spot_img
Home Blog Page 6041

ଦିଲ୍ଲୀ ହିଂସା ପରେ ୪୦୦ ଚାଷୀ ନିଖୋଜ, ଦିଲ୍ଲୀ ପୁଲିସ ଅଟକ ରଖିଥିବା ଅଭିଯୋଗ

ନୂଆଦିଲ୍ଲୀ: ୨୬ ଜାନୁଆରିରେ ଦିଲ୍ଲୀରେ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ଚାଷୀଙ୍କ ପକ୍ଷରୁ ଟ୍ରାକ୍ଟର ରାଲି ଅନୁଷ୍ଠିତ ହୋଇଥିଲା। ତେବେ ଏହି ରାଲିରେ ବ୍ୟାପକ ହିଂସା ଓ ଉପଦ୍ରବ ଘଟିବା ପରଠାରୁ ପ୍ରାୟ ୪ ଶହରୁ ଅଧିକ କୃଷକ ଏବଂ ଯୁବକ ନିଖୋଜ ହୋଇଯାଇଛନ୍ତି। ଆଜି ପଂଜାବର କେତେକ ଚାଷୀ ସଂଗଠନ ଏବଂ ଧାର୍ମିକ ସଂଗଠନ ପକ୍ଷରୁ ଏଭଳି ଦାବି କରାଯାଇଛି। ସେମାନେ କହିଛନ୍ତି ଯେ ଟ୍ରାକ୍ଟର ରାଲି ହିଂସା ପରେ ନିଖୋଜ ହୋଇଥିବା ସମସ୍ତ ଚାଷୀଙ୍କୁ ଦିଲ୍ଲୀ ପୁଲିସ ହିଁ ବିଭିନ୍ନ ସ୍ଥାନରେ ଅଟକ ରଖିଛି। ଅମୃତସର ଖାଲ୍‌ସା ମିସନ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ନିଖୋଜ ଥିବା ସମସ୍ତ ଚାଷୀ ଟ୍ରାକ୍ଟର ରାଲିରେ ସାମିଲ ଥିଲେ ଏବଂ ଖୁବ୍‌ଶୀଘ୍ର ଏହି ମାମଲାରେ ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ।

ପଂଜାବ-ହରିୟାଣା ହାଇକୋର୍ଟର ଆଇନଜୀବୀ ହାକିମ୍‌ ସିଂହ କହିଛନ୍ତି, ପ୍ରାୟ ୯୦ ଚାଷୀ ପରିବାରର ଅଭିଯୋଗ ମୁତାବକ ସେମାନଙ୍କ ପରିବାରରୁ ଯେଉଁମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ସେମାନଙ୍କର କୌଣସି ସୁରାକ୍‌ ମିଳୁନାହିଁ। ସେମାନେ କୌଣସି ହସ୍ପିଟାଲରେ ମଧ୍ୟ ନାହାନ୍ତି ଏବଂ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କଲେ ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଦିଲ୍ଲୀ ହିଂସା ମାମଲାରେ ପୁଲିସ ଯେଉଁମାନଙ୍କୁ ଅଟକ ରଖିଛି ସେମାନଙ୍କ ମଧ୍ୟରେ ଏହି ନିଖୋଜ ଚାଷୀମାନେ ଅଛନ୍ତି ବୋଲି ପଂଜାବର ଚାଷୀ ନେତାମାନେ କହିଛନ୍ତି ।

ଏହି ମାମଲାକୁ ନେଇ ପଂଜାବରେ ରାଜନୀତି ସରଗରମ ହୋଇଉଠିଛି। ହିଂସା ମାମଲାରେ ୧୧ ଜଣ ଚାଷୀଙ୍କୁ ତିହାର ଜେଲ୍‌ରେ ରଖାଯାଇଛି ବୋଲି ଦିଲ୍ଲୀ ଶିଖ୍‌ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ମୁଖ୍ୟ ମନଜିନ୍ଦର ସିଂହ ସିର୍‌ସା କହିଛନ୍ତି। ତେବେ ଅଟକ ଥିବା ଚାଷୀଙ୍କ ସଂପର୍କରେ ସରକାର ତଥ୍ୟ ପ୍ରଘଟ କରୁନାହାନ୍ତି ବୋଲି ସିର୍‌ସା କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀରେ ହିଂସା ଓ ଉପଦ୍ରବ ଘଟାଇଥିବା ବ୍ୟକ୍ତିକୁ ଧରିବା ପାଇଁ କ୍ରାଇମ୍‌ ବ୍ରାଞ୍ଚର ୮ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଫରେନ୍ସିକ ବିଶେଷଜ୍ଞଙ୍କ ଏକ ଟିମ ଆଜି ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ସ୍ଥଳରେ ତଦନ୍ତ କରିଛନ୍ତି। ଏହି ଟିମ ମଂଗଳବାର ଲାଲକିଲ୍ଲାରେ ମଧ୍ୟ ତଦନ୍ତ କରିବେ।

ବଜେଟ୍ ଉପସ୍ଥାପନ ପୂର୍ବରୁ GST ଆଣିଲା ଭଲ ଖବର: ଜାନୁଆରୀରେ ୧.୨୦ ଲକ୍ଷ କୋଟି GST ସଂଗ୍ରହ

ନୂଆଦିଲ୍ଲୀ: ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ ହେବା ଆଗରୁ ଦେଶର ଅର୍ଥନୀତି ପାଇଁ ଜିଏସଟି ଭଲ ଖବର ଆଣିଛି । ଜାନୁଆରିରେ ୧. ୨୦ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଗତବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ଜାନୁଆରିରେ ମୋଟ ୧ଲକ୍ଷ ୧୯ ହଜାର ୮ଶହ ୪୭ କୋଟି ଜିଏସଟି ଆଦାୟ ହୋଇଥିବା ସୂଚନା ମିଳିଛି । ଗତ ସପ୍ତାହରେ ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଦେଶର ଅର୍ଥନୀତି ଦୁର୍ବଳ ହୋଇଛି ।

 

୭.୭ ପ୍ରତିଶତ ରହିଛି ଜିଡ଼ିପି ଅଭିବୃଦ୍ଧି । କିନ୍ତୁ ଆଗାମୀ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ୧୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ପୂର୍ବାନୁମାନ ସତ ହେଲେ ମଧ୍ୟ ଦୁଇ ବର୍ଷରେ ଜିଡିପି ଅଭିବୃଦ୍ଧି ମାତ୍ର ୨.୪ ପ୍ରତିଶତ ହେବ । ଗତ ତିନି ମାସରେ ଅପ୍ରତ୍ୟକ୍ଷ କର ସଂଗ୍ରହ ବଢିଥିଲେ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହ କମିବ ବୋଲି ଅର୍ଥନୈତିକ ବିଶାରଦ ମତ ରଖିଛନ୍ତି ।

ଜାନୁଆରୀ ମାସରେ ରେକର୍ଡ GST କଲେକସନ୍ 
ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ଚାରିମାସ ମଧ୍ୟରେ ସରକାର GSTରୁ ୧ ଲକ୍ଷ କୋଟିରୁ ଅଧିକ ଆୟ କରୁଛନ୍ତି ଏବଂ ବର୍ତ୍ତମାନ ସମୟରେ କରୋନା ମହାମାରୀର ଗତି ହ୍ରାସ ପାଇବା ମଧ୍ୟରେ GSTରେ କ୍ରମାଗତ ବୃଦ୍ଧି ଧାରା ଦୃତ ଅର୍ଥନୈତିକ ପୁନରୁଦ୍ଧାରର ସ୍ପଷ୍ଟ ସୂଚକ ଅଟେ ।

କରୋନା କାଳରେ ସାହା ହେବକି କେନ୍ଦ୍ରର ବଜେଟ: ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା ସମ୍ଭାବନା

ନୂଆଦିଲ୍ଲୀ : କ’ଣ ହେବ ବଜେଟର ରୂପରେଖ ? ବେତନଭୋଗୀ ଓ ମଧ୍ୟବିତ୍ତ ପରିବାର ବଜେଟ୍‌ରୁ ଅନେକ ଆଶା ରଖିଛନ୍ତି । ଦୈନନ୍ଦିନ ସାମଗ୍ରୀର ଦର ହ୍ରାସ ନିହାତି ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି । ସେପଟେ ଓଡ଼ିଶାକୁ କେତେ ଅନୁଦାନ ମିଳିବ ତା’ ଉପରେ ବି ନଜର ରହିଛି । ବିଶେଷକରି ରେଳ ଓ ଇଣ୍ଟରନେଟ ପାଇଁ ଅଧିକ ଅର୍ଥ ଆଶା ରଖିଛି ଓଡ଼ିଶା ।

କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଏବେ ଦୁର୍ବଳ ହୋଇପଡ଼ିଛି । ଏହି ସମୟରେ ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ବେତନଭୋଗୀ ଓ ମଧ୍ୟବିତ୍ତଶ୍ରେଣୀର ଲୋକ । ଦରମା କାଟ ଓ ଅତିରିକ୍ତ ବୋଝ ସେମାନଙ୍କ ଦୁଖଃକୁ ଦୁଇଗୁଣା କରିଦେଇଛି । ଦେଶରେ ବେରୋଜଗାର ସଂଖ୍ୟା ମଧ୍ୟ ବଢିଚାଲିଛି । ମହାମାରୀ ସମୟରେ ହଜାର ହଜାର ସଂଖ୍ୟାରେ କାର୍ମଚାରୀ ଛଟେଇ ହୋଇଛନ୍ତି । ସବୁ ସାମଗ୍ରୀର ଦରଦାମ ଆକାଶ ଛୁଆଁ । ତେଲ ଠାରୁ ଡାଲି ପର୍ଯନ୍ତ ସବୁ ସାମଗ୍ରୀର ମୂଲ୍ୟ ବଡ଼ିଚାଲିଛି । ଏପରି ସ୍ଥିତିରେ ଅର୍ଥମନ୍ତ୍ରୀଙ୍କ ପାଇଁ ଏଥର ବଜେଟ୍ ଅଧିକ ଚ୍ୟାଲେଞ୍ଜିଂ ରହିବ ବିଶେଷଜ୍ଞମାନେ କହିଛନ୍ତି ।

ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଖୋଲିବେ ପେଡ଼ି । ମହାମାରୀ ସମୟରେ ଟିକସ ଛାଡ଼ କିମ୍ବା ଟିକସ ରିହାତି ଘୋଷଣା କରାଯାଇନପାରେ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଅନ୍ୟପଟେ ଓଡ଼ିଶା ମଧ୍ୟ ଏଥର ବଜେଟରେ ଅନେକ କିଛି ଆଶା କରୁଛି । ବିଶେଷ କରି ରେଳ ଓ ଇଣ୍ଟରନେଟ ପାଇଁ ଅଧିକ ଅର୍ଥ ଆଶା କରାଯାଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ରେଳ ବଜେଟ୍‌ରେ ଅତି କମ୍‌ରେ ୭୨୦୦ କୋଟି ଟଙ୍କା ବ୍ୟବସ୍ଥା କରିବା ତଥା ରାଜ୍ୟର ଦୁର୍ଗମ ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ପାଇଁ ବଜେଟ୍‌ରେ ୫,୬୫୦ କୋଟି ଟଙ୍କାର ବ୍ୟୟ ବରାଦ କରିବାକୁ ପ୍ରମୁଖ ଭାବେ ଦାବି ଉପସ୍ଥାପନ କରିଥିଲେ। ଜାତୀୟ ରାଜପଥର ନିର୍ମାଣ ଓ ରକ୍ଷାବେକ୍ଷଣ ପାଇଁ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହା ଉପରେ କେନ୍ଦ୍ର ସରକାର କି ଆଭିମୁଖ୍ୟ ରଖୁଛନ୍ତି, ତାହାକୁ ଓଡ଼ିଶା ଅପେକ୍ଷା କରୁଛି।

ଆଜି ଆସିବ ବହୁ ପ୍ରତିକ୍ଷିତ ବଜେଟ୍, କରୋନା କାଳରେ ଆୟବ୍ୟୟର ହିସାର ରଖିବେ ସରକାର

ନୂଆଦିଲ୍ଲୀ: ଆଜି ବଜେଟ୍‌ ଡେ । ବଜେଟ୍ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଆୟବ୍ୟୟର ହିସାବ ରଖିବେ ନିର୍ମଳା ସୀତାରମଣ । ସକାଳ ୧୧ଟାରେ ବଜେଟ ଉପସ୍ଥାପନା ହେବ । କେଉଁ କ୍ଷେତ୍ରକୁ ମିଳିବ କେତେ ଗୁରୁତ୍ୱ, ତାକୁ ନେଇ ଆରମ୍ଭ ହୋଇଛି ତଜର୍ମା ।

ଏହି ବଜେଟ ପ୍ରଥମ ଥର ପାଇଁ ପେପର୍‌ ଲେସ୍‌ ହେବ । ମୋବାଇଲ ଆପ୍‌ ୟୁନିୟନ ବଜେଟରେ ସବୁ ଦସ୍ତାବିଜ୍‌ ହେବ ଅପଲୋଡ । ଗତବର୍ଷ ନିର୍ମଳା ବହିଖାତା ପରମ୍ପରା ଆରମ୍ଭ କରି ବଜେଟ ଉପସ୍ଥାପନ କରିଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ନିର୍ମଳା ଏଥର ବଜେଟ ଉପସ୍ଥାପନ କରିପାରନ୍ତି । ବଜେଟ ପ୍ରସ୍ତୁତି ପାଇଁ କିଛିଦିନ ତଳେ ହାଲୱା ଉତ୍ସବ ଆୟୋଜନ କରାଯାଇଥିଲା । ସେହିଦିନଠୁ ହିଁ ବଜେଟ ପାଇଁ ଅଧିକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ତେବେ କରୋନା କାଳରେ ଏଥର ବଜେଟରେ କାହାକୁ କେତେ ଫାଇଦା ମିଳିବ, ତାକୁ ସମସ୍ତଙ୍କ ଅପେକ୍ଷା । ଅର୍ଥନୀତିକୁ ସୁଧାରିବା ଓ ସାମଗ୍ରୀକ ବିକାଶ ପାଇଁ କୃଷି, ନିଯୁକ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବାର ସମ୍ଭାବନା ଅଛି । ଏସବୁ ଭିତରେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଚାଷୀଙ୍କ ପାଇଁ ଏଥର କଣ ରଣନୀତି ରହିଛି ସରକାରଙ୍କର । ଗତ ବଜେଟରେ କୃଷି କ୍ଷେତ୍ର ପାଇଁ ଦୁଇ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଥିଲା । ଏହାସହ ନଗଦ ପ୍ରୋତ୍ସାହନ ଓ ସବସିଡି ରାଶି ମଧ୍ୟ ଦିଆଯାଇଥିଲା । କିନ୍ତୁ ଏଥର କୃଷିର ଭିତ୍ତଭୂମିର ଉନ୍ନତି ପାଇଁ ସରକାର କିଛି ବଡ଼ ଘୋଷଣା କରନ୍ତୁ ବୋଲି ଦାବି ହେଉଛି ।

ତେବେ ଏଥର ବଜେଟରେ ସରକାରଙ୍କ ଖର୍ଚ୍ଚ ବଢିବା ଅନୁମାନ କରାଯାଉଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଅଧିକ ନିବେଶ କରିବାର ସମୟ ଆସିଛି । କରୋନା କାଳରେ ଦେଶର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟନ୍ତ ହୋଇପଡିଛି । ମଧ୍ୟବିତ ପରିବାର ମଧ୍ୟ କରୋନା ମହାମାରି ସଙ୍କଟରୁ ଉଠି ପାରିନାହାନ୍ତି । ସେମାନଙ୍କ ପାଇଁ ଆୟକରକୁ ନେଇ କିଛି ବଡ଼ ଘୋଷଣା ହୋଇପାରେ । ରିଏଲ ଇଷ୍ଟେଟ ଓ ଟୁରିଜିମ କ୍ଷେତ୍ରକୁ ମଧ୍ୟ ସରକାର ଫୋକସ କରନ୍ତୁ ବୋଲି ଦାବି ହୋଇଛି । ଆତ୍ମନିର୍ଭର ଭାରତ କ୍ଷେତ୍ରରେ ମଧ୍ୟ ବଡ ଘୋଷଣା କରାଯାଇପାରେ । ଗତ ବଜେଟ ଠାରୁ ଏଥର ସର୍ବାଧିକ ଏହି କ୍ଷେତ୍ର ପାଇଁ ଖର୍ଚ୍ଚ କରାଯିବ । ସେପଟେ ରେଲୱେ ମଧ୍ୟ ୧.୭୦ ଲକ୍ଷ କୋଟି ଟଙ୍କାର ଅନୁଦାନ ଆଶା କରାଯାଉଛି ।

ପିକ୍ଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ, ୧୩ ଗୁରୁତର

ଜୟପୁର: କୋଟପାଡ଼ ଥାନା NH-୩୨୬ର ସିନ୍ଧି ଗାଁ ମୂର୍ତ୍ତାହାଣ୍ଡିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ । ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ମେଡିକାଲରେ ମୃତ୍ୟୁ ଘଟିଛି । ଅନ୍ୟ ୧୩ ଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୨୫ରୁ ୨୭ ଜଣ ଯାତ୍ରୀଙ୍କୁ ନେଇ ଛତିଶଗଡ଼ ଯାଉଥିଲା ପିକ୍ଅପ୍ ଭ୍ୟାନ୍ । ଦଶାହ କାର୍ଯ୍ୟ ସାର ଛତିଶଗଡ଼ ଫେରୁଥିବା ବେଳେ ଘଟିଛି ଅଘଟଣ । ତେବେ କିଭଳି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସ୍ପଷ୍ଟ  ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅପରପକ୍ଷରେ ଖବର ପାଇବା ପରେ ଜୟପୁର ଉପଜିଲ୍ଲାପାଳ, ଏସ୍‌ଡିପିଓ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ଘନ ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ହେଉଛି । ଭ୍ୟାନ୍‌ଟି କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବାରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ସୂଚନା ଅନୁଯାୟୀ ଖବର ପାଇଁ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୂର୍ବରୁ ଘଟଣାସ୍ଥଳରେ ଆମ୍ୱୁଲାନ୍ସ ପହଞ୍ଚି ଗୁରୁତର ଲୋକଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଆଉ ୬ ଜଣଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଛନ୍ତି ଅଗ୍ନିଶମ ବାହିନୀ ।

ଚିଫ୍ ଫାୟର ଅଫିସର ମହେଶ୍ୱର ସ୍ୱାଇଁଙ୍କ ସୂଚନା ଅନୁଯାୟୀ ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ଅତି ଗୁରୁତରଙ୍କୁ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ କିଛି ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ମୃତକ ଏବଂ ଆହତ ଛତିଶଗଡ଼ କୁଲୁଚା ଗାଁ ବାସିନ୍ଦା ।

ଏଣିକି ଯାତ୍ରୀବାହୀ ଯାନ ବାହାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେବ VTS ବ୍ୟବସ୍ଥା । ଅଟୋ ଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଯାନବାହାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ହେବ ବାଧ୍ୟତାମୂଳକ । ଏହାଦ୍ବାରା ଗାଡ଼ିର ଅବସ୍ଥିତି ସହିତ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ମିଳିପାରିବ ତଥ୍ୟ । ଦେଶରେ ତୃତୀୟ ରାଜ୍ୟ ଭାବେ ଓଡିଶାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି  । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ଲାଗୁ ହେବ ଭିଟିଏସ୍ ବ୍ୟବସ୍ଥା । କେରଳ ଓ ଉତ୍ତରାଖଣ୍ଡ ପରେ ଦେଶରେ ତୃତୀୟ ରାଜ୍ୟ ଭାବେ ଓଡିଶାରେ ଲାଗୁ ହେବ ଏହି ବ୍ୟବସ୍ଥା । ପରିବହନ ବିଭାଗ ପକ୍ଷରୁ ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଯାତ୍ରୀ ପରିବହନ କରୁଥିବା ଅଟୋ ଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ସବୁ ଗାଡିରେ ଲାଗିବ ଅଟୋମେଟିଭ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆାଇଏସ୍-୧୪୦) ମାନଦଣ୍ଡର ସିଷ୍ଟମ୍ ରହିବ ।

ଏଥିପାଇଁ ମୋଟ ୧୫କୋଟି ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆଇଟି କମ୍ପାନୀ ଓ୍ବିପ୍ରୋ ସହିତ ଆଲୋଚନା ହୋଇଥିବା ବେଳେ ସିଷ୍ଟମକୁ ଗାଡି ମାଲିକଙ୍କୁ କିଣିବାକୁ ପଡିବ । ସିମ୍ ଯୁକ୍ତ ମେସିନ୍ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ସେଣ୍ଟ୍ରାଲ ସର୍ଭର କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ସହ ସିଷ୍ଟମ୍ ଯୋଗାଉଥିବା କମ୍ପାନୀ ସହ ପରିବହନ ବିଭାଗର ବାହାନ ଆପ୍ଲିକେସନ୍ ସହିତ ସଂଯୋଗ କରାଯିବ । ମହିଳା ଯାତ୍ରୀଙ୍କ ସିଟ୍ ନିକଟରେ ଜରୁରୀ ବଟନ ବ୍ୟବସ୍ଥା ରହିବ । ଫଳରେ ସମସ୍ତ ଗାଡିର ଅବସ୍ଥିତି ଓ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କିତ ବିସ୍ତୃତ ତଥ୍ୟ କଣ୍ଟ୍ରୋଲ ରୁମରେ ରହିବ । ଏହି ବ୍ୟବସ୍ଥା ଦ୍ବାରା ଘାଟିରେ ଗାଡି ଦୁର୍ଘଟଣାଗ୍ରସ୍ତ ହେଲେ ଅଗ୍ନିଶମ ଓ ପୋଲିସର ସହାୟତା ଉପଲବ୍ଧ ହୋଇପାରିବ । ଏଣୁ ଉଭୟ ଅଟୋ ଓ ବସ୍ ମାଲିକ ସରକାରଙ୍କ ଏହି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି । ତେବେ ସମ ଦୂରତାରେ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଗଲେ ଏହି ବ୍ୟବସ୍ଥା ସଫଳ ରୁପାୟନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

ଭିଟିଏସ୍ କାର୍ଯ୍ୟକାରୀ କରିଥିବା ଦୁଇ ରାଜ୍ୟ କେରଳ ଓ ଉତ୍ତରାଖଣ୍ଡକୁ ରାଜ୍ୟ ସରକାରଙ୍କ ଏକ ଟେକ୍ନିକାଲ ଟିମ୍ ଫେବୃଆରୀରେ ଯିବେ । ଜୁନରେ ଟେଣ୍ଡର ଓ ନଭେମ୍ବର ସୁଦ୍ଧା ଟେଷ୍ଟିଂ ସାରି ଡିସେମ୍ବର ୧୫ରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପିପୁଲସ ଫ୍ରେଣ୍ଡଲି ହୋଇପାରୁନି ପୋଲିସ: ଖାକି ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ

ଭୁବନେଶ୍ୱର: ପିପୁଲସ ଫ୍ରେଣ୍ଡଲି ହୋଇପାରୁନି ପୋଲିସ । ରାଜ୍ୟ ମାନବାଧିକାର କମିଶନରେ ପଡିରହିଥିବା ୧୫ ହଜାର ମାମଲା ମଧ୍ୟରୁ ୮ ହଜାର ମାମଲା କେବଳ ପୋଲିସ ବିରୋଧରେ ରହିଛି । ୨୦୨୦ ମସିହାରେ ରୁଜୁ ହୋଇଥିବା ୨୯୧୦ ଟି ମାମଲା ମଧ୍ୟରୁ ପୋଲିସ ବିରୋଧରେ ୭ ଶହରୁ ଅଧିକ ମାମଲା ରହିଛି ।

ରାଜ୍ୟ ମାନବାଧିକାର କମିଶନରେ ନ୍ୟାୟ ଅପେକ୍ଷାରେ ୧୫ ହଜାର ମାମଲା  । ସେଥିରୁ କେବଳ ୮ ହଜାର ମାମଲା ପୋଲିସ ବିରୋଧରେ । ଗତବର୍ଷ କମିଶନରେ ୨୯୧୦ ଟି ମାମଲା ରୁଜୁ ହୋଇଥିବା ବେଳେ ୭ ଶହ ମାମଲା ପୋଲିସ ବିରୋଧରେ ରହିଛି । ୧୩ଟି ହାଜତ ମୃତ୍ୟୁ ଓ ଏନକାଉଣ୍ଟର ମାମଲାରେ ମୃତକଙ୍କ ପରିବାରକୁ ୨୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ଦିଆଯାଇଛି । ସେହିପରି ଅଭିଯୁକ୍ତଙ୍କୁ ଆମାନୁଷିକ ଭାବେ ଦଣ୍ଡ ଦେବା ଓ ପରିବାର ଲୋକଙ୍କୁ ମାନସିକ ଅତ୍ୟାଚାର କରିବା ଘଟଣାରେ ୧୭ ଶହ କେସ ବିଚାରାଧୀନ ରହିଛି । ଗତ କିଛି ଦିନ ତଳେ ବାଲିପାଟଣା ଥାନାର ଜଣେ କର୍ମଚାରୀ ୭ ବର୍ଷର କୁନି ଝିଅକୁ ୧୯ ବର୍ଷୀୟ ଦେଖାଇ ଜେଲ କୋର୍ଟରେ ହାଜର କରିବା ଘଟଣା ପୋଲିସ ବିଭାଗର କାର୍ଯ୍ୟଶୈଳୀକୁ ସନ୍ଦେହ ଘେରକୁ ଟାଣି ଆଣିଛି ।

କମିଶନରେଟ ପୋଲିସରେ ମଧ୍ୟ ସମଦଶା ଦେଖିବାକୁ ମିଳିଛି । ୮ ବର୍ଷ ମଧ୍ୟରେ ପୋଲିସ ବିପକ୍ଷରେ ଆସିଛି ୮୮ ଅଭିଯୋଗ । ତଦନ୍ତ ନହୋଇ ଏଯାଏଁ ପଡିରହିଛି ୩୮ ମାମଲା । ସେହିପରି ଟୁଇନ ସିଟିର ୭୩ ଜଣ ଇନ୍ସପେକ୍ଟର ଙ୍କ ବିରୋଧରେ ପିଟିସନ ପଡିଛି । ବାରମ୍ବାର ପୋଲିସ ଡିଜି ଲୋକଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଥାନା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତଳତଳିଆ କର୍ମଚାରୀଙ୍କ ବ୍ୟବହାର ଲୋକଙ୍କୁ ଅତିଷ୍ଠ କରୁଥିବା ଅଭିଯୋଗ ହୋଇଛି  । ଏଣୁ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ଓ ଅଭିଯୁକ୍ତଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ହେଲେ ପୋଲିସ ତାର କାର୍ଯ୍ୟଶୈଳୀ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା ଅପରିହାର୍ଯ୍ୟ ବୋଲି କହିଛନ୍ତି ମାନବାଧିକାର କର୍ମୀ ।

ପୋଲିସ କର୍ମଚାରୀଙ୍କ ମନମୁଖୀ କାମ ରୋକିବା ପାଇଁ ‘ମୋ ସରକାର’ ଓ ‘୫ଟି’ ପକ୍ଷରୁ ଜିରୋ ଟଲରାନ୍ସ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୋଲିସର କାର୍ଯ୍ୟଶୈଳୀ ସମ୍ପର୍କରେ ନିଜେ ଫୋନ କରି ମତାମତ ଗ୍ରହଣ କରିବା ପରେ ବ୍ୟବହାରରେ ପରିବର୍ତ୍ତନ ଆସିଥିବା ଦେଖାଯାଉଛି ।

ପାକିସ୍ତାନ ଭାରତଠାରୁ କୋଭିଡ୍ ଟିକା ପାଇବ କି ?

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ପାକିସ୍ତାନ କରୋନା ଟିକାକରଣ ଆରମ୍ଭ କରିବାକୁ ଚିନ୍ତା କରୁଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପାକିସ୍ତାନ ଚୀନ ନିର୍ମିତ ଟିକା ଦେବାକୁ ଯାଉଛି । ଅନ୍ୟପକ୍ଷରେ ପଡୋଷୀ ଭାରତ ଜାନୁଆରୀ ମଧ୍ୟଭାଗରୁ ଟିକା କୂଟନୀତି ଆରମ୍ଭ କରିସାରିଲାଣି । ପଡୋଷୀ ପ୍ରଥମ ନୀତି କ୍ରମରେ ଭାରତ ନିଜ ପଡୋଷୀ ଦେଶଙ୍କୁ ଟିକା ଦେବା ଆରମ୍ଭ କରିଛି । ନେପାଳ,ମିଆଁମାର,ବାଂଲାଦେଶ,ମାଳଦ୍ୱିପ ଓ ଶ୍ରୀଲଙ୍କାକୁ ଟିକା ଯୋଗାଇଛି ଭାରତ ।
ଏହି ଦେଶଙ୍କୁ ବର୍ତ୍ତମାନ ଭାରତ ମାଗଣା ଟିକା ଦେଇଛି । ତେବେ ତାଲିକାରେ ପାକିସ୍ତାନ ନାମ ନାହିଁ । ବିଶ୍ୱରେ ପ୍ରସ୍ତୁତ ହେଉଥିବା ଟିକାର ୬୦ ପ୍ରତିଶତ ଭାରତରେ ତିଆରି ହୋଇଥାଏ । ଏମିତିରେ ଭାରତ ପାକିସ୍ତାନକୁ ଟିକା ଦେବ କି ନାହିଁ ତାହା ଏବେ ଇସଲାମାବାଦ ପାଇଁ ପ୍ରଶ୍ନ ହୋଇ ଠିଆ ହୋଇଛି ।
ପାକିସ୍ତାନ ନିଜ ଜନସଂଖ୍ୟାର ୭୦ ପ୍ରତିଶତଙ୍କୁ ଟିକା ଦେବାକୁ ନିଷ୍ପତି ନେଇଥିବା କୁହାଯାଉଛି । ସରକାର ମାଗଣାରେ ଲୋକଙ୍କୁ କରୋନା ଟିକା ଦେବେ । ପାକିସ୍ତାନରେ ଆଷ୍ଟ୍ରାଜେନକା ଓ ଚୀନ୍ ଟିକା ସିନୋଫାମକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମଧ୍ୟ ମିଳି ସାରିଛି । ତେବେ ପାକିସ୍ତାନରେ ଚୀନ ଟିକାକୁ ଅବିଶ୍ୱାସ ନଜରରେ ଦେଖା ଯାଉଛି । ଚୀନ ୫ ଲକ୍ଷ ଟିକା ମାଗଣାରେ ଦେବାକୁ ପାକିସ୍ତାନକୁ ପ୍ରତିଶ୍ରୁତି ଦେଇଛି । ପ୍ରଥମ ବ୍ୟାଚ୍ ଆସନ୍ତା ସପ୍ତାହରେ ପାକିସ୍ତାନରେ ପହଂଚିବ । ତେବେ ପାକିସ୍ତାନ ପାଇଁ ସମସ୍ୟା ହେଉଛି ଏହା ଆହୁରି ଅଧିକ ଟିକା ଆବଶ୍ୟକ କରୁଛି ।
ପାକିସ୍ତାନ ପାଇଁ ଭାରତରୁ ଟିକା ନେବା ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭଜନକ ରହିବ । ଏମିତିରେ ପାକିସ୍ତାନରେ ବ୍ୟବହୃତ ହେଉଥିବା ଔଷଧର ୭୦ ପ୍ରତିଶତ ଭାରତରୁ ଯାଇଥାଏ । ସେହିଭଳି ପାକିସ୍ତାନ ଭାରତଠାରୁ ୯୦ ପ୍ରତିଶତ ଟିକା କିଣିଥାଏ । ଭାରତ ସହିତ ସମ୍ପର୍କ ଖରାପ ହେବା ସତ୍ୱେ ଭାରତରୁ ଏବେ ମଧ୍ୟ ପାକିସ୍ତାନ ଔଷଧ ନେଉଛି । କାରଣ ପାକିସ୍ତାନୀଙ୍କ ନଜରରେ ଭାରତୀୟ ଔଷଧ ବିଶ୍ୱସ୍ତରୀୟ ଓ ବିଶ୍ୱସନୀୟ । ସାଧାରଣ ପାକିସ୍ତାନୀ ନାଗରିକ ଚୀନ ଔଷଧକୁ ଭରସା କରିନଥାନ୍ତି ।
ଏସବୁ ଭିତରେ ପାକିସ୍ତାନ ଆଶା କରୁଛି ଯେ,ଭାରତ ତାକୁ ଟିକା ଦେବ । ତେବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଟିକା ପାଇଁ ପାକିସ୍ତାନ ପଟୁ କୌଣସି ଆଧିକାରୀକ ଅନୁରୋଧ ଆସିନାହିଁ । ତେବେ ସଂଖ୍ୟାଧିକ ପାକିସ୍ତାନୀଙ୍କ କହିବା ହେଉଛି ଭାରତରୁ ଟିକା ନଆଣିବା ପାକିସ୍ତାନ ପାଇଁ ମହଙ୍ଗା ପଡିବ ।
ଭାରତରେ ଦୁଇଟି ଟିକାକୁ ଅନୁମତି ମିଳି ସାରିଛି । ଏହି ଦୁଇ ଟିକାକୁ ଯଦି ପାକିସ୍ତାନ କୌଣସି ତୃତୀୟ ଦେଶଠାରୁ କିଣେ ତାକୁ ଅଧିକ ମୂଲ୍ୟ ଦେବାକୁ ପଡିବ । ପାକିସ୍ତାନର ଅର୍ଥନୈତିକ ସ୍ଥିତି ଏବେ ଯାହା,ତୃତୀୟ ଦେଶରୁ ଟିକା ଆଣିବା ଦ୍ୱାରା ଅଧିକ ବୋଝ ବଢିବ ।
ତେବେ ଏସବୁ ଭିତରେ ମିଲିୟନ ଡଲାରର ପ୍ରଶ୍ନ ହେଉଛି ପାକିସ୍ତାନ ଭାରତଠାରୁ କୋଭିଡ୍ ଟିକା ପାଇବ କି ? ଯାହାର ଉତ୍ତର ଭବିଷ୍ୟତରେ ଜଣା ପଡିବ ।

ଭାଗ୍ୟଶ୍ରୀଙ୍କ ପ୍ରଶଂସା କରି PMO ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍

0

ଆଜି ୨୦୨୧ର ପ୍ରଥମ ‘ମନ କି ବାତ୍’ରେ ଓଡ଼ିଆ ଛାତ୍ରୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ମୋଦି। ତେବେ ବର୍ତ୍ତମାନ ପୁଣିଥରେ PMO ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଭାଗ୍ୟଶ୍ରୀଙ୍କ ପ୍ରଶଂସା କରାଯାଇଛି।

ପିଏମଓ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ ହୋଇଛି, ‘କଲେଜ  ଯିବା ସମୟରେ ଭଗ୍ୟଶ୍ରୀଙ୍କୁ ଏହି ସଫ୍ଟ ଷ୍ଟୋନଗୁଡ଼ିକ ମିଳିଥିଲା। ସେ ଏଗୁଡ଼ିକୁ ଏକତ୍ରିତ କରି ସଫା କରିଥିଲେ। ପରେ ଦିନକୁ ୨ ଘଣ୍ଟା ଲେଖାଏ ସମୟ ଦେଇ ସେ ଏଥିରେ ପଟ୍ଟଚିତ୍ର ଆଙ୍କିଥିଲେ । ସେ ଏଗୁଡ଼ିକୁ ଆଙ୍କି ନିଜ ବନ୍ଧିମାନଙ୍କୁ ଉପହାର ସ୍ୱରୂପ ଦେବାକୁ ଲାଗିଲେ । ଲକଡାଉନ ବେଳେ ସେ ବୋତଲରେ ମଧ୍ୟ ପଟ୍ଟଚିତ୍ର କରିବା ଆରମ୍ଭ କରିଥିଲେ। ଏବେ ତ ସେ ଏହି ଚିତ୍ରକଳାକୁ ନେଇ ପ୍ରଶିକ୍ଷଣ ବି ଦେଉଛନ୍ତି। କିଛିଦିନ ପୂର୍ବରୁ ସେ ଶୁଭାଷ ବାବୁଙ୍କ ଜୟନ୍ତିରେ ଭାଗ୍ୟଶ୍ରୀ ପଥରରେ ପଟ୍ଟଚିତ୍ର କରି ନିଆରା ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମୁଁ ଭବିଷ୍ୟତର ତାଙ୍କ ପ୍ରୟାସ ପାଇଁ ଶୁଭକାମନା ଜଣାଉଛି।’

ରାଉରକେଲା ସହରର ସେକ୍ଟର ୧୯ରେ ରହୁଥିବା ଭାଗ୍ୟଶ୍ରୀ, ଢେଙ୍କାନାଳ ସାରଙ୍ଗ ଇଞ୍ଜିନିୟରିଂ କଲେଜରେ ଏମଟେକ ମେଟାଲୋଜୀ ବିଭାଗର ଶେଷ ବର୍ଷ ଛାତ୍ରୀ। ଇଞ୍ଜିନିୟରିଂ ପଢୁଥିବା ବେଳେ ତାଙ୍କ ନିଶା ହେଉଛି ପଟ୍ଟଚିତ୍ର ଆଙ୍କିବା। ଏହି ପଟ୍ଟଚିତ୍ର ଆଙ୍କିବା ହିଁ ତାଙ୍କୁ ପରିଚୟ ଦେଇଛି । ଅଦରକାରୀ ବିଭିନ୍ନ ସାମଗ୍ରୀ ରେ ପଟ୍ଟଚିତ୍ର ଅଙ୍କନ କରି ଦେଶ ବିଦେଶରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ଭାଗ୍ୟଶ୍ରୀ।

ଖାନନଗର ବସ୍ ଟର୍ମିନାଲ: ଶିଳାନ୍ୟାସର ୭ ଦିନ ମଧ୍ୟରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ

0

କଟକ: ଖାନନଗରରେ ଦେଢ ବର୍ଷ ମଧ୍ୟରେ ଛିଡା ହେବ ଅତ୍ୟାଧୁନିକ ବସ ଟର୍ମିନାଲ । ଶିଳନ୍ୟାସର ମାତ୍ର ୭ଦିନ ମଧ୍ୟରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ଏନେଇ ନିର୍ମାଣ ସ୍ଥଳିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି  । ପ୍ରଥମେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଭଙ୍ଗାଯାଇଛି  । ଉଚ୍ଛେଦ ପ୍ରକ୍ରିୟାରେ ଦୁଇଟି ବଡ଼ ବଡ଼ ମେସିନ ଲାଗିଥିବା ବେଳେ ଏନଫୋର୍ସମେଣ୍ଟ ସ୍କ୍ବାଡ ଓ ପ୍ରଶାସନ ଘଟଣାସ୍ଥଳରେ ରହି କାର୍ଯ୍ୟର ତଦାରଖ କରୁଛନ୍ତି  ।

ଜୋର ସୋରରେ ଚାଲିଛି କଟକ ଖାନନଗର ବସ ଟର୍ମିନାଲ କାମ  । ନେତାଜୀ ଜୟନ୍ତୀରେ ଟିର୍ମିନାଲ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଦେଢ ବର୍ଷ ମଧ୍ୟରେ ୧୨ ଏକର ଜମିରେ ଏହି ଅତ୍ୟାଧୁନିକ ବସ ଟର୍ମିନାଲ କାର୍ଯ୍ୟକ୍ଷମ ହେବ । ତେବେ ଶିଳାନ୍ୟାସର ୭ ଦିନ ମଧ୍ୟରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ  । ଏନେଇ ଅଞ୍ଚଳରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଉଚ୍ଛେଦରୁ ପ୍ରକଳ୍ପର କାମ ଦୃତ ଗତିରେ ଆରମ୍ଭ ହୋଇଛି  । ଦୁଇ ଦିନ ମଧ୍ୟରେ ପୂରା ସ୍କୁଲ ପରିସରରୁ ଉଛେଦ କାମ ସରିଥିବା ବେଳେ ଅନ୍ୟ ଅଂଚଳରେ ଉଛେଦ କାମ ହାତକୁ ନିଆ ଯାଇଛି ।

ଉଚ୍ଛେଦ ପ୍ରକ୍ରିୟାରେ ଦୁଇଟି ବଡ଼ ବଡ଼ ମେସିନ ଲାଗିଥିବା ବେଳେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଘଟଣାସ୍ଥଳରେ ରହି କାମକୁ ଆଗେଇ ନେଉଛନ୍ତି । ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ରହି କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି । ଏହି ଟର୍ମିନାଲ କାମ ସରକାର ଆନ୍ତରିକତା ସହ କରୁଥିବା ମତପ୍ରକାଶ ପାଇଛି  । ଦେଢ ବର୍ଷ ମଧ୍ୟରେ ଏହି ବସ ଟର୍ମିନାଲ କାମ ସରିଲେ ବାଦାମବାଡିର ଟ୍ରାଫିକ କମିବା ସହିତ ଯାତ୍ରୀ ମାନେ ଉପକୃତ ହେବେ  ।