spot_img
Home Blog Page 593

ରାଜ୍ୟର ଲୋକଙ୍କ ପାଇଁ ମହଙ୍ଗା ବିଜୁଳି ଦର: ଓଡ଼ିଶାର ବିଜୁଳି ଅନ୍ୟ ରାଜ୍ୟରେ ଶସ୍ତାରେ ମିଳୁଛି

ଭୁବନେଶ୍ବର: ବଳକା ବିଦ୍ୟୁତ ରାଜ୍ୟ । ହେଲେ ରାଜ୍ୟର ଲୋକଙ୍କ ପାଇଁ ମହଙ୍ଗା ବିଜୁଳି ଦର । ଓଡ଼ିଶାର ବିଜୁଳି ଅନ୍ୟରାଜ୍ୟରେ ଶସ୍ତାରେ ମିଳୁଛି । କିନ୍ତୁ ଏଠି ରାଜ୍ୟବାସୀଙ୍କୁ ବିକ୍ରି ହେଉଛି ଚଢ଼ା ଦରରେ । ଏ ନେଇ ବିତରକ କମ୍ପାନୀ ହଜାର ହଜାର କୋଟି ଲାଭ କରୁଛନ୍ତି । ଲୋକଙ୍କ ଉପରେ ଦାଉ ସାଧିବାକୁ ବୋଝ ଉପରେ ନଳିତା ବିଡ଼ା ଲଦିଚାଲିଛନ୍ତି ସରକାର । ଲୋକେ ତ୍ରାହି ତ୍ରାହି ଡାକିଲେଣି। କେତେବେଳେ ଲୋକଙ୍କ ଘରୁ ବିଜୁଳି କାଟି ଦିଆଯାଉଛି ତ କେତେବେଳେ ଘଣ୍ଟା ଘଣ୍ଟା ଅଘୋଷିତ ବିଜୁଳି କାଟ । ଜାତୀୟ ସ୍ତରରେ ୟୁନିଟ ପିଛା ଯେତିକି ଟାରିଫ ରହିଛି ଓଡ଼ିଶାର ବିଜୁଳି ଗ୍ରାହକ ତାଠୁ ଅଧିକ ଦର ଦେଉଥିବା ଅଭିଯୋଗ ହୋଇଛି। ସେପଟେ ସ୍ମାର୍ଟ ଓ ପ୍ରିପେଡ ମିଟର ନାଁରେ ଲୋକଙ୍କ ଉପରେ ଜାରି ରହିଛି ଜୁଲମ । ଏ ନେଇ ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ଓ ରାଜନୈତିକ ଦଳର ପ୍ରତିନିଧିମାନେ ଓଇଆରସିଙ୍କୁ ଭେଟିବା ପରେ ବିଜୁଳି ସମସ୍ୟା ସମ୍ପର୍କିତ ଅଭିଯୋଗ, ନିଜର ମତାମତ, ପ୍ରସ୍ତାବ ଆୟୋଗଙ୍କୁ ଜଣାଇବାକୁ କୁହାଯାଇଛି। ଅଗଷ୍ଟ ୧୬ ତାରିଖ ସୁଦ୍ଧା ଏସବୁ ଅଭିଯୋଗ ଆୟୋଗଙ୍କ ପାଖରେ ପହଞ୍ଚିବ । ୨୯ ତାରିଖରେ ଏହାର ଶୁଣାଣି ହେବ । ଏହାକୁ ନେଇ ଉପଭୋକ୍ତା ମହାସଂଘ ରାଜ୍ୟବ୍ୟାପି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି।

ରାଜ୍ୟରେ ବିଜୁଳି ସମସ୍ୟା ନେଇ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଭିନ୍ନ୍ ରାଜନୈତିକ ଦଳ । ଏବେ ରାଜ୍ୟରେ ବିଜୁଳି ଗ୍ରାହକ ନାହିଁ ନ ଥିବା ଶୋଷଣର ସମ୍ମୁଖୀନ ହେଉଛନ୍ତି। ଏପରିକି ସବୁଆଡେ ଘଣ୍ଟାଘଣ୍ଟା ବିଜୁଳି କାଟ ହେଉଛି । ମନଇଚ୍ଛା ବିଲ ଆଦାୟ ଓ ସ୍ମାର୍ଟ ମିଟର ନାଁରେ ଲୁଟକୁ ଲୋକେ ଆୟୋଗ ସମ୍ମୁଖକୁ ଆଣିବାକୁ ରାଜନୈତିକ ଦଳର ସଦସ୍ୟ ମାନେ ନିବେଦନ କରିଛନ୍ତି। ୧୩ମାସର ସରକାର ଲୋକଙ୍କ ଉପରେ ବିଜୁଳି ସେବାକୁ ନେଇ ଯେପରି ଜୁଲମ ଚାଲିଛି ତା ବିରୋଧରେ ରାଜ୍ୟବ୍ୟାପି ଆନ୍ଦୋଳନର ଚେତାବନୀ ଦିଆଯାଇଛି। ଓଡିଶା ବିଜୁଳି ବଳକା ରାଜ୍ୟ । ହେଲେ ଖୋଦ ରାଜ୍ୟବାସୀ ବିଜୁଳି ସଙ୍କଟ ମଧ୍ୟରେ ଘାଣ୍ଟି ହେଉଛନ୍ତି । ଯାହାକୁ ନେଇ ଧୀରେ ଧୀରେ ଲୋକଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି ।

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ବିଜେଡି ଟିମ୍

ଦିଲ୍ଲୀ ଏମ୍ସରେ ଆଜି ବିଜେଡିର ଏକ ପ୍ରତିନିଧି ଦଳ ପହଞ୍ଚି ବଳଙ୍ଗା ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି । ସାଂସଦ ଶୁଭାଶିଷ ଖୁଣ୍ଟିଆ, ଡ. ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶିଙ୍କ ସହ ଯୁବ ନେତା ସୁବ୍ରତ ଛାଟୋଇ ଏମ୍ସକୁ ଯାଇଥିଲେ । ସେଠାରେ ଡାକ୍ତରଙ୍କ ସହ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇଥିଲେ । ପୀଡିତାଙ୍କ ଦାଦାଙ୍କ ସହ ପ୍ରତିନିଧି ମଣ୍ଡଳି ଆଲୋଚନା କରି ସମସ୍ତ ପ୍ରକାର ସହଯୋଗ ନିମନ୍ତେ ଆଶ୍ବାସନା ଦେଇଛନ୍ତି । ଗତ ଶନିବାର ଦିନ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅର୍ନ୍ତଗତ ଗୋପୀନାଥପୁର ପଞ୍ଚାୟତର ବାୟାବର ନୂଆଗୋପାଳପୁରରେ ୧୫ ବର୍ଷୀୟ ନାବାଳିକାଙ୍କ ଦେହରେ ୩ ଜଣ ଦୁର୍ବୃତ୍ତ କିରୋସିନ ଢାଳି ପୋଡି ଦେବାକୁ ଉଦ୍ୟମ କରିଥିଲେ । ଏଥିରେ ପୀଡିତାଙ୍କ ଶରୀରର ୭୫ ଭାଗ ଜଳିଯାଇଛି । ଭୁବନେଶ୍ବର ଏମ୍ସ ଓ ପରେ ସେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଗତକାଲି ପୀଡିତାଙ୍କ ସ୍କିନ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।

ଜଳପଥରେ ଅପରେସନ କରିବ ରୋବୋଟ୍: ସବୁ ବାବଦରେ ସୂଚନା ଦେବ ଅଣ୍ଡର ୱାଟର ରୋବୋଟ

ଜଳପଥରେ ଅପରେସନ କରିବ ରୋବୋଟ୍ । ଜଳଦସ୍ୟୁ ହୁଅନ୍ତୁ ବା ସମୁଦ୍ରର ସ୍ଥିତି । ସବୁ ବାବଦରେ ସୂଚନା ଦେବ ଅଣ୍ଡର ୱାଟର ରୋବୋଟ । ଏକ ହଜାର ଫୁଟ ସମୁଦ୍ର ଭିତରୁ ତଥ୍ୟ ଦେବ ରୋବୋଟ ଜଳସୀମା । ଏଆଇ ଟେକ୍ନୋଲୋଜି ବ୍ୟବହାର ହୋଇଥିବା ଏହି ଅଣ୍ଡର ୱାଟର ରୋବୋଟ ଖୁବଶୀଘ୍ର ଭାରତୀୟ ନୌସେନାରେ ବ୍ୟବହାର କରାଯିବ । ପ୍ରଥମଥର ପାଇଁ ଓଡ଼ିଶାର ଷ୍ଟାର୍ଟଅପ କମ୍ପାନି ପ୍ରଡକ୍ଟ ଡିଫେନ୍ସରେ ବ୍ୟବହାର ହେବ । ଭାରତୀୟ ନୌସେନାକୁ ଆଖି ଆଗରେ ରଖି ଏହାକୁ ନିର୍ମାଣ କରାଯାଇଛି । ପାଣି ଭିତରର ସମସ୍ତ ତଥ୍ୟ, ଭିଡିଓ ସହ ଦେବ ରୋବୋଟ୍ । ଜିପିଏସ ଟ୍ରାକ ସୁବିଧା ଥିବାରୁ ଶତ୍ରୁ ପାଣି ଭିତରରେ ଲୁଚି ରହିଥିଲେ ମଧ୍ୟ ମିଳିବ ସୁରାକ । ଏହା ଛଡ଼ା ସମୁଦ୍ରରେ କୌଣସି ପ୍ଲେନ କ୍ରାସର ଅଂଶ ମଧ୍ୟ ଖୋଜିପାରିବ ରୋବାଟ । ଏହାର ଓଜନ ମାତ୍ର ୩୩ କେଜି ରହିଛି । ନୈସେନା, କୋଷ୍ଟଗାର୍ଡ ସହ ଏନଡିଆରଏଫକୁ ମଧ୍ୟ ସହଯୋଗ କରିବ । ନୌସେନାରେ ବ୍ୟବହାର ନେଇ ଆଲୋଚନା ହୋଇଥିବା କହିଛନ୍ତି କୋରାସିଆ ଟେକ୍ନୋଲୋଜିର ସହ ପ୍ରତିଷ୍ଠାତା ।

ଜଳସୀମା କେବଳ ପରିଷ୍କାର ପାଣି ନୁହେଁ ଗୋଳିଆ ଓ ପଙ୍କ ପାଣିରୁ ମଧ୍ୟ ଦେବ ସଠିକ ତଥ୍ୟ । କମ୍ପାନି ପୁର୍ବରୁ ଜଳଦୂତ ରୋବଟ ମଧ୍ୟ ନିର୍ମାଣ କରିଛି । ଏହା ଡ୍ୟାମ, ବ୍ରିଜ ସମ୍ପର୍କିତ ସମସ୍ତ ତଥ୍ୟ ଦେଇପାରିବ । ୨୦ କେଜି ଓଜନର ଏହି ଅଣ୍ଡର ୱାଟର ମଧ୍ୟ ବହୁ ଉପଯୋଗୀ ଥିବା କମ୍ପାନୀର ସଦସ୍ୟମାନେ କହିଛନ୍ତି । ଏହାଛଡ଼ା ଆଉ ଏକ ନୁତନ ଅନମ୍ୟାନ ଅଟୋମେଟିକ ବୋଟ ନାଭ୍ୟା ମଧ୍ୟ ନିର୍ମାଣ କରାଯାଇଛି ।
ଏହି କମ୍ପାନିକୁ ଏମଜିଏଫ କବଚ ସଂସ୍ଥା ପକ୍ଷରୁ ୧୭ କୋଟି ଟଙ୍କାର ସହଯୋଗ ମିଳିଛି । ନୌସେନା ବ୍ୟତୀତ ରେଳ ବିଭାଗ, ଟାଟା ଷ୍ଟିଲ, ସେଲ, ଆଇଓସିଏଲ ସହ ମଧ୍ୟ କାମ କରିଛି ।

କେବେ ପଦାକୁ ଆସିବ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟାର ପ୍ରକୃତ କାରଣ ?

ବାଲେଶ୍ବର: କେବେ ପଦାକୁ ଆସିବ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟାର ପ୍ରକୃତ କାରଣ ? କ୍ରାଇମବ୍ରାଞ୍ଚ ତଦନ୍ତ ପରେ ମଧ୍ୟ ଘଟଣା ଉପରୁ ଉଠୁନି ପରଦା । ୬ ଦିନ ହେଲା ବାଲେଶ୍ବରରେ ଡେରା ପକାଇଛି ତଦନ୍ତକାରୀ ଟିମ୍ । କଲେଜ୍ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କରୁଛି ମାରାଥନ ଜେରା । ହଠାତ କଣ ଏମିତି ହେଲା ? କିଭଳି ଏତେବଡ଼ ଘଟଣା ଘଟିଗଲା ? ଛାତ୍ରୀଙ୍କୁ ଆତ୍ମାହୁତି ପାଇଁ କିଏ ପ୍ରବର୍ତ୍ତାଇ ଥିଲା ? କିଏ ପେଟ୍ରୋଲ ଦେଇଥିଲା ଛାତ୍ରୀଙ୍କୁ ? ବାଲେଶ୍ବର ଛାତ୍ରୀ ଆତ୍ମହତ୍ଯା ପରେ ଏମିତି ଅନେକ ପ୍ରଶ୍ନ ଏବେ ଅନ୍ଧାରରେ । ୬ ଦିନ ହେଲା ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସନ୍ଦେହରେ କିଛି ଯୁବକ ଓ ଛାତ୍ରଙ୍କ ମୋବାଇଲକୁ ମଧ୍ୟ ସିଜ୍ କରିଛି । ତଦନ୍ତ ନ ସରିବା ପର୍ଯ୍ୟନ୍ତ କେହି ବାହାରକୁ ଯାଇ ପାରିବେ ନାହିଁ ବୋଲି ତାଗିଦ କରିଛି । ସୋମବାର ୫ ଜଣଙ୍କୁ ଡାକି ଝାଳବୁହା ଜେରା ବି କରିଛି । ଘଟଣା ଦିନ ପ୍ରିନ୍ସପାଲଙ୍କ ଚାମ୍ବର ଆଗରେ ପ୍ରତିବାଦ କରିବାକୁ ଛାତ୍ରମାନେ ପ୍ରସ୍ତୁତ ହୋଇ ଆସିଥିଲେ ବୋଲି କହିଛନ୍ତି କ୍ଯାମ୍ପସ ବାହାର ଜଣେ ଛାତ୍ର ।

ଘଟଣା ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ବରିଷ୍ଠ ଆଇନଜୀବୀ । ପାରିପାର୍ଶ୍ବିକ ପାରିସ୍ଥତି ଦେଖିଲେ ଆତ୍ମହତ୍ୟା ପଛରେ ଏକ ବଡ଼ ଘଟଣାକୁ ଲୁଚା ଯାଇଥିବା ସେ ସନ୍ଦେହ କରିଛନ୍ତି । ଛାତ୍ରୀ ଜଣଙ୍କ ପେଟ୍ରୋଲ ନିଜେ ନେଇ ଅଧ୍ୟକ୍ଷଙ୍କ କକ୍ଷ କୁ ଯାଇଥିଲେ ନା ପ୍ରକୃତରେ ଆଉ କିଏ ଆଣି ଦେଇଥିଲା ଏହାର ତଦନ୍ତ ନିହାତି ଆବଶ୍ୟକ । କ୍ରାଇମବ୍ରାଞ୍ଚ ନିରପେକ୍ଷ ଭାବରେ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି । ସେପଟେ ଜବତ ମୋବାଇଲକୁ ଫରେନସିକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଛି କ୍ରାଇମବ୍ରାଞ୍ଚ  ।

ଛାତି ଥରାଇ ଦେଉଛି ମହିଳା ବିରୋଧୀ ହିଂସା: ଦୁଷ୍କର୍ମକାରୀଙ୍କ ଭୂସ୍ୱର୍ଗ ପାଲଟିଛି ଓଡ଼ିଶା

ଭୁବନେଶ୍ବର: ଛାତି ଥରାଇ ଦେଉଛି ମହିଳା ବିରୋଧୀ ହିଂସା । ଦୁଷ୍କର୍ମକାରୀଙ୍କ ଭୂସ୍ୱର୍ଗ ପାଲଟିଛି ଓଡ଼ିଶା । ନାବାଳିକାଙ୍କୁ ବି ଛାଡୁନାହାନ୍ତି ନର ପିଶାଚ । ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଉଛି ଓଡ଼ିଶା । ଗୋପାଳପୁର ଗଣଦୁଷ୍କର୍ମ ହେଉ ବା ବାଲେଶ୍ଵର ଏଫଏମ୍ କଲେଜ ଘଟଣା ଅଥବା ବଳଙ୍ଗା ନାବାଳିକା ପୋଡି । ତଦନ୍ତରେ ଅଡୁଆ ସୁତାରେ ଛନ୍ଦି ହୋଇ ଅଣନିଶ୍ୱାସୀ ହୋଇପଡିଛି ସରକାର ଓ ଓଡିଶା ପୋଲିସ । ଏସବୁକୁ ନେଇ ପ୍ରଶାସନ ହରଡ଼ଘଣାରେ ପଡିଥିବା ବେଳେ ନାବାଳିକା କ୍ରୀଡ଼ାବିତଙ୍କୁ ଯାଜପୁରରେ ଗଣଦୁଷ୍କର୍ମ, ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପୋଲିସର ପାରିବାପଣିଆ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସାରା ରାଜ୍ୟରେ ଅସୁରକ୍ଷିତ ହୋଇପଡିଛି କ୍ୟାମ୍ପସ । କୁନି ପିଲାଙ୍କ ପ୍ରତି ଅମାନବୀୟ ଆଚରଣ ଓ କର୍ମକ୍ଷେତ୍ରରେ ଅକଥନୀୟ ନିର୍ଯାତନା ଖବର ଓଡ଼ିଶାର ଛବି ଖରାପ କରିଛି । ବିଜେପି ସରକାରର ୧୩ ମାସରେ ୩ ହଜାର ୫୪ ଟି ଦୁଷ୍କର୍ମ ଘଟଣା ଘଟିଛି । ଯାହାକୁ ହିସାବ କଲେ ପ୍ରତ୍ୟେକ ଦିନ ୧୫ଟି ଦୁଷ୍କର୍ମ କେସ ରେଜିଷ୍ଟର ହେଉଛି । ଶାନ୍ତିର ରାଜ୍ୟରେ ଅଶାନ୍ତିର ବାତାବରଣ ଖେଳିଯିବା ପରେ ଓଡିଶା ସମେତ ଦେଶର ୬ ରାଜ୍ୟରେ ଭ୍ରମଣ ସମ୍ପର୍କରେ ସତର୍କତା ସୂଚନା ଦେଇଛି ଆମେରିକା ।

ପୂର୍ବ NCRB ରିପୋର୍ଟ ମୁତାବକ ରାଜ୍ୟରେ ପ୍ରତ୍ୟେକ ଦିନ ୮୬ ଟି ମହିଳା ଅପରାଧ ସମ୍ପର୍କିତ କେସ ଘଟୁଛି । ପ୍ରତି ୧ ଲକ୍ଷ ମହିଳାରେ ୨୨୭ ଜଣ ଅପରାଧ ଯେପରି, ଦୁଷ୍କର୍ମ, ଅସଦାଚରଣ, ନିର୍ଯାତନାର ଶିକାର ହେଉଛନ୍ତି । ବର୍ତ୍ତମାନ ପରିସ୍ଥିତି ରେ ଏହାର ସଂଖ୍ୟା ଅଧିକ ବଢିଛି । ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରିବାରେ ସାରା ଓଡ଼ିଶାର ସ୍ଥାନ ଅଷ୍ଟମରେ ରହିଛି । ଏସିଡ ଆକ୍ରମଣ ବଢିଛି । ବର୍ଷକରେ ୫ ହଜାର ୧୭୮ ଜଣଙ୍କୁ ଅପହରଣ କରାଯାଇଛି । ୨୧୫ ଜଣଙ୍କୁ ଅପହରଣ ପରେ ବଳପୂର୍ବକ ବିବାହ କରାଯାଇଛି । ଦୁର୍ବଳ ତଦନ୍ତ, ଥାନାରେ କେସ ରୁଜୁରେ ବିଳମ୍ବ, ବରିଷ୍ଠ ଅଧିକାରୀଙ୍କ ଅପରିପକ୍ଵତା ଏଭଳି ଘଟଣା ବୃଦ୍ଧି କରାଇବାରେ ସହାୟକ ହେଉଥିବା କହିଛନ୍ତି ପୂର୍ବତନ ଡିଜିପି। ତୀର୍ଥ କ୍ଷେତ୍ରକୁ ବି ବାଦ ଦେଇନାହାନ୍ତି ଅପରାଧୀ । ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ୩ ଭଉଣୀଙ୍କୁ ଅସଦାଚରଣ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଘଟଣାରେ ୬ ଜଣ ସଂପୃକ୍ତ ଥିବାବେଳେ ୨ ଜଣଙ୍କୁ ଆଜି ଗିରଫ କରିଛି ପୁରୀ ସଦର ଥାନା ପୋଲିସ ।

ନକଲି ବିଲ୍ ରେ ଲକ୍ଷାଧିକ ଠକେଇ: ସମ୍ବଲପୁର OSRTCରେ ବ୍ୟାପକ ଦୁର୍ନୀତି

ସମ୍ବଲପର: ନକଲି ବିଲ୍ ରେ ଲକ୍ଷାଧିକ ଠକେଇ । ସମ୍ବଲପୁର OSRTCରେ ବ୍ୟାପକ ଦୁର୍ନୀତି । ରୁଟରେ ବସ୍ ନଗଡ଼ି ହୋଇଛି ବିଲ୍ । ଅଡିଟ ବେଳେ ଆସିଲା ସାଂଘାତିକ ଅଭିଯୋଗ । ସମ୍ବଲପୁର ସହରର ମୋଦିପଡ଼ାରେ ଥିବା ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରେ ଲକ୍ଷାଧିକ ଟଙ୍କାର ବ୍ୟାପକ ଦୁର୍ନୀତି ପଦାକୁ ଆସିଛି l ବିଭିନ୍ନ ରୁଟ ଗୁଡିକରେ ଜାଣିଶୁଣି ବନ୍ଦ କରି ଦିଆଯାଇଛି l ଫଳରେ ସେହି ରୁଟରେ ଚାଲୁଥିବା ବେସରକାରୀ ବସ ଲାଭବାନ ହେଉଛନ୍ତି  । ବସ ଗୁଡିକ ନଯାଇ ମଧ୍ୟ ବିଲ କରାଯାଇଛି  । ଜାହା ଅଡିଟ ସମୟରେ ପଦାକୁ ଆସିଛି l ସମ୍ବଲପୁରରେ ଏବେ ମାତ୍ର ୧୫ଟି ବସ ଚାଲିଥିବାବେଳେ ୧୫ଟି ବନ୍ଦ ପଡ଼ିଛି । ଯାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।

କାର୍ଯ୍ୟାଳୟରେ ଏନଫୋର୍ସ ଟିମ ପାଇଁ ଏକ ବୋଲେରୋକୁ ଭଡ଼ାରେ ନିଆଯାଉଛି । ୩ମାସ ହେଲା ଗାଡ଼ି ବ୍ୟବହାର ହେଉ ନଥିଲେ ସୁଦ୍ଧା ଗାଡିର ଆରସି ନମ୍ବରରେ ଜିଲ୍ଲା ମ୍ୟାନେଜର ଟଙ୍କା ଉଠାଇ ଚାଲିଛନ୍ତି  । ଜାହା ଅଡିଟ ସମୟରେ ଧରାପଡ଼ିଛି  । ଏପରିକି ଖରାପ ଦର୍ଶାଇ ବସର ଯନ୍ତ୍ରାଂସ ବିକ୍ରି କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । କାର୍ଯ୍ୟରତ କର୍ମଚାରୀଙ୍କୁ କାମରେ ନ ଲଗାଇ ଦରମା ଦିଆଯାଉଥିବା ଅଭିଯୋଗ ହୋଇଛି l

ପୁରୀରେ ୩ ଭଉଣୀଙ୍କୁ ଅସଦାଚରଣ ଅଭିଯୋଗ: ଦୁଇଜଣ ଗିରଫ, ଅନ୍ୟ ଅପରାଧୀଙ୍କୁ ଖୋଜୁଛି ପୋଲିସ୍

ପୁରୀ: ପୁରୀରେ ୩ ଭଉଣୀଙ୍କୁ ଅସଦାଚରଣ ଅଭିଯୋଗ । ଘରକୁ ଫେରୁଥିବାବେଳେ ଛଡାଇନେଲେ ସୁନାଚେନ, ପର୍ସ । ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅପରାଧୀଙ୍କ ଖୋଜୁଛି ପୋଲିସ୍ । ରାଜ୍ୟରେ ଖୁଲମଖୁଲ୍ଲା ବୁଲୁଛନ୍ତି ଅପରାଧୀ । ନା ଅଛି ପୋଲିସକୁ ଡର ନା ଆଇନ ପ୍ରତି ଭୃକ୍ଷେପ । ବଳଙ୍ଗା ଘଟଣା ନଥମୁଣୁ ପୁରୀ ସଦରଥାନା ଅଞ୍ଚଳରେ ୩ ଜଣ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଶ୍ରୀମନ୍ଦିର ଦର୍ଶନ ସାରି ସମଙ୍ଗ ପାର୍କିଂ ରାସ୍ତା ଦେଇ ନିଜ ଗାଁ କଣ୍ଠପୁରକୁ ଫେରୁଥିଲେ ୩ ଭଉଣୀ । ଏହି ସମୟରେ ସମଙ୍ଗ ପାର୍କିଂ ନିକଟରେ ୬ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମଦୁଆ ଯୁବକ ମାନେ ଯୁବତୀଙ୍କ ପର୍ସ ଓ ସୁନାଚେନ ଛଡାଇ ନେଇଛନ୍ତି । ଏନେଇ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।

ଯୁବତୀମାନେ ଚିତ୍କାର କରିବା ପରେ ସ୍ଥାନୀୟ ବାସିନ୍ଦା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଥିଲେ । ତେବେ ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି । ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଧରିବାକୁ ପୁରୀ ସଦର ଥାନା ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ତେବେ ଏପରି ଘଟଣା ପ୍ରଥମ କରି ଘଟିଥିବାବେଳେ ରାସ୍ତାରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ସାଧାରଣରେ ଦାବି ହୋଇଛି  । ପୁରୀରେ ଏପରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି ।

ଦିନ କେଇଟା ପରେ ୨୦୨୫-୨୬ ଯାତ୍ରା ଋତୁ: ଦର୍ଶକଙ୍କ ସାମ୍ନାକୁ ଆସିବେ ଯାତ୍ରା ପାର୍ଟି

ଦିନ କେଇଟା ପରେ ୨୦୨୫-୨୬ ଯାତ୍ରା ଋତୁ। ଦର୍ଶକଙ୍କ ସାମ୍ନାକୁ ଆସିବେ ଯାତ୍ରା ପାର୍ଟି। ମଞ୍ଚରେ ଦେଖାଇବେ ନିଜନିଜ ନାଟକର ଜଲଓ୍ବା। ଏଥିପାଇଁ ଏବେ ଆଖଡ଼ା ଶାଳରେ ଚାଲିଛି ଜୋରଦାର ପ୍ରସ୍ତୁତି। ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ବଙ୍ଗଳା ଛକ ଠାରେ ଥିବା ଯାତ୍ରା ଧଉଳି ଗଣନାଟ୍ୟ କ୍ୟାମ୍ପର। ଯାତ୍ରା ଧଉଳି ତାର ଚଳିତବର୍ଷର ପ୍ରଥମ ନାଟକ ଚଣ୍ଡାଶୋକର ପ୍ରସ୍ତୁତି ଚଳାଇଛି। ହର ବାରିକଙ୍କ କାହାଣୀ ଓ ନିର୍ଦ୍ଦେଶନାରେ ଐତିହାସିକ ନିକଟ “ଚଣ୍ଡାଶୋକ” କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇ ଫାଇନାଲ ଟଚ୍ ଦିଆଯାଉଛି। ଚଳିତବର୍ଷ ଏହି ଅପେରାରେ ବହୁ ନାମିଦାମୀ କଳାକାର ସାମିଲ ହୋଇଛନ୍ତି। ତେବେ ଚଳିତବର୍ଷ ଦର୍ଶକଙ୍କ ରୁଚି ଅନୁସାରେ ନାଟକ ପ୍ରସ୍ତୁତ କରାଯାଇଥିବା କଳାକାରମାନେ କହିଛନ୍ତି।

ଯାତ୍ରା ଇତିହାସରେ ପ୍ରଥମ ଥର ଚଳିତବର୍ଷ ଯାତ୍ରା ମଞ୍ଚରେ ଘୋଡ଼ା ଦେଖିବାକୁ ପାଇବେ ଦର୍ଶକ। ଯାତ୍ରା ଧଉଳି ର ପ୍ରଯୋଜକ ବିଶ୍ବଜିତ ରାଜ୍ କିଛି ନୂଆ କରିବାର ଚିନ୍ତା କରିଥିଲେ। ପରେ ଐତିହାସିକ କଳିଙ୍ଗ ଯୁଦ୍ଧକୁ ନେଇ ଏକ ନାଟକ ପ୍ରସ୍ତୁତ କରିବାକୁ ଲେଖକ ହର ବାରିକଙ୍କୁ କହିଥିଲେ। ପରେ ଚଣ୍ଡାଶୋକ ନାମରେ ଏହି ନାଟକ ପ୍ରସ୍ତୁତ କରାଯାଇଥିଲା। ଏହି ନାଟକକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଥିବାବେଳେ ଏହା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ ଦେବ ବୋଲି ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରମାନେ ଆଶାବାଦୀ ଅଛନ୍ତି।

ଟିଣ ଜାର କି କାଚ ବୋତଲ ନେଲେ ବି ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ

ରାୟଗଡ଼ା: ଟିଣ ଜାର କି କାଚ ବୋତଲ ନେଲେ ବି ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ । ଫଳରେ ପ୍ରଭାବିତ ଚାଷ କାର୍ଯ୍ୟ । ପେଟ୍ରୋଲ ପମ୍ପ ଠାରୁ ବହୁ ଦୂରରେ ଥିବା ଗ୍ରାମବାସୀ ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା । ବାଲେଶ୍ବର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ରାଜ୍ୟ ସରକାର ଓ ପେଟ୍ରୋଲପମ୍ପ ମାଲିକସଙ୍ଗ ଘୋଷଣା କଲେକି ଖୋଲାରେ ବିକିବେ ନାହିଁ ତେଲ । ତେବେ ଦେଖନ୍ତୁ ରାୟଗଡା ସହରର ଦୃଶ୍ୟ । ବାଇକ ଆରୋହୀ ମାନେ ଲମ୍ବା ଧାଡିରେ ଠିଆ ହୋଇଛନ୍ତି । ଦୁଇ ଚକିଆ ଯାନକୁ ପେଟ୍ରୋଲ ମିଳୁଛି । ହେଲେ ବୋତଲ କିମ୍ବା କ୍ୟାନରେ ତେଲ ଦେବାକୁ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ସଫା ସଫା ମନା କରୁଛନ୍ତି । ସହରର ଏକାଧିକ ପେଟ୍ରୋଲ ପମ୍ପରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ରାୟଗଡା ପୌରପରିଷଦର ପାଞ୍ଚ ଜଣିଆ ଟିମ ବିଭିନ୍ନ ପେଟ୍ରୋଲ ପମ୍ପ ବୁଲି ଲୋକଙ୍କୁ ସଚେତନ କରିବା ସହ ଖୋଲାରେ ପେଟ୍ରୋଲ ଓ ଡିଜେଲ ନଦେବା ପାଇଁ ତାଗିଦ କରୁଛନ୍ତି । ଫଳରେ ଆଜି ରାୟଗଡା ସହରରେ ଆଉ ତେଲ ଖୋଲାରେ ମିଳୁନଥିବା ଦେଖିବାକୁ ମିଳିଛି । ଯାହାଫଳରେ ଗ୍ରାହକ ମାନେ ମଧ୍ୟ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଗତକାଲି କାଚ ବୋତଲ ଓ ଟିଣ ଜାରରେ ପଟ୍ରୋଲ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲେ ବି ପେଟ୍ରୋଲ ପମ୍ପ ମାଲିକ କି କର୍ମଚାରୀ ମାନୁନଥିବା ଅଭିଯୋଗ ହୋଇଛି ।

ରାୟଗଡା ଜିଲ୍ଲାରେ 49 ଗୋଟି ପେଟ୍ରୋଲ ପମ୍ପ ରହିଥିବା ବେଳେ ଆଜି ଅଧିକାଂଶ ପେଟ୍ରୋଲ ପମ୍ପରୁ ଖୋଲାରେ ତେଲ ମିଳୁନଥିବା ଦେଖିବାକୁ ମିଳୁଛି । ଗାଁ ରୁ 20/30 କିଲୋମିଟର ବ୍ୟବଧାନରେ ପେଟ୍ରୋଲ ପମ୍ପ ଗୁଡିକ ରହିଥିବା ବେଳେ ଲୋକେ କେମିତି ତେଲ ପାଇବେ ତାକୁନେଇ ଚିନ୍ତାରେ ପଡିଛନ୍ତି । ଅନ୍ୟ ପଟେ ପ୍ରଶାସନର ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଛି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀ ମାନେ କହିଛନ୍ତି ।

ଚାଷୀଙ୍କ ଚିନ୍ତା ପାଲଟିଛି ସାର କଳାବଜାରୀ: ନକଲି ସାର ନେଇ ହେଉଛନ୍ତି ହତାଶ

ବଲାଙ୍ଗିର: ଚାଷୀଙ୍କ ଚିନ୍ତା ପାଲଟିଛି ସାର କଳାବଜାରୀ । ନକଲି ସାର ନେଇ ହେଉଛନ୍ତି ହତାଶ । ସମସ୍ୟାର ସମାଧାନ କରିବା ପୃତିଶୃତି ଦେଇ ନିଘୋଡ ନଦ୍ରାରେ କୃଷି ବିଭାଗ । ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ଭଲ ବର୍ଷା ହେବାରୁ ଖରିଫ ଚାଷ ଫୁଲ ଦମରେ ଆରମ୍ଭ କରିଛନ୍ତି ଚାଷୀ  । ଏହି ସମୟରେ ବଜାରରେ ସାରର ଅଭାବୀ ବିକ୍ରି ଫାଇଦା ନେଇ ଅସାଧୁ ବ୍ୟବସାୟୀ ଗାଁ ଗାଁରେ ନକଲି ସାର୍ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି  । ନକଲି ସାରକୁ ବାଧ୍ୟବାଧକତାରେ ଉଚ୍ଚା ଦରରେ କିଣୁଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି  । ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ଲାଇସେନ୍ସପ୍ରାପ୍ତ ବିତରକ ଓ ପେସ୍କ ଗୁଡିକକୁ ଦାୟିତ୍ଵ ଦିଆଯାଇଛି  । ହେଲେ ଫଳ ଶୂନ । ଏନେଇ କୃଷକ ନେତା ମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଠାରେ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ କୃଷି ବିଭାଗ ଚଢାଉ ବଦଳରେ ଟିମ ଗଠନ କରି ଅଜଣା ଚାଉଳର ଭାତ ଖାଉଛି  ।

ଚଳିତ ବର୍ଷ ଖରିଫ ଋତୁରେ 3 ଲକ୍ଷ,42 ହଜାର 890 ହେକ୍ଟର ଜମିରେ ଚାଷ ଆରମ୍ଭ ହୋଇଛି  । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଚାଷ ଜମି ଜଳସେଚିତ ହୋଇଥିବାରୁ ସେହି ଅଞ୍ଚଳ ଗୁଡିକରେ 3 ଲକ୍ଷ ହେକ୍ଟର ଜମିରେ ଚାଷ କରାଯିବା ପାଇଁ ଲକ୍ଷ୍ୟ ରହିଛି । ହେଲେ ସାରର ଘୋର ଅଭାବ ଚାଷୀକୁ ଚିନ୍ତାରେ ପକାଇଛି  । ଜିଲ୍ଲାର 14 ଗୋଟି ବ୍ଲକ ଅଞ୍ଚଳରେ ସାର କଳା ବଜାରୀ ସହ ନକଲି ସାର ବିକ୍ରି ଚାଲିଥିବା ଅଭିଯୋଗ ଆଣିଛନ୍ତି ଚାଷୀ ନେତା । ଜିଲ୍ଲାରେ 9171.344 ମେଟ୍ରିକ୍ ଟନ୍ ୟୁରିଆ ସାର, 3990.618 ମେଟ୍ରିକ୍ ଟନ୍ ଡିଏପି, 1964.919 ମେଟ୍ରିକ୍ ଟନ୍ ଏମଓପି, 7347.090 ମେଟ୍ରିକ୍ ଟନ୍ ଏନପିକେଏସ, 380.850 ମେଟ୍ରିକ୍ ଟନ୍ ଏସଏସପି ସାର ଜିଲ୍ଲାର ବିଭିନ୍ନ ୱେର ହାଉସ୍, ହୋଲସେଲର ଓ ରିଟେଲର ପାଖରେ ମହଜୁଦ ରହିଛି । ହେଲେ କାହିଁକି ଅଭାବୀ ବିକ୍ରି ଜିଲ୍ଲା କୃଷି ବିଭାଗ ତରଫରୁ ଯାଞ୍ଚ ଚାଲିଥିବା କହିଛନ୍ତି କୃଷି ଅଧିକାରୀ ସୁଧାକର ନନ୍ଦ ।