନୁପସ୍ଥିତି ଥିଲେ।’

ଜଗଦୀପ ଧନଖଡ଼ କାହିଁକି ଦେଲେ ଇସ୍ତଫା ? ସରକାରକୁ ସ୍ପଷ୍ଟୀକରଣ ଦେବାକୁ ଦାବି

ନନ୍ଦିଘୋଷ ବ୍ୟୁରୋ : ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡଙ୍କ ହଠାତ୍ ଇସ୍ତଫାକୁ ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉପ ରାଷ୍ଟ୍ରପତିଙ୍କ ଇସ୍ତଫା ପଛରେ ଗଭୀର କାରଣ ରହିଥିବା ସେ ଉଲ୍ଲେଖ କରିଛନ୍ତି। ଗତକାଲି ଅପରାହ୍ନ ୧ଟାରୁ ୪.୩୦ ମିନିଟ୍ ମଧ୍ୟରେ କଣ ହୋଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଧନଖଡ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରୁଥିବାରୁ ଏହାକୁ ଆମେ ସମ୍ମାନ କରୁଛୁ ବୋଲି ଜୟରାମ କହିବା ସହ କିଛି ପ୍ରସଙ୍ଗକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ, ଜୁଲାଇ ୨୧, ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଦିନ ପ୍ରାୟ ୧୨ଟା ୩୦ରେ ବିଜନେସ୍ ଆଡଭାଇଜରୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଦସ୍ୟ ଯୋଗଦେଇଥିଲେ। ବୈଠକରେ ସରକାରଙ୍କ ୨ ମନ୍ତ୍ରୀ କିରଣ ରିଜିଜୁ ଓ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ପରେ ୪.୩୦ରେ ପୁଣିଥରେ BAC ଆରମ୍ଭ ହୋଇଥିଲା କିନ୍ତୁ ଏଥର ନଡ୍ଡା ଓ ରିଜିଜୁ ଉପସ୍ଥିତ ହୋଇନଥିଲେ। ସେମାନଙ୍କୁ କିଛି ସମୟ ଅପେକ୍ଷା କରାଯାଇଥିବା ମଧ୍ୟ ରମେଶ କହିଛନ୍ତି। ତେବେ ଦିନ ଗୋଟାଏରୁ ସାଢ଼େ ୪ଟା ମଧ୍ୟରେ କଣ ଘଟିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଚଳିତମାସ ଆରମ୍ଭରୁ JNUର ଏକ ବୈଠକରେ ଧନଖଡ଼ କହିଥିଲେ ଯେ, ସେ ୨୦୨୭ରେ ଅବସର ଗ୍ରହଣ କରିବେ। ତେବେ ଏହା ପୂର୍ବରୁ କେମିତି ହଠାତ୍ ସେ ପଦଛାଡ଼ିଲେ ତାକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଛି। ଏବେ ଧନଖଡ଼ଙ୍କ ଇସ୍ତଫା ପରେ କିଏ ହେବ ପରବର୍ତ୍ତୀ ଉପରାଷ୍ଟ୍ରପତି ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଉପରାଷ୍ଟ୍ରପତି ନିର୍ବାଚନ ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇପାରେ। ନିର୍ବାଚନ କମିଶନ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିପାରନ୍ତି। କାର୍ଯ୍ୟାକାଳ ପୂରିବାର ୨ ବର୍ଷ ପୂର୍ବରୁ ଗତକାଲି ରାତିରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ ଉପରାଷ୍ଟ୍ରପତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିଲେ ତାଙ୍କର ଇସ୍ତଫାପତ୍ର।