spot_img
Home Blog Page 6047

ଝରାଫୁଲ ଡେଥ୍ ମିଷ୍ଟ୍ରି; ରାତ୍ରିଯାପନ କରିଥିବା ରୁମରୁ କ’ଣ ପାଇଲା ସାଇଣ୍ଟଫିକ ଟିମ ?

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ଡେଥ୍ ମିଷ୍ଟ୍ରି । ସମୟ ସହ ଘନିଭୂତ ହେଉଛି ସନ୍ଦେହ । ପ୍ରେମିକବନ୍ଧୁକୁ ପୋଲିସ ବାନ୍ଧିବା ପରେ ସତ ଉନ୍ମୋଚନ ନେଇ ବଢୁଛି ଉତ୍ସୁକତା । ମୃତ୍ୟୁ ପୂର୍ବଦିନ କେଉଁଠି ଥିଲେ ଝରାଫୁଲ ? ଯଦି ପୁରୁଷବନ୍ଧୁଙ୍କ ସହ ଥିଲେ ତେବେ କେଉଁଠି ଆଉ କେଉଁ ଗେଷ୍ଟହାଉସରେ ? କେତେ ନମ୍ବର ରୁମରେ ରାତ୍ରିଯାପନ କରିଥିଲେ ? ଏମିତି ଅନେକ କିଛି ଘଟଣାକୁ ନେଇ ତଦନ୍ତ ପ୍ରଖର କରିଛି ପୋଲିସ ।

ସେପଟେ ମୃତ୍ୟୁ ପୂର୍ବଦିନ ଝରାଫୁଲ ଖଣ୍ଡଗିରି ଗେଷ୍ଟ ହାଉସର ରହିଥିବା ଜାଣିବା ପରେ ଛାନଭିନ ଆରମ୍ଭ କରିଛି ପୋଲିସ । ରୁମ୍ ନମ୍ବର ୨୦୧କୁ ସିଲ୍ କରିଛି କମିଶନରେଟ୍ ପୋଲିସ । ଫେରନ୍ସିକ୍ ଟିମ ପ୍ରାୟ ୨ ଘଣ୍ଟା ଧରି ଗେଷ୍ଟ ହାଉସର ଉକ୍ତ ରୁମରେ ଛାନଭିନ୍ କରିଛି । ଫିଙ୍ଗର ପ୍ରିଣ୍ଟ ଓ ନମୁନା ସଂଗ୍ରହ କରିଛି । ବ୍ୟବହୃତ ବେଡସିଟକୁ ମଧ୍ୟ ଜବତ କରିଛି । ଏହି ତଦନ୍ତ ସମୟରେ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି କିଛି ଗୁରୁତ୍ୱ ପୂର୍ଣ୍ଣ ସୂଚନା । ଯାହା ତଦନ୍ତରେ ସହାୟକ ହେବ ବୋଲି କହିଛି ଟିମ୍ । ସେପଟେ ଘଟଣାର ସିଦ୍ଧାନ୍ତରେ ପହଁଚିବା ପାଇଁ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଯାଜପୁର SDPO ।

ସେପଟେ ଦ୍ୱିତୀୟ ସିସିଟିଭି ଫୁଟେଜରେ ମିଳିଛି ଅନେକ କିଛି ସୂଚନା । ୨୬ ତାରିଖ ଦିନ ଭୁବନେଶ୍ୱରର ଏକ ପାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ତାଙ୍କ ପୁରୁଷବନ୍ଧୁ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବିରିଆନୀ ଖାଇବା ପରେ ଝରାଫୁଲ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ପେଟ କାଟୁଥିବାରୁ ଝରାଫୁଲ କାନ୍ଦୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଗୋଟିଏ ଦୃଶ୍ୟରେ ଝରାଫୁଲ ସ୍କୁଟିରେ ଏକାକୀ ହେଲମେଟ୍ ପିନ୍ଧି ବସିଥିବା ବେଳେ, ହୋଟେଲ ଭିତରେ ରାକେଶ ଓ ସେ ଖାଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ରାକେଶ ଓ ଝରାଫୁଲ ବୁଲାବୁଲି କରି ଦିନ ୧.୦୫ରେ ସ୍କୁଟିରେ ପଳାଇଥିଲେ ।

ସିସିଟିଭି ଫୁଟେଜ ମିଳିବା ପରେ ହୋଟେଲରେ ଯାଜପୁର ପୋଲିସ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । ଝରାଫୁଲଙ୍କ ପାଟିରୁ ଫେଣ ବାହାରିଥିବା ରାକେଶ ପୋଲିସକୁ ଜଣାଇଥିଲେ । ତେବେ ବିଷକ୍ରିୟା ହୋଇଥିଲା ନା ଆଉ କିଛି, ତାହା ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପାଡ଼ିବ । କିନ୍ତୁ ପ୍ରେମିକବନ୍ଧୁଙ୍କ ଉପରେ ଦୋଷ ଲଦିଛନ୍ତି ଝରାଫୁଲଙ୍କ ପରିବାର ଲୋକେ  । ରାକେଶ ସ୍ୱାଇଁ ହିଁ ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ମୃତ ଝରାଫୁଲଙ୍କ ବାପା  ।

ବଦଳିଲା କଂଗ୍ରେସ ପାଗ; ଅସନ୍ତୁଷ୍ଟ ନେତାଙ୍କ ଦିଲ୍ଲୀ ଡାକରା, ନିରଞ୍ଜନଙ୍କୁ ହଟାଇବା ଦାବିରେ ଫେରାଦ

ଭୁବନେଶ୍ୱର: କିଛି ଦିନର ନୀରବତା ପରେ ପୁଣି ନିଜ ପ୍ରଥାରେ ରାଜ୍ୟ କଂଗ୍ରେସ । ପିସିସି ପରିବର୍ତ୍ତନ ନେଇ କଂଗ୍ରେସରେ କନ୍ଦଳ । ନିରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ହଟାଇବା ପାଇଁ ଦିଲ୍ଲୀ ଯାଇଛନ୍ତି କଂଗ୍ରେସର ଅସନ୍ତୁଷ୍ଟ ନେତା । ମିଳିଥିବା ସୂଚନା ମୁତାବକ ରାଜ୍ୟ କଂଗ୍ରେସରେ ପରିବର୍ତ୍ତନ ଡାକରାକୁ ହାଇକମାଣ୍ଡଙ୍କ କାନରେ ପକାଇବାକୁ ପାଞ୍ଚ ଜଣ ବରିଷ୍ଠ ନେତା ଦିଲ୍ଲୀ ଗସ୍ତ କରିଛନ୍ତି ।

ପିସିସି ସଭାପତି ଓ କଂଗ୍ରେସର ପୁର୍ନଗଠନ କରିବାକୁ ଦଳର ସାଧାରଣ ସମ୍ପାଦକ ତଥା ଓଡିଶା ଦାୟିତ୍ୱରେ ଥିବା ବେଣୁଗୋପାଲ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ନେତୃତ୍ୱ ପରିବର୍ତ୍ତନ ନେଇ ଦାବି କରିଛନ୍ତି ଏହି ଅସନ୍ତୁଷ୍ଟ ନେତା । ରାଜ୍ୟରେ ଦିନକୁ ଦିନ କଂଗ୍ରେସ ସଂଗଠନ ଦୁର୍ବଳ ହେଉଥିବାରୁ ହାଇକମାଣ୍ଡ ତୁରନ୍ତ ଓଡିଶା କଂଗ୍ରେସ ଉପରେ ଦୃଷ୍ଟି ଦେବା ସହ ନେତୃତ୍ବ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ।

ଦିଲ୍ଲୀ ଗସ୍ତ କରିଥିବା ଏହି ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ବେହେରା, ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ସେଠୀ, କୁମାର ଚିରଞ୍ଜିବୀ, ରାଧାକାନ୍ତ ଦିଗାଲ । ରାଜ୍ୟ କଂଗ୍ରେସରେ ବ୍ୟାପକ ପରିବର୍ତ୍ତନ ସାଙ୍ଗକୁ ପିସିସି ପରିବର୍ତ୍ତନ ନେଇ ପ୍ରମୁଖ ନେତୃତ୍ୱଙ୍କ ପାଖରେ ଫେରାଦ ହୋଇଛନ୍ତି ଏହି ନେତା ।

ସର୍ବଦଳୀୟ ବୈଠକ: କୃଷକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ନେଇ ଗୋଟିଏ କଲ୍‌ର ଦୂରତା

ନୂଆଦିଲ୍ଲୀ: ବଜେଟ ଅଧିବେସନ ବେଳେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷକଙ୍କ ସହ ଆଲୋଚନା ନେଇ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି । ସେ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ କଥାକୁ ଦୋହରାଉଛି କହି କହିଥିଲେ ଯେ, ସରକାର ଏବଂ କୃଷକଙ୍କ ମଧ୍ୟରେ ସହମତି ହୋଇନପାରେ କିନ୍ତୁ କୃଷକଙ୍କ ନିକଟରେ ଆମେ ସର୍ବଦା ବିକଳ୍ପ ରଖି ଆସିଛୁ । ସେମାନେ ଏ ନେଇ ଚର୍ଚ୍ଚା କରନ୍ତୁ । କୃଷକ ଏବଂ ମୋ ମଧ୍ୟରେ ଆଲୋଚନା ନେଇ ଗୋଟିଏ କଲ୍‌ର ଦୂରତା ରହିଛି ।

            ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ସମସ୍ତ ବିଷୟରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି । ଏବଂ ଏହି ଆଲୋଚନାରେ ସମସ୍ତ ପାର୍ଟିର ସଦସ୍ୟଙ୍କୁ ନିଜ ମତ ରଖିବାର ସୁଯୋଗ ଦିଆଯିବ । କୃଷି ମନ୍ତ୍ରୀଙ୍କ ପକ୍ଷରୁ କୃଷକଙ୍କ ଦିଆଯାଇଥିବା ଅଫର ଏବେ ମଧ୍ୟ ରହିଛି ।

ଏଥିସହିତ ପଢ଼ନ୍ତୁ: ବଜେଟ ଆଶା: ବେତନଭୋଗୀଙ୍କୁ ବଜେଟରେ ମିଳିପାରେ ବଡ଼ ଗିଫ୍ଟ

            ସର୍ବଦଳୀୟ ବୈଠକ ସମ୍ପର୍କରେ ସୂଚନା ଦେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଆଜି ସର୍ବଦଳୀୟ ବୈଠକରେ ୧୮ ପାର୍ଟି ଭାଗନେଇଛନ୍ତି । କୃଷକ ଏବଂ କୃଷି ଆଇନ୍ ନେଇ ଆଲୋଚନା ହୋଇଛି । ଏହାରି ମଧ୍ୟରେ ଚୋଟ ପାର୍ଟିଗୁଡ଼ିକୁ ମଧ୍ୟ ଆଲୋଚନା ନେଇ ଅଧିକ ସମୟ ଦିଆଯିବ । ଏହି ବୈଠକରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସଂସଦୀୟ କାର୍ଯ୍ୟ ରାଜ୍ୟ ମନ୍ତ୍ରୀ ଅର୍ଜୁନ ମେଘବାଲ ଏବଂ ବି ମୂରଲୀଧରଣ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାମିଲ ହୋଇଛନ୍ତି । ବଜେଟ ଅଧିବେସନ କିଭଳି ସୂଚାରୁ ରୂପେ ଚାଲିବା,  ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହେବାକୁ ଥିବା ଆଲୋଚନାରେ ସବୁ ବିରୋଧୀ ଦଳ ସାମିଲ ହେବାକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ସରକାରଙ୍କ ପକ୍ଷରୁ କୃଷି ଆଇନ ସମେତ ଅନ୍ୟ ସମସ୍ତ ପ୍ରସଂଗରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ଶ୍ରୀ ଯୋଶୀ କହିଛନ୍ତି ।

Yossi Cohen: ଇରାନଠାରୁ ନ୍ୟୁକ୍ଲିୟର ସିକ୍ରେଟ୍ ଚୋରାଇଥିବା ମୋସାଦ ମୁଖ୍ୟଙ୍କଠାରୁ କେମିତି ବଞ୍ଚିବେ ଦିଲ୍ଲୀ ବିସ୍ଫୋରଣର ଅପରାଧୀ ?

ନୂଆଦିଲ୍ଲୀ: ଭାରତରେ ଇସ୍ରାଏଲ ଦୂତାବାସ ବାହାରେ ଆଇଇଡି ବ୍ଲାଷ୍ଟ ଦେଶ ସହ ଦୁନିଆକୁ ଦୋହଲାଇ ଦେଇଛି । ଭାରତରେ ଇସ୍ରାଏଲୀ ନାଗରିକ ସୁରକ୍ଷିତ ବୋଲି ତେଲ ଅଭିଭ୍ ଭରସା ବ୍ୟକ୍ତ କରିଛି । ଏହାଭିତରେ ପୁଣିଥରେ ଇସ୍ରାଏଲୀ ଗୁଇନ୍ଦା ଏଜେନ୍ସୀ ମୋସାଦ ଓ ଏହାର ମୁଖ୍ୟଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚର୍ଚ୍ଚା ହେଉଛି ଯେ, ଆକ୍ରମଣ ପଛରେ ଯିଏ ବି ଥାଉ ନା କାହିଁକି ମୋସାଦ ହାତରୁ ବଂଚିବା ସେମାନଙ୍କ ପାଇଁ ଅସମ୍ଭବ ହୋଇ ପଡିବ । ସତ ହେଲା ବର୍ତ୍ତମାନ ସମୟରେ ମୋସାଦ ମୁଖ୍ୟ ୟୋସି କୋହାନ ଇଣ୍ଟେଲିଜେନ୍ସର ଦୁନିଆରେ ଏକ ଜଣାଶୁଣା ନାଁ । ଦୁନିଆରେ ତାଙ୍କ ଦବଦବା ଅଛି କହିଲେ ଭୁଲ ହେବନାହିଁ । ବିଦେଶୀ ମାଟିରେ କୋହେନ ଓ ତାଙ୍କ ଏଜେଣ୍ଟ ଅପରାଜେୟ ବୋଲି କୁହାଯାଏ ।

ୟୋସୀ କୋହେନ : ଇସ୍ରାଏଲର ଜେମ୍ସ ବଣ୍ଡ୍
ମୋସାଦ ମୁଖ୍ୟ ୟୋସି କୋହେନ କେତେ ପ୍ରଭାବଶାଳୀ ଏହା ଏଇଥିରୁ ଜଣା ପଡେ ଯେ, ଇସ୍ରାଏଲ ଓ ବାହାରିନ୍,ମିଳିତ ଆରବ ଏମିରଟ ଓ ସୁଦାନ ମଧ୍ୟରେ ଚାଲିଥିବା ବାର୍ତ୍ତା ପଛରେ ଥିଲେ କୋହେନ । କୋହେନ ଆରବ ଦୁନିଆର ବାକି ଗୁଇନ୍ଦା ଏଜେନ୍ସୀ ମୁଖ୍ୟଙ୍କ ସଂପର୍କରେ ଅଛନ୍ତି । କରୋନା ବିରୋଧରେ ତାଙ୍କ ରଣନୀତି ହିଁ ଇସ୍ରାଏଲକୁ ସୁରକ୍ଷିତ କରିଥିଲା । ମୋସାଦ ତାଙ୍କ ନେତୃତ୍ୱରେ କରୋନା ବିରୋଧରେ ଯୁଦ୍ଧସ୍ତରରେ କାର୍ଯ୍ୟ କରିଥିଲା । ମୋସାଦ ଭଳି ସଂଗଠନ ଯାହା ଆତଙ୍କବାଦୀଙ୍କ ବିରୋଧରେ କଭର୍ଟ ଯୁଦ୍ଧ ଲଢେ,ତାହା କରୋନା ବିରୋଧରେ କେମିତି ଯୁଦ୍ଧ ଲଢୁଥିଲା ? ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଏହା ସତ । କରୋନା ପିକ୍ କାଳରେ ମୋସାଦ ହିଁ ଇସ୍ରାଏଲରେ ଆକ୍ରାମକ ଢଙ୍ଗରେ କଣ୍ଟାକ୍ଟ ଟ୍ରେସିଂ କରିଥିଲା । ଫଳରେ ବିଦେଶରୁ ଆସିଥିବା କରୋନା ସନ୍ଦିଗ୍ଧଙ୍କୁ ଠିକ୍ ସମୟରେ ଚିହ୍ନଟ କରାଯାଇ ପାରିଥିଲା ।
ତେହେରାନ ଶୋଇଥିଲା,ପରମାଣୁ ସିକ୍ରେଟ୍ ଚୋରି ହୋଇଗଲା  ।
କୋହେନଙ୍କ ନାମରେ ଅନେକ ରେକର୍ଡ ରହିଛି । ତେବେ ଯେଉଁଥିପାଇଁ ତାଙ୍କୁ ବିଶ୍ୱର ସବୁଠୁ ପ୍ରଭାବଶାଳୀ ଗୁଇନ୍ଦା ମୁଖ୍ୟ କୁହାଯାଏ ତାହା ହେଲା ଇରାନର ପରମାଣୁ ସିକ୍ରେଟ୍ ଚୋରି । କୋହେନ୍ ୨୦୧୮ରେ ତେହେରାନର ପରମାଣୁ ସିକ୍ରେଟ୍ ଚୋରି କରିବାରେ ସଫଳ ହୋଇଥିଲେ । ଏହି ମିଶନକୁ ନିଜେ କୋହେନ୍ ବନାଇଥିଲେ । ନିଜେ ଏହାର କ୍ରିୟାନ୍ୱୟନ କରିଥିଲେ ।


ସେହିଭଳି ଇରାନର ରେଭଲ୍ୟୁସନାରୀ ଗାର୍ଡ ମୁଖ୍ୟ ଜେନରାଲ କାସିମ ସୁଲେମାନି ଏବଂ ବରିଷ୍ଠ ଆଣବିକ ବୈଜ୍ଞାନିକ ମୋହସେନ ଫଖ୍ରିଜାଦେହଙ୍କ ହତ୍ୟା ପଛରେ ମଧ୍ୟ କୋହେନ ଥିଲେ । ଜେନରାଲ କାସିମ ଇସ୍ରାଏଲ ପାଇଁ ବିପଦ ଭାବେ ଉଭା ହେଉଥିଲେ । ତେଣୁ ମୋସାଦ ତାଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା । ଇରାନର ପରମାଣୁ ବିଜ୍ଞାନୀ ମୋହସେନଙ୍କ ହତ୍ୟା ମଧ୍ୟ ମୋସାଦ କରିଥିବା କୁହାଯାଏ । ମୋହସେନ ଇରାନ ପରମାଣୁ କାର୍ଯ୍ୟକ୍ରମର ମୁଖ୍ୟ ବିନ୍ଧାଣୀ ଥିଲେ । ଇରାନ ପରମାଣୁ କାର୍ଯ୍ୟକ୍ରମ ଇସ୍ରାଏଲକୁ ଟାର୍ଗେଟ୍ କରି କରାଯାଉଥିବା ତେଲ ଅଭିଭ୍ ଅଭିଯୋଗ କରେ । ଇରାନୀ ପରମାଣୁ କାର୍ଯ୍ୟକ୍ରମକୁ ଡିରେଲ କରିବା ପାଇଁ ମୋହସେନଙ୍କୁ ଏକ ବ୍ୟସ୍ତବହୁଳ ସଡକରେ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାକାରୀ ରିମୋଟ କଣ୍ଟ୍ରୋଲ ମେସିନ ଗନ ଦ୍ୱାରା ଏହି କାଣ୍ଡ କରିଥିଲେ ।
ମୋସାଦ କ’ଣ ?
୧୩ ଡିସେମ୍ବର ୧୯୪୯ ମସିହାରେ ତତ୍କାଳୀନ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଡେଭିଡ୍ ବେନ୍ ଗୁରିଏନଙ୍କ ପରାମର୍ଶରେ ମୋସାଦର ଗଠନ ହୋଇଥିଲା । ୧୯୫୧ ମସିହାରେ ଏହା ପ୍ରଧାନମନ୍ତ୍ରୀ ଅଫିସ ସହିତ ଯୋଡି ହୋଇଥିଲା । ମୋସାଦ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉତ୍ତରଦାୟୀ ରହିଥାଏ । ମୋସାଦର କାମ ହେଲା ଗୁପ୍ତ ସୂଚନା ଏକାଠି କରିବା ଯାହା ଇସ୍ରାଏଲୀ ସ୍ୱାର୍ଥ ଓ ହିତ ପାଇଁ ଜରୁରୀ । ତେବେ ଇସ୍ରାଏଲର କୌଣସି ଆଇନରେ ଏହାର ଉଦ୍ଦେଷ୍ୟ,ଭୂମିକା,ମିଶନ, କ୍ଷମତା ଓ ବଜେଟ୍ ବାବଦରେ କିଛି ମଧ୍ୟ ସୂଚନା ଦିଆଯାଇନାହିଁ । ମୋସାଦ ଦେଶର ସାମ୍ବିଧାନିକ ଆଇନ ବାହାରେ ରହିଛି । ତେଣୁ ଏହାକୁ ଡିପ୍ ଷ୍ଟେଟ୍ ବୋଲି କୁହାଯାଇଥାଏ । ଏହାର ମୁଖ୍ୟ କେବଳ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉତ୍ତରଦାୟୀ ରହିଥାନ୍ତି । ଏହାର ମେଟସଦା ୟୁନିଟର କାମ ହେଉଛି ଇସ୍ରାଏଲର ଶତ୍ରୁଙ୍କ ଉପରେ ଆକ୍ରମଣ ।୧୯୬୦ରେ କୁଖ୍ୟାତ ନାଜି ଆଡଲଫ ଆଇସମ୍ୟାନର ଅପହରଣ ହେଉ କି ୧୯୭୨ରେ ମ୍ୟୁନିକ୍ ଅଲମ୍ପିକରେ ଇସ୍ରାଏଲୀ ଖେଳାଳୀଙ୍କ ହତ୍ୟାର ପ୍ରତିଶୋଧ । କୁହାଯାଏ,ମୋସାଦ କିଛି ଭୁଲେନା । ମୋସାଦ ଇସ୍ରାଏଲ ଓ ଇସ୍ରାଏଲୀଙ୍କ ବିରୋଧରେ ହୋଇଥିବା ସବୁ ଅପରାଧର ପ୍ରତିଶୋଧ ନିଏ । ୨୦୧୮ରେ ମୋସାଦର ଗୁଇନ୍ଦା ତେହେରାନରୁ ନ୍ୟୁକ୍ଲିୟର ସିକ୍ରେଟ୍ ଆଜାବୈଜାନ ରାସ୍ତା ଦେଇ ଚୋରାଇ ନେଇଥିଲେ । ଏତେ କାଣ୍ଡ ହେବା ସତ୍ୱେ ଇରାନ ସରକାର କିଛି ମଧ୍ୟ ଜାଣି ପାରିନଥିଲେ ।


ଦିଲ୍ଲୀରେ ମୋସାଦ ଅଧିକାରୀ ?
ଦିଲ୍ଲୀ ବ୍ଲାଷ୍ଟର ତଦନ୍ତ ପାଇଁ ଇସ୍ରାଏଲୀ ଏକ୍ସପର୍ଟ ପହଞ୍ଚି ସାରିଛନ୍ତି । ଏହି ଏକ୍ସପର୍ଟ ମୋସାଦର ହୋଇଥିବା କିଛି ଅସମ୍ଭବ ନୁହେଁ । ଏମିତିରେ ଭାରତୀୟ ଗୁଇନ୍ଦା ଏଜେନ୍ସୀ ର’ ଓ ମୋସାଦ ମଧ୍ୟରେ ସମ୍ପର୍କ ବେସ ଭଲ । ଏବେ ଇସ୍ରାଏଲୀ ଗୁଇନ୍ଦା ଏଜେନ୍ସୀ ବ୍ଲାଷ୍ଟ ପଛରେ ଥିବା ଆତଙ୍କବାଦୀଙ୍କୁ କେତେଦିନରେ ଧରିବ ତାହା ହେଉଛି ପ୍ରଶ୍ନ ।

ବଜେଟ୍ ଅଧିବେଶନ ପାଇଁ ବସିଲା ସର୍ବଦଳୀୟ ବୈଠକ

0

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନକୁ ଭଲରେ ଚଲାଇବା ପାଇଁ ବସିଲା ସର୍ବଦଳୀୟ ବୈଠକ। ଭିସିରେ ସବୁ ଦଳର ନେତା ସାମିଲ ହୋଇଛନ୍ତି। ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବୈଠକରେ ଆଲୋଚନା କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ମନ୍ତ୍ରୀ ଅର୍ଜୁନ ମେଘୱାଲ ପ୍ରମୁଖ ବୈଠକରେ ସାମିଲ ହୋଇଛନ୍ତି।

ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧୀ ଦଳ ବର୍ଜନ କରିଥିଲେ। ତେବେ ବଜେଟ୍ ଅଧିବେଶନକୁ ସୁଚାରୁ ରୂପେ ଅଚଲାଇବା ପାଇଁ ବୈଠକରେ ଆଲୋଚନା ଚାଲିଛି।  ବୈଠକରେ ସବୁ ବିରୋଧୀ ଦଳର ନେତା ସାମିଲ ଅଛନ୍ତି। ନୂଆ କୃଷି ଆଇନକୁ ନେଇ ବିରୋଧୀଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ର ସରକାର  ଆଶ୍ୱାସନା ଦେଇଛନ୍ତି। ସରକାର ସବୁ ବିଷୟ ଉପରେ ଆଲୋଚନା କରିବାକୁ ରାଜି ଥିବା କୁହାଯାଇଛି।

ଅନ୍ୟପଟେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ ନେତା ହନୁମାନ ବେନିୱାଲ ସର୍ବଦଳୀୟ ବୈଠକରେ ସାମିଲ ହୋଇନାହାନ୍ତି। କୃଷି ଆନ୍ଦୋଳନକୁ ସମର୍ଥନ ଦେବା ନେଇ ସେ  ଏହି ବୈଠକରେ ସାମିଲ ହେବନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଦେଇଥିଲେ। ଅନ୍ୟପଟେ ଏଲଜେପି ନେତା ଚିରାଗ ପାଶ୍ୱାନ ମଧ୍ୟ ଅସୁସ୍ଥାତା କାରଣରୁ ବୈଠକରେ ସାମିଲ ହୋଇନାହାଁନ୍ତି ।

ବଜେଟ ଆଶା: ବେତନଭୋଗୀଙ୍କୁ ବଜେଟରେ ମିଳିପାରେ ବଡ଼ ଗିଫ୍ଟ

ଆସନ୍ତା ସୋମବାର ସଂସଦରେ ବଜେଟ ଉପସ୍ଥାପିତ ହେବ । ଏହି ବଜେଟରୁ ସବୁଠାରୁ ଅଧିକ ଆଶା ମଧ୍ୟମ ବର୍ଗର ଲୋକଙ୍କ ରହିଛି । ବିଶେଷକରି ବେତନଭୋଗୀ କର୍ମଚାରୀ ବଜେଟ ନେଇ ବେଶ୍ ଆଶାବାଦୀ । କରୋନା କାଳରେ ବହୁ ଲୋକଙ୍କ ଚାକିରି ଚାଲିଗଲା ବହୁ କର୍ମଚାରୀଙ୍କ ଦରମା ମଧ୍ୟ କଟାଗଲା । ଏଭଳି ସ୍ଥିତିରେ ବଜେଟରେ ସରକାରଙ୍କ ଠାରୁ କିଛି ଅଧିକ ପାଇବା ନେଇ ଆଶାବାଦୀ । ତେବେ ଆସନ୍ତୁ ଜାଣିବା ବଜେଟ ୨୦୨୧-୨୨ରେ ସାଧାରଣ ଜନତାଙ୍କ ପାଇଁ କ’ଣ ସବୁ ବଡ଼ ଘୋଷଣା ହୋଇପାରେ ।

ଆୟକର ସୀମା ୩ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇପାରେ

ବଜେଟରୁ ସବୁଠାରୁ ବଡ଼ ଆଶା ଏହା ଯେ, ଚଳିତ ବର୍ଷ ବଜେଟରେ ଟ୍ୟାକ୍ସ ଛାଡ଼ ସୀମା ବୃଦ୍ଧି କରାଯାଇପାରେ । ଏବେ ଟ୍ୟାକ୍ସ ଛାଡ଼ ସୀମା ୨.୫ ଲକ୍ଷ ରହିଥିବା ବେଳେ, ଏହାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ । ଏଭଳି ଆଶା ଏଥିଲାଗି ମଧ୍ୟ କରାଯାଉଛି ଯେ, ଗତ ୭ ବର୍ଷ ମଧ୍ୟରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଜୁଲାଇ ୨୦୧୪ରେ ଆସିଥିବା ବଜେଟ ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ସୀମା ୨ ଲକ୍ଷ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

8୦- C ଅନୁଯାୟୀ  ନିବେଶ ଉପରେ ବଢ଼ିପାରେ ରିହାତି

ଆୟକର ଅଧିନିୟମ ୮୦-ସି ଅନୁଯାୟୀ ଦେଢ଼ ଲକ୍ଷ ଯାଏଁ ଇନଭେଷ୍ଟ ଇନ୍‌କମ୍‌ ଉପରେ କୌଣସି ଆୟକର ଦେବାକୁ ପଡ଼ୁନଥିଲା । ତେବେ ଚଳିତ ଥର ଏହାକୁ ବୃଦ୍ଧି କରି ୨ ଲକ୍ଷ ଟଙ୍କା କରାଯିବା ନେଇ ଆଶା କରାଯାଇଛି । କିନ୍ତୁ ଏହି ଆୟକର ସୀମାକୁ ୩ ଲକ୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ।

କରୋନା କାଳରେ ୮୦-ଡି ଅନୁଯାୟୀ ମିଳିପାରେ ଆଶ୍ୱସ୍ତି

୨୦୨୦-୨୧ ପୂରା ବର୍ଷ କରୋନା ଯୋଗୁଁ କଲବଲ ହେଲେ ଲୋକେ । ଔଷଧ ବାବଦକୁ ଅନେକ ଖର୍ଚ୍ଚ କରିବାକୁ ପଡ଼ିଲା । ବହୁତ ଲୋକେ ଭବିଷ୍ୟ ଆଶଙ୍କାରେ ମେଡିକାଲ ଇନ୍‌ସ୍ୟୁରାନ୍ସ ରାଶିକୁ ମଧ୍ୟ ବୃଦ୍ଧି କରିଛନ୍ତି । କରୋନା କାଳକୁ ନଜରରେ ରଖି ଆଶା କରାଯାଉଛି ଯେ, ମେଡିକାଲ ଇନସ୍ୟୁରାନ୍ସକୁ ନଜରରେ ରଖି ସରକାର ଚଳିତ ଥର ୮୦-ଡି ଅନୁଯାୟୀ ମିଳୁଥିବା ୨୫ହଜାର ଟଙ୍କା ଛାଡ଼କୁ ବୃଦ୍ଧି କରି ୫୦ ହଜାର ଟଙ୍କା କରାଯାଇପାରେ । ସେଠାରେ ସିନିୟର ସିଟିଜନ୍ ପାଇଁ ଆୟକର ସୀମା ବଢ଼ି ୭୫ ହଜାର  ଟଙ୍କା ଯାଏଁ କରାଯିବାକୁ ଆଶା କରାଯାଉଛି ।

ବଜେଟ ସେସନ୍‌ରେ ଆଗତ ହେବ ୨୦ଟି ବିଲ୍: କ୍ରିପ୍ଟୋ କରେନ୍ସିଂ , ଫାଇନାନ୍ସ ସମ୍ପର୍କିତ ବିଲ୍ ସାମିଲ

ନୂଆଦିଲ୍ଲୀ: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ବଜେଟ ଅଧିବେସନ । ପ୍ରଥମ ଦିନରେ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଉପସ୍ଥାପିତ କରାଯାଇଛି । ମୋଟ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବଜେଟ ଅଧିବେସନ । ଜାନୁଆରୀ ୨୯ ଜାନୁଆରୀରୁ ପେବ୍ରୁଆରୀ ୧୫ ଯାଏଁ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୮ରୁ ଅପ୍ରେଲ ୮ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେସନ ଅନୁଷ୍ଠିତ ହେବ । ସରକାର ୨୦ଟି ବିଲର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଯାହାକୁ ବଜେଟ ସେସନ୍‌ରେ ଆଗତ କରାଯିବ । ଏହି ୨୦ଟି ବିଲ୍‌ରେ ଫାଇନାନ୍ସ ବିଲ୍ ମଧ୍ୟ ସାମିଲ ରହିଛି । ଯାହା ଜରିଆରେ ପେବ୍ରୁଆରୀ ୧ରେ ଉପସ୍ଥାପିତ ହେବାକୁ ଥିବା ବଜେଟକୁ ପାର୍ଲିଆମେଣ୍ଟ ମଞ୍ଜୁରୀ ମିଳିବ ।

ବଜେଟ ସେସେନରେ ଆଗତ ହେବାକୁ ଥିବା ବିଲ୍

CCI  ସଂଶୋଧନ ବିଲ୍

ପେନସନ୍ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (ସଂଶୋଧନ) ବିଲ୍

ନ୍ୟାସନାଲ ବ୍ୟାଙ୍କ ଫର୍ ଫାଇନାସିଂ ଇନଫ୍ରାଷ୍ଟକଚର ଆଣ୍ଡ ଡେଭଲପମେଣ୍ଟ (NaBFID) ବିଲ୍‌

କ୍ରିପ୍ୱୋକରେନ୍ସି ଆଣ୍ଡ ରେଗୁଲେସନ୍ ଅଫ ଡିଜିଟାଲ କରେନ୍ସିଂ ବିଲ୍

ମାଇନିଂ ଆଣ୍ଡ ମିନରାଲ (ଡେଫଲପମେଣ୍ଟ ଆଣ୍ଡ ରେଗୁଲେସନ) ସଂଶୋଧନ ବିଲ

ଇଲେକ୍ଟ୍ରିସିଟି (ସଂଶୋଧନ) ବିଲ ସାମିଲ

ଦି କ୍ରିପ୍ଟୋକରେନ୍ସିଂ ଆଣ୍ଡ ରେଗୁଲେସନ୍ ଅଫ୍ ଅଫିସିଆଲ ଡିଜିଟାଲ କରେନ୍ସିଂ ବିଲ୍‌ ୨୦୨୧

ଦି କ୍ରିପ୍ଟୋ କରେନ୍ସିଂ ଆଣ୍ଡ ରେଗୁଲେସନ୍ ଅଫ୍ ଅଫିସିଆଲ୍ ଡିଜିଟାଲ କରେନ୍ସଂ ବିଲ୍ ୨୦୨୧ର ଉଦ୍ଦେଶ୍ୟ ଆରବିଆଇ ଦ୍ୱାରା ଜାରି କରାଯାଇଥିବା ଅଧିକାରିକ ଡିଜିଟାଲ କରେନ୍ସିଂ ନେଇ ଆଇନଗତ ରୂପରେଖ ପ୍ରସ୍ତୁତ କରାଯିବ । ଏହାନୁଯାୟୀ ଭାରତରେ ସମସ୍ତ ପ୍ରାଇଭେଟ କ୍ରିପ୍ଟୋକରେନ୍ସଂକୁ ବନ୍ଦ କରାଯିବ । କିନ୍ତୁ କିଛି ବିଶେଷ କ୍ଷେତ୍ରରେ ଏହି କ୍ରିପ୍ଟୋ କରେନ୍ସିଂ ଟେକ୍ନୋଲୋଜି ଏବଂ ଏହାର ଉପଯୋଗକୁ ମଞ୍ଜୁରୀ ଦିଆଯିବାର ପ୍ରାବଧାନ ରହିଛି ।

NaBFID ବିଲ୍, ୨୦୨୧

ନ୍ୟାସନାଲ ବ୍ୟାଙ୍କ ଫର୍ ଫାଇନାସିଂ ଇନ୍‌ଫ୍ରାଷ୍ଟକଚର ଆଣ୍ଡ ଡେଭଲପମେଣ୍ଟ (NaBFID) ବିଲ୍  ୨୦୨୧ରେ ଇନ୍‌ଫ୍ରାଷ୍ଟକଚର ଫାଇନାସିଂ ଏବଂ ଇନ୍‌ଫ୍ରାଷ୍ଟକଚର ପରିଯୋଜନା ନେଇ ସବୁ ପ୍ରକାର ବିତ୍ତୀୟ ସୁବିଧା ଉପଲବ୍ଧ କରାଇବା ଲାଗି ନୂଆ ଡେଭଲପମେଣ୍ଟ ଫାଇନାସିଆଲ୍ ଅନୁଷ୍ଠାନର ଗଠନ ପ୍ରସ୍ତାବ ରହିଛି । ଏହିଭଳି ମାଇନନ୍ସ ଆଣ୍ଡ ମିନରାଲ୍ସ ଡେଭଲପମେଣ୍ଟ ରେଗୁଲେସନ୍ ବିଲ୍ ୨୦୨୧ରେ ୧୯୫୭ର ଆକ୍ୱରେ ପରିବର୍ତ୍ତନ କରାଯାଇ ମାଇନିଂ ସେକ୍ଟରରେ ସୁଧାର କରିବାର ପ୍ରାବଧାନ ରହିଛି ।

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା: ଆତ୍ମ ସମର୍ପଣ କଲେ ଦୁଇ ଆତଙ୍କବାଦୀ

0

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ପୁଲୱାମାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ପରେ ୨ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କବାଦୀ ହେଲେ, ଅକୀଲ୍‌ ଅହମ୍ମଦ୍‌ ଲୋନ୍‌ ଏବଂ ରୌଫ୍‌ ଉଲ୍‌ ଇସ୍‌ଲାମ୍‌ । ତେବେ ଗୁଳିବିନିମୟରେ ଅକୀଲ ଆହତ ହୋଇଥିବା ବେଳେ ତାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁୟାୟୀ, ଆତଙ୍କବାଦୀ ଛପିଥିବା ସୂଚନା ପାଇ, ଶୁକ୍ରବାର ରାତିରେ ପୁଲୱାମା କାକପଡ଼ା ଲେଲହାରରେ ସୁରକ୍ଷାବଳ ପକ୍ଷରୁ ଘେରାବନ୍ଦୀ ଓ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା।  ତେବେ ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ଦୁଇଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ତେବେ ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କୀ କେଉଁ ସଂଗଠନର ସେନେଇ ସ୍ପଷ୍ଟ ହୋଇନାହିଁ।  ଏହି ଦୁଇଜଣ ଆତଙ୍କ ବାଦୀ ନିଜର Ak-47 ବନ୍ଧୁକ ସହ ସୁରକ୍ଷାକର୍ମୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।

ପ୍ରେମିକାଙ୍କ ମାଆଙ୍କ ହାତ ଦେଖି କହିଲେ ସେଠି ବିବାହ କରାନ୍ତୁନି…

ଯାଜପୁର: ମନରେ ଭଲ ପାଇବା ଥିଲେ ପ୍ରେମ କେଉଁ ସ୍ତରକୁ ଯାଇପାରେ, କେଉଁ ମୋଡ଼ ନେଇପାରେ । ଏହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁରରେ । ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ କଲୋନୀରେ ପ୍ରେମିକା ଘରକୁ ବାବା ବେଶରେ ଆସି ହଟହଟା ହୋଇଛନ୍ତି ଯୁବକ । ସୂଚନା ଅନୁସାରେ ପ୍ରେମିକାର ବାହାଘର ଠିକ୍ ହୋଇଯିବା ପରେ ଯୁବକ ଜଣଙ୍କ ବାବା ବେଶ ଧାରଣ କରି ଆସିଥିଲେ ।

Lover’s Drama For Marriage In Jajpur

ଯୁବତୀଙ୍କ ମାଆଙ୍କ ହାତ ଦେଖି ସ୍ଥିର ହୋଇଥିବା ଜାଗାରେ ବିବାହ ନକରିବାକୁ କହିଥିଲେ । ଏଥିସହ ଝିଅ ଯାହାକୁ ଭଲ ପାଉଛି ସେଠି ବାହାଘର କରନ୍ତୁ ବୋଲି କହିଥିଲେ ଯୁବକ । ପ୍ରେମିକ ବାବା ବେଶରେ ଆସି ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଥିବା ଯୁବତୀଙ୍କ ପରିବାର ଲୋକ ଜାଣିପାରିଥିଲେ । ପରେ ଅପରିଚିତ ବାବାଙ୍କୁ ସ୍ଥାନୀୟ ଲୋକ ପିଲାଚୋର ବୋଲି ସନ୍ଦେହ କରି ପୋଲିସ ଜମା ଦେଇଛନ୍ତି ।

Lover’s Drama For Marriage In Jajpur

ପୋଲିସ ଯୁବକ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଯୁକ୍ତ ଦୁଇ କଲେଜ ଛାତ୍ର ବୋଲି ଜଣାପଡ଼ିଛି । ପ୍ରେମକୁ ଯୁବତୀଙ୍କ ପରିବାର ସ୍ୱୀକାର କରୁନଥିବାରୁ ଏଭଳି ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଇଥିବା ଯୁବକ ଜଣଙ୍କ କହିଛି ।

ବିଟକଏନ୍ ଉପରେ ଲାଗିବ ପ୍ରତିବନ୍ଧକ,ସରକାର ଆଣିବେ ନିଜ କ୍ରିପ୍ଟୋ କରେନ୍ସି

ନୂଆଦିଲ୍ଲୀ: ଡିଜିଟାଲ କରେନ୍ସି ବା କ୍ରିପ୍ଚୋ କରେନ୍ସି ଭାବେ ଦୁନିଆରେ ବିଟ୍ କଏନର ରାଜ୍ ଚାଲିଛି । କିନ୍ତୁ କେନ୍ଦ୍ର ସରକାର ଦେଶରେ ବିଟ୍ କଏନ୍ ସହିତ ଅନ୍ୟାନ୍ୟ କ୍ରିପ୍ଟୋ କରେନ୍ସିକୁ ବ୍ୟାନ୍ କରିବାକୁ ଯାଉଛନ୍ତି । ବଜେଟ୍ ଅଧିବେଶନରେ କ୍ରିପ୍ଟୋ କରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ବିଲ୍ ସଂସଦରେ ଆସିପାରେ । ଯଦି ଏହି ବିଧେୟକ ସଂସଦରେ ଗୃହିତ ହୁଏ ତେବେ ସବୁଦିନ ପାଇଁ ବିଟ୍ କଏନ ଭାରତରେ ପ୍ରତିବନ୍ଧିତ ହେବ । ଅନ୍ୟପକ୍ଷରେ ସରକାର ଟଙ୍କାର ଡିଜିଟାଲ କରେନ୍ସି ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

Regulatory Oversight for Cryptocurrency? | Corporate Compliance Insights

ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ବଜେଟ ଅଧିବେଶନରେ ସରକାର ଭାରତରେ ବିଟ୍ କଏନ୍, ଇଥର ଓ ରିପଲ ଭଳି ସବୁ କ୍ରିପ୍ଟୋକରେନ୍ସିକୁ ପ୍ରତିବନ୍ଧିତ କରୁଥିବା ବିଲକୁ ସୂଚିବଦ୍ଧ କରିଛନ୍ତି । ବିଧେୟକରେ ଆଧିକାରିକ ଡିଜିଟାଲ ମୁଦ୍ରାର ବୈଧାନିକ ଢାଂଚାର ନିର୍ମାଣ ପାଇଁ ପ୍ରାବଧାନ ରହିଛି । ଅର୍ଥାତ ସରକାର ନିଜର ଡିଜିଟାଲ କରେନ୍ସି ଆଣିବା ପାଇଁ ଆଇନଗତ ରାସ୍ତା ତିଆରି କରୁଛନ୍ତି ।ଏହାପୂର୍ବରୁ ଜାନୁଆରୀ ୨୫ ତାରିଖରେ ରିଜର୍ଭ ବ୍ୟାଙ୍କ୍ ଏକ ବୁକଲେଟରେ ଟଙ୍କାର ଡିଜିଟାଲ ସଂସ୍କରରଣ କଥା ଉଲ୍ଲେଖ କରିଥିଲା । ଆରବିଆଇ ଏହା ଜାଣିବା ପାଇଁ ଉଦ୍ୟମ କରୁଛି ଯେ, ଟଙ୍କାର ଡିଜିଟାଲ ଏଡିସନ କେତେ ଉପଯୋଗୀ ହେବ ଓ ଏହାଦ୍ୱାରା କେତେ ଲାଭ ମିଳିବ ।

How To Utilize Cryptocurrency In Your Business - Wall-Street.com
ଆରବିଆଇର ବୁକଲେଟରେ କୁହାଯାଇଛି ଯେ, ବିଟ୍ କଏନ ଭଳି ବେସରକାରୀ ଡିଜିଟାଲ ମୁଦ୍ରା ବିଗତ ବର୍ଷରେ ଲୋକପ୍ରିୟତା ହାସଲ କରିଛି । ଭାରତରେ ନିୟନ୍ତ୍ରକ ଓ ସରକାରା କିନ୍ତୁ ବିଟ କଏନ ଭଳି ଡିଜିଟାଲ କରେନ୍ସୀକୁ ନେଇ ସମ୍ପୂର୍ଣ୍ଣ ଆଶ୍ୱସ୍ତ ନୁହନ୍ତି । ଏଭଳି ମୁଦ୍ରା ପଟୁ ଥିବା ବିପଦକୁ ନେଇ ଆରବିଆଇ ଆଶଙ୍କିତ ଅଛି । ତଥାପି ଆରବିଆଇ ଡଜିଟାଲ କରେନ୍ସିର ସମ୍ଭାବନାକୁ ନେଇ ଅଧିକ ଅଧ୍ୟୟନ କରୁଛି । ନୋଟରେ କୁହାଯାଇଛି ଯେ, ଯଦି ଦେଶ ଡିଜିଟାଲ କରେନ୍ସୀ ଆବଶ୍ୟକ କରୁଛି ତେବେ ଏହାକୁ କେମିତି ଚାଲୁ କରାଯିବ?
୨୦୧୮ରେ କ୍ରିପ୍ଟୋକରେନ୍ସି ପାଇଁ ଲେଣଦେଶ ଉପରେ ଆରବିଆଇ ପ୍ରତିବନ୍ଧକ ଲାଗୁ କରିଥିଲା ।

Government To Introduce Bill To Ban Cryptocurrency In Budget Session
ଦୁଇ ବର୍ଷ ହେଲା ପ୍ରସ୍ତୁତ ହୋଇଛି ବିଲ୍
୨୦୧୯ରେ କ୍ରିପ୍ଟୋକେରନ୍ସି ଉପରେ ଏକ ସରକାରୀ ବିଲରେ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଓ ଭାରତରେ ଏହାର ଉପଯୋଗକୁ ଅପରାଧିକ ମାମଲା ଭାବେ ବିବେଚନା କରିବା କଥା ଥିବା କୁହାଯାଉଥିଲା । ତେବେ ଏହି ବିଲ ସଂସଦକୁ ଆସିନଥିଲା । ଗତ ଏକ ବର୍ଷ ମଧ୍ୟରେ ଭାରତରେ କ୍ରିପ୍ଟୋକରେନ୍ସୀ ନିବେଶକଙ୍କ ସଂଖ୍ୟା ବୃଦ୍ଧି ପାଇଛି । CoinDCX ଓ Coinswitch Kuber ଭଳି କ୍ରିପ୍ଟୋ କରେନ୍ସୀ ଏକ୍ସଚେଂଜ ଏଥିପାଇଁ ଫଣ୍ଡ୍ ମଧ୍ୟ ଯୋଗାଡ କରିଛନ୍ତି । ଯଦି ଏହି ବିଲ୍ ସଂସଦ ଦ୍ୱାରା ଗୃହିତ ହୁଏ ତେବେ ଭାରତରେ ନୂଆ କରି ମୁଣ୍ଡ ଟେକୁଥିବା କ୍ରିପ୍ଟୋକରେନ୍ସୀ ମାର୍କେଟର ଅନ୍ତ ହେବ ।