ସୁବର୍ଣ୍ଣପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ବିନିକା ରେଞ୍ଜର ଫରେଷ୍ଟର। ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ଘରେ ଓ କାର୍ଯ୍ୟାଳୟରେ ଚାଲିଛି ଭିଜିଲାନ୍ସ ରେଡ। ସୋନପୁର ଓ ସମ୍ବଲପୁରର ଦୁଇଟି ଭିଜିଲାନ୍ସ ଟିମ ଆଜି ଏକକାଳୀନ ଭାବେ ସୋନପୁର ସହର ଶାନ୍ତି ନଗର ପଡାରେ ଥିବା ଘର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିବା ଘର ଓ ବିନିକା ରେଞ୍ଜ ଅଫିସରେ ଚଢାଉ କରୁଛି। ଘରେ ସମସ୍ତ କାଗଜପତ୍ର , ଆସବାବପତ୍ରକୁ ଭିଜିଲାନ୍ସ ଟିମ ଟିକ ନିଖ କରି ତଲାସ ଜାରୀ ରଖିଛି। ଘରୁ ଏପର୍ଯ୍ୟନ୍ତ କିଛି ବ୍ୟାଙ୍କ ପାସବୁକ, ଜୀବନ ବୀମା ବଣ୍ଡ, ଜମିବାଡିର କାଗଜପତ୍ର ତଥା ନଗଦ ଟଙ୍କା ଜବତ କରିଥିବା ଜଣାପଡିଛି। ତେବେ ଭିଜିଲାନ୍ସ ଟିମ୍ ବର୍ତ୍ତମାନ ଚଢାଉ ଜାରୀ ରଖିଛି।
କୃଷକ ଆନ୍ଦୋଳନକୁ ରୋକିବା ପାଇଁ ରାସ୍ତା ମଝିରେ ଠିଆ ହେଲା କଂକ୍ରିଟ ପଚେରୀ
ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଦିଲ୍ଲୀ ସୀମାରେ ସମରସଜ୍ଜା। ଆନ୍ଦୋଳନସ୍ଥଳରେ ୪-୫ ଫୁଟ ଉଚ୍ଚର କଂକ୍ରିଟ ପାଚେରୀ ନିର୍ମାଣ କରିଛି ପୋଲିସ। କଂକ୍ରିଟ ପାଚେରୀ ଯୋଗୁ ଏବେ ଦିଲ୍ଲୀ-ଚଣ୍ଡିଗଡ଼ ଜାତୀୟ ରାଜପଥ ଦେଇ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କାନ୍ଥର ଦୁଇ ପାର୍ଶ୍ୱରେ ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ ହୋଇଛି। ଏହାଛଡ଼ା ଆନ୍ଦୋଳନସ୍ଥଳରେ ରଖାଯାଇଥିବା ଅସ୍ଥାୟୀ ଶୌଚାଳୟ ଓ ପିଇବା ପାଣି ବ୍ୟବସ୍ଥା ମଧ୍ୟ ବନ୍ଦ କରିଦେଇଛି ପୋଲିସ। ଯାହାକୁ ନେଇ ଅସନ୍ତୋଷ ବଢୁଛି।
ସେପଟେ ଗାଜିପୁର, ଟିକିରି ଓ ସିଂଘୁ ସୀମାରେ ଚାଷୀଙ୍କ ଉପରେ ନଜର ରଖିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତା ଅକ୍ଟୋବର ମଧ୍ୟରେ ଚାଷୀଙ୍କ ଦାବି ନମାନିଲେ ଦେଶବ୍ୟାପୀ ଟ୍ରାକ୍ଟର ରାଲି କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ଚାଷୀଙ୍କ ପ୍ରତି ଦିଲ୍ଲୀ ପୋଲିସ ଅତ୍ୟଧିକ କଠୋର ବ୍ୟବହାର କରୁଥିବା ବେଳେ ସହାୟତାର ହାତ ବଢ଼ାଇଛନ୍ତି ସ୍ଥାନୀୟ ଲୋକେ। ଗତ କିଛିଦିନ ତଳେ ଚାଷୀଙ୍କୁ ସୀମାରୁ ହଟେଇବାକୁ କେତେକ ଦୁର୍ବୃତ୍ତ ଆନ୍ଦୋଳନ ସ୍ଥଳରେ ହିଂସା ଭିଆଇଥିଲେ।
ସେମାନେ ରାଜନୈତିକ ଗୁଣ୍ଡା ବୋଲି ଚାଷୀ କହିଛନ୍ତି। ସେପଟେ ହରିୟାଣାର ଜିନ୍ଦରେ ଆଜି ଚାଷୀଙ୍କ ମହାପଞ୍ଚାୟତ ବସୁଛି। ଏଥିରେ ଚାଷୀ ନେତା ରାକେଶ ଟିକାୟତ ସାମିଲ ହେବେ। ସେଠାରେ ଚାଷୀ ଆନ୍ଦୋଳନ ନେଇ ଆଗାମୀ ରଣନୀତି ପ୍ରସ୍ତୁତ ହେବ। ସେପଟେ ଆଜି ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ।
ଆରମ୍ଭ ହେଲା ଅନ୍ତରାଷ୍ଟ୍ରୀୟ ଏୟାର ଶୋ, ଦର୍ଶକଙ୍କ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ
ବାଙ୍ଗାଲୋର: ଆଜିଠୁ ଆରମ୍ଭ ହେଉଛି ଅନ୍ତରାଷ୍ଟ୍ରୀୟ ଏୟାର ଶୋ। ବାଙ୍ଗାଲୋରଠାରେ ଆୟୋଜିତ ହେବାକୁ ଥିବା ଏହି ଏରୋ-ଇଣ୍ଡିଆ-୨୦୨୧ ଶୋ’ ଆସନ୍ତା ୩ଦିନ ଧରି ଚାଲିବ। ଏଥିରେ ଭାରତ ସମେତ ଅନ୍ୟ ରାଷ୍ଟ୍ରର ଯୁଦ୍ଧବିମାନ, ଅସ୍ତ୍ରଶସ୍ତ୍ର ଓ ଟେକ୍ନୋଲୋଜୀ ପ୍ରଦର୍ଶିତ ହେବ। ଏରୋ-ଇଣ୍ଡିଆ ଶୋ’ରେ ସାରା ବିଶ୍ୱର ପ୍ରତିରକ୍ଷା ବିଭାଗର ଅଧିକାରୀ ଓ କମ୍ପାନୀମାନେ ପରସ୍ପର ମଧ୍ୟରେ ବୈଠକ ଓ ଆଲୋଚନା କରିଥାନ୍ତି। ଏଠାରେ ଅନେକ ଡିଲ୍ ମଧ୍ୟ ହୋଇଥାଏ। ଏଥର କରୋନା ମହାମରୀକୁ ଦୃଷ୍ଟିରେ ରଖି କିଛି ନୂଆ ନିୟମ ଲାଗୁ କରାଯାଇଛି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସାନିଟାଇଜେଶନକୁ ଏଠାରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାସହ ଶୋ’ ଦେଖିବାକୁ ଆସୁଥିବା ଦର୍ଶକଙ୍କୁ ୭୨ ଘଣ୍ଟା ମଧ୍ୟରେ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।
କଟକ ସନ୍ ହସ୍ପିଟାଲରେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା, ପ୍ରାଥମିକ ତଦନ୍ତରୁ ସୂଚନା
କଟକ: କଟକ ସନ ହସପିଟାଲ ଅଗ୍ନୀକାଣ୍ଡ ଘଟଣା। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଗ୍ନିଶମ ବିଭାଗର ତଦନ୍ତକାରୀ ଟିମ ପ୍ରଥମ ଦିନ ତଦନ୍ତ ପରେ ଏହି ସୂଚନା ଦେଇଛନ୍ତି। ଏଥି ସହିତ ହସପିଟାଲକୁ କିଛି ସର୍ତ୍ତ ପୂରଣ ପାଇଁ ପୂର୍ବରୁ କୁହାଯାଉଥିବା ବେଳେ ତାହା ସେମାନେ ପୁରଣ କରି ନଥିବା ତଦନ୍ତକାରୀ ଟିମ ଜାଣିବାକୁ ପାଇଛି। ଖୁବଶୀଘ୍ର ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ତଦନ୍ତକାରୀ ଟିମର ମୁଖ୍ୟ କହିଛନ୍ତି। ସୋମବାର ମଧ୍ୟାହ୍ନରେ ହଠାତ୍ ସନ ହସ୍ପିଟାଲର ପଞ୍ଚମ ମହଲାରେ ଲାଗିଥିଲା ନିଆଁ। ହସ୍ପିଟାଲର ଅଫିସ ଓ କ୍ୟାଣ୍ଟିନ ଉପର ଫ୍ଲୋରରେ ଥିବା ବେଳେ ତଳ ଫ୍ଲୋରରେ ଥିବା ସମସ୍ତ ୮ ରୋଗୀଙ୍କୁ ସୁରକ୍ଷିତ ଭାବେ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲର ସମସ୍ତ ଷ୍ଟାଫ ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଥିଲେ।
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡ଼ିଲା ଇଟା ବୋଝେଇ ଟ୍ରକ୍
ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା ସୁନାମୁହିଁ ଠାରେ ଓଲଟିଲା ଇଟା ବୋଝେଇ ଟ୍ରକ୍। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ଟ୍ରକ୍। ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ, ଦୁଇ ଗୁରୁତର। ମୃତକ ହେଲେ ଅଭୟ ସ୍ୱାଇଁ। ଟ୍ରକଟି ଶିଖରପୁରରୁ ଇଟା ନେଇ ଭୁବନେଶ୍ୱର ଯାଉଥିବାବେଳେ ସୁନାମୁହିଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଙ୍କ ସମେତ ୨ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଗରୁତରଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।
ବିଳମ୍ବିତ ରାତିରେ ରୋଲରକୁ ପିଟିଲା ବୁଲେରୋ, ୩ ବର୍ଷ ପୁଅର ମୃତ୍ୟୁ, ପୁରା ପରିବାର ଗୁରୁତର
ଜଗତସିଂହପୁର କଟକ-ପାରାଦୀପ ରାସ୍ତାରେ ସଡକ ଦୁର୍ଘଟଣା। ଜଇପୁର ନିକଟ ଖଣ୍ଡତରୀରେ ରୋଲର୍କୁ ଧକ୍କା ଦେଲା ବୋଲେରୋ। ବୋଲୋରେ ଥିବା ଗୋଟିଏ ପରିବାରର ୩ବର୍ଷ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବଡ଼ ପୁଅ, ବାପା, ମାଆଙ୍କ ସମେତ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏରସମା କୋଠି ଗଙ୍ଗାଧରପୁର ଫେରୁଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରୋଲରକୁ ପିଟିବା ପରେ ପୁରା ବୁଲେରୋ ନଷ୍ଟ ହୋଇଯାଇଛି। ରାସ୍ତା କଡ଼ରେ ପୁରା ଭାଙ୍ଗି ଦବିଯାଇଛି। ସାନ ପୁଅକୁ ହରାଇ ଏବେ ପୁରା ପରିବାର ନିସ୍ତବ୍ଦ ହୋଇପଡ଼ିଛି।



